ଖୋଲୁଛି ଗୁମର, ସ୍କାଏ କିଙ୍ଗ୍‌ ଦେଲା ପାଠକ‌ ପରିବାରର ମଉଜ ଖର୍ଚ୍ଚ ତାଲିକା…

1 min read
Sky King, Abhay Pathak

ଭୁବନେଶ୍ୱର: ପାଠକ ବାପା-ପୁଅଙ୍କ ବିରୋଧରେ ଛାନ୍‌ଭିନ୍‌ କରିବା ପାଇଁ ସ୍କାଏ କିଙ୍ଗ୍‌ ଅଫିସ୍‌ରେ ପହଞ୍ଚିଛି ପୋଲିସ । ଖାରବେଳ ନଗର ଥାନାରେ ସ୍କାଏ କିଙ୍ଗ୍‌ର ଅଧିକାରୀ ପ୍ରଭାସ ଚୌଧୁରୀ ମଙ୍ଗଳବାର ରାତିରେ ଅଭିଯୋଗ କରିବା ପରେ ବୁଧବାର ସକାଳୁ ଏହାର ତଦନ୍ତ କରିବା ପାଇଁ ପୋଲିସ ପହଞ୍ଚିଥିଲା ସ୍କାଏ କିଙ୍ଗ୍‌ ଅଫିସ୍‌ରେ । ଆଉ ଅଭିଯୋଗ ଅନୁଯାୟୀ ଆକାଶ ପାଠକ ବିରୋଧରେ ସବୁ ତଥ୍ୟ ସଂଗ୍ରହ କରିଛି ।

Allegation Against Pathak Son And Father Not Paying Charter Flight Rent Amount

ସ୍କାଏ କିଙ୍ଗ୍‌ କମ୍ପାନୀକୁ ଫ୍ଲାଇଟ୍‌ ବୁକିଂରେ ଠକିଛନ୍ତି ଆକାଶ ପାଠକ । ଜୁନରୁ ନଭେମ୍ୱର ଭିତରେ ୧୧ ଥର କରିଛନ୍ତି ବୁକିଂ । ଆଉ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ବୁକିଂ କରିଥିଲେ ଆକାଶ । ଟାଟା କମ୍ପାନୀର ଜାଲ୍‌ ଲେଟର୍‌ ପ୍ୟାଡ୍‌ରେ ନିଜେ ଚିଠି ଲେଖି ଦେଇଥିଲେ ଫ୍ଲାଇଟ୍‌ ବୁକ୍‌ କରିବାକୁ । ତେବେ ସ୍କାଏ କିଙ୍ଗ୍ ଫ୍ଲାଇଟ୍‌ ବୁକିଂ ବାବଦରେ ଆକାଶଙ୍କ ନାଁରେ ୨.୫୯ କୋଟି ଟଙ୍କା ବିଲ୍ ହୋଇଥିବା ଜଣାପଡ଼ିଛି । ପୋଲିସକୁ ଆକାଶଙ୍କ ସହ ହୋଇଥିବା ସବୁ ଡିଲ୍‌ର ଦସ୍ତାବିଜ୍‌ ଦେଇଛି ସ୍କାଏ କିଙ୍ଗ୍‌ ।

ସେପଟେ ଆକାଶଙ୍କ ହୋଟେଲ ବୁକିଂ ବାବଦରେ କେତେ ଖର୍ଚ୍ଚ ହୋଇଛି ସେନେଇ ମଧ୍ୟ ରିପୋର୍ଟ ସାମ୍ନାକୁ ଆସିଛି । ୧୭ଲକ୍ଷ ୧୫ହଜାର ୨୩୪ଟଙ୍କାର ହୋଟେଲ୍‌ ବିଲ୍‌ ସାମ୍ନାକୁ ଆସିଛି । ତେବେ ସ୍କାଏ କିଙ୍ଗ୍‌ ପକ୍ଷରୁ ମୋଟ୍‌ ୨କୋଟି ୭୮ଲକ୍ଷ ୩୯ ହଜାର ୮୭ ଟଙ୍କାର ବିଲ୍ ଆକାଶଙ୍କୁ ଦିଆଯାଇଛି । ହେଲେ ସ୍କାଏ କିଙ୍ଗ୍‌ ପାଇଛି ୨କୋଟି ୧୩ଲକ୍ଷ ୨୨ହଜାର ୮୫୪ ଟଙ୍କା । ଆହୁରି ୬୫ ଲକ୍ଷ ୨୬ ହଜାର ୨୩୩ ଟଙ୍କା ବକେୟା ରଖିଛନ୍ତି ଆକାଶ ।

ଜୁନ୍ ୧୦ରୁ ୧୨ମଧ୍ୟରେ ୩ଥର ଏହି ଫ୍ଲାଇଟ ବୁକିଂ କରାଯାଇଛି । ଫ୍ଳାଇଟ୍‌ରେ ଭୁବନେଶ୍ୱରରୁ ଜାମସେଦପୁର, ଜାମସେଦପୁରରୁ ଭୁବନେଶ୍ୱର ଯାଇଥିଲେ ଆକାଶ । ଆକାଶ ପୁଣି ଭୁବନେଶ୍ୱରରୁ ପୁଣେ ଯାଇଥିଲେ ଚାର୍ଟର ଫ୍ଲାଇଟରେ । ଏବାବଦରେ ଭଡ଼ା ୧୪ ଲକ୍ଷ ୧୬ହଜାର ୫୯୦ଟଙ୍କା ଖର୍ଚ୍ଚ ହୋଇଛି । ଜୁଲାଇ୧୦ ଓ ୧୧ରେ ୨ଥର ହୋଇଥିଲା ଫ୍ଲାଇଟ ବୁକିଂ । ପୁଣେରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ପୁଣେ ଫେରିଥିଲେ ଆକାଶ । ଏଥିପାଇଁ ଭଡ଼ାଥିଲା ୨୨ଲକ୍ଷ ୩୬ହଜାର ୧୦୦ଟଙ୍କା ।

୩୧ଜୁଲାଇରେ ଭୁବନେଶ୍ୱରରୁ ପୁଣେ ଯାଇଥିଲେ ଆକାଶ ପାଠକ । ଦିନକ ପାଇଁ ଭଡ଼ା ଥିଲା ୧୩ଲକ୍ଷ ୬୦ ହଜାର ଟଙ୍କା । ଅଗଷ୍ଟ ୫ ଓ ୬ରେ ପୁଣେରୁ ପାଟନା ଦେଇ ଭୁବନେଶ୍ୱର ଆସିଥିଲେ । ପୁଣି ଥରେ ଫ୍ଳାଇଟ୍‌ରେ ପୁଣେ ଫେରିଥିଲେ ପାଠକ ପରିବାର । ଏବାବଦରେ ମୋଟ ଭଡ଼ା ୪୪ଲକ୍ଷ ୪୮ହଜାର ୬ଶହ ଟଙ୍କା ଖର୍ଚ୍ଚ ହୋଇଛି । ଅଗଷ୍ଟ ୨୬ରେ ମୁମ୍ୱାଇରୁ ଦିଲ୍ଲୀ ଟାର୍ଟର ଫ୍ଲାଇଟ ବୁକିଂ ହୋଇଥିଲା । ଭଡ଼ା ଥିଲା ୨୮ଲକ୍ଷ ୮୯ହଜାର ୭୬୨ ଟଙ୍କା । ଅଗଷ୍ଟ ୨୮ରେ ପୁଣି ଥରେ ଦିଲ୍ଲୀ-ଭୁବନେଶ୍ୱର ଚାର୍ଟର ଫ୍ଲାଇଟ । ଭଡ଼ା ଥିଲା ୨୯ଲକ୍ଷ ୧ହଜାର ୨୭୧ ଟଙ୍କା । ସେପ୍ଟେମ୍ୱର ୩ରେ ଭୁବନେଶ୍ୱର- ପୁଣେ ବୁକିଂ ହୋଇଥିଲା ଚାର୍ଟର ଫ୍ଲାଇଟ । ଭଡ଼ା ଥିଲା ୩୧ଲକ୍ଷ ୪୦ହଜାର ଟଙ୍କା ।

Allegation Against Pathak Son And Father Not Paying Charter Flight Rent Amount

ଜୁନ୍୧୧ରୁ ୧୨ତାରିଖରେ ମେ ଫେୟାର ହୋଟେଲ ବୁକିଂ ବାବଦକୁ ୪୨ହଜାର ୫୮୯ ଟଙ୍କା ବିଲ୍‌ ହୋଇଛି । ଜୁଲାଇ ୯ଓ ୧୦ରେ ମୁମ୍ୱାଇ ତାଜମହଲ ଟାଓ୍ୱାରରେ ମଉଜ କରିଥିଲେ ପାଠକ । ଏଥିପାଇଁ ୧୧ହଜାର ୧୭୬ଟଙ୍କା ବିଲ ହୋଇଛି । ଅଗଷ୍ଟ ୧୬ ଓ୧୭ରେ ମୁମ୍ୱାଇ ତାଜ ହୋଟେଲରେ ରହିଥିଲେ ପାଠକ ପରିବାର । ଏଥିପାଇଁ ୧ଲକ୍ଷ୧୧ହଜାର ୭୬ଟଙ୍କା ବିଲରେ ଦର୍ଶାଯାଇଛି । ଅଗଷ୍ଟ ୨୫ ଓ ୨୬ରେ ତାଜ ହୋଟେଲ ମୁମ୍ୱାଇ- ୧ଲକ୍ଷ୯୦ହଜାର ୮୦୬ଟଙ୍କା, ଅଗଷ୍ଟ ୨୬ ଓ ୨୮ ତାଜ୍‌ ପ୍ୟାଲେସ ଦିଲ୍ଲୀ- ୮ଲକ୍ଷ ୫୧ହଜାର ୭୧୩ ଟଙ୍କା । ଅଗଷ୍ଟ ୨୮ରୁ ସେପ୍ଟେମ୍ୱର ୩ ହୋଟେଲ ମେ ଫେୟାର-୨ଲକ୍ଷ ୯୮ହଜାର ୫୫୫ ଟଙ୍କା ବିଲ୍ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ ଭୂତାଣୁ ଭୟରେ ଲୋକେ ଆତଙ୍କିତ ହୋଇଥିବା ବେଳେ ପାଠକ ପରିବାରର ଚାଲିଥିଲା ମଉଜ ।

ତେବେ ବଳକା ଟଙ୍କା ନଦେଇଥିବାରୁ ଥାନାରେ ଅଭିଯୋଗ ପରେ ପୋଲିସ ଏନେଇ ମାମଲା ରୁଜୁ କରିଛି । ଖାରବେଳ ନଗର ଥାନା ପୋଲିସ ଆଇପିସିର ଧାରା ୪୧୯/୪୨୦/୪୬୮/୪୭୧/୫୦୬/୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ।

Leave a Reply