spot_img
Home Blog Page 5730

ସ୍ମାର୍ଟସିଟିର ସମସ୍ତ ପାର୍କରେ ବିଏମ୍‌ସି ତରଫରୁ ଲାଗିଲା କଟକଣା, ସେପଟେ ପୂର୍ବଭଳି ହାଟ ହେଲା ସ୍ଥାନାନ୍ତର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ରାଜ୍ୟରୁ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଭୁବନେଶ୍ୱରରୁ ୪ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ହୋଇଛି ବିଏମ୍‌ସି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ଆଉ ଏକ ବଡ଼ ପଦକ୍ଷେପ ନେଇଛି। ସ୍ମାର୍ଟସିଟିର ସମସ୍ତ ପାର୍କରେ ବିଏମ୍‌ସି ତରଫରୁ ଲାଗିଲା କଟକଣା।

ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ଲାଗିଲା ରୋକ। ସବୁ ପାର୍କରେ ବିଏମସି ପକ୍ଷରୁ ଲାଗିଲା ନୋଟିସ। ବିନା ମାସ୍କରେ ପାର୍କରେ ପ୍ରବେଶ ଉପରେ ରୋକ ଲଗାଇଛି ବିଏମ୍‌ସି। ପାର୍କରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୬ଫୁଟ ଦୂରତା ବାଧ୍ୟତାମୂଳକ। ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଅଥବା ଏଣେତେଣେ ଛେପ ପକାଇବା ମନା। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କଟକଣା। ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା।

ସେପଟେ ପୂର୍ବଭଳି ବିଭିନ୍ନ ହାଟ ଗୁଡିକ ସ୍ଥାନାନ୍ତର କରାଯାଉଛି। ୟୁନିଟ-୧ ହାଟ, ୪ନମ୍ବର ହାଟ, ଇନ୍ଦ୍ରଧନୁ ନଗର ହାଟ, ନୟାପଲ୍ଲୀ ଓ ସୁନ୍ଦରପଦା ଆଦି ହାଟକୁ ସ୍ଥାନାନ୍ତର କରାଯାଉଛି। ଏଣିକି ଖୋଲା ସ୍ଥାନରେ ବ୍ୟବସାୟ କରାଯିବ। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ବିଏମ୍‌ସି। ହାଟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ ସହିତ ମାସ୍କ ଓ ସାନିଟାଇଜ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।

ଏହି ରାଜ୍ୟରେ ଆଜି ରାତି ୮ଟାରୁ ଲାଗୁ ହେବ ଲକ୍‌ଡାଉନ୍‌, ୨ ଘଣ୍ଟାରେ ବାହାଘର ସାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅତି ଭୟଙ୍କର ଭାବରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତି ଦିନ ଏକ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ମହାରାଷ୍ଟ୍ର କରୋନା ହଟସ୍ପଟରେ ରହିଛି। କାରଣ କରୋନାର ଦ୍ୱିତୀୟ ଲହରରେ ବହୁତ ଭୟଙ୍କର ଭାବରେ ଶୀକାର ହୋଇଛି ମହାରାଷ୍ଟ୍ର। ରାଜ୍ୟରେ କରୋନା ଭାଇରସ ସଂକ୍ରମଣର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ନିୟମ କଡ଼ା କରାଯାଇଛି। ଆଜି ରାତି ୮ ଟାରୁ ୧ ମେ ପର୍ଯ୍ୟନ୍ତ ମହାରାଷ୍ଟ୍ରର ହେବ ଲକ୍‌ଡାଉନ। ପ୍ରକାଶିତ ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ କେବଳ ୧୫ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ। ଏହା ପୂର୍ବରୁ ୫୦ ପ୍ରତିଶତ ଥିଲା।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ବିବାହ ଉତ୍ସବ ପାଇଁ ମାତ୍ର ଦୁଇ ଘଣ୍ଟା ଅନୁମତି ଦିଆଯିବ। ଏକ ବିବାହରେ କେବଳ ୨୫ ଜଣ ଲୋକ ଯୋଗ ଦେଇ ପାରିବେ। ଏହି ନିୟମକୁ ଉଲ୍ଲଂଘନ କରୁଥିବା ଲୋକଙ୍କୁ ପଚାଶ ହଜାର ଜୋରିମାନା ଦେବାକୁ ପଡିବ। ନୂତନ ପ୍ରତିବନ୍ଧକ ଅନୁଯାୟୀ ସରକାରୀ ବସ୍ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଠିଆ ହେବା ସମୟରେ ଯାତ୍ରା ଉପରେ ଏକ ନିଷେଧାଦେଶ ଅଛି। ଏହା ବ୍ୟତୀତ ବେସରକାରୀ ବସ୍ ଗୁଡ଼ିକ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବାବେଳେ ପ୍ରଥମେ ସ୍ଥାନୀୟ DMA କୁ ଜଣାଇବା ଆବଶ୍ୟକ ହେବ, ଏବଂ ଯାଉଥିବା ଲୋକଙ୍କ ହାତରେ ୧୪ ଦିନିଆ କ୍ୱାରେଣ୍ଟାଇନ ଷ୍ଟାମ୍ପ ମାରିବା ଘରୋଇ ବସ୍ ଦାୟିତ୍। ୨୧ ଏପ୍ରିଲରେ, ମୁମ୍ବାଇରେ ୭୬୮୪ ଟି କରୋନା ମାମଲା ରୁଜୁ ହୋଇଥିଲା। ଏଥିସହିତ କରୋନା ଯୋଗୁଁ ୬୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟରେ ମତଦାନ, ମୈଦାନରେ ୩୦୬ ଜଣ ପ୍ରାର୍ଥୀ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ। ୪ଟି ଜିଲ୍ଲାର ୪୩ଟି ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ପ୍ରାୟ ୧୦ ହଜାର ୮୯୭ଟି ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି କରାଯାଇଛି। ୩୦୬ ଜଣ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେଉଛି। ଏକ କୋଟିରୁ ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ। ବିଜେପି ଓ ଟିଏମସି ୪୩ଟି ଯାକ ଆସନରେ ପ୍ରାର୍ଥି ଦେଇଥିବା ବେଳେ କଂଗ୍ରେସ ୧୨ଟି ଏବଂ ସହଯୋଗୀ ଦଳ ସିପିଆଇଏମ ୨୩ଟି ଆସନରେ ଠିଆ ହୋଇଛନ୍ତି। ଏହି ପର୍ଯ୍ୟାୟ ମତଦାନରେ କିଛି ଭିଆଇପି ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି।

ଟିଏମସି ନେତା ଉଜ୍ଜଲ ବିଶ୍ୱାସ କ୍ରିଷ୍ଣ ନଗର ଦକ୍ଷିଣରୁ ଛିଡା ହୋଇଛନ୍ତି। ବିଜେପି ନେତା ମୁକୁଲ ରାୟ କ୍ରିଷ୍ଣ ନଗର ଉତ୍ତରରୁ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ୨୬ ଓ ୨୯ ତାରିଖରେ ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟ ମତଦାନ ହେବ। ମେ ୨ରେ ଫଳାଫଳ ପ୍ରକାଶ ପାଇବ। କରୋନା ପାଇଁ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ପ୍ରଚାର ସମୟ କମିଯାଇଛି । ମତଦାନର ଶେଷ ଏକ ଘଣ୍ଟାରେ କୋଭିଡ ସଂକ୍ରମିତ ବ୍ୟକ୍ତି ଭୋଟ ଦେବାର ବ୍ୟବସ୍ଥା କରାଯାଇଛି ।

ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଅନ୍ୟ ୨ ଜଣଙ୍କ ନାଁରେ ଏତଲା

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ମାମଲା । ଭିସି ପ୍ରଫେସର ସଂଜୀବ ମିତ୍ତଲଙ୍କ ସମେତ ଅନ୍ୟ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଅନ୍ୟ ଦୁଇଜଣ ହେଲେ ପିଇଓ ଅବିନାଶ କର ଓ ୱାର୍ଡନ ବିଶ୍ବଜିତ ଶତପଥୀ । ଦୀନବନ୍ଧୁଙ୍କ ମୃତ୍ୟୁ ପାଇଁ ଭିସି ଦାୟୀ ବୋଲି ଅଭିଯୋଗ ଆଣି ବୁର୍ଲା ଥାନାରେ ଏତଲା ଦେଇଛନ୍ତି ଦୀନବନ୍ଧୁଙ୍କ ପୁଅ ଅଭିଷେକ ।

Fir Filed Against Sambalpur University VC And 2 Others

୨୭ ବର୍ଷ ଚାକିରି ପରେ ସ୍ଥାୟୀ କରିବା ପାଇଁ ବାରମ୍ବାର ଗୁହାରି କରୁଥିଲେ । ଗତକାଲି କୁଳପତିଙ୍କ ସହ ବଚସା ପରେ କ୍ୟାମ୍ପସ ଭିତରେ ହିଁ ଆତ୍ମାହୁତି କରିଥିଲେ ଦୀନବନ୍ଧୁ । ଏସସିବି ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ବିଶ୍ବବିଦ୍ୟାଳୟରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ତେବେ ପୁଅକୁ ଚାକିରି ଓ ୫ ଲକ୍ଷ କ୍ଷତିପୂରଣ ନେଇ ପ୍ରତିଶ୍ରୁତି ପରେ ମୃତଦେହ ଉଠାଯାଇଥିଲା ।

ଏଥିସହ ପଢ଼ନ୍ତୁ- ସମ୍ବଲପୁର ବିଶ୍ବବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ?

ଦିଲ୍ଲୀରେ ଅକ୍ସିଜେନ୍ ଅଭାବ ନେଇ କେନ୍ଦ୍ରକୁ ପୁଣି କୋର୍ଟଙ୍କ ଭତ୍ସନା, ପରିଚାଳନା କୌଶଳ ନେଇ ଦେଲେ ଓଡ଼ିଶା ଉଦାହରଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଅକ୍ସିଜେନ୍ ଅଭାବ ଲାଗି ରହିଛି । ପାଟପରଗଞ୍ଜ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ଲାଗି ଅକ୍ସିଜେନ୍ ସରି ଯାଇଥିବା ପିଟିସନର ଜରୁରୀ ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଦୁଇ ଜଣିଆ ଖଣ୍ଡପୀଠ ଅକ୍ସିଜେନ୍ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ।

Delhi High Court slams Centre for not diverting enough oxygen

ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଇବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ମେଡିକାଲ ଅକ୍ସିଜେନ୍ ଯୋଗାଣ ବିଳମ୍ବ କରିବା ଅର୍ଥ କଣ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ହସ୍ପିଟାଲ ଗୁଡ଼ିକରେ କରୋନା ରୋଗୀଙ୍କ ଚିକିତ୍ସା ନେଇ ଅକ୍ସିଜେନ୍ ଆବଶ୍ୟକ ଥିବା ବେଳେ କେନ୍ଦ୍ର ସରକାର ଏନେଇ କାହିଁକି ଗମ୍ଭୀର ନାହାଁନ୍ତି ? ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସ୍ତବ୍ଧ ହୋଇଯାଇଛନ୍ତି ।

ସରକାର ଚାହିଁଲେ ସହଜରେ ଇସ୍ପାତ ଓ ପେଟ୍ରୋଲିୟମ ଶିଳ୍ପ ପାଇଁ ବ୍ୟବହୃତ ଅକ୍ସିଜେନ୍ ଯୋଗାଣ କରିପାରିବେ । ଶିଳ୍ପ ଦିନେ ଦୁଇଦିନ ବନ୍ଦ ହୋଇଗଲେ କିଛି ହେବନି । କିନ୍ତୁ ଲୋକଙ୍କୁ ଅକ୍ସିଜେନ୍ ଯୋଗାଣ ବନ୍ଦ କରିହେବ ନାହିଁ ବୋଲି କୋର୍ଟ ଟିପ୍ପଣୀରେ କହିଛନ୍ତି । ଲୋକ ଅକ୍ସିଜେନ୍ ଅଭାବରୁ ମୃତ୍ୟୁବରଣ କରୁଥିବା ବେଳେ ସରକାର ଶିଳ୍ପ କଥା ଚିନ୍ତା କରୁଛନ୍ତି । ଶିଳ୍ପ ଅକ୍ସିଜେନ୍ ପାଇଁ ୨ ସପ୍ତାହ ଅପେକ୍ଷା କରିପାରିବ । କାହିଁକି ସରକାର ଏନେଇ ଭାବୁନାହାଁନ୍ତି ।

Delhi High Court slams Centre for not diverting enough oxygen

ଗତକାଲି ଭଳି ଆଜି ମଧ୍ୟ ଶୁଣାଣି ବେଳେ ଓଡ଼ିଶାର ଅକ୍ସିଜେନ୍ ପରିଚାଳନା ଦକ୍ଷତାକୁ ଦିଲ୍ଲୀ ହାଇକୋର୍ଟ ପ୍ରଶଂସା କରିଛନ୍ତି । ଅକ୍ସିଜେନ୍ ପରିଚାଳନା କିଭଳି ହୁଏ ତାହା ଅନ୍ୟମାନେ ଓଡ଼ିଶାଠାରୁ ଶିଖିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଓଡ଼ିଶା ନିଜେ ଅକ୍ସିଜେନ୍ ବ୍ୟବହାର କରିବା ସହ ଅନ୍ୟ ରାଜ୍ୟର ଆବଶ୍ୟକତା ପୂରଣ କରୁଛି ।

ମେ’୧ ଯାଏ ମହାରାଷ୍ଟ୍ରରେ ଲକଡାଉନ୍ ଘୋଷଣା, ୧୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍

ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତାକାଲି ଠାରୁ ଲକଡାଉନ୍ କଟକଣା ଲାଗୁ ହେବ । ଗୁରୁବାର ରାତି ୮ଟାରୁ ମେ’ ୧ ତାରିଖ ସକାଳ ୭ଟା  ଯାଏ କଟକଣା ବଳବତ୍ତର ରହିବ । ନୂତନ ଗାଇଡଲାଇନ୍ ଅନୁସାରେ ମହରାଷ୍ଟ୍ରରେ ସରକାରୀ ଅଫିସ୍ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । କେବଳ ଜରୁରୀକାଳୀନ ବିଭାଗ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ରହିବ । ପୂର୍ବରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଖୋଲିବାକୁ ଗାଇଡଲାଇନ୍ ରହିଥିଲା ।

ସେହିଭଳି ବିବାହ ଉତ୍ସବ ଲାଗି କଟକଣାକୁ ଆହୁରି କୋହଳ କରାଯାଇଛି । ସର୍ବାଧିକ ୨୫ ଜଣଙ୍କୁ ନେଇ ବିବାହ ଉତ୍ସବ ୨ ଘଣ୍ଟା ମଧ୍ୟରେ ସରିବ । ଏହାର ଉଲ୍ଲଂଘନ କଲେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଘରୋଇ ବସ୍ କ୍ଷମତାର ୫୦ ପ୍ରତିଶତକୁ ନେଇ ଗଡ଼ିବ । କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିବେ ନାହିଁ । ଏଥିସହ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବାକୁ ହେଲେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ସୂଚନା ଦେବାକୁ ପଡ଼ିବ ।

ବିଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୭ ହଜାର ୪୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୬୮ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ଏଯାବତ୍ ସର୍ବାଧିକ ବୋଲି ଜଣାପଡ଼ିଛି । ରାଜ୍ୟରେ ଏବେ ସୁଦ୍ଧା ୪୦ ଲକ୍ଷ ୨୭ ହଜାର ୮୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧ ହଜାର ୯୧୧ ଜଣଙ୍କ ଜୀବନ ନେଇଛି ମହାମାରୀ ।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଲକଡାଉନକୁ ଶେଷ ବିକଳ୍ପ ଭାବେ ଗ୍ରହଣ କରିବାକୁ କହିଥିଲେ । ମହାରାଷ୍ଟ୍ରରେ ମହାମାରୀର ବିଗୁଡ଼ିଥିବା ସ୍ଥିତିକୁ ଦେଖି ଶେଷରେ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହା ପୂର୍ବରୁ ଦିଲ୍ଲୀ, ଝାଡ଼ଖଣ୍ଡ ଆଦି ରାଜ୍ୟ ଲକଡାଉନ୍ ଘୋଷଣା କରି ସାରିଛନ୍ତି ।

ନନ୍ଦନକାନନରେ ଆଖି ବୁଜିଲା ମାଈ ବାଘୁଣୀ ‘ରେଣୁକା’

ମେଣ୍ଢାଶାଳ: ପୁଣି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ମୃତ । ସାଧାରଣ ରଙ୍ଗର ମାଈ ବାଘୁଣୀ ରେଣୁକାର ମୃତ୍ୟୁ ହୋଇଛି । ସ୍ନାୟୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ ଗତ ଦୁଇ ମାସ ହେଲା ଚିକିତ୍ସିତ ହେଉଥିଲା ।

ରେଣୁକାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ଖସି ଆସିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳ ଆଚାର୍ଯ୍ୟ । ସାଧାରଣ ମହାବଳ ବାଘ ରୋହିତ ଓ ଶୈଳଜା ମିଳନରୁ ୨୦୦୮ରେ ଜନ୍ମ ନେଇଥିଲା ବାଘୁଣୀ ରେଣୁକା । ୨୦୧୮ରେ ବାଘୁଣୀ ରେଣୁକା 2-ଟି କଳା ବାଘ ଛୁଆ ଜନ୍ମ ଦେଇଥିଲା ।

ଆଉ ଜଣେ ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ

ମାଲକାନଗିରି: ପୁଣି ବିଜାପୁରରେ ଡିଆରଜି ଯବାନଙ୍କୁ ଅପହରଣ କଲେ ମାଓବାଦୀ । ଅପହୃତ ଯବାନ ହେଲେ ମୁରଲୀ ତାତି । ମୁରଲୀଙ୍କୁ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାର୍ ଅଞ୍ଚଳରୁ ନକ୍ସଲ ଅପହରଣ କରିନେଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ- ନକ୍ସଲ କ୍ୟାମ୍ପ ଉପରେ ଡ୍ରୋନରୁ ବୋମାମାଡ଼

ପୂର୍ବରୁ ଲାଲବାହିନୀ ଯବାନ ରାକେଶ୍ବର ସିଂଙ୍କୁ ଅପହରଣ କରି ନେଇଥିଲା । ତାଙ୍କୁ ବନ୍ଧକ ରଖି ସର୍ତ୍ତପୂରଣ ଦାବି କରିଥିଲା । ତେବେ ମଧ୍ୟସ୍ଥି ଜରିଆରେ ଆଲୋଚନା ପରେ ତାଙ୍କୁ ମୁକ୍ତ କରାଯାଇଥିଲା । ଏପ୍ରିଲ୍ ୩ରେ  ବିଜାପୁରରେ ହୋଇଥିବା ଗୁଳିବିନିମୟରେ ୨୨ଜଣ ଯବାନ ସହିଦ ହୋଇଥିଲେ । ଆଜି ପୁଣି ଥରେ ଯବାନଙ୍କୁ ଅପରହରଣ କରି ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ ।

ଅକ୍ସିଜେନ୍ ଅଭାବରୁ ନାସିକରେ ୨୪ କରୋନା ଆକ୍ରାନ୍ତ ମୃତ, ଦୁଃଖ ପ୍ରକାଶ କଲେ ନବୀନ

ଭୁବନେଶ୍ୱର: ମହାରାଷ୍ଟ୍ର ନାସିକରେ ଅକ୍ସିଜେନ୍ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ପରେ ଅମ୍ଳଜାନ ଅଭାବରୁ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମେଡିକାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଆକ୍ରାନ୍ତଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନାସିକର ଡକ୍ଟର ହୁସେନ୍ ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଥିଲା । ଫଳରେ ମେଡିକାଲରେ ଅକ୍ସିଜେନ୍ ଅଭାବ ଦେଖା ଦେଇଥିଲା । ଫଳରେ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସମସ୍ତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ୨ ଜଣଙ୍କ ମୃତ୍ୟୁ ହେବାରୁ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।

ଏଥିସହ ପଢ଼ନ୍ତୁ- ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ପରେ ଅମ୍ଲଜାନ ଅଭାବ, ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

କୋଭିଡ୍ ଡ୍ୟୁଟିରେ ଯୋଗ ନଦେଲେ ଡାକ୍ତରଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋଭିଡ୍ ଦାୟିତ୍ବରେ ଥାଇ କାର୍ଯ୍ୟରେ ଯୋଗ ନଦେଲେ ଡାକ୍ତରଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି DMET ଡାକ୍ତର ସିବିକେ ମହାନ୍ତି । ଯେଉଁ ଡାକ୍ତରମାନେ କୋଭିଡ ଦାୟିତ୍ବରେ ଥାଇ ଅନୁପସ୍ଥିତ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । କୋଭିଡ୍-୧୯ ପରିଚାଳନାରେ ବହୁ ଡାକ୍ତର ସାମୟିକ ନିଯୁକ୍ତି ପାଇଛନ୍ତି ।

ନିଯୁକ୍ତି ସତ୍ତ୍ୱେ ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି । ତେଣୁ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ସାମିଲ୍ ହେବାକୁ ନୋଟିସ୍ ଦିଆଯାଇଛି । ସେମାନଙ୍କୁ ରାଜ୍ୟର ବିଭିନ୍ନ CDM ଓ PHOରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ କାର୍ଯ୍ୟରେ ଯୋଗନଦେଲେ ମହାମାରୀ ନିୟମ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି DMET ।