ସଂକଟରେ ଅଣ୍ଡା ଉତ୍ପାଦନ ଶିଳ୍ପ: ୨୦ ହଜାର ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ

ଭୁବନେଶ୍ୱର: କରୋନା ପ୍ରଭାବରେ ପ୍ରଭାବିତ ସମଗ୍ର ବିଶ୍ୱ, ଦେଶ ଓ ରାଜ୍ୟ । ଲକ୍‌ଡାଉନ୍‌ ପ୍ରଭାବରେ ବ୍ୟବସାୟ ଏକ ପ୍ରକାର ଠପ୍‌ ହୋଇଯାଇଛି । ଏହାର ଅନୁରୂପ ପ୍ରଭାବ ଅଣ୍ଡା ଉତ୍ପାଦନ କରୁଥିବା ଚାଷୀମାନଙ୍କ ଉପରେ ମଧ୍ୟ ପଡ଼ିଛି । ଏହାଦ୍ୱାରା ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ରୋଜଗାର ପାଉଥିବା ୨୦ ହଜାର ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଭଳି ସମୟରେ ତିଷ୍ଠି ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଲୋଡ଼ିଛି ଅଲ୍‌ ଓଡ଼ିଶା ଲେୟାର ଫାର୍ମର ଆସୋସିଏସନ୍‌ ।

ଏଭଳି ପରିସ୍ଥିତି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ଆସୋସିଏସନ୍‌ର ଅଧ୍ୟକ୍ଷ ମାନସ ମଙ୍ଗରାଜ । ପ୍ରତିକୂଳ ପରିସ୍ଥିତିରେ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଥିବା ରାଜ୍ୟର ଅଣ୍ଡା ଉତ୍ପାଦନକାରୀ ଚାଷୀମାନେ ସର୍ବଦା ରାଜ୍ୟ ସରକାରଙ୍କ ସହିତ ରହି ଆସିଛନ୍ତି ।

ଅଳ୍ପ ଦିନ ତଳେ ଓଡ଼ିଶାକୁ ଅଣ୍ଡା ଓ କୁକୁଡ଼ା ମାଂସ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଆହ୍ନାନ ଦେବା ପରେ ଉଦ୍ୟୋଗୀମାନେ ଆଗକୁ ଆସି କୁକୁଡ଼ା ଶିଳ୍ପରେ ପୁଞ୍ଜି ଖଟାଇଥିଲେ । ଫଳରେ ମାତ୍ର ୪ ବର୍ଷ ମଧ୍ୟରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ୨ ଗୁଣା ହେବା ସହିତ ପଡ଼ୋଶୀ ରାଜ୍ୟରୁ ଅଣ୍ଡା ଆମଦାନୀ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ୨୦୧୫ ମସିହାରେ ରାଜ୍ୟରୁ ଦୈନିକ ୪୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ୨୦୨୦ ବେଳକୁ ତାହା ୬୫ ଲକ୍ଷରେ ପହଞ୍ଚିଥିଲା ।

ଏହି କ୍ଷେତ୍ରରେ ସରକାର ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ଚନ୍ଦ୍ରଗିରି ସମେତ, ଗଞ୍ଜାମ, ଉମରକୋଟ ଓ ନବରଙ୍ଗପୁର ଜିଲ୍ଲାର ଉତ୍ପାଦିତ ୯୦ ପ୍ରତିଶତ ମକାକୁ କୁକୁଡାଶିଳ୍ପରେ ଦାନା ଭାବେ ବ୍ୟବହାର ହେଉଛି । ଏଥିଯୋଗୁଁ ରାଜ୍ୟରେ ଗତ ୫ ବର୍ଷ ଭିତରେ ମକା ଉତ୍ପାଦନ ୪୦ ପ୍ରତିଶତ ବଢ଼ିଛି ଯାହାକି ସେହିସବୁ ଅଞ୍ଚଳର ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି ।

ବର୍ତ୍ତମାନ ରାଜ୍ୟରେ ଅଣ୍ଡା ବ୍ୟବହାର ଆଶାତୀତ ଭାବେ ହ୍ରାସ ପାଇଥିବାବେଳେ ଅଣ୍ଡା ଉତ୍ପାଦନ କରୁଥିବା ଉଦ୍ୟୋଗୀମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସମଗ୍ର ଦେଶରେ ଲକ୍‌ଡାଉନ୍ ଜାରି ହୋଇଥିବାରୁ ବଜାର ବନ୍ଦ ସହିତ ଅଣ୍ଡା ପରିବହନ  ମଧ୍ୟ ବନ୍ଦ ରହିଛି । ଗତବର୍ଷ ରାଜ୍ୟରେ ଆସିଥିବା ବାତ୍ୟା ଫୋନି ଏହା ପରେ ପରେ ବାର୍ଡ ଫ୍ଳୁ ଓ ଏବେ କରୋନା କୁକୁଡ଼ାଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଅବସ୍ଥା ଆସି ଏଭଳି ପରିସ୍ଥିତିରେ ପହଞ୍ଚିଛି ଯେ ଏଥିରୁ ଟଙ୍କାଟିଏ ଫେରି ପାଇବା କଷ୍ଟକର ହୋଇପଡ଼ିଛି । ରାଜ୍ୟରେ ପାଖାପାଖି ୧୨ଟି ଅଣ୍ଡା ଉତ୍ପାଦନକାରୀ ଫାର୍ମ ଆର୍ଥିକ ସଂକଟରୁ ବନ୍ଦ ହେବାକୁ ବସିଲାଣି । ଋଣ ବୋଝ ଯୋଗୁଁ ବହୁ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉଥିବା ଏହି ସଂସ୍ଥାରେ ତାଲା ଝୁଲିବା ପୂର୍ବରୁ ଏହାକୁ ଚଳାଇ ରଖିବା ପାଇଁ ସଂଘ ପକ୍ଷରୁ ସରକାରଙ୍କୁ କେତେ ଗୁଡ଼ିଏ ପ୍ରସ୍ତାବ ଦିଆଯାଇଛି ।

How much land will be required to make a capacity of 10,000 birds ...

ସରକାରଙ୍କୁ ଦିଆଯାଇଥିବ ପ୍ରସ୍ତାବ ମଧ୍ୟରେ କୁକୁଡ଼ା ଚାଷ ପାଇଁ ହୋଇଥିବା ସମସ୍ତ ପ୍ରକାର ଋଣ ଉପରେ ୫% ସୁଧ ରିହାତି, ଋଣ ପରିଶୋଧକୁ ଏକ ବର୍ଷ ସ୍ଥଗିତ ରଖିବା, ମୂଳ ପୁଞ୍ଜି ପାଇଁ ହୋଇଥିବା ଋଣକୁ ଟର୍ମ ଲୋନ୍‌ରେ ପରିବର୍ତ୍ତନ ସହିତ ତାକୁ ୫ ବର୍ଷ ମଧ୍ୟରେ ପରିଶୋଧ ଲାଗି ସୁଯୋଗ ଦିଆଯିବା । ଫାର୍ମ ଚଳାଇ ରଖିବାଲାଗି ଚାଷୀମାନଙ୍କୁ ଆବଶ୍ୟକ ମୂଳଧନ ପାଇଁ ଋଣ ପ୍ରଦାନ, ରାଜ୍ୟରେ ଥିବ ସମସ୍ତ କୁକୁଡ଼ା ଶିଳ୍ପ ଲେୟାର ଏବଂ ବ୍ରଏଲରକ ଆର୍ଥିକ ସହାୟତା ପ୍ୟାକେଜ୍‌ ପ୍ରଦାନ ସହିତ କକୁଡା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କଞ୍ଚାମାଲ ଉପରୁ ଜିଏସ୍‌ଟି ଛାଡ଼ କରିବା ପାଇଁ ସଂଘ ଅନୁରୋଧ କରିଛି ।

Leave a Reply