spot_img
Home Blog Page 6027

ଗାଜିପୁର ସୀମାରେ ଚାଷୀଙ୍କୁ ଭେଟିବାକୁ ପହଞ୍ଚିଥିଲେ ୮ ବିରୋଧୀଦଳ ନେତା, ଫେରାଇଦେଲା ପୋଲିସ୍

0

ନୂଆଦିଲ୍ଲୀ: ଦିନକୁ ଦିନ କୃଷି ଆନ୍ଦୋଳନ ତେଜିବାରେ ଲାଗିଛି। ଗାଜିପୁର ସୀମାରେ ଏବେ ବିରୋଧୀମାନେ ଚାଷୀଙ୍କୁ ସମର୍ଥନ ଦେବାକୁ ବାହାରିଛନ୍ତି। ଗୁରୁବାର ୮ଟି ବିରୋଧୀ ଦଳର ନେତା ଚାଷୀଙ୍କୁ ଭେଟିବାକୁ ଗାଜିପୁର ସୀମାରେ ପହଞ୍ଚିଥିଲେ। ହେଲେ ସୀମାରେ ପୋଲିସ ଏହି ନେତାମାନଙ୍କୁ ଆନ୍ଦୋଳନକାରୀ ଚାଷୀଙ୍କୁ ଭେଟିବାକୁ ଦେଇନାହିଁ । କୃଷକଙ୍କୁ ଭେିବାରୁ ବିରୋଧୀଦଳ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକାଇଛି। ଏବଂ ଆନ୍ଦୋଳନ ସ୍ଥଳରୁ ଅନ୍ୟ ସ୍ଥାନକୁ ନେଇଯାଇଛି। ଏହା ପରେ ବିରୋଧୀ ଦଳର ନେତାମାନଙ୍କୁ ଫେରିବାକୁ ପଡ଼ିଛି।

ବିରୋଧୀ ଦଳଙ୍କ କହିବା ମୁତାବକ ସେମାନେ ଏହି ମାମଲା ନେଇ ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ଦେବେ। ଅକାଳି ଦଳ ନେତା ହର୍ଷିମରତ୍ କୌର୍ ବାଦଲ କହିଛନ୍ତି ଯେ ଆମେ ଏଠାକୁ ଏଥିପାଇଁ ଆସିଛୁ ଯେମିତି ଆମେ ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ ସଂସଦରେ ଆଲୋଚନା କରିପାରିବୁ। ବାଚସ୍ପତି ଆମକୁ ସାଂସଦରେ ଏହି ପ୍ରସଙ୍ଗ ଉଠାଇବାକୁ ଦେଉ ନାହାଁନ୍ତି। ବର୍ତ୍ତମାନ ସମସ୍ତ ଦଳ ଏଠାରେ କ’ଣ ଘଟୁଛି ତାହାର ସବିଶେଷ ତଥ୍ୟ ଦେବେ। ସେହିପରି ଏସପି ମୁଖପାତ୍ର ରାଜିବ ରାୟ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ବିଦେଶୀ ସାଂସଦମାନଙ୍କୁ  କଶ୍ମୀର ନେଇଯାଆନ୍ତି କିନ୍ତୁ ନିଜ ଦେଶର ସାଂସଦଙ୍କୁ ଚାଷୀଙ୍କ ସହ ଭେଟିବାକୁ ଦିଆଯାଉନାହିଁ।

ସୂଚନାଯୋଗ୍ୟ, ଏହି ବିରୋଧୀ ଦଳର ନେତାଙ୍କ ମଧ୍ୟରେ ଟିଏମସି ନେତା ସୌଗତ ରୟ, ଶିରୋମାଣି ଅକାଳି ଦଳ ନେତା ହର୍ଷିମରତ୍ କୌର୍ ବାଦଲ, ଏନସିପି ସାଂସଦ ସୁପ୍ରିୟା ସୁଲେ, ଡିଏମକେ ଏମ କାନିମୋଇ ପ୍ରଭୃତି ସାମି୍ଲ ଅଛନ୍ତି।

 

କୋଟିଆରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡିଶା ଆନ୍ଧ୍ର ସୀମା ବିବାଦ ନେଇ ସବୁବେଳେ ଚର୍ଚ୍ଚାରେ ଥିବା କୋଟିଆରେ ହେବ ନିର୍ବାଚନ। ଆନ୍ଧ୍ର ପକ୍ଷରୁ ଏହି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଓଡିଶା ସରକାର କୋଟିଆରେ ୧୫୦କୋଟି ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି । ତଥାପି ଆନ୍ଧ୍ର ଆଡକୁ ଢଳୁଛି କୋଟିଆ । ଓଡିଶା ପକ୍ଷରୁ କେବଳ ଗୋଟିଏ କୋଟିଆ ପଞ୍ଚାୟତ କରାଯାଇଥିବା ବେଳେ ଆନ୍ଧ୍ର ୩ଟି ପଞ୍ଚାୟତରେ ବିଭକ୍ତ କରିଛି । ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀ ।

ଆସନ୍ତା ୧୩ରେ ୩ଟି ପଞ୍ଚାୟତ ପାଇଁ ଆନ୍ଧ୍ରର ସରପଞ୍ଚ ନିର୍ବାଚନ ହେବ। ଏନେଇ ୪ ତାରିଖରେ ସରପଞ୍ଚ ଓ ୱାର୍ଡମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବା ଆନ୍ଧ୍ର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଓଡିଶା ସରକାରଙ୍କ ସବୁ ସୁବିଧା ସତ୍ୱେ କୋଟିଆର ୨ ସରପଞ୍ଚ ପ୍ରାର୍ଥୀ ଓ ୮ ୱାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନ ଭରିଥିବା ସୂଚନା ମିଳିଛି ।

ସେହିଭଳି ଫାଟୁସିନେରୀ ପଞ୍ଚାୟତ ନିମନ୍ତେ ଗୋଟିଏ ସରପଞ୍ଚ ପ୍ରାର୍ଥୀ ଓ ୪ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଏବଂ ଫଗୁଣସିନେରୀ ନିମନ୍ତେ କୌଣସି ମଧ୍ୟ ସରପଞ୍ଚ କିମ୍ବା ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରଦାନ କରିନଥିବା ନେଇ ଜଣାପଡିଛି ।

ତେବେ ଆନ୍ଧ୍ରର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ନୂଆ କଥା ନୁହେଁ ବୋଲି ସୂଚନା ମିଳିଛି। ବହୁ ବର୍ଷ ହେବ ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ ଚଳାଇ ଆସୁଛି । ତେବେ ଏହି ନିର୍ବାଚନରେ କୋଟିଆବାସୀ ଭାଗ ନେବେ କି ନାହିଁ ତାହା ପ୍ରଶ୍ନ ଘେରରେ ।

ସେପଟେ ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ କୋଟିଆରେ ବହୁମୁଖୀ ବିକାଶ ପ୍ରକଳ୍ପର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ କୋଟିଆର ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ।

ରାମପୁର ଗସ୍ତବେଳେ ପ୍ରିୟଙ୍କା କାର ଦୁର୍ଘଟଣା, ଅଳ୍ପକେ ରକ୍ଷା ପାଇଲେ କଂଗ୍ରେସ ମହାସଚିବ

0

ହାପୁଡ: ରାମପୁର ଗସ୍ତରେ ଯାଉଥିବା ବେଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ ପ୍ରିୟଙ୍କା ସୁରକ୍ଷିତ ଅଛନ୍ତି । ମିଳୁଥିବା ସୂଚନା ଅନୁସାରେ ପ୍ରିୟଙ୍କାଙ୍କୁ ନେଇ ଯାଉଥିବା କାର ଦ୍ରୁତ ବେଗରେ ଯାଉଥିବା ବେଳେ ଏହାର ଇଂଜିନ୍ ଗରମ ହୋଇଯାଇଥିଲା । ଗାଡିରୁ ଧୂଆଁ ବାହାରିଥିଲା । ଫଳରେ ଡ୍ରାଇଭର ଗାଡିକୁ ଅଚାନକ ରୋକିଥିଲେ । ଏହି ସମୟରେ ପଛରେ ଆସୁଥିବା କାର ତତ୍କାଳ ଅଟକି ନପାରି ପରସ୍ପର ସହିତ ଧକ୍କା ଖାଇଥିଲେ । ତେବେ ଏହି ଦୁର୍ଘଟଣାରେ କେହି ହତାହତ ହୋଇ ନାହାନ୍ତି ।

ଜାନୁଆରୀ ୨୬ ତାରିଖ ଟ୍ରାକ୍ଟର ରାଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କୃଷକ ନବରୀତ ସିଂହଙ୍କ ଦଶାହ ଭୋଜିରେ ଯୋଗ ଦେବାକୁ ପ୍ରିୟଙ୍କା ବିଲାଶପୁରର ଡିବଡିବା ଗାଁକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ନବରିତଙ୍କ ମୃତ୍ୟୁ ପୋଲିସ ଗୁଳିରେ ହୋଇଥିବା ନେଇ ପ୍ରଥମେ ଦାବି କରାଯାଉଥିଲା କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରୁ ମୃତ୍ୟୁର କାରଣ ଦୁର୍ଘଟଣା ବୋଲି ଜଣା ପଡିଥିଲା । ଗୁଳି ମାଡର କୌଣସି ପ୍ରମାଣ ପୋଷ୍ଟମର୍ଟମ ରିପୋର୍ଟରୁ ମିଳିନଥିଲା ।

ପ୍ରିୟଙ୍କାଙ୍କ ସହିତ ୫୦୦ ଗାଡିରେ ଦଳୀୟ କର୍ମୀ ଯାଉଥିଲେ । ତେବେ ଜିଲ୍ଲା ପୋଲିସ ପାଖରେ ପ୍ରିୟଙ୍କାଙ୍କ ଗସ୍ତକୁ ନେଇ କୌଣସି ସୂଚନା ନଥିବା ସ୍ଥାନୀୟ ଏସପି ଶଗୁନ ଗୌତମ କହିଛନ୍ତି ।

ବଜେଟ ପରେ ଝଟକା: ବଢ଼ିଲା ପେଟ୍ରୋଲ ଡିଜେଲ ଓ ଏଲପିଜି ସିଲିଣ୍ଡରର ମୂଲ୍ୟ

0

ନୂଆଦିଲ୍ଲୀ: ବଜେଟର ଦୁଇଦିନ ପରେ ଦେଶରେ ବଢ଼ିଛି ପେଟ୍ରୋଲ ଡିଜେଲ ଦର। ଗୁରୁବାର ତେଲ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି। ଯାହାପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୬ଟଙ୍କା ୬୫ପଇସା ହୋଇଛି। ସେହିଭଳି ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି।

ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରାଯିବ। ପେଟ୍ରୋଲ ଉପରେ ଲିଟର ପିଛା ୨.୫୦ ଟଙ୍କାର କୃଷି ସେସ୍‌ ଲାଗିବାକୁ ଥିବା ବେଳେ ଡିଜେଲ ଉପରେ ଲିଟର ପିଛା ୪ ଟଙ୍କାର ସେସ୍‌ ଲଗାଯିବ। ତୈଳ ଦର ଉପରେ କୃଷି ସେସ୍‌ ଲାଗୁ କରାଯାଇଥିଲେ ହେଁ ସରକାର ମୂଳ ଅବକାରୀ ଶୁଳ୍କ ଓ ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଶୁଳ୍କ ବାବାଦ ଅର୍ଥକୁ ହ୍ରାସ କରିଛନ୍ତି। ତେଣୁ ଲୋକଙ୍କ ଉପରେ କୃଷି ସେସ୍‌ ବାବାଦ ଅର୍ଥ ଅଧିକ ପଡ଼ିବ ନାହିଁ ବୋଲି ସେ କହିଥିଲେ।

ଅନ୍ୟପଟେ, ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ ଗ୍ରାହକଙ୍କୁ ୧୪ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଯାହାପରେ ସିଲିଣ୍ଡର ପିଛା ମୂଲ୍ୟ ଦିଲ୍ଲୀରେ ୭୧୯ ଟଙ୍କା, କୋଲକାତାରେ ୭୪୫ଟଙ୍କା ୫୦ ପଇସା, ମୁମ୍ବାଇରେ ୭୧୦ ଟଙ୍କା ଏବଂ ଚେନ୍ନାଇରେ ୭୩୫ ଟଙ୍କା ହୋଇଯାଇଛି।

ରାଜଧାନୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ରାଜଧାନୀ ଉପକଣ୍ଠ ଅନ୍ଧାରୁଆରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ରାସ୍ତାକଡ଼ ବୁଦା ମୁଳରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଛି । ସମ୍ପୃକ୍ତ ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ଅପରପକ୍ଷେ ଘଟଣାସ୍ଥଳରେ ଭରତପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ ।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ସହିଦ

ଶ୍ରୀନଗର: ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ  LOCରେ ଉତ୍ତେଜନା ଦେଖାଦେଇଛି। ଏପରିକି ପାକିସ୍ତାନୀ ସେନା ଗୁଳିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି ।

ସହିଦ ସିପାହୀ ରାଜସ୍ଥାନ ଯୋଧପୁରର ଲକ୍ଷ୍ମଣ ବୋଲି ଜଣାପଡ଼ିଛି ।

ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ପାକିସ୍ତାନର ଅସ୍ତବିରତି ଉଲ୍ଲଂଘନ ଯୋଗୁ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ସୀମାରେ ପାକିସ୍ତାନ ସେନା ପ୍ରଥମେ ଗୁଳି ଚାଳନା କରିଥିଲେ । ଭାରତୀୟ ଯବାନ ମାନଙ୍କ ପକ୍ଷରୁ ମଧ୍ୟ ପାକିସ୍ତାନର ଏଭଳି କାମର କଡ଼ା ମୁକାବିଲା କରା ଯାଇଥିଲା । ହେଲେ ଏହି ସମୟରେ ଯବାନ ଲକ୍ଷ୍ମଣ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ ବୁଧବାର ଦିନ ପାକିସ୍ତାନ ପକ୍ଷରୁ ରଜୌରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରର ଏଲଓସିରେ ମୋର୍ଟାରରେ ଗୁଳିମାଡ ଆରମ୍ଭ କରାଯାଇଥିଲା । ଏହି ଗୁଳି ମାଡରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି ।

ତେବେ ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ ଯୋଗୁ ଚଳିତ ବର୍ଷ ୪ ଯବାନ ସହିଦ ହୋଇଥିବା ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ।

ଟିକାକରଣରେ ଭାରତ ଆଗୁଆ, ୧୮ ଦିନରେ ୪୫% ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ପ୍ରଦାନ

ନୂଆଦିଲ୍ଲୀ: ଟିକାକରଣରେ ଭାରତ ଆଗୁଆ । ଦ୍ରୁତତମ ଦେଶ ଭାବେ ୪୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ମାତ୍ର ୧୮ ଦିନରେ ୪୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ଏନେଇ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଟିକାକରଣରେ ଭାରତ ଆଗରେ ରହିଥିବା ବେଳେ ଆମେରିକା ଓ ଇଂଲଣ୍ଡକୁ ପଛରେ ପକାଇଛି । ଭାରତରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣରେ ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇସାରିଛନ୍ତି । ଆମେରିକାରେ ୨୦ଦିନ ଓ ଇଂଲଣ୍ଡରେ ୩୫ ଦିନରେ ମୋଟ ୪୦ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଥିବା ବେଳେ ଭାରତରେ ମାତ୍ର ୧୮ ଦିନରେ ୪୦ ଲକ୍ଷରୁ ଉର୍ଦ୍ଧ ସ୍ୱାସ୍ଥ୍ୟ କ୍ରମୀ ଟିକା ନେଇଛନ୍ତି ।

ତେବେ ଗତକାଲି ସାରା ଭାରତରେ ୨ ଲକ୍ଷ ୪୮ ହଜାର ୬୬୨ ଜଣଙ୍କୁ ଟିକା ଦିଆଯାଇଛି । ୧୮ ଦିନରେ ମଧ୍ୟପ୍ରଦେଶରେ ସର୍ବାଧିକ ୬୯. ୪ ପ୍ରତିଶତ ଟିକାକରଣ ହୋଇଛି ।

ଏୟାରପୋର୍ଟରେ ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ଏୟାରପୋର୍ଟରେ ଅନଶନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି । ହେଲେ ପରବର୍ତ୍ତୀ ସମୟରେ ଦାବି ପୂରଣ ହେବା ପରେ ସେ ଅନଶନରୁ ଓହରିଥିଲେ। ତାଙ୍କ କହିବାନୁଯାୟୀ ବିମାନବନ୍ଦରରେ ତାଙ୍କ ସ୍ୱାଗତ ପାଇଁ ଆସିଥିବା ସମର୍ଥକଙ୍କୁ ଗିରଫ କରାଯାଇଥିଲା । ଯେଉଁଥିପାଇଁ ସେ ପ୍ରତିବାଦରେ ବସିଥିଲେ।

ତାଙ୍କ କହିବାନୁଯାୟୀ ସାମାଜିକ କାର୍ଯ୍ୟକ୍ରମ ଲାଗି ସେ ଉତ୍ତରପ୍ରଦେଶ ଆସିଥିଲେ । ଆଉ ସେଠାରୁ ତାଙ୍କୁ ପ୍ରୟାଗରାଜ, ପ୍ରତାପଗଡ, ସୁଲତାନପୁର ଓ ଜୋନପୁର ଯିବାର ଥିଲା । ହେଲେ ମୋତେ ନେବା ପାଇଁ ଯେଉଁମାନେ ଆସିଥିଲେ, ସେମାନଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରି ନେଇଥିଲେ ।

ଏହି ଘଟଣା ମୋତେ ମର୍ମାହତ କରିଥିବା ବେଳେ ଲାଗିଲା ଯେ ମୋ ଛୁଆ ମାନେ ଜେଲରେ ଥିବା ବେଳେ ମୁଁ କେମିତି ମୁକ୍ତ ହୋଇ ରହିପାରିବି । ଯେଉଁଥିପାଇଁ ବୁଧବାର ଦିନ ମୁଁ ଏଠାରେ ଅନଶନରେ ବସିବା ସହ ଅନ୍ନ ଜଳ ତ୍ୟାଗ କରିଥିଲି ।

ତେବେ ଏ ଘଟଣା ସମ୍ପର୍କରେ ଯେତେବେଳେ ମୁଁ ପୋଲିସ ଅଧିକାରୀଙ୍କୁ ପଚାରିଲି, ସେମାନେ କହିଥିଲେ ଏଥିପାଇଁ ପିଏମଓଙ୍କ ନିର୍ଦ୍ଦେଶ ରହିଛି । ଯାହା ପରେ ମୁଁ ସେହି ଅର୍ଡର ଦେଖିବାକୁ ମାଗିଥିଲେ ମଧ୍ୟ ପୋଲିସ ପକ୍ଷରୁ ମୋତେ କୌଣସି କପି ଦିଆଯାଇନଥିଲା ।

ଅପରପକ୍ଷରେ ତାଙ୍କ ସମର୍ଥକ ମାନଙ୍କୁ  ୧୪୪ ଧାରା ଅଧିନରେ ଗିରଫ କରାଯାଇଥିବା ଜଣାପଡିଛି । ଆହୁରି ମଧ୍ୟ ପ୍ରହ୍ଲାଦ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ହୋଇଥିବାରୁ ତାଙ୍କୁ ବଦନାମ କରିବା ପାଇଁ ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

 

ସୁନ୍ଦରଗଡରେ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ

ରାଉରକେଲା: ସୁନ୍ଦରଗଡ଼ ବିଶ୍ରା ଥାନା ଅନ୍ତର୍ଗତ ମହିପାଣି ନିକଟରେ ଟ୍ରେନ ଧକ୍କାରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଗତକାଲି ରାତି ଗୋଟାଏରେ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ୧୪ ଟିକିଆ ହାତୀପଲ ମହିପାଣିରୁ ଝାଡ଼ଖଣ୍ଡ ସଂରଷିତ ଜଙ୍ଗଲକୁ ଯାଉଥିବା ବେଳେ ପାର୍ସଲ ଟ୍ରେନ ଧକ୍କାରେ ଦୁଇ ହାତୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମୃତ ଦୁଇ ମାଈ ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀ ୧୫ ବର୍ଷରୁ ଅଧିକ ଓ ଅନ୍ୟ ହାତୀଟି ୮ ବର୍ଷରୁ ଅଧିକ ବୟସର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ହାତୀ ମୃତ୍ୟୁ ନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ହାତୀପଲ ଯାଉଥିବା ନେଇ ରେଲବାଈ ଵିଭାଗକୁ ବନ ବିଭାଗ ପକ୍ଷରୁ ଅବଗତ କରାଯାଇଥିଲା । ତେବେ ରେଳବାଇ ବିଭାଗ କାହିଁକି ପଦକ୍ଷେପ ନେଇନଥିଲେ, ସେସମ୍ପର୍କରେ ଵନ ଵିଭାଗ ପଷରୁ ତଦନ୍ତ ଆରମ୍ଭ ହୋଇଛି।

ରେଳବାଇ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବନ୍ଧମୁଣ୍ଡା ଏଆରଏମ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ରେଳ ଟ୍ରାକରୁ ହାତୀ ମୃତଦେହ ବାହାର କରିବା ସହ ଲାଇନଚ୍ୟୁତ ହୋଇଥିବା ଟ୍ରେନ ବଗି ମରାମତି କରାଯାଇଛି । ଏବେ ଟ୍ରେନ ଚଲାଚଳ ସ୍ବାଭାବିକ ହୋଇଛି ।

ଆସନ୍ତା ୫ରେ କୋଟିଆରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକାଶ ପଥରେ ସୀମାନ୍ତ କୋଟିଆ। ଯେଉଁଠାରେ ଉଦଘାଟିତ ହେବାକୁ ଯାଉଛି ବହୁ ବିକାଶମୂଳକ ପ୍ରକଳ୍ପ। ଆସନ୍ତା ପାଞ୍ଚ ତାରିଖରେ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁସାରେ କୋଟିଆର ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ, ସବ ସେଣ୍ଟର, ଅଫିସର କ୍ଲଷ୍ଟର ଗୃହ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ସରକାରୀ ବାସ ଗୃହ, ମାଡକର ଗାଁକୁ ରାସ୍ତା, ସରକାରୀ ଆଶ୍ରମ ହାଇସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଞ୍ଚାୟତ ରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଲୋକ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଏସପି, ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ ସମେତ ସମସ୍ତ ବିଭାଗ ଅଧିକାରୀମାନେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

କୋଟିଆର ୨୧ଟି ଗାଁର, ଆନ୍ଧ୍ର ପ୍ରଦେଶ ସହ ସୀମା ବିବାଦ ଲାଗିଛି । ଲୋକଙ୍କୁ ଆନ୍ଧ୍ରରୁ ସୁବିଧା ମିଳୁଥିବାରୁ ସେମାନେ ଆନ୍ଧ୍ରମୁହାଁ ହେଉଛନ୍ତି । ଯେଉଁଥିପାଇଁ ଅନେକ ସମୟରେ ସୀମା ବିବାଦ ଭଳି ପରିସ୍ଥିତି ଉପୁଜିଥାଏ । ଏହାର ସମାଧାନ ପାଇଁ ନିକଟ ଅତୀତରେ କୋଟିଆରେ ସ୍ଥାୟୀ ଥାନା ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଥିସହ ପଢନ୍ତୁ- ତୁଟୁନି ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ଗ୍ରାଉଣ୍ଡ ଜିରୋର ରିପୋର୍ଟ ମାଗିଲେ ବାଚସ୍ପତି