ଭାରତରେ ଫେଲ୍ ମାରୁଛି କ୍ଷୁଧା ଦୂରୀକରଣ ଯୋଜନା, ବିଶ୍ବ ତାଲିକାରେ ୧୦୭ତମ ସ୍ଥାନ

1 min read

ନୂଆଦିଲ୍ଲୀ: ପଦାରେ ପଡ଼ିଲା ଭାରତର ବିକାଶ ସ୍ଲୋଗାନ । ଫେଲ୍ ମାରୁଛି କ୍ଷୁଧା ଦୂରୀକରଣ ଯୋଜନା । ବିଶ୍ବ କ୍ଷୁଧା ସୂଚୀ ତାଲିକାରେ ଭାରତର ଚିନ୍ତାଜନକ ସ୍ଥାନ । 121ଟି ଦେଶକୁ ନେଇ ପ୍ରସ୍ତୁତ ବିଶ୍ବ କ୍ଷୁଧା ସୂଚୀ ତାଲିକାରେ ଭାରତର ସ୍ଥାନ ରହିଛି 107 । କେବଳ ଏତିକି ନୁହେଁ, ସଙ୍କଟ ଜର୍ଜରିତ ଶ୍ରୀଲଙ୍କା ଠାରୁ ବି ଭାରତର ସ୍ଥିତି ଖରାପ ରହିଛି । ସମସ୍ତ ଦକ୍ଷିଣ ଏସୀୟ ରାଷ୍ଟ୍ରର ତାଲିକାରେ ଭାରତର ନଗଣ୍ୟ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି । ଜାତୀୟ ଓ ଆଞ୍ଚଳିକ ସ୍ତରରେ କ୍ଷୁଧା ହଟାଇବା ଲାଗି ଯୋଜନା କରାଯାଉଥିଲେ ମଧ୍ୟ, ତାହା ଯେ ବିଫଳ ଏହା ପ୍ରମାଣିତ ହୋଇଛି ।

ଉପଯୁକ୍ତ ଖାଦ୍ୟାଭାବ, ଶିଶୁ କ୍ଷୁଧା, ଦୁର୍ବଳ ସ୍ବାସ୍ଥ୍ୟ ଓ ଶିଶୁ ମୃତ୍ୟୁହାରକୁ ବିଚାରକୁ ନେଇ ଏହି ତଥ୍ୟ ପ୍ରଦାନ କରାଯାଇଛି । ତାଲିକାରେ ଶ୍ରୀଲଙ୍କାର ସ୍ଥାନ 64 ହୋଇଥିବା ବେଳେ ନେପାଳ 81, ବାଂଲାଦେଶ 84, ପାକିସ୍ତାନ 99, ଆଫଗାନିସ୍ତାନ 109ତମ ସ୍ଥାନ ହାସଲ କରିଛନ୍ତି । ଭାରତରେ କମ୍ ଓଜନ ବିଶିଷ୍ଟ ଶିଶୁ ହାର 19 ଦଶମିକ 3 ପ୍ରତିଶତ ରହିଛି । ଆଶ୍ଚର୍ଯ୍ୟର କଥା 2014ରେ ଏହି ହାର 15 ଦଶମିକ 1 ପ୍ରତିଶତ ଥିବାବେଳେ 2000ରେ ଏହି ହାର ଥିଲା 17 ଦଶମିକ 15 ପ୍ରତିଶତ ।

ବଡ଼କଥା ହେଉଛି ସେତେବେଳେ ଏହି ହାର ଥିଲା ବିଶ୍ବରେ ସର୍ବାଧିକ । ଗତ ଦୁଇ ଦଶନ୍ଧି ଭିତରେ ଯେ ଜନଜୀବନକୁ ତଳିତଳାନ୍ତ କରି ଦିଆଯାଇଛି ଏହା ସ୍ପଷ୍ଟ ହୋଇଛି । ଉପଯୁକ୍ତ ଖାଦ୍ୟାଭାବ ସମସ୍ୟା ବି ହୋଇଛି ଉତ୍କଟ । 2018-2020ରେ ଗୁଣବତ୍ତା ଭିତ୍ତିକ ଖାଦ୍ୟ ସମସ୍ୟାର ହାର 14.3 ପ୍ରତିଶତ ଥିବା ବେଳେ, 2019-2021ରେ ଏହି ହାର ହୋଇଛି 16.3 ପ୍ରତିଶତ । ଏହାର ଅର୍ଥ ଦେଶରେ 224 ଦଶମିକ 3 ନିୟୁତ ଲୋକ ଉପଯୁକ୍ତ ଖାଦ୍ୟରୁ ବଞ୍ଚିତ ହେଉଛନ୍ତି । ସାରା ବିଶ୍ବରେ 828 ନିୟୁତ ଲୋକ ଏହି ବର୍ଗରେ ରହିଛନ୍ତି । ତେବେ ଦୁର୍ବଳ ସ୍ବାସ୍ଥ୍ୟ ହାର 2014ରେ 38 ଦଶମିକ 7 ପ୍ରତିଶତ ଥିବା ବେଳେ, 2022ରେ ଏହି ହାର ହୋଇଛି 35 ଦଶମିକ 5 ପ୍ରତିଶତ ।

ସେହିପରି ଶିଶୁ ମୃତ୍ୟୁହାର 4 ଦଶମିକ 6 ପ୍ରତିଶତରୁ ହ୍ରାସ ପାଇଛି 3 ଦଶମିକ 3କୁ । ରିପୋର୍ଟରେ 2000, 2007 ଓ 2014 ମସିହାର ତଥ୍ୟକୁ 2022 ସହ ତୁଳନା କରାଯାଇଛି । ବିଶ୍ବରେ କ୍ଷୁଧା ସୂଚୀ 18 ଦଶମିକ 2 ବୋଲି ମୂଲ୍ୟାୟନ କରାଯାଇଛି । ବିଭିନ୍ନ ଦେଶରେ ଚାଲିଥିବା ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, କୋଭିଡ, ଅର୍ଥନୈତିକ ସଙ୍କଟ, ୟୁକ୍ରେନ ଯୁଦ୍ଧ ଆଦିକୁ ବିଚାରକୁ ନେଇ ବିଶ୍ବ କ୍ଷୁଦା ସୂଚୀର ଆକଳନ କରାଯାଇଛି । ଏହି ସବୁ ସମସ୍ୟା ଯୋଗୁ ବିଶ୍ବରେ ଖାଦ୍ୟ, ଇନ୍ଧନ ଓ ସାର ଦର ବୃଦ୍ଧି ପାଇଛି ଏବଂ 2023ରୁ ଏହି ସମସ୍ୟା ଅଧିକ ଉତ୍କଟ ହେବ ବୋଲି ସତର୍କ କରି ଦିଆଯାଇଛି । ବିଶ୍ବର 44ଟି ରାଷ୍ଟ୍ର ବର୍ତ୍ତମାନ କ୍ଷୁଧାର ଭୟଙ୍କର ଶିକାର ହୋଇଛନ୍ତି ।