ସିଲଭର ସିଟି ବୋଟିଂ କ୍ଲବ୍‌ରେ ୱାଟର ସ୍ପୋର୍ଟସ ପାର୍କ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଓଟିଡିସି ଅଧ୍ୟକ୍ଷା

1 min read
Water Sports Park

କଟକ: କଟକରେ ପ୍ରସ୍ତୁତ ହେଉଛି ଓ୍ୱାଟର ସ୍ପୋର୍ଟସ୍‌ ପାର୍କ । ଖୁବ୍‌ଶୀଘ୍ର ହେବ ଲୋକାର୍ପଣ । ସାଧାରଣ ଲୋକ ମହାନଦୀରେ ଆଡ୍‌ଭେଞ୍ଚର ୱାଟର ସ୍ପୋଟର୍ସ ସହ ମନୋରଞ୍ଜନର ସୁବିଧା ପାଇପାରିବେ । ଏହି କାର୍ଯ୍ୟର ସମୀକ୍ଷା କରିଛନ୍ତି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ ଓ କ୍ରିୟାଶୀଳ କରିବା ନିମନ୍ତେ ଗୁରୁତ୍ୱ ଦେଉଛନ୍ତି । ତେଣୁ ପର୍ଯ୍ୟଟନସ୍ଥଳିଗୁଡ଼ିକର ବିକାଶ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ।

OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମଙ୍ଗଳବାର ଅପରାହ୍ନରେ ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କ ସହ କଟକ ଗସ୍ତରେ ଯାଇଥିଲେ । ସେଠାରେ ସେ ମାତାମଠ ‘ୱାଟର ସ୍ପୋଟର୍ସ’ର ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସମସ୍ତ କାର୍ଯ୍ୟ ବୁଲି ଦେଖିବାପରେ ତାଙ୍କ ସହ ଯାଇଥିବା ଓଟିଡିସିର ବରିଷ୍ଠ ପଦାଧିକାରୀ ଓ ଇଞ୍ଜିନିୟରମାନଙ୍କୁ ବାକି ଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ଯ୍ୟଟକଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏବାବଦରେ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଶ୍ରୀମତୀ ମିଶ୍ର କହିଛନ୍ତି ।

ଏହି ସ୍ଥାନରେ ବିଭିନ୍ନ ପ୍ରକାରର ୱାଟରସ୍ପୋଟର୍ସ ବ୍ୟତୀତ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଓଟିଡିସି ପକ୍ଷରୁ ଏକ ରେଷ୍ଟୁରାଣ୍ଟ ମଧ୍ୟ ଖୋଲାଯିବ । ପର୍ଯ୍ୟଟକମାନେ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବା ନିମନ୍ତେ ଏକ ଭ୍ୟୁ ପଏଣ୍ଟ ଓ ସ୍ମୃତିକୁ ସାଇତି ରଖିବା ନିମନ୍ତେ ଏକ ସେଲଫି ଜୋନ୍ ମଧ୍ୟ ନିର୍ମାଣ କରାଯାଉଛି । କଟକବାସୀ ମଧ୍ୟ ଏଠାରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିପାରିବେ । ରାଜ୍ୟ ତଥା ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଏଠାରେ ଅତ୍ୟାଧୁନିକ ୱାଟର ସ୍ପୋଟର୍ସ ଓ ମନୋରଞ୍ଜନର ସୁବିଧା ଯୋଗାଇଦେବା ପାଇଁ ଓଟିଡିସି ଖୁବଶୀଘ୍ର ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଇବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Leave a Reply