ପିପିଲି: ୫୦ ଲକ୍ଷ ଟଙ୍କା ଜବତ କଲା ପିପିଲି ପୋଲିସ । ତାରାକାଜ ଛକ ନିକଟରେ ଏହି ଟଙ୍କା ସିଜ୍ କରିଛି ପୋଲିସ । ନୀଳ ରଙ୍ଗର ପଲସର ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ନିୟମିତ ଯାଞ୍ଚ ବେଳେ ଟୋଲଗେଟ୍ ଚେକିଂ ପଏଣ୍ଟରେ ଅଟକ ବାଇକ ଆରୋହୀଙ୍କୁ ଅଟକାଇଥିଲା ପୋଲିସ । ସେମାନେ କିନ୍ତୁ ପୋଲିସ ନିର୍ଦ୍ଦେଶ ମାନିନଥିଲେ । ପରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାରକାଜ ଛକ ନିକଟରେ କାବୁ କରିଥିଲା ପୋଲିସ । ସୂଚନା ଯୋଗ୍ୟ ଯେ, ଆଗାମୀ ଉପ-ନିର୍ବାଚନ ନେଇ ତାରିଖ ପାଖେଇ ଆସୁଥିବା ବେଳେ ଟଙ୍କା ବଣ୍ଟି ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଣୁ ସହର ମଧ୍ୟକୁ ଯେଭଳି ବାହାରୁ ଟଙ୍କା ନ ଆସେ ଏ ନେଇ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ପୋଲିସ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି ।
ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ
ମୁମ୍ବାଇ: ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଅନୀଲଙ୍କ ବିରୋଧରେ ଚାନ୍ଦା ଆଦାୟ ଅଭିଯୋଗ ଆଣିଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବିର ସିଂହ। କିଛି ସମୟ ପୂର୍ବରୁ ଏହି ଚାନ୍ଦା ଆଦାୟ ମାମଲାର ସିବିଆଇ ଯାଞ୍ଚ କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ଏଭଳି ନିର୍ଦ୍ଦେଶର ତୁରନ୍ତ ପରେ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
Maharashtra Home Minister Anil Deshmukh submits resignation to Chief Minister Uddhav Thackeray: NCP sources
(file photo) https://t.co/eCgxRuepwN pic.twitter.com/SsfsFpXNbC
— ANI (@ANI) April 5, 2021
ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବିର ସିଂହ ବମ୍ବେ ହାଇକୋର୍ଟରେ ଅନିଲ ଦେଶମୁଖଙ୍କ ବିରୋଧରେ କରିଥବା ଆବେଦନର ଶୁଣାଣି କରି ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ନିର୍ଦ୍ଦେଶ ଅନୁସାରେ ମାମଲାର ଆରମ୍ଭରୁ ତଦନ୍ତ କରିବ ସିବିଆଇ। ଏଥିରେ ସମସ୍ତେ ସିବିଆଇକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ୧୫ ଦିନ ମଧ୍ୟରେ ସିବିଆଇ ଟିମ୍ ସିବିଆଇ ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେବେ।ଯଦି ତଦନ୍ତ ସମୟରେ ଦେଶମୁଖଙ୍କ ବିରୋଧରେ ସତ୍ୟତା ପ୍ରମାଣିତ ହୁଏ ତେବେ ସିବିଆଇ ମାମଲା ରୁଜୁ କରିପାରିବ । ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ହୋଇଥିବାରୁ ପୋଲିସ ଠିକଠାକ୍ ତଦନ୍ତ କରିପାରିବ ନାହିଁ ବୋଲି କୋର୍ଟ ହୃଦବୋଧ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଚିଠି ଲେଖି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଗୃହମନ୍ତ୍ରୀ ମାସକୁ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲେ। ଏଭଳି ଅଭିଯୋଗ ପରେ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାରେ ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିଥିଲା ବିରୋଧୀ ବିଜେପି। ଅନ୍ୟପଟେ ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶିବସେନା ମଧ୍ୟ ବିଜେପିକୁ ସମାଲୋଚନା କରିଛି।
ବିଜେପି-ବିଜେଡ଼ିର ସିଏଜି କଳି; ଲେଖାଶ୍ରୀଙ୍କ ଅଭିଯୋଗକୁ ଲେନିନଙ୍କ ଖଣ୍ଡନ
ଭୁବନେଶ୍ୱର: ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନା ହେବା ପରେ ଜୋର ଧରିଛି ରାଜନୀତି । ରିପୋର୍ଟକୁ ନେଇ ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେପଟେ ଲେଖାଶ୍ରୀଙ୍କ ଅଭିଯୋଗକୁ ନେଇ ଟାର୍ଗେଟ କରିଛନ୍ତି ବିଜେଡ଼ି ନେତା ଲେନିନ୍ ମହାନ୍ତି। ବିଜେପି ଲଗାଉଥିବା ଆରୋପ ସମ୍ପୂର୍ଣ୍ଣ କପୋଳକଳ୍ପିତ ଓ ଭିତ୍ତିହୀନ । ନିଜର ରାଜନୈତିକ ଅସ୍ତିତ୍ୱ ବଜାୟ ରଖିବାକୁ ଲେଖଶ୍ରୀ ଉଦ୍ୟମ କରିଛନ୍ତି ବୋଲି କହିଛି ଶାସକ ଦଳ ।
ସିଏଜି ରିପୋର୍ଟ ବିଧାନସଭାରେ ଗୃହୀତ ହେବା ପରେ ପିଏସି କମିଟିକୁ ଯାଏ । ପିଏସି କମିଟିରେ ବିରୋଧୀଦଳ ନେତା ସଦସ୍ୟ ଅଛନ୍ତି । କମିଟିରେ ତର୍ଜମା ପରେ ଏପରି ମନ୍ତବ୍ୟ ଦେଇଥିଲେ ଗ୍ରହଣ ଯୋଗ୍ୟ ହୋଇଥାନ୍ତା । ସିଏଜି କେନ୍ଦ୍ର ଓ ଅନ୍ୟ ଅନ୍ୟ ରାଜ୍ୟରେ ବି ଏପରି ରିପୋର୍ଟ ଦେଇଥାନ୍ତି । କିନ୍ତୁ ତର୍ଜମା ପୂର୍ବରୁ ଲେଖାଶ୍ରୀ ତରବରିଆ ଭାବେ ସରକାରଙ୍କୁ ସମାଲୋଚନା କରିବା ଯୁକ୍ତିଯୁକ୍ତି ନୁହେଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଲେନିନ ମହାନ୍ତି ।
ସେହିପରି ଲେନିନ କହିଛନ୍ତି, ବିଜେପି ନିଜର ରାଜନୈତିକ ସ୍ତରରେ ପ୍ରାସଙ୍ଗିକତା ପାଇଁ ଉଦ୍ୟମ କରିଛନ୍ତି । ଅଭିଯୋଗ ଆଣିବା ପୂର୍ବରୁ ଅନୁଧ୍ୟାନ କରୁ ନାହାଁନ୍ତି । ତର୍ଜମା କରି ଏହା ଉପରେ ପ୍ରତିକ୍ରିୟା ଦେବାର ଆବଶ୍ୟକତା ରହିଥିଲା । ଆଜି ବିଜେପି ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ସିଏଜି ରିପୋର୍ଟ ନେଇ ସରକାରଙ୍କୁ ସମାଲୋଚନା ପରେ ପ୍ରତିକ୍ରିୟାରେ କହିଛନ୍ତି ଲେନିନ ମହାନ୍ତି ।
ଆନ୍ଧ୍ର ବିରୋଧରେ ପୁଣି ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର
ଭୁନେଶ୍ୱର: ଆନ୍ଧ୍ରର ଜଲିଆତି ବିରୋଧରେ ସରକାର ଯିବେ ସୁପ୍ରିମ କୋର୍ଟ । କୋଟିଆ ପ୍ରସଙ୍ଗରେ ପୁଣି ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର । ଆନ୍ଧ୍ର ବିରୋଧରେ ସୁପ୍ରିମେକୋର୍ଟରେ ମାମଲା ଦାୟର ହେବ । ଆଇନ ବିଭାଗ ଆଡଭୋକେଟ ଅନ ରେକର୍ଡଙ୍କୁ ଏନେଇ ଅବଗତ କରାଯାଇଛି । ସୁପ୍ରିମକୋର୍ଟରେ ଆବେଦନ ଦାୟର କରିବେ ଆଇନଜୀବୀ ଶିବ ଶଙ୍କର ମିଶ୍ର । ସୁପ୍ରିମକୋର୍ଟରେ ମାମଲା ଥିବା ସତ୍ତ୍ୱେ କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର ।
କୋରାପୁଟ ଜିଲ୍ଲାର ତଲଗଂଜେଇପଦରରେ ନିର୍ବାଚନ କରିବାକୁ ଆନ୍ଧ୍ର ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତଲଗଂଜେଇପଦରକୁ ଗଂଜେଇଭାଦ୍ର ଭାବେ ନାମିତ କରି ସମିତି ସଭ୍ୟ ନିର୍ବାଚନ କରୁଛି ଆନ୍ଧ୍ର । ସେହିପରି ପାଟୁ ସିନାରୀ ପଞ୍ଚାୟତକୁ ପାଟୁ ଚିନ୍ନାରୁ, ଫଗୁ ସିନାରୀ ପଞ୍ଚାୟତକୁ ପଗଲୁ ଚିନ୍ନାରୁ ଓ ତନାମ ପଞ୍ଚାୟତକୁ ତନାମ ନାଁରେ ନାମିତ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ କରୁଛି ।
ଆସନ୍ତା ଏପ୍ରିଲ ୮ରେ ଭୋଟଗ୍ରହଣ କରାଯିବାକୁ ଥିବା ବେଳେ, ୧୦ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପୂର୍ବରୁ କୋଟିଆରେ ପଞ୍ଚାୟତ ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ଏହା ଏବେବି ବିଚାରାଧୀନ ରହିଛି ।

