spot_img
Home Blog Page 5899

କେରଳ ନିର୍ବାଚନ: ୮୩ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସିପିଆଇଏମ୍‌, ଥୋମାସ କହିଲେ ଲଢ଼ିବେନି

କେରଳ: ପାଖେଇ ଆସୁଛି ନିର୍ବାଚନ । କ୍ଷମତାରେ ଥିବା ସିପିଆଇଏମ୍‌ ବୁଧବାର ୮୩ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସହ ଅନେକ ମନ୍ତ୍ରୀଙ୍କୁ ମିଳିଛି ପୁଣିଥରେ ଟିକେଟ୍ । ପାଞ୍ଚ ଜଣ ମନ୍ତ୍ରୀଙ୍କୁ ଟିକେଟ୍ ମିଳିଥିବା ବେଳେ ଅର୍ଥମନ୍ତ୍ରୀ ଥିବା ଥୋମାସ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ମନା କରିଦେଇଛନ୍ତି । ୧୨ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ସିପିଆଇଏମ । କେରଳରେ ସିପିଆଇଏମର ଦବଦବା କାଏମ୍‌ ରହିଛି । ଏଥର ମଧ୍ୟ ଦଳ ପିନାରାଇ ବିଜୟନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଜୋକ୍ଟ କରିଛି । ଚଳିତ ନିର୍ବାଚନରେ LDF ଓ UDF ମଧ୍ୟରେ ହେଉଛି କଡ଼ା ଟକ୍କର । ତେବେ କିଏ ବାଜି ମାରୁଛି ତାହା ନିର୍ବାଚନ ଫଳାଫଳ କହିବ । ନିର୍ବାଚନ ଯେତିକି ପାଖୋଉଛି ପ୍ରଚାର ପ୍ରସାର ସେତିକି ଜମୁଛି । ଗୋଟିଏ ପଟେ ବିରୋଧୀ ଦଳ ସରକାରଙ୍କ ଅପାରଗତା ବଖାଣୁଥିବା ବେଳେ ଅନ୍ୟପଟେ ସରକାରରେ ଥିବା ଦଳ ନିଜର ସଫଳତା ବଖାଣି ଭୋଟ ମାଗୁଛି ।

ସେପଟେ କଂଗ୍ରେସର ସଙ୍କଟ ବଢ଼ିବାରେ ଲାଗିଛି । କେରଳ କଂଗ୍ରେସର ଭେଟେରାନ୍‌ ଲିଡର ପିସି ଚାକୋ ବୁଧବାର ଦଳରୁ ଇସ୍ତଫା ଦେଇଥିବା ନେଇ ନିଜେ ଘୋଷଣା କରିଛନ୍ତି । ସେ ନିଜ ଇସ୍ତଫା ପତ୍ର ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ କନ୍ଦଳ ସେତିକି ପଦାକୁ ଆସୁଛି । ଗୋଟିଏ ପଟେ ଜି-୨୩ ନେତା ଏକ ସିଣ୍ଡିକେଟ୍‌ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ଭେଟେରାନ୍‌ ନେତାମାନେ ଦଳ ଛାଡ଼ୁଛନ୍ତି । ଯାହାକି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ବଡ଼ ଘାଟା ବୋଲି କୁହାଯାଇପାରେ । ସେହିଭଳି କେରଳ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବରିଷ୍ଠ ନେତା ପିସି ଚାକୋଙ୍କ ଇସ୍ତଫା ଦଳ ପାଇଁ ଏକ ଶକ୍ତ ଧକ୍କା କୁହାଯାଉଛି । ଏହା ଦ୍ୱାରା କଂଗ୍ରେସକୁ ଏକ ବଡ଼ ପ୍ରାପ୍ୟ ଦେବାକୁ ପଡ଼ିପାରେ ଆଶଙ୍କା ରହିଛି ।

ତେବେ ଚାକୋ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ‘ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି । କିନ୍ତୁ, ଏବେ କେରଳ କଂଗ୍ରେସ ତାଙ୍କୁ ଗୁରୁତ୍ୱ ଦେଉନାହିଁ । ଏଠାରେ ଗୋଷ୍ଠିବାଦ ରାଜନୀତି ଚାଲିଛି । ହାଇକମାଣ୍ଡଙ୍କ ବାରଣ ସତ୍ତ୍ୱେ ଏହା ଚାଲିଛି । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଏନେଇ ଅବଗତ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । କେରଳ କଂଗ୍ରେସ ରାଜନୀତିରେ ଏବେ ଓମେନ ଚାଣ୍ଡି ଏବଂ ରମେଶ ଚେନ୍ନାଇଥାଲାଙ୍କ କଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସେମାନେ ଏକ ଗୋଷ୍ଠି କରି ରାଜନୀତି କରୁଛନ୍ତି । ତେବେ ସବୁ ଜାଣି ମଧ୍ୟ ହାଇକମାଣ୍ଡ ଚୁପ୍‌ ରହିଥିବାରୁ ଦଳ ଏଭଳି ଦୁର୍ଦଶା ଭୋଗୁଛି ।

ପଶ୍ଚିମବଙ୍ଗରେ ଧର୍ମଯୁଦ୍ଧ ନିର୍ବଚନ ପୂର୍ବରୁ ବିଜେପି-ଟିଏମ୍‌ସି ଖେଳିଲେ ହିନ୍ଦୁ କାର୍ଡ

କୋଲକାତା: ପୂଜାର୍ଚ୍ଚନା ପରେ ନାମାଙ୍କନ ଦାଖଲ କଲେ ମମତା । ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଧର୍ମଯୁଦ୍ଧ । ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ହଳଦିଆଠାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମମତା ବାନାର୍ଜୀ । ବୁଧବାର ମମତା ଶିବ ମନ୍ଦିରରେ ପୂଜା କରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା ବେଳେ ହନୁମାନ ମନ୍ଦିରରେ ପହଞ୍ଚିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ନିର୍ବାଚନୀ ଯୁଦ୍ଧ ପୂର୍ବରୁ ପଶ୍ଚିବଙ୍ଗରେ ଧର୍ମଯୁଦ୍ଧ ଆରମ୍ଭ ହୋଇଛି ।

ଅନ୍ୟପଟେ ପଶ୍ଚିମବଙ୍ଗରେ ହିନ୍ଦୁତ୍ୱ କାର୍ଡ ନ ଖେଳିବାକୁ ବିଜେପିକୁ କହିଛନ୍ତି ଦିଦି । ‘ନନ୍ଦିଗ୍ରାମରୁ ଖେଲୋ ହୋବେ’ ନାରା ଦେଇ ମମତା ବିଜେପିକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାରଠାରୁ ମମତା ନନ୍ଦିଗ୍ରାମଠାରେ ପହଞ୍ଚି ବୁଧବାର ଦଳୀୟ କର୍ମୀଙ୍କ ସହ ସିଦ୍ଧନାତ ଶୈବପୀଠରେ ଜଳାଭିଷେକ କରିଥିଲେ । ଏହାପରେ ବିରାଟ ପଦଯାତ୍ରାରେ ସାମିଲ ହୋଇ ଭୋଟ ଭିକ୍ଷା କରିଥିଲେ ମମତା । ପଦଯାତ୍ରା ପରେ ସେ ହଳଦିଆଠାରେ ନାମାଙ୍କନ ଦାଖଲ କରିଛନ୍ତି ।

ଏହାପୂର୍ବରୁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ହାଇପ୍ରୋଫାଇଲ୍ ସିଟ୍ ନନ୍ଦିଗ୍ରାମରେ ବିଜେପିକୁ ଟାର୍ଗେଟ କରି ଗର୍ଜିଛନ୍ତି ଦିଦି । ଏପ୍ରିଲରେ ନନ୍ଦିଗ୍ରାମବାସୀ ବିଜେପିକୁ ଏପ୍ରିଲ ଫୁଲ୍ କରିବେ ବୋଲି ମମତା କହିଛନ୍ତି । ନନ୍ଦିଗ୍ରାମ ମହାସଂଗ୍ରାମରେ ଦିଦିଙ୍କୁ କେହି ହରାଇପାରିବେ ନାହିଁ ବୋଲି ଦୃଢ଼ୋକ୍ତି ବାଢ଼ିଛି ଟିଏମ୍‌ସି । ନିର୍ବାଚନ ପୂର୍ବରୁ ବିଜେପି-ଟିଏମ୍‌ସି ମଧ୍ୟରେ ଛକାପଞ୍ଝା ଚାଲିଛି । ସେପଟେ ବିଜେପି ପକ୍ଷରୁ ନନ୍ଦିଗ୍ରାମ ପାଇଁ ଗୁରୁବାର ନାମାଙ୍କନ ଭରିବେ ଶୁଭେନ୍ଦୁ ଅଧିକାରୀ ବୋଲି ସୂଚନା ରହିଛି ।

ଅନ୍ୟପଟେ ମମତା ନାମାଙ୍କନ ଭରିଥିବା ବେଳେ ସନ୍ଧ୍ୟାରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି । ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ନନ୍ଦିଗ୍ରାମରେ ପ୍ରଚାର ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ । ୪ ଜଣ ଲୋକ ଅତର୍କିତ ତାଙ୍କ ଉପରେ ଆକ୍ରମଣ କରିଥିବା ମମତା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ନନ୍ଦିଗ୍ରାମର ବାରଲୁଆ ବଜାରରେ ମମତାଙ୍କ ଗୋଡ଼କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣ ବେଳେ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ନଥିବା ଅଭିଯୋଗ ହୋଇଛି । ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ମମତା କହିଛନ୍ତି । ସୁରକ୍ଷା ବ୍ୟବସ୍ଥା ନିମ୍ନମାନର ଥିବା ବେଳେ ସ୍ଥାନୀୟ ପୋଲିସ ମଧ୍ୟ ପାଖରେ ନଥିବା ମମତା ଅଭିଯୋଗ ଆଣିଛନ୍ତି । ପ୍ରତିବାଦରେ ମମତା ବାନାର୍ଜୀ ଆଜି ନନ୍ଦିଗ୍ରାମରେ ରାତି କାଟିବେ ବୋଲି କହିଛନ୍ତି ।

ଚୀନ୍‌କୁ ଚେକ୍‌ ଦେବା ପାଇଁ ପ୍ରସ୍ତୁତି, କ୍ୱାଡ୍‌ ବୈଠକରେ ଏକାଠି ହେବେ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଚୀନ୍‌କୁ ଚେକ୍‌ ଦେବା ପାଇଁ ପ୍ରସ୍ତୁତି । ପ୍ରଥମ ଥର ଲାଗି କ୍ୱାଡ୍‌ ବୈଠକରେ ଏକାଠି ହେବେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ । ଚୀନ୍‌କୁ ଚେକ୍‌ ଦେବା ଲାଗି ୪ ଦେଶର ନେତାଙ୍କ ମଧ୍ୟରେ ବସିବ କ୍ୱାଡ୍‌ ବୈଠକ । କ୍ୱାଡ୍‌ ନେତାଙ୍କ ଭର୍ଚୁଆଲ୍‌ ଶିଖର ବୈଠକ ବା ‘କ୍ୱାଡ୍ରିଲାଟେରାଲ୍‌ ସିକ୍ୟୁରିଟି ଡାଏଲଗ୍’ର ପ୍ରଥମ ଅଧିବେଶନ ମାର୍ଚ୍ଚ ୧୨ରେ ଅନୁଷ୍ଠିତ ହେବ ।

ଏଥିରେ ଆମେରିକା ରାଷ୍ଟ୍ରପତି ଜୋ. ବିଡେନ୍‌, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ଏନେଇ ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତି ଜାରି କରିଛି । ଏଥିରେ କୋଭିଡ୍‌ ଭ୍ୟାକ୍ସିନ୍‌, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ଅର୍ଥନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏସିଆ ମହାଦେଶ ଓ ବିଶ୍ୱରେ ନିଜର ଦବଦବା ଦେଖାଇବାକୁ ଚୀନ୍ ପ୍ରୟାସ ଚଳାଇଥିବା ବେଳେ ସେଥିରେ ରୋକ ଲଗାଇବାକୁ ଏହି ବୈଠକ ବସୁଥିବା କୁହାଯାଇଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍‌ର ଆଧିପତ୍ୟକୁ ମୁକାବିଲା କରିବା ପ୍ରସଙ୍ଗରେ ମଧ୍ୟ ଏହି ସମ୍ମିଳନୀ ନିଶ୍ଚୟ ଧ୍ୟାନ ଦିଆଯିବ ।

ଦୈନିକ ୧ ଲକ୍ଷ ବୟସ୍କ ନାଗରିକଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ ଟିକାକରଣର ଗତି । ଦୈନିକ ପ୍ରାୟ ୧ ଲକ୍ଷ ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯିବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଭିଡିଓ କନଫରେନ୍ସିଂ ଯୋଗେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

Covid19 Vaccination Of Elderly To One Lakh Per Day

ଟିକାକରଣର ଗତିକୁ ବଢ଼ାଇବା ଲାଗି ଘରୋଇ ହସ୍ପିଟାଲ ଗୁଡ଼ିକରେ କୋଭିଡ୍ ଟିକାକରଣ କେନ୍ଦ୍ର ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଦୈନିକ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ।

Covid19 Vaccination Of Elderly To One Lakh Per Day
ଜିଲ୍ଲା ଅନୁଯାୟୀ ବୟସ୍କ ନାଗରିକଙ୍କ ତଥ୍ୟ ଓ ଦୈନିକ ଟିକାକରଣ ଲକ୍ଷ୍ୟ

ଅନୁଗୁଳରେ ୧ ଲକ୍ଷ ୪୦ ହଜାର ୫୮୨ ଜଣ ବୟସ୍କଙ୍କ ମଧ୍ୟରୁ ଦୈନିକ ୩ ହଜାର ୩୭ ଜଣଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । ସେହିଭଳି ବାଲେଶ୍ୱରରେ ୨,୫୬,୦୯୯ ବୟସ୍କଙ୍କ ମଧ୍ୟରୁ ଦୈନିକ ୫,୫୩୨ ଜଣଙ୍କୁ ଟିକା, ବରଗଡ଼ରେ ୧,୬୩, ୪୭୪ ଜଣ ବୟସ୍କଙ୍କ ମଧ୍ୟରୁ ଦୈନିକ ୩, ୫୩୧ ଜଣଙ୍କୁ ଟିକା, ଭଦ୍ରକରେ ୧, ୬୬, ୨୪୩ ବୟସ୍କଙ୍କ ମଧ୍ୟରୁ ଦୈନିକ ୩, ୫୯୧ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହିଭଳି ଭାବେ ରାଜ୍ୟର ୩୦ ଜିଲ୍ଲା ସହ ଭୁବନେଶ୍ୱରକୁ ମିଶାଇ ୪୬ ଲକ୍ଷ ୩୨ ହଜାର ୩୬୫ ଜଣ ବୟସ୍କଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ ।

କୋଭିଡ୍‌ ନିୟମ ଭାଙ୍ଗିଲେ ବିମାନ ଯାତ୍ରା ମନା

ନୂଆଦିଲ୍ଲୀ: ବିମାନ ଯାତ୍ରା ବେଳେ ମାନିବାକୁ ହେବ କୋଭିଡ୍ ନିୟମ । କଟକଣା ନ ମାନିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । କରୋନା କଟକଣା ମାନୁ ନ ଥିବା ଯାତ୍ରୀଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦେବା ସହ ସେମାନଙ୍କୁ ନୋ-ଫ୍ଲାଇ ଲିଷ୍ଟରେ ପକାଇବାକୁ DGCAକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

କୋଲକାତାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାତ୍ରୀମାନେ ମାସ୍କ ନ ପିନ୍ଧିବା ସହ ଅନ୍ୟ କଟକଣା ମାନୁ ନ ଥିବା ଦେଖାଯାଇଥିଲା । ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ଦିଲ୍ଲୀ ହାଇକୋର୍ଟ । ବିମାନ ଯାତ୍ରା ବେଳେ ଯାତ୍ରୀମାନେ ଯେପରି ସମସ୍ତ କଟକଣା କଡ଼ାକଡ଼ି ଭାବେ ପାଳନ କରିବେ ତା’ ଉପରେ ତୀକ୍ଷ୍ଣ ନଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏଭଳି ନିୟମକୁ ବେଖାତିର କରିବା ଆଦୌ ଉଚିତ ନୁହେଁ । କରୋନା କଟକଣା ସମ୍ପର୍କରେ ଓ୍ୱେବ୍‌ସାଇଟ୍‌ରେ ସୂଚିତ କରିବା ସହ ଯାତ୍ରୀ ଓ ବିମାନର କାର୍ଯ୍ୟକର୍ତ୍ତା ଏହା ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଦେଶରେ କରୋନା କଟକଣାକୁ କଡ଼ା କଡ଼ା କରାଯାଉଛି । କାରଣ କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଭାରତରେ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଇଂଲଣ୍ଡରେ ନୂଆ ଷ୍ଟ୍ରେନ୍‌ ଦେଖାଯିବା ପରେ ଭାରତରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ତେବେ ଗୋଟିଏ ପଟେ କରୋନା ଭ୍ୟାକ୍ସିନ ଦ୍ୱାରା ସଂକ୍ରମଣ ରୋକା ଯାଉଥିବା ବେଳେ ଅନ୍ୟପଟେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ଭୋର୍ ସାଢ଼େ ୩ଟାରୁ ଦିନ ୧୧ଟା ଯାଏ ସାହାଣମେଲା ଦର୍ଶନ, ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର: ଜାଗର ଲାଗି ଲିଙ୍ଗରାଜଙ୍କ ନୀତିକାନ୍ତି ନିର୍ଘଣ୍ଟ ହୋଇଛି । ଗୁରୁବାର ପ୍ରାତଃ ୩ଟାରୁ ୩ଟା ୩୦: ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ । ଭୋର ୩ଟା ୩୦ରୁ ଦିବା ୧୧ଟା ଯାଏ ସାହାଣମେଲା ଦର୍ଶନ କରିବେ ଭକ୍ତ । ସକାଳ ୬ଟା ୩୦ରେ ରୋଷ ହୋମ । ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ ।

Shree Lingaraj Temple MahaShivaratri Rituals

ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ୨ଟା ୩୦ ଯାଏ । ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ମଧ୍ୟାହ୍ନ ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ସମ୍ପନ୍ନ ହେବ । ଭୋଗମଣ୍ଡପ ନୀତି ୨ଟା ୪୫ରୁ ୩ଟା ୪୫ ମଧ୍ୟରେ, ସାହାଣ ମେଲା ଦର୍ଶନ ଅପରାହ୍ଣ ୩ଟା ୪୫ରୁ  ୪ଟା ୪୫ ଯାଏ କରି ହେବ ।

ଛାମୁ ପରିଷ୍କାର ଅପରାହ୍ଣ ୪ ଟା ୪୫ରୁ ୫ ଟା ୧୫ ଯାଏ, ଶ୍ରୀଜିଉଙ୍କ ପହୁଡ଼ ସନ୍ଧ୍ୟା ୭ ଟାରୁ ୭ଟା ୧୦ ଯାଏ, ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଯାଏ, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ୮ଟା ୧୦ରୁ ୮ ଟା ୫୫ ଯାଏ ହେବ । ମହାଦୀପ ଦର୍ଶନ ରାତି ୧୦ଟାରେ ହେବ । ତା’ପରେ ସାହାଣମେଲା ଦର୍ଶନ ରାତ୍ର ୧୦ଟାରୁ ୧୧ ଟା ଯାଏ, ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ । ଭୋର୍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ ।

ଗୁରୁବାର ମଧ୍ୟ ରାତି ଯାଏ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲି ଗୁରୁବାର ଜାଗର । ପବିତ୍ର ଜାଗରକୁ ଦୃଷ୍ଟିରେ ରଖି କ୍ରୁଟ୍ କର୍ତ୍ତୃପକ୍ଷ ମୋ ବସ୍ ସେବାକୁ ସମ୍ପ୍ରସାରିତ କରିଛନ୍ତି । ୩୨ ନମ୍ବର ରୁଟ୍ (ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର) ବସ୍ ଚଳାଚଳ ସମୟ ବଢ଼ାଇ ଦିଆଯାଇଛି । ଜାଗର ପାଇଁ ଗୁରୁବାର ମଧ୍ୟ ରାତି ଯାଏ ମୋ ବସ୍ ଚାଲିବ ବୋଲି କ୍ରୁଟ୍ ସୂଚନା ଦେଇଛି ।

ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର ମଧ୍ୟରେ ମଧ୍ୟ ରାତି ଯାଏ ମୋ ବସ୍ ଚଳାଚଳ କରିବ । ସକାଳ ୬ଟା ୪୫ରେ ବରମୁଣ୍ଡାରୁ ପ୍ରତି ୧୫ ମିନିଟରେ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗୋଟିଏ ଲେଖାଏଁ ବସ୍ ଛାଡ଼ିବ । ରାତି ୧୦ଟା ୫୦ରେ ବରମୁଣ୍ଡାରୁ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗଡ଼ିବ ଶେଷ ବସ୍ ।

ସେହିଭଳି ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା ପଟକୁ ପ୍ରଥମ ବସ୍ ୭ଟା ୪୦ରେ ଛାଡ଼ିବ । ପ୍ରତି ୧୫ ମିନିଟ୍ ବ୍ୟବଧାନରେ ଗୋଟିଏ ଲେଖା ବସ୍ ବରମୁଣ୍ଡା ଯିବ । ଲିଙ୍ଗରାଜ ମନ୍ଦିରରୁ ରାତି ୧୨ଟାରେ ବରମୁଣ୍ଡା ଯିବା ଲାଗି ଶେଷ ବସ୍ ଛାଡ଼ିବ ବୋଲି ମୋ ବସ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

No Smoking Day 2021: ଧୂମପାନରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ୫ଟି ଟିପ୍ସ

ଭୂବନେଶ୍ୱର: ପ୍ରତ୍ୟେକବର୍ଷ ମାର୍ଚ୍ଚ ଦ୍ୱିତୀୟ ବୁଧବାର ଦିନ NO SMOKING DAY ଭାବେ ପାଳନ କରାଯାଏ। ଯାହାଦ୍ୱାରା ସମଗ୍ର ବିଶ୍ୱର ଲୋକ ଧୂମପାନ ନକରିବା ପାଇଁ ସଚେତନ ହୋଇପାରିବେ। ଚଳିତ ବର୍ଷ, ଏହି ଦିନ ମାର୍ଚ୍ଚରେ ୧୦ରେ ପାଳନ କରାଯାଇଛି। ସିଗାରେଟ୍ କିମ୍ବା ଅନ୍ୟ ତମାଖୁ ସେବନର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ।

ଧୂମପାନ କିମ୍ବା ତମାଖୁ ଚୋବାଇବା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି କାରଣରୁ ଫୁସଫୁସ କର୍କଟ, ପାଟି କର୍କଟ, ଗଳା କର୍କଟ, ବ୍ରୋନକାଇଟିସ୍ ଇତ୍ୟାଦି ରୋଗ ହୁଏ। ତେଣୁ ଏହି NO SMOKING DAY ଅବସରରେ ଆପଣ ବି ଧୂମପାନ ନକରିବା କିମ୍ବା ତମାଖୁ ନ ଖାଇବାର ସପଥ ନିଅନ୍ତୁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ଏହାକୁ ଛାଡ଼ିବାକୁ ଚାହାଁନ୍ତି, କିନ୍ତୁ ଅଭ୍ୟାସ ଯୋଗୁ ଛାଡ଼ି ପାରୁ ନାହାଁନ୍ତି। ତେବେ ସେମାନଙ୍କୁ ଆଜି ଆମେ କିଛି ଟିପ୍ସ ଦେବୁ, ଯାହା ତାଙ୍କୁ ଧୂମପାନ ଛାଡ଼ିବାରେ ସାହାଯ୍ୟ କରିବ।

୧) ପ୍ରଥମେ ନିଜକୁ ପ୍ରତିଶୃତି ଦିଅନ୍ତୁ: ଧୂମପାନ ଛାଡ଼ିବାକୁ, ପ୍ରଥମେ ଆପଣଙ୍କୁ ନିଜକୁ ପ୍ରତିଶୃତି ଦେବାକୁ ପଡ଼ିବ ଯେ ଆପଣ ଧୂମପାନ ଛାଡ଼ିବେ। ତା’ପରେ ଏକ ତାରିଖ ବାଛନ୍ତୁ, ଯଦି ଏହା ପାଖାପାଖି ଥାଏ ତେବେ ଭଲ, ଯାହାଦ୍ୱାରା ଆପଣ ଆପଣଙ୍କର ମନ ପରିବର୍ତ୍ତନ ହେବ ନାହିଁ।

୨) ଧୂମପାନ କଥା ମନେପକାଉଥିବା ଜିନିଷରୁ ଦୂରେଇ ରୁହନ୍ତୁ: ଘରୁ ସିଗାରେଟ୍ ପ୍ୟାକେଟ୍, ଲାଇଟର୍, ତମାଖୁ ଏବଂ ଧୂମପାନ ସହ ଜଡ଼ିତ ସମସ୍ତ ଜିନିଷ ଫିଙ୍ଗିଦିଅନ୍ତୁ। ଯାହାଫଳରେ ଏହି ଜିନିଷଗୁଡ଼ିକୁ ଦେଖିବା ପରେ ଧୂମପାନ କଥା ମନେ ପଡ଼ିବ ନାହିଁ। ସାଧାରଣତଋ ପ୍ରାୟ ଲୋକଙ୍କୁ ମଦ ସହ କିମ୍ବା ଚାହା ସହ ସିଗାରେଟ୍ ପିଇବାକୁ ଇଚ୍ଛା ହୁଏ । ଏହା ବ୍ୟତୀତ ଅନ୍ୟ କାହାକୁ ଧୂମପାନ କରୁଥିବା ଦେଖିଲେ ବି ଇଚ୍ଛା ହୁଏ । ତେଣୁ ଏହି ସବୁ ଦୁର୍ବଳତାକୁ ଚିହ୍ନନ୍ତୁ ଓ ଏଥିରୁ ଦୂରେଇ ରୁହନ୍ତୁ।

୩) ନିଜକୁ ବ୍ୟସ୍ତ ରଖନ୍ତୁ: ଯଦି ଆପଣଙ୍କୁ ସିଗାରେଟ୍ ଟାଣିବା କିମ୍ବା ତମାଖୁ ଚୋବାଇବାକୁ ମନ ହେଉଛି ତେବେ ଅନ୍ୟ ଜିନିଷରେ ଧ୍ୟାନ ଦିଅନ୍ତୁ । ଯେମିତିକି ଏହା ଉପରୁ ଆପଣଙ୍କ ଧ୍ୟାନ ହଟିଯିବ। ଏଥିପାଇଁ ଆପଣ ଟିଭି ଦେଖିପାରିବେ, ଗୀତ ଶୁଣିପାରିବେ, ବ୍ୟାୟାମ କରିପାରିବେ କିମ୍ବା ଆପଣଙ୍କର ପ୍ରିୟ ଗୀତରେ ଡ୍ୟାନ୍ସ ବି କରିପାରିବେ, ନହେଲେ ଆପଣ କୁଆଡ଼େ ବୁଲିବାକୁ ଯାଇପାରିବେ କିମ୍ବା କୋଣସି ବନ୍ଧୁଙ୍କୁ ଭେଟିପାରିବେ ନଚେଟତ ଫୋନରେ ବି କଥା ହେଇପାରିବେ । ଆପଣ ଏମିତି କିଛି କରନ୍ତୁ ଯାହା ଦ୍ୱାରା ଆପଣଙ୍କର ମନ ଆଉ ହେବନାହିଁ ସିଗାରେଟ୍ ଟାଣଇବାକୁ।

୪) ସିଗାରେଟ୍ ବଦଳରେ ଆଉ କିଛି ବାଛନ୍ତୁ: ଯଦି ଆପଣ ତମାଖୁ କି ସିଗାରେଟ୍ ନ ଖାଇଲେ ପାଟିକୁ ଭଲ ଲାଗୁ ନାହିଁ, କିମ୍ବା ବାରମ୍ବାର ମନ ହେଉଛି ସିଗାରେଟ୍ ଟାଣିବାକୁ, ତେବେ ଏହା ବଦଳରେ ଚୁଇଙ୍ଗମ୍ ଖାଆନ୍ତୁ ।

୫) ଚିନ୍ତାରେ ରୁହନ୍ତୁ ନାହିଁ: ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଧୂମପାନର ମୂଳକାରଣ ହେଉଛି ଚିନ୍ତା । ତେଣୁ ଯଥା ସମ୍ଭବ ଧୂମପାନରୁ ଦୂରେଇ ରୁହନ୍ତୁ।

ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ, ଗୋଡ଼ରେ ଲାଗିଛି ଆଘାତ

କୋଲକାତା: ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା । ନନ୍ଦିଗ୍ରାମରେ ପ୍ରଚାର ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ । ୪ ଜଣ ଲୋକ ଅତର୍କିତ ତାଙ୍କ ଉପରେ ଆକ୍ରମଣ କରିଥିବା ମମତା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ନନ୍ଦିଗ୍ରାମର ବାରଲୁଆ ବଜାରରେ ମମତାଙ୍କ ଗୋଡ଼କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣ ବେଳେ ମମତାଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ନଥିବା ଅଭିଯୋଗ ହୋଇଛି ।

ମନ୍ଦିରରୁ ପୂଜା ସାରି ଫେରୁଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ମମତା କହିଛନ୍ତି । ସୁରକ୍ଷା ବ୍ୟବସ୍ଥା ନିମ୍ନମାନର ଥିବା ବେଳେ ସ୍ଥାନୀୟ ମଧ୍ୟ ପାଖରେ ନଥିବା ମମତା ଅଭିଯୋଗ ଆଣିଛନ୍ତି । ପ୍ରତିବାଦରେ ମମତା ବାନାର୍ଜୀ ଆଜି ନନ୍ଦିଗ୍ରାମରେ ରାତି କାଟିବେ ବୋଲି କହିଛନ୍ତି । ସେ ତାଙ୍କର ସମସ୍ତ ଯୋଜନା ବାତିଲ୍ କରି ଦେବା ସହ ଆଜି କୋଲକାତା ନ ଫେରି ନନ୍ଦିଗ୍ରାମରେ ରହିବେ ବୋଲି ଜଣାପଡ଼ିଛି ।

Mamata Banerjee was attacked in Nandigram

ମମତା ବାନାର୍ଜୀଙ୍କୁ ବେଲ୍ଲେ ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମମତାଙ୍କ ଅଭିଯୋଗ ଅନୁସାରେ, ସେ ତାଙ୍କ କାରରେ ବସିବାକୁ ଯାଉଥିବା ବେଳେ ୪ ଜଣ ତାଙ୍କୁ ଠେଲି ଦେଇଥିଲେ । ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି ।

ଓଡିଆ ଫିଲ୍ମ ‘ପ୍ରେମୀ ଆୱାରା’ର ଶୁଭ ମହୁରତ

ଭୁବନେଶ୍ୱର: ଆଗାମୀ ଓଲିଉଡ୍ ଫିଲ୍ମ “ପ୍ରେମୀ ଆୱାରା”ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଏହି ସମାରୋହ ଅନୁଷ୍ଟିତ ହୋଇଯାଇଛି । ଖୁବଶୀଘ୍ର ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ। ଆଲବମ୍ ଜଗତର ସୁପରହିଟ୍ ଯୋଡି ଲୁବୁନ-ଟୁବୁନ୍ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ଦୁଇ ଚର୍ଚ୍ଚିତ ନିର୍ଦ୍ଦେଶକଙ୍କ ୫ମ ଫିଲ୍ମ ଭାବେ ଏହା ଦର୍ଶକଙ୍କ ସାମ୍ନାକୁ ଆସିବ। ଏଥିରେ ପ୍ରଥମ ଥର ପାଇଁ ଦର୍ଶକ ନୂଆ ଯୋଡ଼ି ଭାବେ ଓମ୍‌କାର ଓ ଅଙ୍କିତାଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ଦେଖିବାକୁ ପାଇବେ।

ଫିଲ୍ମର ଶୁଭ ମହରୁତ ଅବସରରେ ପ୍ରଯୋଜକ ପ୍ରଭାତୀ ଆଚାର୍ଯ୍ୟ, ନିର୍ଦ୍ଦେଶକ ଲୁବୁନ୍‌-ଟୁବୁନ୍ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର୍‌ଙ୍କ ସମେତ ଅନ୍ୟ କଳାକାର ପ୍ରମୁଖ ଉପସ୍ଥିତ ଥିଲେ । ନିଛକ ଓଡିଆ କାହାଣୀ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର କାହାଣୀ ଭାର ସମ୍ଭାଳିଛନ୍ତି ଦୁର୍ଗା ଆଚାର୍ଯ୍ୟ । ସେହିଭଳି ଡାଇଲଗ ଦାୟିତ୍ୱ ତୁଲାଇଛନ୍ତି ସଂଜୟ ମହାକୁଳ । ଫିଲ୍ମର କାହାଣୀକୁ ବାଦ୍ ଦେଲେ ଏଥିରେ ରହିଛି ୫ଟି ଜବରଦସ୍ତ ଗୀତ।

ଲଭ, ରୋମାନ୍ସ, ଡ୍ରାମା ଓ ଟ୍ରାଜେଡି ଉପରେ ଆଧାରିତ ଏହି ଫିଲ୍ମରେ ସରୋଜ ଦାସ, ଟନିଆ, ରିସ୍ନା ଓ କାଳିଆଙ୍କ ଭଳି କଳାକାରଙ୍କୁ ଅନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ମହୁରତ ଅବସରରେ ଫିଲ୍ମର ଶୁଟିଂ ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।