spot_img
Home Blog Page 6028

ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହେବେ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଗୁରୁବାର ଦିନ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଦୁଇ ପୋଲିସ ଅଧିକାରୀ ଓ ଏସକର୍ଟ ଟିମ୍ ଆଜି ଝାରପଡ଼ା ଜେଲ ଯାଇ ପ୍ରଦୀପଙ୍କୁ ବ୍ରହ୍ମପୁର ଆଣିବେ । କୋର୍ଟରେ ହାଜର ସହ ୩ ଦିନ ବ୍ରହ୍ମପୁର ଜେଲରେ ରହିବେ ପ୍ରଦୀପ।

ସୂଚନା ଅନୁସାରେ ଏହି ସମୟରେ ପ୍ରଦୀପଙ୍କୁ ରିମାଣ୍ଡରେ ନେଇପାରେ ବ୍ରହ୍ମପୁର ପୋଲିସ। ଟାଟା ନିଯୁକ୍ତି ଠକେଇ ମାମଲା ନେଇ ପ୍ରଦୀପଙ୍କ ନାଁରେ ଗୋଳନ୍ଥରା ଥାନାରେ ରହିଛି ଏକାଧିକ ମାମଲା । ଏହି ଠକେଇ ମାମଲାରେ ଜେରା କରିବା ପାଇଁ ପ୍ରଦୀପଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ।

ତେବେ କୋର୍ଟରେ ହାଜର ପରେ ନିଯୁକ୍ତି ଠକେଇ ମାମଲାର ଅଧିକ ଖୋଳତାଡ଼ ପାଇଁ ଗିରଫ ଗୋପାଳପୁର ବିଧାୟକଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଗୋଳନ୍ଥରା ଥାନା ପୋଲିସ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ୪ ତାରିଖ ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ତାଙ୍କ ବିରୋଧରେ ଦଫା  ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି,  IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ ।  ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା।

ଯାହା ପରେ ତାଙ୍କୁ ଦଳରୁ ମଧ୍ୟ ବହିଷ୍କୃତ କରାଯାଇଥିଲା ।

କୋଷ୍ଟାଲ ହାଇୱେକୁ ନେଇ ତୀବ୍ର ହୋଇଛି ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଆଶା ସଞ୍ଚାର

ଭୁବନେଶ୍ୱର: କୋଷ୍ଟାଲ ହାଇୱେକୁ ନେଇ ତୀବ୍ର ହୋଇଛି ରାଜନୀତି । ରାଜ୍ୟ ସରକାରଙ୍କୁ ଅବଗତ ନ କରାଇ କୋଷ୍ଟାଲ ହାଇୱେ ନକ୍ସା ପରିବର୍ତ୍ତନ କରିଥିଲା କେନ୍ଦ୍ର । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏ ସଂପର୍କରେ ଆଲୋଚନା ପରେ ପୁଣି ଏହାକୁ ନେଇ ରାଜନୈତିକ ଲଢେଇ ଆରମ୍ଭ ହୋଇଛି ।

ଓଡିଶାରେ ହେବାକୁ ଥିବା ଉପକୂଳ ରାଜପଥକୁ ନେଇ ଚାଲିଥିବା ବିବାଦ ଭିନ୍ନ ମୋଡ ନେଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ନ କରି କୋଷ୍ଟାଲ ହାଇୱେର ନକ୍ସା ପରିବର୍ତ୍ତନ କରିଥିବା ଅଭିଯୋଗରେ କେନ୍ଦ୍ର ଉପରେ ରାଜ୍ୟ ସରକାର ବର୍ଷି ଥିବାବେଳେ ମଙ୍ଗଳବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବାହାରିଛି ସମାଧାନର ସୂତ୍ର । ପୁଣି ଜାତୀୟ ରାଜପଥ ନେଇ ଆଶା ସଂଚାର ହୋଇଛି ।

ଗୋପାଳପୁର ଦୀଘା କୋଷ୍ଟାଲ ହାଇୱେକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଗୋପାଳପୁର ସାତପଡା ସଂପର୍କରେ ଯେଉଁ ଅଭିଯୋଗ ଆଣିଥିଲେ ସେ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ତେଣୁ କୋଷ୍ଟାଲ ହାଇୱେର ନକ୍ସା ପରିବର୍ତ୍ତନ ହୋଇନାହିଁ ବୋଲି ଯୁକ୍ତି ବଢିଛି ବିଜେପି ।

ଅନ୍ୟପକ୍ଷରେ କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ସୁଫଳ ମିଳିବା ନେଇ ଆଶା କରାଯାଉଛି । କିନ୍ତୁ କେନ୍ଦ୍ରର ବିଜେପି ସରକାରଙ୍କଠାରୁ ପ୍ରତିଶ୍ରୁତିର ବାସ୍ତବ ପ୍ରତିଫଳନ ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ଉପକୂଳ ରାଜପଥ ନିଶ୍ଚିତ ଭାବେ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । କିନ୍ତୁ ଏହାର ବାସ୍ତବ ରୂପାୟନକୁ ନେଇ ସନ୍ଦେହ ପ୍ରକାଶ କରିଛି ବିଜେଡି ।

ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ବ୍ୟାପକ ଘୋଟାଲା, ବିଜେପି ଶାସିତ ରାଜ୍ୟରେ ଅଧିକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବ୍ୟାପକ ଘୋଟାଲା । ବହୁ ଅଯୋଗ୍ୟ ହିତାଧିକାରୀ ହାତେଇଛନ୍ତି ଟଙ୍କା । ତାହା ପୁଣି ବିଜେପି ଶାସିତ ରାଜ୍ୟରେ ଅଧିକ । ଲୋକସଭାରେ ଏପରି ତଥ୍ୟ ଦେଇଛନ୍ତି ଖୋଦ୍ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡିର ଯୁକ୍ତି ହେଉଛି ଯେଉଁମାନେ ଅଯୋଗ୍ୟ ହିତାଧିକାରୀ ସେମାନଙ୍କୁ ତାଲିକାରୁ ବାଦ ଦେବା କେନ୍ଦ୍ରର କାମ । ବିଜେପି କିନ୍ତୁ, ପିଏମ୍ କିଷାନରେ ଏପରି ଘୋଟାଲା ଗନ୍ଧ ଆସିବା ପରେ ମାପିଚୁପି ବୟାନ ଦେବା ସହ କେନ୍ଦ୍ର ପାଇଁ ଓକିଲାତି କରିଛି ।

ବିଜେପି ଶାସିତ ରାଜ୍ୟ ଆସାମରେ ୫ଲକ୍ଷ ୮୧ହଜାର ୬୫୨ଜଣ, ଗୁଜରାଟରେ ୨ଲକ୍ଷ ୧୦ହଜାର୪୯୦ଜଣ, ମଧ୍ୟପ୍ରଦେଶରେ ୨ଲକ୍ଷ୪୪ ହଜାର ୪୩୭, ଉତ୍ତରପ୍ରଦେଶରେ ୧ଲକ୍ଷ ୭୮ହଜାର ୩୯୮ଜଣ ଅଯୋଗ୍ୟ ହିତାଧିକାରୀ ପିଏମ୍ କିଷାନ୍ ଯୋଜନାରେ ହାତେଇଛନ୍ତି । ସାରା ଦେଶରେ ୩୨ଲକ୍ଷ ୯୧ ହଜାର ୧୫୨ଜଣ ଅଯୋଗ୍ୟ ହିତାଧିକାରୀ ପିଏମ୍ କିଷାନ୍ ଯୋଜନାରେ ୨ହଜାର କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।

ଏହି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଜେପିର କହିବା କଥା ହେଉଛି ରାଜ୍ୟସରକାର ମାନେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି କେନ୍ଦ୍ରକୁ ଦେବା କଥା । ଯାହା ରାଜ୍ୟମାନେ ଦେଉନାହାଁନ୍ତି ।

ଓଡିଶାରେ ୮ହଜାର ୭୯୦ଜଣ ଅଯୋଗ୍ୟ ହିତାଧିକାରୀ ପିଏମ୍ କିଷାନ୍‌ରେ ଟଙ୍କା ହାତେଇଛନ୍ତି । ଆଉ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ଓ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା କେନ୍ଦ୍ର ସରକାରଙ୍କ କାମ ବୋଲି ରାଜ୍ୟ କହିଛି । ରାଜ୍ୟରେ ମୋଟ ୩୭ଲକ୍ଷ ୧୯ହଜାର ୧୬୮ଜଣ ପିଏମ୍ କିଷାନ୍ ଯୋଜନାରେ ସାମିଲ୍ ଅଛନ୍ତି । ବିଜେଡିର କହିବା କଥା ହେଲା, ଯେ କୌଣସି ଯୋଜନା ରୂପାୟନ ବେଳେ ଦୋଷତ୍ରୁଟି ଥାଏ । କେନ୍ଦ୍ର ରାଜ୍ୟ ଅନୁଧ୍ୟାନ କରି ଏହାର ସଂଶୋଧନ କରିବା କଥା । ହେଲେ ବିଜେପି ଶାସିତ ରାଜ୍ୟରେ ସର୍ବାଧିକ ଅଯୋଗ୍ୟ ହିତାଧିକାରୀ କିପରି ହାତେଇଲେ ତାକୁ ନେଇ ସନ୍ଦେହ ଉଠିବା ସ୍ୱାଭାବିକ ।

ଚାଷୀ ଆନ୍ଦୋଳନକୁ ବିଦେଶୀ ଷ୍ଟାର ସମର୍ଥନ ପରେ ବଲିଉଡ୍‌ରେ ରିଆକ୍ସନ

ନୂଆଦିଲ୍ଲୀ: କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଚାଷୀଙ୍କ ପ୍ରତିବାଦକୁ ମିଳିଛି ସମର୍ଥନ । ଆମେରିକାର ପପ୍‌ ସିଙ୍ଗର ରିହାନା ଟୁଇଟ୍‌ କରି ଚାଷୀଙ୍କୁ ସମର୍ଥନ ଜଣାଇଛନ୍ତି । ତାଙ୍କର ଏହି ଗୋଟିଏ ଟୁଇଟ୍‌ ପରେ ଏବେ ବଲିଉଡ୍‌ ସହ କେନ୍ଦ୍ର ସରକାର ପ୍ରବଳ ବିରୋଧ କରିଛନ୍ତି ।

ସିଂଘୁ ସୀମାରେ ଚାଲିଥିବା ଚାଷୀଙ୍କ ପ୍ରତିବାଦକୁ ଏବେ ଚାରିଆଡୁ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଆମେରିକାର ପପ୍ ସିଙ୍ଗର ରିହାନା ଏକ ଟୁଇଟ କରି ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ଦରକାର ବୋଲି କହିବା ପରେ ପୁରା ଭାରତରେ ହଲିଉଡ୍‌କୁ ନେଇ ଚର୍ଚ୍ଚା । ସବୁକଥାରେ ମୁଣ୍ଡପୁରାଉ ଥିବା ବଲିଉଡ଼ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ, ରିହାନାଙ୍କୁ ଟାର୍ଗେଟ କରି ବାମପନ୍ଥୀ ସେଲିବ୍ରିଟି ଓ ଡାହାଣ ପନ୍ଥୀ ସେଲିବ୍ରିଟି ଲେଖି ଟୁଇଟ୍‌ କରିଛନ୍ତି । ତାଙ୍କ ପଛେ ପଛେ ଅକ୍ଷୟ କୁମାର, ଅଜୟ ଦେବଗନ ମଧ୍ୟ ରିହାନାଙ୍କୁ ଟୁଇଟ୍‌ କରି ବଦନାମ କରିବାକୁ ଚେଷ୍ଟା କରିଛନ୍ତି । ପୂର୍ବରୁ କ୍ଲାଇମେଟ୍‌ ଚେଞ୍ଜ ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗ ମଧ୍ୟ ଚାଷୀଙ୍କ ସମର୍ଥନରେ ଟୁଇଟ୍‌ କରିଥିଲେ ।

ଏଠି ପ୍ରଶ୍ନ ଉଠୁଛି ଆମେରିକାରେ ଘଟୁଥିବା ଘଟଣାକୁ ବିରୋଧ କରୁଥିବା କଙ୍ଗନାଙ୍କର ରିହାନାଙ୍କ କ୍ଷେତ୍ରରେ କାହିଁକି ଅସୁବିଧା ? ଚାଷୀଙ୍କୁ ଆତଙ୍କବାଦୀ କହୁଥିବା କଙ୍ଗନା ନିଜକୁ କଣ ପରିଚୟ ଦେବାକୁ ଚାହୁଁଛନ୍ତି ? ଚାଷୀଙ୍କ ସମର୍ଥନରେ ଜଣେ ପପ୍ ସିଙ୍ଗର ଆଲୋଚନା କରିବା କଣ ଭୁଲ୍ ?

ସେପଟେ ବିଦେଶୀଙ୍କ ଏଭଳି ଚାଷୀ ସମର୍ଥନ ଦେଖି ଚିନ୍ତାରେ ବୈଦେଶିକ ମନ୍ତ୍ରାଳୟ । ଶେଷରେ ସ୍ଥିତି ଏମିତି ହେଲା ଯେ ବିଦେଶୀ ସେଲିବ୍ରିଟିଙ୍କୁ ଚେତାବନୀ ଦେବାକୁ ପଡିଛି । କୃଷି ଆଇନକୁ ନେଇ ମାତ୍ର କିଛି ଚାଷୀ ଆନ୍ଦୋଳନ କରୁଛନ୍ତି । ସେମାନଙ୍କୁ ବୁଝାଇବା ପାଇଁ ସରକାର ବାରମ୍ବାର ଆଲୋଚନା କରୁଛନ୍ତି । ତେଣୁ ଏ ପ୍ରସଙ୍ଗରେ ବାହାର ଲୋକଙ୍କ ବୟାନକୁ ବରଦାସ୍ତ କରାଯିବନି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏପଟେ ଚାଷୀ ପ୍ରସଙ୍ଗରେ ସଂସଦରେ ହେବ ସାଢେ ୧୪ ଘଣ୍ଟାର ଆଲୋଚନା । ଏନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇଛି । ଏଥିପାଇଁ ରାଜ୍ୟସଭାରେ ଦୁଇ ଦିନ ପାଇଁ ପ୍ରଶ୍ନକାଳ ହେବନାହିଁ । କିନ୍ତୁ ଆଲୋଚନା ପୂର୍ବରୁ ନାରାବାଜି ଯୋଗୁ ଗୃହକୁ ମୁଲତବି ଘୋଷଣା କରାଯାଇଛି । ବିରୋଧ ପ୍ରଦର୍ଶନ ପାଇଁ ୩ ଆପ୍ ସାଂସଦଙ୍କୁ ଗୃହରୁ ବାହାର କରିବା ପାଇଁ ନୋଟିସ୍ କରାଯାଇଛି । ବିପକ୍ଷ ଦଳର ନେତା ଗୁଲାମନବୀ ଆଜାଦ୍‌ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଅନ୍ନଦାତାଙ୍କ ବିରୋଧରେ ସରକାର ନ ଲଢି ପାକିସ୍ତାନ ଓ ଚୀନ ବିରୋଧରେ ଲଢନ୍ତୁ ବୋଲି ଆଜାଦ କଟାକ୍ଷ କରିଛନ୍ତି ।

ନଇଁବନି ଚାଷୀର ମୁଣ୍ଡ, ଜୋରଦାର ହେବ ଆନ୍ଦୋଳନ ! ମହାପଞ୍ଚାୟତରେ ପାରିତ ହେଲା ୫ ପ୍ରସ୍ତାବ

ନୂଆଦିଲ୍ଲୀ: ସହଜରେ ନଇଁବନି ଚାଷୀର ମୁଣ୍ଡ । ସରକାର ଯେତେ ପ୍ରୟାସ କଲେ ବି ବନ୍ଦ ହେବନି ଆନ୍ଦୋଳନ । ଆନ୍ଦୋଳନରେ ବସିଥିବା ଚାଷୀଙ୍କ ହାତ ମୁଠା ଟାଣ କରିବାକୁ ଜିନ୍ଦରେ ବସିଥିବା ମହାପଞ୍ଚାୟତରେ ପାରିତ ହୋଇଛି ୫ଟି ପ୍ରସ୍ତାବ । ସରକାର ଏ ଦିଗରେ ଯଥା ଶୀଘ୍ର ଧ୍ୟାନ ଦେବା ପାଇଁ ଦାବି ହୋଇଛି ।

କେନ୍ଦ୍ରକୁ ତେରେଚ୍ଛା ବାଣ ମାରିଲେ ଚାଷୀ ନେତା । ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ହରିୟାଣାର ଜିନ୍ଦରେ ବସିଥିଲା ମହାପଞ୍ଚାୟତ । ଏଥିରେ ପାରିତ ହୋଇଛି ୫ଟି ପ୍ରସ୍ତାବ । ତିନି କୃଷି ଆଇନ୍ ପ୍ରତ୍ୟାହାର ହେଉ । ଏମଏସପି ଉପରେ ଆଇନ୍ ଆଣନ୍ତୁ ସରକାର । ଗିରଫ ହୋଇଥିବା ଚାଷୀଙ୍କୁ ମୁକ୍ତ କରାଯାଉ । ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ହେଉ ଓ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରାଯାଉ ବୋଲି ଚାଷୀମାନେ ଦାବି କରିଥିଲେ । ମହାପଞ୍ଚାୟରେ ଯୋଗଦେଇ ଚାଷୀ ନେତା ରାକେଶ ଟିକାୟତ କହିଥିଲେ, ସରକାରଙ୍କୁ ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ କୁହାଯାଉଛି । ଗାଦି ଛାଡିବା ପାଇଁ ନୁହେଁ । ତିନି କୃଷି ଆଇନ ବିରୋଧରେ ଲଢେଇ ଜାରି ରହିବ, ଯେ ପର୍ଯ୍ୟନ୍ତ ଆଇନ୍ ପ୍ରତ୍ୟାହାର ନ ହୋଇଛି ।

ସେପଟେ ଚାଷୀଙ୍କୁ ଘେରାବନ୍ଦୀ କରି ରଖିଛି ଦିଲ୍ଲୀ ପୋଲିସ । ଦେଖିଲେ ମନ ହେଉଛି ଅନ୍ନଦାତାଙ୍କ ଆନ୍ଦୋଳନକୁ ନେଇ କେତେ ଭୟଭୀତ ସରକାର । ଲାଗିଥିବା ତାର ଜାଲି ଓ ବ୍ୟାରିକେଡ୍ ପାଇଁ ଯାତାୟତରେ ସମସ୍ୟା ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ । ଆନ୍ଦୋଳନରତ ଚାଷୀ ମଧ୍ୟ ପୋଲିସର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଦୁଇ ମାସରୁ ଅଧିକ ସମୟ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ସରକାର-ଚାଷୀଙ୍କ ମଧ୍ୟରେ ୧୧ ଥର ଆଲୋଚନା ହୋଇ ଫେଲ ମାରିଛି ।

ରାସ୍ତାରେ ଗଡ଼ିବନି ପୁରୁଣା ଗାଡ଼ି, ଖୁବ୍‌ଶୀଘ୍ର ଆସିପାରେ ନୂଆ ନିୟମ; ଲୋକଙ୍କ ମନରେ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଦେଶରେ ଲାଗୁ ହେବ ନୂଆ ପରିବହନ ନୀତି । ରାସ୍ତାରେ ପୂରୁଣା ଗାଡ଼ି ଚାଲିବା ହେବ କଷ୍ଟକର । ପ୍ରଦୂଷଣକୁ ରୋକିବା ପାଇଁ ଲାଗୁ ହେବାକୁ ଯାଉଛି ସ୍ୱତନ୍ତ୍ର ଗ୍ରୀନ୍ ଟାକ୍ସ । ବାଣିଜ୍ୟିକ ଯାନର ୧୫ବର୍ଷ ଓ ଘରୋଇ ଯାନର ଅବଧି ହେବ ୨୦ବର୍ଷ । ନିକଟରେ ଉପସ୍ଥାପନ ହୋଇଥିବା କେନ୍ଦ୍ର ବଜେଟ୍‌ରେ ଏନେଇ ମିଳିଛି ସୁରାକ୍‌ । ଏହି ଆଇନ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ସାଧାରଣ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ପ୍ରଦୂଷଣକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା । ଏହାକୁ ରୋକିବା ପାଇଁ ଚାଲିଛି ଯୋଜନା । ପ୍ରଦୂଷଣ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ପୂରୁଣା ଯାନବାହାନ ଚଳାଚଳ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ଲାଗୁ କରିବା ପାଇଁ ଯାଉଛନ୍ତି ଗ୍ରୀନ୍ ଟାକ୍ସ ବ୍ୟବସ୍ଥା । ଯେକୌଣସି ଘରୋଇ ଗାଡ଼ିର ଅବଧି ୨୦ବର୍ଷ ଏବଂ ବାଣିଜ୍ୟିକ ଗାଡିର ଅବଧି ରହିବ ୧୫ବର୍ଷ । ଏହା ପରେ ଗାଡିର ନବୀକରଣ କରାଯିବା ପରିବର୍ତ୍ତେ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ ଘୋଷଣା କରାଯିବ । ପ୍ରଦୂଷଣକୁ ରୋକିବା ପାଇଁ ଏଭଳି ପଦକ୍ଷେପକୁ ରାଜ୍ୟ ପରିବହନ ମନ୍ତ୍ରୀ ସ୍ୱାଗତ କରିବା ସହ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନଥିବା କହିଛନ୍ତି ।

ଏହି ନୂତନ ପ୍ରସ୍ତାବିତ ଆଇନକୁ ନେଇ ଦ୍ୱନ୍ଦ୍ୱରେ ସାଧାରଣ ଲୋକେ । ଏନେଇ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ପ୍ରଦୂଷଣକୁ ରୋକିବା ପାଇଁ ଏଭଳି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି । ତେବେ ଗାଡି ନଷ୍ଟ ହେବା ପରେ ନୂତନ ଗାଡି କ୍ରୟ ପାଇଁ କିଛି ରିହାତି ବା ଋଣର ବ୍ୟବସ୍ଥା ହେବ କି ନାହିଁ ତାହା ସ୍ପଷ୍ଟ ହେବା ଦରକାର ବୋଲି କହିଛନ୍ତି ଲୋକେ । ସେପଟେ ନୂତନ ନିୟମ ଲାଗୁ ପୂର୍ବରୁ ସରକାର ଲୋକଙ୍କୁ ସ୍ପଷ୍ଟ ସୂଚନା ଦେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ ।

ଜେଲ୍‌ରେ ଫୁଡ୍‌ ପ୍ରୋସେସିଙ୍ଗ ୟୁନିଟ୍, ମିଳିବ ସୁଲଭ ଓ ସ୍ୱଚ୍ଛ ଖାଦ୍ୟ ସାମଗ୍ରୀ

0

ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରରେ ଆଜିଠୁ ଆରମ୍ଭ ହେଲା ଫୁଡ ପ୍ରୋସେସିଙ୍ଗ ୟୁନିଟ୍ । ଏଣିକି ପ୍ରାୟ ସମସ୍ତ ପ୍ରକାରର ରାଶନ ସାମଗ୍ରୀ ସୁଲଭ ମୂଲ୍ୟରେ ପାଇପାରିବେ ସମ୍ବଲପୁର ସହରବାସୀ । ଜେଲରେ ହେବ ଫୁଡ ପ୍ରୋସେସିଂ ୟୁନିଟ୍ । କଏଦୀ ପସ୍ତୁତ କରିବେ ଖାଦ୍ୟ ସାମଗ୍ରୀ । ସୁଲଭମୁଲ୍ୟରେ ସୁଦ୍ଧ ଜିନିଷ ପାଇପାରିବେ ସହରବାସୀ ।

ଗୋଟିଏ ପଟେ ବଜାରରେ ବିକ୍ରି ହେଉଛି ବିଷ । ଲୋକଙ୍କୁ ବିପଦରେ ପକାଇ ଚାଲିଛି ଜୀବନ ଘାତକ ବ୍ୟବସାୟ । ଏଥିପାଇଁ ଚିନ୍ତାରେ ଖାଉଟି । ଏହି ଚିନ୍ତାକୁ ସାମନ୍ୟ କମ୍ କରିବା ପାଇଁ ସମ୍ବଲପୁର ମଣ୍ଡଳକାରଗାର କର୍ତ୍ତୃପକ୍ଷ ଆରମ୍ଭ କରିଛନ୍ତି ଭିନ୍ନ ପ୍ରୟାସ । କାରାଗାରରେ ପ୍ରତିଷ୍ଠା କରାଯାଇଛି ରାଶନ ଷ୍ଟୋର ବା ଫୁଡ୍‌ ପ୍ରୋସେସିଂ ୟୁନିଟ୍ । କଏଦୀଙ୍କ ଦ୍ୱାରା ପସ୍ତୁତ ସୁଦ୍ଧ ସାମଗ୍ରୀ, ଏହି ୟୁନିଟ୍‌ରେ ବିକ୍ରି କରାଯାଉଛି । ଏଠାରେ ଗହମଠୁ ଆରମ୍ଭ କରି ବେସନ ଚିନି ସୁଜି ହଳଦୀ ସମସ୍ତ ଜିନିଷ ସୁଲଭ ମୂଲ୍ୟରେ ପାଇପାରିବେ ସହରବାସୀ ।

ସମ୍ବଲପୁର ମଣ୍ଡଳ କାରାଗାରରେ ପୂର୍ବରୁ ଚାଦର, ବେଡସିଟ୍‌, କମ୍ବଳ ପସ୍ତୁତ କରୁଥିଲେ କଏଦୀ । ଏବେ ଖାଦ୍ୟ ସାମଗ୍ରୀ ତିଆରି ପାଇଁ ପ୍ରଶିକ୍ଷଣ ଦିଆଯିବା ସହ କଂଚାମାଲ ଯୋଗାଇ ଦିଆଯାଇଛି । ଏଭଳି ପ୍ରୟାଶ ଦ୍ୱାରା କଏଦି ସ୍ୱାବଲମ୍ବି ହେବା ସହ ମୂଖ୍ୟ ସ୍ରୋତକୁ ଫେରିପାରିବେ ବୋଲି କହିଛନ୍ତି ଜେଲର ।

ଅଳକା ନଦୀର ହେବ ପୁନରୁଦ୍ଧାର, ଉଚ୍ଛେଦ ହେବ ଜବରଦଖଲ

0

ଜଗତସିଂହପୁର: ଅଳକା ନଦୀର ପୁନରୁଦ୍ଧାର କରାଯିବ । ଜଗତ୍‌ସିଂହପୁର ଜିଲ୍ଲାରେ ଅଳକା ନଦୀର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛି ଡ୍ରେନେଜ୍ ବିଭାଗ । ଦୀର୍ଘଦିନ ଧରି ଏହି ନଦୀ ଜବରଦଖଲରେ ରହିଥିବା ବେଳେ କାଳକ୍ରମେ ଏହା ପୋତି ହୋଇଯାଇଥିଲା ।

ନବକୃଷ୍ଣ ଚୌଧୂରୀ ଷ୍ଟାଡିୟମଠାରୁ ଓଡ଼ିଶୋ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲୋକମାନେ ଏହାକୁ ଜବରଦଖଲରେ ରଖିଛନ୍ତି । ଏ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହେବା ପରେ ଏହାର ପୁନରୁଦ୍ଧାର ପାଇଁ ଡ୍ରେନେଜ୍ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କେତେ ଜାଗାରେ ନଦୀକୁ ଜବରଦଖଲ କରାଯାଇଛି, ସେଗୁଡ଼ିକୁ ଚିହ୍ନଟ କରାଯାଇ ଜବରଦଖଲକାରୀଙ୍କୁ ନୋଟିସ୍ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦେଭୋଗ, ରସଲପୁର, ଓଡ଼ିଶୋ ଦେଇ ପ୍ରବାହିତ ଏହି ନଦୀର ମାପଚୁପ କରାଯିବ । ଏଥିପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଚାଷ କାର୍ଯ୍ୟ ପାଇଁ ବହୁ ଚାଷୀ ଏହି ନଦୀ ପାଣି ଉପରେ ନିର୍ଭର କରନ୍ତି । ହେଲେ ଏବେ ଏହା ପୋତି ହୋଇ ପଡ଼ିଥିବାରୁ ଚାଷୀମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

ଭାଲେଣ୍ଟାଇନ ଡେ ନାଁରେ ଲୁଟ: ଯୁବାବର୍ଗଙ୍କୁ ଟାର୍ଗେଟ କଲେ ସାଇବର ଅପରାଧି

ନୂଆଦିଲ୍ଲୀ: ଭାଲେଣ୍ଟାଇନ ଡେ ନାଁରେ ଲୁଟ।  ପୁଣି ଥରେ ଯୁବାବର୍ଗଙ୍କୁ ଟାର୍ଗେଟ କଲେ ସାଇବର ଅପରାଧି।  କେତେବେଳେ ତାଜ ହୋଟେଲ ନାଁରେ ତ ପୁଣି କେତେବେଳେ ଟାଟା କମ୍ପାନୀ ନାଁରେ ଜାଲ ବିଛାଉଛନ୍ତି ସାଇବର ଠକ । ଲୁଟ୍ ପାଇଁ ହ୍ୱାଟ୍ସଆପକୁ ମାଧ୍ୟମ କରିଛନ୍ତି ଏହି ଲୁଟେରା ଏତିକିରେ ଫେଲ ମାରିଲେ ଏନି ଡେସ୍କ ଆପ୍ଲିକେସନ ଡାଉନଲୋଡ କରିବାକୁ କହି ଟଙ୍କା ଲୁଟୁଛନ୍ତି।

ପ୍ରେମ ସପ୍ତାହକୁ ଚାହିଁ ବସିଛନ୍ତି ପ୍ରେମୀ ଯୁଗଳ। ପରସ୍ପରଙ୍କୁ ଉପହାର ଦେବା ପାଇଁ କେତେ କଣ ଯୋଜନା ବି ହୋଇଛି।  ଏହି ସମୟରେ ଯୁବାବର୍ଗଙ୍କୁ ଲୁଟିବା ପାଇଁ ନୂଆ ଜାଲ ବିଛାଇଛି ସାଇବର ଅପରାଧି । ୭ ଦିନ ମାଗଣାରେ ତାଜ ହୋଟେଲରେ ବିତାଇପାରିବା ଭଳି ମନଲୋଭା  ଅଫର ମିଳୁଛି । କେବଳ ଏତିକି ନୁହଁ ନିଜର ପ୍ରିୟଜନଙ୍କୁ ଆପଣ ଗିଫ୍ଟ ଦେବାପାଇଁ ମାଗଣା ମୋବାଇଲ ଯୋଗାଇବାକୁ ପ୍ରଲୋଭିତ କରୁଛି ଠକ ।  ଏଥିପାଇଁ ଗୋଟିଏ ଲିଙ୍କ କ୍ଲିକ କରିବାକୁ ମେସେଜ ଆସୁଛି । ଲିଙ୍କ କରିବା ପରେ ସହଜ ପ୍ରଶ୍ନର ଉତର ଦେବାକୁ ପଡୁଛି।  ଏହାପରେ ୫ ଜଣଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଉଛି।  ଏହି ମେସଜ୍ ପଠାଇବା ବେଳେ ଆପଣଙ୍କ ଠାରୁ ଡାଟା ଚୋରୀ କରି ଆପଣଙ୍କ ଆକାଉଣ୍ଟ ଖାଲି କରୁଛି ସାଇବର ଠକ।

ଅନ୍ୟପଟେ ମୋବାଇଲରେ ଥିବା ଟେଲି ଆପ୍ଲିକେସନ ସଂପର୍କ ଅଧିକ ସୂଚନା ନେବା ପାଇଁ ଏକ କଷ୍ଟମର କେୟାରକୁ କଲ କରି କେସିଙ୍ଗାର ବ୍ୟବସାୟୀ ନାରାୟଣ ଅଗ୍ରୱାଲ ସାଇବରଠକେଇର ଶିକାର ହୋଇଛନ୍ତି । ଏନି ଡେସ୍କ ଆପ୍ଲିକେସନ ଡାଉନଲୋଡ କରିବାକୁ କହିଥିଲେ ଠକ । ଏହାକୁ ଡାଉନ ଲୋକ କରବା ମାତ୍ରେ ପ୍ରଥମ ଥର ୯୯ ହଜାର ଓ ପରେ ୨୦ ହଜାର ଲେଖାଏଁ ୪ ଥର ତାଙ୍କ ଆକାଣ୍ଟରୁ ଟଙ୍କା ଅଭିଯୁକ୍ତ ଗାଏବ କରିନେଲେ । ଏନେଇ ନାରାୟଣ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ସହିତ ବ୍ରହ୍ମପୁର ସାଇବର କ୍ରାଇମ ସେଲରେ ମଧ୍ୟ ଅଭିଯୋଗ କରିଛନ୍ତି ।

ପୁରୀ-ଭୁବନେଶ୍ୱର ବାଇପାସ୍‌ର ହେଲା ଆଲୋକୀକରଣ, ମୁଖ୍ୟମନ୍ତ୍ରୀ କଲେ ଲୋକାର୍ପଣ

ଭୁବନେଶ୍ୱର: ବହୁପ୍ରତୀକ୍ଷିତ ପୁରୀ-ଭୁବନେଶ୍ୱର ବାଇପାସ୍‌ର ହେଲା ଆଲୋକୀକରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ୧୨ କିଲୋମିଟରର ଦୀର୍ଘ ଲମ୍ବା ରାସ୍ତା ଆଲୋକରେ ଝଲସିଛି । ଏହି ଆଲୋକୀକରଣ ପ୍ରକଳ୍ପ ପାଇଁ ଉପକୃତ ହୋଇଛନ୍ତି ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ୱର ବାସିନ୍ଦା ।

ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍‌ ରୋଡର ପଳାଶୁଣୀ ଛକଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ଆଲୋକୀକରଣ କାର୍ଯ୍ୟକାରୀ କରାଯାଇଛି । ଏହାଦ୍ୱାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଗାଡିଚାଳକ ଓ ପଥଚାରୀମାନଙ୍କ ଯାତାୟତ ଅଧିକ ନିରାପଦ ହୋଇପାରିବ । ଏଥିସହ ଚୋରି ଓ ଲୁଟପାଟ୍‌ ଭଳି ଅପରାଧିକ କାର୍ଯ୍ୟକଳାପ କମିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଟିରେ ୧୨୦ ୱାଟ୍‌ ବିଶିଷ୍ଟ ୭୭୪ଟି ଏଲ୍‌ଇଡି ଲାଇଟ ଲଗାଯାଇଛି ଏବଂ ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ୍‌ ଲଗାଯାଇଛି । ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୫ କୋଟି ଟଙ୍କା ବ୍ୟୟ କରାଯାଇଛି ।

ଲୋକାର୍ପଣ ଉତ୍ସବରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ବି‌ଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ୱରର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ମ୍ୟୁନିସପାଲ ଆଡମିନିଷ୍ଟ୍ରେସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ମହାନଗର ନିଗମର କମିଶନର ପ୍ରେମଚନ୍ଦ ଚୌଧୁରୀ । ଭୁବନେଶ୍ୱର ମହାନଗର ଅଞ୍ଚଳ ମଧ୍ୟରେ ନିଗମ ପକ୍ଷରୁ ଉଜ୍ଜଳ ଆଲୋକୀକରଣ କାର୍ଯ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ୪୦ ହଜାରରୁ ଅଧିକ ଲାଇଟ୍‌ ଲଗାଯାଇଛି । ଖୁବ୍‌ଶୀଘ୍ର ଅଧିକ ଆଲୋକୀକରଣ ପାଇଁ ଆଉ ୬.୭ କୋଟି ଟଙ୍କା ବିନିଯୋଗ କରାଯିବ ।