spot_img
Home Blog Page 6548

Corona Vaccine Price in India : ଭାରତରେ ମାତ୍ର ୨୨୫ ଟଙ୍କାରେ ମିଳିବ କରୋନା ଟିକା !

ଭାରତରେ କରୋନା ଭାଇରସ ଟିକାର ଦାମ କେତେ ହେବ ? ଏହାକୁ କ’ଣ ସାଧାରଣ ଲୋକ କିଣି ପାରିବେ ? ଟିକା ଆସିବା ପୂର୍ବରୁ ଏନେଇ ପ୍ରଶ୍ନ ଉଠୁଛି । ତେବେ ଏସମ୍ବନ୍ଧରେ ଆଶ୍ୱସ୍ତିକର ଖବର ଆସିବାରେ ଲାଗିଛି । ଭାରତ ବାୟୋଟେକ୍ ତା’ ଟିକାର ମୁଲ୍ୟ ୧୦୦ ଟଙ୍କାରୁ କମ ରହିବ ବୋଲି ଆଗରୁ କହି ସାରିଛି । ଏହା ଭିତରେ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକାର ମୁଲ୍ୟ ବାବଦରେ ତଥ୍ୟ ସାମ୍ନାକୁ ଆସୁଛି । ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ସିରମ ଦ୍ୱାରା ତିଆରି ହେଉଥିବା ଟିକା ଆପଣଙ୍କୁ ମେଡିସିନ୍ କାଉଣ୍ଟରରେ ମାତ୍ର ୨୨୫ ଟଙ୍କାରେ ମିଳିବ ।

ଏହି ଟିକାର ନାମ ହେଉଛି କୋଭିସିଲ୍ଡ । ଯଦି ଭ୍ୟାକ୍ସିନ୍ ଶେଷ ପରୀକ୍ଷଣରେ ସଫଳ ହୁଏ ତେବେ  ତାକୁ ବଜାରକୁ ଛଡା ଯିବ । ସିରମ ବର୍ତ୍ତମାନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ,ଏଷ୍ଟ୍ରାଜେନେକା ଓ ନୋଭାଭେକ୍ସର କ୍ୟାଣ୍ଡିଡେଟ୍ ତିଆରି କରୁଛି (ଭ୍ୟାକ୍ସିନକୁ ଭ୍ୟାକ୍ସିନ୍ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଏହାକୁ କ୍ୟାଣ୍ଡି଼ଡେଟ୍ କୁହାଯାଏ)

ସିରମର ଦୁଇଟି ବଡ ଚୁକ୍ତି

ସିରମ ଭ୍ୟାକ୍ସିନ୍ ତିଆରି କରିବା ପାଇଁ ଦ ଭ୍ୟାକ୍ସିନ୍ ଆଲାଏନ୍ସ (GAVI) ଓ ଦି ବିଲ୍ ଆଣ୍ଡ୍ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ବଡ ଡିଲ୍ କରିଛି । ଏହି ଡିଲ ଦ୍ୱାରା ସିରମର ଟିକା ତିଆରି କ୍ଷମତା ବଢିଯିବ । ଏହା ଅଧିକ ଟିକା ଉତ୍ପାଦନ କରିପାରିବ ।  କଂପାନୀ ଭାରତ ସହ  କିଛି ନିମ୍ନ ଓ ମଧ୍ୟମ ଆୟ କରୁଥିବା ଦେଶଙ୍କ ପାଇଁ ଭ୍ୟାକ୍ସିନର ୧୦ କୋଟି ଡୋଜ୍ ତୁରନ୍ତ ଉପଲବ୍ଧ କରାଇବ । ଡିଲ୍ ପରେ ଗେଟସ୍ ଫାଉଣ୍ଡେସନ୍ ଗାଭିକୁ ୧୫ କୋଟି ଡଲାର ବା ୧୧୨୫ କୋଟି ଟଙ୍କା ଦେବ । ରିସ୍କ ଫଣ୍ଡିଂ ପାଇଁ ଏହି ଟଙ୍କା ଦିଆଯିବ ।   ଯଦି ଭ୍ୟାକ୍ସିନ୍ ଅନ୍ତିମ ଚରଣରେ ଅସଫଳ ହୁଏ ତେବେ ସେପର୍ଯ୍ୟନ୍ତ ଯାହା ଖର୍ଚ୍ଚ ହୋଇଥିବ ତାକୁ ଗାଭି ବହନ କରିବ । ଅର୍ଥାତ ଟିକା ଯଦି ତିଆରି ହୋଇ ନଷ୍ଟ ହେଲା ତେବେ କଂପାନୀର କ୍ଷତି ହେବ ନାହିଁ । ରିସ୍କ୍ ଫଣ୍ଡିଂ କ୍ରମରେ ଗାଭି ଏହି ଖର୍ଚ୍ଚ ଭାର ଉଠାଇବ ।

ଦାମ କେତେ ରହିବ ?

ଗରିବ ଓ ବିକାଶଶୀଳ ଦେଶଙ୍କୁ ଯେଉଁ ଭ୍ୟାକ୍ସିନ୍ ସିରିମ ସପ୍ଲାଏ କରିବା ତାର ମୁଲ୍ୟ ନିର୍ଧାରଣ କରାଯାଇଛି । କଂପାନୀ ଅନୁସାରେ ଏଭଳି ଦେଶରେ ଗୋଟିଏ ଡୋଜ ଭ୍ୟାକ୍ସିନର ଦାମ ହେବ ୩ ଡଲାର  । ଭାରତୀୟ ମୁଦ୍ରାରେ ପ୍ରତି ଭ୍ୟାକ୍ସିନ ୨୨୫ ଟଙ୍କା ।

ରାଜ୍ୟ ସହ ରାଜଧାନୀରେ ବଢ଼ୁଛି କରୋନା ରୋଗୀଙ୍କ ସୁସ୍ଥତା ହାର, ଜାଣନ୍ତୁ କେଉଁ ସ୍ଥାନଙ୍କୁ କେତେ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ସହ ସୁସ୍ଥ ସଂଖ୍ୟା ପାଦରେ ପାଦ ମିଶାଇ ଚାଲିଛି । କରୋନା ବୃଦ୍ଧିର ଭୟ ଭିତରେ ସୁସ୍ଥତା ହାର ଲୋକଙ୍କୁ ଆଶ୍ୱସ୍ତି ଦେଉଛି । ତେବେ ରାଜଧାନୀରେ ଶୁକ୍ରବାର ୧୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୫୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୯ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ସୁସ୍ଥ ହୋଇଛନ୍ତି ୧୦୬ ଜଣ କରୋନା ରୋଗୀ । ଏହା ସହ ରାଜ୍ୟରେ ଏବେ ମୋଟ ୩୬୭୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୨୨୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜଧାନୀରେ ଏବେ ୧୨୯୬ ଜଣ କରୋନା ରୋଗୀ ସକ୍ରିୟ ରହିଛନ୍ତି ।

୪୯ ଜଣ ଲୋକାଲ କଣ୍ଟାକ୍ଟଙ୍କ ମଧ୍ୟରୁ କଟକ ରୋଡ ରେଲଓ୍ୱେ ଷ୍ଟେସନ ପାଖରୁ ୧, ବଡ଼ଗଡ଼ରୁ ୨, ଭୀମଟାଙ୍ଗି ଗଭବତୀ ବସ୍ତିରୁ ୧, ନୟପଲ୍ଲୀ ସିଆରପିଏଫ କ୍ୟାମ୍ପସରୁ ୧, ଗଙ୍ଗନଗରରୁ ୧, ଲକ୍ଷ୍ମୀସାଗର ଜୟଦୁର୍ଗା ନଗରରୁ ୧, ସିରିପୁର ଓୟୁଏଟି କଲୋନୀରୁ ୧, ରସୁଲଗଡ଼ରୁ ୧, ନ୍ୟୁ ଫରେଷ୍ଟ ପାର୍କ ଏରିଆରୁ ୧, ରୁଚିକା ମାର୍କେଟରୁ ୧, ରଙ୍ଗମାଟିଆ ଅଞ୍ଚଳରୁ ୧, ବଡ଼ଗଡ଼ ବ୍ରିଟ କଲୋନୀରୁ ୨, ଲକ୍ଷ୍ମୀସାଗରର ବୁଦ୍ଧେଶ୍ୱରୀ କଲୋନୀରୁ ୨, ଓଲ୍ଡ ଟାଉନରୁ ୨, ରସୁଲଗଡ଼ର ଜିଜିପି କଲୋନୀରୁ ୧, ଖଣ୍ଡଗିରିରୁ ୧, ପଟିଆର ନନ୍ଦନ ବିହାରରୁ ୧, ଡୁମୁଡୁମାରୁ ୧, ନାଲକୋ ନଗରରୁ ୧,  ବିଜେବି ନଗରରୁ ୧, ବରମୁଣ୍ଡାରୁ ୨, ନୟାପଲ୍ଲୀ ସିବିଆଇ କଲୋନୀରୁ ୧, କପିଳେଶ୍ୱର ଦାଣ୍ଡ ସାହିରୁ ୧, ହାଲି ପଡ଼ିଆ ବସ୍ତିରୁ ୧, ଲୁଇସ ରୋଡରୁ ୧, ଭକ୍ତି ବିହାରରୁ ୧, ୟୁନିଟ ୧ରୁ ୨, ସାମନ୍ତରାପୁରରୁ ୩, ଡୁମୁଡୁମାରୁ ୧, ପାତ୍ରପଡ଼ାରୁ ୧, ଭିମପୁରରୁ ୧, ଚନ୍ଦସେଖରପୁରରୁ ୧, ଶୈଳଶ୍ରୀବିହାରରୁ ୧,  ଆଇଆରସି ଭିଲେଜରୁ ୧, ନୀଳାଦ୍ରିବିହାରରୁ ୧, ଶସ୍ତ୍ରୀ ନଗରରୁ ୧, ତାଳବଣିଆରୁ ୧, ସହିନ ନଗରରୁ ୨ ଜଣ ଲେଖାଏଁ ଲୋକାଲ କଣ୍ଟାକ୍ଟ ରହିଛନ୍ତି ।

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୧୧୧୮ ଲୋକାଲ୍ କେସ୍ ୭୧୫ । ଖୋର୍ଦ୍ଧାରୁ ସର୍ବାଧିକ ୨୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଶୁଣିଲାନି ପ୍ରଶାସନ, ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ବାଲେଶ୍ୱର: ପ୍ରଶାସନିକ ଅଧିକାରୀଙ୍କଠୁ ଜନପ୍ରତିନିଧି, ସମସ୍ତଙ୍କୁ ଗୁହାରି କଲେ ହେଲେ କେହି ଶୁଣିଲେନି । ଶେଷରେ ଉଭୟ ପୁରୁଷ ଏବଂ ମହିଳା କାନ୍ଧରେ କାନ୍ଧ ମିଶାଇ ହାତରେ କୋଡି, କୋଦାଳ ଧରି ତାଲା ବନ୍ଦ ସମୟରେ ଶ୍ରମଦାନ କରି ଗାଁକୁ ନିର୍ମାଣ କଲେ ରାସ୍ତା ।

ନିଜ ଗାଁ କାମକୁ ହାତକୁ ନେଲେ ଲୋକେ । ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନୀକ ଅଧିକାରୀ । ସମସ୍ତଙ୍କୁ ଗୁହାରି କରିବା ପରେ କେହି ଶୁଣିଲେ ନାହିଁ । ଶେଷରେ ଉଭୟ ପୁରୁଷ ଏବଂ ମହିଳା କାନ୍ଧରେ କାନ୍ଧ ମିଶାଇ ଶ୍ରମଦାନ କରି ଗାଁକୁ ନିର୍ମାଣ କଲେ  ରାସ୍ତା ।  ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଧାନ ସିମୁଳିଆ ଗାଁ ରେ । ବର୍ଷ ବର୍ଷ ଧରି ରାସ୍ତା ସମସ୍ୟା ରେ ଘାଣ୍ଟି ହେଉଥିଲେ ଧାନସିମୁଳିଆ ଗ୍ରାମର ହରିଜନ ସାହିର ପ୍ରାୟ ୫୦ ପରିବାର । ବର୍ଷା ଦିନ ଆସିଲେ ସାହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଏ । ଶେଷରେ କେହି ନ ଶୁଣିବାରୁ ଶ୍ରମଦାନ କରି ରାସ୍ତା ତିଆରି କରିଛନ୍ତି ଗାଁଲୋକେ ।

ପଲ୍ଲୀ ସଭା, ଗ୍ରାମସଭା ରେ ବାରମ୍ବାର ଲେଖା ଦେଲା ପରେ ମଧ୍ୟ କିଛି ସୁଫଳ ମିଳି ନଥିବା କଥା କହିଛନ୍ତି ଗ୍ରାମର ୱାର୍ଡ ମେମ୍ବର । ଶେଷରେ ଗ୍ରାମରେ ଯୁବକ, ମହିଳା ହାତରେ କୋଦଲ, ଝୁଡ଼ି ଧରି ତିଆରି କରି ଦେଖାଇଛନ୍ତି ନୂଆ ରାସ୍ତା । ଗ୍ରାମର ପୁରୁଷ ଓ ମହିଳା ଙ୍କ ଏପରି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା କହନ୍ତି ଲୋକେ । ଗାଁ ଗାଁକୁ ପକ୍କା ରାସ୍ତା ଯୋଡିବାକୁ ଅନେକ ଯୋଜନା ହୋଇଛି । ହେଲେ ପ୍ରଶାସନକି ଅବହେଳା ଯୋଗୁଁ ସିମୁଳିଆ ଗାଁଲୋକଙ୍କ ନିକଟରେ ଏହା ଅପହଞ୍ଚ । ଏସମ୍ପର୍କରେ ଜଳେଶ୍ବର bdo ଙ୍କୁ  ଯୋଗାଯୋଗ କରିବାରୁ କ୍ୟାମେରା ସମ୍ମୁଖରେ କିଛି କହିବେ ନାହିଁ ବୋଲି କହିଛନ୍ତି ।

କଂଗ୍ରେସ-ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ଚୁକ୍ତି ପ୍ରସଙ୍ଗ,ବିଜେପି ନିଶାନାରେ ଗାନ୍ଧି ପରିବାର

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟି ଓ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି ।ବିଜେପି ପଚାରିଛି କଂଗ୍ରେସ କ’ଣ ଲୁଚାଇବାକୁ ଚାହୁଁଛି ? ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, କଂଗ୍ରେସ ଓ ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।  ଆମ ପକ୍ଷକୁ ସିବିଆଇ ମଧ୍ୟ ଠିକ୍ ବୋଲି ଗ୍ରହଣ କରିଛନ୍ତି ।  ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ଉପରେ ହମଲା କରି ପାତ୍ର କହିଛନ୍ତି ଯେ, ଚୀନ୍ ସହ ସମ୍ବନ୍ଧରେ ମା’ପୁଅ ସାମିଲ ଅଛନ୍ତି । ସେମାନେ ତଥ୍ୟକୁ ଲୁଚାଉଛନ୍ତି ।  ଅନ୍ୟପକ୍ଷରେ ଚୀନ୍ ପ୍ରସଙ୍ଗ ଉପରେ ସେ କହିଛନ୍ତି ଯେ, ଭାରତ ଏକ  ଶକ୍ତିଶାଳୀ ଦେଶ ଓ ଏହା ଉତ୍ତର ଦେବାରେ ସକ୍ଷମ । କାହାରି ମନରେ ଏହାକୁ ନେଇ ସନ୍ଦେହ ରହିବା ଉଚିତ ନୁହେଁ ।

sonia rahul

ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହ କଂଗ୍ରେସ ୨୦୦୮ ମସିହାରେ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲା । ଲଦାଖକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହେବା ପରେ ଏହି ପ୍ରସଙ୍ଗ ରାଜନୀତିର ମୁଖ୍ୟଧାରାକୁ ଆସିଥିଲା । ପରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଂଚିଥିଲା । ସୁପ୍ରିମକୋର୍ଟରେ ଆଜି ଏହାର ଶୁଣାଣି କାଳରେ ପ୍ରଧାନ ବିଚାରପତି ଏସଏ ବୋବଡେ କହିଥିଲେ ଯେ, କୌଣସି ରାଜନୈତିକ ଦଳ କେମିତି ଗୋଟିଏ ସରକାର ସହ ଚୁକ୍ତି କରିପାରିବ ?

ପ୍ରଧାନ ବିଚାରପତି କହିଥିଲେ ଯେ, କିଛି ଜିନିଶ ବିଲୁକୁଲ ଅଲଗା । ଗୋଟିଏ ରାଜନୈତିକ ଦଳ କେମିତି ଚୀନ୍ ସହ ଚୁକ୍ତି କରିପାରିବ ? କୌଣସି ସରକାର ଅନ୍ୟ ଗୋଟିଏ ଦେଶର ରାଜନୈତିକ ଦଳ ସହ ଚୁକ୍ତି କରିଥିବାର କେବେ ମଧ୍ୟ ଶୁଣିନଥିଲୁ । ଯଦିଓ ଓକିଲ ଯୁକ୍ତି ରଖିଥିଲେ ଯେ, ଏହି ଚୁକ୍ତି ଦୁଇଟି ଦଳ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।

 

ନୂଆଁଖାଇରେ ସଟ୍‌ଡାଉନ୍ ହେବ ସମ୍ୱଲପୁର: ଅନ୍‌ଲାଇନ୍ ଦର୍ଶନ ଦାବି

ସମ୍ୱଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ସମ୍ବଲପୁର ଜିଲ୍ଲା ସଟଡାଉନ ରହିବ । କରୋନା କଟକଣା ଯୋଗୁଁ ଅଧିଷ୍ଠାତ୍ରୀ ମାଁ ସମଲେଇଙ୍କ ମନ୍ଦିର ବନ୍ଦ ରହିଛି । ତେଣୁ ଚଳିତ ବର୍ଷ ଭକ୍ତ ମାନେ ମନ୍ଦିରକୁ ଯାଇ ସମଲେଇଙ୍କୁ ଦର୍ଶନ କରିପାରିବେ ନାହିଁ । ତେଣୁ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ସାମାଜିକ ସଂଗଠନ ଦାବି କରିଛନ୍ତି ।

ଅଗଷ୍ଟ ମାସ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ. ତେବେ ଚଳିତ ମାସର ୨୩ ତାରିଖ ଅର୍ଥାତ୍ ରଵିବାର ଅନୁଷ୍ଠିତ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ହେଲେ ନୂଆଖାଇ ସହ ପଶ୍ଚିମାଞ୍ଚଳ ବାସୀଙ୍କ ଭାବାବେଗ ଜଡିତ ଥିବା ଯୋଗୁଁ ଜିଲ୍ଲାକୁ ସଟଡାଉନ କରାନଯାଇ କରୋନା କଟକଣା ଅନୁସାରେ ପାଳନ କରିବାକୁ ଉତ୍ତରାଞ୍ଚଚଳ ଆରଡିସିଙ୍କୁ ଅନୁରୋଧ କରାଯାଇଛି ।

କରନୋ କଟକଣା ପାଇଁ ଚଳିତ ବର୍ଷ ସମସ୍ତ ମନ୍ଦିର ବନ୍ଦ ରହିଛି ।  ନୂଆଁଖାଇରେ ବି ଭକ୍ତମାନେ ମନ୍ଦିରକୁ ଯାଇ ମାଆ ସମଲେଇ ଙ୍କୁ ଦର୍ଶନ କରିପାରିବେ ନାହିଁ । ତେଣୁ ଅନଲାଇନ ଜରିଆରେ ଇଷ୍ଟ ଦେବୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଦାବି ହୋଇଛି. ସେପଟେ ମନ୍ଦିରରେ ଯଥାରୀତି ଅନୁଯାୟୀ ନୂଆଁଖାଇ ପାଳନ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ମହାମାରୀ ପାଇଁ ଗଣପର୍ବ ନୂଆଖାଇ ପର୍ବ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।

 

ଭିନ୍ନକ୍ଷମ ହୋଇ ବି ସକ୍ଷମ: ବାଜଇପାରନ୍ତି ୭ ପ୍ରକାର ବାଦ୍ୟ ଯନ୍ତ୍ର

ସମ୍ୱଲପୁର: ଅକ୍ଷମ ହୋଇ ବି ସକ୍ଷମ । ଦେଖିପାରୁନଥିଲେ ବି ସାତ ପ୍ରକାର ବାଦ୍ୟ ଯନ୍ତ୍ର ବଜାଇବା ସହ ଛଅଟି ଭାଷାରେ ଗୀତ ଗାଇ ଲୋକଙ୍କୁ ବିମୋହିତ କରିପାରନ୍ତି । ହେଲେ ସତୁରୀ ବର୍ଷ ବୟସରେ ବି କଳାକାର ଭାବେ ସରକାରୀ ମାନ୍ୟତା ପାଇପାରି ନାହାନ୍ତି । ଏହି ବ୍ୟକ୍ତି ହେଉଛନ୍ତି ସମ୍ବଲପୁରର ସତୁରୀ ବର୍ଷ ବୟସ୍କ ଲାଲୁ ମୁଣ୍ଡା । ଯାହାଙ୍କୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା । ପରିଣତ ବୟସରେ ବି କଣ୍ଠରୁ ଝରୁଛି ଅମୃତ । ତାଙ୍କ ହୃଦୟସ୍ପର୍ଶୀ ଗୀତରେ ମତୁଆଲା ଦର୍ଶକ । ଭିନ୍ନକ୍ଷମ ହେଲେ ବି ସକ୍ଷମ । ଇଏ ହେଉଛନ୍ତି ସତୁରୀ ବର୍ଷ ବୟସ୍କ ଲାଲୁ ମୁଣ୍ଡା । ଜନ୍ମରୁ ଦୃଷ୍ଟି ବାଧିତ । ହେଲେ ଛୋଟ ବେଳୁ ଗୀତ ବାଦ୍ୟ ପ୍ରତି ଆକର୍ଷଣ ତାଙ୍କୁ ବଞ୍ଚିବାର ରାହା ଦେଇଛି ।

ସମ୍ବଲପୁର ସହର ଠାରୁ କୋଡିଏ କିଲୋମିଟର ଦୂର ତବଲା ଗ୍ରାମ ପଞ୍ଚାୟତ ଖୁଲିଆ ଗାଁରେ ତାଙ୍କ ଘର ।  ଛୋଟ ସମୟରେ ଗାଁ ନାଟକ ଦଳର ଗୁରୁ ଗୀତ ଶିଖିଥିଲେ ।  ପଚିଷ ବର୍ଷ ବୟସରେ ଛତିଶଗଡ଼ର ଜଣେ ବନ୍ଧୁଙ୍କ ସହାୟତାରେ ରାୟଗଡ଼ାର ଏକ ଅନୁଷ୍ଠାନରେ ସାମିଲ ହୋଇ ଦଶ ବର୍ଷ ପର୍ଯ୍ୟନ୍ତ କଳା ପରିବେଷଣ କରିଥିଲେ । ବାପାଙ୍କ ମୃତ୍ୟୁ ପରେ ଘରକୁ ଫେରି ସ୍ଥାନୀୟ କଳା ସଂଗଠନ ସହ ଜଡ଼ିତ ରହି ଗୀତ ପରିବେଶଣ କରୁଛନ୍ତି । ସମ୍ବଲପୁରୀ, ଓଡିଆ, ହିନ୍ଦୀ, ମୁଣ୍ଡାରୀ, ସାଦରୀ ଭାଷାରେ ଗୀତ ଗାଇ  ଦର୍ଶକମାନଙ୍କୁ ବିମୋହିତ କରିପାରନ୍ତି । ଏଥିପାଇଁ ଅଞ୍ଚଳରେ ବେଶ ଜଣାଶୁଣା । ବଂଶୀ, ଖଞ୍ଜଣି, ହାରମୋନିୟମ ଭଳି ସାତ ପ୍ରକାର ବାଦ୍ୟ ଯନ୍ତ୍ର ବଜାଇବା ସହ ଛଅ ଟି ଭାଷାରେ ଗୀତ ଗାଇ ଲୋକଙ୍କୁ ବିମୋହିତ କରିପାରନ୍ତି । ହେଲେ ସତୁରୀ  ବର୍ଷ  ବୟସରେ ବି ସେ  କଳାକାର ଭାବେ ସରକାରୀ ମାନ୍ୟତା ପାଇପାରିନାହାନ୍ତି । ୨୦୧୪ରେ ମିଲିଥିବା ବିଜୁ ପକ୍କା ଘର ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାର ଏକମାତ୍ର ଆଶା । ଲକଡାଉନ ସମୟରେ କିଛି କଳାକାର ତାଙ୍କୁ ସହଯୋଗ କରିଥିବା ସେ କୁହନ୍ତି ।

ଦିଶା ସାଲିଆନଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କୁ ଫୋନ କରି କିଏ କରୁଥିଲା ହଇରାଣ, ଜାଣନ୍ତୁ

ନୂଆଦିଲ୍ଲୀ: ସୁଶାନ୍ତ ସିଂଙ୍କ ମୃତ୍ୟୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟର ପେଡ଼ି ଖୋଲିବାରେ ଲାଗିଛି । ୧୪ ଜୁନରେ ସୁଶାନ୍ତଙ୍କ ମୃତ୍ୟୁ ହେବା ପୂର୍ବରୁ ୯ ଜୁନ୍ ରାତିରେ ପ୍ରାୟ ୧.୩୦ ମିନିଟ ପରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କର ମୃତ୍ୟୁ ହୋଇଥିଲା । ଯେତେବେଳେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ୮ ଜୁନ୍ ଅପରାହ୍ନରେ ସୁଶାନ୍ତଙ୍କ ଘରୁ ବାହାରିଥିଲେ । ଅର୍ଥାତ୍ ଦିଶାଙ୍କ ମୃତ୍ୟୁର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ରିୟା ସୁଶାନ୍ତଙ୍କ ଘରୁ ବାହାରିଥିଲେ । ଏହା ପରେ ରିୟା ଏବଂ ସୁଶାନ୍ତଙ୍କ ମଧ୍ୟରେ ୮ ଜୁନ୍ ରୁ ୧୪ ଜୁନ୍ ମଧ୍ୟରେ କୌଣସି ପ୍ରକାରର କଥା ବାର୍ତ୍ତା ହୋଇନଥିଲା । ତେବେ ଏଠି ଏକ ବଡ଼ ପ୍ରଶ୍ନ ଉଠୁଛି । ଦିଶାଙ୍କ ମୃତ୍ୟୁରେ ସୁଶାନ୍ତଙ୍କୁ ଫସାଇଦେବା ପାଇଁ ସୁଶାନ୍ତଙ୍କୁ କିଏ ଧମକ ଦେଇଥିଲେ ?

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏକ ବଡ଼ ଖୁଲାସା କରାଯାଇଛି । ଆତ୍ମହତ୍ୟାକୁ ନେଇ ଏକ ନୂଆ ମୋଡ଼ ଆସିଛି । ୨୦ ଜାନୁଆରୀରେ ତିନୋଟି କଲ, ୨୧ ଜାନୁଆରୀରେ ୫ ଟି କଲ, ୨୨ ଜାନୁଆରୀରେ ୩ ଟି କଲ ସୁଶାନ୍ତଙ୍କ ପାଖକୁ ବାରମ୍ବାର ଆସୁଥିଲା । ଏହା ମଧ୍ୟ କୁହାଯାଉଛି କି ରିୟାଙ୍କ ଫୋନ୍ ମଧ୍ୟ ସୁଶାନ୍ତଙ୍କୁ ବିରକ୍ତ କରୁଥିଲା। ସୁଶାନ୍ତ ସିଂଙ୍କ ନମ୍ବରର ଏହି କଲ୍ ରେକର୍ଡ ଏହାର ସାକ୍ଷୀ ଅଟେ । ତେବେ ରିୟାଙ୍କର କିଛି କଲ୍ ରେକର୍ଡ ମିଳିଛି ଯାହା ଚଳିତ ବର୍ଷର । ୨୦ ଜାନୁଆରୀରୁ ୨୪ ଜାନୁଆରୀ ମଧ୍ୟରେ ଯେତେବେଳେ ସୁଶାନ୍ତ ଚଣ୍ଡିଗଡ଼କୁ ତାଙ୍କ ଭଉଣୀ ରାନୀଙ୍କ ପାଖକୁ ଯାଉଥିଲେ । ସେହି ସମୟରେ ରିୟା ସୁଶାନ୍ତଙ୍କୁ ୨୫ ଟି କଲ କରିଥିଲେ । ପ୍ରତ୍ୟେକ କଲ ୨ରୁ ୩ ମିନିଟର ବ୍ୟବଧାନରେ ରହିଛି । ଏହି ଫୋନ୍ କଲଗୁଡ଼ିକରୁ ଜଣାପଡ଼ିଛିଯେ ସୁଶାନ୍ତ ତାଙ୍କ ପରିବାର ସହିତ ରିୟାଙ୍କ ଠାରୁ ଅଲଗା ହୋଇ କିଛି ଦିନ ବିତାଇବାକୁ ଚାହୁଁଥିଲେ । ସୂଚନା ଅନୁଯାୟୀ ଗତ ବର୍ଷ ନଭେମ୍ବରରେ ସୁଶାନ୍ତ ତାଙ୍କ ତିନି ଭଉଣୀଙ୍କ ସହ ଚଣ୍ଡିଗଡ଼ ଯିବାକୁ ଚାହୁଁଥିଲେ । ଏଥିପାଇଁ ଟିକେଟ୍ ମଧ୍ୟ ବୁକ୍ କରାଯାଇଥିଲା। କିନ୍ତୁ ରିୟା ତାଙ୍କୁ ଯିବାକୁ ଦେଇନଥିଲେ ।

ଏ ସଂପର୍କରେ ମଧ୍ୟ ସୁଶାନ୍ତଙ୍କ ପରିବାର ଏଫଆଇଆର ଦାଖଲ କରିଛନ୍ତି । ଏଫ୍ଆଇଆରରେ ସୁଶାନ୍ତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ରିୟା ତାଙ୍କୁ ଫୋନ୍ ଉଠାଇବାକୁ ଦେଉନଥିଲେ । ସେଥିପାଇଁ ସୁଶାନ୍ତ ତାଙ୍କ ପରିବାରଙ୍କୁ ଡିସେମ୍ବର ମାସରେ ଏକ ନୂଆ ନମ୍ବର ଦେଇଥିଲେ । ସୁଶାନ୍ତ ତାଙ୍କ ପରିବାରକୁ କହିଥିଲେ ଯେ ରିୟା ଏବଂ ତାଙ୍କ ପରିବାର ତାଙ୍କୁ ପାଗଳ ଖାନା ପଠାଇବାକୁ ଚାହୁଛନ୍ତି । ସେଥିପାଇଁ ସୁଶାନ୍ତ ମୁମ୍ବାଇରୁ ଯାଇ ହିମାଚଳରେ ରହିବାକୁ ଚାହୁଁଥିଲେ ।

ଅନ୍ୟପକ୍ଷରେ ରିୟାଙ୍କ ବିଷୟରେ ନୂଆ ଖୁଲାସା ହୋଇଛି । ରିୟାଙ୍କ ଉପରେ ଇଡିର ଚାପ ମଧ୍ୟ ପଡ଼ିବାରେ ଲାଗିଛି । ବର୍ତ୍ତମାନ ରିୟାଙ୍କ ସପିଂ, ମେକଅପ୍, ଯାତ୍ରା ଖର୍ଚ୍ଚ, ରିୟାଙ୍କ ଭାଇଙ୍କ ହୋଟେଲ ବିଲ୍, ଟ୍ୟୁସନ ଫି, ଏୟାର ଟିକେଟ୍ ଇତ୍ୟାଦି ଖର୍ଚ୍ଚ ସୁଶାନ୍ତଙ୍କ ଆକାଉଣ୍ଟରୁ ଦିଆଯାଇଥିଲା । ଯାହାର ପ୍ରମାଣ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟରୁ ମିଳୁଛି। ରିୟା ତାଙ୍କୁ ଟଙ୍କା ପାଇଁ ବ୍ୟବହାର କରୁଥିଲେ ବୋଲି ସୁଶାନ୍ତଙ୍କ ପରିବାର ମଧ୍ୟ ଅଭିଯୋଗ କରିଛନ୍ତି।

କେବଳ ଏତିକି ନୁହେଁ, ରିୟା ଏବଂ ତାଙ୍କ ଭାଇ ଶୋଭିକ୍ ମଧ୍ୟ ସୁଶାନ୍ତଙ୍କ କମ୍ପାନୀରେ ନିର୍ଦ୍ଦେଶକ ଥିଲେ । ଯେଉଁଥିରେ ଏକ କମ୍ପାନୀର ନାମ Vividrage Rheality X ଥିଲା  । ଯେଉଁ କମ୍ପାନୀରେ ରିୟା, ତାଙ୍କ ଭାଇ ଏବଂ ସୁଶାନ୍ତ ସମାନ ପୁଞ୍ଜି ବିନିଯୋଗ କରିଥିଲେ । ସେପଟେ ଅର୍ଥ ହେରଫେର ମାମଲାରେ ରିୟା, ତାଙ୍କ ଭାଇ ଶୋଭିକ୍ ଏବଂ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କ ବିରୋଧରେ ଇଡି ଏକ ମାମଲା ରୁଜୁ କରିଛି । ରିୟାଙ୍କୁ ଆଜି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମଧ୍ୟ ପ୍ରଶ୍ନ କରିଛି । ରିୟାଙ୍କ ଭାଇଙ୍କୁ ମଧ୍ୟ ପ୍ରଶ୍ନ କରାଯାଇପାରେ ବୋଲି ସୂଚନା ମିଳିଛି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସର କେଉଁ ବଡ ଅଫିସରଙ୍କୁ ଲଗାତର କଲ୍ କରୁଥିଲେ ରିୟା ?

ମୁମ୍ବାଇ : ଆକ୍ଟର ସୁଶାନ୍ତ ସିଂହ ରାଜପୁତ ମାମଲା ତଦନ୍ତ ଯେତେ ଆଗକୁ ବଢୁଛି ସେତେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ତଥ୍ୟ ଘଟଣାକୁ ନୂଆ ଦୀଗ ଦେଉଥିବା ବେଳେ ରିୟାଙ୍କ ମୁସ୍କିଲକୁ ବଢାଇବାରେ ଲାଗିଛି ।  କେବଳ ରିୟା ନୁହନ୍ତି ଏବେ ପ୍ରଶ୍ନ ଘେରକୁ ମୁମ୍ବାଇ ପୋଲିସ ମଧ୍ୟ ଆସିଲାଣି । ଏବେ ରିୟାଙ୍କ କଲ ଡିଟେଲସରୁ ଆଉ ଗୋଟିଏ ଚମକାଇବା ଭଳି ତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତି ଲଗାତର ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସଂପର୍କରେ ଥିଲେ ।

କିଏ ସେହି ପୋଲିସ ଅଧିକାରୀ ?

ବାନ୍ଦ୍ରା ଡିସିପି ଅଭିଶେକ ତ୍ରିମୁଖେଙ୍କ ସମ୍ପର୍କରେ ରିୟା ଥିଲେ ବୋଲି ତାଙ୍କ କଲ ଡିଟେଲରୁ ଜଣା ପଡୁଛି । ଉଭୟଙ୍କ ମଧ୍ୟରେ ୪ ଥର ଫୋନରେ କଥାବାର୍ତ୍ତା ହୋଇଥିଲା । ଏହା ସହ ମେସେଜ୍ ଜରିଆରେ ମଧ୍ୟ ସଂପର୍କରେ ଥିଲେ ବୋଲି ଜଣା ପଡିଛି ।  ମିଳୁଥିବା ସୂଚନା ମୁତାବକ ଜୁନ୍ ୨୧ ତାରିଖ ଦିନ ବାନ୍ଦ୍ରା ଡିସିପିଙ୍କୁ ରିୟା ଫୋନ୍ କରିଥିଲେ । ୨୮ ସେକେଣ୍ଡ୍ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଜୁନ୍ ୨୨ ତାରିଖ ଦିନ ଡିସିପି ରିୟାଙ୍କୁ ମେସେଜ୍ କରିଥିଲେ । ଏହାପରେ ଡିସିପି ୨୨ ଜୁନରେ ରିୟାଙ୍କ ସହ ୨୯ ସେକେଣ୍ଡ କଥା ହୋଇଥିଲେ । ଏହାର ୮ ଦିନ ପରେ ଡିସିପି ପୁଣିଥରେ ରିୟାଙ୍କୁ କଲ କରିଥିଲେ । ଏଥରକ କଥାବାର୍ତ୍ତା ୬୬ ସେକେଣ୍ଡ୍ ଚାଲିଥିଲା । ଶେଷଥର ପାଇଁ ରିୟାଙ୍କ ପଟୁ ଜୁଲାଇ ୧୮ ତାରିଖ ଦିନ ଡିସିପିଙ୍କୁ କଲ୍ ଯାଇଥିଲା ।

RIYA FB

ମୁମ୍ବାଇ ପୋଲିସ ଦେଲା ସଫେଇ

ତେବେ ମୁମ୍ବାଇ ପୋଲିସ କହୁଛି ଯେ, ରିୟାଙ୍କୁ ବାନ୍ଦ୍ରା ଓ ସାନ୍ତାକ୍ରୁଜ୍ ପୋଲିସ ଷ୍ଟେଶନ ଜେରା ପାଇଁ ଡକା ଯାଇଥିଲା । ଏହା ସେହି ସମୟର କଲ । ଅଫିସ କାମ ପାଇଁ ଫୋନ୍ କରାଯାଇଥିଲ ।

ଅନେକ ପ୍ରଶ୍ନ

ଯେଉଁ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଚାଲୁଥିଲା ତାଙ୍କ ସମ୍ପର୍କରେ ଜଣେ ଡିସିପି ରାଙ୍କ ଅଧିକାରୀଙ୍କ ରହିବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।  ଏବେ ପ୍ରଶ୍ନ ଉଠୁଛି ଯେ, ୨୮,୨୯,୬୬ ଓ ୬୧ ସେକେଣ୍ଡ୍ ମଧ୍ୟରେ ଡିସିପିଙ୍କୁ ରିୟା କ’ଣ ସୂଚନା ଦେଇଥିଲେ ? ରିୟା ଡିସିପିଙ୍କ ସହ କ’ଣ କଥା ହୋଇଥିଲେ ? ଡିସିପି କଣ ପାଇଁ ଲଗାତର ଭାବେ ରିୟାଙ୍କ ସଂପର୍କରେ ଥିଲେ ? ଏହି ପ୍ରଶ୍ନ ସବୁର ଉତ୍ତର ଡିସିପି କିମ୍ବା ରିୟା ହିଁ ଦେଇ ପାରିବେ ।

 

କରୋନା ଚିକିତ୍ସା ନେଇ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗ, ଘରୋଇ ନ୍ୟୁଜ୍ ଚ୍ୟାନେଲ ନାମରେ ବିଏମ୍‌ସିର ଏତଲା

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ ଅଭିଯୋଗ । ରାଜ୍ୟର ଏକ ଘରୋଇ ଚ୍ୟାନେଲ ବିରୋଧରେ ଏ ନେଇ ଥାନାରେ ଏତଲା । ଭୁବନେଶ୍ୱର ମହାନଗର ନିଗମ ସମ୍ପୃକ୍ତ ଚ୍ୟାନେଲ ବିରୋଧରେ ମାମଲା ରୁଜ୍ଜୁ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଏମ୍‌ସି ଓ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ମୁକାବିଲା ପାଇଁ ରାତିଦିନ ଏକ କରି ଦେଇଥିବା ବେଳେ ଏହି ଚ୍ୟାନେଲ ନ୍ୟୁଜ୍ ଆଳରେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି । ଉଦ୍ଦ୍ୟେଶମୂଳକ ଭାବେ ଏକତରଫା ମିଥ୍ୟା ଖବର ପ୍ରସାରଣ କରି ଆସୁଥିବା ବିଏମ୍‌ସି ନିଜ ପ୍ରେସ୍ ରିଲିଜ୍‌ରେ ଉଲ୍ଳେଖ କରିଛି ।

ମହାମାରୀ ସମୟରେ ଏଭଳି ମିଥ୍ୟା ଖବର କରୋନା ଯୋଦ୍ଧାଙ୍କୁ ହତୋତ୍ସାହିତ କରିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ୍‌ରେ ଏଭଳି ମିଛ ଖବର ପ୍ରସାରଣ ଉପରେ କଟକଣା ମଧ୍ୟ ରହିଛି । ପୂର୍ବରୁ ମଧ୍ୟ ସଂପୃକ୍ତ ଚ୍ୟାନେଲ୍ ଏଭଳି ଏକତରଫା, ଭିତ୍ତିହୀନ ଖବର ପ୍ରସାରଣ କରିଥିଲା । ଯାହାକୁ ନେଇ ତଥ୍ୟ ପ୍ରମାଣ ସହ ବିଏମ୍‌ସି ସୋସିଆଲ୍ ମିଡିଆରେ ସ୍ପଷ୍ଟୀକରଣ ରଖିଥିଲା ।

ବିଏମସି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅଗଷ୍ଟ ୬ ତାରିଖ ଦିନ ସଂପୃକ୍ତ ଚ୍ୟାନେଲରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ମଧ୍ୟରେ ଫୋନ କଥାବାର୍ତା ରେକର୍ଡିଂକୁ ପ୍ରସାରଣ କରାଯାଇଥିଲା । ଚ୍ୟାନେଲ୍ ଦ୍ୱାରା ପ୍ରସାରିତ ଖବରରେ ସଂପୃକ୍ତ ଅଜ୍ଞାତ ବ୍ୟକ୍ତି ଦ୍ୱୟ  ପଜିଟିଭ୍ ରିପୋର୍ଟ ନଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ହାଇଟେକ୍, କିମ୍‌ସ ଓ ସମ୍ ହସପିଟାଲକୁ ପଠାଯାଉଛି । ଦିନକୁ ଶହେ ରୋଗୀଙ୍କୁ ଏସବୁ ହସପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ରହିଛି । ଏପରିକି ରୋଗୀଙ୍କ ପିଛା ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଆସୁଛି ଭଳି କଥା ହେଉଥିଲେ । ଯାହାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଉକ୍ତ ଚ୍ୟାନେଲ ଖବର ପ୍ରସାରଣ କରିଛି ବୋଲି ବିଏମସି ଅଭିଯୋଗ କରିଛି । ଏଭଳି ଖବରକୁ ମିଥ୍ୟା ଓ ଭିତ୍ତିହୀନ କହିଛି ବିଏମ୍‌ସି । ତଥ୍ୟ ଓ ପ୍ରମାଣକୁ ଯାଞ୍ଚ ନକରି ସଂପୃକ୍ତ ଚ୍ୟାନେଲ୍ ଗୋଟିଏ ପରେ ଗୋଟିଏ ଖବର ପ୍ରସାରଣ କରି ଚାଲୁଥିବାରୁ ବିଏମ୍‌ସି ବାଧ୍ୟ ହୋଇ ଥାନାରେ ଫେରାଦ୍ ହୋଇଛି ।

 

ରିୟା ସୁଶାନ୍ତଙ୍କୁ କରିଥିଲେ ୧୪୨ ଥର କଲ୍‌, କିନ୍ତୁ କର୍ମଚାରୀଙ୍କୁ କରିଥିଲେ ୫୦୨ ଥର କଲ୍

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁର ରହସ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତକାଲି ଏହି ରହସ୍ୟକୁ ନେଇ ଦିର୍ଘ ମାସେ ପରେ ସିବିଆଇ  ମାମଲା ରୁଜୁ କରିଛି । ତେବେ ସିବିଆଇ ମାମଲା ରୁଜୁ କଲା ପରେ ସୁଶାନ୍ତ ସିଂ ରାଜପୁତ ମାମଲାରେ ସବୁଠୁ ବଡ଼ କଥା ପ୍ରକାଶ ପାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା କରାଯାଇଥିବା କଲ ସବିଶେଷ ତଥ୍ୟରୁ ଜଣାପଡ଼ିଛି ଯେ ଗତ ଏକ ବର୍ଷ ମଧ୍ୟରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କୁ ମାତ୍ର ୧୪୨ ଥର ଫୋନ କରିଥିବାବେଳେ ତାଙ୍କ କର୍ମଚାରୀଙ୍କୁ ୫୦୨ ଥର କଲ କରିଥିଲେ । ଏହି ସମୟରେ ରିୟା ତାଙ୍କ ଭାଇଙ୍କ ସହ ୮୦୦ ଥର ଫୋନରେ କଥା ହୋଇଥିଲେ ଏବଂ ତାଙ୍କ ମାଙ୍କୁ ୮୯୦ ଥର ଫୋନ କରିଥିଲେ। ଏହା ମଧ୍ୟ ସୂଚନା ମିଳିଛି ରିୟା ସୁଶାନ୍ତଙ୍କ ସେକ୍ରେଟେରିଙ୍କ ସହ ୧୪୮ ଥର କଥା ହୋଇଥିଲେ।

 

ରିୟା ସୁଶାନ୍ତଙ୍କ ଜୀବନରେ କେତେ ବାଧା ଦେଉଥିଲେ ରିୟାଙ୍କ ଏହି କଲ୍ ବିବରଣୀରୁ ଏହା ସ୍ପଷ୍ଟ ହୋଇଛି। ଉଲ୍ଲେଖନୀୟ ଯେ, ପାଟନା ପୋଲିସ ରିୟା ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସାନ୍ଧ୍ୟା ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଶ୍ରୁତି ମୋଦୀ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲା ବର୍ତ୍ତମାନ ସିବିଆଇକୁ ହସ୍ତାନ୍ତର କରାଯାଇଛି ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ପୋଲିସ ଶୁକ୍ରବାର ଦିନ ସିବିଆଇକୁ ସ୍ଥାନାନ୍ତର ହେବାର କାରଣ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି । ଏଥିରେ ବିହାର ପୋଲିସର ତଦନ୍ତରେ ପ୍ରକାଶ ପାଇଥିବା ତଥ୍ୟକୁ ମଧ୍ୟ ରଖାଯାଇଛି। ପାଟଣାର ଏସଏସପି ଉପେନ୍ଦ୍ର ଶର୍ମା ତାଙ୍କ ଆଫିଡେଭିଟରେ ଲେଖିଛନ୍ତି ଯେ ସୁଶାନ୍ତଙ୍କ ପିତା କେ.କେ ସିଂ ବିହାର ପୋଲିସକୁ ଲିଖିତ ଅଭିଯୋଗ କରିଛନ୍ତି ଯେ ରିୟା ସୁଶାନ୍ତଙ୍କୁ କାବୁ କରିଛନ୍ତି । ରିୟାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ସୁଶାନ୍ତଙ୍କ କୋଟି କୋଟି ଟଙ୍କାକୁ ହାସଲ କରିବା । ଏହି ଷଡ଼ଯନ୍ତ୍ରରେ ରିୟାଙ୍କ ସମ୍ପର୍କୀୟମାନେ ମଧ୍ୟ ଜଡ଼ିତ ଥିଲେ ବୋଲି କହିଛନ୍ତି ସୁଶାନ୍ତଙ୍କ ବାପା ।

ଆଫିଡେଭିଟ୍‌ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସୁଶାନ୍ତଙ୍କୁ ଡ୍ରଗ୍ ଓଭରଡୋଜ ଦିଆଯାଇଥିଲା। ତାଙ୍କୁ ରିୟା ଚକ୍ରବର୍ତ୍ତୀ ମଧ୍ୟ ବ୍ଲାକମେଲ କରିଥିଲେ। ଆଫିଡେଭିଟରେ ଏହା ମଧ୍ୟ କୁହାଯାଇଛି ଯେ ସୁଶାନ୍ତ ଫିଲ୍ମ ଛାଡ଼ି ଜୈବିକ ଚାଷ କରିବାକୁ ଚାହୁଁଥିଲେ, କିନ୍ତୁ ରିୟା ତାଙ୍କୁ ତାହା କରିବାକୁ ଦେଇ ନଥିଲେ। ଏହି ସୂଚନା ସହିତ ରିୟା ମଧ୍ୟ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲେ । ବିହାର ପୋଲିସ ଏହାର ଆଫିଡେଭିଟରେ କହିଛି ଯେ ସେମାନେ ମୁମ୍ବାଇରେ ସୁଶାନ୍ତଙ୍କ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ରିୟା ଏବଂ କିଛି ଲୋକ ସୁଶାନ୍ତଙ୍କ ଟଙ୍କା ବ୍ୟବହାର କରିଥିଲେ। ପୋଲିସ ପଚରାଉଚରା କରିଥିବା ଦଶ ଜଣଙ୍କ ମଧ୍ୟରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଦିଲ ବେଚାରା ଫିଲ୍ମର ନିର୍ଦ୍ଦେଶକ ଅଛନ୍ତି।

ବିହାର ପୋଲିସ କହିଛି ଯେ ମୁମ୍ବାଇ ପୋଲିସର ସହଯୋଗ ନହେବା ସତ୍ତ୍ୱେ ତଦନ୍ତରେ ଅନେକ ସୂତ୍ର ମିଳିଛି। ସୁପ୍ରିମକୋର୍ଟଙ୍କୁ ଦେଇଥିବା ଉତ୍ତରରେ ପୋଲିସ କହିଛି ଯେ ଦେଶର ଅନେକ ସ୍ଥାନରେ ଏହାର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି। ଯଦି ସିବିଆଇ ରାଜପୁତଙ୍କ ରହସ୍ୟମୟ ଆତ୍ମହତ୍ୟା ମାମଲାର ଅନେକ ସ୍ଥାନରେ ଅନୁସନ୍ଧାନ କରେ, ତେବେ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ପ୍ରକାଶ ପାଇବ।