ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି ନା କାମ କରିବି ନା କରେଇ ଦେବି : ବିଜେଡି

1 min read

ଭୁବନେଶ୍ବର: ଓଡ଼ିଶାବାସୀଙ୍କୁ ମିଛ ମାନିଫେଷ୍ଟୋ ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପିର ଇସ୍ତାହାରକୁ ସମାଲୋଚନା କରି ଏପରି କହିଛି ବିଜେଡି । ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର ପ୍ରେସମିଟ କରି ବିଜେପି ଉପରେ ବର୍ଷିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି ହେଉଛି ନା କାମ କରିବି ନା କରେଇ ଦେବି । ବିଜେପିର ଇସ୍ତାହାରକୁ ସମାଲୋଚନା କରି ସସ୍ମିତ କହିଛନ୍ତି, ୨୦୧୪ରେ ବିଜେପି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯା ଦେବାକୁ ପ୍ରତିଶୃତି ଦେଇଥିଲା । ହେଲେ ଆଜି ବି ଭୁଆଁ ବୁଲାଉଛନ୍ତି ।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ସହ ଏମଏସପି ଦେଢଗୁଣା କରିବେ ବୋଲି କଥା ଦେଇଥିଲେ । ହେଲେ ଆଜି ଯାଏ ନକରି ଏବେ ୩୧୦୦ ଟଙ୍କା ଦେବାର ପ୍ରତିଶୃତି ଦେଉଛନ୍ତି । ଫସଲ ବୀମା ଉପରେ ୬୦ କୋଟି ଟଙ୍କା ମିଳିମିଶି ଖାଇଗଲେ । ୨୦୧୪ରେ ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲେ । ୧୦ ବର୍ଷରେ ଓଡ଼ିଶାକୁ ୮୦ ହଜାର ଚାକିରି ବି ଦେଲେନି । ଓଡ଼ିଆଙ୍କର ୧୪ ଲକ୍ଷ ଆବାସ କାଟିଦେଲେ । ଏନଏଚ ୫୫ରେ ଜୀବନ ଯାଉଥିବାବେଳେ ପାରାଦ୍ୱୀପ ହରିଦାସପୁରକୁ ରେଳ ଗଡ଼ିଲାନି । ପ୍ରତି ଗାଁରେ ନେଟୱର୍କ ଓ ଫାଇଭ-ଜି ପ୍ରତିଶୃତି ଦେଇଥିଲା ବିଜେପି । ହେଲେ ବାସ୍ତବ ସ୍ଥିତି ହେଉଛି ଗାଁରେ ପାହାଡ଼ ଓ ଗଛ ଉପରେ ନଚଢିଲେ ଫୋନ ଲାଗୁନି ।

ସବୁ ପଞ୍ଚାୟତରେ ବ୍ଯାଙ୍କ ସ୍ଥାପନ ପାଇଁ ବିଜେପି କହିଥିଲା । ମାତ୍ର ଓଡ଼ିଶାରେ ସବୁଠୁ କମ୍ ବ୍ଯାଙ୍କ ରହିଛି । କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ନେଉଛନ୍ତି । ଗରିବ ଉପରେ ଏ ବୋଝ କଣ ପାଇଁ ବୋଲି ବିଜେଡି ପ୍ରଶ୍ନ କରିଛନ୍ତି । ଅନ୍ଯପଟେ ଆଦିବାସୀଙ୍କ ଅଧିକାର ନଦେବା ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରି ବିଜେଡି କହିଛି , ହୋ, ଭୂମିଜ, ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କେନ୍ଦ୍ର ସାମିଲ କରୁନି । ୧୬୨ ସଂପ୍ରଦାୟକୁ ବି ଆଦିବାସୀ ମାନ୍ଯତା ମିଳୁନି ।

ତାଳେଚର ସାର କାରଖାନା ପାଇଁ ବି ବିଜେପି ସରକାର ବାହାନା କରୁଛି । ବିଭିନ୍ନ ଯୋଜନାରେ ଦିନକୁ ଦିନ ଅନୁଦାନ କାଟ୍ ହେଉଥିବାବେଳେ ଓଡିଶାରେ ଧାର୍ମିକପୀଠର ରୂପାନ୍ତରଣକୁ ବିରୋଧ କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର ମିଶି ଆମ ସଂସ୍କୃତିର ସୁରକ୍ଷା ଓ ମନ୍ଦିରର ରୂପାନ୍ତରଣ କାମ ରୋକିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଅନ୍ଯପଟେ ବିଜେପି ନିର୍ବାଚନୀ ଇସ୍ତାହାରରେ ଯାହା କହେ ତାହା କେବେବି କରେନାହିଁ ।

ରାଜନୀତିର ଅପରାଧିକରଣ କରିବାରେ ମଧ୍ଯ ବିଜେପି ସିଦ୍ଧହସ୍ତ । ବିଜେପି ନେତାଙ୍କ ଉପରେ ଯେଉଁ ନେତା ଗାଡ଼ି ଚଢାଇଥିଲେ ସେହି ନେତା ଏବେ ବିଜେପିର ପୋଷ୍ଟର ବୟ । ଲୋକଙ୍କୁ ଠକିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ଯ ବିଜେପି ଟିକେଟ ଦେଇଛି ।  ମିଶନ ଶକ୍ତି ମାଆଙ୍କ ଦୁବାଇ ଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଟକାଇଛନ୍ତି । ମିଶନ ଶକ୍ତି ସଚିବଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି । ଆଗକୁ ବିଜେପି ମିଶନ ଶକ୍ତି ବନ୍ଦ କରି ଦେବ ବୋଲି ଅଭିଯୋଗ କରିଛି ବିଜେଡି । BSKY ବନ୍ଦ କରିବାକୁ ବି ଷଡ଼ଯନ୍ତ୍ର କରାଯାଉଛି । ରାଜ୍ଯବାସୀ ମାଗଣାରେ ଚିକିତ୍ସା ପାଇଉଥିବାରୁ ବିଜେପି ଦେହରେ ଯାଉନି । ଆଗାମୀ ଦିନରେ ଏହାକୁ ବନ୍ଦ କରିବାକୁ ସେମାନେ କାମ କରୁଛନ୍ତି ।

ଲକ୍ଷ୍ମୀ ଯୋଜନା ଓ  ସାମ୍ବାଦିକ ବୀମା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପକୁ ବି ବନ୍ଦ କରିବାକୁ ଷଡ଼ଯନ୍ତ୍ର ଚାଲିଛି । ପ୍ରକଳ୍ପ ବନ୍ଦହେଲେ ନିର୍ମାଣ ଭାଙ୍ଗି ବିଜେପିର ନେତାମାନେ ହୋଟେଲ, ଲଜ୍ ତିଆରି କରିବେ ବୋଲି ବିଜେଡି ଅଭିଯୋଗ କରିଛି । ମମତା ଯୋଜନା, ମେଡିକାଲର ରୂପାନ୍ତରଣ,ଆମ ଓଡିଶା ନବୀନ ଓଡିଶା ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି ।  ମେକ ଇନ ଓଡ଼ିଶା ବନ୍ଦ କରି ଗଳାବାଟରେ ଶିଳ୍ପ ସଂସ୍ଥାଠୁ ଚାନ୍ଦା ଆଣିବାକୁ ଯୋଜନା କରୁଛନ୍ତି । ଶିଳ୍ପ ପ୍ରତିଷ୍ଠା ହେଲେ ଓଡ଼ିଆଙ୍କୁ ଚାକିରି ନଦେଇ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେବେ । ଆବାସ କାଟି ଲୋକଙ୍କୁ ହନ୍ତସନ୍ତ କରିବା ସହ ଓଡ଼ିଶାର ସର୍ବନାଶ ପାଇଁ ବିଜେପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ବିଜେଡି ଅଭିଯୋଗ କରିଛି ।

ଧର୍ମେନ୍ଦ୍ରଙ୍କୁ ସୁପର ମିଛୁଆ କହି ସେ ବିକାଶ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିବା ବିଜେଡି କହିଛନ୍ତି । ଧର୍ମେନ୍ଦ୍ର ବିପୁଳ ପୁଞ୍ଜି ନିବେଶ କହି ନିଜ ଟ୍ରେଜେରି ଭରିବେ । ଓଡିଶାବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିବାରୁ ସେ ମଧ୍ୟପ୍ରଦେଶ ବିହାରରୁ ପ୍ରତିନିଧି ହୋଇଥିଲେ । ବିଜେପି ସରକାର ଗଢିଲେ ପ୍ରଶାନ୍ତ ଜଗଦେବ ଗୃହମନ୍ତ୍ରୀ ବନାଇଦେବେ । କାରଣ ସେ ମଦ ପିଇ ଗାଡି ମଡ଼େଇବା, ବାଡେଇବା ଗୁଣ ରଖିଛନ୍ତି କହି କଟାକ୍ଷ କରିଛି ବିଜେଡି ।

ସେହିପରି ୨୦୦୮ରୁ ମନମୋହନ ସାମଲଙ୍କ ମହିଳା ବିକାଶ ଅଭିଜ୍ଞତା ଥିବାରୁ ତାଙ୍କୁ ମହିଳା ଓ ଶିଶୁ ବିକାଶ, ଖଣିଜ ସଂପଦ ଲୁଟ, ବାହମାସ ମନି ଲଣ୍ଡରିଂ, ଆଦିବାସୀ ଜମି ହଡ଼ପ  ଅଭିଜ୍ଞତା ଥିବାରୁ ବୈଜୟନ୍ତ ପଣ୍ଡାଙ୍କୁ ଅର୍ଥ ଓ ଶିଳ୍ପ ଏଂ ଠକିବା ଅଭିଜ୍ଞତା ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ପରିବହନ ଓ ଦକ୍ଷତା ବିକାଶ ମନ୍ତ୍ରୀ କରିବାକୁ ବିଜେପି ଯୋଜନା କରିଥିବା କହି କଟାକ୍ଷ କରିଛି ବିଜେଡି ।