spot_img
Home Blog Page 5729

କରୋନାରେ ସିପିଆଇ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅଙ୍କ ଦେହାନ୍ତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି। ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଖବର ଆସୁଛି। ଏହା ମଧ୍ୟରେ ସିପିଆଇର ମହାସଚିବ ସୀତାରାମ ୟେଚୁରିଙ୍କ ବଡ଼ ପୁଅ ଆଶୀଷ ୟେଚୁରୀଙ୍କର କରୋନାରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ଆଶୀଷଙ୍କୁ ୩୪ ବର୍ଷ ହୋଇଥିଲା।

ନିଜ ବଡ଼ପୁଅର ମୃତ୍ୟୁ ସମ୍ପର୍କରେ ୟେଚୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟରେ ୟେଚୁରୀ ଲେଖିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ମୋତେ ସୂଚିତ କରିବାକୁ ପଡୁଛି ଯେ, ମୁଁ ମୋ ବଡ଼ ପୁଅକୁ ହରାଇଛି। ଏହି କଠିନ ସମୟରେ ଯେଉଁମାନେ ଆମକୁ ଆଶା ଦେଖାଇଥିଲେ ସେମାନଙ୍କ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି।

ସୀତାରାମ ୟେଚୁରୀ ଏବେ ନିଜେ ସଂଗରୋଧରେ ଅଛନ୍ତି। ସିପିଆଇ ପକ୍ଷରୁ ଆଶୀଷଙ୍କ ମୃତ୍ୟୁରେ ସମବେଦନା ପ୍ରକାଶ କରାଯାଇଛି। ଏକ ଟ୍ୱିଟରେ ଦଳ କହିଛି ଯେ, ପରିବାର ପ୍ରତି ଆମେ ସମବେଦନା ପ୍ରକଟ କରୁଛୁ।

ଆଶୀଷ ଦୁଇ ସପ୍ତାହ ତଳେ କରୋନ ସଂକ୍ରମିତ ହୋଇଥିଲେ। ଏକ ଖବର କାଗଜରେ କପି ଏଡିଟର ଭାବେ କାର୍ଯ୍ୟରତ ଆଶୀଷଙ୍କୁ ଦିଲ୍ଲୀର ହୋଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଶୀଷଙ୍କ ଅବସ୍ଥାରେ ସୁଧାର ଆସୁଥିଲା। ଡାକ୍ତର ମଧ୍ୟ ସେ ସୁସ୍ଥ ହେବାର ଆଶା କରୁଥିଲେ। କିନ୍ତୁ ଗୁରୁବାର ସକାଳ ୫ଟାରେ ହଠାତ ସେ ଅସୁସ୍ଥ ହୋଇ ପଡ଼ିଥିଲେ।

ଅନ୍ୟପକ୍ଷରେ ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ଡକ୍ଟର ଅଶୋକ ବାଲିଆଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଯାଇଛି।

କୋଭିଡ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଯୋଗ ଦେବାକୁ ନିର୍ଦ୍ଦେଶ, କାର୍ଯ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋଭିଡ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କାର୍ଯ୍ୟରେ ଅବହେଳା ବା କୋଭିଡ ଡ୍ୟୁଟିରେ ଯୋଗ ନଦିଅନ୍ତି ସେମାନଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର। ଅନ୍ୟ ରାଜ୍ୟ ତୁଳନାରେ ଆମ ସ୍ଥିତି ଭଲ ଅଛି। ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ।

ଏଥିପାଇଁ ଓଡ଼ିଶାକୁ ଅଧିକ ବିପନ ରହୁଛି । କିନ୍ତୁ ଏନେଇ ରାଜ୍ୟ ସରକାର ସମସ୍ତ ମୁକାବିଲା ପ୍ରସ୍ତୁତି କରିଛନ୍ତି। ସେପଟେ କୁମ୍ଭମେଳା ଯାଇଥିବା ୪୦୦ ଜଣଙ୍କ ମଧ୍ୟରୁ ୨୦୦ ଜଣ ଫେରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେତେ ସଂକ୍ରମିତ ହୋଇଛନ୍ତି ତାହା ପରେ ଜଣା ପଡ଼ିବ ବୋଲି ଡାକ୍ତର ନିରଞ୍ଜନ ମିଶ୍ର। ଗାଁରେ ଗାଁରେ TMC ଖୋଲୁଛି ଏବଂ ତଦାରଖ କରୁଛନ୍ତି ଜିଲ୍ଲାପାଳ। ସଂକ୍ରମଣ ବଢ଼ୁଥିବାରୁ ଏବେ ରାଜ୍ୟରେ ଦୈନିକ ୫୦ ହଜାର ଟେଷ୍ଟିଂ ହେବ ବୋଲି କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର।

ରାଜ୍ୟ ସରକାରଙ୍କ କଟକଣା କାମରେ ଆସୁଛି ବୋଲି ଏବେ ରାଜ୍ୟରେ ମୃତ୍ୟହାର କମ ଅଛି। ତେବେ ରାଜ୍ୟରେ ଟେଷ୍ଟିଂ ଓ ଟ୍ରାକିଂ ବଢିବାରୁ ଅଧିକ କେସ ଏବେ ସାମ୍ନାକୁ ଆସୁଛି।

ରାଜ୍ୟରେ ଆଉ ମାତ୍ର ଦୁଇ ଦିନ ପାଇଁ ରହିଛି ଟିକା, ଅନୁରୋଧ ପରେ ମଧ୍ୟ ଉପଯୁକ୍ତ ପରିମାଣରେ ଟିକା ଦେଉନି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନାଠୁ ସୁରକ୍ଷା ପାଇଁ ଟୀକାକରଣ ଚାଲିଛି। ଗତକାଲି ୮୮୯ଟି କେନ୍ଦ୍ରରେ ୧୦୨୪୦୭ ଜଣଙ୍କୁ ଟୀକା ଦିଆଯାଇଛି। ତେବେ ରାଜ୍ୟରେ ୫୩୫୯୭୯୪ ସମୁଦାୟ ଟୀକାକରଣ ହୋଇଛି। ଆଜି ୭୫୦ଟି ଟିକାକରଣ କେନ୍ଦ୍ରରେ ଚାଲିଛି ଟିକାକରଣ। ଯଦି ଦେଖିବା ଏବେ ରାଜ୍ୟରେ ୨.୩ ଲକ୍ଷ କୋଭିସିଲ୍ଡ ଟିକା ରହିଥିବା ବେଳେ ୧.୯ ଲକ୍ଷ କୋଭାକ୍ସିନ ଟିକା ଗଛିତ ରହିଛି। ଏତିକି ଟିକାରେ କେମିତି ସବୁ ଲୋକଙ୍କୁ ଟିକା ଦିଆଯିବ ସେନିଇ ଚିନ୍ତା ବଢ଼ିବାରେ ଲାଗିଛି। କେନ୍ଦ୍ରକୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ ଏଯାଏ ଟୀକା ଆସିବାର କୌଣସି ଖବର ନାହିଁ। ଆଜି ରାଜ୍ୟର ସବୁ ଜିଲ୍ଲାରେ ଚାଲିଛି ଟିକାକରଣ। ହେଲେ ଏବେ ପର୍ଯ୍ୟନ୍ତ ଯେତିକି ଟିକା ରହିଛି ତାହା ଆସନ୍ତା ୨ ଦିନରେ ସରିଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

ICMRର ସୂଚନା ଅନୁଯାୟୀ କୋଭାକ୍ସିନ ହେଉଛି ଅଧିକ ପ୍ରଭାବଶାଳୀ। ଏହା ଡବଲ ମ୍ୟୁଟେସନ ବିରୋଧରେ ଭଲଭାବରେ କାମ କରେ । କିନ୍ତୁ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ସମାନ ପ୍ରଭାବଶାଳୀ ବୋଲି କହିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ।

ସେପଟେ ମେ ୧ରୁ ରାଜ୍ୟରେ ସାବାଳକଙ୍କୁ ଟୀକାକରଣ ହେବ। ଏନେଇ SOP ରାଜ୍ୟ ସରକାର କରିବେ। ୧୮ରୁ ୪୫ ବର୍ଷ ବୟସର ରହିଛନ୍ତି ୪୨ ପ୍ରତିଶତ ଲୋକ। ଘରୋଇ ହସ୍ପିଟାଲରେ ଯାହା ଟୀକାକରଣ ଚାଲିଛି, ତାହା କେନ୍ଦ୍ର ସରକାର ଦେଉଛନ୍ତି। ହେଲେ ମେ ୧ ରୁ ଆଉ କେନ୍ଦ୍ର ଦେବନି ଟିକା। ଘରୋଇ ହସ୍ପିଟାଲ ସିଧା କିଣିବେ କମ୍ପାନୀଠାରୁ।

ବିବାହ ଉତ୍ସବରେ ଦୁଲୁକିଲା କୁସମେଲ ଗାଁ, ଜଳକନ୍ୟାର କନ୍ୟାଦାନ କଲେ ସ୍ଥାନୀୟ ବିଧାୟକ

ଝାରସୁଗୁଡ଼ା: ହାତରେ ମେହେନ୍ଦୀ ପାଦରେ ଅଳତା। ବାହା ବେଦୀରେ ବସିଛି ଜଳକନ୍ୟା। ଦୁଲୁକିଲା ଗାଁ ଦାଣ୍ଡ । ହାତଗଣ୍ଠି ପଡିବା ପରେ ସାଜ ସାମାନ ନେଇ ସ୍ବାମୀଘରକୁ ଯିବେ । ଦିନେ ମହାନଦୀର ପ୍ରଖର ସ୍ରୋତ ବଦଳେଇ ଥିଲା ଠିକଣା । ଆଉ ଆଜି ଠିକଣା ପାଇଛି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି କୁସମେଲ ଗାଁର ଜଳକନ୍ୟା ସୋନୀ ଯାଦବ । ୫ ପୂର୍ବେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କୁସମେଲ ଗାଁ ନିକଟରେ ଶାଖା କେଲୋ ନଦୀ ସଙ୍ଗମସ୍ଥଳରୁ ଉଦ୍ଧାର କରିଥିଲେ ଧରମ ବାପା ସନ୍ୟାସୀ କାଲୋ । ନୂଆ ଜୀବନ ପାଇବା ପରେ ଆଜି ପଡ଼ୋଶୀ ରାଜ୍ୟ ରାୟଗଡ ଜିଲ୍ଲା ଧରମଜୟଗଡ଼ ପୁରୁଷୋତ୍ତମ ସିଂହ ଯାଦବଙ୍କ ହାତ ଧରିଛନ୍ତି ସୋନୀ । ଆଉ ବାହାଘରରେ କନ୍ୟାଦାନ କରିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ନୀ  ଅଳକା  ।

ଚନ୍ଦ୍ରହାସିନୀ ଦେବୀ ପୀଠକୁ ଦର୍ଶନ ପାଇଁ ଆସି ନିକଟସ୍ଥ ମହାନଦୀରେ ଖସିପଡ଼ିଥିଲେ ସୋନୀ । କୁସମେଲ ଗାଁର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ଗଭୀର ମହାନଦୀରୁ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଦେଇଥିଲେ ନୂଆ ଜୀବନ । ସାଢ଼େ ପାଞ୍ଚ ବର୍ଷ କାଳ ଦମ୍ପତି ତାଙ୍କୁ ପାଳିବା ସହ ଆତ୍ମନିର୍ଭରଶୀଳ କରାଇଛନ୍ତି । ଆଜି ଏମିତି ଏକ ଝିଅର କନ୍ୟାଦାନ କରିବାର ସୁଯୋଗ ପାଇଥିବାରୁ ଉଭୟ ବିଧାୟକ ଓ ତାଙ୍କ ପତ୍ନୀ ନିଜକୁ ସୌଭାଗ୍ୟଶାଳୀ ମନେକରିଛନ୍ତି । କୋଭିଡ୍ କଟକଣା ଭିତରେ ଭୋଜିଭାତ ସହ ବେଶ୍ ଧୂମ୍‌ଧାମ୍‌ରେ ବିବାହ ସମ୍ପନ୍ନ ହୋଇଛି।

ମାଟ୍ରିକ ପରୀକ୍ଷା ବାତିଲ ପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ,

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ ପରେ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଭେଟିଲେ୧୦ମ ଶ୍ରେଣୀ ଛାତ୍ର। କରୋନା ସମୟରେ ଏଭଳି ନିଷ୍ପତ୍ତି ନେଇଥିବାରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କୁ ଛାତ୍ର ମାନେ ଧନ୍ୟବାଦ ଜଣାଇଛନ୍ତି। ମନ୍ତ୍ରୀ ଙ୍କ ସରକାରୀ ବାସଭବନରେ ଭେଟି ଫୁଲତୋଡା ଦେଇ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଛାତ୍ର ମାନେ ଧନ୍ୟବାଦ ଜଣାଇଛନ୍ତି। ସିବିଏସଇ ମାଟ୍ରିକ ପରୀକ୍ଷା ବାତିଲ କରିବା ପରେ ଗତ ବୁଧବାର ଭୁବନେଶ୍ୱର ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କୁ ଓହ୍ଲାଇ ଥିଲେ। ସଂକ୍ରମଣ ବଢୁଥିବାରୁ ପରୀକ୍ଷା ବାତିଲ କରିବା ପାଇଁ ଛାତ୍ର ମାନେ ଦାବି କରିଥିଲେ।

କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଯାହାବି କର ଲୋକଙ୍କୁ ଅକ୍ସିଜେନ ଦିଅ

ନୂଆଦିଲ୍ଲୀ: ଚୋରି କର, ଉଧାର ଆଣ, ଯାହାବି କର ଲୋକଙ୍କୁ ଅକ୍ସିଜେନ ଆଣି ଦିଅ। କାରଣ ଆଉ ଏ ମୃତ୍ୟୁ ଦେଖି ହେବନି । ଅଣନିଶ୍ୱାସୀ ହୋଇପଡୁଥିବା ଦିଲ୍ଲୀକୁ ଅକ୍ସିଜେନର ଆବଶ୍ୟକତା ଥିବାବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବକୁ ନେଇ କେନ୍ଦ୍ରକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାକ୍ସ ହସ୍ପିଟାଲ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି କଡା ଟିପ୍ପଣୀ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଶିଳ୍ପ ସଂସ୍ଥାକୁ ଆଉ ଅକ୍ସିଜେନ୍ ନଦେଇ ଲୋକଙ୍କୁ ପ୍ରାଥମିକତା ଦୃଷ୍ଟିରେ ଅକ୍ସିଜେନ୍ ଯୋଗାଇଦେବାକୁ କେନ୍ଦ୍ର ସରକାରକୁ କହିଛନ୍ତି କୋର୍ଟ। ଦିଲ୍ଲୀରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମତିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅକ୍ସିଜେନର ଆବଶ୍ୟକତା ଜରୁରୀ ଅଟେ। ଏଥି ପ୍ରତି କେନ୍ଦ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯଦି ଟାଟା କମ୍ପାନୀ ଅକ୍ସିଜେନ୍ ଯୋଗାଇ ପାରୁଛି, ତେବେ ଅନ୍ୟ କମ୍ପାନୀ କାହିଁକି ଏହା କରିପାରିବେ ନାହିଁ। କଣ ମଣିଷ ପଣିଆର କିଛି ବି ମାନେ ନାହିଁ। କେନ୍ଦ୍ର ସରାକର କଣ ପାଇଁ ଏହି ବିଷୟକୁ ଗମ୍ଭୀରତାର ସହ ନେଉ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ।

ଜଷ୍ଟିସ୍ ବିପିନ ସିଂ ଓ ରେଖା ପଲି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ଆଜି ଅପରାହ୍ନ ୩ଟାରେ ଏହି ମାମଲାର ଆଉ ଥରେ ଶୁଣାଣି ହେବ। ମହାମାରୀର ମୁକାବିଲା କରିବାରେ ଫେଲ୍ ମାରିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ ରାଜନୈତିକ ଦଳ ଏଭଳି ଅଭିଯୋଗ ଆଣୁଥିବାବେଳେ ଏବେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟ୍ୟରେ ଟାଙ୍ଗିଆରେ ଆକ୍ରମଣ

ଚାନ୍ଦବାଲି: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଅଧିନସ୍ଥ ବଜରାପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀଙ୍କ ମଧରେ  ମୁହାଁ ମୁହିଁ । ଗୋଟିଏ ଗୋଷ୍ଠୀର ଟାଙ୍ଗିଆ ମାଡ଼ରେ ଲହୁଲୁହାଣ ହୋଇ ୪ଜଣ ଗୁରୁତର। ଗୁରୁତରଙ୍କୁ ପ୍ରଥମେ ତିହିଡି ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏପରିକି ଖବର ପରିବେଷଣ କରୁଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ  ଆକ୍ରମଣ କରିଥିଲେ ଗଣ୍ଡଗୋଳକାରୀ। ଏପରି ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛି ଚାନ୍ଦବାଲି ପ୍ରେସକ୍ଲବ। ତାହାସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବାଂଶଡା ଥାନା ପୋଲିସ ନିକଟରେ ଦାବି କରିଛନ୍ତି ସାମ୍ବାଦିକମାନେ।

ରାଜ୍ୟରେ ସଙ୍ଗୀନ ହେଉଛି କରୋନା ସ୍ଥିତି, ୬୧୬୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଦିନକୁ ଦିନ ରେକର୍ଡ କରୁଛି କରୋନା। ଗତକାଲି ୪୮୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ୬ ହଜାର ୧୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫୭୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୨୫୮୯ ।

ତେବେ ଖେର୍ଦ୍ଧାରୁ ସର୍ବାଧିକ ୧୧ ଶହ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୨୨୬, ବୌଦ୍ଧରୁ ୩୮, କଟକରୁ ୩୬୦, ଦେଓଗଡ଼ରୁ ୩୧, ଢ଼େଙ୍କାନାଳରୁ ୧୭, ଗତପତିରୁ ୫୫, ଗଞ୍ଜାମରୁ ୧୩୫, ଜଗତସିଂହପୁରରୁ ୬୩, ଯାଜପୁରରୁ ୧୩୪, ଝାରସୁଗୁଡ଼ାରୁ ୩୫୫, କଳାହାଣ୍ଡିରୁ ୪୫୨, ଗନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୪୮, କେଉଁଝରରୁ ୨୦୫, କୋରାପୁଟରୁ ୪୫, ମାଲକାନାଗିରିରୁ ୧୬, ମୟୂରଭଞ୍ଜରୁ ୧୩୬, ନବରଙ୍ଗପୁରରୁ ୨୦୭, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୫୯, ପୁରୀରୁ ୨୮୬, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁୁ ୨୨୯, ସୋନପୁରରୁ ୯୯, ସୁନ୍ଦରଗଡ଼ରୁ ୪୨୭ ଏବଂ ଷ୍ଟେଟ୍‌ପୁଲରୁ ୨୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ ୩ ଲକ୍ଷ ୮୮ ହଜାର ୪୭୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେଥି ମଧ୍ୟରୁ ୩ ଲକ୍ଷ ୫୧ ହଜାର ୩୮୬ ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ଏବେ ୩୫ ହଜାର ୭୫ ଜଣ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇଛନ୍ତି।

ଏପର୍ଯ୍ୟନ୍ତର ସବୁ ରେକର୍ଡକୁ ଭାଙ୍ଗିଦେଲା କରୋନା, ୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଅନିୟନ୍ତ୍ରିତ ବୃଦ୍ଧି ଥମିବାର ନାମ ନେଉନାହିଁ। ଗତ କିଛି ଦିନ ହେବ ଭାରତରେ ରେକର୍ଡ ପଜିଟିଭ୍ ମାମଲା ଆସୁଛି। ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ବିଶ୍ୱରେ ରେକର୍ଡ କରିଛି ଭାରତି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେପଟେ କ୍ରମାଗତ ଦ୍ୱିତୀୟ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ଗୋଟିଏ ଦିନରେ କରୋନା ମହାମାରୀ ଯୋଗୁଁ ୨୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଭାରତରେ ଏଭଳି ବୃଦ୍ଧି ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି।

ଏହାପୂର୍ବରୁ, ଆମେରିକାରେ ବିଶ୍ୱରେ ଗୋଟିଏ ଦିନରେ ସର୍ବାଧିକ ନୂଆ ସଂକ୍ରମିତ ହେବାର ରେକର୍ଡ ଥିଲା। ଜାନୁଆରୀ ୮, ୨୦୨୧ ରେ, ଆମେରିକାରେ ୩ ଲକ୍ଷ ୭ ହଜାର ୫୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧୦୦ ଲୋକ ପ୍ରାଣ ହରାଇଥିବା ବେଳେ ବୁଧବାର ଦିନ ୧ ଲକ୍ଷ ୭୯ ହଜାର ୩୭୨ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ହେତୁ ଏକ ଲକ୍ଷ ୮୪ ହଜାର ୬୭୨ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତ କରୋନା ସଂଖ୍ୟା ୧ କୋଟି ୫୯ ଲକ୍ଷ ୨୪ ହଜାର ୭୩୨ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୨୨ ଲକ୍ଷ ୮୪ ହଜାର ୨୦୯ ରୋଗୀ ଚିକିତ୍ସିତ ହେଉଛନ୍ତି।

ସ୍ମାର୍ଟସିଟିର ସମସ୍ତ ପାର୍କରେ ବିଏମ୍‌ସି ତରଫରୁ ଲାଗିଲା କଟକଣା, ସେପଟେ ପୂର୍ବଭଳି ହାଟ ହେଲା ସ୍ଥାନାନ୍ତର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ରାଜ୍ୟରୁ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଭୁବନେଶ୍ୱରରୁ ୪ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ହୋଇଛି ବିଏମ୍‌ସି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ଆଉ ଏକ ବଡ଼ ପଦକ୍ଷେପ ନେଇଛି। ସ୍ମାର୍ଟସିଟିର ସମସ୍ତ ପାର୍କରେ ବିଏମ୍‌ସି ତରଫରୁ ଲାଗିଲା କଟକଣା।

ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ଲାଗିଲା ରୋକ। ସବୁ ପାର୍କରେ ବିଏମସି ପକ୍ଷରୁ ଲାଗିଲା ନୋଟିସ। ବିନା ମାସ୍କରେ ପାର୍କରେ ପ୍ରବେଶ ଉପରେ ରୋକ ଲଗାଇଛି ବିଏମ୍‌ସି। ପାର୍କରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୬ଫୁଟ ଦୂରତା ବାଧ୍ୟତାମୂଳକ। ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଅଥବା ଏଣେତେଣେ ଛେପ ପକାଇବା ମନା। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କଟକଣା। ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା।

ସେପଟେ ପୂର୍ବଭଳି ବିଭିନ୍ନ ହାଟ ଗୁଡିକ ସ୍ଥାନାନ୍ତର କରାଯାଉଛି। ୟୁନିଟ-୧ ହାଟ, ୪ନମ୍ବର ହାଟ, ଇନ୍ଦ୍ରଧନୁ ନଗର ହାଟ, ନୟାପଲ୍ଲୀ ଓ ସୁନ୍ଦରପଦା ଆଦି ହାଟକୁ ସ୍ଥାନାନ୍ତର କରାଯାଉଛି। ଏଣିକି ଖୋଲା ସ୍ଥାନରେ ବ୍ୟବସାୟ କରାଯିବ। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ବିଏମ୍‌ସି। ହାଟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ ସହିତ ମାସ୍କ ଓ ସାନିଟାଇଜ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।