ଭୁବନେଶ୍ୱର: ବିଧାନସଭାରେ ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ଜୋରଦାର ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଶୋଧିତ ତୈଳ ଦର କମ ଥିବାବେଳେ ତୈଳ ଦର ବୃଦ୍ଧିକୁ ନେଇ ସେ ପଚାରିଛନ୍ତି ପ୍ରଶ୍ନ । ପଡ଼ୋଶୀ ଦେଶରେ କମ ଦାମରେ ପେଟ୍ରୋଲ ଡିଜେଲ ମିଳୁଥିଲେ ମଧ୍ୟ ଭାରତରେ କାହିଁକି ମିଳୁନି ବୋଲି ପଚାରିଛନ୍ତି ନରସିଂହ। ଆରବିଆଇ ଗଭର୍ଣ୍ଣର କହୁଛନ୍ତି ଟିକସ କମାଓ ବୋଲି । କେହି କ’ଣ ଜାଣିପାରୁନାହାନ୍ତି କି ? କେନ୍ଦ୍ରର ଦାୟିତ୍ବ ଅଧିକ ବୋଲି କହିଛନ୍ତି ନରସିଂହ । ଜିଏସଟିରେ ତେଲକୁ କାହିଁକି ଅନ୍ତର୍ଭୁକ୍ତ କରାଗଲାନି ? ପୂର୍ବରୁ ମଧ୍ୟ ଗୃହରେ କୁହାଯାଇଛି ମଦ ଓ ପେଟ୍ରୋଲ ଡିଜେଲକୁ ଜି ଏସ ଟି ରେ ଅନ୍ତର୍ଭୁକ୍ତ କରିବା ପାଇଁ । ଏବେ କେନ୍ଦ୍ରମନ୍ତ୍ରୀ କଣ କରୁଛନ୍ତି ସେ ତ ନିଜେ ସରକାର । ଏ କାମ ନ କରି କଥା କଣ କହୁଛନ୍ତି ବୋଲି କହିଛନ୍ତି ନରସିଂହ । ଖାଲି କଥା ନୁହେଁ କାମରେ କରିବା ଦରକାର । ୟୁପିଏ ସରକାର ସମୟରେ ପେଟ୍ରୋଲ ଡିଜେଲ ଦରବୃଦ୍ଧି ବେଳେ ଯିଏ ଦେଶଦ୍ରୋହୀ ବୋଲି କହୁଥିଲା ସେ କୁହନ୍ତୁ ଏବେ କିଏ ଦେଶଦ୍ରୋହୀ ? କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅପିଲ କରି ନରସିଂହ ଦର କମାଇବା ପାଇଁ ଦାବି ଜଣାଇଛନ୍ତି ।
ଗଛ କଟା ବେଳେ ଅଘଟଣ; ଗଛ ତଳେ ଚାପି ହୋଇ ୭ ବର୍ଷୀୟ ବାଳକର ମୃତ୍ୟୁ, ୩ ଗୁରୁତର
ଯାଜପୁର: ଯୋଡ଼ିକୂଅ ଛକରେ ଅଘଟଣ । ଗଛ କଟା ବେଳେ ଗଛ ପଡି ୭ବର୍ଷର ବାଳକ ମୃତ, ୩ ଗୁରୁତର ଆହତ । ଯୋଡ଼ିକୂଅ ଛକ ନିକଟରେ ବିନା ଅନୁମତିରେ ଗଛ କଟା ହେଉଥିବା ବେଳେ ଗଛ ପଡ଼ି ଜଣେ ୭ବର୍ଷ ବାଳକର ମୃତ୍ୟୁ ହୋଇଛି। ଭଦ୍ରକ ଅଞ୍ଚଳର ସ୍ବାମୀ- ସ୍ତ୍ରୀ ଦୁଇ ପୁଅଝିଅଙ୍କ ସହ ବିରଜାଙ୍କ ଦର୍ଶନ ସାରି ଗାଡ଼ିରେ ଫେରୁଥିବା ବେଳେ ରାସ୍ତାରେ ସେମାନଙ୍କ ଉପରେ ଗଛ ପଡ଼ିଯାଇଥିଲା । ଘଟଣାସ୍ଥଳରେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଚଛି । ଉତ୍ତ୍ୟକ୍ତ ଲୋକ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ଯେଉଁ ଲୋକ ଗଛ କାଟୁଥିଲା ସେ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଫେରାର ଥିବା ବେଳେ ଯେଉଁ ବ୍ୟକ୍ତି ଜଣଙ୍କ ଗଛ କଟାଉଥିଲେ ତାକୁ ମଧ୍ୟ ପୋଲିସ ଖୋଜୁଛି । ମୃତ ବାଳକଙ୍କ ପରିବାର ମା’ ବିରଜାଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ବେଳ ଅଘଟଣ ସୂଚନା । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।


ଆମ୍ବାନୀଙ୍କ ଘର ସମ୍ମୁଖରେ ସନ୍ଦିଗ୍ଧ କାର୍ ମାମଲା: ପୋଲିସକୁ ମିଳିଲା ଡ୍ରାଇଭରର ସିସିଟିଭି ଫୁଟେଜ୍
ମୁମ୍ବାଇ: ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଏଣ୍ଟିଲିଆ ସମ୍ମୁଖରୁ ମିଳିଥିବା ସନ୍ଦିଗ୍ଧ କାର୍ ମାମଲାରେ ପୋଲିସକୁ ମିଳିଲା ଆଉ ଏକ ସୁରାକ୍ । ମୁମ୍ବାଇ କ୍ରାଇ ବ୍ରାଞ୍ଚ ହାତରେ ଲାଗିଛି ଏକ ସିସିଟିଭି ଫୁଟେଜ୍, ଯେଉଁଥିରେ ସନ୍ଦିଗ୍ଧ ସ୍କୋର୍ପିଓର ଡ୍ରାଇଭରର ଛବି ସାମ୍ନାକୁ ଆସିଛି।
ଏହି ଫୁଟେଜରେ ଧଳା ଇନୋଭା କାର ଅପରାହ୍ନ ୩.୪୫ରେ ମୁଲୁଣ୍ଡ ଟୋଲଗେଟ୍ ପାର କରି ଥାଣେ ସହରକୁ ପ୍ରବେଶ କରୁଥିବା ନଜର ଆସିଛି । ଆଉ ଏହି କାରରେ ସେହି ସନ୍ଦିଗ୍ଧ ସ୍କର୍ପିଓର ଡ୍ରାଇଭର ଅଛି । ସେ ନିଜକୁ ଲୁଚାଇ ପଛ ସିଟରେ ବସିଛନ୍ତି। ସେ ମୁହଁରେ ମାସ୍କ ଲଗାଇ ରଖିଥିଲା ଓ ମୁଣ୍ଡକୁ ହୁଡରେ ଘୋଡାଇ ରଖିଥିଲା। ଏଣୁ ତାକୁ ଚିହ୍ନଟ କରିବା ସମ୍ଭବ ହେଉ ନାହିଁ। ବର୍ତ୍ତମାନ ଯେଉଁ ରାସ୍ତାରେ ଗାଡ଼ି ଆସି ମୁକେଶ ଅମ୍ବାନୀଙ୍କ ଘର ଆଗରେ ପହଞ୍ଚିଥିଲା ସେହି ସବୁ ରାସ୍ତାର ସିସିଟିଭି ଫୁଟେଜ ପୋଲିସ ସଂଗ୍ରହ କରୁଛି। ପୋଲିସ୍ ଘୋଡବନ୍ଦର, ଥାନେ ଶାହାପୁର, ନାଶିକ, ଭିବଣ୍ଡି ପର୍ଯ୍ୟନ୍ତ ସେ ଦିନର ସିସିଟିଭି ଫୁଟେଜ ଖୋଳତାଡ଼ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ୨୫ତାରିଖରେ ମୁକେଶ ଅମ୍ବାନୀଙ୍କ ବସଭବନ ଅଣ୍ଟେଲିଆ ସମ୍ମୁଖରେ ଏକ ସନ୍ଦିଗ୍ଧ କାର ସହ ୨୦ଟି ଜିଲେଟିନ୍ ଷ୍ଟିକ୍ସ ମିଳିଥିଲା । ଗୁରୁବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଏକ ସ୍କର୍ପିଓ ଗାଡ଼ି ଏଣ୍ଟିଲିଆ ସାମ୍ନାରେ ଆସି ଛିଡ଼ା ହୋଇଥିଲା। ଆଉ ଏକ ଇନୋଭା ମଧ୍ୟ ଥିଲା । ଡ୍ରାଇଭର ସ୍କର୍ପିଓ ଗାଡ଼ିକୁ ସେଇଠି ପାର୍କ କରି ପଳାଇ ଯାଇଥିଲେ। ଘର ବାହାରେ ସନ୍ଦିଗ୍ଧ କାର ଦେଖି ଅମ୍ବାନୀଙ୍କ ସୁରକ୍ଷା କର୍ମୀ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଯେହାପରେ ପରେ ଘଟଣାସ୍ଥଳରେ ମୁମ୍ବାଇ ପୋଲିସ ଡଗ୍ ସ୍କ୍ୱାର୍ଡ ସହ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ଗାଡ଼ି ଭିତରୁ ଜିଲେଟିନ୍ ଷ୍ଟିକ୍ ସହ କେତେକ ଗାଡ଼ିର ନମ୍ବର ପ୍ଲେଟ୍ ମଧ୍ୟ ମିଳିଛି ।
ସୂଚନା ଅନୁଯାୟୀ ଏହି ନମ୍ବର ପ୍ଲେଟ୍ ଗୁଡ଼ିକ ମୁକେଶ ଅମ୍ବାନୀଙ୍କ ସୁରକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍ ସହ ମେଳ ଖାଉଥିବା ଜଣାପଡ଼ିଛି। ଏଣୁ ଏହି ଗାଡ଼ିରେ ଦୁର୍ବୃତ୍ତ ଅମ୍ବାନୀଙ୍କୁ ମୁମ୍ବାଇରେ ପିଛା କରୁଥିବାର ମଧ୍ୟ ସନ୍ଦେହ କରାଯାଉଛି। ଏଣ୍ଟିଲିଆ ସାମ୍ନାରେ ବହୁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।
ବିଜୁ ବାବୁଙ୍କ ଜୟନ୍ତିରେ ଅନୁଷ୍ଠିତ ହେବ ବିଶାଳ ସାଇକେଲ୍ ଶୋଭାଯାତ୍ରା ଓ ରକ୍ତଦାନ ଶିବିର
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତି ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ସାଇକେଲ୍ ଶୋଭାଯାତ୍ରା କରାଯିବ । ଏହା ସହିତ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୧୭ ପର୍ଯ୍ୟନ୍ତ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ମାର୍ଚ୍ଚ ୫ରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ । ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ସାଇକେଲ୍ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍ ହେବେ । ଶୋଭାଯାତ୍ରାରେ ହଜାରହଜାର ଯୁବକ ଓ ଛାତ୍ର ଯୋଗଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶଓ୍ବାର ପର୍ଯ୍ୟନ୍ତ ୪ ହଜାର ୫୦୦ ମାଇଲ ସାଇକେଲ୍ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ ।
ଏଥିସହିତ ପଢ଼ନ୍ତୁ: ‘ରାଜ୍ୟରେ ୩୦ଟି ସାଇନ୍ସ ପାର୍କ ଖୋଲାଯିବ’
‘ରାଜ୍ୟରେ ୩୦ଟି ସାଇନ୍ସ ପାର୍କ ଖୋଲାଯିବ’
ଭୁବନେଶ୍ୱର: ଶନିବାର ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାଇନ୍ସ ପାର୍କ ଖୋଲିବା ପାଇଁ ଆଲୋଚନା। ଏନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ରାଜ୍ୟରେ ମୋଟ ୩୦ ଟି ସାଇନ୍ସ ପାର୍କ କରାଯିବା । ପ୍ରଥମ ପର୍ଯ୍ୟାୟରେ ୧୦ ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଏହାସହ ଭୁବନେଶ୍ୱର ଗୋଟିଏ ସାଇନ୍ସ ପାର୍କ ରହିଛି । ଏହାସହ ୪ଟି ସ୍ଥାନରେ ସାଇନ୍ସ ପାର୍କ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ କରିଛନ୍ତି । ରାଜ୍ୟର ବାରିପଦା, କେନ୍ଦୁଝର ,ଗୋପାଳପୁର ଓ ରାୟଗଡା ଠାରେ ସାଇନ୍ସ ପାର୍କ ହେବ । ଏହାସହ ରାଉରକେଲା ଏବଂ ବଲାଙ୍ଗୀର ରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ।
ଏଥିସହିତ ପଢ଼ନ୍ତୁ: ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ କଡ଼ାକଡ଼ି: ୭ ଦିନଆ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ
ଛତିଶଗଡ଼ କାଙ୍କେରରେ ଆଇଡି ଠାବ: ଅଳ୍ପକେ ବର୍ତ୍ତିଲେ ଯବାନ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ କାଙ୍କେରରେ ଆଇଇଡି ଠାବ । ଅଳ୍ପକେ ବର୍ତ୍ତିଲେ ଯବାନ । କୋୟେଲିବେଡ଼ା ଥାନା ମର୍କାନାର- ବଡ଼ପରା ରାସ୍ତା ନିକଟରେ ବିଏସ୍ଏଫ୍ ଯବାନ ଆଇଇଡି ଠାବ କରି ମାଓବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି । କିଛି ଦିନ ତଳେ କାଙ୍କେର୍ ଜିଲ୍ଲା ଆମାବେଡା ଥାନା ଚିକପାଲ୍ ଗାଁ ଜଙ୍ଗଲରେ ଆଇଇଡି ଖଞ୍ଜିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ଜଣେ ମାଓବାଦୀ ନିହତ ହୋଇଥିଲା । ଏହା ପରେ ପୁଣି ଥରେ ଆଇଇଡି ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଚେଷ୍ଠା କରିଥିଲେ ନକ୍ସଲ । କିନ୍ତୁ ଯବାନ ମାଓବାଦୀ ଯୋଜନାକୁ ବିଫଳ କରିଛନ୍ତି ।

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ବିଏସ୍ଏଫ୍ ଯବାନଙ୍କୁ ସଫଳତା । କମ୍ବିଂ ବେଳେ ଭିତରପଡା ଜଙ୍ଗଲରୁ ମିଳିଲା ମାଓ ସାମଗ୍ରୀ । ମାଓ କ୍ୟାମ୍ପ ଥିବା ସୂଚନା ପାଇ ଯବାନ ଅତର୍କିତ ଚଢାଉ କରିଥିବା ବେଳେ ମାଓ ସାମଗ୍ରୀ ଛାଡି ମାଓବାଦୀ ଖସି ପଳାଇଥିଲେ । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ୫୦ ଡିଟୋନେର, 60ଟି ଜିଲେଟିନ, ୫ ବଣ୍ଡଲ ତାର, ମାଓ ପୁସ୍ତିକା ,ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ମୁଲତବି ପ୍ରସ୍ତାବ ଉପରେ ହେବ ଆଲୋଚନା
ଭୁବନେଶ୍ୱର: ଶନିବାର ବିଧାନସଭାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ସରକାରୀ ଉଦ୍ୟୋଗ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ବିଧାୟକମାନେ ପ୍ରଶ୍ନ କରିବେ । ବିଜେପି ଦେଇଥିବା ମୁଲତବି ପ୍ରସ୍ତାବ ଉପରେ ମଧ୍ୟ ଆଜି ଆଲୋଚନା ହେବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ମୁଲତବି ପ୍ରସ୍ତାବ ଦେଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଆଲୋଚନାର ଉତ୍ତର ରଖିବେ ।
ଗତକାଲି ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବେଆଇନ ବାଲି ଚାଲାଣ ନେଇ ଉଦ୍ବେଗ ପ୍ରକାଶ ପାଇଛି । ରାଜ୍ୟରେ ନୂଆ ବାଲିନୀତି ଆଣିବାକୁ ଦାବି କରାଯାଇଛି । ୨୦୧୮ରେ ଆସିଥିବା ବାଲି ନୀତିକୁ କାହିଁକି ଏଯାଏଁ କାର୍ଯ୍ୟକାରୀ କରାଯାଉନି, ସେନେଇ ବିଜେପି ଓ କଂଗ୍ରେସ ବିଧାୟକମାନେ ରାଜସ୍ବ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ । ବାଚସ୍ପତିଙ୍କ ନିଜ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। କାହିଁକି ତିନି ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ ହେଉନି ବୋଲି ମନ୍ତ୍ରୀଙ୍କୁ ବାଚସ୍ପତି ପ୍ରଶ୍ନ କରିଥିଲେ । ଏ ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ବିଦେଶକୁ ବାଲି ଚାଲାଣ ହେଉନାହିଁ । ବିଭିନ୍ନ ସମୟରେ ଦୁଇ ତିନିଟି ରାଜ୍ୟକୁ ଆମେ ବାଲି ଦେଉଛୁ । 144ଟି ତହସିଲକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ସେଠାରେ ଅତିରିକ୍ତ ଆରଆଇ ଓ ଅମିନ ନିଯୁକ୍ତି କରାଯାଇଛି। ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ । ବାଲି ବାବଦରେ ରାଜ୍ୟ ସରକାର 1500 କୋଟି ଟଙ୍କା ରାଜସ୍ବ ପାଉଛନ୍ତି । ତେବେ ଓଡ଼ିଶା ବାଲି ଚାଲାଣ ବାବଦରେ 5ହାଜର କୋଟି ଟଙ୍କା ରାଜସ୍ବ ହରାଉଛି ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ।
ଏଥିସହିତ ପଢ଼ନ୍ତୁ: ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ, କୋଭିଡ୍ ସଂକ୍ରମଣ ରୋକିବାକୁ ନିଅ ପଦକ୍ଷେପ
ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା
ଗୁଣୁପୁର: ଗୁଣିଗାରେଡ଼ି ସନ୍ଦେହରେ ବର୍ବର କାଣ୍ଡ । ରାୟଗଡ଼ା ପଦ୍ମପୁର ଥାନା ଅନ୍ତର୍ଗତ ପାଜିଲିବନ୍ଧ ଗାଁ ନିକଟରେ ଜଘନ୍ୟ ହତ୍ୟାକାଣ୍ଡ । ଗୁଣିଗାରେଡି କରୁଥିବା ସନ୍ଦେହରେ ଜଣଙ୍କୁ ହତ୍ୟା କରି ପୋଡି ଦେଲେ ଦୁବୁର୍ତ୍ତ । ଅଭିଯୋଗ ଅନୁସାରେ ପାଜିଲିବନ୍ଧ ଗାଁ ନିକଟ ନାଳ ପାଖରେ ରାମ ମୁଳି ଏବଂ ତାଙ୍କ ପତ୍ନି ମାୟା ମୁଳି କୁଡିଆ କରି ବାସ କରୁଥିଲେ । ରାତିରେ କିଛି ଦୁବୁର୍ତ୍ତ ରାମ ମୁଳିଙ୍କୁ ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ । ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କୁ ଜାଳି ଦେଇ ହାଡ ପାଉଁଶକୁ ନାଳରେ ଫୋପାଡି ଦେଇଥିଲେ । ଏନେଇ ମାୟା ମୁଳି ପଦ୍ମପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ମାଧ୍ୟମରେ ତଦନ୍ତ ଜାରି ରଖିଛି । ଗୁଣିଗାରେଡି ସନ୍ଦେହରେ ହତ୍ୟା କାଣ୍ଡ ହୋଇଥିବା ପୋଲିସ୍ ସନ୍ଦେହ କରୁଛି ।

ଏଥିସହିତ ପଢ଼ନ୍ତୁ: ବିଧାନସଭା ନିର୍ବାଚନ ପାଇଁ ୪ଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ହେଲା ତାରିଖ ଘୋଷଣା
ମନ୍ଦିରରୁ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ
ବାଲିଗୁଡ଼ା: କନ୍ଧମାଳ ବାଲିଗୁଡ଼ାରେ ଦୁଇଟି ମନ୍ଦିରରୁ ଲୁଟ୍ । ରାତିରେ ଦୁଇଟି ମନ୍ଦିରରୁ ଚୋରି । ବାଲିଗୁଡ଼ାର ଜଗନ୍ନାଥ ମନ୍ଦିର ଓ ମା’ଦକ୍ଷୀଣ କାଳୀ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି । ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହା ସହିତ ମା’ ଦକ୍ଷୀଣ କାଳୀ ମନ୍ଦିରରୁ ମା’ଙ୍କ ଅଳଙ୍କାର ଚୋରୀ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦକ୍ଷୀଣ କାଳୀ ମନ୍ଦିର ପରିସରରେ ସିସିଟିଭି ଲାଗିନଥିବା ବେଳେ ଜଗନ୍ନାଥ ମନ୍ଦିରରେ ଥିବା ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ୍ । ଉଭୟ ମନ୍ଦିରରୁ ରାତି 12ଟା 30ରୁ 2ଟା30 ମଧ୍ୟରେ ଚୋରି ହୋଇଥିବା ଜଣାପଡ଼ିଛି ।







