କହ୍ନେୟାଲାଲ ହତ୍ୟା ପଛରେ ଆଇଏସଆଇଏସ ଲିଙ୍କ

ଉଦୟପୁର: ରାଜସ୍ଥାନ ଉଦୟପୁର କହ୍ନେୟାଲାଲ୍ ହତ୍ୟା ମାମଲାରେ ଇଣ୍ଟରନାସନାଲ ଲିଙ୍କ୍‌ । ଆଇଏସଆଇ ସଂଗଠନ ସହ ଯୋଗାଯୋଗରେ ଥିଲେ ଦୁଇ ଅଭିଯୁକ୍ତ । ଭିଡିଓ ଜାରି କରି ଆତଙ୍କ ଖେଳାଇବାକୁ ସୀମା ସେପଟୁ ଦିଆଯାଇଥିଲା ନିର୍ଦ୍ଦେଶ । ପାକିସ୍ତାନରେ ଥିଲା ହତ୍ୟା ଅଭିଯୁକ୍ତଙ୍କ ରିମୋଟ୍‌ କଣ୍ଟ୍ରୋଲ । ଉଦୟପୁର ଜଘନ୍ୟ ହତ୍ୟାକୁ ନେଇ ଏଭଳି ସାଂଘାତିକ ଖୁଲାସା କରିଛି ଏନଆଇଏ । ହତ୍ୟାକାରୀକୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି କହ୍ନେୟାଲାଲଙ୍କ ପରିବାର । ସେପଟେ ମୃତକଙ୍କ ପରିବାରକୁ ଭେଟି ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଟେଲର ହତ୍ୟା ପଛରେ ଇଣ୍ଟରନାସନାଲ ଲିଙ୍କ ! ଆଇଏସଆଇଏସ ଆତଙ୍କବାଦୀ ସଂଗଠନ ସହ ଯୋଗାଯୋଗରେ ଥିଲେ ଦୁଇ ଅଭିଯୁକ୍ତ । କରାଚୀରେ ନେଇଥିଲେ ୪୫ ଦିନିଆ ଟ୍ରେନିଂ । ମୁମ୍ବାଇ ଆକ୍ରମଣ ତାରିଖରେ ଥିଲା ଗାଡ଼ି ନମ୍ବର । ହତ୍ୟା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରି ଆତଙ୍କ ଖେଳାଇବାକୁ ଷଡ଼ଯନ୍ତ୍ର କରିଥିଲା ପାକିସ୍ତାନୀ ହ୍ୟାଣ୍ଡଲର । କହ୍ଲେୟାଙ୍କୁ ହତ୍ୟା ପୂର୍ବରୁ   ଆଇଏସଆଇର ଭିଡିଓ ଦେଖିଥିଲେ ହତ୍ୟାକାରୀ ରିଆଜ ଓ ମହମ୍ମଦ । ଉଦୟପୁରରେ ଆତଙ୍କବାଦୀ ଆକ୍ରମଣ ପାଇଁ ରଚାଯାଇଥିଲା ବିଧିବଦ୍ଧ ଷଡ଼ଯନ୍ତ୍ର । ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଦୁଇ ଅଭିଯୁକ୍ତ ପାକିସ୍ତାନରେ ଥିବା ଅଜଣା ବ୍ୟକ୍ତିଙ୍କ ସହ ଫୋନ କଲରେ କଥା ହୋଇଥିବା ସୂଚନା ପାଇଛି ତଦନ୍ତକାରୀ ଟିମ୍ । ଏପଟେ ବାପାଙ୍କ ହତ୍ୟାକାରୀଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି କହ୍ନେୟାଙ୍କ ପୁଅ ୟଶ ।

ଉଦୟପୁରରେ ପହଞ୍ଚି କହ୍ନେୟାଲାଲଙ୍କ ପରିବାରକୁ ଭେଟିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ୫୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । କହ୍ନେୟାଲାଲଙ୍କୁ ହତ୍ୟା ଦୁର୍ଭାଗ୍ୟଜନକ । ତେବେ ରଜ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ୟୁଏପିଏ ଆଧାରରେ ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଫାଷ୍ଟ ଟ୍ରାକ୍ କୋର୍ଟରେ ଏହାର ଶୁଣାଣି କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ କହ୍ନେୟାଲାଲ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ହଙ୍ଗାମା ଦେଖିବାକୁ ମିଳିଛି । ଜଘନ୍ୟକାଣ୍ଡକୁ ନେଇ ବଢୁଛି ଜନ ଆକ୍ରୋଶ । ରାସ୍ତାକୁ ଓହ୍ଲାଇଛନ୍ତି ଅନେକ ହିନ୍ଦୁ ସଂଗଠନ । ଯଥାଶୀଘ୍ର ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି ଜୋର ଧରିଛି ।