IPL 2020: ପୁଣି ହେଲା ଚେନ୍ନାଇ ସୁପରକିଙ୍ଗସର କରୋନା ପରୀକ୍ଷା

1 min read

ନୂଆଦିଲ୍ଲୀ: IPL 2020ର ପ୍ରସ୍ତୁତି ପାଇଁ ଅଭ୍ୟାସ ଆରମ୍ଭ ହୋଇନଥିବା ବେଳେ  ସାମ୍ନାକୁ ଆସିଛି ଏକ ଆଶ୍ୱସ୍ତି କରିବା ଭଳି ଖବର । ଚେନ୍ନାଇ ସୁପରକିଙ୍ଗସର ସମସ୍ତ ଖେଳାଳୀ ଏବଂ ଅନ୍ୟ ସଦସ୍ୟ କୋଭିଡ ନେଗେଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଦଳର ୧୩ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯେଉଁ କାରଣରୁ ଦଳର ସଙ୍ଗରୋଧ ସମୟକୁ ବଢାଇ ଦିଆଯାଇଥିଲା । କିନ୍ତୁ ଗତ ସୋମବାରକୁ ହୋଇଥିବା କରୋନା ପରୀକ୍ଷାରେ ସମସ୍ତ ପଜିଟିଭ୍ ସଦସ୍ୟ ନେଗେଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ଦୀପକ ଚାହର ଏବଂ ଋତୁରାଜ୍ ଗାୟକଓ୍ୱାଡ଼ ମଧ୍ୟ କରୋନାରୁ ବର୍ତ୍ତି ଯାଇଛନ୍ତି ।

ପୁଣିଥରେ ହେବ କରୋନା ଟେଷ୍ଟ

ଦଳର ସମସ୍ତ ସଦସ୍ୟ କରୋନା ନେଗେଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ଅଭ୍ୟାସ କରିବା ସମ୍ଭବ ନୁହେଁ । କାରଣ ଆସନ୍ତା ଗୁରୁବାରକୁ ଚେନ୍ନାଇର ସମଗ୍ର ଦଳର ପୁଣିଥରେ କରୋନା ଟେଷ୍ଟ କରାଯିବ । ଏହାପରେ ସେମାନଙ୍କୁ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରାଯିବ ।

ସାଉଥ ଆଫ୍ରିକା କ୍ରିକେଟର ଫାଫ୍ ଡୁ ପ୍ଲେସିସ, ଲୁଙ୍ଗି ଏନଗିଡ଼ି ଏବଂ କଗିସୋ ରବାଡ଼ା ୧୯ ସେପ୍ଟେମ୍ବରକୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ମଙ୍ଗଳବାରକୁ ୟୁଏଇ ପହଞ୍ଚି ସାରିଛନ୍ତି ।

ଦକ୍ଷିଣ ଆଫ୍ରିକାର ପୂର୍ବ କ୍ୟାପଟେନ୍ ଡୁ ପ୍ଲେସିସ ଏବଂ ଏନଗିଡ଼ି ସିଏସକେରେ ଥିବାବେଳେ ରବାଡ଼ା ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଅଛନ୍ତି । ଏହି ଦୁଇ ଫ୍ରାଞ୍ଚାଇଜ୍ ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ତିନି ଖେଳାଳୀଙ୍କ ଫଟୋ ଶେୟାର କରିଛନ୍ତି । ତିନି ଖେଳାଳୀଙ୍କୁ ୬ ଦିନ ଧରି ସଙ୍ଗରୋଧରେ ରହିବାକୁ ପଡ଼ିବ । ଏହା ସହିତ ତୃତୀୟ ଏବଂ ଷଷ୍ଠ ଦିନରେ କରୋନା ପରୀକ୍ଷା ହେବ । ତିନିଜଣଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନେ ଅଭ୍ୟାସ ଆରମ୍ଭ କରିପାରିବେ ।

Leave a Reply