ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଗୋଟିଏ ରାତିରେ ଦୁଇଟି ଲୁଟ୍ ଉଦ୍ୟମ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ଗୋଟିଏ ରାତିରେ ଦୁଇଟି ଲୁଟ ଉଦ୍ୟମ । ପାପଡ଼ାହାଣ୍ଡି ସହର ମଧ୍ୟରେ ଥିବା ଆନ୍ଧ୍ରବ୍ୟାଙ୍କର ଏଟିଏମ୍ ଲୁଟ ଉଦ୍ୟମ । ଗତ କାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ପାପଡ଼ାହାଣ୍ଡି ଏଟିଏମ୍ ର କବାଟ ଭାଙ୍ଗି ମେସିନ ଭାଙ୍ଗିଥିବା ସୂଚନା ମିଳିଛି ।

ଏଟିଏମ୍ ରେ ମେସିନ ଭଙ୍ଗାଯାଇଥିବାବେଳେ ଟଙ୍କା ଲୁଟ ହୋଇନଥିବା ଜଣାପଡିଛି। ଘଟଣା ସ୍ଥଳରେ ପାପଡାହାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି । ଏଟିଏମ ରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ଏବଂ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୁତ୍ତ ମାନଙ୍କ ବିଷୟରେ ସଠିକ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି ।

ଅପରପକ୍ଷରେ ସହରରେ ଥିବା ଏକ ଲୁଗା ଦୋକାନରୁ ମଧ୍ୟ ଲୁଟ ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ । ଦୁର୍ବୁତ୍ତ ମାନେ କପଡ଼ା ଦୋକାନର କବାଟରେ ଥିବା ତାଲା ଭାଙ୍ଗି ଦେଇଛନ୍ତି ଏବଂ ଦୋକାନରେ କୌଣସି ଚୋରି ହୋଇନଥିବା ଜଣାପଡିଛି ।
ଭୋର୍ ୫ଟା ୪୭ରେ ମହାରାଷ୍ଟ୍ରରୁ ଉଠିଲା ରାଷ୍ଟ୍ରପତି ଶାସନ, ରାତାରାତି ବଦଳିଗଲା ସମୀକରଣ ।
ମୁମ୍ବାଇ: ସକାଳର ଜାତୀୟ ଏବଂ ରାଜ୍ୟସ୍ତରୀୟ ଖବର କାଗଜରେ ପ୍ରକାଶିତ ହୋଇସାରିଥିଲା ଆଜି ହେବ ବଡ଼ ଘୋଷଣା । ଉଦ୍ଧବ ହୋଇପାରନ୍ତି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଗତକାଲି ରାତିରେ ଶରତ ପାଓ୍ବାର ମଧ୍ୟ କହିଥିଲେ ଯେ, ଶିବସେନାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରିବୁ । କିନ୍ତୁ ୨୩ ତାରିଖ ସକାଳ ୫ଟା ବେଳକୁ ସବୁକିଛି ଓଲଟ୍ ପାଲଟ୍ ହୋଇସାରିଥିଲା । ରାଜଭବନ ବାହାରେ ବିଜେପି ନେତାଙ୍କ ଭିଡ଼ ଲାଗିଥିଲା । ଭିତରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ । କିଛି ସମୟ ମଧ୍ୟରେ ପହଞ୍ଚିଲେ ଏନସିପି ନେତା ତଥା ଶରତ ପାଓ୍ୱାରଙ୍କ ପୁତୁରା ଅଜିତ୍ ପାଓ୍ୱାର ।

ଏହାପରେ ଚାରିଆଡେ ଖବର ଖେଳିଗଲା ଯେ, ମହାରାଷ୍ଟ୍ରର ରାଜନୀତିରେ କିଛି ବଡ଼ ଘଟିବାକୁ ଯାଉଛି । ସକାଳ ୫.୪୭ରେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ନେଇ ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏହାପରେ ମହାରାଷ୍ଟ୍ରରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ । ଏନସିପି ସମର୍ଥନରେ ବିଜେପି ସରକାର ଗଢ଼ିଲା । ଏନସିପିରୁ ଅଜିତ୍ ପାଓ୍ୱାର ହେଲେ ଉପ ମୁଖ୍ୟମନ୍ତ୍ରୀ ।

ଶିବସେନା ସମର୍ଥନ କଲାନି ସତ, କିନ୍ତୁ ଆଉ ଜଣେ ସହଯୋଗୀଙ୍କୁ ଧରି ବିଜେପି ରାଜ୍ୟରେ ସରକାର ଗଠନ କରିବାରେ ସକ୍ଷମ ହେଲା । ଶେଷ ପର୍ଯ୍ୟନ୍ତ ଓ୍ୱେଟ୍ ଏଣ୍ଡ ଓ୍ୱାଚ୍ ମୋଡରେ ଥିବା ବିଜେପି ମାଷ୍ଟ୍ରର ଷ୍ଟ୍ରୋକ୍ ଖେଳିଲା ବୋଲି ସମସ୍ତେ କହୁଛନ୍ତି । କିନ୍ତୁ ଏହା ପଛରେ ୩ ଦିନ ତଳେ ମୋଦି-ପାଓ୍ୱାରଙ୍କ ସାକ୍ଷାତ ଆଲୋଚନା ବୋଲି କୁହାଯାଉଛି । ସେବେଠାରୁ ଏହି ନିଷ୍ପତ୍ତି ଉପରେ ମୋହର ବାଜି ସାରିଥିଲା କେବଳ ଠିକ୍ ସମୟକୁ ଅପେକ୍ଷା କରିଥିଲା ବିଜେପି । କଂଗ୍ରେସର ମାରାଥନ୍ ବୈଠକରେ ଏନସିପି ସାମିଲ ହୋଇଥିଲା ସତ କିନ୍ତୁ ପରେ ନିଜର ନିଷ୍ପତ୍ତି ବଦଳାଇଦେଇଥିଲା । ଏବେ ଏହାକୁ ସ୍ୱୀକାର କରୁନାହାନ୍ତି ଶରଦ । କହୁଛନ୍ତି ବିଜେପି ସହବ ସାମିଲ ହେବା ନିଷ୍ପତ୍ତି ଅଜିତଙ୍କର । ଏନସିପିରେ ଫାଟ ଦେଖିବାକୁ ମିଳାଲାଣି ।

ମହାରାଷ୍ଟ୍ରରେ ଗତ ୧୨ ତାରିଖ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ । ଏହାପୂର୍ବରୁ କେହି ମଧ୍ୟ ସରକାର ଗଠନ କରିବାକୁ ସମର୍ଥନ ହାସଲ କରିପାରିନଥିଲେ । ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିବେ ବୋଲି ବହୁଥର ଚର୍ଚ୍ଚା ଆଲୋଚନା ପରେ ମଧ୍ୟ ସଫଳ ରୂପ ନେଇପାରିନଥିଲା । ମିଡିଆରେ କେତେ କଣ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ବିଜେପି-ଏନସିପି ମେଣ୍ଟ ହୋଇଛି ।

ଏହାପଛରେ ଯାହାଙ୍କ ହାତ ଅଛି ବୋଲି କୁହାଯାଉଛି ସେ ହେଉଛନ୍ତି ଅମିତ ଶାହା । ଶାହାଙ୍କ ସିକ୍ରେଟ୍ ମିଶନରେ ମହାରାଷ୍ଟ୍ର ଗତ ୨ ସପ୍ତାହ ଧରି ରହିଥିଲା । ମୁମ୍ୱାଇ ନେତାଙ୍କ ସହ ବୈଠକ କରିନଥିଲେ ବି ଦିଲ୍ଲୀରୁ ପୁରା ଘଟଣାର ତଦାରଖ କରାଯାଉଥିଲା । ଚଳିତ ନିର୍ବାଚନରେ ବିଜେପି ୧୦୫ ଆସନରେ ଜିତିଥିଲେ ମଧ୍ୟ ୫୦-୫୦ ଫର୍ମୁଲାରେ ବିଜେପି ରାଜି ନହେବାରୁ ଶିବସେନା ସମର୍ଥନ କରିବାକୁ ମନା କରିଦେଇଥିଲା । ଶିବସେନା ୫୬ଟି ଆସନରେ ଜିତିଥିବା ବେଳେ ଏନସିପି ୫୪ ଓ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଥିଲା । ନିର୍ବାଚନ ଫଳାଫଳ ବାହାରିବାର ଦୀର୍ଘ ୧୫ ଦିନ ଯାଏଁ କେହି ବି ସରକାର ଗଠନ କରିପାରିନଥିଲେ ।
୩ ବର୍ଷ ହେବ ପ୍ରେମ ସଂପର୍କରେ ଥିଲେ: ଧୋକା ଦେଲା ବୋଲି ଏମିତି କାଣ୍ଡ ରଚାଇଲେ ଯୁବତୀ
ନୂଆପଡ଼ା: ଧୋକାବାଜ ପ୍ରେମିକକୁ ଏସିଡ୍ ମାଡ । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକା ସହ ୨ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନୂଆପଡ଼ା ଜିଲ୍ଲା ଲଖନାଥାନା ବଙ୍ଗାମୁଣ୍ଡା ଗାଁର ଆଲୋକ କୁମାର ସାହୁଙ୍କ ସହ ଲଖନା ଗାଁର ଜନୈକ ଯ଼ୁବତୀଙ୍କ ୩ବର୍ଷ ହେବ ପ୍ରେମ ସଂପର୍କ ଥିଲା । ଯୁବକ ଜଣକ ଯୁବତୀଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଆଲୋକଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥଲା । ନଭେମ୍ବର ୧୦ତାରିଖରେ ବିବାହ ତାରିଖ ସ୍ଥିର ହୋଇଥିଲା । ଏନେଇ ପ୍ରେମିକା ଜଣକ ପ୍ରେମିକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।
ଶେଷରେ ପ୍ରେମରେ ବିଫଳ ହୋଇ ମହିଳାଜଣକ ଚରମ ପଦକ୍ଷେପ ନେଇଥିଲେ । ପୂର୍ବ ଯୋଜନା ମୁତାବକ ନିଜ ସହଯୋଗୀଙ୍କ ସହ ମିଶି ନଭେମ୍ବର ୭ତାରିଖରେ ପ୍ରେମିକା ଜଣକ ପ୍ରେମିକ ଆଲୋକଙ୍କ ଉପରକୁ ଏସିଡ୍ ମାଡ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଲଖନା ପୋଲିସ ଅଭିଯୁକ୍ତ ପ୍ରେମିକାସମେତ ଅନ୍ୟ ୨ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଘଟଣାରେ ପୋଲିସ ପୂର୍ବରୁ ୩ଜଣଙ୍କୁ ଗିରଫ କରିଥିଲା ।
ରାତାରାତି ବଦଳିଲା ସମୀକରଣ: ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଫଡନବିସ
ମୁମ୍ୱାଇ : ରାତାରାତି ବଦଳିଯାଇଛି ମହାରାଷ୍ଟ୍ରର ସମୀକରଣ । ରାଜନୀତିରେ ନୂଆ ମୋଡ଼ ଆସିଛି । ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନବିସ । ଏନସିପିର ଅଜିତ ପୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ ରାଜଭବନରେ ସମସ୍ତଙ୍କୁ ଶପଥ ପାଠ କରାଇଲେ। ଶେଷପର୍ଯ୍ୟନ୍ତ ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିବେ ବୋଲି ସବୁଠି ଚର୍ଚ୍ଚା ହେଉଥିଲା କିନ୍ତୁ ରାତି ଅଧରେ ବିଜେପି ସବୁ କିଛି ଓଲଟ ପାଲଟ୍ କରିଦେଇଥିବା ଚର୍ଚ୍ଚା ହେଉଛି । ଏବେ ମହାରାଷ୍ଟ୍ରରେ ବିଜେପି-ଏନସିପି ସରକାର ।
ପୁରୀ ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ମହିଳାଙ୍କୁ ଗୋଡ଼ାଇ ମାରିଲେ ପୁରୁଷ ପୋଲିସ
ପୁରୀ ସିଂହଦ୍ଵାର ସମ୍ମୁଖରେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯ଼ୋଗ । ମହିଳାଙ୍କୁ ପୋଲିସ ଦୁର୍ବ୍ୟବହାର କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ ବୈକୁଣ୍ଠ ଚତୁର୍ଦ୍ଦଶୀର ବିଳମ୍ବିତ ରାତିର ହୋଇଥିବା ଜଣାପଡ଼ିଛି । ମହିଳା ପୋଲିସଙ୍କଠାରୁ ଆରମ୍ଭ କରି ପୁରୁଷ ପୋଲିସ ମହିଳାଙ୍କୁ ଠେଲାପେଲା କରୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଭିଡିଓରେ ଦେଖାଯାଉଛି ଯେ, ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରେ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଛି। ଧାଡିରେ କିଛି ମହିଳା ଭକ୍ତ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛନ୍ତି । ସେଠାରେ ମହିଳା ପୁଲିସ ମଧ୍ୟ ଦାୟିତ୍ୱରେ ଅଛନ୍ତି। ତେବେ ଭିଡ଼ ଭିତରେ ପଶି ପୁରୁଷ ପୁଲିସ ଜଣକ ମହିଳାଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଦେଖାଯାଉଛି। ଜଣେ ମହିଳା ଏହାକୁ ନେଇ ପାଟିତୁଣ୍ଡ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ମହିଳା ଜଣକ ଆଗକୁ ବଢୁଥିବା ବେଳେ ଜଣେ ପୁରୁଷ ପୁଲିସ ତାଙ୍କ ହାତକୁ ଟାଣି ଧରିବାରୁ ମହିଳା ଜଣକ ବସି ପଡ଼ୁଛନ୍ତି।
ଆଉ ପୁଲିସ ତାଙ୍କୁ ଗଡ଼ାଇ ମାରୁଥିବା ଏହି ଭିଡିଓରୁ ସ୍ପଷ୍ଟ ହୋଇଛି। ଜଣେ ପୁରୁଷ ପୁଲିସ ମହିଳାଙ୍କୁ ଏଭଳି ବ୍ୟବହାର କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
କୋରାପୁଟ ବାରିଣୀପୁଟରେ ଭୁଶୁଡ଼ିଲା କୋଠା: ଜଣେ ମୃତ ୩ ଗୁରୁତର
କୋରାପୁଟ ବାରିଣୀପୁଟରେ ଭୁଶୁଡ଼ିଲା କୋଠା । ୮ ଘଣ୍ଟାର ଅପରେସନ ଭିତରେ ଜଣଙ୍କର ମୃତ ହୋଇଥିବା ସହିତ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଛାତ ତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ରାସେଲ ଖରା ।

୩ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୋଠା ଭୁଶୁଡ଼ିବା ପରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଫଶି ରହିଥିଲେ । ଏହି ପରିତ୍ୟକ୍ତ କୋଠାଟି କୋଲାବ ଜଳସେଚନ ପ୍ରକଳ୍ପ ଅଧୀନରେ ରହିଛି । କୋଠା ତଳେ ଚାପି ହୋଇ ରହିଥିଲେ ବାରିନପୁଟ ଚଢ଼େଇଗୁଡ଼ାର ଦୈତାରୀ ଖରାଙ୍କ ଶାଶୂ ସୂର୍ଯ୍ୟମୃଣି, ପତ୍ନୀ ରଶ୍ମି, ଶଳା ଓ ପୁଅ ରାସେଲ ଖରା ।

ଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ଅଗ୍ନିଶମ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୩ ଜଣ ଗୁରୁତରଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧:୩୦ ସମୟରେ ୧୦ ବର୍ଷର ପୁଅ ରାସେଲକୁ ଉଦ୍ଧାର କରାଯାଇଥିଲା ।
ବାଣୀବିହାରରେ ଛାତ ଉପରେ ଚଢ଼ିଥିବା ବ୍ୟକ୍ତିଙ୍କ ପରିଚୟ କଣ ? କାହିଁକି କରିଥିଲେ ଏମିତି ମୁର୍ଖାମୀ ?
ଭୁବନେଶ୍ୱର: (ଅରୁଣ କୁମାର ସାହୁ) ବାଣୀବିହାର କ୍ୟାମ୍ପସ । ପ୍ଳାଟିନମ ଜୁବୁଲି ପାଇଁ ଚାଲିଛି ସଜବାଜ । ଶୁକ୍ରବାର ସମୟ ସକାଳ ୯ଟା । ସ୍ଥାନ, ପରିଜା ଲାଇବ୍ରେରୀ ପାଠାଗାର। ହଠାତ ଜଣେ ଯୁବକ ପାଠାଗାରର ୫୦ ଫୁଟ ଛାତ ଉପରକୁ ଚଢ଼ି ଯାଇଥିଲେ । କ୍ୟାମ୍ସସରେ ହୁରି ପଡିଥିଲା ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଛାତ ଉପରେ ଅଛନ୍ତି।
ସମୟ-ସାଢେ ୯ଟା। ଅଗ୍ନିଶମ ବିଭାଗ ପାଖରେ ଖବର ପହଞ୍ଚିବା ପରେ ପହଞ୍ଚିଥିଲା ଟିମ। ଦକ୍ଷ ଅଗ୍ନିଶମ ଅଧିକାରୀ ସହିତ ପହଞ୍ଚିଥିଲା ବ୍ରେଣ୍ଟସ୍କାଏ ଲିଫ୍ଟ ଗାଡି। ସାଢେ ୧୦ଟା ବେଳକୁ ଏ ଖବର ବିଜୁଳି ବେଗରେ ମାଡ଼ି ଯିବା ପରେ ପରିଜା ପାଠାଗାର ନିକଟରେ ରୁଣ୍ଡ ହୋଇଥିଲେ ଛାତ୍ର ଓ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ।
ଅପରେସନ-ପାର୍ଟ-୧
() ଆରମ୍ଭ ହୋଇଥିଲା ଅପରେସନ ମ୍ୟାନ୍ ରେସ୍କ୍ୟୁ। ୫୦ ଫୁଟ ଉପରକୁ ଚଢିଥିଲା ବ୍ରେଣ୍ଟ ସ୍କାଏ ଲିଫ୍ଟ। ଗାଡିକୁ ଦେଖି ଉନତ୍ତ ଯୁବକ ଜଣଙ୍କ ଅସ୍ତବ୍ୟସ୍ତ ହେବା ସହ ତଳକୁ ଖସାଇବାକୁ କହିଥିଲା। ଆଉ ତଳକୁ ନଖସାଇଲେ ଛାତ ଉପରୁ ଡେଇଁବାକୁ ଧମକ ଦେଇଥିଲା। ଅଗ୍ନିଶମ ଟିମ ଭୟରେ ତଳକୁ ଓହଲାଇ ଆସିଥିଲେ।

ଅପରେସନ ପାର୍ଟ-୨
() ଯୁବକ ଜଣଙ୍କର ଏପରି ହାବଭାବ ଦେଖି ରଣନିତୀ କରିଥିଲା ଅଗ୍ନିଶମ ଟିମ। ଚିଫ ଫାୟାର ଅଫିସର ଓ ଡେପୁଟୀ ଫାୟାର ଅଫିସର ପୁଣିଥରେ ଯୁବକ ଜଣଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ, ସମାନ ଢଙ୍ଗରେ ତଳକୁ ଡେଇଁବାକୁ ଧମକ ଦେଇଥିଲା। ଗାଡିକୁ ତଳକୁ ନଖସାଇଲେ, ଛାତ ଉପରୁ ତଳକୁ ଗୋଡ ବାହର କରି ଲମ୍ପ ମାରିବାକୁ ପ୍ରସ୍ତୁତ ମଧ୍ୟ ହୋଇସାରିଥିଲା । ଯୁବକ ଜଣଙ୍କ କହିଥିଲେ ଦାନ୍ତ ଘସିବା ପାଇଁ ବ୍ରାସ, ପାଣି ଓ ଖାଇବାକୁ ଦିଅ।
ଅପରେସନ ପାର୍ଟ-୩
() ଖାଇବା ପାଇଁ କହିବା ପରେ କିଛି ଛାତ୍ର ନେତା ପୁଣିଥରେ ଗାଡି ସାହାଯ୍ୟରେ ବ୍ରସ, ପାଣି ଓ ଚକୁଳି ଓ ଭଜା ନେଇ ଯାଇଥିଲେ। ପାଣି ଓ ଖାଦ୍ୟ ଦେବା ବାହାନାରେ ୫୦ ଫୁଟ୍ ଛାତ ଉପରେ ଯୁବକ ଜଣଙ୍କୁ ଧରିବା ପାଇଁ ଚେଷ୍ଟା କରି ଗାଡିର କ୍ୟାବ ଭିତରକୁ ଟାଣିଆଣିବାକୁ ପ୍ରୟାସ କରିଥିଲେ ଅଗ୍ନିଶମ ବାହିନୀ । ତାହା ବି ଫେଲ ମାରିଥିଲା ।

ଅପରେସନ ପାର୍ଟ-୪
() ଉନ୍ମତ୍ତ ଯୁବକଙ୍କ ମନରେ କଣ ଚାଲିଛି ଜାଣିବା ପାଇଁ ମାନସିକ ସ୍ତରରେ ଦୁବର୍ଳ ଓ ବିକାରଗସ୍ତ ଭାବି ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱବିତ୍ ପ୍ରତାପ ରଥ ଓ ଯୁବ ମନସ୍ତତ୍ୱବିତ୍ ଏବଂ ଅଗ୍ନିଶମ ଟିମ ରଣନିତୀ ପ୍ରସ୍ତୁତ କରିଥିଲେ। ଯୁବକ ଜଣଙ୍କ କଣ କହିବାକୁ ଚାହୁଁଛି ଓ ତା ମନ ଭିତରେ କଣ ଚାଲିଛି ଜାଣିବା ପାଇଁ ମନୋସ୍ତତ୍ୱବିଚଙ୍କୁ ନେଇ ଉପରକୁ ପୁଣିଥରେ ଯାଇଥିଲେ ଟିମ। ସମାନ ଢଙ୍ଗରେ ତଳକୁ ଡେଇବାଁକୁ ଡ୍ରାମା କରିବା ସହ ଦେଖାଇଥିଲେ ହରକତ। ଆଉ ଯୁବକ ଜଣଙ୍କ କହିଥିଲେ ଶରତ ଓ ବାଣୀବିହାରର କୁଳପତ୍ତି ଉପରକୁ ଆସିଲେ ତଳକୁ ଓହ୍ଲାଇବି ।
ଅପରେସନ ପାର୍ଟ-୫
() ଯୁବକ ଜଣଙ୍କ କଥାକୁ ସଂପର୍କରେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠି କୂଳପତିଙ୍କୁ ଜଣାଇଥିଲେ । ମାନସିକସ୍ଥିତି ଓ କଣ ଦରକାର ପଚାରି ବୁଝିଥିଲେ, ଆଉ ତଳକୁ ଓହ୍ଲାଇବାକୁ କହିଥିଲେ। ତା ପରେ ବି ଯୁବକ ଜଣଙ୍କ ଶୁଣି ନଥିଲେ।

ଅପରେସନ ପାର୍ଟ-୬
() ଯୁବକ ଜଣଙ୍କର ହରକତ ଦେଖି ପୁଣି ଥରେ ଆଉ ଗୋଟିଏ ବ୍ରେଣ୍ଟସ୍କାଏ ଲିଫ୍ଟ ଓ ଜାଲ ନେଇ ଆସିଥିଲେ ଅଗ୍ନିଶମ ବାହିନୀ । ଯୁବକ ଜଣଙ୍କୁ ଛାତ ଉପରକୁ ଭିଡିବାକୁ ମଧ୍ୟ ଚେଷ୍ଟ କରିଥିଲେ। ଆଉ ତଳକୁ ଯଦି ଡେଇଁବେ ତା ହାଲେ ଜାଲ ଉପରେ ପଡିବେ ବୋଲି ଆଶା କରାଯାଇଥିଲା । ତା ପରେ ବି ଫେଲ ମାରିଥିଲା ଟିମ୍।
ଅପରେସନ ପାର୍ଟ-୬
() ବାଣୀବିହାରରେ ଯୁବକ ଜଣଙ୍କର ଏପରି ଉନ୍ନତ୍ତକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଯୁବକ ଜଣଙ୍କର ଘର ଲୋକ ଦେଖି ଭୁବନେଶ୍ୱରରେ ଥିବା ଦିଲ୍ଲୀପ ନାମକ ଜଣେ ସାଙ୍ଗକୁ ଖବର ଦେଇଥିଲେ। ଦିଲ୍ଲୀପ ଫାୟାର ଟିମ ନିକଟରେ ଆସି ଅନୁରୋଧ କରିଥିଲେ। ଶେଷରେ ସୁବଧୋଙ୍କ ସଂପର୍କୀୟଙ୍କ ବନ୍ଧୁ ଦିଲ୍ଲୀପ ଭଞ୍ଜ ଓ ଅଗ୍ନିଶମ ଟିମ ପୁଣି ଥରେ ଉପରକୁ ଯାଇଥିଲେ। ଦିଲ୍ଲୀପ ଯୁବକ ଜଣଙ୍କୁ ସୁବଧୋ ଭାଇ ବୋଲି ଡାକିଥିଲେ ଓ ତମର ସାତ ମାସର କୁନି ଝିଅ ଏବଂ ଘର ପରିବାର ଓ ସ୍ତ୍ରୀ ଅପେକ୍ଷା କରିଛନ୍ତି ବୋଲି କହିଥିଲେ । ଏହା କହିବା ପରେ ଯୁବକ ଜଣଙ୍କ ନରମିଥିଲେ, କହିଥିଲେ ପୋଲିସ ମୋତେ ପିଟା ପିଟି କରିବ ନାହିଁ ତ। ମୋତେ ଅନ୍ୟପଟେ ବାହର କରି ନେଇଯାଅ। ଏହି ସମୟରେ ପାଠାଗାରର ଛାତ ଉପରକୁ ଆଗ୍ନିକ କାଶ୍ୟପ ପଟ୍ଟନାୟକ ସାହସିକତା ଦେଖାଇ ଲମ୍ପ ମାରି ଯୁବକ ଜଣଙ୍କୁ କାବୁ କରିଥିଲେ। କିଛି ସମୟରେ ଛକପଞ୍ଝା ପରେ ଯୁବକ ଜଣଙ୍କୁ କାବୁ କରିଥିଲା ଟିମ୍।

ଆଉ ଶେଷରେ ଅପରେସନ ସଫଳ ହୋଇଥିଲା ଏବଂ ଅକ୍ଷତ ଅବସ୍ଥାରେ ତାଙ୍କୁ ଛାତ ଉପରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଯୁବକ ଜଣଙ୍କୁ କାଳେ କିଏ ଆକ୍ରମଣ କରିବ ସେ ନେଇ ପୋଲିସ କଡା ସୁରକ୍ଷା ବଳୟରେ କ୍ୟାପିଟାଲ ହସପିଟାଲକୁ ଚିତ୍କିସା ପାଇଁ ନେଇଥିଲେ। ପ୍ରଥମେ କ୍ୟାପିଟାଲ ହସପିଟାଲରେ ଚିତ୍କିସା ଓ ପରେ ଏସସିବି ମେଡିକାଲକୁ ଚିତ୍କିସା ପାଇଁ ପଠାଇ ଦିଆ ଯାଇଥିଲା। ଏହାରି ଭିତରେ ତାଙ୍କର ପୁରା ଠିକଣା ମିଳିଥିଲା।
ତାଙ୍କ ନାମ ହେଉଛି ସୁବୋଧ ବାରିକ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ପ୍ରହରାଜପୁରରେ ସୁବୋଧଙ୍କ ଗାଁ । ୨୦୦୧ପେ ପୋଷ୍ଟାଲ ଡିପାର୍ଟମେଣ୍ଟରେ ଚାକିରୀ କରୁଥିଲେ। ରାଜନଗର ଅଞ୍ଚଳରେ ମହୁ ଡାକ ପୋଷ୍ଟ ଅଫିସର ଡାକ ବାହକ ଭାବରେ ଚାକିରୀ କରୁଥିଲେ । ତାଙ୍କର ମାନସିକ ସ୍ଥିତି ଠିକ ନଥିବାରୁ ଔଷଧ ଖାଉଥିଲେ। ପରେ ଠିକ ସମୟରେ ଔଷଧ ନ ଖାଇବାରୁ ଦେହ ଖରାପ ହେବା ପରେ କଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏ ନେଇ ଡାକ ବିଭାଗକୁ ଜଣାଇ ଦିଆଯାଇଥିଲା। ଏ ନେଇ ସୁବୋଧଙ୍କ ସ୍ଥାନରେ ଅନ୍ୟ ଜଣେ କାମ କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କାମ କରୁଥିବା ବ୍ୟକ୍ତି ଜଣଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ସୁବୋଧଙ୍କୁ ଡାକ ବିଭାଗ ପକ୍ଷରୁ କାରାଣ ଦର୍ଶାଅ ନୋଟିସ ହୋଇଥିଲା। ସୁବୋଧ ଚିକିତ୍ସିତ ହେଉଥିବା ବେଳେ ନୋଟିସର ଉତ୍ତର ଦେଇ ପାରି ନଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଚାକିରୀ ପଳାଇ ଯାଇଥିଲା।

ଏହାପରେ ମାନସିକ ଭାରସାମ୍ୟ ହରାଇ ଗତ ମାସେ ହେବ ଘର ଛାଡି ଭୁବନେଶ୍ୱର ପଳାଇ ଆସିଥିଲେ। ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଭୁବନେଶ୍ୱରର ସଂପର୍କୀୟଙ୍କ ଘରକୁ ଆସି ପୋଷ୍ଟ ଅଫିସରେ ମଧ୍ୟ ଜଣାଇ ଥିଲେ। ଭୁବନେଶ୍ୱରରେ ବୁଲାବୁଲି କରିବା ନେଇ ତାଙ୍କ ପରିବାରକୁ ଖବର ଦେବା ପରେ ତାଙ୍କ ପରିବାର ଲୋକ ନୟାପଲ୍ଲୀ ଥାନାରେ ନିଖୋଜ ସଂପର୍କରେ ଁତଲା ମଧ୍ୟ ଦେଇଥିଲେ । ପୋଲିସ ଖୋଜା ଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ଶୁକ୍ରବାର ସକାଳ ୯ଟା ସମୟରେ ବାଣୀବିହାର ପରିଜା ଲାଇବ୍ରେରୀ ଉପରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଘଣ୍ଟେ କି ଦୁଇ ଘଣ୍ଟା ନୁହଁ ଲଗାତର ୫ ଘଣ୍ଟା ଧରି ଅପସରେସନ ପରେ ଯୁବକ ଜଣଙ୍କୁ ସୁରକ୍ଷିତ ଓ ଅକ୍ଷତ ଅବସ୍ତସ୍ଥାରେ ଉଦ୍ଧାର କରିଥିଲା ଫାୟାର ଟିମ। ଆସନ୍ତାକାଲି ବାଣୀବିହାରରେ ପ୍ଳାଟିନମ ଜୁବୁଲି ଆରମ୍ଭ ହେବାକୁ ଥିବା ବେଳେ ଯୁବକ ଜଣଙ୍କର ଏପରି କାଣ୍ଡକୁ ନେଇ ସଭିଁଏ ଟେନସନରେ ଥିଲେ । ଏବେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି ।
ମହିଳା ଓ ଶିଶୁଙ୍କ ପ୍ରସଙ୍ଗରେ ରାଜନୀତି କରାନଯାଉ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ମହିଳାଙ୍କ ବିରୋଧରେ ଅପରାଧ ନିୟନ୍ତ୍ରଣ ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା । ମହିଳାଙ୍କୁ ନ୍ୟାୟ ଦେବାକୁ ସରକାର କୌଣସି ଉଦ୍ୟମ୍ ବାଦ୍ ଦେବେନି । ଏ କ୍ଷେତ୍ରରେ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନର ବ୍ୟବସ୍ଥା କରାଯିବ । ଆଜି ବିଧାନସଭାରେ ସ୍ୱରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ ବେଳେ ଏଭଳି କିଛି କଡ଼ା ଟିପ୍ପଣୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ଏକ ପରିପକ୍ୱ ଗଣତନ୍ତ୍ର । ସରକାର ସାଢେ ୪ କୋଟି ଲୋକଙ୍କର ପ୍ରତିନିଧିତ୍ୱ କରୁଛନ୍ତି । ବିଧାନସଭାରେ ଓ ବାହାରେ ଆଲୋଚନାର ସ୍ତର ଉଚ୍ଚ ହେବା ଦରକାର । ଦୁଷ୍କର୍ମ, ହତ୍ୟା, ମହିଳାଙ୍କ ମୃତ୍ୟୁ ନିଶ୍ଚିତ ସମ୍ବେଦନଶୀଳ ଘଟଣା । ମାତ୍ର ଏହାର ରାଜନୀତିକରଣ ସମାଜ ତଥା ଯୁବପୀଢ଼ିଙ୍କୁ ଏକ ଭୁଲ୍ ବାର୍ତ୍ତା ଦେଉଛି ।

ଯଦି କୌଣସି ବ୍ୟକ୍ତି ତଦନ୍ତରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ଏଥିପାଇଁ ନ୍ୟାୟିକ ବ୍ୟବସ୍ଥା ରହିଛି । ୪ଟି ସମ୍ବେଦନଶୀଳ ମାମଲା (ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା)ରେ ତ୍ୱରିତ ଓ ବୃତ୍ତିଗତ ତଦନ୍ତ ଯୋଗୁଁ ପୋକସୋ ଆଇନ ଅନୁସାରେ ସମସ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇପାରିଛି ।
୨୦୧୯ରେ ଦୋଷୀସାବ୍ୟସ୍ତ ହାର ୪୧.୪୮ ପ୍ରତିଶତକୁ ବୃଦ୍ଧି ପାଇଛି । ମହିଳା ଓ ଶିଶୁଙ୍କ ସଂପର୍କିତ ମାମଲାର ରାଜନୀତିକରଣ କରାନଯାଉ ବୋଲି ବାରମ୍ବାର କହିଥିଲେ ମୁଖ୍ୟମନ୍ତ୍ରୀ । ୫-ଟି କାର୍ଯ୍ୟକ୍ରମରେ ମୋ-ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କର ଫୋନ୍ ନମ୍ବର ରଖାଯାଉଛି, ପରବର୍ତ୍ତୀ ସମୟରେ ସେମାନଙ୍କୁ ଫୋନ କଲ୍ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ନିଜେ ୩୦୦ କଲ୍ କରିଥିବା ବେଳେ ବିଭାଗ ପକ୍ଷରୁ ୨୫୦୦ କଲ୍ କରାଯାଇଛି । ପୋଲିସ ଥାନା ଗୁଡ଼ିକରେ ସେବା ପ୍ରଦାନରେ ଏକ ବଡ଼ ପରିବର୍ତ୍ତନ ହୋଇଛି ।

ପୋଲିସ ବିଭାଗରେ ଥିବା ସମସ୍ତ ବ୍ୟକ୍ତି ନିଷ୍ଠାର ସହିତ, ବିନା ଭୟ ଓ ପକ୍ଷପାତିତାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପରିସଂଖ୍ୟାନକୁ ହିସାବକୁ ନନେଇ ଲୋକଙ୍କ ପାଇଁ କାମ କରିବାକୁ ସେ କହିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ମାଓ କାର୍ଯ୍ୟକଳାପ କମିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୨୦୨୦ ଅଗଷ୍ଟ ୧୫ ସୁଦ୍ଧା ଲୋକଙ୍କ ପାଖରେ ନିଜସ୍ୱ ପସନ୍ଦ ଥିବ ସେମାନେ ସରକାରୀ କାର୍ଯ୍ୟାଳୟକୁ ଯିବେ କି ନାହିଁ । କମନ୍ ସର୍ଭିସ୍ ସେଣ୍ଟର ଓ ଡୋର୍ ଡେଲିଭରି ମାଧ୍ୟମରେ ଅନଲାଇନରେ କାମ ମଧ୍ୟ ହୋଇପାରିବ । ଏହା ୫-ଟିର ସବୁଠାରୁ ବଡ଼ ଟାର୍ଗେଟ୍ ଭାବେ ନିଆଯାଇଛି । ସମସ୍ତ ସରକାରୀ କାମର ପାଉଣା ବ୍ୟାଙ୍କ ମାଧ୍ୟମରେ କରିବାକୁ ଟାର୍ଗେଟ୍ ରଖାଯାଇଛି । ୫-ଟିରେ ଏହା ଆଉ ଏକ ବଡ଼ ଟାର୍ଗେଟ୍ । ଗରିବ ଶ୍ରେଣୀର ଲୋକ ଏହା ଫଳରେ ଉପକୃତ ହୋଇପାରିବେ । ସଶକ୍ତ ଓଡ଼ିଶା ଗଠନ ଦିଗରେ ଏହା କାର୍ଯ୍ୟ କରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

