କନ୍ଧମାଳ ଏସପିଙ୍କ ଦ୍ବାରସ୍ଥ ମୃତ ଏସଆଇଙ୍କ ମା’, ପରିବାରକୁ ବୁଝାଉଛନ୍ତି ତଦସିଲଦାର

1 min read

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ସବ-ଇନସ୍ପେକ୍ଟର ସ୍ବାଗତିକା ବେହେରାଙ୍କ ମୃତ୍ୟୁ ନେଇ ମାଆ ଆଣିଲେ ସାଂଘାତିକ ଅଭିଯୋଗ  । ଜି. ଉଦୟଗିରି ଥାନା ଆଇଆଇସି ରେବତୀ ଶବର ଦାୟୀ ବୋଲି କନ୍ଧମାଳ ଏସପିଙ୍କ ନିକଟରେ ମାଆ ଉଷାରାଣୀ ଲିଖିତ ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ଜି. ଉଦୟଗିରି ଆଗରେ ଧାରଣାରେ ବସିଛନ୍ତି ପରିବାର । ତହସିଲଦାର ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଝିଅକୁ ମାରି ଝୁଲାଇ ଦିଆଯାଇଥିବା ଅଭିଯୋଗ ଆଣିଲେ ମାଆ । ନଚେତ୍ ଥାନା ଆଇଆଇସି ରେବତୀ ଶବରଙ୍କ ଗାଳି ଓ ନିର୍ଯାତନା ସହି ନପାରି ଝିଅ ଆତ୍ମହତ୍ୟା କରିଥିବା ମାଆ ଅଭିଯୋଗ କରିଛନ୍ତି । ଝିଅ ସ୍ବାଗତିକାଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା । ଭାଙ୍ଗି ପଡ଼ିଥିଲେ ସ୍ବାଗତିକା । ସୂଚନା ଅନୁସାରେ ୨୦୧୯ରେ କାର୍ଯ୍ୟରେ ଯୋଗଦେଇଥିଲେ ସ୍ବାଗତିକା । ସେବେଠାରୁ ସ୍ବାଗତିକାଙ୍କୁ ଆଇଆଇସି ରେବତୀ ଶବର ବିଭିନ୍ନ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଖରାପ ବ୍ୟବହାର କରୁଥିବା ଫୋନ୍ ଯୋଗେ ମାଆଙ୍କୁ ଜଣାଇଥିଲେ ସ୍ବାଗତିକା । ସ୍ବାଗତିକା ସବୁବେଳେ ମାନସିକ ଚାପରେ ରହୁଥିଲେ । କାନ୍ଦିବା ସହ ଚାକିରି ଛାଡି ଦେଇ ଆତ୍ମହତ୍ୟା କରିବେ ବୋଲି କହୁଥିଲେ ।

ସ୍ବାଗତିକାଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବେ ଥାନା ଅଧିକାରୀ ଦାୟୀ ବୋଲି ପରିବାର ଲୋକ କହିଛନ୍ତି । ଏମିତିକି ଏସଡିପିଓଙ୍କୁ ମୌଖିକ ଭାବେ ଜଣାଇବା ପରେ  କାର୍ଯ୍ୟାନୁଷ୍ଠାନ ବଦଳରେ ଭିତିରିଆ ସମାଧାନ କରିବାକୁ ଚେଷ୍ଟା କରାଯାଇଥିବା ମା ଅଭିଯୋଗ କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସମସ୍ତ ସତ୍ୟ ସାମ୍ନାକୁ ଆସିବ ବୋଲି ମୃତ ସାଗରିକାଙ୍କ ଭାଇ ମନୋରଞ୍ଜନ ବେହେରା କହିଛନ୍ତି ।