ସମୁଦ୍ର ତଟ ହେବ ବିକାଶର ନୂଆ ସାଧନ: ଜଳପଥରେ ପରିବହନକୁ ଗୁରୁତ୍ବ

1 min read

ଭୁବନେଶ୍ବର: ପରିବହନ ଖର୍ଚ୍ଚ ଓ ପ୍ରଦୂଷଣ ମାତ୍ରା କମ୍ କରିବାକୁ ଜଳପଥ ପରିବହନକୁ ଦିଆଯିବ ପ୍ରୋତ୍ସାହନ । ଏଣିକି ଓଡ଼ିଶାର ଧାମରା ଓ ପୁରୀ ସଂଲଗ୍ନ ତଟରେ ଦୁଇଟି ରୋଲ୍-ଅନ୍ ଓ ରୋଲ୍-ଅଫ୍ ଫେରୀ ସେବା ପ୍ରକଳ୍ପ ପ୍ରତିଷ୍ଠା ହେବ । ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ଏ ନେଇ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରାଳୟକୁ ଅବଗତ କରିବାକୁ ସ୍ଥିର କରାଯାଇଛି ।

ଓଡ଼ିଶାର ସୁଦୀର୍ଘ ସମୁଦ୍ର ତଟର ହେବ ବ୍ୟାପକ ଉପଯୋଗ । ଜଳପଥରେ ପରିବହନକୁ ଦିଆଯିବ ଗୁରୁତ୍ବ । ସମୁଦ୍ରରେ ନୌକା ପରିବହନ ପାଇଁ ସୁପର ପ୍ଲାନ । ସଡ଼କ ଓ ରେଳ ପରିବହନ ବ୍ୟୟବହୁଳ ଓ ପ୍ରଦୂଷଣକାରୀ । ତେଣୁ ଓଡ଼ିଶାର ସୁଦୀର୍ଘ ୪୮୦ କିମି ସମୁଦ୍ର ତଟରେ ନୌକା ପରିବହନର ଅପାର ସୁଯୋଗ ରହିଛି । ଏହାର ଫାଇଦା ନେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର  । ପ୍ରାଥମିକ ପର୍ଯ୍ୟାୟରେ ଧାମରା ଓ ପୁରୀ ପାଖରେ ଯାତ୍ରୀ ଓ ପଣ୍ୟ ପରିବହନ ପାଇଁ ରୋଲ୍-ଅନ୍ ଓ ରୋଲ୍-ଅଫ୍ ଫେରୀ ସର୍ଭିସ୍ ପ୍ରକଳ୍ପ ପ୍ରତିଷ୍ଠା ହେବ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଆଧାରରେ ଗୁରୁବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ଏ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ।

ଜଳମାର୍ଗ ପରିବହନକୁ ପ୍ରୋତ୍ସାହନ ଦେବା ଲାଗି ଏକ ଇକୋସିଷ୍ଟମର ବିକାଶ ହେବ । ଏପରି ପରିବହନରେ ଅନେକ ଲାଭ ରହିଛି । ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବିଶ୍ବ ବିଖ୍ୟାତ । ପାରାଦୀପ, ଧାମରା, ଗୋପାଳପୁର ବନ୍ଦରର ପଣ୍ୟ କାରବାର ଦେଶର ଅର୍ଥନୀତିକୁ ବଳିଷ୍ଠ କରିଛି । ରୋ-ରୋ ଫେରୀ ସର୍ଭିସ୍ ଯୋଗୁଁ ରେଳ ଓ ସଡ଼କ ପରିବହନ ସୁବିଧା ନଥିବା ଅଞ୍ଚଳରେ ମାଲ ପରିବହନ ସୁବିଧାରେ ହୋଇପାରିବ ।

ଜଳମାର୍ଗ ପରିବହନ ପାଇଁ ଅସ୍ତରଙ୍ଗ, ଜଟାଧାରୀ, ସୁବର୍ଣ୍ଣରେଖା, ପାଲୁର୍ ଓ ବିଚିତ୍ରପୁରରେ କ୍ଷୁଦ୍ର ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।