spot_img
Home Blog Page 5834

ରିଲିଜ ହେଲା ସ୍ୱର୍ଗତ ରାଜୁ ମିଶ୍ରଙ୍କର ଶେଷ ହୋଲି ଗୀତ

ଭୁବନେଶ୍ୱର: ରିଲିଜ ହୋଇଛି ସ୍ୱର୍ଗତ ରାଜୁ ମିଶ୍ରଙ୍କର ଶେଷ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଗୀତ। ରାଜୁ ମିଶ୍ର ଏବେ ଆଉ ଆମ ପାଖରେ ନାହାଁନ୍ତି କିନ୍ତୁ ତାଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଗୀତ ଏବେ ସମସ୍ତଙ୍କ ମନରେ ରଙ୍ଗ ଲଗାଇବା ଆରମ୍ଭ କରିଛି। ଆଗକୁ ହୋଲି ଥିବାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ସୁନ୍ଦର ଗୀତ। ରଙ୍ଗିନ ଛତା ଖୋଲି ଆସିଛି ହୋଲି। ଦେବଦାଶ ଛୋଟରାୟଙ୍କର କବିତାକୁ ନେଇ ତିଆରି ହୋଇଛି ଏହି ଗୀତ। ରାଜୁ ମିଶ୍ର ବଞ୍ଚିଥିବା ବେଳେ ଦେବଦାଶ ଛୋଟରାୟଙ୍କ ସହ ବସି ଅନେକ ଆଲୋଚନା କରି ଏହି ଗୀତକୁ ତିଆରି କରିଥିଲେ। ସେପଟେ ଏହି ଗୀତରେ କଣ୍ଠଦାନ କରିଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ସୁସମିତା ଦାସ।

ନଭେମ୍ବର ୨ ତାରିଖରେ ୭୨ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ଜଟଣୀସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅନେକ ସୁପର୍‌ହିଟ୍ ଓଡ଼ିଆ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ। ଏକାଧାରାରେ ରାଜୁ ମିଶ୍ର ଥିଲେ ସିନେମାଟୋଗ୍ରାଫର, ସଙ୍ଗୀତଜ୍ଞ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଲେଖକ। ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରପସ୍କାର ସମେତ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ ରାଜୁ ମିଶ୍ର।

ପ୍ରଦୂଷଣର ସୀମା ଲଂଘିଛି ବନ୍ଦର ନଗରୀ ପାରାଦୀପ

ପାରାଦୀପ: ପ୍ରଦୂଷଣର ସୀମା ଲଂଘିଛି ବନ୍ଦର ନଗରୀ ପାରାଦୀପ । ବନ୍ଦର ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ପ୍ରଦୂଷଣରେ ପେଶି ହେଉଛନ୍ତି ପାରାଦୀପବାସୀ । ବନ୍ଦରରେ ଗଦା ହୋଇଥିବା କୋଇଲା , ଲାଇମଷ୍ଟୋନ, ଲୁହାପଥର ଗୁଣ୍ଡ ପବନରେ ଉଡି ସ୍ଥାନୀୟ ପରିବେଶକୁ ପ୍ରଦୂଷିତ କରୁଛି । ସ୍ଥିତି ଏପରି ହୋଇଛି ଯେ, ଗୁରୁବାର କୋଇଲା ଗୁଣ୍ଡ ଉଡି ମେଘୁଆ ପାଗର ଭ୍ରମ ସୃଷ୍ଟି ହୋଇଥିଲା । ଅଠରବାଙ୍କି ଠାରୁ ବଡପଡିଆ‌ ରାସ୍ତାରେ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗଛପତ୍ର ଗୁଡ଼ିକ କଳା ପଡି ଯାଇଥିବା ବେଳେ, ରାସ୍ତାରେ ଯାଆସ କରୁଥିବା ଲୋକଙ୍କ ଆଖି ଲାଲ ପଡ଼ିଯାଇଥିଲା । ବନ୍ଦର ପକ୍ଷରୁ କୋଇଲା ଗଦା ହୋଇଥିବା ସ୍ଥାନରେ ପାଣି ଛିଞ୍ଚିବାର ବ୍ୟବସ୍ଥା କରାଯାଇଛି । ମାତ୍ର ଏହା ଗୁଣ୍ଡକୁ ରୋକିବାରେ ସଫଳ ହୋଇନାହିଁ। ଏଣୁ ତୁରନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ପଣ୍ୟ କାରବାରରେ ରେକର୍ଡ କରୁଥିବା ବନ୍ଦର କର୍ତ୍ତୃପକ୍ଷ କିନ୍ତୁ ଲୋକଙ୍କ କଥା ଭୁଲି ଯାଉଛନ୍ତି । ସେପଟେ ପାରାଦୀପ ସ୍ଥିତି ପ୍ରଦୂଷଣ ଅଧିକାରୀ ମଧ୍ୟ ସ୍ଥିତିକୁ ହାଲକା ଭାବେ ନେବା ସହ ବନ୍ଦର କର୍ତ୍ତୃପକ୍ଷଙ୍କୁ ପାଣି ପକାଇବାକୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟରେ ୨୦କୋଟି ଶ୍ରମ ଦିବସ ମାର୍କ ହାସଲ କରିଛି

ଭୁବନେଶ୍ୱର: ରାଜ୍ୟ ନିଶ୍ଚିତ ନିଯୁକ୍ତି ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ। ଷଷ୍ଠ ବୈଠକରେ ରାଜ୍ୟରେ ମନରେଗା ନିଯୁକ୍ତି ନେଇ ବିସ୍ତୃତ ସୂଚନା ମିଳିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ୨୦କୋଟି ଶ୍ରମ ଦିବସ ମାର୍କ ହାସଲ କରିଛି। ଏଥିରେ ୩୭.୧ ଲକ୍ଷ ପରିବାରକୁ ନିଯୁକ୍ତି ଯୋଗାଇ ଦିଆଯାଇଛି। ଯେଉଁଠି କି ୨୦୧୮-୧୯ରେ ୦.୪୭ଲକ୍ଷ ପରିବାର ଶହେ ଦିନ କାର୍ଯ୍ୟ ଦିବସ ପୂରଣ କରିଛନ୍ତି। ସେହିପରି ୨୦୧୯-୨୦ରେ ଏହା ୧.୬୧ଲକ୍ଷ ଏବଂ ୨୦୨୦-୨୧ରେ ୩.୭୫ ଲକ୍ଷ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି। ଏସସି ଏସଟି ଏବଂ ମହିଳାଙ୍କୁ ୨୦୨୦-୨୧ରେ ଯଥାକ୍ରମେ ୪୯ପ୍ରତିଶତ ଏବଂ ୪୫ ପ୍ରତିଶତ ଶ୍ରମି ଦିବସ ଯୋଗାଇ ଦିଆଯାଇଛି ।

ପରିବାର ପ୍ରତି ରୋଜଗାରର ହାରାହାରି ଦିନ ୨୦୨୦-୨୧ରେ ୫୪.୬ ପ୍ରତିଶତରୁ ଅଧିକ ରହିଥିବା ବେଳେ ୨୦୧୯-୨୦ରେ ୪୭.୯ ଏବଂ ୨୦୧୮-୧୯ରେ ୩୮.୬ ମାର୍କ ହାସଲ କରାଯାଇଥିଲା । ୨୦ଟି ଦାଦନ ପ୍ରବଣ ବ୍ଲକରେ ଦାଦନ ଦୂର ପାଇଁ ରାଜ୍ୟ ସରକାର ୩୦୮ଟଙ୍କା ଧାର୍ଯ୍ୟ କରିଛନ୍ତି । ଯେଉଁଥିରେ ମନରେଗା ଅଧିନରେ କେନ୍ଦ୍ର ୨୦୭ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ୧୦୧ ଟଙ୍କା ଦେଉଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ରାଜ୍ୟ ସରକାର ଅତିରିକ୍ତ ୨ଶହ ଦିନ କାର୍ଯ୍ୟଦିବସ ମଂଜୁର କରିଛନ୍ତି । ଏହି ସୁବିଧା ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, ମୟୂରଭଞ୍ଜର ୩ଟି ବ୍ଲକ, କେନ୍ଦୁଝର ଏବଂ ଯାଜପୁର ଭଳି ୬ଟି ଖଣିଜ ସଂପଦରେ ଭରପୁର ଜିଲ୍ଲା ଲାଗି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।

ରେଭେନ୍ସା ବିଶ୍ବବିଦ୍ୟାଳୟର ପିଜି, ୟୁଜି ପରୀକ୍ଷା ସ୍ଥଗିତ

କଟକ: କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ପିଜି, ୟୁଜି ପରୀକ୍ଷା ସ୍ଥଗିତ। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟ ମନସ୍ତତ୍ବ ବିଭାଗରେ ଦୁଇ ଅଧ୍ୟାପିକାଙ୍କ ସମେତ ତିନି ଜଣ କରୋନା ପଜିଟିଭ ବାହାରିବା ପରେ  ନିଆଯାଇଛି ପଦକ୍ଷେପ। ସେହିପରି  ୧୪ ଦିନ ପର୍ଯ୍ୟନ୍ତ ଅଫଲାଇନ କ୍ଲାସ ବନ୍ଦ କରି କେବଳ ଅନଲାଇନ କ୍ଲାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶ୍ବବିଦ୍ୟାଳୟ ପରିସରକୁ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ଅନ୍ୟ ପକ୍ଷରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ପିଲାଙ୍କୁ ଚିହ୍ନଟ କରାଯାଇ ଲକ୍ଷଣ ଥିଲେ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି।

କରୋନାର ଦ୍ୱିତୀୟ ଲହରି ହେବ ଭୟଙ୍କର, ୨୫ ଲକ୍ଷ ହେବେ ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରି ପୂର୍ବଅପେକ୍ଷା ଅଧିକ ଭୟଙ୍କର ହେବ। ଦ୍ୱିତୀୟ ଫେଜରେ ପାଖାପାଖି ୨୫ ଲକ୍ଷ ଲୋକ ସଂକ୍ରମିତ ହେବେ । ଏମିତି ଏକ ରିସର୍ଚ୍ଚ ରିପୋର୍ଟରେ ଦାବି କରାଯାଇଛି । ଏହି ରିପୋର୍ଟକୁ ଏସବିଆଇ(ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ) ତରଫରୁ ଜାରି କରାଯାଇଛି । ରିପୋର୍ଟ ଅନୁସାରେ କରୋନାର ଦ୍ୱିତୀୟ ଲହରି ଭାରତକୁ ୧୦୦ଦିନ ପାଇଁ ଡରାଇବ । ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବ ।

ରିପୋର୍ଟରେ କୁହାଯାଇଛି ଯେ, ଫେବ୍ରୁଆରୀ ମାସରୁ ଭାରତରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଛି । ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ଏହା ଶିଖର ଛୁଇଁବ । ଏହି ସମୟ ଭିତରେ ଭାରତରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ତୁଳନାରେ ଅଧିକ ଜୋରରେ ବଢିବ । ମେ’ ମାସ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଚରମରେ ରହିବ । ଷ୍ଟେଟବ୍ୟାଙ୍କର ଆର୍ଥିକ ଅନୁସଂଧାନ ବିଭାଗ ତରଫରୁ ଏହି ରିପୋର୍ଟ ତିଆରି ହୋଇଛି ।

ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୩ ତାରିଖର ଟ୍ରେଣ୍ଡକୁ ଯଦି ଧରାଯାଏ ତେବେ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷରୁ ଅଧିକ ହେବ । ସ୍ଥାନୀୟ ସ୍ଥରରେ ଲକଡାଉନ ଦ୍ୱାରା କରୋନା ସଂକ୍ରମଣ ରୋକିବା କିମ୍ବା ମୃତ୍ୟୁକୁ କମ କରିବା ସମ୍ଭବ ହୋଇନଥିବା ମହାରାଷ୍ଟ୍ର ଓ ପଂଜାବ ଅନୁଭବରୁ ଜଣାପଡୁଛି ବୋଲି ରିପୋର୍ଟରେ ଦାବି କରାଯାଇଛି ।

ତେବେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତା’ର ପ୍ରଭାବ ଆସନ୍ତା ମାସରୁ ଦେଖିବାକୁ ମିଳିବ । କିନ୍ତୁ ଲକଡାଉନ୍ ଯୋଗୁ ଆର୍ଥିକ କ୍ଷତି ହେବା ସହିତ ଜୀବନ ଜୀବୀକା ଉପରେ ପ୍ରଭାବ ପଡିବ ବୋଲି ଏଥିରେ କୁହାଯାଇଛି । ବ୍ୟାପକ ଟିକାକରଣ ହିଁ କରୋନାକୁ ରୋକିବାର ଏକମାତ୍ର ଉପାୟ ବୋଲି ରିପୋର୍ଟ ଦାବି କରିଛି ।

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର, ଆଗକୁ ଆହୁରି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ପାରଦ। ପ୍ରଚଣ୍ଡ ଖରା ଯୋଗୁଁ ତନ୍ଦୁରିଭାଟି ହୋଇଛି ରାଜ୍ୟର ୨୩ ସହର। ଖରା କାରଣରୁ ଲୋକେ ଏବେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି। ଘରୁ ବାହାରିବା ସମୟରେ ହାତରେ ଛତା ଏବଂ ପାଣି ସାଙ୍ଗରେ ନେଇ ବାହାରୁ ଛନ୍ତି। ତେବେ ଯଦି ଦେଖିବା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ବୋଲି ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ରାଜ୍ୟର ୧୪ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିବା ବେଳେ ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବୌଦ୍ଧରେ ୪୦.୦୮ ଡିଗ୍ରୀ, ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ, ବଲାଙ୍ଗୀରରେ ୪୦.୦୪ ଡିଗ୍ରୀ, ସୋନପୁରରେ ୪୦.୦୨ ଡିଗ୍ରୀ, ଅନୁଗୁଳରେ ୪୦.୦୧ ଡିଗ୍ରୀ ତାପମାତ୍ରା ରହିଛି। ସେହିଭଳି ବାରିପଦା, ଟିଟଲାଗଡ଼, ମାଲକାନାଗିରି ଏବଂ ନୟାଗଡ଼ରେ ୪୦.୦ ଡିଗ୍ରୀ ତାପମାତ୍ରା ରହିଛି।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାରଦ ବଢିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ଡିଗ୍ରୀ ତାପମାତ୍ରା ବଢିବାକୁ ଥିବା ବେଳେ ବାକି ଜିଲ୍ଲା ଗୁଡିକରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୯ ଓ ୩୦ ତାରିଖ ବେଳକୁ ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ବା ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ରାଜଧାନୀ ଭୁବନେଶ୍ବର ସମେତ ମାଲକାନଗିରି ଏବଂ ବାରିପଦାରେ ୪୦ଡିଗ୍ରୀରୁ ଉପରେ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅଧିକାଂଶ ସହରର ତାପମାତ୍ରା ୩୭ ରୁ ୪୦ ଡିଗ୍ରୀ ମଧ୍ୟରେ ରହିବ ।

 

 

ଶନିବାର ଆସାମରେ ୪୭ ଏବଂ ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ଲଢ଼େଇ

ନୂଆଦିଲ୍ଲୀ: ଧୁ ଧୁ ଖରା, ବାକଯୁଦ୍ଧ ଆରୋପ ପ୍ରତ୍ୟାରୋପର ପ୍ରଥମ ପର୍ବ ସରିଛି। ଆସନ୍ତା ୨୭ରେ ଦୁଇଟି ରାଜ୍ୟ ପାଇଁ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ଦେଖିବାକୁ ମିଳିଥିଲା ସରଗରମ ପ୍ରଚାର। ପଶ୍ଚିମବଙ୍ଗ ଓ ଆସାମରେ ଜୋରଦାର ପ୍ରଚାର କରିଛନ୍ତି ପ୍ରମୁଖ ରାଜନୈତିକ ଦଳ ଓ ପ୍ରାର୍ଥୀ। କାହା ସମର୍ଥନରେ ଯିବ ମତ ତାକୁ ନେଇ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କକଷା।

ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ପଶ୍ଚିମ ମେଦିନାପୁର ପାର୍ଟ-୧, ପୂ୍ର୍ବ ମେଦିନାପୁର ପାର୍ଟ-୧, ବାଙ୍କୁରା, ଝାରଗ୍ରାମ ଓ ପୁରୁଲିଆର ୩୦ଟି ଆସନରେ ମତଦାନ ହେବ। ୧୯୧ ଜଣ ପ୍ରାର୍ଥୀଙ୍କର ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେବ। ଏଥିରେ ୧୭୦ ଜଣ ପୁରୁଷ ପ୍ରାର୍ଥୀ ଥିବା ବେଳେ ୨୧ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଏଥିସହ ୪୮ ଜଣଙ୍କ ପ୍ରାର୍ଥୀଙ୍କ ଉପରେ ଅପରାଧୀକ ମାମଲା ମଧ୍ୟ ଚାଲିଛି। ପ୍ରାର୍ଥିପତ୍ର ଦାଖଲ ବେଳେ ୨୫ ଜଣ ନିଜ ଉପରେ ଚାଲିଥିବା ମାମଲାକୁ ନେଇ ମଧ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲେ। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟ ଅଧିକାଂଶ କୋଟିପତି ମଧ୍ୟ ଅଛନ୍ତି। ଆଜି ପ୍ରଚାରର ଶେଷ ଦିନ ଥିବାରୁ ମମତା ବାନାର୍ଜୀ ଓ ଅମିତ ଶାହା କାଦୁଅଫିଙ୍ଗା ପ୍ରଚାର କରିଛନ୍ତି।

ଆସାମରେ ମଧ୍ୟ ପ୍ରଚାର ଶେଷ ଦିନ ଥିବାରୁ ସବୁ ରାଜନୈତିକ ଦଳ ଜନତାଙ୍କ ମନ କିଣିବା ପାଇଁ କଳ ବଳ କୌଶଳ ଲଗାଇଦେଇଛନ୍ତି ନେତା ଓ ପ୍ରାର୍ଥୀ। ପ୍ରଥମ ପର୍ଯ୍ୟାୟରେ ଏଠାରେ ୪୭ଟି ଆସନ ପାଇଁ ମତଦାନ ହେବ। ଏଥିମଧ୍ୟରୁ ୮ଟି ଆସନରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରଙ୍କ ମୁଖ୍ୟ ଭୂମିକା ରହିବ। ନେପାଳୀ, ଓ ବେଙ୍ଗଲୀ ଭାଷାଭାଷୀ ଲୋକଙ୍କ ମଧ୍ୟ ଏଥର ଆସାମ ମତଦାନରେ ରହିବ ଭୂମିକା। ୧୨ଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଏଥିପାଇଁ ୨୬୭ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। କୋଭି଼ଡ କଟକଣା ପାଇଁ ଏଥର ୧୧ ହଜାର ୫୩୭ଟି ମତଦାନ କେନ୍ଦ୍ରରେ ମତଦାନ ହେବ।

ପଶ୍ଚିମବଙ୍ଗରେ ୨୯୪ଟି ଆସନ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଆସାମରେ ୧୨୬ଟି ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ହେବ। ମେ ୨ରେ ଅନ୍ୟରାଜ୍ୟ ସହ ଏଠାରେ ମଧ୍ୟ ଫଳ ପ୍ରକାଶ ପାଇବ।

ଟିକା ପରେ ଏବେ ଆସିବ କରୋନା ବଟିକା, ଆରମ୍ଭ ହେଲା ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ଟିକା ପରେ ଏବେ ଆସିବ କରୋନା ବଟିକା। ଆମେରିକାର ଫାଇଜର କମ୍ପାନୀ ଏନେଇ ମାନବ ପରୀକ୍ଷଣ ଆରମ୍ଭ କରିଛି। ଏହି ବଟିକା ଖାଇଲେ ପ୍ରାଥମିକ ଲକ୍ଷଣରୁ କରୋନା ଭଲ ହୋଇଯିବ  । କରୋନାକୁ ମାତ୍‌ ଦେବା ପାଇଁ ଉଭୟ ଟିକା ଓ ବଟିକାର ଆବଶ୍ୟକ ବୋଲି ଫାଇଜର ପକ୍ଷରୁ କୁହାଯାଇଛି। ଆମେରିକାରେ ବଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଥିବା ବେଳେ ଏହା ସଫଳ ହେବ ବୋଲି କମ୍ପାନୀ ଆଶା ରଖିଛି। ଏହି ଟାବେଲଟ କରୋନାର ନୂଆ ଷ୍ଟ୍ରେନ ଉପରେ ମଧ୍ୟ ପ୍ରଭାବଶାଳୀ। ଫାଇଜର ସହ ଜର୍ମାନ କମ୍ପାନୀ ବାୟୋଏନଟେକ୍‌ର ସହଭାଗିତା ଥିବାରୁ ସେଠାରେ ମଧ୍ୟ ବଟିକା ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।

ସଫଳ ହୋଇଛି ୩୫ ପ୍ରତିଶତ ଜଳସେଚନ ଲକ୍ଷ୍ୟ, ୪୩ ଲକ୍ଷ ହେକ୍ଟର ଜମିକୁ ହୋଇଛି ଜଳସେଚନ

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ବ୍ଲକରେ ଜଳସେଚନ ପ୍ରକଳ୍ପ ସଫଳ ହେଉଛି। ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧୪ଲକ୍ଷ ୮୪ହଜାର ହେକ୍ଟର ବୃହତ ଉଠା ଜଳସେଚନ ପ୍ରକଳ୍ପ, ଏକ ଲକ୍ଷ ୨୫ ହଜାର ହେକ୍ଟର କ୍ଷୁଦ୍ର ଜଳସେଚନ, ୭ଲକ୍ଷ ୩୪ହଜାର ହେକ୍ଟର ଗୋଷ୍ଠୀ ଉଠାଜଳସେଚନ, ୧୨ ଲକ୍ଷ ୫୭ ହଜାର ହେକ୍ଟର ଗଭୀର ନଳକୂପ ଦ୍ବାରା ମୋଟ୍ ୩୫ଲକ୍ଷ ୯୯ ହଜାର ଚାଷ ଜମି ଜଳସେଚିତ ହୋଇଛି। ଗତ ୫ବର୍ଷରେ ମୋଟ ୭ଲକ୍ଷ ୪୩ହଜାର ହେକ୍ଟର ଜଳସେଚିତ ହୋଇଛି।

କେବଳ ସେତିକି ନୁହେଁ, ମୋଟ୍‌ ୩୧୪ ବ୍ଲକରୁ ୨୫୧ଟିରେ ୩୫ ପ୍ରତିଶତ ଜଳସେଚନ କରାଯାଇଛି। ପ୍ରଶ୍ନକାଳରେ ଜଳସମ୍ପଦ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଜଳସେଚନ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ବାଚସ୍ପତି ରୁଲିଂ ଦେଇଥିଲେ। ବିଧାନସଭା ସରିବା ପରେ ଦୁଇଟି ଲେଖାଏଁ ଜିଲ୍ଲାର ସଦସ୍ୟ ଓ ଅଧିକାରୀମାନଙ୍କୁ ଡାକି ଜଳସେଚନ ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ନେଇ ଗୃହରେ ଆଲୋଚନା ହୋଇଛି। ବିଜେଡି ବିଧାୟକ ପ୍ରଦୀପ ଅମାତ କହିଛନ୍ତି, ସିଡବ୍ଲୁସି ମହାନଦୀ ଅବବାହିକାରେ ହେଉଥିବା ୮ଟି ପ୍ରକଳ୍ପ ଫେରାଇ ଦେଇଛି। ଯାହା ଫଳରେ ଓଡ଼ିଶାରେ ଜଳ ସଂକଟ ଦେଖାଦେଇଛି। ତେଣୁ ଏନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ପ୍ରଶ୍ନ କରିଥିଲେ। ପୁନର୍ବାର ଏ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସିଡବ୍ଲୁସି ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ। ସେପଟେ ମହାନଦୀ ପାଣିକୁ ଛତିଶଗଡ଼ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ।

ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଳ ଯୋଜନା ପ୍ରସ୍ତୁତ କରିଛନ୍ତି। ୨୦୫୧ ମସିହା ସୁଦ୍ଧା ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ୭୫ ପ୍ରତିଶତ ନିର୍ଭରଯୋଗ୍ୟ ଜଳ ପ୍ରବାହ କରାଯିବାକୁ ଟାର୍ଗେଟ୍ କରାଯାଇଛି।

ସୁଏଜ କେନାଲରେ ଅଟକି ରହିଛି ୪ ଫୁଟବଲ ପଡିଆ ଆକାରର ଜାହଜ, ବଢିପାରେ ପେଟ୍ରୋଲ ଦର

ନୂଆଦିଲ୍ଲୀ: ଏସିଆ ଓ ୟୁରୋପ ମଧ୍ୟରେ ସର୍ଟକଟ୍ ସାମୁଦ୍ରିକ ପଥ ହେଉଛି ସୁଏଜ କେନାଲ । ବିଶ୍ୱର ସାମୁଦ୍ରିକ ବ୍ୟବସାୟର ସବୁଠାରୁ ବ୍ୟସ୍ତତମ ରୁଟ୍ ହେଉଛି ସୁଏଜ୍ କେନାଲ । ତେବେ ଏହି ସୁଏଜ କେନାଲରେ ଲାଗିଛି ଟ୍ରାଫିକ୍ ଜାମ୍ । ସଡକ ପଥରେ ଟ୍ରାଫିକ୍ ଜାମ କଥା ଆପଣ ଶୁଣିଥିବେ କିନ୍ତୁ ବିଶାଳ ସମୁଦ୍ରରେ ଟ୍ରାଫିକ୍ ଜାମ କଥା ଶୁଣିବାକୁ ଟିକେ ଅଖାଡୁଆ ଲାଗୁଥାଇ ପାରେ । ତେବେ ଯାହା ଶୁଣୁଛନ୍ତି ତାହା ସତ । ସୁଏଜ କେନାଲରେ ଗୋଟିଏ ଜାହାଜ ଅଟକି ଯିବା କାରଣରୁ ଏହି ଟ୍ରାଫିକ୍ ଜାମ୍ ହୋଇଛି । ଜାହଜର ଆକାର କାରଣରୁ ଟ୍ରାଫିକ୍ ଜାମ୍ ହୋଇଛି । ୪ଟି ଫୁଟବଲ ପଡିଆକୁ ମିଶାଇଲେ ଯେତିକି ବଡ ହେବ ,ଏହି ଜାହଜର ଆକାର ସେତିକି ବଡ । କେନାଲ ଭିତରେ ଏହି ଜାହାଜ ଅଟକିବା କାରଣରୁ ବାକି ଜାହଜଙ୍କୁ ଆଗକୁ ବଢିବାକୁ ରାସ୍ତା ମିଳୁନାହିଁ । ତେବେ ସୂଦୁର ସୁଏଜରେ ଏହି ଜାହାଜ ଅଟକିବା ଆପଣଙ୍କ ପକେଟକୁ ମହଙ୍ଗା ପଡିପାରେ । ଏବେ ପେଟ୍ରୋଲ ଲିଟର ପିଛା ଯଦି ଆପଣ ପାଖାପାଖି ୧୦୦ ଟଙ୍କା ଦେଉଛନ୍ତି ତେବେ ଯଦି ଶୀଘ୍ର ରାସ୍ତା ଖୋଲେ ନାହିଁ ତେବେ ପେଟ୍ରୋଲ ଦର ଆହୁରି ବଢିବ ।
ଜାହଜର ନାମ କ’ଣ ?
ଜାହଜର ନାମ ହେଉଛି ଏଭର ଗିଭନ । ଏହି ଜାହଜର ମାଲିକାନା ରହିଛି ଏଭରଗ୍ରୀନ୍ କମ୍ପାନି ପାଖରେ । ଏହି ଜାହଜ ପାନାମାରେ ପଂଜିକୃତ ହୋଇଛି କିନ୍ତୁ କମ୍ପାନୀର ଘର ହେଉଛି ତାଇୱାନ । ସେହି ତାଇୱାନ୍ ଯାହାକୁ ଚୀନ୍ ଦେଶ ବୋଲି ମାନେ ନାହିଁ ।

ever given
କେମିତି ଅଟକିଲା ଜାହଜ ?
ମାଲବାହକ ଏଭର ଗିଭନ ଭୂମଧ୍ୟସାଗର ଆଡକୁ ଯାଉଥିବା ବେଳେ ମଙ୍ଗଳବାର ଦିନ ଜୋରରେ ବହୁଥିବା ପବନ କାରଣରୁ ସୁଏଜ କେନାଲରେ ଫଶି ଯାଇଥିଲା । ଜାହଜ ପବନ ମାଡରେ କେନାଲ କୁଳକୁ ଲାଗିଯାଇଥିଲା । ଜାହଜର ଆକାର କାରଣରୁ ଅନ୍ୟ ଜାହଜଙ୍କୁ ରାସ୍ତା ମିଳିନଥିଲା ଫଳରେ ଟ୍ରାଫିକ୍ ଜାମ ଲାଗିଥିଲା । ମିଶର ସରକାର ସାମୁଦ୍ରିକ ଟ୍ରାଫିକକୁ ଡାଇଭର୍ଟ କରିବା ପାଇଁ ଶେଷରେ କେନାଲର ପୁରୁଣା ଚ୍ୟାନେଲକୁ ଖୋଲିଥିଲେ । ଫଳରେ ଅଟକି ରହିଥିବା ଜାହଜ ଆଗକୁ ବଢିଥିଲେ ।

ଜାହଜର ଆକାର କେତେ ?
ତାଇୱାନ କମ୍ପାନୀ ଏଭରଗ୍ରୀନ ମରିନର ଏହି ଜାହଜ ୨୦୧୮ ମସିହାରେ ତିଆରି ହୋଇଥିଲା । ଯାହାର ଲମ୍ବ ୪ଶହ ମିଟର(୧୩୧୨ ଫୁଟ) ଓ ଓସାର ୫୦ ମିଟର । ଏହାର ମାଲବହନ କ୍ଷମତା ହେଉଛି ୧,୧୯,୦୦୦ ଟନରୁ ଅଧିକ । ୪ଟି ଫୁଟବଲ ପଡିଆକୁ ମିଶାଇଲେ ଯେତିକି ହେବ ଏଭର ଗିଭେନର ଆକାର ସେତିକି । ଅନେକ ପ୍ରକାରର ମାଲବାହକ ଜାହଜ ରହିଛନ୍ତି । ଯାହାମଧ୍ୟରୁ ପୈନାମାକ୍ସ ଶ୍ରେଣୀର ଜାହଜଙ୍କ ଲମ୍ବ ୩ଶହ ମିଟରରୁ ଅଧିକ ହୋଇଥାଏ । ସେହିଭଳି ଅଲ୍ଟ୍ରା ଲାର୍ଜ କଣ୍ଟେନର ସିପ୍ ଗୁଡିକଙ୍କ ଲମ୍ବ ୩୬୬ ମିଟର ହୋଇଥାଏ ।ଯେତେବେଳେକି ଏଭର ଗିଭନ ଅଲ୍ଟ୍ରା ଲାର୍ଜ ସିପ୍ ଠାରୁ ୪୦ ମିଟର ଅଧିକ ଲମ୍ବ । ୨୦ଫୁଟ ଲମ୍ବ ବିଶିଷ୍ଟ ୨୦ ହଜାର ସିପିଂ କଣ୍ଟେନରକୁ ବହନ କରିବାର କ୍ଷମତା ଏହି ଜାହଜର ରହିଛି ।

କେତେ ଦିନ ଲାଗିବ ଜାହଜ ଠିକ୍ କରିବାକୁ ?
ସୁଏଜ କେନାଲ ଭୂମଧ୍ୟସାଗର ଓ ଲୋହିତ ସାଗରକୁ ଯୋଡିଥାଏ । ବିଶ୍ୱର ୧୨ ପ୍ରତିଶତ ସାମୁଦ୍ରିକ ବାଣିଜ୍ୟ ଏହି ରୁଟରେ ହୋଇଥାଏ । ୨୦୨୦ରେ ଏହି କେନାଲ ଦେଇ ୧୯ ହଜାର ଜାହଜ ଯାଇଥିଲେ । ଯାହାର ଅର୍ଥ ହେଉଛି ପ୍ରତ୍ୟହ ୫୧ରୁ ଅଧିକ ଜାହଜ ଏହି କେନାଲକୁ ଅତିକ୍ରମ କରିଥାନ୍ତି ।

ସୁଏଜ କେନାଲର ଲମ୍ବ କେତେ ?
ସୁଏଜ କେନାଲ ମାନବ ନିର୍ମିତ କୃତ୍ରିମ କେନାଲ । ଏହାର ନିର୍ମାଣ ୧୮୬୯ରେ ହୋଇଥିଲା । ୧୯୩ କିଲୋମିଟର ଲମ୍ବର ଏହି କେନାଲରେ ତିନୋଟି ହ୍ରଦ ରହିଛି । ୨୦୧୫ ମସିହାରେ ମିଶର ସରକାର ଏହି କେନାଲର ବିସ୍ତାର କରିଥିଲେ । ଏହି କେନାଲ ୨୦୫ ମିଟର ଚଉଡା ଓ ୨୪ ମିଟର ଗଭୀର ।

ଟ୍ରାଫିକ୍ ଜାମ୍ ଯୋଗୁ କେତେ ଖର୍ଚ୍ଚ ?
ବୁଧବାର ଦିନ ଏହି ଜାହଜ ଯୋଗୁ ୧୮୬ ଅଲଗା ମାଲବାହକ ପୋତ କେନାଲରେ ଅଟକି ରହିଥିଲେ । ଏକ ହିସାବ ଅନୁସାରେ ଟ୍ରାଫିକ ଜାମ୍ କାରଣରୁ ସୁଏଜ କେନାଲକୁ ଘଣ୍ଟା ପ୍ରତି ୪ଶହ ମିଲିୟନ ଡଲାର କ୍ଷତି ସହିବାକୁ ପଡୁଛି । ଏହା ସହ ଏହି ରାସ୍ତା ଦେଇ ଯାଉଥିବା ଅଏଲ ଟ୍ୟାଙ୍କରଗୁଡିକ ମଧ୍ୟ ଅଟକି ରହିବେ । ଫଳରେ ତୈଳ ମୁଲ୍ୟରେ ୪ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି । ଯାହାର ଅର୍ଥ ହେଉଛି ସୁଏଜ କେନାଲଠାରୁ ୫ ହଜାର୪୩୮ କିଲୋମିଟର ଦୂରରେ ଥିବା ଭୁବନେଶ୍ୱର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।