ଭୋର୍ ୫ଟା ୪୭ରେ ମହାରାଷ୍ଟ୍ରରୁ ଉଠିଲା ରାଷ୍ଟ୍ରପତି ଶାସନ, ରାତାରାତି ବଦଳିଗଲା ସମୀକରଣ ।

1 min read

ମୁମ୍ବାଇ: ସକାଳର ଜାତୀୟ ଏବଂ ରାଜ୍ୟସ୍ତରୀୟ ଖବର କାଗଜରେ ପ୍ରକାଶିତ ହୋଇସାରିଥିଲା ଆଜି ହେବ ବଡ଼ ଘୋଷଣା । ଉଦ୍ଧବ ହୋଇପାରନ୍ତି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଗତକାଲି ରାତିରେ ଶରତ ପାଓ୍ବାର ମଧ୍ୟ କହିଥିଲେ ଯେ, ଶିବସେନାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରିବୁ । କିନ୍ତୁ ୨୩ ତାରିଖ ସକାଳ ୫ଟା ବେଳକୁ ସବୁକିଛି ଓଲଟ୍ ପାଲଟ୍ ହୋଇସାରିଥିଲା । ରାଜଭବନ ବାହାରେ ବିଜେପି ନେତାଙ୍କ ଭିଡ଼ ଲାଗିଥିଲା । ଭିତରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ । କିଛି ସମୟ ମଧ୍ୟରେ ପହଞ୍ଚିଲେ ଏନସିପି ନେତା ତଥା ଶରତ ପାଓ୍ୱାରଙ୍କ ପୁତୁରା ଅଜିତ୍ ପାଓ୍ୱାର ।

ଏହାପରେ ଚାରିଆଡେ ଖବର ଖେଳିଗଲା ଯେ, ମହାରାଷ୍ଟ୍ରର ରାଜନୀତିରେ କିଛି ବଡ଼ ଘଟିବାକୁ ଯାଉଛି । ସକାଳ ୫.୪୭ରେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ନେଇ ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏହାପରେ ମହାରାଷ୍ଟ୍ରରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ । ଏନସିପି ସମର୍ଥନରେ ବିଜେପି ସରକାର ଗଢ଼ିଲା । ଏନସିପିରୁ ଅଜିତ୍ ପାଓ୍ୱାର ହେଲେ ଉପ ମୁଖ୍ୟମନ୍ତ୍ରୀ ।

ଶିବସେନା ସମର୍ଥନ କଲାନି ସତ, କିନ୍ତୁ ଆଉ ଜଣେ ସହଯୋଗୀଙ୍କୁ ଧରି ବିଜେପି ରାଜ୍ୟରେ ସରକାର ଗଠନ କରିବାରେ ସକ୍ଷମ ହେଲା । ଶେଷ ପର୍ଯ୍ୟନ୍ତ ଓ୍ୱେଟ୍ ଏଣ୍ଡ ଓ୍ୱାଚ୍ ମୋଡରେ ଥିବା ବିଜେପି ମାଷ୍ଟ୍ରର ଷ୍ଟ୍ରୋକ୍ ଖେଳିଲା ବୋଲି ସମସ୍ତେ କହୁଛନ୍ତି । କିନ୍ତୁ ଏହା ପଛରେ ୩ ଦିନ ତଳେ ମୋଦି-ପାଓ୍ୱାରଙ୍କ ସାକ୍ଷାତ ଆଲୋଚନା ବୋଲି କୁହାଯାଉଛି । ସେବେଠାରୁ ଏହି ନିଷ୍ପତ୍ତି ଉପରେ ମୋହର ବାଜି ସାରିଥିଲା କେବଳ ଠିକ୍ ସମୟକୁ ଅପେକ୍ଷା କରିଥିଲା ବିଜେପି । କଂଗ୍ରେସର ମାରାଥନ୍ ବୈଠକରେ ଏନସିପି ସାମିଲ ହୋଇଥିଲା ସତ କିନ୍ତୁ ପରେ ନିଜର ନିଷ୍ପତ୍ତି ବଦଳାଇଦେଇଥିଲା । ଏବେ ଏହାକୁ ସ୍ୱୀକାର କରୁନାହାନ୍ତି ଶରଦ । କହୁଛନ୍ତି ବିଜେପି ସହବ ସାମିଲ ହେବା ନିଷ୍ପତ୍ତି ଅଜିତଙ୍କର । ଏନସିପିରେ ଫାଟ ଦେଖିବାକୁ ମିଳାଲାଣି ।

ମହାରାଷ୍ଟ୍ରରେ ଗତ ୧୨ ତାରିଖ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ । ଏହାପୂର୍ବରୁ କେହି ମଧ୍ୟ ସରକାର ଗଠନ କରିବାକୁ ସମର୍ଥନ ହାସଲ କରିପାରିନଥିଲେ । ଶିବସେନା-ଏନସିପି ଓ କଂଗ୍ରେସ ସରକାର ଗଠନ କରିବେ ବୋଲି ବହୁଥର ଚର୍ଚ୍ଚା ଆଲୋଚନା ପରେ ମଧ୍ୟ ସଫଳ ରୂପ ନେଇପାରିନଥିଲା । ମିଡିଆରେ କେତେ କଣ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ବିଜେପି-ଏନସିପି ମେଣ୍ଟ ହୋଇଛି ।

ଏହାପଛରେ ଯାହାଙ୍କ ହାତ ଅଛି ବୋଲି କୁହାଯାଉଛି ସେ ହେଉଛନ୍ତି ଅମିତ ଶାହା । ଶାହାଙ୍କ ସିକ୍ରେଟ୍ ମିଶନରେ ମହାରାଷ୍ଟ୍ର ଗତ ୨ ସପ୍ତାହ ଧରି ରହିଥିଲା । ମୁମ୍ୱାଇ ନେତାଙ୍କ ସହ ବୈଠକ କରିନଥିଲେ ବି ଦିଲ୍ଲୀରୁ ପୁରା ଘଟଣାର ତଦାରଖ କରାଯାଉଥିଲା । ଚଳିତ ନିର୍ବାଚନରେ ବିଜେପି ୧୦୫ ଆସନରେ ଜିତିଥିଲେ ମଧ୍ୟ ୫୦-୫୦ ଫର୍ମୁଲାରେ ବିଜେପି ରାଜି ନହେବାରୁ ଶିବସେନା ସମର୍ଥନ କରିବାକୁ ମନା କରିଦେଇଥିଲା । ଶିବସେନା ୫୬ଟି ଆସନରେ ଜିତିଥିବା ବେଳେ ଏନସିପି ୫୪ ଓ କଂଗ୍ରେସ ୪୪ଟି ଆସନରେ ବିଜୟୀ ହୋଇଥିଲା । ନିର୍ବାଚନ ଫଳାଫଳ ବାହାରିବାର ଦୀର୍ଘ ୧୫ ଦିନ ଯାଏଁ କେହି ବି ସରକାର ଗଠନ କରିପାରିନଥିଲେ ।

Leave a Reply