ପାକିସ୍ତାନୀ ଗୁପ୍ତଚରଙ୍କୁ ବ୍ରାହ୍ମୋସ୍ ରିପୋର୍ଟ ଦେଖାଇଥାନ୍ତେ DRDO ବୈଜ୍ଞାନିକ

1 min read

ନନ୍ଦିଘାଷ ବ୍ୟୁରୋ : ମହାରାଷ୍ଟ୍ର ଏଟିଏସ୍ DRDO ଗୁପ୍ତଚର ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛି । ଏଟିଏସ୍ ର ସୂଚନା ଅନୁଯାୟୀ ବୈଜ୍ଞାନିକ ପ୍ରଦୀପ କୁରୁଲକର ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରକଳ୍ପ ସହ ଜଡ଼ିତ ସର୍ବୋଚ୍ଚ ଗୁପ୍ତ ଦସ୍ତାବିଜକୁ ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଖାଇବାକୁ କହିଥିଲେ । ପାକିସ୍ତାନୀ ଏଜେଣ୍ଟଙ୍କ ନାମ ଜାରା ଦାସଗୁପ୍ତା । DRDO ର ରିସର୍ଚ୍ଚ ଅାଣ୍ଡ ସାଇନ୍ସ ଇଞ୍ଜିନିୟରର୍ସ ଲ୍ୟାବର ୫୯ ବର୍ଷର କୁରୁଲକରଙ୍କୁ ଏଟିଏସ୍ ମେ ୩ ତାରିଖରେ ଗିରଫ କରିଥିଲା । ସରକାରୀ ସିକ୍ରେଟ୍ ଅାକ୍ଟ (ଓଏସଏ) ବିଭାଗ ଅଧୀନରେ ବୈଜ୍ଞାନିକଙ୍କ ବିରୋଧରେ ଗୁପ୍ତଚର ସନ୍ଦେହରେ ଜଣେ ମହିଳା ଏଜେଣ୍ଟଙ୍କ ସହ ଯୋଗଯୋଗ ସର୍ମ୍ପକରେ ଏକ ମାମଲା ରୁଜୁ କରାଯାଇଥିଲା । ଏଟିଏସ୍ କହିଛି, ପାକିସ୍ତାନୀ ଏଜେଣ୍ଟ ହ୍ବାଟସ ଅାପରେ କୁରୁଲକରଙ୍କ ସହ ଯୋଗାଯୋଗ କରି ତାଙ୍କୁ ବ୍ରିଟେନର ସଫ୍ଟୱ୍ବେୟାର୍ ଇଞ୍ଜିନିୟର ବୋଲି ପରିଚୟ ଦେଇଥିଲେ । ସେ ଅନେକ ଅଶ୍ଲୀଳ ବାର୍ତ୍ତା, ଭଏସ୍ କଲ ପଠାଇ ବୈଜ୍ଞାନିକଙ୍କୁ ନିଜ ଜାଲରେ ଛନ୍ଦିଥିଲେ । ଜୁନ୍ ୧୦, ୨୦୨୨ ରୁ ଫ୍ରେବୃୟାରୀ ୨୪, ୨୦୨୩ ପର୍ଯ୍ୟନ୍ତ କୁରୁଲକର ଏବଂ ମହିଳା ଏଜେଣ୍ଟଙ୍କ ସହ  ଅନେକ ଅାଲୋଚନା ହୋଇଥିଲା ।

ଏଟିଏସ୍ ଅଭିଯୋଗ କରିଛି ଯେ ଜାରା ଭାରତର ବିଭିନ୍ନ DRDO ଏବଂ ପ୍ରତିରକ୍ଷା ପ୍ରକଳ୍ପ ବିଷୟରେ କୁରୁଲକରଙ୍କ ଠାରୁ ଗୁପ୍ତ ତଥ୍ୟ ବାହାର କରିବାକୁ ଚାହୁଁଥିଲେ । ପ୍ରଦୀପ କୁରୁଲକର ତାଙ୍କ ପ୍ରତି ଅାକର୍ଷିତ ହୋଇଥିଲା ଏବଂ ଗୁପ୍ତ ସୂଚନା ବାଣ୍ଟିବା ପାଇଁ ତାଙ୍କ ପଦର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଅନୁସନ୍ଧାନ ସମୟରେ, ଏଟିଏସ୍  ଉଭୟଙ୍କ ମଧ୍ୟରେ ହ୍ବାଟସ୍ ଅାପ ଚାଟ୍ ଅାକ୍ସେସ କରିଥିଲା ଯାହା ଚାର୍ଜସିଟରେ ଅନ୍ତର୍ଭୂକ୍ତ କରାଯାଇଥିଲା । ଚାର୍ଜସିଟ୍ ଅନୁଯାୟୀ ଅକ୍ଟୋବର ୧୦, ୨୦୨୨ ରୁ ଅକ୍ଟୋବର ୨୮,୨୦୨୨ ମଧ୍ୟରେ ଦୁହେଁ ବ୍ରହ୍ମୋସ ବିଷୟରେ ଅାଲୋଚନା କରିଥିଲେ । ଏହି ଚାଟ୍ ରେ ଜାରା ପଚାରିଛନ୍ତି ବାବୁ, ‘ବ୍ରାହ୍ମୋସ୍’ ମଧ୍ୟ ତୁମର ଉଦ୍ଭାବନ । ଏହାପରେ କୁରୁଲକର ଉତ୍ତର ଦେଇଛନ୍ତି, ମୋର ସମସ୍ତ ବ୍ରହ୍ମୋସ୍ ଉପରେ ପ୍ରାୟ ୧୮୬ ପୃଷ୍ଠାର ପ୍ରାଥମିକ ଡିଜାଇନ୍ ରିପୋର୍ଟ ଅଛି । ଯେତେବେଳେ ତୁମେ ଏଠାକୁ ଅାସିବ, ମୁଁ ତୁମକୁ ଦେଖାଇବାକୁ ଚେଷ୍ଟା କରିବି ।

ଚାର୍ଜସିଟ୍ ଅନୁଯାୟୀ, ବ୍ରହ୍ମୋସ ବ୍ୟତୀତ କୁରୁଲକର ଏବଂ ଜାରା ଅଗ୍ନି ୬, ରୁଷ୍ଟମ, ସର୍ଫେସ୍ ଟୁ ଏୟାର ମିସାଇଲ୍ (SAM), ମାନବ ବିହୀନ ଯୁଦ୍ଧ ବିମାନ (UCAV) ଏବଂ ଡ୍ରୋନ୍ ପ୍ରକଳ୍ପ ଉପରେ ମଧ୍ୟ ଅାଲୋଚନା କରିଥିଲେ । କୁରୁଲକର ଜାରାଙ୍କୁ ହ୍ବଟସ ଅାପ୍ ରେ ‘ହାପି ମନିଂ’ ନାମକ ଏକ ଗ୍ରୁପ୍ ରେ ଯୋଡିଥିଲେ । ବାର୍ତ୍ତାଳପ ସମୟରେ କୁରୁଲକର ଦୁଇ ଜଣ DRDO ବୈଜ୍ଞାନିକଙ୍କ ବିଷୟରେ ଜାରାଙ୍କୁ କହିଥିଲେ । ଏଟିଏସ୍ ଉଭୟ ବୈଜ୍ଞାନିକଙ୍କ ବିବୃତ୍ତି ରେକର୍ଡ କରିଛି । ମହାରାଷ୍ଟ୍ର ଏଟିଏସ୍ କୁରୁଲକରଙ୍କ ବିରୋଧରେ ୧୮୩୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏବଂ ୨୦୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି ।