ମହିଳା ଓ ଶିଶୁଙ୍କ ପ୍ରସଙ୍ଗରେ ରାଜନୀତି କରାନଯାଉ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର : ମହିଳାଙ୍କ ବିରୋଧରେ ଅପରାଧ ନିୟନ୍ତ୍ରଣ ସରକାରଙ୍କ ସବୁଠୁ ବଡ଼ ପ୍ରାଥମିକତା । ମହିଳାଙ୍କୁ ନ୍ୟାୟ ଦେବାକୁ ସରକାର କୌଣସି ଉଦ୍ୟମ୍ ବାଦ୍ ଦେବେନି । ଏ କ୍ଷେତ୍ରରେ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନର ବ୍ୟବସ୍ଥା କରାଯିବ । ଆଜି ବିଧାନସଭାରେ ସ୍ୱରାଷ୍ଟ୍ର ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ ବେଳେ ଏଭଳି କିଛି କଡ଼ା ଟିପ୍ପଣୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ଏକ ପରିପକ୍ୱ ଗଣତନ୍ତ୍ର । ସରକାର ସାଢେ ୪ କୋଟି ଲୋକଙ୍କର ପ୍ରତିନିଧିତ୍ୱ କରୁଛନ୍ତି । ବିଧାନସଭାରେ ଓ ବାହାରେ ଆଲୋଚନାର ସ୍ତର ଉଚ୍ଚ ହେବା ଦରକାର । ଦୁଷ୍କର୍ମ, ହତ୍ୟା, ମହିଳାଙ୍କ ମୃତ୍ୟୁ ନିଶ୍ଚିତ ସମ୍ବେଦନଶୀଳ ଘଟଣା । ମାତ୍ର ଏହାର ରାଜନୀତିକରଣ ସମାଜ ତଥା ଯୁବପୀଢ଼ିଙ୍କୁ ଏକ ଭୁଲ୍ ବାର୍ତ୍ତା ଦେଉଛି ।

ଯଦି କୌଣସି ବ୍ୟକ୍ତି ତଦନ୍ତରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ଏଥିପାଇଁ ନ୍ୟାୟିକ ବ୍ୟବସ୍ଥା ରହିଛି । ୪ଟି ସମ୍ବେଦନଶୀଳ ମାମଲା (ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା)ରେ ତ୍ୱରିତ ଓ ବୃତ୍ତିଗତ ତଦନ୍ତ ଯୋଗୁଁ ପୋକସୋ ଆଇନ ଅନୁସାରେ ସମସ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇପାରିଛି ।

୨୦୧୯ରେ ଦୋଷୀସାବ୍ୟସ୍ତ ହାର ୪୧.୪୮ ପ୍ରତିଶତକୁ ବୃଦ୍ଧି ପାଇଛି । ମହିଳା ଓ ଶିଶୁଙ୍କ ସଂପର୍କିତ ମାମଲାର ରାଜନୀତିକରଣ କରାନଯାଉ ବୋଲି ବାରମ୍ବାର କହିଥିଲେ ମୁଖ୍ୟମନ୍ତ୍ରୀ । ୫-ଟି କାର୍ଯ୍ୟକ୍ରମରେ ମୋ-ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କର ଫୋନ୍ ନମ୍ବର ରଖାଯାଉଛି, ପରବର୍ତ୍ତୀ ସମୟରେ ସେମାନଙ୍କୁ ଫୋନ କଲ୍ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ନିଜେ ୩୦୦ କଲ୍ କରିଥିବା ବେଳେ ବିଭାଗ ପକ୍ଷରୁ ୨୫୦୦ କଲ୍ କରାଯାଇଛି । ପୋଲିସ ଥାନା ଗୁଡ଼ିକରେ ସେବା ପ୍ରଦାନରେ ଏକ ବଡ଼ ପରିବର୍ତ୍ତନ ହୋଇଛି ।

ପୋଲିସ ବିଭାଗରେ ଥିବା ସମସ୍ତ ବ୍ୟକ୍ତି ନିଷ୍ଠାର ସହିତ, ବିନା ଭୟ ଓ ପକ୍ଷପାତିତାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପରିସଂଖ୍ୟାନକୁ ହିସାବକୁ ନନେଇ ଲୋକଙ୍କ ପାଇଁ କାମ କରିବାକୁ ସେ କହିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ମାଓ କାର୍ଯ୍ୟକଳାପ କମିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ  । ତେବେ ୨୦୨୦ ଅଗଷ୍ଟ ୧୫ ସୁଦ୍ଧା ଲୋକଙ୍କ ପାଖରେ ନିଜସ୍ୱ ପସନ୍ଦ ଥିବ ସେମାନେ ସରକାରୀ କାର୍ଯ୍ୟାଳୟକୁ ଯିବେ କି ନାହିଁ । କମନ୍ ସର୍ଭିସ୍ ସେଣ୍ଟର ଓ ଡୋର୍ ଡେଲିଭରି ମାଧ୍ୟମରେ ଅନଲାଇନରେ କାମ ମଧ୍ୟ ହୋଇପାରିବ । ଏହା ୫-ଟିର ସବୁଠାରୁ ବଡ଼ ଟାର୍ଗେଟ୍ ଭାବେ ନିଆଯାଇଛି ।  ସମସ୍ତ ସରକାରୀ କାମର ପାଉଣା ବ୍ୟାଙ୍କ ମାଧ୍ୟମରେ କରିବାକୁ ଟାର୍ଗେଟ୍ ରଖାଯାଇଛି । ୫-ଟିରେ ଏହା ଆଉ ଏକ ବଡ଼ ଟାର୍ଗେଟ୍ । ଗରିବ ଶ୍ରେଣୀର ଲୋକ ଏହା ଫଳରେ ଉପକୃତ ହୋଇପାରିବେ । ସଶକ୍ତ ଓଡ଼ିଶା ଗଠନ ଦିଗରେ ଏହା କାର୍ଯ୍ୟ କରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply