spot_img
Home Blog Page 6485

ପୋଲିସଙ୍କୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଘର ସାମ୍ନାରୁ ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍‌

ଖୋର୍ଦ୍ଧା: କରୋନା କାଳରେ ବଢ଼ିବାରେ ଲାଗିଛି ଲୁଟପାଟ । ପୋଲିସକୁ ପ୍ରତି ମୁହୂର୍ତ୍ତରେ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା । ପୋଲିସର ଡ଼ରକୁ ଫୋପାଡ଼ିଦେଇ ମଚାଇଛନ୍ତି ଆତଙ୍କ । କଳା ପଲସରକୁ ଧରିପାରୁନି ପୋଲିସର ଭ୍ୟାନ୍‌ । ଦିନ ଦିପହର ସମୟରେ ଘର ସମୁଖରୁ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ । ଆଖି ପୁଛୁଳାକେ ବେକରୁ ଚେନ୍‌ ଛିଣ୍ଡାଇ ପଳାଇଗଲେ । କେହି ଅଟକାଇବା ଆଗକୁ ପୁରା ଉଭାନ ଦୁର୍ବୃତ୍ତ ।

ଫାଙ୍କା ରାସ୍ତା ନୁହେଁ ଗହଳି ଥିବା ରାସ୍ତାରେ ଘଟିଛି ଘଟଣା । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଠାରୁ ମାତ୍ର ୨୦୦ ମିଟର ଦୂର ପୋଷ୍ଟ ଅଫିସ ଗଳି ରାସ୍ତରେ । ନିଜ ଘର ସମୁଖରୁ ଲୁଟ ର ଶିକାର ହୋଇଛନ୍ତି ନମିତା ତ୍ରିପାଠୀ ।

ସୂଚନା ଅନୁଯାୟୀ, କିଛି ଅଫିସ କାମ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ଫେରୁଥିଲେ ନମିତା । ନିଜ ଘର ପାଖରେ ଥିବାବେଳେ ଦୁଇ ଜଣ ଲୁଟେରା ବାଇକ ରେ ଆସି ନମିତାଙ୍କ ବେକରୁ ଚେନ ଝାମ୍ପିନେଇଥିଲେ । ସେ କାହାକୁ ଡ଼ାକିବା ପୂର୍ବରୁ ଫେରାର ହୋଇଯାଇଥିଲେ ଲୁଟେରା ।

ତେବେ CCTV ରେ ଲୁଟର ଲାଇଭ ଦୃଶ୍ୟ କଏଦ ହୋଇଛି । ନନ୍ଦିଘୋଷ ଟିଭି ରେ ଲାଗିଛି ଲୁଟର ଦୃଶ୍ୟ । ଦେଖନ୍ତୁ ନିଜ ଘର ସାମ୍ନାରୁ ବୋକରୁ କେମିତି ଚେନ୍‌କୁ ଝାମ୍ପିନେଲେ ଦୁଇଜଣ ଦୁର୍ବୃତ୍ତ । ସେପଟେ ଥାନାରେ ଏତଲା ସହ ସିସିଟିଭି ଫୁଟେଜ ମଧ୍ୟ ଦିଆଯାଇଛି ।

 

ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସ୍‌ଙ୍କ ପାଇଁ ଭାରତରେ ପୂଜାର୍ଚ୍ଚନା

ଆମେରିକା: ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ଟ୍ରମ୍ପ-ବିଡେନ୍‌ଙ୍କ ମଧ୍ୟରେ ଜୋରଦାର ଟକ୍କାର । ହେଲେ ଭାରତରେ ଡେମୋକ୍ରାଟିକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସଙ୍କ ପାଇଁ ଚାଲିଛି ପୂଜାର୍ଚ୍ଚନା । ଭାରତର ତିରୁବନ୍ତପୁରମ ଥିରୁବୁରୁରେ କିନ୍ତୁ ଦେଖିବାକୁ ମିଳିଛି ଉତ୍ସାହ । ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ ଦୌଡରେ ଅଛନ୍ତି ଏଠାକାର ବାସିନ୍ଦା କମଲା ହ୍ୟାରିସ୍ । ଆମେରିକାରେ ପ୍ରବାସୀଙ୍କ ପକ୍ଷରୁ ସେ ଏଥର ଉପରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି । ତାଙ୍କର ବିଜୟ ପାଇଁ ପରିବାର ଲୋକେ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

kamala harris

କମଲା ହ୍ୟାରିସ୍ ଏଥର ନିର୍ବାଚନରେ ବିଜୟୀ ହେବେ ବୋଲି ପରିବାର ଲୋକ ଆଶା ରଖିଛନ୍ତି । ଥିରୁବୁର ଜିଲ୍ଲାର ଥୁଲସେନ୍ଦ୍ରପୁରମରେ ତାଙ୍କ ସଫଳତା କାମନା କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ଏଥର ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ବିଜୟ ପାଇଁ ଲୋକେ ପ୍ରାର୍ଥନା କରୁଛନ୍ତି । କମଳା ହ୍ୟାରିସଙ୍କ ମାଆ ଶ୍ୟାମଳା ଗୋପାଳନ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୦ରେ ସେ ଭାରତ ଛାଡ଼ି ଆମେରିକାରେ ବସବାସ ଆରମ୍ଭ କରିଥିଲେ । ତାଙ୍କ ପିତା ଡୋନାଲ୍ଡ ହ୍ୟାରିସ୍‌ ଜଣେ ଅର୍ଥଶାସ୍ତ୍ରଜ୍ଞ ଥିଲେ । ସେ ଜାମାଇକାରୁ ଆମେରିକା ଆସିଥିଲେ । ନିର୍ବାଚନ ପାଇଁ ପ୍ରଥମ ଡିବେଟ୍‌ରେ କମଳା ହ୍ୟାରିସ୍‌ ନଜକୁ ଭାରତୀୟ ବୋଲି ପରିଚୟ ଦେଇଥିଲେ ।

ରାତି ଅଧରେ ଗୁପ୍ତଧନ ପାଇଁ ଚାଲିଥିଲା ତନ୍ତ୍ରସାଧନା, ଶେଷରେ ଏମିତି ହେଲା

ଧର୍ମଗଡ଼: ମାଟି ତଳେ ବିପୁଳ ପରିମାଣରେ ଧନ ଲୁଚି ରହିଛି । ମାଟି ଖୋଳିଲେ ମିଳିବ ପ୍ରଚୁର ପରିମାଣରେ ଟଙ୍କା ପଇସା । ସବୁ ଅସୁବିଧା ଦୂର ହେବ । ତନ୍ତ୍ର ପାଠ ସାଧନା କାରଣରୁ ମିଳିଛି ଆଦେଶ । ଖେଳ ପଡ଼ିଆ ମଝିରେ ଲୁଚି ରହିଛି ଏଭଳି ପ୍ରଚୁର ପରିମାଣରେ ଗୁପ୍ତଧନ । ଗୁପ୍ତଧନକୁ ପାଇବାକୁ ହେଲେ ପ୍ରଥମେ ପୂଜା ପାଠ ଏବଂ ପରେ ମାଟି ଖୋଳିବାକୁ ପଡ଼ିବ । ଏଭଳିତି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରଙ୍କା ବାହାଲ୍ ଗାଁରରେ ।

ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏବେବି କିଛି ବ୍ୟକ୍ତି ଘରିବୁଲନ୍ତି । ତନ୍ତ୍ରମନ୍ତ୍ର ସାଧନାରେ ସବୁ କିଛି ହାସଲ କରିପାରିବେ ବୋଲି ପ୍ରଚାର କରନ୍ତି । ହେଲେ ସେଭଳି ପ୍ରଚାର ପ୍ରତିଥର ବିଫଳ ହୋଇଥାଏ । ଏଥର ମଧ୍ୟ ଏମିତି କିଛି ଅନ୍ଧବିଶ୍ୱାସର ଶିକାର ହୋଇ ବିଫଳ ହୋଇଛନ୍ତି ୯ ଜଣ ବ୍ୟକ୍ତି ।

ବିଳମ୍ବିତ ରାତିରେ ଖେଳ ପଡ଼ିଆ ମଝିରେ ଚାଲିଥିଲା ତନ୍ତ୍ରସାଧନା ।  ପାଖରେ ଥିଲା ମଣିଷ ହାଡ଼, ନଡ଼ିଆ, ସିନ୍ଦୁର, ଝୁଣା, ଧୂପ ଆଦି ସାମଗ୍ରୀ । ତନ୍ତ୍ରମନ୍ତ୍ର ପାଠ ସହ ଫାଉଡ଼ାରେ ଖୋଳା ଚାଲିଥିଲା ମାଟି । କାରଣ ଖେଳ ପଡ଼ିଆରୁ ମିଳିଥାନ୍ତା ଗୁପ୍ତଧନ । ହେଲେ ସବୁକିଛି ଭଣ୍ଡୁର ହୋଇଗଲା । ଗୁପ୍ତଧନ ସେଇ ମାଟି ଭିତରେହିଁ ରହିଗଲା ।

ପୂଜା ଚାଲିଥିବା ବେଳେ ଚାଷ ଜମିକୁ ପାଣି ମଡ଼ାଇ ବାକୁ ଯାଇଥିବା ବେଳେ କିଛି ଲୋକ ଖେଳ ପଡ଼ିଆ ଖୋଳୁଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଏହା ଜାଣିବା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତାନ୍ତ୍ରୀକ ମାନଙ୍କୁ କାବୁ କରିବା ବେଳେ ୭ ଜଣ ଖସି ପଳାଇଥିବା ବେଳେ କେବଳ ୨ ଜଣ ଧରାପଡ଼ିଥିଲେ । ଧରାପଡ଼ିବା ପରେ ସବୁ କଥା ସାମ୍ନାକୁ ଆସିଥିଲା । ଗୁପ୍ତଧନ ପାଇଁ ବିଲ ଖୋଳୁଥିଲେ ବୋଲି କହିଥିଲେ ୨ ଗୁଣିଆ ।

ତନ୍ତ୍ର ପୂଜା ପାଠ ପାଇଁ ଆବଶ୍ୟକ ପୁସ୍ତକ, ମଣିଷ ହାଡ଼ ଓ ତିନୋଟି ବାଇକ୍ ଜବତ କରି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମିକ ତଦନ୍ତ ଆରମ୍ଭ କରିଛି । ତେବେ ତନ୍ତ୍ରିକ ମାନେ ଜୁନାଗଡ଼ ଓ କଲମପୁର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି ।

‘ଡ୍ରଗ୍ସ ଆଡିକ୍ଟ ଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌, ମୋ’ ଘରେ ନେଇଛନ୍ତି ଡ୍ରଗ୍ସ’

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନ୍‌ଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ୍‌ ପାକିସ୍ତାନ କ୍ରିକେଟର ପୂର୍ବତନ ଦ୍ରୁତ ବୋଲର ସରଫରାଜ୍‌ ନଓ୍ୱାଜ୍‌ । ସେ କହିଛନ୍ତି ଇମ୍ରାନ ଡ୍ରଗ୍ସ ଆଡିକ୍ଟ ଥିଲେ । କ୍ରିକେଟ ଖେଳୁଥିବା ସମୟରେ ସେ ଡ୍ରଗ୍ସ ସେବନ କରୁଥିଲେ । ମୋ ଆଖି ସାମ୍ନାରେ ସେ ଡ୍ରଗ୍ସ ସେବନ କରିଛନ୍ତି । ସରଫରାଜଙ୍କ ଏଭଳି ବୟାନର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ସରଫରାଜ୍‌ ୧୯୭୦ ଏବଂ ୮୦ ଦଶକରେ ପାକିସ୍ତାନର ଜଣେ ଷ୍ଟାର ବୋଲର ଭାବେ ବେଶ୍‌ ପରିଚିତ, ସେ ଇମ୍ରାନ ଖାନଙ୍କ ସହ ଖେଳୁଥିଲେ । ସରଫରାଜ ଏହା ମଧ୍ୟ କହିଛନ୍ତି ଯେ, ଯଦି ‘ମୋ କଥା ମିଛ ହୋଇଥାଏ ତେବେ ଇମ୍ରାନ୍‌ ମୋ’ ବିରୋଧରେ କୋର୍ଟରେ କେସ୍‌ କରିପାରନ୍ତି’ । ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟର ମାନେ ଡ୍ରଗ୍ସ ସେବନ କରୁଥିଲେ ବୋଲି ପୂର୍ବରୁ ଅନେକ ଅଭିଯୋଗ ରହିଛି ।

ସରଫରାଜ୍‌ଙ୍କ ଦାବି

୧୯୮୭ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ ବିଷୟରେ ସରଫରାଜ ଭିଡିଓରେ ବଖାଣିଛନ୍ତି । ସରଫରାଜଙ୍କ କହିବାନୁଯାୟୀ ଏହି ମ୍ୟାଚ୍‌ରେ ଇମ୍ରାନ୍‌ଙ୍କ ପ୍ରଦର୍ଶନ କିଛି ଖାସ୍‌ ନଥିଲା । ସେ ଏହି ଘଟଣାକୁ ମନେପକାଇ କହିଛନ୍ତି ଯେ, ଇସ୍‌ଲାମାବାଦରେ ଇମ୍ରାନ ତାଙ୍କ ଘରକୁ ଆସିଥିଲେ ଏବଂ ଖାଇବା ସମୟରେ ସେ ଡ୍ରଗ୍ସ ସେବନ କରିଥିଲେ ।

ନୋଟରେ କୋକିନ ରଖି ନେଉଥିଲେ

ପାକିସ୍ତାନର ଏକ ଗଣମାଧ୍ୟମ ସହ କଥା ହେବା ସମୟରେ ସରଫରାଜ କହିଥିଲେ ଯେ, ଏହି ଘଟଣା ତାଙ୍କ ସାମ୍ମୁଖର ହିଁ ହୋଇଥିଲା । ୧୯୮୭ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ସେହି ସମୟରେ ଇମ୍ରାନ ଖାନ ସରଫରାଜଙ୍କ ଇସଲମାବାଦସ୍ଥିତ ଘରକୁ ଆସିଥିଲେ । ଇମ୍ରାନ ଖାନ୍ ୧୦-୨୦ ଟଙ୍କିଆ ନୋଟ୍‌ ଉପରେ କୋକିନ୍‌ ରଖି ସେବନ କରିଥିଲେ । ଖାଲି ସେତିକି ନୁହେଁ ଭାଙ୍ଗକୁ ଶୁଖାଇ ତାର ଚରସ ମଧ୍ୟ ପ୍ରସ୍ତୁତ କରୁଥିଲେ । ଇମ୍ରାନ ଖାନଙ୍କ ସହ ମୋହସିନ ଖାନ, ଅବଦୁଲ କାଦିର ଏବଂ ସଲିମ ମଲିକ ମଧ୍ୟ ସରଫରାଜଙ୍କ ଘରେ ଉପସ୍ଥିତ ଥିଲେ । ଖାଇବା ପରେ ସେ ଚରସ ମଧ୍ୟ ନେଇଥିଲେ ।

ସରଫରାଜ ନବାଜ କିଏ ?

୧୯୬୯ରୁ ୧୯୮୪ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ୫୫ଟି ଟେଷ୍ଟ ଏବଂ ୪୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ସରଫରାଜ୍‌ ଲମ୍ବା ସମୟ ପର୍ଯ୍ୟନ୍ତ ଦ୍ରୁତ ବୋଲର ଭାବେ ଇମ୍ରାନଙ୍କ ଯୋଡ଼ିଦାର ଥିଲେ । ସେହି ସମୟରେ ସରଫରାଜ୍‌ ରିଭର୍ସ ସୁଇଂର ବାଦଶାହ ଥିଲେ । ଟେଷ୍ଟ କ୍ରିକେଟରେ ୧୭୭ ୱିକେଟ୍‌ ନେଇଥିବା ସରଫରାଜ୍‌ ପରେ ପାକିସ୍ତାନରେ ସାଂସଦ ହୋଇଥିଲେ । ଏହା ବ୍ୟତୀତ ସେ ଜଣେ ଭଲ କ୍ରିକେଟ କମେଣ୍ଟେଟର ମଧ୍ୟ ଥିଲେ । ଖାଲି ସେତିକି ନୁହେଁ ଟେଷ୍ଟ କ୍ରିକେଟରେ ସରଫରାଜ୍‌ ୫ ହଜାର ରନ୍‌ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି ।

ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ : ଦ୍ରୁତ ଗତିରେ ବଢୁଛି ମତଦାନ, ଭୋଟଦାନ ପାଇଁ ଉତ୍ସାହିତ ଜନତା

ଭୁବନେଶ୍ୱର: କୋଭିଡ଼ କଟକଣାରେ ରାଜ୍ୟରେ ପ୍ରଥମ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ଆଗେଇ ଚାଲିଛି ମତଦାନ । ସାମାଜିକ ଦୂରତାକୁ ପ୍ରଶାସନର ପ୍ରାଥମିକତା । ଦିନ ଗଡିବା ସହ ବଢୁଛି ଭୋଟ ପ୍ରତିଶତ । ଶେଷ ଖବର ସୁଦ୍ଧା ଅପରାହ୍ନ ୩ଟା ଯାଏ ତିର୍ତ୍ତୋଲ ଏବଂ ବାଲେଶ୍ୱରରେ ୫୫.୯୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ସେହିପରି ତିର୍ତ୍ତୋଲରେ ୫୭.୦୪ ଏବଂ ବାଲେଶ୍ୱରରେ ୫୪.୮୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ମଧ୍ୟାହ୍ନ ପରେ ଭୋଟ ଦାନରେ ଉତ୍ସାହ ଦେଖାଦେଇଛି । ତେଣୁ ସନ୍ଧ୍ୟା ସମୟରେ ମତହାନ ହାର ଆଉ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ଆସନ୍ତୁ ଜାଣିବା ଏହି ୨ଟି ନିର୍ବାଚନମଣ୍ଡଳୀ ସମ୍ପର୍କରେ ।  ଜଗତସିଂହପୁର ଜିଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ  । ଏହା ୨୦୦୯ଠାରୁ ଅନୁସଚିତ ଜାତି(ଏସସି) ବର୍ଗ ପାଇଁ ସଂରକ୍ଷିତ ହୋଇ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ଚରଣ ଦାସ ଏହିଠାରୁ ବିଜୟୀ ହୋଇଥିଲେ । ବିଧାୟକ ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ପାଇଁ ସେଠାରେ ଉପନିର୍ବାଚନ ପରିସ୍ଥିତି ସୃଷ୍ଟି କରିଛି । ୨୦୧୯ରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଷ୍ଣୁଚରଣ ଦାସ ଭାଜପା ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ହରାଇଥିଲେ ।

ତିର୍ତ୍ତୋଲ, ବିରିଡି ଓ ରଘୁନାଥପୁର ବ୍ଲକକୁ ନେଇ ତିର୍ତ୍ତୋଲ ବିଧାନସଭା ଆସନଟି ଗଠିତ । ଏଥିସହିତ କୁଜଙ୍ଗର କିଛି ଅଞ୍ଚଳ ମଧ୍ୟ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯାଉଅଛି । ଗତ ଥର ସମଗ୍ର ନିର୍ବାଚନମଣ୍ଡଳୀ ପାଇଁ ୨୬୫ଟି ବୁଥ୍ ହୋଇଥିଲା । ହେଲେ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ୧୦୮ଟି ଅଧିକ ବୁଥ୍ କରାଯାଇଛି । ଫଳରେ ବୁଥ ସଂଖ୍ୟା  ୩୭୩ରେ ପହଞ୍ଚିଛି । ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା-୨,୩୪,୧୪୫ ରହିଥିଲା । ଏଥିରେ ପୂର୍ବାପେକ୍ଷା ୫୮୦୦ ଭୋଟରଙ୍କୁ ଅଧିକ ସାମିଲ କରାଯାଇଛି । ଏବେ ଭୋଟରଙ୍କ ସଂଖ୍ୟା ୨,୩୯,୧୫୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୧,୨୪,୧୬୮ ଜଣ ପୁରୁଷ, ୧,୧୪,୯୫୬ ଜଣ ମହିଳା, ୨୯ ଜଣ ସମଲିଙ୍ଗୀ ରହିଛନ୍ତି ।

ବର୍ତ୍ତମାନ ଉପନିର୍ବାଚନରେ ସ୍ୱର୍ଗତ ବିଷ୍ଣୁଚରଣ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ହିଂମାଶୁ ମଲ୍ଲିକଙ୍କୁ ପ୍ରଥମଥର ପାଇଁ କଂଗ୍ରେସ ପ୍ରାର୍ଥୀ କରାଯାଇଛି ।

ବାଲେଶ୍ୱର ଜିଲାର ବାଲେଶ୍ୱର ସଦର ଆସନ । ଏହା ବ୍ରିଟିଶ ଅମଳର ସହର   ମୋଟ   26ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର 31ଟି ୱାର୍ଡକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ । ଏହି ଆସନରୁ ପ୍ରତିନିଧିତ୍ୱ କରୁଥିଲେ ଭାଜପା ନେତା ମଦନମୋହନ ଦତ୍ତ । ତାଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସ୍ୱର୍ଗତ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଭାଜପା ପ୍ରାର୍ଥୀ କରିଛି । ସେହିପରି ବିଜେଡି ପକ୍ଷରୁ ପୂର୍ବତନ କାଉନସିଲର ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଗତ ନିର୍ବାଚନରେ ମଦନମୋହନ ଦତ୍ତ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କୁ ୧୩, ୪୦୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସେହିପରି  କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ୧୯,୭୦୪ ଖଣ୍ଡ ଭୋଟ ପାଇଥିଲେ ।ଚଳିତ ଥର ବାଲେଶ୍ୱର ସଦର ଆସନର ଭୋଟରଙ୍କ ସଂଖ୍ୟା-୨,୩୦,୨୯୭ ଖଣ୍ଡ ରହିଛି । ତନ୍ମଧ୍ୟରୁ ୧,୧୮,୬୫୮ ଜଣ ପୁରୁଷ, ୧,୧୧,୬୩୦ ମହିଳା ଏବଂ ତୃତୀୟ ଲିଙ୍ଗୀ-୯ ଜଣ ରହିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୩୪୬କୁ ବୃଦ୍ଧି ପାଇଛି ।

ଅପରାହ୍ନ ୩ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲରେ ହୋଇଛି ୫୫.୯୬ପ୍ରତିଶତ ମତଦାନ

ବାଲେଶ୍ୱର/ତିର୍ତ୍ତୋଲ: କୋଭିଡ୍ କଟକଣା ମଧ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଅପରାହ୍ନ ୩ଟା ସୁଦ୍ଧା ୫୫.୯୬ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୫୪.୮୫ପ୍ରତିଶତ ତିର୍ତ୍ତୋଲରେ ୫୭.୦୪ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଲିଛି । ସବୁଠି ସୁରୁଖୁରୁରେ ଚାଲିଛି ମତଦାନ ପ୍ରକ୍ରିୟା  ।

ରାଜ୍ୟ ନିର୍ବାଚନ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ବାଲେଶ୍ବର ସଦରରେ ତିନି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ଚାଲିଛି । ବିଜେଡିରୁ ସ୍ବରୂପ ଦାସ, ବିଜେପିରୁ ମାନସ ଦତ୍ତ ଏବଂ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସେହିପରି ତିର୍ତ୍ତୋଲରେ ବି ତ୍ରିମୁଖୀ ଲଢେଇ ।

ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଏବଂ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକଙ୍କ ମଧ୍ୟରେ ମୁକାବିଲା ଚାଲିଛି । ବାଲେଶ୍ୱରରେ ମତଦାନ କରୁଛନ୍ତି ୨ଲକ୍ଷ ୨୫ ହଜାରରୁ ଅଧିକ ଭୋଟର । ସେପଟେ ତିର୍ତ୍ତୋଲରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ଲକ୍ଷ ୩୯ ହଜାରରୁ ଅଧିକ ଭୋଟର ।

ଫ୍ରାନ୍ସର ଏୟାର ଷ୍ଟ୍ରାଇକ୍‌, ୫୦ ଆତଙ୍କବାଦୀ ନିହତ

ଫ୍ରାନ୍ସ: ଫ୍ରାନ୍ସ ବାୟୁ ସେନା ପକ୍ଷରୁ ମାଲିରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ବିସ୍ଫୋରଣ କରାଯାଇଛି । ବାୟୁସେନାର ଏହି ଏୟାର୍‌ ଷ୍ଟ୍ରାଇକ୍‌ରେ ପ୍ରାୟ ୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି । ଫ୍ରାନ୍ସର ସେନା ମୁଖପାତ୍ର କର୍ଣ୍ଣେଲ ଫ୍ରେଡେରିକ୍ ବାର୍ବାରୀ କହିଛନ୍ତି ଯେ, ଚାରିଜଣ ଆତଙ୍କବାଦୀ ଧରାପଡ଼ିଛନ୍ତି । ଏକ ଆତ୍ମଘାତୀ ଜ୍ୟାକେଟ ମଧ୍ୟ ଜବତ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସଂଗଠନ ଫ୍ରାନ୍ସ ସେନା ଉପରେ ଆକ୍ରମଣ କରିବାର ଯୋଜନା କରୁଥିଲା ।

France Air Strike

ଫ୍ରାନ୍ସର ବୁର୍କିନା ଫାସୋ ଏବଂ ନାଇଜର ସୀମା ନିକଟରେ ଅନେକ ମୋଟରସାଇକେଲ ଏକାଠି ଯାତ୍ରା କରୁଥିବା ଦେଖାଯାଇଥିଲା । ସେହି ମୋଟର ସାଇକେଲରେ ଆତଙ୍କବାଦୀ ଯାଉଥିବା ଖବର ପାଇ ଦୁଇଟି ମିରାଜ ବିମାନରୁ ସେମାନଙ୍କ ଉପରକୁ ମିଶାଇଲ ମାଡ଼ କରାଯାଇଥିଲା ।

ଗତ ସପ୍ତାହରେ ଫ୍ରାନ୍ସ ଏହି ଅଞ୍ଚଳରେ ଜିହାଦୀମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଥିଲା । ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ କହିଛନ୍ତି, ମୁଁ ଏମିତି ଏକ ଅପରେସନ୍ ବିଷୟରେ କହିବାକୁ ଚାହେଁ ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଅକ୍ଟୋବର ୩୦ରେ କାର୍ଯ୍ୟକାରୀ କରାଯାଇଥିଲା । ଏହା ଅପରେସନ୍‌ରେ ପ୍ରାୟ ୫୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଖାଲି ସେତିକି ନୁହେଁ ଏହି ଅପରେସନ୍‌ରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି ।

France Air Strike

ଆଇଏସ୍ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ଜାରି:

ସେନା ମୁଖପାତ୍ର ବାର୍ବରୀ ଏହା ମଧ୍ୟ କହିଛନ୍ତି ଯେ, ମାଲିରେ ଆଇଏସ୍‌ ଆତଙ୍କବାଦୀର ଶାଖା ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଇନ୍‌ ଗ୍ରେଟର ସାହାରା’ ବିରୋଧରେ ମଧ୍ୟ ଏକ ଅପରେସନ ଆରମ୍ଭ ହୋଇଛି । ଏଥିରେ ପ୍ରାୟ ୩୦୦୦ ସୈନିକଙ୍କୁ ନିୟୋଜିତ କରାଯାଇଛି । ଏହି ଅପରେସନ୍ ପ୍ରାୟ ମାସେ ପୂର୍ବରୁ ଆରମ୍ଭ ହୋଇଥିଲା । ଏହାର ଫଳାଫଳ ଆଗାମୀ ଦିନରେ ପ୍ରକାଶ କରାଯିବ । ମିଳିତ ଜାତିସଂଘ ପକ୍ଷରୁ ଶାନ୍ତି ପ୍ରତିଷ୍ଠା ପାଇଁ ମାଲିରେ ୧୩ ହଜାର ସୈନ୍ୟଙ୍କୁ ମୁତୟନ କରାଯାଇଛି । ଏହା ସହିତ ଫ୍ରାନ୍ସ ଏହି ଅଞ୍ଚଳରେ ୫ ହଜାର ୧୦୦ ସୈନ୍ୟଙ୍କୁ ନୟୋଜିତ କରିଛି ।

କରୋନା କାଳରେ ବାଣ ବଢ଼ାଇବ ବିପଦ, ଅଣନିଃଶ୍ୱାସୀ ହେବେ କରୋନା ରୋଗୀ

ଭୁବନେଶ୍ୱର: କରୋନା ପାଇଁ ଏବେ ସାରା ବିଶ୍ୱ କଷ୍ଟ ପାଉଛି । ଭ୍ୟାକ୍ସିନ ବାହାରି ନଥିବାରୁ ଲୋକେ ଭୟରେ ଜୀବନ ବିତାଉଛନ୍ତି । କରୋନା ପାଇଁ ଦେଶରେ ଗତ କିଛି ପର୍ବ ପର୍ବାଣିକୁ ବାରଣ କରାଯାଇଥିବାବେଳେ କିଛି ପର୍ବପର୍ବାଣିକୁ ବିନା ଦର୍ଶକରେ ପାଳନ କରାଯାଇଛି । ତେବେ ଆଗକୁ ଆସୁଛି ଦୀପାବଳି ପର୍ବ । ସେଦିନ ପୁରା ଦେଶ ବାଣ ଫୁଟାଇବା ସହ ଘରେ ଦୀପ ଜାଳିଥାନ୍ତି । କିନ୍ତୁ ଚଳିତ ବର୍ଷ ବାଣଜନିତ ପ୍ରଦୂଷଣ ବିପଦ ବଢ଼ାଇବା ଆସଙ୍କା ରହିଛି । ବିଷ ବଳୟ ପାଲଟିବ ବାୟୁମଣ୍ଡଳ । ଅଣନିଃଶ୍ୱାସୀ ହେବେ କରୋନା ରୋଗୀ । ସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଆଶଙ୍କା ।

ଦୀପାବଳିରେ ବାଣଫୁଟାକୁ ଅନୁମତି ମିଳିଲେ ପ୍ରଦୂଷଣ ମାତ୍ରା ୫୦ ପ୍ରତିଶତ ବଢ଼ିଯିବ । ଫଳସ୍ୱରୂପ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିବ। ଯେଉଁମାନେ କରୋନାରୁ ସୁସ୍ଥ ହୋଇଛନ୍ତି, ସେମାନଙ୍କ ଫୁସ୍‌ଫୁସ୍‌ଜନିତ ସମସ୍ୟା ଦେଖାଦେଇପାରେ । ସେମାନେ ପୁଣି ଆକ୍ରାନ୍ତ ହେବା ଆଶଙ୍କା ରହିଛି  । ଏଭଳି ଆଶଙ୍କା କରି କେନ୍ଦ୍ର ସରକାରଙ୍କୁ ଜାତୀୟ ଗ୍ରୀନ ଟ୍ରିବୁନାଲ- ଏନ୍‌ଜିଟି ନୋଟିସ କରିଛି । ଏବର୍ଷ ଦୀପାବଳିରେ ବାଣ ନଫୁଟାଇକୁ ଡାକ୍ଟର ପରାମର୍ଶ ଦେଇଛନ୍ତି ।

ଦୀର୍ଘ ୭ ମାସର କଠିନ ପରିଶ୍ରମ ପରେ ରାଜ୍ୟରେ କରୋନା ସଂକ୍ରମଣର ପାରା କମିଛି । ଗତ ମାର୍ଚ୍ଚ ମାସଠାରୁ ସମସ୍ତ ପାର୍ବଣ ଓ ଉତ୍ସଵ ଉପରେ ଲାଗିଛି ଅଙ୍କୁଶ । ଏବେ ଶୀତ ଋତୁରେ ସଂକ୍ରମଣ ପୁଣି ଶୀର୍ଷକୁ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆତସବାଜି ଜରିଆରେ ବାୟୁମଣ୍ଡଳକୁ ବିଷାକ୍ତ ନକରି ଦୀପାବଳିକୁ କେବଳ ଆଲୋକର ପର୍ବ ଭାବେ ପାଳନ କରିବା ଉଚିତ ବୋଲି ପରିବେଶବିତ୍ କହିଛନ୍ତି ।

ୟୁରୋପ୍‌ରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେଲାଣି । ଏଭଳି ସ୍ଥିତିରେ ଦୀପାବଳି ଯେପରି ଲୋକଙ୍କ ଜୀବନକୁ ଅନ୍ଧକାରକୁ ଟାଣି ନନେବ ସେଥିପାଇଁ ସତର୍କ ବହେବାକୁ ପରାମର୍ଶ ଦିଆଯାଇଛି ।

ସରୁଆ ଜମି କେଳେଙ୍କାରୀ ପ୍ରସଙ୍ଗ: ମନୋରଞ୍ଜନ-ଶିବ ପ୍ରସାଦ ମୁହାଁମୁହିଁ ଜେରା , ବଢିଲା ରିମାଣ୍ଡ ଅବଧି

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲା । ଗିରଫ ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ମୁହାଁମୁହିଁ ଜେରା କରାଯାଉଛି ।  ଚଞ୍ଚକତାର ସହ କିଭଳି ଭାବେ ଜମି କିଣାବିକା ହୋଇଥିଲା, ସେ ନେଇ ପଚରାଉଚରା ଚାଲିଛି ।  ସେହିପରି ପୂର୍ବରୁ ଗିରଫ ହୋଇଥିବା ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ୨ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି ।  ତେଣୁ ତଦନ୍ତ ସମ୍ପର୍କରେ ଅଧିକ ପଚରାଉଚରା କରିବା ପାଇଁ ତାଙ୍କ ରିମାଣ୍ଡ ଅବଧିକୁ ଗୋଟିଏ ଦିନ ବୃଦ୍ଧି କରାଯାଇଛି ।

ଜମିହଡ଼ପ କେଳେଙ୍କାରୀରେ ଗିରଫ ହେବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଓଡିଶା ଇନଫ୍ରାଟେକର କର୍ମଚାରୀ । ଆଗକୁ ମଧ୍ୟ ଗିରଫଦାରୀର ତାଲିକା ଆହୁରି ଲମ୍ବିବାର ସମ୍ଭାବନା ରହିଛି  । ଓଡିଶା ଇନଫ୍ରାଟେକ୍ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।  ଜମି କିଣା ବିକା ବେଳେ କେଉଁମାନେ ସାମିଲ ଥିଲେ ? ଏସସି ଏସଟିମାନଙ୍କ ଜମି କିଭଳି ଜାଲିଆତି କରି କିଣାଗଲା ? ନିୟମ ଅନୁସାରେ ଏସସି ଏସଟି ଜମିକୁ କେବେଳ ସେହିମାନେ କିଣି ପାରିବେ, କିନ୍ତୁ ଇନଫ୍ରାଟେକ୍ କମ୍ପାନୀ କିପରି କିଣିଲା ? ଏ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ର କାରୀ କିଏ ? ଜମି କିଣା ବିକା ବେଳେ କେତେ ଟଙ୍କାର କାରବାର ହୋଇଥିଲା ? କେଉଁ ଜମିକୁ କେତେ ଟଙ୍କାରେ କିଣା ହୋଇଥିଲା ? କାଗଜପତ୍ର ରେ କେତେ ଟଙ୍କା ଦର୍ଶାଯାଇଛି ? ଏଭଳି ଅନେକ ପ୍ରଶ୍ନ କରୁଛି କ୍ରାଇମବ୍ରାଞ୍ଚ ।

ଏ ମାମଲାରେ ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି । ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍ ଜାଲ୍, ପ୍ରତାରଣା ଓ ଭୟ ଦେଖାଇ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମି କିଣିଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଏନେଇ ଅଭିଯୋଗ ହେବା ପରେ ପ୍ରଥମେ ବାଘମାରୀ ପୋଲିସ ଘଟଣାର ତଦନ୍ତ କରୁଥିଲା । ପୂର୍ବରୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲୁ  । ୨ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଥିଲେ ।  ୨୯ ତାରିଖରେ ସାରୁଅରେ କ୍ରାଇମବ୍ରାଞ୍ଚ ଟିମ୍‌ ସରଜମିନ ତଦନ୍ତ କରିବା ସହ ଲୋକଙ୍କ ମତ ନେଇଥିଲା । ଗତ ୧୪ ତାରିଖରେ ବହୁ ଚର୍ଚ୍ଚିତ ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି ହଡପ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ।