spot_img
Home Blog Page 6471

ଅଭିନେତା ଅଜିତ ଦାସ କରୋନା ଆକ୍ରାନ୍ତ, ଘରୋଇ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବରିଷ୍ଠ ଅଭିନେତାଙ୍କୁ କରୋନା । ନେତା ପରେ ଏବେ ଅଭିନେତା ହେଉଛନ୍ତି କରୋନା ଆକ୍ରାନ୍ତ । ଓଡ଼ିଆ ଫିଲ୍ମ ଜଗର ଜଣେ ବରିଷ୍ଠ ଅଭିନେତା ତଥା ବରିଷ୍ଠ କଳାକାର ଅଜିତ ଦାଶ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଲିଛି । ପଜିଟିଭ୍ ଚିହ୍ନଟ ପରେ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସେ ବଳିଷ୍ଠ ଅଭିନୟ କରି ଲୋକଙ୍କ ମନରେ ସ୍ଥାନ ସୃଷ୍ଟି କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ତାଙ୍କର ଜନ୍ମ । ଅଜିତ ଛୋଟବେଳରୁ ନାଟକ ସହିତ ଜଡିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।

ajit das 10

ଅଜିତ ଦାସଙ୍କୁ ୧୯୭୬ ମସିହାରେ ନିର୍ମିତ ସିନ୍ଦୁର ବିନ୍ଦୁ କଥାଚିତ୍ରରେ, ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । କଥାଚିତ୍ର ବ୍ୟତିତ, ସେ ଟେଲିଭିଜନ ଓ ମଞ୍ଚନାଟକ ସହିତ ମଧ୍ୟ ଜଡିତ । ସେ, ଅଜିତ ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରିଆସୁଛନ୍ତି ।

ପ୍ରଣବଙ୍କ ଅନ୍ତିମ ଯାତ୍ରା, ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଣବଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି । ଅପରାହ୍ନ ୨.୩୦ରେ ଶେଷକୃତ୍ୟ ସମ୍ପନ୍ନ ହେବ । ଦିଲ୍ଲୀ ସ୍ଥିତ ଲୋଧିଘାଟରେ ପ୍ରଣବଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ପ୍ରଣବଙ୍କ ଅନ୍ତିମଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆର୍ମି ହସ୍ପିଟାଲରୁ ପ୍ରଥମେ ରାଜାଜୀ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନକୁ ପ୍ରଣବଙ୍କ ପାର୍ଥୀବ ଶରୀର ଅଣାଯାଇଥିଲା । ସେଠାରେ ସମସ୍ତେ ତାଙ୍କର ଶେଷ ଦର୍ଶନ କରିଥିଲେ ।

ସୋମବାର ପ୍ରଣବ ମୁଖାର୍ଜୀ ଦୁନିଆକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ଧରି ସେ ଦିଲ୍ଲୀରେ ଆର୍ମି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଫୁସଫୁସରେ ସଂକ୍ରମଣ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଗତ କିଛି ଦିନ ହେଲା ସେ ଡିପ୍ କୋମାରେ ଥିଲେ । ଦେହାନ୍ତ ବେଳକୁ ପ୍ରଣବଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।

ଏହି ମହାନ ନେତାଙ୍କ ବିୟୋଗରେ ଭାରତ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଭବନରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇ ପ୍ରଣବ ମୁଖାର୍ଜୀଙ୍କୁ ସମ୍ମାନ ଜଣାଯାଇଛି । ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ଯାଏଁ ସରକାରୀ ସ୍ତରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ ।

ବଢିପାରେ ଲୋନ ମୋରେଟୋରିୟମ: ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ବଢିପାରେ ଲୋନ ମୋରେଟୋରିୟମ । ମୋରେଟୋରିୟମର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଢାଇବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ତେବେ ଏହି ମୋରେଟୋରିୟମ ସମସ୍ତଙ୍କୁ ନୁହେଁ  କିଛି କ୍ଷେତ୍ରକୁ ମିଳିପାରେ । କେଉଁ କେଉଁ ସେକ୍ଟରକୁ ମୋରେଟୋରିୟମର ସୁବିଧା ମିଳିବ ତା’ର ସୂଚୀ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି । ଆମେ ଏଭଳି ସେକ୍ଟରକୁ ବାଛୁଛୁ ଯେଉଁମାନଙ୍କୁ ସେମାନଙ୍କ କ୍ଷତିକୁ ଦେଖି ମୋରେଟୋରିୟମର ସୁବିଧା ଦିଆଯିବ ବୋଲି କେନ୍ଦ୍ର ସତ୍ୟପାଠରେ କହିଛି ।

ସୂଚନାଯୋଗ୍ୟ ଯେ, ମୋରେଟୋରିୟମ ଉପରେ ସୁଧକୁ ନେଇ ଗତ ଶୁଣାଣି ବେଳେ କେନ୍ଦ୍ର ଉପରେ ପ୍ରବଳ ବର୍ଷିଥିଲେ ସୁପ୍ରିମକୋର୍ଟ । ଆରବିଆଇର ବାହାନା ଦେଖାଇ କେନ୍ଦ୍ର ସରକାର ନିଜ ଦାୟିତ୍ୱରୁ ଲୁଚି ରହିପାରିବେନି ବୋଲି କୋର୍ଟ କହିଥିଲେ । ଗତକାଲିଠାରୁ ଇଏମଆଇ କୋହଳ ନୀତିର ଅବଧି ସମାପ୍ତ ହୋଇଥିବା ବେଳେ କେନ୍ଦ୍ର ସରକାର ଆଜି କୋର୍ଟରେ ଆଗାମୀ ଯୋଜନା ନେଇ ସତ୍ୟପାଠ ଉପସ୍ଥାପନା କରିଛନ୍ତି । କରୋନା କଟକଣା ସମୟରେ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ବିଭିନ୍ନ କମ୍ପାନୀ ଓ ଜନସାଧାରଣଙ୍କ ପାଇଁ ଇଏମଆଇ ଭରଣ ନେଇ କେନ୍ଦ୍ର ସରକାର ନିୟମ କୋହଳ କରିଥିଲେ । ଅଗଷ୍ଟ ୩୧ ପର୍ଯନ୍ତ ଏହି କୋହଳ କରାଯାଇଥିଲା ।

ଲୋନ ମୋରେଟୋରିୟମ ତଥା ଋଣ କିସ୍ତି ପରିଶୋଧ କରିବାକୁ ମିଳିଥିବା ସମୟ ମଧ୍ୟରେ ସୁଧ ଛାଡ ପାଇଁ ଅନୁରୋଧ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାରେ ସମସ୍ୟା ସରକାରଙ୍କ ଲକଡାଉନ କାରଣରୁ ଦେଖାଦେଇଛି ।

ସୁପ୍ରିମକୋର୍ଟ ସରକାରୀ ପକ୍ଷଙ୍କୁ କହିଛନ୍ତି ଯେ, ‘ଆପଣ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଏହି ମାମଲାରେ ନିର୍ଣ୍ଣୟ ନେଇଛନ୍ତି । ଆମେ ଏଥିରେ ରିଜର୍ଭ ବ୍ୟାଙ୍କର ଉତ୍ତର ଦେଖିଛୁ । କେନ୍ଦ୍ର ସରକାର ଆରବିଆଇ ପଛରେ ଲୁଚିବାକୁ ଚେଷ୍ଟା କରୁଛି । ’

ଗତ ମାର୍ଚ୍ଚରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଏହା ଅଧୀନରେ, କିସ୍ତି ଦେୟ ଉପରେ ୬ ମାସ ରିହାତି ଦିଆଯାଇଥିଲା, ଯାହା କମ୍ପାନୀ ଏବଂ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲା । ରିହାତି କିମ୍ବା କିସ୍ତି ଦେୟ ଉପରେ ପ୍ରତିବନ୍ଧକ ଅବଧି ୩୧ ଅଗଷ୍ଟରେ ଶେଷ ହେଉଛି ଏବଂ ଏହାକୁ ୩୧ ଅଗଷ୍ଟରୁ ଅଧିକ ବଢ଼ାଯାଇପାରିବ ନାହିଁ ।

ମୋରାଟୋରିୟମ କ’ଣ?

ବାସ୍ତବରେ, ଲୋନ ମୋରେଟୋରିୟମ ଏକ ପ୍ରକାର ସୁବିଧା ଯାହା କରୋନା ଦ୍ୱାରା ପ୍ରଭାବିତ ଗ୍ରାହକ କିମ୍ବା କମ୍ପାନୀମାନଙ୍କୁ ଦିଆଯାଉଥିଲା । ଏହା ଅଧୀନରେ ଗ୍ରାହକ କିମ୍ବା କମ୍ପାନୀ ସେମାନଙ୍କର ମାସିକ କିସ୍ତି ସ୍ଥଗିତ ରଖିପାରିବେ । ଏହି ସୁବିଧା ପାଇବାବେଳେ ତୁରନ୍ତ ରିଲିଫ୍ ମିଳୁଥିବା ସତ କିନ୍ତୁ ପରେ ଅଧିକ ଅର୍ଥ ଦେବାକୁ ପଡିବ । ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ସୁବିଧା କେବଳ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।

ବ୍ୟାଙ୍କର୍ସ ମାନେ କରିଥିଲେ ଆବେଦନ

ସମ୍ପ୍ରତି ଦେଶର ଅନେକ ବଡ ବ୍ୟାଙ୍କର୍ସ ଏହି ସୁବିଧା ବୃଦ୍ଧି ନକରିବାକୁ ନିବେଦନ କରିଥିଲେ । HDFC ଲିମିଟେଡର ଚେୟାରମ୍ୟାନ୍ ଦୀପକ ପାରେଖ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଉଦୟ କୋଟାକ୍ କହିଛନ୍ତି ଯେ ଅନେକ ଲୋକ ଏହାର ଅଯଥା ଫାଇଦା ନେଉଥିବାରୁ ଏହି ସୁବିଧା ଆଗକୁ ବଢ଼ିବା ଉଚିତ ନୁହେଁ ।

 

ଏବେ ସୁଧୁରିବନି ବନ୍ୟା ସ୍ଥିତି, ଜଳ ନିଷ୍କାସନକୁ ଲାଗିବ ଆହୁରି ୩ ଦିନ

ଭୁବନେଶ୍ୱର: ଅଧା ରାଜ୍ୟ ବନ୍ୟା ଜଳରେ ଉବୁଟୁବୁ । ବର୍ଷା ଥମି ଯାଇଥିଲେ ମଧ୍ୟ ଏବେ ବି ଅଧା ରାଜ୍ୟ ପାଣି ଘେରରେ । ଜଳବନ୍ଦୀରେ ରହିଛି ଅନେକ ଗାଁ । ଯାତାୟତ ବି ଠପ୍‌ ।  ହେଲେ ମହାନଦୀରେ ଜଳସ୍ତର ସ୍ଥିର ରହିଥିବା ସୂଚନା ମିଳିଥିବା ବେଳେ ଏବେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୁଧୁରୁଥିବା ଦେଖାଯାଇଛି । ତେବେ ଏଭଳି ପରିସ୍ଥିତିରେ ଏବେ ବନ୍ୟା ପୀଡ଼ିତଙ୍କ ପାଇଁ ନୂଆ ସଙ୍କଟ ଦେଖାଯାଇଛି । ମହାନଦୀରେ ପ୍ରବାହିତ ହୋଇ ବନ୍ୟା ଜଳ ସମୁଦ୍ର ମିଶିବାକୁ ଥିବା ବେଳେ ତାହା ଏବେ ବନ୍ଦ ହୋଇଯାଇଛି । ବନ୍ୟା ଜଳ କମିବା ପାଇଁ ଆହୁରି ତିନି ଦିନ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Sea

ବିଶେଷଜ୍ଞଙ୍କ କହିବାନୁଯାୟୀ ପୂର୍ଣ୍ଣିମା ଯୋଗୁଁ ଏବେ ପାଣି ଟାଣୁନି ସମୁଦ୍ର । ଜଳ ନିଷ୍କାସନ ପାଇଁ ଆହୁରି ୩ ଦିନ ସମୟ ଲାଗିବ । ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦକୁ ୩ ଲକ୍ଷ ୫୯ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ଅନ୍ୟପଟେ ୨୪ଟି ଗେଟ୍‌ ଦେଇ ୪ ଲକ୍ଷ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି । ସେହିଭଳି ମୁଣ୍ଡୁଳିରେ ୯ ଲକ୍ଷ ୮୦ ହଜାର ଘନଫୁଟ ବନ୍ୟାଜଳ ଏବେ ବି ପ୍ରବାହିତ ହେଉଛି । ହୀରାକୁଦରେ ଏବେ ଜଳ ସ୍ଥିର ରହିଛି । ଜଳସ୍ତର ୬୨୫.୭୯ ଫୁଟ୍‌ ରହିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩୬ଟି ଘାଇ ସୃଷ୍ଟି ହୋଇଥିବା ସୂଚନା ରହିଛି ।

ପୂର୍ଣ୍ଣମୀ ପରେ ରାଜ୍ୟର ବନ୍ୟା ସ୍ଥିତିରେ ସୁଧାର ଆସିବ । ଏବେ ବନ୍ୟା ଜଳକୁ ସମୁଦ୍ରରେ ମିଶିବାକୁ ଦେଉନି ଜୁଆର । ୭୨୯ ଘଳିଆ ମରାଯାଇଛି । ଘାଇ ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଲାଣି । ଯାଜପୁର ଦତ୍ତପୁରରେ ମଧ୍ୟ ଘାଇ ମରାମତି କାମ ଆରମ୍ଭ ହୋଇଥିବା ବେଳେ ମୟୁରଭଞ୍ଜରେ ମଧ୍ୟ ମରାମତି କାମ ଆରମ୍ଭ ହେବାକୁ ଯାଉଛି । ତେବେ ବର୍ଷା ପାଇଁ ମରାମତି କାମ ବିଳମ୍ବ ହେଉଥିବା ସୂଚନା ମିଳିଛି ।

ରାତିରେ ୯ ଘଣ୍ଟା ଶୋଇବା ପାଇଁ ୧ ଲକ୍ଷ ଦେଉଛି ଏହି କମ୍ପାନୀ!

ବାଙ୍ଗାଲୁରୁ: ଜଣେ ବ୍ୟକ୍ତି ଦିନକୁ ୭ରୁ ୮ ଘଣ୍ଟା ଶୋଇବା ଉଚିତ୍ । କିନ୍ତୁ ଆଜିକାଲି କାମର ଅତ୍ୟଧିକ ଚାପ ହେତୁ ଏଥିରେ ବାଧା ସୃଷ୍ଟି ହେଉଛି । କେହି କେହି ଅତ୍ୟଧିକ ସମୟ ମଧ୍ୟ ଶୋଇଥାନ୍ତି । କିନ୍ତୁ ଏହି ନିଦକୁ ନେଇ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ବାଙ୍ଗାଲୁରୁର ଏକ କମ୍ପାନୀ ‘ସ୍ଲିପ ଇଣ୍ଟର୍ନସିପ’ ନାମକ ଏକ ଯୋଜନା ଆରମ୍ଭ କରିଛି । ଯେଉଁଥିରେ ଜଣେ ବ୍ୟକ୍ତି ରାତିରେ ୯ ଘଣ୍ଟା ଶୋଇବା ପାଇଁ ସକ୍ଷମ ହୋଇଥିବ । ଯେଉଁଥିପାଇଁ କମ୍ପାନୀ ୧ ଲକ୍ଷ ଟଙ୍କା ପ୍ରଦାନ କରିବ ।

ଗଣମାଧ୍ୟମର ଖବର ଅନୁଯାୟୀ ଏହି କମ୍ପାନୀର ନାମ Wakefit । ୧ ଲକ୍ଷ ଟଙ୍କା ଦେବା ସହିତ ସ୍ଲିପ ଏକ୍ସପର୍ଟ, ଫିଟନେସ ଏକ୍ସପର୍ଟ, ଶୋଇବାର ମାନ ପରଖିବା ବ୍ୟକ୍ତି ଏବଂ ଜଣେ ନ୍ୟୁଟ୍ରିସନିଷ୍ଟ ମଧ୍ୟ ଦିଆଯିବ । କିନ୍ତୁ ଏଥିପାଇଁ ଏକ ଖାସ୍‌ ସର୍ତ୍ତ ରହିଛି । ଉକ୍ତ ବ୍ୟକ୍ତିକୁ ୧୦୦ ଦିନ ପର୍ଯ୍ୟନ୍ତ ୯ ଘଣ୍ଟା ଲେଖାଏଁ ଶୋଇବାକୁ ପଡ଼ିବ ।

କେଉଁମାନେ ଏଥିରେ ଭାଗ ନେଇପାରିବେ:

  • ପ୍ରଥମେ ବ୍ୟକ୍ତି ଜଣକ କୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବ ।
  • ଲେକଚର ସମୟରେ ନିଦ ଆସୁଥିବ ।
  • ଶୋଇବାକୁ ଯିବାର ମାତ୍ର ୧୦ରୁ ୨୦ ମିନିଟ ମଧ୍ୟରେ ନିଦ ହେବା ଉଚିତ୍ ।
  • କୋଳାହଳରେ ମଧ୍ୟ ଶୋଇବାର ଅଭ୍ୟାସ ଥିବ ।
  • ସୋସିଆଲ ମିଡିଆରେ କମ ସକ୍ରିୟ ଥିବ ।
  • ମେଡିଟେସନ ସ୍ଲିପ ଟେକନିକରେ ଶୋଇବାର ଅଭ୍ୟାସ ଥିବ ।
  • ଅନଲାଇନ ତଥ୍ୟରେ କମ୍ ଆଗ୍ରହ ଥିବ । ଯଦି ଆପଣ ଏହି ସମସ୍ତ ଗୁଣର ଅଧିକାରୀ ତେବେ ଉକ୍ତ ପ୍ରତିଯୋଗୀତାରେ ସାମିଲ ହୋଇପାରିବେ ।
    ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଏହି କମ୍ପାନୀ ଏହିଭଳି କାର୍ଯ୍ୟକ୍ରମ ଆଣିଛି । ଏହା ପୂର୍ବରୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ୧.୭ ଲକ୍ଷ ଲୋକ ପଞ୍ଜିକରଣ କରିଥିଲେ । କମ୍ପାନୀ ଦ୍ୱାରା ୨୩ ଜଣ ସିଲେକ୍ଟ ହୋଇଥିଲେ ।

ମାତ୍ର ଦୁଇଶହ ଟଙ୍କା ପାଇଁ ସଂଘର୍ଷ, ଚାଲିଗଲା ଦୁଇ ଭାଇଙ୍କ ଜୀବନ…

ଯାଜପୁର: ମାତ୍ର ୨ଶହ ଟଙ୍କା ପାଇଁ ଯାଇଛି ୨ଭାଇଙ୍କ ଜୀବନ । ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ମହାଭାରତ । ଯାଜପୁର ଜିଲ୍ଲା କାଳିଆପାଣି ମହ୍ଲାରସାହି ମାଙ୍କେଡିଆ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ଭାଇ ଭାଇ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମଜୁରୀ ବାବଦ ୨ ଶହ ଟଙ୍କାକୁ ନେଇ ଟାଙ୍ଗିଆରେ ହଣା ହଣି ହୋଇ ୨ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।

ସବୁଦିନ ପରି ସୋମବାର ସକାଳୁ ମଧ୍ୟ ଦୁଇ ଭାଇ ନଣ୍ଡା ମାଙ୍କେଡିଆ (୫୦) ଓ ରସି ମାଙ୍କେଡିଆ (୪୬) କାମ କରିବାକୁ ଯାଇଥିଲେ । ପରେ ମାଲିକ ମଜୁରୀ ଟଙ୍କା ଦେବା ବେଳେ ଖୁଚୁରା ନଥିବାରୁ ବଡ଼ଭାଇ ପାଇବାକୁ ଥିବା ଅବଶିଷ୍ଟ ୨ଶହ ଟଙ୍କା ପ୍ରାପ୍ୟକୁ ସାନଭାଇକୁ ଦେଇଥିଲେ । ପରେ ସନ୍ଧ୍ୟାରେ ଘରକୁ ଫେରିବା ପରେ ବଡ଼ଭାଇ ସାନ ଭାଇକୁ ଟଙ୍କା ମାଗିଥିଲେ । ହେଲେ ସାନ ଭାଇ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଇଠୁ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

ସାନଭାଇ ରସି ହଠାତ୍‌ ଘରୁ ଏକ ଟାଙ୍ଗିଆ ଆଣି ବଡଭାଇ ନଣ୍ଡା ଉପରେ ଆକ୍ରମଣ କରିଥିଲା । ନଣ୍ଡା ମଧ୍ୟ ସେହି ଟାଙ୍ଗିଆ ଛଡାଇ ସାନଭାଇ ରସି ଉପରେ ଆକ୍ରମଣ କରିଥିଲା । ଫଳରେ ଉଭୟେ ଘଟଣା ସ୍ଥଳରେ ହିଁ ଟଳି ପଡିଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ବଡଭାଇ ନଣ୍ଡାକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚିକିତ୍ସା ସମୟରେ ସାନଭାଇ ରସିର ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ପୂରା ପରିବାରରେ ଏବେ ଶୋକାକୂଳ ପରିବେଶ ।

ଦୁଇ ଭାଇଙ୍କ ଗଣ୍ଡଗୋଳ ଖବରପାଇ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥି‌ଲେ । ସେତେବେଳେ ନଣ୍ଡା ମାଙ୍କେଡ଼ିଆ ଭୂଇଁରେ ଲୋଟି ଛଟପଟ ହେଉଥିଲା । ନିଶାସକ୍ତ ଅବସ୍ଥାରେ ଥିବା ସାନଭାଇ ରସିକଙ୍କୁ ଲୋକେ କାବୁ କରି ମାଡ଼ ମାରିବାରୁ ସେ ଲହୁ ଲୁହାଣ ହୋଇଥିଲା । ଗୁରୁତର ନଣ୍ଡା ଓ ରସିଙ୍କୁ ଆମ୍ବୁଲାନ୍ସରେ ୨୫ କିଲୋମିଟର ଦୂର ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇବା ବେଳକୁ ଦେଢ଼ଘଣ୍ଟା ବିତିଯାଇଥିଲା ।

୫ ମାସ ପରେ ଖୋଲିଲା ସୂର୍ଯ୍ୟମନ୍ଦିର, କଟକଣା ଭିତରେ ପରିଦର୍ଶନ କରିବେ ପର୍ଯ୍ୟଟକ

ପୁରୀ/କୋଣାର୍କ: ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ଦୀର୍ଘ ୫ ମାସର ବ୍ୟବଧାନ ପରେ ମଙ୍ଗଳବାରଠୁ ଖୋଲିଛି ମନ୍ଦିର । କେନ୍ଦ୍ରସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ମନ୍ଦିର ଭିତରକୁ ପର୍ଯ୍ୟଟକ ମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯ଼ାଇଛି । ସ୍କ୍ରିନିଂ ସହ ପର୍ଯ୍ୟଟକମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯ଼ାଇଛି । ତେବେ ପର୍ଯ୍ୟଟକମାନେ ବାର୍‌କୋଡ୍‌ ଦ୍ୱାରା ଟିକେଟ୍‌ କାଟି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।

କରୋନା କଟକଣା କାରଣରୁ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ମଙ୍ଗଳବାର ସକାଳ ୮ଟା ସମୟରେ ଖୋଲିଛି । ମିଳିଥିବା ସୂଚନା ଅନୁଯାୟୀ, ସକାଳ ୮ଟାରୁ ଅପହାହ୍ନ ୧ଟା ଭିତରେ ସର୍ବାଧିକ ୧୫୦୦ ଓ ଅପହାହ୍ନ ୧ଟା ପରେ ମାତ୍ର ଏକ ହଜାର ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ ସୁଯୋଗ ମିଳିବ ।

ପର୍ଯ୍ୟଟକଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଏକକାଳୀନ ୧୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିବ । ୧୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଅନୁମତି ମିଳିବନି ବୋଲି କୁହାଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ । ପ୍ରଥମ ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟମନ୍ଦିର କର୍ତ୍ତୃପକ୍ଷ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ବୋଲି ଏଏସଆଇ ଅଧିକାରୀ ନୀରଜ ସିଂହ ସୂଚନା ଦେଇଛନ୍ତି ।

ତେବେ ସକାଳ ୧୦ଟା ସୁଦ୍ଧା ମାତ୍ର ୨ଜଣ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ଲାଗି ଆସିଥିବା ଜଣାଯାଇଛି । ମନ୍ଦିର ଭିତରକୁ ଗାଇଡ୍ ଓ ଫଟୋଗ୍ରାଫରଙ୍କୁ ବାରଣ କରାଯାଇଛି । ମନ୍ଦିର ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ବାରଣ କରାଯାଇଛି ।

ରାଜ୍ୟରେ ପୁଣି ୧୧ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ରାଜ୍ୟରେ ୩୦୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଏବେ ୫୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୧୧ ଜଣ  ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରହିଥିବା ବେଳେ କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

କଟକର ଜଣେ ୭୪ ବର୍ଷୀୟ ମହିଳା ମୃତ୍ୟୁ ବରଣ କରିଛନ୍ତି । ସେ ପୂର୍ବରୁ ଡାଇବେଟିସ୍‌ ଓ ହାଇପର ଟେନ୍‌ସନ୍‌ରେ ଆକ୍ରାନ୍ତ ଥିଲେ । ସେହିଭଳି ଗଞ୍ଜାମରୁ ଜଣେ ୬୦ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଥିବା ବେଳେ ସେ ଭିଷଣ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ । ଜଗତସିଂହପୁର ଜିଲ୍ଲାର ଜଣେ ୩୫ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି ।  ଯିଏ କି କ୍ରୋନିକ୍‌ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । କନ୍ଧମାଳ ଜିଲ୍ଲାର ୪୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ।

ଆଉ ଜଣେ ଖୋର୍ଦ୍ଧାର ୫୫ ବର୍ଷୀୟ ମହିଳା ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଯିଏ କି ଡାଇବେଟିସ୍‌ ଓ କ୍ରୋନିକ୍‌ ଅବଷ୍ଟ୍ରକ୍‌ଟିଭ୍‌ ପୁଲମୋନାରୀ ଡିଜିଜ୍‌ରେ ଆକ୍ରାନ୍ତ ଥିଲେ‌ । ଖୋର୍ଦ୍ଧାରୁ ୭୩ ବର୍ଷୀୟ ଜଣେ ପରୁଷ ମୃତ୍ୟୁ ବରଣ କରିଥିଲେ । ସେ ମଧ୍ୟ ଡାଇବେଟିସ୍‌ ଓ ହାଇପର୍‌ଟେନ୍‌ସନ୍‌ରେ ପୀଡ଼ିତ ଥିଲେ‌ । ମୟୂରଭଞ୍ଜ ଜିଲ୍ଲାରୁ ମଧ୍ୟ ଜଣେ ୮୦ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଥିଲେ । ମୟୁରଭଞ୍ଜରୁ ଜଣେ ୬୦ ବର୍ଷୀୟ ମହିଳା ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ।

ପୁରୀରୁ ଜଣେ ୪୦ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ଡାଇବେଟିସ୍‌ ହାଇପରଟେନ୍‌ସନ୍‌ରେ ପୀଡ଼ିତ ଥିଲେ । ସେହି ପୁରୀ ଜିଲ୍ଲାରୁ ଆଉ ଜଣେ ୮୫ ବର୍ଷୀୟ ପରୁଷ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ରାୟଗଡ଼ା ଜିଲ୍ଲାରରୁ ଜଣେ ୪୫ ବର୍ଷୀୟ ପୁରୁଷ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ସେ ଡାଇବେଟିସ୍‌ ଓ ହାଇପର୍‌ଟେନ୍‌ସନ୍‌ରେ ଆକ୍ରାନ୍ତ ଥିଲେ ।

DRDO ଗେଷ୍ଟ ହାଉସରେ ପହଞ୍ଚିଲେ ରିୟାଙ୍କ ପରିବାର, ପଚରାଉଚରା କରିବ ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମାମଲାରେ ରିୟାଙ୍କୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି । ଯଦିଓ ସିବିଆଇ ଆଜି ରିୟାଙ୍କୁ ପଚରାଉଚରା କରିବ ନାହିଁ ,କିନ୍ତୁ ଗତ ୪ ଦିନ ମଧ୍ୟରେ ସିବିଆଇ ରିୟାଙ୍କୁ ୩୫ ଘଣ୍ଟା ଧରି ପଚରାଉଚରା କରିଛି । ସୋମବାରକୁ ରିୟାଙ୍କୁ ୯ ଘଣ୍ଟା ପଚରାଉଚରା କରିଛି ସିବିଆଇ । ତେବେ ସେହି ସମୟରେ ରିୟାଙ୍କୁ ଡ୍ରଗ୍ସ କାରବାରକୁ ନେଇ ପଚରାଉଚରା କରାଯାଇଛି, ଏବଂ ଏହାର ଠିକ ଭାବରେ ରିୟା ଉତ୍ତର ଦେଇପାରିନାହାଁନ୍ତି ବୋଲି ଆଲୋଚନା ହେଉଛି । ସୋମବାର ଦିନ ସିବିଆଇ ରିୟାଙ୍କ ସମେତ ୮ ଜଣଙ୍କୁ ଜେରା କରିଛି । ଅନ୍ୟ ପକ୍ଷରେ ଇଡି ଡ୍ରଗ୍ସ ମାମଲାକୁ ନେଇ ତଦନ୍ତ ଜାରି ରଖିଛି । ଆଜି ପୁଣି ଗୌରବ ଆର୍ଯ୍ୟ ଇଡିରେ ଉପସ୍ଥିତ ହେବେ । ଇଡି କୁନାନ ଜାନିଙ୍କୁ ମଧ୍ୟ ପଚରାଉଚରା ପାଇଁ ଡାକିଛି ।

 

ଅନ୍ୟ ପକ୍ଷରେ ସୁଶାନ୍ତଙ୍କ ମାମଲାକୁ ନେଇ ସିବିଆଇର ରିଭ୍ୟୁ ମିଟିଂ ଜାରି ରହିଛି । ରିୟାଙ୍କୁ ପଚରାଉଚରା ପରେ ଆଜି ତାଙ୍କୁ ନୁହେଁ ବରଂ ତାଙ୍କ ପରିବାରକୁ ଡକାଯାଇଛି ।
ନିକଟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା କୀର୍ତ୍ତି ସିଂ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତ ଦିବ୍ୟାଙ୍ଗ ପିଲାଙ୍କର ପରର୍ଫମାନ୍ସ ଦେଖି ଆନନ୍ଦ ନେଉଥିବାର ନଜର ଆସିଛି । ସେମାନଙ୍କ ଟ୍ୟାଲେଣ୍ଟ ଦେଖି ସୁଶାନ୍ତ ସେହି ପିଲା ମାନଙ୍କୁ ସଲାମ କରୁଥିବାର ଦେଖିବାକୁ ମିଳିଛି । ଭିଡ଼ିଓ ଶେୟାର କରି ଶ୍ୱେତା ଲେଖିଛନ୍ତି, ଇଏ ମୋ ଭାଇ । #MyBrotherTheBest #JusticeForSushantSinghRajput #GlobalPrayersForSSR

ଶ୍ୱେତା ତାଙ୍କର ପ୍ରତ୍ୟେକଟି ଭିଡ଼ିଓରେ ସୁଶାନ୍ତଙ୍କ ସମସ୍ତ ପ୍ରଶଂସକଙ୍କୁ ଗୋଟିଏ ପରିବାର କହି ଖୁବ ଧନ୍ୟବାଦ ଜଣାଇବା ସହ ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ଲେଖୁଥିବା ସୋସିଆଲ ମିଡିଆରେ ନଜର ଆସିଛି ।

ରାଜ୍ୟରେ ୩୦୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ୩୦୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୧୮୪୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୮୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଆଉ ୪୦୫୩ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ରାଜ୍ୟରେ ଏବେ ସୁଦ୍ଧା ୧୮,୩୯,୮୫୪ ଜଣଙ୍କ ନମୁନା ପରୀକ୍ଷା ସରିଛି । ସେଥିମଧ୍ୟରୁ ୧,୦୬,୫୬୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭୭,୨୮୬ । ଅନ୍ୟପଟେ ଏବେ ୨୮,୭୧୯ଟି ମାମଲା ସକ୍ରିୟ ରହିଛି ।

ଅନୁଗୁଳରୁ ୫୮, ବାଲେଶ୍ୱର ୪୦, ବରଗଡ଼ ୬୧, ଭଦ୍ରକ ୯୪, ବଲାଙ୍ଗିର ୨୪, ବୌଦ୍ଧ ୯, କଟକ ୩୧୨, ଦେଓଗଡ଼ ୧, ଢ଼େଙ୍କାନାଳ ୧୩୨, ଗଜପତି ୨୯, ଗଞ୍ଜାମ ୨୦୭, ଜଗତସିଂହପୁର ୭୮, ଯାଜପୁର ୮୫, ଝାରସୁଗୁଡ଼ା ୫୯, କଳାହାଣ୍ଡି ୮୨, କନ୍ଧମାଳ ୨୨, କେନ୍ଦ୍ରାପଡ଼ା ୧୨୮, କେନ୍ଦୁଝରରୁ ୫୦, ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି କୋରାପୁଟରୁ ୧୩୯, ମାଲକାନଗିରି ୩୨, ମୟୂରଭଞ୍ଜ ୨୧୫, ନବରଙ୍ଗପୁର ୪୬, ନୟାଗଡ଼ ୬୭, ନୂଆପଡ଼ା ୭୯, ପୁରୀ ୧୩୬, ରାୟଗଡ଼ା ୧୩, ସମ୍ବଲପୁର ୮୩, ସୋନପୁର ୨୨, ସୁନ୍ଦରଗଡ଼ରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି ।