ଓଡ଼ିଶା ପାଇଁ କେମିତି ଥିଲା ବର୍ଷ ୨୦୨୦ ? ଦୁର୍ନୀତି ବିରୋଧରେ ଯୁଦ୍ଧର ବର୍ଷ

1 min read
Odisha Politics 2020

ଭୁବନେଶ୍ୱର: ସମ୍ଭାବନାର ସଂଘର୍ଷ ଭିତରେ ସରୁଛି ବର୍ଷ ୨୦୨୦ । ଅନେକ ଅନୁଭୂତି ମିଳିଛି, ଅଭଜ୍ଞତା ଆଧାରରେ ଲଢ଼େଇ କରିଛନ୍ତି ନେତା । ଜନତାଙ୍କ ପାଇଁ କୋଭିଡ୍ ଲକଡାଉନ୍ ଓ ସଟଡାଉନର ବର୍ଷ ୨୦୨୦ ନେତାଙ୍କ ପାଇଁ ଥିଲା ଅଭୁଲା । କାରଣ ସଂସଦରୁ ନେଇ ରାଜ୍ୟ ବିଧାନସଭା ମହାମାରୀ କରୋନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୂର୍ବ ନିର୍ବାଚନ ଓ ୨୦୨୦ରେ ଅନୁଷ୍ଠିତ ଉପନିର୍ବାଚନ ନେତାଙ୍କ ପାଇଁ ଆଣିଥିଲା ନୂଆ ଅନୁଭୂତି । ତେବେ, ୨୦୨୦ ବର୍ଷରେ ରାଜ୍ୟ ରାଜନୀତିରେ କେଉଁ ଘଟଣା ସୃଷ୍ଟି କରିଥିଲା ହଟଚମଟ ? କେଉଁ ପ୍ରସଙ୍ଗକୁ ନେଇ ତେଜିଥିଲା ରାଜ୍ୟ ରାଜନୀତି ? ୨୦୨୦ର ପଲିଟିକ୍ସକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା…

Odisha Politics 2020

ନବୀନ ନମ୍ବର ୧

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ । ଜୁନ୍ ପ୍ରଥମ ସପ୍ତାହରେ ଜାତୀୟ ସ୍ତରରେ ହୋଇଥିବା ଏକ ସର୍ଭେରେ ନବୀନ ୯୫.୬ ପ୍ରତିଶତ ରେଟିଂ ପାଇଁ ପ୍ରଥମ ସ୍ଥାନରେ ଥିଲେ । ନବୀନ ପଟ୍ଟନାୟକଙ୍କୁ ପଛକୁ ହିମାଚଳ ପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରହିଥିଲେ ।

Odisha Politics 2020

ଗୋଟିଏ ଟେବୁଲରେ ମମତା ଓ ଶାହ

ପରସ୍ପରର କଟ୍ଟର ବିରୋଧୀ ମମତା ବାନାର୍ଜୀ ଓ ଅମିତ ଶାହଙ୍କୁ ଗୋଟିଏ ଟେବୁଲରେ ବସି ଖାଇବା ଦେଖିବାକୁ ମିଳିଥିଲା । ଫେବ୍ରୁଆରୀ ଶେଷରେ ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକ ପାଇଁ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକାଠି କରିଥିଲେ ନବୀନ । ନବୀନ ନିବାସରେ ଗୋଟିଏ ଡାଇନିଂ ଟେବୁଲରେ ଅମିତ ଶାହ, ମମତା ବାନାର୍ଜୀ, ନୀତିଶ କୁମାର, ଧର୍ମେନ୍ଦ୍ର ପ୍ରଧାନ ଓ ନବୀନ ପଟ୍ଟନାୟକ ଖାଇଥିଲେ ।

Odisha Politics 2020

ରାଜ୍ୟସଭା ଗଲେ ୪ ବିଜେଡି ପ୍ରାର୍ଥୀ

ରାଜ୍ୟସଭା ଲାଗି ଖାଲି ହୋଇଥିବା ୪ଟି ଯାକ ଆସନ ବିଜେଡି ଖାତାକୁ ଯାଇଥିଲା । ବିଜେଡି ପ୍ରାର୍ଥୀ ସୁବାସ ସିଂହ, ସୁଜିତ କୁମାର, ମୁନା ଖାନ୍‌ ଓ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ରାଜନେତାଙ୍କ ମୃତ୍ୟୁ

୨୦୨୦ ବର୍ଷ କେବଳ ଭଲ ଅନୁଭୂତି ଦେଇଥିଲା ତା’ ନୁହେଁ । ରାଜନୀତିରେ ଛାଡ଼ିଥିଲା ଅପୂରଣୀୟ କ୍ଷତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାଷ ଚୌହାନଙ୍କ ପରଲୋକ ହୋଇଥିଲା । ସେହିଭଳି ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ, ପିପିଲି ବିଧାୟକ ପ୍ରଦୀପ ମହାରଥୀ, ବାଲେଶ୍ୱର ବିଧାୟକ ମଦନମୋହନ ଦତ୍ତଙ୍କ ଦେହାନ୍ତ ହୋଇଥିଲା । ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶତର କର ଆଖି ବୁଜିଥିଲେ ।

ଉପନିର୍ବାଚନରେ ବିଜେଡିକୁ ସଫଳତା

କରୋନା କାଳରେ ଅନୁଷ୍ଠିତ ହୋଇଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନକୁ ବିଜେଡି ଜିତିଥିଲା । ବିଜେପିଠାରୁ ବାଲେଶ୍ୱର ସଦର ବିଧାନସଭା ଆସନକୁ ୧୩ ହଜାରରୁ ଅଧିକ ଭୋଟରେ ଛଡ଼ାଇ ଆଣିଥିଲା ବିଜେଡି । ସେହିଭଳି ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ତିର୍ତ୍ତୋଲ ଆସନରୁ ବିଜେଡି ଟିକେଟରେ  ୪୧ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Odisha Politics 2020

ନବୀନଙ୍କ ଭର୍ଚୁଆଲ୍ ପ୍ରଚାର

ପ୍ରଥମଥର ପାଇଁ ନବୀନ ନିର୍ବାଚନୀ ପ୍ରଚାର ମଇଦାନକୁ ପ୍ରତ୍ୟକ୍ଷ ଭାବେ ଓହ୍ଲାଇ ନଥିଲେ ମଧ୍ୟ ବିଜେଡି ନିର୍ବାଚନ ଜିତିଥିଲା । କରୋନା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ପ୍ରଚାର କରିଥିଲେ । ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ ।

ଅମାନିଆ ଅପରାଜିତା

Odisha Politics 2020

କରୋନା ପାଇଁ ଦେଶବାସୀଙ୍କୁ କୋଭିଡ୍ କଟକଣା ମାନିବାକୁ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଅପିଲ୍ କରୁଥିଲେ । କିନ୍ତୁ, ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର ଭାଙ୍ଗୁଥିଲେ କୋଭିଡ୍ କଟକଣା । କେତେବେଳେ ଏକାଧିକ କର୍ମୀଙ୍କ ଏକାଠି କରି ସାମାଜିକ ଦୂରତା ରକ୍ଷୁନଥିଲେ ତ ମାସ୍କ ପିନ୍ଧୁ ନଥିଲେ । ଏନେଇ ବିଭିନ୍ନ ସଂଗଠନ ଅପରାଜିତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲ ।

ପ୍ରଦୀପ ପାଣିଗ୍ରାହୀଙ୍କ ପାପପେଡ଼ି

Odisha Politics 2020

ଜନପ୍ରତିନିଧି ହୋଇ ଲୋକଙ୍କୁ ଚାକିରି ଲୋଭ ଦେଖାଇ ଲୁଟିଥିଲେ, ଗିରଫ ହେଲେ । ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଗିରଫ କରିଥିଲା । ଭାବି ଜ୍ୱାଇଁଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଏକାଧିକ ଯୁବକ ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ହୋଇଥିଲା । ଗିରଫ ପାଣିଗ୍ରାହୀ ଏବେ ଝାରପଡ଼ା ଜେଲରେ ଅଛନ୍ତି ।

ବିନା ପ୍ରଶ୍ନକାଳରେ ବିଧାନସଭା

ମହାମାରୀ କରୋନା ପାଇଁ ବିଧାନସଭା ଅଧିବେଶନ ବିନା ପ୍ରଶ୍ନକାଳରେ ଚାଲିଥିଲା । କରୋନା ସଂକ୍ରମଣକୁ ଦେଖି ଗୃହରେ ପ୍ରଶ୍ନକାଳକୁ ବାଦ୍ ଦିଆ ଯାଇଥିଲା । କୋଭିଡ୍ ଭିତରେ ୨ ଥର ବିଧାନସଭା ବସିଥିବା ବେଳେ ଉଭୟ ଅଧିବେଶନରେ ପ୍ରଶ୍ନକାଳ ରହିନଥିଲା ।

ବିଜେପି ଓ କଂଗ୍ରସର ନୂଆ ରାଜ୍ୟ ପ୍ରଭାରୀ

ଦଳର ସଂଗଠନକୁ ରାଜ୍ୟରେ ମଜଭୁତ୍ କରିବାକୁ ନୂତନ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଥିଲା ୨ ଜାତୀୟ ଦଳ । କଂଗ୍ରେସ ଚେଲ୍ଲା କୁମାରଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ଦେଇଥିବା ବେଳେ ବିଜେପି ଡି. ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତି ଦେଇଥିଲା ।

କୃଷି ବିଲ୍ କେଁ

ନାଗରିକ ସଂଶୋଧନ ଆଇନ୍ ପରେ କୃଷି ବିଲକୁ ନେଇ ଦେଶବ୍ୟାପୀ ବିରୋଧର ସ୍ୱର ଉଠିଥିଲା । ଚାଷୀ ସଂଗଠନ ଓ ବିଭିନ୍ନ ରାଜନୀତିକ ଦଳ ବିଲକୁ ବିରୋଧ କରିଥିଲେ । ସଂସଦରେ ବିଜେଡି ବିଲକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ତିନୋଟି ପ୍ରସ୍ତାବ ଦେଇଥିଲା । ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ବିଲର ତର୍ଜମା ଲାଗି କମିଟି ଗଠନ ପାଇଁ ବିଜେଡି କହିଥିଲା ।

ପରୀ ପଲିଟିକ୍ସ

୨୦୨୦ ବର୍ଷର ଶେଷ ଆଡ଼କୁ ପରୀକୁ ନେଇ ତେଜିଥିଲା ରାଜ୍ୟ ରାଜନୀତି । ୫ ବର୍ଷର ପରୀର ମୃତ୍ୟୁକୁ ନେଇ କଂଗ୍ରେସ, ବିଜେପି ରାଜନୀତି ଆରମ୍ଭ କରି ଦେଇଥିଲେ । ରାଜ୍ୟ ସରକାରଙ୍କ SIT ତଦନ୍ତ ଓ ଅଭିଯୁକ୍ତର ଗିରଫଦାରୀ ସତ୍ତ୍ୱେ ପରୀର ବାପା, ମାଆଙ୍କୁ ଧରି ଧାରଣାରେ ବସିଥିଲା ବିଜେପି ।

Leave a Reply