ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟ, ସୁଦେବ ପୃଷ୍ଟି ଟପ୍ପର

1 min read

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୧ର ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ଥର ୧୬୪ ମହିଳାଙ୍କ ସମେତ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନ ସାହୁ ତୃତୀୟ ସ୍ଥାନରେ ରହିଛନ୍ତି।ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୧ର ଫଳ ପ୍ରକାଶ ପାଇବା ପରେ ଟପ୍‌ ୧୦ ଜଣଙ୍କ ମଧ୍ୟ ଏଥର ୫ ଜଣ ପୁଅ ଓ ୫ ଜଣ ଝିଅ ଅଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ବୈଶାଖୀ ଲେଙ୍କା, ପଞ୍ଚମ ସ୍ଥାନରେ ଶ୍ୱେତଲିନା ମାହାନା, ଷଷ୍ଠ ସ୍ଥାନରେ ଅଛନ୍ତି ଅଗ୍ନିଜା ଶିବଦତ୍ତା ।

ଅନ୍ୟପଟେ ସପ୍ତମ ସ୍ଥାନରେ ସନ୍ତୋଷ କୁମାର ପାତ୍ର ଥିବାବେଳେ ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ଅଛନ୍ତି ଯଥାକ୍ରମେ ମୀମାଂସା ସାହୁ,ବିନ୍ଦୁ ବଳୟ ରାଉତରାୟ, ସୌମ୍ୟରଂଜନ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃକକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ”ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ସରକାରୀ ସୁବିଧାସୁଯୋଗକୁ ତୃଣମୂଳସ୍ତରରେ ପହଞ୍ଚାଇ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସମସ୍ତେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।”