spot_img
Home Blog Page 6355

୨୯ରେ ଆସୁଛି ଆଉ ଏକ ଲଘୁଚାପ ! ଏହା ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୨୯ରେ ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ପୁଣି ଭିଜିବ ରାଜ୍ୟ । କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସୋନପୁରରେ ୧୩.୯ ଡିଗ୍ରୀ, ଭୁବନେଶ୍ୱରରେ ୧୮.୨ ଗ୍ରୀ ଏବଂ କଟକରେ ୧୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ତାପମାତ୍ରା ୩ରୁ ୪ଡ଼ିଗ୍ରୀ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ

କେନ୍ଦ୍ରାପଡ଼ା: ଦୋବନ୍ଧା ଛକରେ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଠିକାଦାର ହେଲେ ପଟ୍ଟାମୁଣ୍ଡାଇ ପୋଖରୀଆପଡ଼ାର ଶୁଭେନ୍ଦୁ ରାଉତ । ଗତକାଲି ବିଳମ୍ବିତ ରାତିରେ ସେ କେନ୍ଦ୍ରାପଡ଼ାରୁ ଘରକୁ ଫେରୁଥିଲେ । ଏହି ସମୟରେ ଏକ ପଲସରରେ ୨ ଦୁର୍ବୃତ୍ତ ପିଛା କରିଥିଲେ ଏବଂ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଶୁଭେନ୍ଦୁ ଚେତାଶୂନ୍ୟ ହୋଇପଡିଥିବା ଦେଖି ଦୁର୍ବୃତ୍ତମାନେ ସେମାନଙ୍କୁ ଛାଡି ପଳାଇଥିଲେ ।

ଘଟଣାସ୍ଥଳରୁ ଶୁଭେନ୍ଦୁଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ହୋଇଥିବା ଟେଣ୍ଡର ଫିକ୍ସିଂର ଭିଡିଓ ଭାଇରାଲ କରିଥିଲେ ଶୁଭେନ୍ଦୁ । ଏହାସହ କାର୍ଯ୍ୟାଳୟରେ କାମ କରୁଥିବା ତିନିଜଣ ଅଧିକାରୀଙ୍କ ନାମରେ ବିଭିନ୍ନ ଦୁର୍ନୀତିର ଅଭିଯୋଗ ଆଣି ସେ ଚର୍ଚ୍ଚାରେ ଥିଲେ । ଏଥିପାଇଁ ଆକ୍ରମଣ କରିଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

ଭାରତୀୟ ନୌସେନାର MiG-29K ଦୁର୍ଘଟଣାଗସ୍ତ; ପାଇଲଟ ନିଖୋଜ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ମିଗ୍-୨୯କେ ଏୟାରକ୍ରାଫ୍ଟ ଗୁରୁବାର ସନ୍ଧ୍ୟାରେ ଦୁର୍ଘଟଣାର ଶିକାର ହୋଇଛି। ଏହି ଘଟଣାର ପାଇଲଟ ଜଣକ ନିଖୋଜ ହୋଇଯାଇଛନ୍ତି ।

ଭାରତୀୟ ନୌସେନାର ଅନୁଯାୟୀ ଗୁରୁବାର ସନ୍ଧ୍ୟା ପ୍ରାୟ ପାଞ୍ଚଟା ବେଳେ ମିଗ-୨୯କେ ଦୁର୍ଘଟଣା ହୋଇ ବିମାନଟି ସମୁଦ୍ରରେ ଖସିପଡିଥିଲା। ବିମାନର ଜଣେ ପାଇଲଟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ପାଇଲଟଙ୍କର ପତ୍ତା ମିଳିପାରିନାହିଁ ।

ସୂଚନା ଅନୁଯାୟୀ ନୗେସେନା ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ମିଗ୍ ବିମାନକୁ ଟ୍ରେନର ବିମାନ ଭାବରେ ବ୍ୟବହୃତ କରାଯାଉଥିଲା | ବିମାନର ଦ୍ୱିତୀୟ ପାଇଲଟ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି।

ଆହୁରି ମଧ୍ୟ ଏହି ମିଗ୍-୨୯ INS ବିକ୍ରମାଦିତ୍ୟରେ ନିୟୋଜିତ ରହିଥିଲା।

ନୀତି ଆୟୋଗ ପୁସ୍ତକରେ ସ୍ଥାନ ପାଇଲା ଓଡ଼ିଶାର କୋଭିଡ୍ ପରିଚାଳନା କାହାଣୀ

ଭୁବନେଶ୍ୱର: ଦେଶର ପ୍ରଥମ ରାଜ୍ୟ ଭାବେ ସବୁ ଜିଲ୍ଲାରେ ଏପ୍ରିଲ ମାସରେ କୋଭିଡ୍ ହସପିଟାଲ ପ୍ରତିଷ୍ଠା କରିଥିଲା ଓଡ଼ିଶା । ନୀତି ଆୟୋଗ ପୁସ୍ତକ- ମିଟିଗେସନ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ କୋଭିଡ଼- ୧୯ରେ ରାଜ୍ୟର କୋଭିଡ୍ ପରିଚାଳନା ସଂପର୍କରେ ଉଲ୍ଲେଖ ରହିଛି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର କୋଭିଡ ହସ୍ପିଟାଲ ପାଇଁ ଦୁଇଟି ଘରୋଇ ହସ୍ପିଟାଲ ସହ MOU କରିଥିଲେ ।

ଏହାସହ ଏପ୍ରିଲ ଶେଷ ସୁଦ୍ଧା ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିଥିଲା। ପିଲାମାନଙ୍କୁ ସଚେତନ କରିବାକୁ ଅନଲାଇନରେ ମୋ ପ୍ରତିଭା ଆୟୋଜନ କରାଯାଇଥିଲା। ସ୍ୱାସ୍ଥ୍ୟ କର୍ମୀଙ୍କ ଆଗୁଆ ବେତନ ସହ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିବା କଥା ବି ପୁସ୍ତକରେ ସ୍ଥାନ ପାଇଛି । ସେହିପରି କୋଭି଼ଡ୍ ଯୋଦ୍ଧାଙ୍କୁ ଦୁର୍ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇ ସ୍ୱାସ୍ଥ୍ୟକର୍ମୀଙ୍କ ସାହସ ବଢାଇଥିଲେ ନବୀନ ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁରେ ପରିବାର ଲୋକଙ୍କୁ ୫୦ଲକ୍ଷ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁରେ ୧୫ ଲକ୍ଷ ଟଙ୍କା ପ୍ରଦାନ ଘୋଷଣା ସଂପର୍କରେ ବି ପୁସ୍ତକରେ ଉଲ୍ଲେଖ କରାଯାଇଛି । ମହାମାରୀ ସମୟରେ ୫ ଲକ୍ଷ ପ୍ରବାସୀଙ୍କୁ ଫେରାଇ ଆଣିବା ସହ ମାଗଣା ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ଏହି ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସକ୍ରିୟ କରି ସରପଞ୍ଚଙ୍କୁ କ୍ଷମତା ପରିସର ବୃଦ୍ଧି ସଂପର୍କରେ ବି ଏଥିରେ ଉଲ୍ଲେଖ ରହିଛି।

୨୪ ଘଣ୍ଟା ମଧ୍ୟରେ ଭାରତରୁ ୪୩,୦୮୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩,୦୮୨ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯୨ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ସମୁଦାୟ କରୋନା ମାମଲା ୯୩ ଲକ୍ଷ ୦୯ ହଜାର ୭୮୮ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪ ଲକ୍ଷ ୫୫ ହଜାର ୫୫୫ଟି ମାମଲା ସକ୍ରିୟ ରହିଛି ଏବଂ ୮୭ ଲକ୍ଷ ୧୮ ହଜାର ୫୧୭ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଦେଶରେ କରୋନା ପାଇଁ ୧ ଲକ୍ଷ ୩୫ ହଜାର ୭୧୫ ଲୋକ ପ୍ରାଣ ହରାଇଛନ୍ତି ।

ରାଜଧାନୀ ଦିଲ୍ଲୀରେ ସମୁଦାୟ ଆକ୍ଟିଭ ମାମଲା ୩୮ ହଜାର ୭୩୪ରୁ ଅଧିକ ହୋଇଥିବାବେଳେ ଏହି ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୮,୮୧୧ କୁ ବୃଦ୍ଧି ପାଇଛି ।

ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ହୋଇପାରନ୍ତି ଗିରଫ !

ଭୁବନେଶ୍ୱର: ସରିଲା ରେଡ୍, ଏଥର ଆକ୍ସନ । ଭିଜିଲାନ୍‌ସ ହାତରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ବହୁ ବେନାମୀ ସଂପତ୍ତି ସହ ଅନୈତିକ କାର୍ଯ୍ୟର ଦସ୍ତାବିଜ । ସାମାଜିକ ବନୀକରଣ କାର୍ଯ୍ୟରେ ହୋଇଥିବା ବଡ଼ ସ୍କାମର ହେବ ଖୁଲାସା । ସାରା ରାତି ବାପା, ପୁଅଙ୍କୁ ଜେରା କରିଛି ଭିଜିଲାନ୍‌ସ । ଡିଆଇଜି ସଞ୍ଜୟ କୌଶଲ ଅଭୟଙ୍କୁ ଜେରା କରୁଛନ୍ତି । ଭିଜିଲାନ୍‌ସ ଏସପି ଅନୁପମା ଜେମ୍‌ସ ମଧ୍ୟ ପଚରାଉଚରା କରୁଛନ୍ତି । ଏହାପରେ ମେଡିକାଲ ଯାଞ୍ଚ କରାଯିବ । ସଂଧ୍ୟା ପୂର୍ବରୁ ବାପା, ପୁଅଙ୍କୁ ଗିରଫ କରାଯାଇପାରେ ।

ଭୁବନେଶ୍ୱର ଭିଜିଲାନ୍ସ ସେଲ ଶାଖା କାର୍ଯ୍ୟାଳୟରେ ବାପା ଓ ପୁଅଙ୍କ ସମେତ ପୁତୁରା ଓ ଡ୍ରାଇଭର ଅଟକ ଅଛନ୍ତି । ପାଠକଙ୍କର ପ୍ରାୟ ୯ କୋଟି ଟଙ୍କାର ସମ୍ପତ୍ତି ଥିବା ସୂଚନା ମିଳିଛି। ଗତକାଲି ପୁନେରୁ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଧରି ଭୁବନେଶ୍ୱରରେ ଗତକାଲି ପହଁଚିଥିଲା ଭିଜିଲାନ୍ସ । ବିମାନବନ୍ଦରରୁ ସିଧାସଳଖ ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ସେଠାରେ ୪୫ ମିନିଟ ଧରି ପଚରାଉଚରା କରିବା ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିଲା ।

ତେବେ ଅଭୟକାନ୍ତଙ୍କ ଆୟବହିର୍ଭୁତ ସଂପତ୍ତି ଭିଜିଲାନସର ଆଖି ଖୋସି ଦେଇଛି । ବର୍ତ୍ତମାନ ସୁଦ୍ଧା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ୧୩ଟି ସ୍ଥାନରେ ରେଡ୍ କରାଯାଇଛି । ସରକାରୀ ବାସଭବନ, କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ଫ୍ଲାଟ, ବିହାରରେ ଥିବା ପୈତୃକ ଗାଁର ଘର, ୱାଟର ଆପାର୍ଟମେଣ୍ଟରେ ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ, ପୁଣେରେ ଆପାର୍ଟମେଣ୍ଟ, କାର୍ଯ୍ୟାଳୟ, ଫାର୍ମ ହାଉସ୍, ପୁଣେର ସମତା କଲୋନୀରେ ପୁତ୍ରଙ୍କ ପରିଚାଳକଙ୍କ ବାସଭବନ, ମୁମ୍ବାଇର ଜୁହୁ ଏବଂ ମୁଲୁଣ୍ଡରେ ତାଙ୍କ ପୁଅର ସହଯୋଗୀଙ୍କ ଘର, ରେଷ୍ଟୁରାଣ୍ଟରେ ରେଡ୍ ହୋଇଛି । ଏହା ବ୍ୟତୀତ ଭୁବନେଶ୍ୱର, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଥିଲା । ମହାରାଷ୍ଟ୍ରର ପୁଣେ ଏବଂ ରାଜସ୍ଥାନର ଉଦୟପୁରରେ ମଧ୍ୟ ଯାଞ୍ଚ ଚାଲିଥିଲା ।

ନୀଳଚକ୍ରରେ ଚିଲ ବସିବା ପରେ ଅଶୁଭ ସଙ୍କେତର ଅନୁମାନ !

ପୁରୀ: ଶ୍ରୀମନ୍ଦିରର ନୀଳଚକ୍ରରେ ବସିଲା ଚିଲ । ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ନୀଳଚକ୍ରରେ ଚିଲ ବସିବା ନେଇ  ଅଶୁଭ ସଂକେତ ନେଇ ଅନୁମାନ କରାଯାଉଛି । ଆଜି ଭଳି ପବିତ୍ର ଦିନରେ ପତିତପାବନ ବାନା ଉପରେ ଚିଲ ବସିବା ଘଟଣା ଏକ ଭିନ୍ନ ସଂକେତ ଦେଉଥିବା ଲୋକେ ଆଶଙ୍କା କରୁଛନ୍ତି । ତେବେ ଇତିହାସରେ ଯେତେବେଳେ ବି ନୀଳଚକ୍ରରେ ଚିଲ ବସିବା ନଜର ଆସିଛି ସେତେବେଳେ କିଛିନା କିଛି ଅଶୁଭ ଘଟଣା ସାମ୍ନାକୁ ଆସିଛି ।

ଯେତେବେଳେ ବି ଏଭଳି ଅଶୁଭ ସଙ୍କେତ ଆସିଛି ଓଡ଼ିଶା ପ୍ରତି କିଛି ନା କିଛି ବିପଦ ଆସିଛି । ଏହାର ଉଦାହରଣ ହେଉଛି ଫନି ବାତ୍ୟା । ଫନି ବାତ୍ୟା ପୂର୍ବରୁ ମଧ୍ୟ ନୀଳଚକ୍ରରେ  ଚିଲ ବସିଥିବା ଲକ୍ଷ କରାଯାଇଥିଲା । ଏହାପରେ ଫନି ବାତ୍ୟା ପୁରୀ ସହ ଓଡ଼ିଶାର ରାଜଧାନୀରେ ମଧ୍ୟ ପ୍ରଭାବିତ ହୋଇଥିଲା । ଏବଂ ଏହି ବାତ୍ୟା ସଙ୍ଖକ୍ଷେତ୍ର ପୁରୀ ଚିତ୍ର ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା । ତେଣୁ ନୀଳଚକ୍ରରେ ଚିଲ ବସିଥିବାରୁ ଅଶୁଭ ସଙ୍କେତ ନେଇ ଅନୁମାନ କରାଯାଏ ।

ଆପଣଙ୍କୁ କହି ରଖୁଛୁ ଯେ, ଶ୍ରୀ ମନ୍ଦିରର ମନ୍ଦିରର ଅନେକ ମାହାତ୍ମ୍ୟ ରହିଛି  । କୁହାଯାଏ ଯେ, ଏହି ମନ୍ଦିର ନୀଳ ଚକ୍ରକୁ ଯେଉଁ ବି ସ୍ଥାନରେ ଥାଇ ଦେଖିଲେ ଏହା ସିଧା ହିଁ ଦେଖାଯାଇଥାଏ । ଏବଂ ଶ୍ରୀମନ୍ଦିର ଉପରେ କେବେ ବି ପକ୍ଷୀ ଉଡ଼ିବାର ଦେଖିବାକୁ ମିଳେ ନାହିଁ । ଏଭଳି କ୍ଷେତ୍ରରେ ଶ୍ରୀମନ୍ଦିର ନିଳଚକ୍ରରେ ଚିଲ ବସିବା ପରେ ବହୁ ଅଶୁଭ ସଙ୍କେତର ଅନୁମାନ କରାଯାଉଛି ।

ପପ୍ ମ୍ୟୁଜିକର ମହାରଥି ବପ୍ପି ଲହରି କାହିଁକି ପିନ୍ଧନ୍ତି ଏତେ ସୁନାଗହଣା?

ମୁମ୍ବାଇ: ବଲିଉଡ କଣ୍ଠଶିଳ୍ପୀ ତଥା କମ୍ପୋଜର ବପ୍ପି ଲହରିଙ୍କୁ କିଏବା ନଜାଣେ । ୫୦୦ରୁ ଅଧିକ ଗୀତ ଗାଇଥିବା ଏହି କଣ୍ଠଶିଳ୍ପୀ ଜଣକ ଜଣେ ଲିଜେଣ୍ଡ୍ ଭାବେ ପରିଚିତ ।

ବଲିଉଡରେ ପପ୍ ମ୍ୟୁଜିକକୁ ସେ ଏକପ୍ରକାର ପରିଚିତ କରାଇଥିଲେ । ତାଙ୍କ ଗୀତ ଗାଇବାର ନିଆରା ଅନ୍ଦାଜ ସବୁବେଳେ ଦର୍ଶକଙ୍କୁ କିମିଆ କରିଥାଏ ।

ବପ୍ପି ଲହରି କେବଳ ତାଙ୍କ ଗୀତ ପାଇଁ ଯେ ଫେମସ୍ ତା’ ନୁହେଁ, ସେ ପିନ୍ଧୁଥିବା ଭାରୀ ମାତ୍ରାର ସୁନା ପାଇଁ ଅଧିକ ସମୟ ଚର୍ଚ୍ଚାରେ ରହିଥାନ୍ତି । ସେ ବଲିଉଡର ଏଭଳି ଜଣେ ସଙ୍ଗୀତକାର ଯିଏକି ସବୁବେଳେ ବିପୁଳ ମାତ୍ରାର ସୁନା ପରିଧାନ କରିଥାନ୍ତି।

ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ସେ କାହିଁକି ଏତେ ସୁନାଗହଣା ପିନ୍ଧନ୍ତି?

ଏକ ସାକ୍ଷାତକାରରେ ବପ୍ପି କହିଥିଲେ ଯେ ସେ ହଲିଉଡ କଳାକାର ଏଲବିସ ପ୍ରେସଲିଙ୍କ ଦ୍ୱାରା ଖୁବ୍ ପ୍ରଭାବିତ । ଏଲବିସ ସବୁବେଳେ ସୁନାର ଏକ ଚେନ୍ ପିନ୍ଧିଥାଆନ୍ତି , ଯାହାକୁ ଦେଖି ବପ୍ପି ବି ତାଙ୍କ ପଦାଙ୍କ ଅନୁସରଣ କରିଥିଲେ । ଏହାବ୍ୟତୀତ ସୁନା ତାଙ୍କ ପାଇଁ ଲକି ବୋଲି ସେ ବିଶ୍ୱାସ କରନ୍ତି ।

କେବଳ ଅଭିମନ୍ୟୁ ନୁହେଁ ନାଗାର୍ଜୁନ ମଧ୍ୟ ଥିଲେ ଅର୍ଜୁନଙ୍କ ପୁତ୍ର ! ଜାଣନ୍ତୁ କେମିତି…

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା  ସ୍ୱରୂପ ତାଙ୍କର ମୃତ  ପଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ  ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ପ୍ରାଣଭିକ୍ଷା କରିଥିଲେ  । ଯମପୁର ପରିଦର୍ଶନ ସମୟରେ ନିଜର ପ୍ରିୟ ସଖା ପାଣ୍ଡବମାନଙ୍କର ମୃତ ପିତା ପଣ୍ଡୁଙ୍କୁ ଦେଖିବାର ସୁଯୋଗ ପାଇଥିଲେ  । ଦୀର୍ଘ ୭୧ବର୍ଷ ହେଲା ପଣ୍ଡୁ ଶରୀର ତ୍ୟାଗ କରିଥିଲେ  ମଧ୍ୟ ସେ ବ୍ରହ୍ମ ଲୋକରେ ପହଞ୍ଚି ପାରି ନାହାଁନ୍ତି ବରଂ ଯମରାଜାଙ୍କ ରାଜସିଂହାସନ ତଳେ  ଦଣ୍ଡାୟମାନ ହୋଇ ରହିଛନ୍ତି । ଏହି ଦୃଶ୍ୟ ଦେଖି ଶ୍ରୀକୃଷ୍ଣ ପଣ୍ଡୁଙ୍କ ସଂପର୍କରେ ଯମରାଜାଙ୍କୁ ପଚାରିଥିଲେ । ଯମରାଜା ଉତ୍ତରରେ ପଣ୍ଡୁ କରିଥିବା ପାପ ବିଷୟରେ ଅବଗତ କରାଇଥିଲେ ।

ବ୍ରହ୍ମହତ୍ୟା ଦୋଷର ଦୋଷୀ ହୋଇଥିଲେ ରାଜା ପଣ୍ଡୁ

ପଣ୍ଡୁ ଜୀବିତାବସ୍ଥାରେ ମୃଗୟା ସମୟରେ ଆଗ୍ନିକ  ଋଷିଙ୍କୁ ( ମୃଗ  ରୂପରେ ରତିକ୍ରୀଡ଼ା କରୁଥିବା ସମୟରେ) ଜଙ୍ଗଲରେ ଶର ନିକ୍ଷେପ କରି ବଧ କରିଥିବାରୁ ବ୍ରହ୍ମହତ୍ୟା ଦୋଷରେ ଦୋଷୀ ବୋଲି ଶ୍ରୀକୃଷ୍ଣଙ୍କୁ କହିଥିଲେ  । ବ୍ରହ୍ମହତ୍ୟା ଦୋଷରେ ଦୋଷୀ  ହୋଇଥିବାରୁ ଏବଂ ତା’ର ପ୍ରାୟଶ୍ଚିତ ପ୍ରତିକାର କରା ନହୋଇଥିବାରୁ  ପଣ୍ଡୁ ବ୍ରହ୍ମଲୋକ ପ୍ରାପ୍ତିରୁ ବଞ୍ଚିତ ହୋଇ ଅଛନ୍ତି ।

କେମିତି ହେବ ପଣ୍ଡୁଙ୍କ ପ୍ରାଶ୍ଚିତ ?

ଶ୍ରୀକୃଷ୍ଣ ସନ୍ଦିପନୀଙ୍କର ପଂଚପୁତ୍ରଙ୍କର ଜୀବନ ପ୍ରଦାନ ସହ ଦ୍ୱାରକାକୁ  ଫେରି ଜ୍ୟେଷ୍ଠ ଭ୍ରାତ ବଳରାମଙ୍କୁ  ଯମପୁରରେ ଦେଖିଥିବା ସମସ୍ତ ଦୃଶ୍ୟ ଓ ପଣ୍ଡୁ ରାଜାଙ୍କ ଦୁର୍ଦ୍ଦଶା କଥା କହିଲେ। ଭାଇ ବଳରାମ ନାରଦଙ୍କୁ ଡକାଇ ଇନ୍ଦ୍ର ପ୍ରସ୍ଥର ରାଜା  ଯୁଧିଷ୍ଠିରଙ୍କୁ ପଣ୍ଡୁଙ୍କ ସନ୍ଦେଶ ଦେବାକୁ ଏବଂ ଏହାର ପ୍ରାୟଶ୍ଚିତ୍ତ କରିବାକୁ ନିର୍ଦ୍ଦେଶ ଦେଲେ  । କୃଷ୍ଣ ବଳରାମଙ୍କ ନିର୍ଦ୍ଦେଶରେ ନାରଦ ଇନ୍ଦ୍ରପ୍ରସ୍ଥ ଯାଇ ତାଙ୍କ ପିତାଙ୍କ କଥା ଜଣାଇଲେ। ପିତାଙ୍କ ଏତାଦୃଶ ଅବସ୍ଥା କଥା ଶୁଣି ରାଜା ଯୁଧିଷ୍ଠିର ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ନିଜକୁ ଧିକ୍କାର କଲେ । କେଉଁ ପ୍ରାୟଶ୍ଚିତ ଦ୍ୱାରା ପିତାଙ୍କର ବ୍ରହ୍ମଲୋକ ପ୍ରାପ୍ତି ହେବ ତାର ପ୍ରତିକାର ପାଇଁ ନାରଦଙ୍କୁ ଉପାୟ ଚିନ୍ତା କରିବାକୁ କହିଲେ  । ବ୍ରହ୍ମହତ୍ୟା ଦୋଷରୁ ପିତ୍ରୁମୋକ୍ଷ ପାଇଁ ଚାରୋଟି ଉପାୟ ରହିଥିବା କଥା ନାରଦ ଯୁଧିଷ୍ଠିରଙ୍କୁ ଅବଗତ କରାଇଲେ। ପୁତ୍ର ଅବିଛିନ୍ନ ଭାବରେ ଅନ୍ନଦାନ ଦେବ। ଦ୍ୱିତୀୟଟି ହେଲା ପୁତ୍ର ଯଦି ବ୍ରହ୍ମଜ୍ଞାନ ସାଧନା କରିବ  । ତୃତୀୟଟି ହେଲା ଧାରା ତୀର୍ଥ କରିବା ଅର୍ଥାତ୍ ଶେଷ ଜୀବନ ପର୍ଯ୍ୟନ୍ତ ତୀର୍ଥାଟନ କରିବା  । ଚତୁର୍ଥଟି ପୁତ୍ର ଯଦି ରାଜସ୍ୱୀୟ ଯଜ୍ଞ କରିପାରେ । ଏହି ଚାରୋଟି ମଧ୍ୟରୁ ଯୁଧିଷ୍ଠିରଙ୍କ ପକ୍ଷରେ ରାଜସ୍ୱୀୟ ଯଜ୍ଞ ଅପେକ୍ଷାକୃତ ଗ୍ରହଣଯୋଗ୍ୟ ହେଲା  ।

ରାଜସ୍ୱୀୟ ଯଜ୍ଞ ପାଇଁ  ଏକଲକ୍ଷ ରାଜାଙ୍କୁ ନିମନ୍ତ୍ରଣ କରାଯିବ  । ଶତ୍ରୁ ମିତ୍ର ସମସ୍ତ ରାଜା ରାଜସ୍ୱୀୟ ଯଜ୍ଞରେ ଉପସ୍ଥିତ ରହିବେ  । ଏ ସମସ୍ତ ବିଚାର ବିମର୍ଶ ମଧ୍ୟରେ ପାଣ୍ଡବ ତଥା ଶ୍ରୀକୃଷ୍ଣଙ୍କର ପରମ ଶତୃ ଜରାସନ୍ଧ ହିଁ ଭୟର କାରଣ ହେଲା  । ରାଜା ଯୁଧିଷ୍ଠିର ଦ୍ୱାରକାରୁ  ଶ୍ରୀକୃଷ୍ଣଙ୍କୁ ଡକାଇ ସମସ୍ୟା ସଂପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଜରାସନ୍ଧକୁ ବଧ କରିବା ପାଇଁ ଶ୍ରୀକୃଷ୍ଣ ଦ୍ୱିତୀୟ ପାଣ୍ଡବ ଭୀମକୁ ନିୟୋଜିତ କଲେ  । ଜରାସନ୍ଧ ବଧ ପରେ ରାଜସ୍ୱୀୟ ଯଜ୍ଞର ପ୍ରସ୍ତୁତି ଆରମ୍ଭ ହେଲା । ରାଜା ଯୁଧିଷ୍ଠିରଙ୍କ ଆଦେଶରେ ପାଣ୍ଡବ ଚାରିଭାଇ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ରାଜାମାନଙ୍କୁ ନିମନ୍ତ୍ରଣ କରିବାକୁ ଗଲେ। ରାଜସ୍ୱୀୟ ଯଜ୍ଞ ଷୋଳଦିନ ଅନୁଷ୍ଠିତ ହେବ। ଏହି ଷୋଳଦିନ ଅବିଛିନ୍ନ ଭାବରେ ଅନ୍ନଦାନ, ବସ୍ତ୍ରଦାନ, ଧନରତ୍ନ ଦାନ  ଓ ଯଜ୍ଞ କୁଣ୍ଡରେ ଘୃତଦାନ ଅନୁଷ୍ଠିତ ହେବ  ।

ଅର୍ଜୁନ-ସନ୍ଧ୍ୟାବାଳୀଙ୍କ ପ୍ରେମ ଓ ନାଗର୍ଜୁନଙ୍କ ଜନ୍ମ

ପାତାଳ ରାଜା ବାସୁକୀଙ୍କୁ ନିମନ୍ତ୍ରଣ କରିବାକୁ ଅର୍ଜୁନ ପାତାଳପୁର ଗଲେ । ଅର୍ଜୁନ ପାତାଳପୁରରେ ପ୍ରବେଶ କରି ବାସୁକୀ ରାଜାଙ୍କୁ ରାଜସ୍ୱୀୟ ଯଜ୍ଞର ନିମନ୍ତ୍ରଣ ଜଣାଇଲେ। ବାସୁକୀ ପୃଥିବୀକୁ ମସ୍ତକରେ ଧାରଣ କରିଥିବାରୁ ଯଜ୍ଞରେ ଯୋଗ ଦେବାକୁ ନିଜର ଅକ୍ଷମତା ପ୍ରକାଶ କଲେ । ଏକଥା ଶୁଣିଲା ପରେ ଅର୍ଜ୍ଜୁନ ନିଜର ଧନୁରେ ପୃଥିବୀକୁ ଧାରଣ  କରିପାରିବେ ବୋଲି କହନ୍ତେ ବାସୁକୀ ପୃଥିବୀକୁ ଅର୍ଜ୍ଜୁନଙ୍କ ଧନୁହୁଳ ଉପରେ ରଖିଲେ । ବାସୁକୀଙ୍କ ଅନୁପସ୍ଥିତିରେ ଅର୍ଜ୍ଜୁନ  ନିଜର ଧନୁରେ ପୃଥିବୀକୁ ଧାରଣ କରି  ପାତାଳପୁରରେ ରହିଲେ। ବାସୁକୀ ନିଜର ଅନିନ୍ଦ୍ୟ ସୁନ୍ଦରୀ ଅଲିଅଳି କନ୍ୟା ସନ୍ଧ୍ୟାବାଳୀକୁ ଅର୍ଜ୍ଜୁନଙ୍କ ସେବାରେ ନିୟୋଜିତ କରି ଯୁଧିଷ୍ଠିରଙ୍କ ରାଜସ୍ୱୀୟ ଯଜ୍ଞରେ ଯୋଗ ଦେବାକୁ ଆସିଲେ। ଇତି ଅବସରରେ ଅର୍ଜୁନ ଓ ସନ୍ଧ୍ୟାବାଳୀର ପ୍ରେମ ସଂଗଠିତ ହୋଇ ସନ୍ଧ୍ୟାବାଳୀ ଗର୍ଭବତୀ ହେଲା । ବାସୁକୀ ରାଜଯଜ୍ଞ ସାରି ମର୍ତ୍ତ୍ୟରୁ ଫେରିଲେ । ସନ୍ଧ୍ୟାବାଳୀ ଓ ଅର୍ଜ୍ଜୁନଙ୍କ ପ୍ରେମ ସଂପର୍କ ଜାଣି କନ୍ୟାକୁ ଅର୍ଜ୍ଜୁନଙ୍କୁ ପ୍ରଦାନ କଲେ । ପାତାଳପୁରରେ କିଛି ଦିନ ଅବସ୍ଥାନ କରିବା ପରେ ଅର୍ଜ୍ଜୁନ ଇନ୍ଦ୍ରପ୍ରସ୍ଥ ଆସିବାକୁ ମନସ୍ଥ କଲେ  । ଅର୍ଜ୍ଜୁନଙ୍କ ଅନୁପସ୍ଥିତି ଗର୍ଭବତୀ ସନ୍ଧ୍ୟାବାଳୀ ପାଇଁ ଦୁର୍ବିସହ ବୋଲି ଜାଣି  ରାଜପ୍ରାସାଦର ଏକ ବୃକ୍ଷକୁ ନିଜର ଉପସ୍ଥିତି ବୋଲି ମନେ କରିବାକୁ  ଅର୍ଜ୍ଜୁନ ପତ୍ନୀକୁ ପ୍ରବୋଧନା ଦେଲେ । ସେହି ବୃକ୍ଷ ଅର୍ଜ୍ଜୁନ ବୃକ୍ଷ ନାମରେ ପରିଚିତ। ପରିଶେଷରେ ସନ୍ଧ୍ୟାବାଳୀଠାରୁ ବିଦାୟ ନେଇ ଅର୍ଜ୍ଜୁନ ମର୍ତ୍ତ୍ୟପୁରରେ ପହଞ୍ଚିଲେ। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ସନ୍ଧ୍ଯାବାଳୀର ଗର୍ଭସଂଚାର ହୋଇଥିଲା  । କୁମ୍ଭସଂକ୍ରାନ୍ତି ପାଂଚଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି ରବିବାର ଦିନ ଦଶ ଦଣ୍ଡ ହସ୍ତା ନକ୍ଷତ୍ରରେ ପୁତ୍ର ଜନ୍ମ ହେଲା  । ମାତା ସନ୍ଧ୍ୟାବାଳୀ ନାଗକୁଳର ଏବଂ ପିତା ତୃତୀୟ  ପାଣ୍ଡବ ଅର୍ଜ୍ଜୁନ । ଉଭୟଙ୍କ ନାମ ସମିଶ୍ରଣରେ ପୁତ୍ରର ନାମ ନାଗାର୍ଜୁନ ରଖାଗଲା ।

ଟିମ୍ ସହ ଅଷ୍ଟ୍ରେଲିଆ କାହିଁକି ଗଲେନି ରୋହିତ; ସ୍ପଷ୍ଟୀକରଣ ରଖିଲା ବିସିସିଆଇ

0

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସହ ହିଟମ୍ୟାନ୍ ରୋହିତ ଅଷ୍ଟ୍ରେଲିଆ କାହିଁକି ଯାଇନାହାଁନ୍ତି ସେନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଆଶଙ୍କା ଉଙ୍କି ମାରିଛି । ଭାରତୀୟ ଦଳର କ୍ୟାପଟେନ୍ ବିରାଟ ମଧ୍ୟ ଏସମ୍ପର୍କରେ ଜାଣିନଥିବା କହିବା ପରେ ସ୍ପଷ୍ଟୀକରଣ ରଖିଛି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ।

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟେଷ୍ଟ ସିରିଜକୁ ନଜରରେ ରଖି ‘ରୋହିତ ଶର୍ମା’ଙ୍କ ଫିଟନେସ୍ ପରୀକ୍ଷା କରାଯିବ। ଡିସେମ୍ବର ୧୧ରେ ଫିଟନେସର ପରବର୍ତ୍ତୀ ମୂଲ୍ୟାଙ୍କନ କରାଯିବ । ଯାହାପରେ ତାଙ୍କର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ବିଚାର କରାଯିବ।

ବିସିସିଆଇର ସୂଚନା ଅନୁଯାୟୀ ରୋହିତ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରିହେବିଲିଟେସନ ଅଛନ୍ତି। ଏହାବ୍ୟତୀତ ଅସୁସ୍ଥ ପିତାଙ୍କୁ ଦେଖିବା ପାଇଁ ରୋହିତ ଶର୍ମାଙ୍କୁ ଆଇପିଏଲ ପରେ ମୁମ୍ବାଇ ଫେରିବାକୁ ପଡିଥିଲା। ହେଲେ ତାଙ୍କ ପିତା ଏବେ ସୁସ୍ଥ ଅଛନ୍ତି ଏବଂ ଯାହା ପରେ ସେ ରିହେବିଲିଟେସନ ପାଇଁ ଏନସିଏରେ ପହଞ୍ଚିଥିଲେ।

ଖାସକରି ସିନିୟର ସିଲେକ୍ସନ କମିଟି ପକ୍ଷରୁ ଟି. ନଟରାଜନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଦିନିକିଆ ମ୍ୟାଚରେ ସାମିଲ କରାଯାଇଛି ।  ଦ୍ରୁତ ବୋଲର ନବଦୀପ ସୖେନୀଙ୍କ ପାଇଁ ବ୍ୟାକ୍ ଅପ୍ ରୂପେ ତାଙ୍କୁ ଟିମରେ ସାମିଲ କରାଯାଇଥିବା ନେଇ ସୂଚନା ମିଳିଛି ।