ର’ ବାବଦରେ ୧୧ ତଥ୍ୟ, ଯାହା ଜାଣିବା ଜରୁରୀ

1 min read

ଆଇଏସଆଇ ବାବଦରେ ଶୁଣିଛନ୍ତି। ସିଆଇଏ ବିଷୟରେ ପଢିଛନ୍ତି । ତେବେ ନିଜ ଦେଶର ବାହ୍ୟ ଗୁଇନ୍ଦା ଏଜେନ୍ସୀ ର’ ବାବଦରେ ଆପଣ କେତେ ଜାଣନ୍ତି ? ଜାଣନ୍ତୁ ର’ ବା ରିସର୍ଚ୍ଚ ଆନାଲିସିସ ୱିଙ୍ଗ୍ ବାବଦରେ ଏଭଳି ୧୧ ତଥ୍ୟ ଯାହା ହୁଏତ ଆପଣ ଜାଣିନଥିବେ..

୧) ‘ର’ ମୋଟୋ ହେଉଛି ‘ଧର୍ମ ରକ୍ଷତି ରକ୍ଷିତଃ । ଯାହାର ଅର୍ଥ ହେଲା ଯିଏ ଧର୍ମର ରକ୍ଷକ, ତାକୁ ଧର୍ମ ରକ୍ଷା କରେ। ଏଠାରେ ରାଷ୍ଟ୍ରକୁ ଧର୍ମ ଭାବେ ଦର୍ଶାଯାଇଛି ।

୨) ୧୯୬୨ ଚୀନ ସହ ଯୁଦ୍ଧ ଓ ୧୯୬୫ର ଭାରତ-ପାକ୍ ଯୁଦ୍ଧ ପରେ ୧୯୬୮ ସେପ୍ଟେମ୍ବର ୨୧ରେ ର’ର ସ୍ଥାପନା ହୋଇଥିଲା । ଶତ୍ରୁ ଦେଶଙ୍କ ଭାରତ ବିରୋଧୀ ଗତିବିଧି ଉପରେ ନଜର ରଖିବା ହେଉଛି ର’ର କାମ। ଏହା ଭାରତ ବାହାରେ ଗୁପ୍ତ ତଥ୍ୟ ସଂଗ୍ରହ କରିଥାଏ । ଇନ୍ଦିରା ଗାନ୍ଧୀଙ୍କ ଅମଳରେ ପ୍ରତିଷ୍ଠା ହୋଇଥିବା ର’ର ପ୍ରଥମ ନିର୍ଦ୍ଦେଶକ ଥିଲେ ରାମେଶ୍ୱର ନାଥ କାଓ।

୩) ର’ ଏଜେଣ୍ଟଙ୍କୁ ଦେଶ ଭିତରେ ଓ ଦେଶ ବାହାରକୁ ପ୍ରଶିକ୍ଷଣ ପାଇଁ ପଠାଯାଇଥାଏ । ଆମେରିକା,ଇଂଲଣ୍ଡ ଓ ଇସ୍ରାଏଲରେ ସେମାନଙ୍କ କଠିନ ଟ୍ରେନିଂ ହୋଇଥାଏ। ଆତ୍ମରକ୍ଷା ପାଇଁ ଏଜେଣ୍ଟଙ୍କୁ କ୍ରଭ ମାଗା ଟ୍ରେନିଂ ଦିଆଯାଏ । ସେମାନଙ୍କୁ ମଧ୍ୟ ଟେକନିକାଲ ପ୍ରଶିକ୍ଷଣ ଦିଆଯାଇଥାଏ ।

୪) ସିଆଚିନ୍ ଏବେ ଭାରତ କବଜାରେ ଅଛି । ଏହାର କ୍ରେଡିଟ୍ ର’କୁ ଯାଏ । ୧୯୮୪ରେ ସିଆଚିନର ସଲଟୋରୋ ଘାଟି ଉପରେ କବଜା ପାଇଁ ପାକିସ୍ତାନୀ ସେନାର ଅପରେସନ ‘ଆବାବିଲ’ ବାବଦରେ ର’ ଜାଣିବାକୁ ପାଇଥିଲା । ଏହି ସୂଚନା ପାଇଁ ଭାରତୀୟ ସେନା ଅପରେସନ ମେଘଦୂତ ଲଂଚ୍ କରିଥିଲା । ପାକ୍ ସେନା ସିଆଚିନରେ ପହଂଚିବା ପୂର୍ବରୁ ଏହା ଭାରତ କବଜାକୁ ଆସି ସାରିଥିଲା ।

୫) ଆଗରୁ ର’ କେବଳ ଇଣ୍ଟେଲିଜେନ୍ସ ବ୍ୟୁରୋ, ଭାରତୀୟ ପୋଲିସ ସେବାର ଅଧିକାରୀଙ୍କୁ ଚୟନ କରୁଥିଲା । ଏବେ କିନ୍ତୁ ର’ ବାହାରୁ ମଧ୍ୟ ରିକ୍ରୁଟମେଣ୍ଟ୍ କରୁଛି। ଏପରିକି ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ମଧ୍ୟ ର’ ଏଜେଣ୍ଟ୍ ଭାବେ ନିଯୁକ୍ତି ଦେଉଛି।

୬) କାରଗିଲ ଯୁଦ୍ଧ କାଳରେ ର’ ପାକ୍ ରାଷ୍ଟ୍ରପତି ଜେନରାଲ ପରଭେଜ୍ ମୁଶାରଫ ଓ ସେନା ମୁଖ୍ୟ ଲେଫ୍ଟେନାଣ୍ଟ୍ ଜେନରାଲ ମହମ୍ମଦ ଅଜିଜଙ୍କ ଫୋନ୍ କଥାବାର୍ତ୍ତାକୁ ରେକର୍ଡ କରିଥିଲା । ଫଳରେ କାରଗିଲରେ ପାକିସ୍ତାନୀ ସେନା ଉପସ୍ଥିତି କଥା ଦୁନିଆ ଜାଣିପାରିଥିଲା ।

୭) ର’ ସଂସଦ ନିକଟରେ ଉତ୍ତରଦାୟୀ ନୁହେଁ । ଏହା ମଧ୍ୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ । ଅର୍ଥାତ ର’ କେବଳ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ଦେଇଥାଏ ।

୮)  ର’ କେବଳ ପ୍ରଧାନମନ୍ତ୍ରୀ ଓ ଜଏଣ୍ଟ୍ ଇଣ୍ଟେଲିଜେନ୍ସ ଏଜେନ୍ସିକୁ ଜବାବ ଦିଏ । ର’ ମୁଖ୍ୟ କ୍ୟାବିନେଟ୍ ସଚିବାଳୟରେ ‘ସଚିବ’ ଭାବେ ପରିଚିତ

୯)  ର’ ଏଜେଣ୍ଟଙ୍କ ତାଲିମ କିଛି ବର୍ଷ ପାଇଁ ଚାଲିଥାଏ । ତାଲିମ୍ ବେସିକ୍ ଓ  ଆଡଭାନ୍ସ ,ଏହିଭଳି ଦୁଇ ଭାଗରେ ବିଭକ୍ତ । ବେସିକ ଟ୍ରେନିଂ ୧୦ ଦିନର ହୋଇଥାଏ । ଯେଉଁଥିରେ ପ୍ରକୃତ ଗୁଇନ୍ଦାଗିରି ବାବଦରେ ସୂଚନା ଦିଆଯାଏ । ସେମାନଙ୍କୁ ବିଦେଶୀ ଭାଷା ଓ ଜିଓ ଷ୍ଟ୍ରାଟେଜି ବାବଦରେ ବୁଝାଜାଏ । ସେମାନଙ୍କୁ ଏହା ମଧ୍ୟ କୁହାଯାଏ ଯେ, କେଉଁ ଦେଶ ଶତ୍ରୁ କିଏ ମିତ୍ର ତାହା ବୈଦେଶିକ ମନ୍ତ୍ରଣାଳୟ ନିର୍ଧାରିତ କରିଥାଏ ।  ଏହାପରେ ଏଜେଣ୍ଟଙ୍କୁ ଫିଲ୍ଡ ଇଣ୍ଟେଲିଜେନ୍ସ ବ୍ୟୁରୋକୁ ଅଧିକ ତାଲିମ ପାଇଁ ପଠାଯାଏ । ସେଠାରେ ୧ରୁ ଦୁଇ ବର୍ଷ ଟ୍ରେନିଂ ଚାଲେ। ଏହି ଟ୍ରେନିଂ ହିଁ ଏଜେଣ୍ଟ୍ ତିଆରି କରେ ।

୧୦) ପାକିସ୍ତାନୀ ଏଜେନ୍ସି ଆଇଏସଆଇକୁ ଥରେ ର’ ତାରି ଖେଳରେ ମାତ୍ ଦେଇଥିଲା । ଭାରତର ଜଣେ ର’ ଏଜେଣ୍ଟ ହାସୁମ କୁରୈସୀକୁ ଆଇଏସଆଇ ନିଜ ପଟକୁ ନେବାରେ ସଫଳ ହୋଇଥିଲା । କୁରୈସୀକୁ ଆଇଏସଆଇ ରାଜୀବ ଗାନ୍ଧୀ ଚଳାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ ଅପହରଣ କରିବାକୁ କୁହାଯାଇଥିଲା। ତେବେ କୁରୈସୀ ଭାରତ ଫେରିବା ପରେ ଧରା ପଡିଥିଲା । ଜେରା ବେଳେ ସତ ମାନିଥିଲା । ର’ କୁରୈସୀକୁ ଗିରଫ ନକରି ତାକୁ ବିମାନ ଅପହରଣ କରିବାକୁ ସୁଯୋଗ ଦେଇଥିଲା । ଗୋଟିଏ ପୁରୁଣା ବିମାନରେ ନକଲି ବନ୍ଧୁକ ଓ ଗ୍ରେନେଡ ସହ କୁରୈସୀକୁ ବସା ଯାଇଥିଲା । କୁରୈସୀ ବିମାନ ଅପହରଣ କରି ପାକିସ୍ତାନ ନେଇଥିଲା । ସେଠାରେ କିଛି ଆତଙ୍କବାଦୀଙ୍କ ମୁକ୍ତି ସେ ଦାବି କରିଥିଲା । ଭାରତ ଦାବି ମାନିବାକୁ ମନା କରିବା ପରେ କୁରୈସୀକୁ ପାକିସ୍ତାନ ରାଜନୈତିକ ଶରଣ ଦେଇଥିଲା । ତେବେ ଏଥିରୁ ପାକିସ୍ତାନର ସତ ପଦାରେ ପଡିଥିଲା । ପାଲଟା ଯବାବରେ ଭାରତ ପାକିସ୍ତାନ ବିମାନକୁ ନିଜ ଆକାଶରେ ଉଡିବାକୁ ଦେଇନଥିଲା । ଯାହା ଫଳରେ ୧୯୭୧ ଯୁଦ୍ଧ ପୂର୍ବରୁ ପାକିସ୍ତାନକୁ ସେତେବେଳର ପୂର୍ବ ପାକିସ୍ତାନରେ ପହଂଚିବାକୁ ଶ୍ରୀଲଙ୍କା ଦେଇ ଯିବାକୁ ପଡୁଥିଲା ।

୧୧)  ସିକିମ ଭାରତର ୨୨ତମ ରାଜ୍ୟ ହେବା ପୂର୍ବରୁ ସ୍ୱାଧୀନ ଦେଶ ଥିଲା । ତେବେ ୧୯୭୨ରେ ଇନ୍ଦିରା ଗାନ୍ଧୀ ର’କୁ ସିକିମରେ ଭାରତ ସମର୍ଥକ ସରକାର ଗଠନ କରିବା ଦାୟିତ୍ୱ ଦେଇଥିଲେ । ସେ ସମୟରେ ସିକିମରେ ରାଜତନ୍ତ୍ର ଥିଲା । ଚୋଗ୍ୟାଲା ବା ଧର୍ମରାଜ ଉପାଧିଧାରୀ ରାଜା ସିକିମକୁ ଶାସନ କରୁଥିଲେ । ୧୯୭୫ ମସିହାରେ ସିକିମର ସଂସଦ ଭାରତରେ ସାମିଲ ହେବାକୁ ପ୍ରସ୍ତାବ ଗ୍ରହଣ କରିଥିଲା । ର’ ସିକିମକୁ ଭାରତରେ ମିଶ୍ରଣ କରାଇ ଚୀନ ପଟୁ ଥିବା ବିପଦକୁ କିଛିଟା କମ କରିପାରିଥିଲା ।

Leave a Reply