ବ୍ରିଟିଶ ପୋଲିସର ତଲାସୀ ନେଇଥିବା ସେହି ପିଲା, ଯିଏ ପରେ ହୋଇଥିଲେ ଦେଶର ପ୍ରଥମ ନାଗରିକ

1 min read

ନୂଆଦିଲ୍ଲୀ: ଚାଲି ଯାଇଛନ୍ତି ପ୍ରଣବ ମୁଖାର୍ଜୀ । ସେ  ନିଜ ସହ ଭାରତର ରାଜନୀତିରେ କେତେକ କାହାଣୀକୁ ନେଇ ମଧ୍ୟ ଚାଲି ଯାଇଛନ୍ତି ।  ୧୯୩୫ ମସିହା ଡିସେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ପ୍ରଣବ ଦେଖିଥିଲେ ପରାଧୀନ ଭାରତର ସଂଘର୍ଷ, ସ୍ୱାଧୀନତା ପାଇଁ ଆନ୍ଦୋଳନ । ଭାରତ ସ୍ୱାଧୀନ ହେବା ପରେ ବାଳକ ମୁଖାର୍ଜୀ (ପୋଲ୍ଟୁ) ମଧ୍ୟ ଦେଖିଥିଲେ ଦେଶ କଡ଼ ଲେଉଟାଇବାର ଦୃଶ୍ୟ । ଯୁବକ ହେଉ ହେଉ ପ୍ରଣବ ନିଜେ ଭାରତର ବିକାଶ ଯାତ୍ରାରେ ସାମିଲ୍ ହୋଇଥିଲେ । ପରେ ଶିଖିଥିଲେ ରାଷ୍ଟ୍ରନୀତି ଓ ଏଥିରେ ପାରଙ୍ଗମ ହୋଇଥିଲେ । ଦିଲ୍ଲୀରେ କଂଗ୍ରେସ ଓ ସରକାର ପାଇଁ ସଂକଟମୋଚକ କୁହାଯାଉଥିବା ପ୍ରଣବ ନିଜ ଘର ଚିନ୍ତାରୁ କେବେ ମୁକୁଳି ପାରୁନଥିଲେ ।

ଭଉଣୀ… ଖୁବ୍ ଥଣ୍ଡା ପଡ଼ୁଛି

ଜାନୁଆରୀ ମାସର ଏକ ଶୀତୁଆ ରାତିରେ ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାର ୮୨ ବର୍ଷୀୟ ଅନ୍ନପୂର୍ଣ୍ଣ ବାନାର୍ଜୀଙ୍କ ଘର ଫୋନ୍ ଘଣ୍ଟି ବାଜିଥିଲା । ଅନ୍ନପୂର୍ଣ୍ଣା ଆନମନା ହୋଇ ଫୋନ୍ ଉଠାଇଥିଲେ ତ ଶୁଣିଲେ ‘ମୁଁ ଟିଭିରେ ଦେଖିଲି, ଖୁବ୍ ଥଣ୍ଡା ପଡ଼ୁଛି, ତୁମେ ଠିକ୍ ଅଛ ତ ।’ ଏହି ବୟସ୍କ ମହିଳାଙ୍କ ଖବର ନେବା ପାଇଁ ଫୋନରେ ଥିଲେ ପ୍ରଣବ ମୁଖାର୍ଜୀ । ଯିଏ କି ନିଜ ବଡ଼ ଭଉଣୀର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଥିଲେ ।

ପାଲିଙ୍କି ପଛରେ ଦୌଡ଼ିଥିଲେ

୨୦୧୨ ମସିହାରେ ୮୨ ବର୍ଷୀୟ ଅନ୍ନପୂର୍ଣ୍ଣ ମୁଖାର୍ଜୀ ପୁରୁଣା ସ୍ମୃତିକୁ ମନେ ପକାଇ କହିଥିଲେ । ପ୍ରଣବ ୮ ବର୍ଷର ଥିବାବେଳେ ମୋର ବିବାହ ହୋଇଥିଲା । ସେତେବେଳେ ମୋତେ ପାଲିଙ୍କିରେ ଶାଶୂଘର ନେବା ବେଳେ ପୋଲ୍ଟୁ ପଛେ ପଛେ ଧାଇଁଥିଲା । ପୁଣି ଯେତବେଳେ ସପ୍ତାହ ପରେ ସେ ମିରାତି ଫେରିଥିଲେ ପ୍ରଣବ ତାଙ୍କ ପାଇଁ ଶାଳ ପତ୍ରରେ ମିଠେଇ ଲୁଚାଇ ରଖିଥିଲେ । ଯେଉଁଥିରେ ପିମ୍ପୁଡ଼ି ଲାଗି ଯାଇଥିଲା । ଯାହାକୁ ଦେଖି ଭାବବିହ୍ୱଳ ହୋଇଯାଇଥିଲେ ଅନ୍ନପୂର୍ଣ୍ଣା । ଚଳିତବର୍ଷ ଜାନୁଆରୀରେ ଅନ୍ନପୂର୍ଣ୍ଣାଙ୍କ ଦେହାନ୍ତ ହୋଇଥିଲା ।

ଘରୁ ହିଁ ରାଜନୀତି ଶିଖିଥିଲେ ପ୍ରଣବ । ପ୍ରଣବଙ୍କ ପିତା କାମଦା କିଂକର ମୁଖାର୍ଜୀ ବୀରଭୂମ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଥିଲେ । ଏହାବ୍ୟତୀତ ସେ ୧୯୫୨ରୁ ୧୯୬୪ ମସିହା ମଧ୍ୟରେ ପଶ୍ଚିମବଙ୍ଗ ବିଧାନ ପରିଷଦର ସଦସ୍ୟ ରହିଥିଲେ ।

ପ୍ରଣବ ମୁଖାର୍ଜୀଙ୍କ ପୈତୃକ ଗାଁରେ ତାଙ୍କ ପଡ଼ୋଶୀ ଧନପତି ଚୌଧୁରୀ କୁହନ୍ତି- ମୁଖାର୍ଜୀଙ୍କ ପୈତୃକ ଘର ରାଜନୈତିକ ଗତିବିଧିର କେନ୍ଦ୍ର ପାଲଟିଥିଲା । ଧନପତି ସେତେବେଳେ ତାଙ୍କ ସାଙ୍ଗ ବାଦଲ ଓ କୀର୍ତ୍ତିଙ୍କ ସାଙ୍ଗେ ପୋଲ୍ଟୁଙ୍କ ସହ ଘଣ୍ଟା ଘଣ୍ଟା ବିତାଉଥିଲେ ଓ ରାଜନୈତିକ ଚର୍ଚ୍ଚା ମଧ୍ୟ କରୁଥିଲେ ।

୭ ବର୍ଷର ପ୍ରଣବ ବ୍ରିଟିଶ୍ ପୋଲିସର ଯାଞ୍ଚ କରିଥିଲେ

ପ୍ରଣବ ମୁଖାର୍ଜୀଙ୍କ ପିଲାଦିନ ପରାଧୀନ ଭାରତରେ କଟିଥିଲା । ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନ ବେଳେ ପ୍ରଣବଙ୍କ ବାପା ଜେଲରେ ଥିଲେ । ସେହି ସମୟରେ ବ୍ରିଟିଶ୍ ପୋଲିସର ଦୁଇ ଜଣ କନେଷ୍ଟବଳ ପ୍ରଣବ ମୁଖାର୍ଜୀଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଥିଲେ । ସେତେବେଳେ ୭ ବର୍ଷର ହୋଇଥିବା ପ୍ରଣବ ଡରି ନଯାଇ ଘରେ ପୋଲିସକୁ ପଶିବାକୁ ଦେଇନଥିଲେ । ବରଂ ଘରେ ପଶି ଯାଞ୍ଚ ପୂର୍ବରୁ ସେମାନଙ୍କ ତଲାସି ହେବ ବୋଲି କହିଥିଲେ । ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଦୁଇ କନେଷ୍ଟବଳ । ସେମାନେ ପଚାରିଥିଲେ- ତୁମେ ଏମିତି କାହିଁକି କରିବାକୁ ଚାହୁଁଛ, ଆଉ ଏତେ ଛୋଟ ପିଲା ୬ ଫୁଟର କନେଷ୍ଟବଳଙ୍କ ଯାଞ୍ଚ କେମିତି କରିବ । ପ୍ରଣବ କହିଥିଲେ- ଆପଣ ମୋତେ କାଖ କରନ୍ତୁ,ମୁଁ ତଲାସି ନେବି । ଏମିତି ପୋଲ୍ଟୁ ଦୁଇ କନେଷ୍ଟବଳଙ୍କ ତଲାସି ନେଇଥିଲେ ।

ପ୍ରକୃତରେ ସ୍ୱାଧୀନତା ଲଢ଼େଇ ବେଳେ ଲୋକଙ୍କୁ ଫସାଇବା ପାଇଁ ଇଂରେଜ ପୋଲିସ ଘରକୁ ଯାଞ୍ଚ ପାଇଁ ଆସିବା ସହିତ ବ୍ରିଟିଶ୍ ଆଇନ୍ ନଜରରେ ଆପତ୍ତିଜନକ ହୋଇଥିବା ଦସ୍ତାବିଜ୍ ଆନ୍ଦୋଳକାରୀଙ୍କ ଘରେ ରଖି ଦିଅନ୍ତି । ପୋଲିସ ତାକୁ ଘରୁ ପାଇଥିବା ଦସ୍ତାବିଜ୍ ବତାଇବା ସହ ତାଙ୍କ ଉପରେ ମକଦ୍ଦମା ଚଳାଉ ଥିଲା । କାମଦା କିଂକର ମୁଖାର୍ଜୀ ଏହି କଥାକୁ ପିଲାଙ୍କୁ କହିଥିଲେ । ଯେବେ କେହି ପୋଲିସ ଘରକୁ ଯାଞ୍ଚ ପାଇଁ ଆସିବ ପ୍ରଥମ ତାକୁ ଯାଞ୍ଚ କରିବା ପରେ ଭିତରକୁ ଆସିବାକୁ ଦେବ ।

ବାପା ପଚାରିଥିଲେ ଅର୍ଥମନ୍ତ୍ରୀଙ୍କ କାମ କଣ ?

ପ୍ରଣବ ମୁଖାର୍ଜୀ ଯେତେବେଳେ ୧୯୮୨ ମସିହାରେ ପ୍ରଥମଥର ପାଇଁ ଦେଶର ଅର୍ଥମନ୍ତ୍ରୀ ହୋଇଥିଲେ ତ ବାପା ପଚାରିଥିଲେ- ପୁଅ, ଏହା ବିଷୟରେ କିଛି ଜାଣିଛ ? ଅନ୍ନପୂର୍ଣ୍ଣା ମୁଖାର୍ଜୀ ଏହି କଥାକୁ ମନେ ପକାଇ କୁହନ୍ତି- ପ୍ରଣବ ପିତାଙ୍କୁ ଏହି ପ୍ରଶ୍ନର ଉତ୍ତରର କହିଥିଲେ- ମୁଁ କାମ କରିଲେ ତ ଶିଖିବି, ମୋତେ ଜଣା ମାଆ ଘର କେମିତି ଚଳାନ୍ତି ।

ଅବଶୋଷରେ ରହୁଥିଲେ

ଦିଲ୍ଲୀ କଂଗ୍ରେସର ନେତା ଓ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ୨୦୧୨ରେ ପ୍ରଣବଙ୍କୁ ମନେ ପକାଇ କହିଥିଲେ- ତାଙ୍କ ମନରେ ସଦାବେଳେ ଅବଶୋଷ ରହୁଥିଲା… ବାପା ଯଦି ଟିକିଏ ଲମ୍ବା ହୋଇଥାନ୍ତେ । ଶର୍ମିଷ୍ଠା କୁହନ୍ତି- ବାପାଙ୍କୁ ନେଇ ମୋ ମନରେ ସଦାବେଳେ ଅବଶୋଷ ରହୁଥିଲା । ବାପା ଯଦି ଆଉ ଟିକିଏ ଲମ୍ବା ହୋଇଥାନ୍ତେ ତ ମୋ ପ୍ରତିଷ୍ଠା ଆଉ ଟିକିଏ କିଛି ଇଞ୍ଚ୍ ବଢ଼ି ଯାଇଥାନ୍ତା । ପରିପ୍ୱକ ହେବା ପରେ ଭାବିଲି ବ୍ୟକ୍ତିର ଉଚ୍ଚତା ଛୋଟ ହୋଇପାରେ, କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ଅନେକ ଗୁଣରେ ବଡ଼ । ଯଦି ମୁଁ ଜୀବନରେ ସେଇ ଉଚ୍ଚତାର ଟିକିଏ ବି ଅଂଶ ହୋଇପାରିବି ତ ଉପଲବ୍ଧି ଯେମିତି ହେବ । ସେତେବେଳେ ଯାଏଁ ମୋତେ ମୋର ପ୍ରତିବିମ୍ବରେ କାମ ଚଳାଇବାକୁ ପଡ଼ିବ ।

‘ବାପାଙ୍କଠୁ ପଇସା ନେବା ମୁସ୍କିଲ୍’

୨୦୧୨ ମସିହାରେ ଶର୍ମିଷ୍ଠା କହିଥିଲେ- ବାପା ଯଦିଓ ପାୱାରଫୁଲ ବ୍ୟକ୍ତି, କିନ୍ତୁ ଘରେ ତାଙ୍କର ନୀତି ଚାଲେନାହିଁ । ତାଙ୍କ ପରିବାର ଲୋକତାନ୍ତ୍ରିକ ଅଟେ । ସମସ୍ତେ ନିଜ ନିଜ କଥାକୁ ସ୍ୱାଧୀନତାର ସହ କୁହନ୍ତି ।

ସେ ଆହୁରି କହିଥିଲେ- ବାପାଙ୍କ ଠାରୁ ପଇସା ନେବା ବହୁତ ମୁସ୍କିଲ୍ କାମ । ଏଥିପାଇଁ କେତେଥର ଖୁସାମତ କରିବାକୁ ପଡ଼େ । ଏମିତି କାରଣ ଦେବା ସହ ବୁଝାଇବାକୁ ପଡ଼େ । ଯଦି ତଥାପି କାମ ନ ହୁଏ ତ ଧମକ ଦେବାକୁ ପଡ଼େ । ଏଥିପାଇଁ ଲମ୍ବା ଆଲୋଚନା ପରେ ସହମତି ହୁଏ ଓ ଦାବିର ମାତ୍ର ୪ରୁ ୫ ପ୍ରତିଶତ ଟଙ୍କା ମିଳିଥାଏ ।

‘ସୁନା’ କହି ଡାକନ୍ତିନି ବାପା

ଶର୍ମିଷ୍ଠା କୁହନ୍ତି- ପଇସା ଦେବା ପରେ ବାପା ତାଙ୍କୁ ଚୋର, ଡାକୁ ଡାକିବାକୁ କୁଣ୍ଠାବୋଧ କରନ୍ତି ନାହିଁ । କିନ୍ତୁ, ତାଙ୍କ ଶବ୍ଦରେ ଭଲ ପାଇବା ଥାଏ । ଯେତେବେଳେ ବାପା ବହୁତ ଖୁସି ଥାଆନ୍ତି ତ ‘ମାଙ୍କଡ଼’ କହି ଡାକନ୍ତି । କେବେ ବି ସେ ଅନ୍ୟ ବଙ୍ଗାଳି ପିତା, ମାତାଙ୍କ ଭଳି ‘ସୋନା’ ‘ପୁଚୁ’ କହି ଡାକନ୍ତି ନାହିଁ ।

ଇନ୍ଦିରା କହିଥିଲେ- ଶିକ୍ଷକ ରଖନ୍ତୁ, ଇଂରାଜୀ ଉଚ୍ଚାରଣ ସୁଧୁରିଯିବ

ଦିଲ୍ଲୀରେ ପାଖାପାଖି ୫ ଦଶକ ଧରି ରାଜନୀତି ପରେ ପ୍ରଣବ ମୁଖାର୍ଜୀ ନିଜ ବଙ୍ଗାଳି ଅନ୍ଦାଜକୁ ବଜାଇ ରଖିଥିଲେ । ତାଙ୍କ ହିନ୍ଦୀ ବଙ୍ଗାଳି ମିଶା ଥିଲା, ତାଙ୍କ ଇଂରାଜୀ ଉଚ୍ଚାରଣରେ ଥିଲା ମାଟିର ସ୍ପର୍ଶ । ମନ୍ତ୍ରୀ ଭାବେ କ୍ୟାରିୟର ଆରମ୍ଭ ପାଇଁ ପ୍ରଣବ ଦିଲ୍ଲୀ ଆସିଲେ ତ ଇନ୍ଦିରା, ପ୍ରଣବଙ୍କ ଏହି ଗୁଣକୁ ଜାଣି ନେଇଥିଲେ । ସେ ପ୍ରଣବଙ୍କୁ ଉପଦେଶ ଦେଇ କହିଥିଲେ- ଜଣେ ଇଂରାଜୀ ଶିକ୍ଷକ ରଖନ୍ତୁ, ଯିଏ ଆପଣଙ୍କ ଇଂରାଜୀ ଉଚ୍ଚାରଣକୁ ସୁଧାରିବ । ଇନ୍ଦିରା ଏମିତି ବି କହିଥିଲେ ଜଣେ ଶିକ୍ଷକ ଖୋଜିଦେବି, ଯିଏ ଚୁପଚାପ୍ ଇଂରାଜୀ ଶବ୍ଦ ଉଚ୍ଚାରଣ ଶିଖାଇ ଦେବ ।

ପ୍ରଣବ ଇନ୍ଦିରାଙ୍କ ପରାମର୍ଶକୁ ସିଧା ସିଧା ଖାରଜ କରି ଦେଇଥିଲେ । କହିଥିଲେ- ମ୍ୟାଡାମ୍ କୌଣସି ଫାଇଦା ନାହିଁ । ଯାହା ହୋଇଯାଇଛି, ତାକୁ ହଟାଯାଇ ପାରିବ ନାହିଁ । ମୁଁ ଯୁଆଡ଼େ ଗଲେ ବି କାହାକୁ ନ ପଚାରି ନିଜ ବ୍ୟାକଗ୍ରାଉଣ୍ଡ ନେଇଯିବି । ଇନ୍ଦିରା ତାଙ୍କ କଥାରେ ସହମତ ନଥିଲେ ମଧ୍ୟ ତାଙ୍କ ଉପରେ ଜୋର ଦେଇ ନଥିଲେ ।

ପ୍ରଣବଙ୍କ ରାଜନୈତିକ ଜୀବନ ଯାତ୍ରା ମଧ୍ୟ ବେଶ୍ ରୋଚକପୂର୍ଣ୍ଣ ଥିଲା । ୧୯୬୯ରେ କଂଗ୍ରେସ ପକ୍ଷରୁ ସେ ରାଜ୍ୟସଭା ଯାଇଥିଲେ । ଇନ୍ଦିରା ଗାନ୍ଧି ତାଙ୍କ ପ୍ରତିଭାକୁ ଦେଖି ତାଙ୍କର ବିଶ୍ୱସନୀୟ କରିଥିଲେ । କିନ୍ତୁ, ଇନ୍ଦିରାଙ୍କ ଠାରୁ ଆରମ୍ଭ ହୋଇଥିବା ପ୍ରଣବଙ୍କ ଯାତ୍ରା ରାଜୀବ ଗାନ୍ଧିଙ୍କ ସହ ଆସି ଏକ ମୋଡରେ ଅଟକି ଯାଇଥିଲା । କଂଗ୍ରେସରେ ଅନେକ ତାଙ୍କୁ ଇନ୍ଦିରା ଗାନ୍ଧିଙ୍କ ଉତ୍ତରାଧିକାରୀ ମାନୁଥିଲେ । କିନ୍ତୁ, ଇନ୍ଦିରାଙ୍କ ହତ୍ୟା ପରେ ରାଜୀବ ଗାନ୍ଧି ଯେତେବେଳେ ଦଳ ସମ୍ଭାଳିଲେ ତ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ପ୍ରଣବ ମୁଖାର୍ଜୀଙ୍କୁ କଂଗ୍ରେସରୁ ବାହାର କରି ଦିଆଯାଇଥିଲା ।

ଦଳରୁ ବାହାର କରିଥିଲେ ରାଜୀବ

୧୯୮୬ରେ ପ୍ରଣବ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ନାମରେ ଏକ ଅଲଗା ରାଜୈନିତକ ଦଳ ଗଠନ କରିଥିଲେ । ଯେତେବେଳେ ତାଙ୍କୁ ଏନେଇ ପଚରା ଗଲା ତ ସେ କହିଥିଲେ- ଏବେ ମୋତେ ମାତ୍ର ୪୦ ବର୍ଷ । କେନ୍ଦ୍ର କ୍ୟାବିନେଟରେ ୧୦ ବର୍ଷ ରହି ସାରିଛି । ରାଜ୍ୟସଭାରେ ୧୪ ବର୍ଷର ଅଭିଜ୍ଞତା ଅଛି । ମୋତେ ବୁଝାପଡ଼ୁନି ମୋର ବାକି ଜୀବନ କଣ କରିବ । ୩ ବର୍ଷ ପରେ ରାଜୀବ ଓ ପ୍ରଣବଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପ୍ରଣବ ତାଙ୍କ ଦଳକୁ କଂଗ୍ରେସରେ ମିଶାଇ ଦେଇଥିଲେ ।

‘ଆପଣଙ୍କ ବିକଳ୍ପ ଦିଅନ୍ତୁ, ରାଷ୍ଟ୍ରପତି ହେବେ’

୨୦୧୨ରେ ପ୍ରଣବଙ୍କୁ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ନେଇ ଚର୍ଚ୍ଚା ହେଉଥିଲା । ତାଙ୍କ ନାଁ ଫାଇନାଲ୍ ହୋଇନଥିଲା । ପ୍ରଣବ ମୁଖାର୍ଜୀ ନୂଆଦିଲ୍ଲୀ ସ୍ଥିତ ନିଜ ଘର ୧୩ ତାଲକଟୋରା ରୋଡରେ ଥିଲେ । ସେତେବେଳେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ତାଙ୍କୁ ଅବିଳମ୍ବେ ପହଞ୍ଚିବାକୁ କହିଥିଲେ । ପ୍ରଣବ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଆଲୋଚନା ହୋଇଥିଲା ।

ସୋନିଆ ତାଙ୍କୁ ପରାମ୍ପରାଗତ ଗାରିମା ଅନୁସାରେ ବୁଝାଇଥିଲେ ସେ ତାଙ୍କ ପ୍ରାର୍ଥୀତ୍ୱ ବିରୋଧରେ ନୁହଁନ୍ତି । ଆପଣଙ୍କୁ ମୋର କାମ କରିବାକୁ ପଡ଼ିବ । ଆପଣ କୁହନ୍ତୁ କ୍ୟାବିନେଟରେ ଆପଣଙ୍କ ସ୍ଥାନ କିଏ ପୂରଣ କରିପାରିବ, ଯିଏ ଆପଣଙ୍କ କାମ କରିପାରିବ । ଆପଣ ମୋତେ ଏକ ନାମ କୁହନ୍ତୁ ଓ ଆପଣ କଂଗ୍ରେସର ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତୁ । ପ୍ରଣବ ଅଳ୍ପ ସମୟ ନିରବ ରହିବା ସହ ଜୋରରେ ହସିଥିଲେ… ତାଙ୍କ ସହ ହସିଥିଲେ ସୋନିଆ ଗାନ୍ଧି ।

ରାଜନୈତିକ ଜୀବନ ସହ ପ୍ରଣବଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ମଧ୍ୟ ନିଷ୍ଠାପର ଥିଲା । ପ୍ରତି ଦଶହରାରେ ସେ ଗାଁକୁ ଯାଇ ଚଣ୍ଡିପାଠ କରୁଥିଲେ । ଜଣେ ପାରମ୍ପରିକ ବଙ୍ଗାଳି ଭଦ୍ରଲୋକ ଜୀବନ ବିତାଉଥିଲେ । ପ୍ରଣବଙ୍କ ପିଲାଦିନ, ତାଙ୍କ କାହାଣୀ ଓ ପଲ୍ଟିକାଲ ଇଞ୍ଜିନିୟରିଂ ବଦଳିଥିବା ଭାରତର ଛବି ।

Leave a Reply