କଂଗ୍ରେସରେ ଥମୁନି ଇସ୍ତଫାର ଝଡ଼

1 min read

ଭୁବନେଶ୍ବର: କଂଗ୍ରେସରେ ଇସ୍ତଫା ଝଡ଼ । ଅସନ୍ତୋଷ ପ୍ରକାଶ କରି ଦଳର ବିଭିନ୍ନ ଦାୟିତ୍ବରୁ ଇସ୍ତଫା ଦେଇଛନ୍ତି ଜଣକ ପରେ ଜଣେ ବିଧାୟକ । କଂଗ୍ରେସ ମୁଖ୍ୟ ସଚେତକ ପଦରୁ ତାରାପ୍ରସାଦ ବାହାନୀପତି ଇସ୍ତଫା ଦେଇଥିଲେ । ଆଉ ଏବେ ବିଧାନସଭା ଅଧିବେଶନର ଦିନକ ପୂର୍ବରୁ ବିଧାୟକ ଦଳ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ମୋକିମ । ଉଭୟଙ୍କ ଇସ୍ତଫା ଗ୍ରହଣ କରାଯାଇନଥିବାରୁ ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

କଂଗ୍ରେସକୁ ଘାରିଛି ନବଗ୍ରହ ଚିନ୍ତା । ଏହି ନବ ଗ୍ରହ ହେଉଛନ୍ତି ଦଳର ୯ ବିଧାୟକ । ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ଜଣକ ପରେ ଜଣେ ବିଧାୟକ ଦଳ ଦେଇଥିବା ଗୁରୁ ଦାୟିତ୍ବରୁ ହଟି ଯାଇଛନ୍ତି । ମୌସୁମୀ ଅଧିବେଶନର ଦିନକ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ପୂର୍ବରୁ କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ଦଳର ହେଭିଓ୍ବେଟ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଥିଲେ । ଯାହାକୁ ନେଇ ଦଳରେ ଭୂକମ୍ପ ସୃଷ୍ଟି ହୋଇଛି ।

ସେପଟେ ଉଭୟ ତାରା ଓ ମୋକିମ ଦଳ ପାଇଁ କାମ କରୁଛନ୍ତି । ମନରେ କିଛି ଅସନ୍ତୋଷ ଥିବାରୁ ସେମାନେ ଇସ୍ତଫା ଦେଇଥିବା ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଉଭୟଙ୍କ ଇସ୍ତଫାକୁ ହାଇକମାଣ୍ଡ ଗ୍ରହଣ ନକରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଦୁଇ ବିଧାୟକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି ସୁର କହିଛନ୍ତି । ବଜେଟ ଅଧିବେଶନ ପୂର୍ବରୁ କଂଗ୍ରେସର ଜଣକ ପରେ ଜଣେ ବିଧାୟକ, ଦଳ ଦାୟିତ୍ବରୁ ଇସ୍ତଫା ଦେଇଥିଲେ ବି ଏ ଖବର ପିସିସି ସଭାପତିଙ୍କ ପାଖରେ ନାହିଁ । ୯ଜଣ ବିଧାୟକ ଗୃହରେ ଏକ ହୋଇ କାମ କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

୨୦୨୪ରେ ୯ରୁ ୯୦ ନାରା ଦେଇ ତୃଣମୂଳସ୍ତରରୁ ଦଳର ସଂଗଠନ ମଜବୁତ କରିବାକୁ ପିସିସି ସଭାପତି ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ତୋଫାନୀ ଗସ୍ତ କରୁଛନ୍ତି । ତେବେ ତୃଣମୂଳସ୍ତରରୁ ସଂଗଠନ ମଜଭୁତ କରିବେ କ’ଣ, ବିଧାନସଭାର ୯ଜଣ ବିଧାୟକଙ୍କୁ ଏକଜୁଟ କରିପାରୁନାହାନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କଂଗ୍ରେସରେ ଏବେ ସବୁକିଛି ଠିକନାହିଁ ।