କୋଭିଡ ପରିଚାଳନା ନେଇ ବିଜୁ ଯୁବ ଜନତା ଦଳର ସମୀକ୍ଷା: କରୋନା ଟିକା ନେଇ ମୁଖ୍ୟମନ୍ତ୍ରୀଙ୍କ ଗ୍ଳୋବାଲ ଟେଣ୍ଡରକୁ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ସାମାଜିକ ଅନୁଷ୍ଠାନ ‘ଓଡ଼ିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟକୁ ସମଗ୍ର ରାଜ୍ୟରେ  ତ୍ୱରାନ୍ୱିତ କରୁଅଛି । ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ପ୍ଲାଟଫର୍ମରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡ଼ଃ ରାୟ କହିଥିଲେ ‘ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ବିଜୁ ଜନତା ଦଳର ସାମାଜିକ ପ୍ରତିବଦ୍ଧତା ଆଜି  ସମଗ୍ର ଦେଶରେ ସାମାଜିକ ବିପ୍ଲବରେ ପରିଣତ ହୋଇପାରିଛି । ବିଜୁ ଯୁବ ଜନତା ଦଳ’ ଓଡ଼ିଶା ମୋ ପରିବାର’ ର ସମସ୍ତ ସାମାଜିକ କାର୍ଯ୍ୟ ଯଥା ଜୀବନ ବିନ୍ଦୁ ରକ୍ତଦାନ, ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବ। ଏହି କୋଭିଡ୍ ପରିଚାଳନା ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଥିଲେ ଯେ ” କୋଭିଡ ୧୯ ର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦଷ୍ଟି ସମ୍ପନ୍ନ ନେତୃତ୍ୱ ଆଧାରରେ  ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ ଠାରୁ ଆରମ୍ଭ କରି କୋଭିଡ୍ ଟିକାକରଣ ପର୍ଯ୍ୟନ୍ତ କୋଭିଡ୍ ପରିଚାଳନା କ୍ଷେତ୍ରରେ ଠିକ ସମୟରେ ଠିକ ନିଷ୍ପତ୍ତି ନେଇ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛନ୍ତି”। ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ଵାରା ଗ୍ଲୋବାଲ ଅନଲାଇନ ଟେଣ୍ଡର ମାଧ୍ୟମରେ ୩କୋଟି ୮୦ ଲକ୍ଷ କୋଭିଡ ଟିକା କ୍ରୟ କରିବାର କାର୍ଯ୍ୟକ୍ରମ  ଆରମ୍ଭ କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ବିଜେଡି ଆଇ.ଟି ସଂଯୋଜକ  ସୁବ୍ରତ ଛାଟୋଇ, ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ବରିଷ୍ଠ ଉପସଭାପତି ଧୃତି ରଂଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଂଜନ ମିଶ୍ର, ତାରିଣୀ ପ୍ରସାଦ ନାୟକ ଙ୍କ ସମେତ ସମସ୍ତ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।

Leave a Reply