କାହା ଚାପରେ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା?

1 min read

ନନ୍ଦିଘୋଷ ବ୍ୟୁରୋ: ଏକ ସୂତ୍ରରୁ ପ୍ରକାଶ ପାଇଛି କି, ଖରାପ ଫର୍ମ ପାଇଁ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମରେ ନେବାକୁ ଚାହୁଁନଥିଲେ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ସ୍ଥାନ ପାଇବା ସହ ଉପଅଧିନାୟକ ଭାବେ ଦାୟିତ୍ବ ନେଇଛନ୍ତି । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଏକ ସୂତ୍ରରୁ ପ୍ରକାଶ ପାଇଛି କି, ଚାପରେ ଦଳରେ ତାଙ୍କୁ ଏଭଳି ସୁଯୋଗ ମିଳିଛି । କିନ୍ତୁ କିଏ ଏବଂ କାହିଁକି ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ପାଇଁ ଚାପ ପକାଇଲେ ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି କି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ବ ଦେବା ପରେ ଦଳରେ ସବୁକିଛି ଠିକ୍ ଚାଲିନାହିଁ । ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଠିକ ନଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏପରିକି ନିକଟରେ ରୋହିତ ଶର୍ମା କୋଲକାତା ନାଇଟ ରାଇଡର୍ସ ଡ୍ରେସିଂ ରୁମରେ ନଜର ଆସିଥିଲେ । ଅଭିଶେକ ନାୟାରଙ୍କ ସହ କଥା ହେଉଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରୋହିତ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆସନ୍ତା ବର୍ଷ ଖେଳିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ଏବେ ଉଭୟଙ୍କ ମତଭେଦ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ କିଭଳି ସ୍ଥିତିରେ ରହିଛି ତାହା ସମସ୍ତଙ୍କୁ ବେଶ ଜଣା । ବାସ୍ତବରେ ଯଦି ଉଭୟଙ୍କ ମଧ୍ୟରେ ସେମିତି କିଛି ମତଭେଦ ଥାଏ ଏବଂ ଅଧିନାୟକ- ଉପଅଧିନାୟକଙ୍କ ମଧ୍ୟରେ ଠିକରେ ନପଡ଼େ ତାହେଲେ ଏହାର ପ୍ରଭାବ ମଧ୍ୟ ବିଶ୍ବକପରେ ଭାରତୀୟ ଦଳ ଉପରେ ପଡ଼ିପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।