ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି; ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ମରାଠା ସଂରକ୍ଷଣ ଅସାମ୍ବିଧାନିକ

ନୂଆଦିଲ୍ଲୀ: ମରାଠା ସବୁଦାୟକୁ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ମରାଠା ସଂରକ୍ଷଣ ନେଇ ବୁଧବାର ଦିନ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି । ଚାକିରି ଓ କଲେଜରେ ନାମ ଲେଖା କ୍ଷେତ୍ରରେ ମରାଠା ସମୁଦାୟ ସଂରକ୍ଷଣକୁ ଅସମ୍ବିଧାନିକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ ନିଷ୍ପତ୍ତି ଅନୁସାରେ, ବର୍ତ୍ତମାନ ମରାଠା ସଂରକ୍ଷଣ ଆଧାରରେ କୈାଣସି ନୂତନ ବ୍ୟକ୍ତିଙ୍କୁ କଲେଜରେ ଚାକିରି କିମ୍ବା ସିଟ୍ ଦିଆଯିବ ନାହିଁ।

ସୁପ୍ରିମକୋର୍ଟ ଅନୁସାରେ , କୋଟା ପାଇଁ ମରାଠା ସମ୍ପ୍ରଦାୟକୁ ସାମାଜିକ, ଶିକ୍ଷାଗତ ପଛୁଆ ଘୋଷଣା କରାଯାଇପାରିବ ନାହିଁ । ଏହା ୨୦୧୮ ମହାରାଷ୍ଟ୍ର ରାଜ୍ୟ ଆଇନ୍ ସମାନତା ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ ଯେ, ୧୯୯୨ ନିଷ୍ପତ୍ତିକୁ ନେଇ ପୁଣି ସମୀକ୍ଷା କରାଯିବ ନାହିଁ । ଯେଉଁଥିରେ ସଂରକ୍ଷଣ କୋଟା ୫୦ ପ୍ରତିଶତରେ ବନ୍ଦ ହୋଇଯାଇଥିଲା।

ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ମରାଠା ସଂରକ୍ଷଣ ୫୦ ପ୍ରତିଶତ ସୀମା ଉଲ୍ଲଂଘନ ଅଟେ। କୋର୍ଟର ଏହି ନିଷ୍ପତ୍ତି ଯୋଗୁଁ, ପିଜି ମେଡିକାଲ ପାଠ୍ୟକ୍ରମରେ ପ୍ରଥମେ କରାଯାଇଥିବା ଆଡମିଶନ ରହିବ, ପୂର୍ବର ହୋଇଥିବା କୌଣସି ନିଯୁକ୍ତିରେ ମଧ୍ୟ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ କୋର୍ଟଙ୍କ ଏହି ରାୟ ଯୋଗୁ ପୂର୍ବରୁ ଚାକିରି ବା କଲେଜରେ ନାମ ଲେଖାଇଥିବା ପିଲାଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ପାଞ୍ଚ ଜଣ ବିଚାରପତି ତିନୋଟି ଭିନ୍ନ ରାୟ ଦେଇଛନ୍ତି । କିନ୍ତୁ ସମସ୍ତେ ବିଶ୍ୱାସ କରିଛନ୍ତି ଯେ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଦିଆଯାଇପାରିବ ନାହିଁ, ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ଓ ଏହା କେବଳ ପଛୁଆ ବର୍ଗଙ୍କୁ ଦିଆଯାଇପାରିବ । ମରାଠାମାନେ ଏହି ବର୍ଗରେ ନାହାଁନ୍ତି । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ବ୍ୟତୀତ ସୁପ୍ରିମକୋର୍ଟର ଏହି ସମ୍ବିଧାନ ବେଞ୍ଚରେ ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର, ଜଷ୍ଟିସ୍ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ ସାମିଲ ଅଛନ୍ତି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ ମରାଠା ସଂରକ୍ଷଣକୁ ବାତିଲ କରିଦେଇଥିଲେ,  ଯାହା ପରେ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ।

Leave a Reply