spot_img
Home Blog Page 5867

୨-୨ରେ ଟି-ଟ୍ୱେଣ୍ଟି ସିରିଜ୍ ବରାବର, ପଞ୍ଚମ ମ୍ୟାଚ୍ ଉପରେ ୨ ଦଳର ନଜର

ଅହମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରତିଶୋଧ ନେଲା ଭାରତ । ତୃତୀୟ ଟି-ଟ୍ୱେଣ୍ଟିକୁ ଇଂଲଣ୍ଡ ୮ ୱିକେଟରେ ଜିତି ନେଇଥିବା ବେଳେ ଚତୁର୍ଥ ମ୍ୟାଚରେ ଭାରତ ନେଇଛି ବଦଲା । ଭ୍ରମଣକାରୀ ଦଳଠାରୁ ଚତୁର୍ଥ ଟି-ଟ୍ୱେଣ୍ଟିକୁ ଭାରତ ୮ ରନରେ ଜିତି ନେଇଛି । ଏଥିସହ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ୨-୨ରେ ବରାବର ସ୍ଥିତିରେ ରହିଛି । ଆସନ୍ତା ଶନିବାର ସିରିଜର ପଞ୍ଚମ ମ୍ୟାଚ୍ ଖେଳାଯିବ । ଯେଉଁ ଦଳ ଶେଷ ମ୍ୟାଚ୍ ଜିତିବ ସିରିଜ୍ ତା’ର ହେବ ।

India Won Fourth T20 Against England By 8 Runs

ରୋମାଞ୍ଚକର ଚତୁର୍ଥ ଟି-ଟ୍ୱେଣ୍ଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ଘରୋଇ ଦଳ ୧୮୫ ରନ୍ କରିଥିଲା । ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ସର୍ବାଧିକ ୫୭ ରନ କରିଥିଲେ । ୧୮୬ ରନର ପିଛା କରୁଥିବା ଭ୍ରମଣକାରୀ ଦଳ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୭ ରନ୍ କରି ପାରିଥିଲା । ଫଳରେ ମ୍ୟାଚକୁ ଭାରତ ୮ ରନରେ ଜିତି ନେଇଛି ।

India Won Fourth T20 Against England By 8 Runs

ମ୍ୟାଚର ଶେଷ ଓଭର ଥିଲା ବେଶ୍ ରୋମାଞ୍ଚକର । ଶେଷ ୬ ବଲରେ ଭ୍ରମଣକାରୀ ଦଳ ଜିତିବା ଲାଗି ୨୩ ରନ୍ ଆବଶ୍ୟକ କରୁଥିଲା । କିନ୍ତୁ ଦଳ ମାତ୍ର ୧୪ ରନ୍ କରିବାରେ ସକ୍ଷମ ହୋଇଛି । ଏହି ବିଜୟ ସହ ଭାରତ ସିରିଜକୁ ୨-୨ ବରାବର ସ୍ଥିତିକୁ ଆଣିଛି ।

ଓଡ଼ିଶା ଦେଖିବ ଚାଷୀ ଶୋ’, ଚଣ୍ଡିଖୋଲରେ କାଲି କୃଷକଙ୍କ ମହାପଞ୍ଚାୟତ

ଚଣ୍ଡିଖୋଲ: ଦିଲ୍ଲୀ ଡେଇଁଥିବା ଚାଷୀ ଆନ୍ଦୋଳନ ଏବେ ଓଡ଼ିଶାରେ । ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ ଭଳି ଚାଷୀ ବହୁଳ ରାଜ୍ୟ ସହ ନିର୍ବାଚନ ହେଉଥିବା ପଶ୍ଚିମବଙ୍ଗ ପରେ ଏବେ ଓଡ଼ିଶାରେ ହେବ ଚାଷୀଙ୍କ ମହାପଞ୍ଚାୟତ । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ମହାପଞ୍ଚାୟତର ଆୟୋଜନ କରିଛି ନବ ନିର୍ମାଣ କୃଷକ ସଂଗଠନ ।

ଶୁକ୍ରବାର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ସୁଙ୍ଗୁଡ଼ା ଖେଳ ପଡ଼ିଆରେ କୃଷକଙ୍କ ମହାପଞ୍ଚାୟତ ଅନୁଷ୍ଠିତ ହେବ । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ୧୦୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା କୈାଣସି ସମାଧାନର ବାଟ ବାହାରିନି । କେନ୍ଦ୍ର କୃଷି ବିଲ୍ ପ୍ରତ୍ୟାହାର ଜରୁରୀ ବୋଲି କହିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଶୁକ୍ରବାର ହେବାକୁ ଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତଙ୍କ ସମେତ ବହୁ ଚାଷୀ ନେତା ସାମିଲ ହେବେ ।

ରାକେଶ ଟିକାୟତ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ରାଲିରେ ଯାଇ ଚଣ୍ଡିଖୋଲ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସମାବେଶରେ ୨୦ ହଜାରରୁ ଅଧିକ ଚାଷୀ ସାମିଲ ହେବେ ବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧକ୍ଷ ଅକ୍ଷୟ କୁମାର ।

ସିମେଣ୍ଟ ଦୋକାନରୁ ୨୫ହଜାର ଟଙ୍କା ଲୁଟିନେଲା ଦୁର୍ବୁତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ନିଳାଦ୍ରୀବିହାର ରେ ଥିବା ଏକ ସିମେଣ୍ଟ ଦୋକାନରୁ ଲୁଟ୍ । ସିମେଣ୍ଟ କିଣିବା ବାହାନାରେ ଆସି ଦୋକାନ କ୍ୟାସ କାଉଣ୍ଟରରୁ ୨୫ହଜାର ଟଙ୍କା ଲୁଟିନେଲା ଦୁର୍ବୁତ୍ତ । ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ଦାୟର ହୋଇଛି ।

ପୋଲିସ ଘଟଣାର ତଦନ୍ତ କରୁଛି । ଗତକାଲି ସନ୍ଧ୍ୟାରେ ଜଣେ ବ୍ୟକ୍ତି ସିମେଣ୍ଟ କିଣିବାକୁ ନିଳାଦ୍ରୀବିହାରରେ ଥିବା ପ୍ରଭୁମହିମା ସିମେଣ୍ଟ ଦୋକାନକୁ ଆସିଥିଲେ । ଦୋକାନୀଙ୍କ ସହ ସିମେଣ୍ଟର ଦର ଓ ବ୍ରାଣ୍ଡକୁ ନେଇ ପଚରା ଉଚରା କରିବା ପରେ, ସିମେଣ୍ଟ ବସ୍ତା ଦେଖିବାକୁ ଗୋଦାମକୁ ଯିବାକୁ କହିଥିଲେ । ଏହି ସମୟରେ ଦୋକାନ ମାଲିକ ଗୋଦାମ ଚାବି ନେଇ, ସଂପୃକ୍ତ ବ୍ୟକ୍ତିଙ୍କୁ ସିମେଣ୍ଟ ଦେଖାଇବାକୁ ଯିବା ବେଳେ କ୍ୟାସ କାଉଣ୍ଟରରୁ ୨୫ହଜାର ଟଙ୍କାର ବଣ୍ଡଲ ନେଇଯାଇଥିଲେ ସଂପୃକ୍ତ ବ୍ୟକ୍ତି ।

ସିମେଣ୍ଟ ଦେଖିବା ପରେ, ପରେ ଆସିବେ ବୋଲି କହି ଚାଲିଯାଇଥିଲେ । ଦୋକାନ ମାଲିକ କ୍ୟାସ ବକ୍ସ ଖୋଲିବା ପରେ ସେଥିରେ ୨୫ହଜାର ଟଙ୍କାର ବଣ୍ଡଲ ନଥିବା ଦେଖି, ସିସିଟିଭି ଚେକ୍ କରିଥିଲେ । ସେଥିରେ ସଂପୃକ୍ତ ବ୍ୟକ୍ତି ଜଣକ କ୍ୟାସ ବକ୍ସରୁ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଥିଲା ।

ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଟି-ଟ୍ୱେଣ୍ଟିରେ ରୋହିତଙ୍କ ରେକର୍ଡ

ଅହମଦାବାଦ: ବିରାଟଙ୍କ ପରେ ରୋହିତଙ୍କ ରେକର୍ଡ । ଟି-ଟ୍ୱେଣ୍ଟି କ୍ରିକେଟରେ ୯ ହଜାର ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି ରୋହିତ ଶର୍ମା । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ଦ୍ୱିତୀୟ ଭାରତୀୟ ଭାବେ ୯ ହଜାର ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି ।

ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-ଟ୍ୱେଣ୍ଟିରେ ରୋହିତ ଏହି ରେକର୍ଡ ହାସଲ୍ କରିଛନ୍ତି । ଆଦିଲ୍ ରସିଙ୍କ ବଲରେ ସିଙ୍ଗଲ୍ ସଟ୍ ଖେଳି ସଫଳତା ଛୁଇଁଛନ୍ତି ରୋହିତ ଶର୍ମା । ତେବେ ଆଜିର ମ୍ୟାଚରେ ମାତ୍ର ୧୨ ରନ୍ କରି ରୋହିତ ଶର୍ମା ପେସର ଜୋଫ୍ରାଙ୍କ ଆର୍ଚ୍ଚରଙ୍କ ବଲରେ ଆଉଟ୍ ହୋଇଥିଲେ ।

Rohit Sharma completes 9000 runs in T20 cricket

ଟି-ଟ୍ୱେଣ୍ଟି କ୍ରିକେଟରେ ନବମ ଖେଳାଳି ଭାବେ ରୋହିତ ଅଧିକ ରନ୍ ସଂଗ୍ରହ କରିଛନ୍ତି । ତେବେ, ସେଥିରୁ ଏକାଧିକ ଟି-ଟ୍ୱେଣ୍ଟି ସେ ଆଇପିଏଲରେ ଖେଳିଛନ୍ତି । ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟରେ ରୋହିତ ୧୧୦ଟି ମ୍ୟାଚ୍ ଖେଳି ୨୮ ଶହ ରନ୍ କରିଛନ୍ତି । ହାରାହାରି ରନ୍ ରେଟ୍ ୩୨.୪୧ ପ୍ରତିଶତ ରହିଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ରହିଛି ୧୩୮.୩୬ ।

କ୍ୟାରିୟରରେ ଖେଳିଥିବା ୩୪୨ଟି ଟି-ଟ୍ୱେଣ୍ଟିରେ ରୋହିତ ୯ ହଜାର ୧ ରନ୍ କରିଛନ୍ତି । ଯେଉଁଥିରେ ଷ୍ଟ୍ରାଇକ୍ ରେଟ୍ ୧୩୩.୩୬ ରହିଛି । ଚୌକା-ଛକାର ଖେଳ ଟ୍ୱି-ଟ୍ୱେଣ୍ଟିରେ ରୋହିତ ୬ଟି ଶତକ ମାରିଥିବା ବେଳେ ୬୩ଟି ଅର୍ଦ୍ଧଶତକ କରିଛନ୍ତି । ଗତ ଜାନୁଆରୀରେ ରୋହିତ ତୃତୀୟ ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଦିନିକିଆରେ ୯ ହଜାର ରନ୍ ସଂଗ୍ରହ କରିଥିଲେ ।

ଶ୍ରୀଜଗନ୍ନାଥଙ୍କ ପରିଚୟକୁ ବିକୃତ କରୁଥିବା ବ୍ୟକ୍ତି ହିସାବରେ ଲେଖାଶ୍ରୀ ରେକର୍ଡ କରିବେ: ବିଜେଡି

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ଜମି ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କର ବକ୍ତବ୍ୟକୁ ସମସ୍ତ ଜଗନ୍ନାଥପ୍ରେମୀ ନିନ୍ଦା କରିଛନ୍ତି । ରାଜନୀତିକ ଅଭିସନ୍ଧି ରଖି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଟିକେଟ୍ ପାଇଁ ଲେଖାଶ୍ରୀ ସାମନ୍ତସିଂହାର ଭୁଲ୍ ତଥ୍ୟ ଦେଇ ସମଗ୍ର ଓଡ଼ିଶାବାସୀଙ୍କୁ ମତିଭ୍ରମ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ପ୍ରକୃତ କ୍ଷେତ୍ରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର କୌଣସି ଜମି ବିକ୍ରି କରିବାର ଯୋଜନା ନାହିଁ ବୋଲି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍‌ସିତା ସାହୁ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ଦଳ ଆଗ ଦିଅଁ ପଛ; ଲେଖାଶ୍ରୀଙ୍କ ବୟାନ ପରେ ତୁମ୍ୱିତୋଫାନ

ସୁଶ୍ରୀ ସାହୁ କହିଛନ୍ତି- ଲେଖାଶ୍ରୀ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ନେଇ ଏଭଳି ଭିତ୍ତିହୀନ ମନ୍ତବ୍ୟ ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅପମାନ କଲା ଭଳି କୁତ୍ସିତ ମନ୍ତବ୍ୟ ଦେଇ ଆସୁଛନ୍ତି । ଯଦି ସେ ଏସବୁ ପିପିଲି ଉପନିର୍ବାଚନରେ ନିର୍ବାଚନୀ ଟିକେଟ୍ ଆଶାରେ କହୁଥାନ୍ତି, ତା’ହେଲେ ସେ ଜାଣିରଖିବା ଉଚିତ୍ ଯେ, ପିପିଲିର ଜନତା କେବେ ବି ଶ୍ରୀଜଗନ୍ନାଥଙ୍କ ଅପମାନ ଗ୍ରହଣ କରିବେ ନାହିଁ । ଲେଖାଶ୍ରୀ ବୁଝିବା ଦରକାର ୨୦୦୧ରୁ ୨୦୧୦ ଭିତରେ ୨୯୧ ଏକର ଜମି ଦିଆଯାଇଥିଲା । ଯେଉଁ ସମୟରେ ଭାରତୀୟ ଜନତା ପାର୍ଟିର ନେତା ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍ ମନ୍ତ୍ରୀ ଥିଲେ । ଘରୋଇ ମାଲିକାନାରେ ଥିବା ପ୍ରଭୁଙ୍କର ଜମି ୨୦୦୩ ନୀତି ଅନୁସାରେ ସମାଧାନ ହେବ । ସର୍ବସାଧାରଣଙ୍କ ସୁବିଧା ପାଇଁ ସ୍କୁଲ, କଲେଜ ଓ ହସ୍ପିଟାଲ ପାଇଁ ଜମି ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗିବା ପାଇଁ ଜମି ନିଷ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିର କମିଟି ନେଇଛି ବୋଲି ସୁଶ୍ରୀ ସାହୁ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ସେଥିପାଇଁ ଲେଖାଶ୍ରୀ ଯେତେ ବିକୃତ ତଥ୍ୟ ଦେଲେ ବି ପିପିଲି ନିର୍ବାଚନ ମଣ୍ଡଳୀର ବିଜେପି ଦଳର ଟିକେଟ୍ କେବେ ହେଲେ ତାଙ୍କୁ ମିଳିବ ନାହିଁ । ଆଶା କରିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସେ କ୍ଷମା ପ୍ରାର୍ଥନା କରିବେ ଓ ମିଛ ତଥ୍ୟ ପାଇଁ ଅନୁତପ୍ତ ହେବେ ବୋଲି ସୁଶ୍ରୀ ସାହୁ କହିଛନ୍ତି । କିଛିମାସ ତଳେ ସମ୍ବିତ ପାତ୍ରଙ୍କ ଲାଗି ମହାପ୍ରଭୁ ଜଗନ୍ନାଥଙ୍କୁ ଓ ପୁରୀକୁ ସମସ୍ତେ ଚିହ୍ନିଲେ ବୋଲି ଲେଖାଶ୍ରୀ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିଲେ ।

ଅଙ୍ଗନୱାର୍ଡୀ କର୍ମୀ ଓ ସାହାଯ୍ୟକାରୀଙ୍କ ସର୍ବନିମ୍ନ ମଜୁରୀ ନିଶ୍ଚିତ ପାଇଁ ଲୋକସଭାରେ ସାଂସଦ ପ୍ରମିଳା ବିଶୋଇଙ୍କ ଦାବି

ନୂଆଦିଲ୍ଲୀ: ପୁଣି ଲୋକସଭାରେ ଚର୍ଚ୍ଚାରେ ରହିଲେ ଆସିକା ସାଂସଦ ପ୍ରମିଳା ବିଷୋଇ । ଅଙ୍ଗନୱାର୍ଡୀ କର୍ମୀ ଓ ସାହାଯ୍ୟକାରୀଙ୍କ ମାସିକ ପାରିଶ୍ରମିକ ଅତି କମରେ ସର୍ବନିମ୍ନ ମଜୁରୀ ନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି ପ୍ରମିଳା । ସମାଜରେ ଲିଙ୍ଗଗତ ସମାନତା ହାସଲ ପାଇଁ ମହିଳାମାନଙ୍କର ଅର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ସାମଗ୍ରିକ ଭାବେ ଅର୍ଥନୀତିର ବିକାଶରେ ମହିଳାମାନେ ପ୍ରମୁଖ ଯୋଗଦାନ କରନ୍ତି । ପ୍ରାକୃତିକ ସମ୍ପଦର ପରିଚାଳନା, ସଫଳ ଉଦ୍ୟୋଗୀ ଭାବରେ ଓ ସେବା ପ୍ରଦାନକାରୀ ଭାବେ ମହିଳାଙ୍କ ଅବଦାନ ଅତୁଳନୀୟ ଅଟେ । ବିଶ୍ୱସ୍ତରରେ ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଦୁଇ ଦଶମିକ ଛଅ ପ୍ରତିଶତ ଅଧିକ ଅନାଦାୟ ଯତ୍ନ ଓ ଘରୋଇ କାର୍ଯ୍ୟ କରିଥାନ୍ତି । ମହିଳାମାନେ ଆହୁରି ସଶକ୍ତିକରଣ ହେଲେ ପରିବାର, ସମ୍ପଦାୟ ଓ ଦେଶରେ ଏକ ସୁସ୍ଥ ସମାଜର ଗଠନ ହୋଇପାରିବ ବୋଲି କହିଥିଲେ ପ୍ରମିଳା ।

ଶ୍ରୀମନ୍ଦିର ପ୍ରରିକ୍ରମା ଯୋଜନା ପାଇଁ ୧ କୋଟି ଟଙ୍କା ଦେଲା କଳିଙ୍ଗ କମର୍ସିଆଲ୍

ପୁରୀ: ସମସ୍ତଙ୍କୁ ଆକୃଷ୍ଟ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା । ଏହି ଯୋଜନା ଲାଗି କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧ କୋଟି ଟଙ୍କା ପ୍ରଦାନ କରିଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୌମ୍ୟ ରଞ୍ଜନ ସାମଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି ।

ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । କହିଥିଲେ- ପ୍ରତ୍ୟେକ ଓଡିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିରେ ଅନୁପ୍ରାଣିତ ହୋଇ କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡ୍ ଅର୍ଥ ଦେଇଛି ।

କଳିଙ୍ଗ କମର୍ସିଆଲ କର୍ପୋରେସନ ଲିମିଟେଡର ନିର୍ଦ୍ଦେଶକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ ଭେଟି ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପ୍ରଭୁଙ୍କ ଦର୍ଶନ ଓ ସମ୍ଭାବ୍ୟ ସୁବିଧା ସୁଯୋଗ ପାଇଁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ଏହି ସହାୟତା ପ୍ରଭୁଙ୍କ ସେବାରେ ଲାଗୁଥିବାରୁ ସେ ଧନ୍ୟ ମନେ କରିବା ସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

ଆସାମରେ ମୋଦୀଙ୍କ ପ୍ରଚାର: କହିଲେ ‘କଂଗ୍ରେସର ନା ନୀତି ରହିଛି, ନା କୌଣସି ନେତା ଅଛନ୍ତି’

ଆସାମ: ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ନିର୍ବାଚନ । ଏ ନେଇ ଜୋର ଧରିଛି ନିର୍ବାଚନ ପ୍ରଚାର । ଆଜି ଆସାମର କରୀମଗଞ୍ଜରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କଂଗ୍ରେସର ନା ନୀତି ରହିଛି, ନା କୌଣସି ନେତା ଅଛନ୍ତି । କଂଗ୍ରେସ ଶାସନ ସମୟରେ ଆସାମର ବିନାଶ ହୋଇଛି । ସାମାଜିକ, ସାଂସ୍କୃତିକ, ଭୌଗଳିକ ଓ ରାଜନୈତିକ ଦୃଷ୍ଟି କୋଣରୁ ଢେର ପଛରେ ପଡିଥିଲା ଆସାମ । ହେଲେ ୨୦୧୬ରୁ ବିଜେପି ସରକାର ଆସିବା ପରେ ଏଠାରେ ବିକାଶର ଧାରା ଜାରି ରହିଛି ।

ସବୁ ବର୍ଗରୁ ଲୋକଙ୍କୁ ଏକଜୁଟ କରି ବିଜେପି ଆସାମକୁ ଆଗେଇ ନେବାରେ କାମ କରୁଛି । ଆସାମରେ ସଡକ, ସେତୁ ନିର୍ମାଣ ହୋଇଛି । ବିଜୁଳି, ପାଣି ଓ ରାସନ୍ ମାଗଣାରେ ମିଳୁଛି । ଆସାମବାସୀଙ୍କୁ ଏକ ସ୍ଥାୟୀ ଶାସନ ଦେବାରେ ବିଜେପି ସଫଳ ହୋଇଛି । ଏଥର ମଧ୍ୟ ବିଜେପି ସରକାର ଗଢିବ ବୋଲି ଦମ୍ଭ ଦେଖାଇଥିଲେ ମୋଦି । ଆସାମରେ ତିନୋଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ ।

ସରକାରଙ୍କୁ ହଜାରେ କୋଟିର ଲାଭାଂଶ ଦେଲା ଓଏମ୍‌ସି

ଭୁବନେଶ୍ୱର: ସରକାରଙ୍କୁ ହଜାରେ କୋଟିର ଲାଭାଂଶ ଦେଲା ଓଡ଼ିଶା ଖଣି ନିଗମ ବା ଓଏମ୍‌ସି । ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ପ୍ରଦାନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ଏବେ ସୁଦ୍ଧା ଓଏମ୍‌ସି ୫ ହଜାର ୧୬୨କୋଟି ଟଙ୍କାର ରାଜସ୍ୱ ଆଦାୟ କରି ରେକର୍ଡ ସୃଷ୍ଟି କରିଛି । ଯାହା ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୩୪ ପ୍ରତିଶତ ଅଧିକ । ଆଗାମୀ ୨ରୁ ୩ବର୍ଷ ମଧ୍ୟରେ ରାଜସ୍ୱ ଆଦାୟ ୨ଗୁଣା କରିବାକୁ OMC ଲକ୍ଷ୍ୟ ରଖିଛି ।

OMC Gave 1 Crore From Profit To Odisha Government

ଓଏମ୍‌ସିର ୧୦ଟି ଖଣି କାର୍ଯ୍ୟକ୍ଷମ ରହିଛି । ସେଥି ମଧ୍ୟରୁ ୭ଟି ଲୌହ, ଦୁଇଟି କ୍ରୋମ୍‌, ଗୋଟିଏ ବକ୍ସସାଇଟ୍ ଓର ଖଣି ରହିଛି । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଝିଲିଙ୍ଗ୍‌- ଲଙ୍ଗ୍‌ଲୋଟା ଏବଂ ଗୁଆଲି ନାମକ ଦୁଇଗୋଟି ନୂତନ ଲୈାହ ଖଣିରୁ ଉତ୍ପାଦନ ଆରମ୍ଭ କରିଛି । କୋଭିଡ୍‌ ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ଚେକ‌ଟିକୁ ଗ୍ରହଣ କରିଛନ୍ତି ।

କୋଭିଡ ଆଣ୍ଟିବଡି ସହ ଜନ୍ମନେଲା ବିଶ୍ୱର ପ୍ରଥମ ଶିଶୁ, ଗର୍ଭବତୀ ମାଆ ନେଇଥିଲେ ଭ୍ୟାକସିନର ପ୍ରଥମ ଜୋଡ୍

ନୂଆଦିଲ୍ଲୀ: ସାରା ବିଶ୍ୱକୁ ବର୍ଷେ ହେଲାଣି କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏବେ କରୋନା ସହ ଲଢ଼ିବା ପାଇଁ ବିଭିନ୍ନ ଟିକା ବାହାର କରାଯାଇଛି। ଟିକାକରଣ କାର୍ଯ୍ୟକ୍ରମ କରାଯାଇ ପର୍ଯ୍ୟାୟକ୍ରମେ ଲୋକଙ୍କୁ ଟିକା ଦିଆଯାଉଛି। ଲୋକଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡି ତିଆରି କରିବା ପାଇଁ ଟିକା ଦିଆଯାଉଥିବା ବେଳେ ଆମେରିକାରେ ପ୍ରଥମ କରି କୋଭିଡ ଆଣ୍ଟିବଡି ଥିବା ଶିଶୁ ଜନ୍ମ ନେଇଛି।

ପ୍ରକୃତ କଥା ହେଲା ଶିଶୁଟିକୁ ଜନ୍ମ ଦେଇଥିବା ମହିଳା ଗର୍ଭବତୀ ଥିବା ସମୟରେ ମଡେର୍ଣ୍ଣାର କରୋନା ଟିକା ନେଇଥିଲେ। ଟିକା ନେବାର ୩ସପ୍ତାହ ପରେ ମହିଳାଜଣକ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁକନ୍ୟାକୁ ଜନ୍ମ ଦେବା ପରେ ତାର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରେ ସାର୍କ-କୋଭ-୨ ଭୂତାଣୁ ବିରୋଧରେ ଆଣ୍ଟିବଡି ଥିବା ଜଣାପଡ଼ିଛି।

ପୂର୍ବରୁ ହୋଇଥିବା ଗବେଷଣାରୁ କରୋନା ଆକ୍ରାନ୍ତ ହୋଇଥିବା ସୁସ୍ଥ ହୋଇଥିବା ‌ମହିଳାଙ୍କ ଦେହରେ ତିଆରି ହୋଇଥିବା ଆଣ୍ଟିବଡି ତାଙ୍କ ଗର୍ଭରେ ଥିବା ଶିଶୁର ଦେହକୁ ଯିବାର ସମ୍ଭାବନା କମ ବୋଲି ଜଣାପଡ଼ିଥିଲା। କିନ୍ତୁ ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି।