ରେମଡେସିଭିରର ବ୍ଲାକମାର୍କେଟିଂ: ୮୯୯ ଟଙ୍କାରେ କିଣି ୧୨ ହଜାରରେ ବିକ୍ରି, ପୋଲିସ କବଜାରେ ରାକେଟ୍

ଅହମ୍ମଦାବାଦ: କରୋନା ଭାଇରସର ଦ୍ୱିତୀୟ ଆକ୍ରମଣ ସମ୍ପୂର୍ଣ୍ଣ ଦେଶକୁ ଆତଙ୍କିତ କରି ରଖିଛି । ଏହାରି ଭିତରେ କିଛି ବ୍ୟକ୍ତି ଟଙ୍କା ପାଇଁ ଅମାନବୀୟ କାମ କରିବାକୁ ପଛାଉ ନାହାନ୍ତି । କରୋନା ରୋଗୀଙ୍କ ପାଇଁ ଜରୁରୀ ରେମଡେସିଭିର ଇଂଜକ୍ସନକୁ କିଛି ଅସାଧୁ ବ୍ୟକ୍ତି କଳାବଜାର କରୁଛନ୍ତି । ୮୯୯ ଟଙ୍କାର ରେମଡେସିଭିର ଇଂଜକ୍ସନ ବ୍ଲାକ୍ ମାର୍କେଟରେ ୧୨ ହଜାର ଟଙ୍କାରେ ବିକ୍ରୀ ହେଉଛି । ଗୁଜୁରାଟ୍ ପୋଲିସ ଏମିତି ଗୋଟିଏ ରାକେଟକୁ ଧରିଛି ଯେଉଁଥିରେ ହସ୍ପିଟାଲ ମାଲିକଙ୍କ ସହିତ ପାଥୋଲାବ କର୍ମଚାରୀ ସାମିଲ ଅଛନ୍ତି।

ସୁରଟରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆତଙ୍କର ଅନ୍ୟନାମ ପାଲଟି ଯାଇଛି । କରୋନା ସଂକ୍ରମିତଙ୍କ ପାଇଁ ଅତ୍ୟାଶ୍ୟକ ରେମଡେସିଭିର ଇଂଜକ୍ସନକୁ ରୋଗୀଙ୍କ ଆଧାର କାର୍ଡ୍ ବ୍ୟବହାର କରି ୮୯୯ ଟଙ୍କାରେ କିଣି ବ୍ଲାକ୍ ମାର୍କେଟରେ ୧୨ ହଜାର ଟଙ୍କାରେ ବିକ୍ରି କରାଯାଉଛି ବୋଲି ସୁରଟ୍ ପୋଲିସ ପାଖରେ ଅଭିଯୋଗ ପହଂଚିଥିଲା । ପୋଲିସ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଗୁପ୍ତ ତଦନ୍ତ ଆରମ୍ଭ କରିଥିଲା ।

ସୁରଟ୍ ପୋଲିସର ଗୋଟିଏ ଟିମ୍ ରେମଡେସିଭିର ବ୍ଲାକମାର୍କେଟ୍ କରୁଥିବା ରାକେଟ୍ ପାଖରେ ପହଞ୍ଚି ଇଂଜକ୍ସନ କିଣିବା ପାଇଁ ଡିଲ୍ କରିଥିଲା । ଡିଲ୍ ଅନୁସାରେ ୬ ଟି ଇଂଜକ୍ସନ ପାଇଁ ପୋଲିସକୁ ୭୦ ହଜାର ଟଙ୍କା ଦେବାକୁ ପଡିଥିଲା ।

ଏହି ରାକେଟର ମୁଖ୍ୟ କାର୍ପଟଦାର ଥିଲା ନିତ୍ୟା ହସ୍ପିଟାଲ ଆଣ୍ଡ୍ ହେଲ୍ଥ ମାଲିକ ବିବେକ ଧାମେଲିଆ । ଧାମେଲିଆ ତା’ ହସ୍ପିଟାଲକୁ ଆସୁଥିବା କରୋନା ସଂକ୍ରମିତଙ୍କ ଆଧାର କାର୍ଡ୍ ବ୍ୟବହାର କରି ସରକାରୀ ହସ୍ପିଟାଲରୁ ରେମଡେସିଭିର ଇଂଜକ୍ସନ ୮୯୯ ଟଙ୍କାରେ କିଣୁଥିଲା । ପରେ ଏହି ଇଂଜକ୍ସନକୁ ସେ ୟୋଗେସ କବାଡେ ନାମକ ବ୍ୟକ୍ତିକୁ ୧୫ଶହ ଟଙ୍କାରେ ବିକ୍ରି କରୁଥିଲା । ହସ୍ପିଟାଲ ମାଲିକ ହିସାବରେ ତା’ ପାଇଁ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ସଂଗ୍ରହ କରିବା ସହଜ ଥିଲା । ୟୋଗେସ ୧୫ଶହ ଟଙ୍କାରେ କିଣିଥିବା ଇଂଜକ୍ସନକୁ ଫ୍ୟୁଜନ୍ ପାଥୋଲୋଜି ନାମକ ସଂସ୍ଥାକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲା ।

ଫ୍ୟୁଜନ୍ ପାଥୋଲୋଜି ଏହି ଇଂଜକ୍ସନକୁ ସଂକ୍ରମିତଙ୍କୁ ୧୨ ହଜାର ଟଙ୍କାରେ ବିକ୍ରି କରୁଥିଲା । ଫ୍ୟୁଜନ ପାଥୋଲୋଜି ମାଲିକ ଶୈଲେଶ ହାଡିଆ ଓ ନିତିନ ହାଡିଆ ଏଜେଣ୍ଟଙ୍କ ଜରିଆରେ ଇଂଜକ୍ସନ ବିକ୍ରି କରୁଥିଲେ ।

Leave a Reply