ପୂର୍ବ ଲକଡାଉନ୍ ଠାରୁ ଏଥିରେ କଣ ରହିବ ଭିନ୍ନତା ?

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ କାରଣରୁ ଲକଡାଉନର ସମୟ ସୀମା ବଢିବାରେ ଲାଗିଛି । ଏନେଇ କଣ ରହିଛି ରାଜ୍ୟର ସ୍ଥିତି ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନା ଭାଇରସ ବିପର୍ଯ୍ୟୟ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ମେ ୧୭ ରେ ଲକଡାଉନ୍ 3.0 ସମାପ୍ତ ହେବାକୁ ଯାଉଥିବା ବେଳେ ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଲକଡାଉନ୍ ବୃଦ୍ଧି କରାଯିବ କି ? ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରୁ ଆସୁଥିବା ନିଷ୍କର୍ସ ଦେଶରେ ଲକ୍ଡାଉନ୍ 4.0କୁ ସୂଚାଉଛି । ଯଦି ଲକଡାଉନ୍ 4.0କୁ ବଢାଯାଏ ତେବେ ଏହା, ପୂର୍ବ ଲକଡାଉନଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଏବଂ ଏହି ଲକଡାଉନ୍ ରାଜ୍ୟଗୁଡିକ ଉପରେ ନିର୍ଭର କରିବ ।

ସୋମବାର ଦିନ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୬ ଘଣ୍ଟିଆ ମାରାଥନ ବୈଠକ ଚାଲିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କର ଅସୁବିଧା, ଲକଡାଉନ୍ ନେଇ ବିଭିନ୍ନ ପ୍ରକାର ମତକୁ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ । ସେଥିମଧ୍ୟରୁ ମହାରାଷ୍ଟ୍ର, ପଞ୍ଜାବ, ବେଙ୍ଗଲ ଏବଂ ତେଲେଙ୍ଗାନା ରାଜ୍ୟଗୁଡ଼ିକ ଲକଡାଉନ ଅବଧି ବଢାଇବାକୁ ଦାବି କରିଥିଲେ। ଏବଂ ଅନ୍ୟ ରାଜ୍ୟ କେବଳ ରେଡ୍ ଜୋନ୍ ଏବଂ କଣ୍ଟେନମେଣ୍ଟ ଜୋନକୁ କଡାକଡ଼ି କରିବାକୁ ରାଜି ହୋଇଥିଲେ ।

ଯଦିଓ, ଲକଡାଉନ୍ 4.0 ଆସେ, ତେବେ ଏଥର ଆର୍ଥିକ କାର୍ଯ୍ୟକଳାପକୁ କୋହଳ କରାଯିବ ଯେଉଁଥିରେ ଅନେକ ନିୟମ ସାମିଲ ହେବ । ଏହା ବ୍ୟତୀତ, ରାଜ୍ୟଗୁଡିକୁ ନିଷ୍ପତ୍ତି ନେବାର ଅଧିକାର ମିଳି ପାରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜନ ସେ ଜଗ ତକ୍’ ଏକ ନୂଆ ସ୍ଲୋଗାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କଠାରୁ ପରାମର୍ଶ ମାଗିଥିଲେ

ଏହି ସମୟରେ, ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏହି ବପତ୍ତି ସମୟରେ କଣ ଯୋଜନା  କଲେ ଠିକ୍ ହେବ ସେନେଇ ରାଜ୍ୟଗୁଡିକର ମତାମତ ଲୋଡ଼ିଥିଲେ । ଆର୍ଥିକ କାର୍ଯ୍ୟକଳାପ ଏବଂ ଗ୍ରୀନ-ରେଡ୍-ଓରେଞ୍ଜ ଜୋନକୁ ନେଇ ମତାମତ ଲୋଡ଼ାଯାଇଥିଲା । ତେବେ ଏହା ପରେ କେତେଗୁଡ଼ିଏ ରାଜ୍ୟ ଦାବି କରିଥିଲେ ଯେ, ଜୋନ୍ ସ୍ଥିର କରିବାର କ୍ଷମତା ରାଜ୍ୟ ଗୁଡ଼ିକୁ ଦିଆଯାଉ ।

ଏହି ସମୟ ମଧ୍ୟରେ ଅନେକ ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ମତ ଦେଇଥିବା ଦେଖିବାକୁ ମିଳିଥିଲା । ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବିନା ଲକଡାଉନରେ ଆଗକୁ ବଢିବା କଷ୍ଟସାଧ୍ୟ ହୋଇପାରେ, ମମତା ବାନାର୍ଜୀ କେନ୍ଦ୍ରକୁ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ, ସମସ୍ତେ ଏକାଠି ରହିବା ଗୁରୁତ୍ୱପୂର୍ଣ୍ଣ ଅଟେ । ତେଲେଙ୍ଗାନା, ତାମିଲନାଡୁ ଏବଂ ଛତିଶଗଡ ଭଳି ରାଜ୍ୟ ଟ୍ରେନ୍ ସେବା କିମ୍ବା ବିମାନ ସେବା ଆରମ୍ଭ କରିବାକୁ ମନା କରିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ, କରୋନା ଭାଇରସ୍ ପାଇଁ ଦେଶରେ ୨୪ମାର୍ଚ୍ଚରେ ଲକଡାଉନ ଘୋଷଣା କରାଯାଇଥିଲା ଯାହା ୨୫ ମାର୍ଚ୍ଚରେ ଲାଗୁ କରାଯାଇଥିଲା । ଯାହା ଏପର୍ଯ୍ୟନ୍ତ ବଳବତ୍ତର ରହିଛି । ଲକଡାଉନକୁ ତିନିଥର ବୃଦ୍ଧି କରାଯାଇଛି, ଲକଡାଉନ୍ 3.0 ମେ ୧୭ ରେ ଶେଷ ହେବାକୁ ଯାଉଛି । ଏହି ସମୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୭୦ହଜାରକୁ ବୃଦ୍ଧି ପାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୨୦୦ ରୁ ଅଧିକ ହୋଇଛି।

Leave a Reply