ପଶୁ ଓ ମଣିଷ ଭିତରେ ଅନାବିଳ ପ୍ରେମ, ଢ଼ୁଡ୍‌କୁ ଛାଡ଼ି ରହିପାରୁ ନାହାନ୍ତି କୁନ୍ତଳା

1 min read
DHUD Kuntala

କେନ୍ଦୁଝର: ପଶୁ ଓ ମଣିଷ ଭିତରେ ଅନାବିଳ ପ୍ରେମ । କୁହାଯାଏ ସାହାଯ୍ୟ-ସହଯୋଗ-ଭଲପାଇବା ଏସବୁକୁ ମଣିଷ ଭୁଲିଯାଇପାରେ । କିନ୍ତୁ ଗୋଟିଏ ପଶୁ କେବେ ଭୁଲେନା । କେନ୍ଦୁଝର ଜିଲ୍ଲାରେ ଠିକ୍‌ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଏହି କାହାଣୀ । ଜଣେ ମହିଳା ଜଙ୍ଗଲରୁ ଏକ କୁନି ବାରହାକୁ ପାଇଥିଲେ । ସେହି ମହିଳା ଜଣଙ୍କ ହେଉଛନ୍ତି ତେଲକୋଇ ବ୍ଲକ ଶିରିଗିଡ଼ା ନିକଟ ପୁରୁଷୋତ୍ତମପୁର ଗାଁର କୁନ୍ତଳା ପେଣ୍ଠେଇ । ବାରହାକୁ ପ୍ରାୟ ୧୦ ମାସ ନିଜ ପାଖରେ ରଖିଥିଲେ କୁନ୍ତଳା । ଏହା ଭିତରେ ବାରହା ଆଉ କୁନ୍ତଳାଙ୍କ ମଧ୍ୟରେ ଏକ ସମ୍ପର୍କ ଗଢ଼ି ଉଠିଥିଲା । ନିଜ ଛୁଆକୁ ପାଳିବା ଭଳି କୁନ୍ତଳା ବାରହାକୁ ପାଳିଥିଲେ ।

ହେଲେ ହଠାତ୍ ଦିନେ ବନ ବିଭାଗ ପାଖରେ ଖବର ପହଞ୍ଚିଲା । ଆଉ ବନ ବିଭାଗ କର୍ମଚାରୀମାନେ ଆସି ମହିଳାଙ୍କ ଘରେ ପହଞ୍ଚିଲେ । ପରେ ଉକ୍ତ ମହିଳା ଓ ବାରହାକୁ ଅଲଗା ହେବାକୁ ପଡ଼ିଥିଲା । ବାରହାଠାରୁ ବିଚ୍ଛେଦ ହେବା ପରେ ମହିଳା ଜଣଙ୍କ ସତେ ଯେମିତି ଭାଙ୍ଗିପଡ଼ିଥିଲେ । ବାରହା ଆଉ ମହିଳା ଅଲଗା ହୋଇଥିଲେ ସତ, ହେଲେ‌ ସେମାନଙ୍କ ସମ୍ପର୍କରେ ପଡ଼ିନଥିଲା ପୁର୍ଣ୍ଣଛେଦ । ବାରହାକୁ କୁନ୍ତଳା ଅତି ଶ୍ରଦ୍ଧାରେ ଡାକୁଥିଲେ ଢ଼ୁଡ୍‌ ।

ଢ଼ୁଡ୍‌ଠାରୁ ଅଲଗା ହେବା ଦିନଠୁ କୁନ୍ତଳା ପ୍ରତ୍ୟେକ ଦିନ ଜଙ୍ଗଲକୁ ଯାଆନ୍ତି । ଆଉ ନିଜ ବାରହାକୁ ଖୋଜନ୍ତି । ଜଙ୍ଗଲ ସାରା ଢ଼ୁଡ୍‌-ଢ଼ୁଡ୍‌-ଢ଼ୁଡ୍‌ ବୋଲି ଡାକି ବୁଲନ୍ତି । କିନ୍ତୁ ଢ଼ୁଡ୍‌ ମିଳିଲାନି । ଏମିତି ପ୍ରାୟ ୯ ଦିନ ପରେ ମିଳିଲା ଢ଼ୁଡ୍‌ର ସନ୍ଧାନ । କିଛି ଗାଁ ଲୋକ ଜାଣିବାକୁ ପାଇଲେ ଜଙ୍ଗଲର ଅନ୍ୟ ଏକ ପାଖରେ ଏକ  ବାରହା ଆହତ ଅବସ୍ଥାରେ ପଡ଼ିଛି । ଏହି ଖବର କୁନ୍ତଳାଙ୍କ କାନରେ ପଡ଼ିଲା । ଆଉ ତୁରନ୍ତ ତାକୁ ଦେଖିବା ପାଇଁ ଦୌଡ଼ିଗଲେ । ସେଠାରେ ପହଞ୍ଚି ଢ଼ୁଡ୍‌ ବୋଲି ଥରେ ଡାକିଦେଲେ କୁନ୍ତଳା । ଆଉ ଢ଼ୁଡ୍‌ କୁନ୍ତଳାଙ୍କ ଶବ୍ଦକୁ ବାରି ତାଙ୍କ ପାଖକୁ ଧାଇଁ ଆସିଲା । ଢ଼ୁଡ୍‌କୁ ପାଇବା ପରେ କୁନ୍ତଳାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଥିଲା । କୁନ୍ତଳା ଓ ଢ଼ୁଡ୍‌ ମଧ୍ୟ ଏକାଠି ହୋଇ ବେଶ ଖୁସି ନଜର ଆସୁଥିଲେ । ତେବେ ଢ଼ୁଡ୍‌ ଆହତ ହୋଇଥିବାରୁ ତାର ଚିକିତ୍ସା କରାଇବେ ବୋଲି କହିଛନ୍ତି କୁନ୍ତଳା । ଆଉ ଢ଼ୁଡ୍‌କୁ ପାଖରେ ରଖିବା ପାଇଁ ଅନୁମତି ମାଗିବେ ।

Leave a Reply