spot_img
Home Blog Page 5702

ମହଙ୍ଗା ପଡିଲା ଲାଞ୍ଚ କାରବାର, ଏଏସଆଇ ନିଲମ୍ବିତ

ଆରଡି: ଜଣେ ପୋଲିସ ବାବୁଙ୍କୁ ମହଙ୍ଗା ପଡିଛି ଲାଞ୍ଚ କାରବାର। ଲାଞ୍ଚ ମାଗି ନିଲମ୍ବିତ ହୋଇଛନ୍ତି ଚାନ୍ଦବାଲି ଥାନା ଏଏସଆଇ ହରେକୃଷ୍ଣ ପାଢୀ। ମାମଲା ରଫାଦଫା କରିବାକୁ କରିବାକୁ ୫ହଜାର ଟଙ୍କା ଲାଞ୍ଚ ସହିତ ଚିଙ୍ଗୁଡି ମାଛ ମାଗୁଥିଲେ ହରେକୃଷ୍ଣ । ଏନେଇ ଏକ ଅଡ଼ିଓ ଭାଇରାଲ୍ ହୋଇଛି ।
ଲାଞ୍ଚ ମାଗିବା ନେଇ ଫୋନ ଅଡିଓ ଭାଇରାଲ୍ ହେବା ପରେ ହରେକୃଷ୍ଣଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସପି। ଅଭିଯୋଗ ଅନୁସାରେ ଜଣେ ଅଭିଯୁକ୍ତ ନାଁରେ ଥିବା ମାମଲାକୁ ରଫାଦଫା କରିବାକୁ ଲାଞ୍ଚ ମାଗୁଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।
ପରେ ଘଟଣାର ତଦନ୍ତ କରି ଏଏସଆଇ ହରେକୃଷ୍ଣ ପାଢୀଙ୍କୁ ନିଲମ୍ବନ କରିଛନ୍ତି ଏସପି ।

ଏପରି ଅଡିଓ ଭାଇରାଲ ହେବା ପରେ ଗତକାଲି ଏ.ଏସ.ଆଇ ହରେକୃର୍ଷ୍ଣ ପାଢୀଙ୍କୁ ନିଲମ୍ବନ କରାଯାଇଥିବା ଭଦ୍ରକ ଅତିରିକ୍ତ ଏସପି ଜତିନ ପଣ୍ଡା କହିଛନ୍ତି। ଖବର ଅନୁଯାୟୀ ଚାନ୍ଦବାଲି ଥାନାର ଏଏସଆଇ ହରେକୃଷ୍ଣ ପାଢୀ ଜଣେ ଅଭିଯୁକ୍ତର କେସକୁ ରଫାଦଫା କରିବା ଏବଂ ଫାଇନାଲ୍ ରିପୋର୍ଟରୁ ନାଁ କାଟିଦେବା ପାଇଁ ୫ହଜାର ଟଙ୍କା ସହିତ ଚିଙ୍ଗୁଡି ମାଛ ଦେବା ପାଇଁ ଫୋନ ଯୋଗେ କଥା ହେଉଥିବା ଅଡିଓ ଭାଇରାଲ ହୋଇଥିଲା।

କରୋନାରେ ବରିଷ୍ଠ ସାମ୍ବାଦିକ ମାନସ ରଂଜନ ଜୟପୁରୀଆଙ୍କ ଦେହାନ୍ତ

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ମୃତ୍ୟୁ ମାମଲା ମଧ୍ୟ ବଢିବାରେ ଲାଗିଛି । କରାେନା ସଂକ୍ରମଣରୁ ବାଦ୍ ପଡୁନାହାଁନ୍ତି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ । ଏହି ପରିପ୍ରେକ୍ଷୀରେ ମହାମାରୀରେ ଯାଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ ।

କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଆଉ ଜଣେ ସାମ୍ବାଦିକ ହେଉଛନ୍ତି ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ରଂଜନ ଜୟପୁରୀଆ । ଯିଏକି ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।

ସୂଚନା ଅନୁଯାୟୀ ଏହି ବରିଷ୍ଠ ସାମ୍ବାଦିକ ଜଣକ ଓଡିଆ ଗଣମାଧ୍ୟମ ସହ ଓତଃପ୍ରାେତ ଭାବେ ଜଡିତ । ତାଙ୍କର ଅନେକ ଖବର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ତେବେ ସେ ନୂଆଦିଲ୍ଲୀ ସ୍ଥିତ ଜି ମିଡ଼ିଆରେ କାମ କରୁଥିବା ବେଳେ ଅସୁସ୍ଥ ହୋଇପଡିଥିଲେ । ଯାହା ପରେ ସେ ସମ୍ବଲପୁର ଫେରି ଆସି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ। ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ପରିବାରକୁ ସାହସ ଦେବାକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ମାନସ ଜୟପୁରିଆଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ମାନସ ମଙ୍ଗରାଜ।

ବାଲିଗୁଡ଼ା କଣ୍ଟେନମେଣ୍ଟ ଜୋନ ଘୋଷଣା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ । ବାଲିଗୁଡ଼ା ଏଲ୍ଆଇସି ଅଫିସ୍, ନୂଆସାହିର ଏକ ଅଞ୍ଚଳ ଓ ଟ୍ରେଜେରୀ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ ।

କଣ୍ଟେନମେଣ୍ଟ ଜୋନରେ ସବୁ ବନ୍ଦ ଥିବା ବେଳେ, ରାସନ ସାମଗ୍ରୀ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି । ମାସ୍କ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଥିବା ବେଳେ ଅତି ଜରୁରୀ କାମ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସେହିପରି ସମ୍ବଲପୁର ଜିଲ୍ଲାକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ। ସମ୍ବଲପୁର ମହାନଗର ନିଗମର ହୀରାକୁଦ E2 ବ୍ଲକ ଓ ହିଣ୍ଡାଲକୋ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହା ସହିତ ୯ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି ।

ସେହିଭଳି ଯୁଯୋମୁରାକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ୫ ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ଜୁଜୁମୁରାର ଡଙ୍ଗାପାଳ ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ଜୁଜୁମୁରା ଓ ହୀରାକୁଦ ଅଂଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସ୍ଥିତିକୁ ଆୟତ୍ତକୁ ଆଣିବାକୁ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ଅଧିକ ପଢନ୍ତୁ- ସମ୍ବଲପୁର ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କରୋନା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଗେହଲଟ।

କୌଣସି ଲକ୍ଷଣ ନ ଥିଲେ ବି ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। କରୋନା ପ୍ରୋଟୋକଲ୍ ପାଳନ କରିବା ସହ ସେ ଆଇସୋଲେସନରେ ରହିଛନ୍ତି। ଟ୍ୱିଟରେ ସେ କହିଛନ୍ତି ଯେ ଆଇସୋଲେସନରେ ରହିଥିବା ବେଳେ ମୁଁ ସୁସ୍ଥ ଅଛି ।

ବଢୁଛି ସଂକ୍ରମଣ; ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ମିଟର। ଗତ ୨୪ ଘଣ୍ଟାରେ ୩ଲକ୍ଷ ୭୯ହଜାର ୨୫୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୬୪୫ ସଂକ୍ରମିତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୨ଲକ୍ଷ ୬୯ହଜାର ୫୦୭ଜଣ ସଂକ୍ରମିତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ୮୩ ଲକ୍ଷ ୭୬ହଜାର ୫୨୪ଥିବା ବେଳେ ସୁସ୍ଥ ହେଲେଣି କୋଟିଏ ୫୦ଲକ୍ଷ ୮୬ହଜାର ୮୭୮ରହିଛି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ୪ହଜାର ୮୩୨ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୦ଲକ୍ଷ ୮୪ହଜାର ୮୧୪ସଂକ୍ରମିତ।

ଦିଲ୍ଲୀ, ମହାରାଷ୍ଟ୍ର, ୟୁପି, କର୍ଣ୍ଣାଟକ, ଗୁଜରାଟ ଓ ଛତିଶଗଡରେ ସ୍ଥିତି ସାଂଘାତିକ ରହିଛି । ପରିସ୍ଥିତିର ମୁକାବିଲା କରିବାକୁ ଲକଡାଉନ ଓ ସଟଡାଉନ ଆପଣେଇଛନ୍ତି ଅନେକ ରାଜ୍ୟ।

ତେବେ ଜମ୍ମୁ-କାଶ୍ମୀରରେ ଆଜି ସନ୍ଧ୍ୟା ୭ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ପାଇଁ ଘୋଷଣା କରାଯାଇଛି। ୧୧ ଜିଲ୍ଲାରେ ବଳବତ୍ତର ରହିବ କର୍ଫ୍ୟୁ କଟକଣା । ତେବେ ଏହି ସମୟରେ ଜରୁରିକାଳୀନ ସେବା ଜାରି ରହିବ ବୋଲି ସୂଚନା ମିଳିଛି।

୭ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲୁଇସ୍ ରୋଡରେ ଥିବା ଜୁଡିସିଆଲ କମ୍ଲେକ୍ସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହୋଇଛି ଭୁବନେଶ୍ୱରର କୋର୍ଟ । ବିଏମସି ପକ୍ଷରୁ କୋର୍ଟ ପରିସରକୁ ୭ଦିନ ପାଇଁ ସିଲ୍ କରାଯାଇଛି।

ସୂଚନା ଅନୁଯାୟୀ କୋର୍ଟ ଆଜିଠୁ ଆସନ୍ତା ମେ’ ୫ ତାରିଖ ଯାଏଁ ବନ୍ଦ ରହିବ । ୪୦ ଜଣ ଆଇନଜୀବୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ଏନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଜୁଡିସିଆଲ କମ୍ଲେକ୍ସ ଅଧିକାରୀ କରୋନା କଟକଣାକୁ କଡାକଡି କରିବେ ଏବଂ ତୁରନ୍ତ କୋର୍ଟ ପରିସରକୁ ସାନିଟାଇଜ୍ କରାଯିବ। ବିଏମସି କର୍ମଚାରୀଙ୍କ ବ୍ୟତୀତ ସିଲ୍ ଅବଧି ମଧ୍ୟରେ ଅନ୍ୟ କାହାକୁ କମ୍ଲେକ୍ସ ପରିସରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

କରୋନା ସଂକ୍ରମିତ ମାନେ ନିଜ ନିଜ ବାସଭବନରେ ଆଇସୋଲେସନରେ ରହିପାରିବେ। ଯଦି କେହି ସଂକ୍ରମିତଙ୍କୁ ମେଡିକାଲ୍ ଚିକିତ୍ସା ଆବଶ୍ୟକ ପଡେ, ତାହେଲେ ଜୁଡିସିଆଲ କମ୍ଲେକ୍ସ କର୍ତ୍ତୃପକ୍ଷ ବିଏମସିକୁ ଜଣାଇବେ । ଆବଶ୍ୟକ ସ୍ଥଳେ ଜୁଡିସିଆଲ କମ୍ଲେକ୍ସ କର୍ତ୍ତୃପକ୍ଷ ବିଏମସି କଣ୍ଟ୍ରୋଲ୍ ରୁମ୍ (୭୮୪୭୮୭୩୦୪୦) କିମ୍ବା ୧୯୨୯ରେ ଯୋଗାଯୋଗ କରିପାରିବେ ।

ତେବେ ଅନଲାଇନରେ କୋର୍ଟ ଚାଲିବା ସତ୍ତ୍ୱେ ମଧ୍ୟ କରୋନା ସଂକ୍ରମଣ ବଢିବା ଚିନ୍ତାର କାରଣ ପାଲଟିଛି ।

ସମ୍ବଲପୁର ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ

ସମ୍ବଲପୁର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ। ସମ୍ବଲପୁର ମହାନଗର ନିଗମର ହୀରାକୁଦ E2 ବ୍ଲକ ଓ ହିଣ୍ଡାଲକୋ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହା ସହିତ ୯ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି ।

ସେହିଭଳି ଯୁଯୋମୁରାକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ୫ ଟି ସ୍ଥାନକୁ ବଫର ଜୋନ ଘୋଷଣା କରାଯାଇଛି । ଜୁଜୁମୁରାର ଡଙ୍ଗାପାଳ ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ପ୍ରଶାସନ। ଜୁଜୁମୁରା ଓ ହୀରାକୁଦ ଅଂଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସ୍ଥିତିକୁ ଆୟତ୍ତକୁ ଆଣିବାକୁ ଏପରି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ତେବେ ଆଜି ରାଜ୍ୟରେ ନୂଆ ୬୯୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୭୫ହଜାର ୭୨୧। କୋଭିଡ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଛି । ମୋଟ୍ ଆକ୍ଟିଭ କେସ୍ ୫୭ହଜାର ୭୧୦ ରହିଛି ।

ଅଧିକ ପଢନ୍ତୁ- ୨୪ ଘଣ୍ଟାରେ ରାଜ୍ୟରୁ ୬୯୯୮ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରୁ ୬୯୯୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ବଢୁଥିବା ବେଳେ ସେହି ଅନୁସାରେ ସଂକ୍ରମଣ ମାମଲା ଚିହ୍ନଟ ହେଉଛି। ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୬୯୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । କ୍ୱାରେଣ୍ଟାଇନରୁ ୪୦୫୪, ଲୋକାଲ କେସ୍ ୨୯୪୪ ।

ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଦିନକରେ କରୋନାରେ ୧୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୧୯ ପଜିଟଭ ଚିହ୍ନଟ ହୋଇଛନ୍ତି । କଟକରୁ ୫୧୭, ସୁନ୍ଦରଗଡ଼ରୁ ୪୭୪, ନୂଆପଡାରୁ ୪୨୦, ଝାରସୁଗୁଡାରୁ ୩୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୩୩୦, ଅନୁଗୁଳରୁ ୩୨୫, ସମ୍ବଲପୁରରୁ ୩୨୩, ମୟୂରଭଞ୍ଜରୁ ୩୦୮, କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, ନବରଙ୍ଗପୁରରୁ ୨୫୫, ବଲାଙ୍ଗୀରରୁ ୨୩୬, ଯାଜପୁରରୁ ୨୨୬, ଷ୍ଟେଟପୁଲରୁ ୧୮୫, ରାୟଗଡ଼ାରୁ ୧୮୧, କେନ୍ଦୁଝରରୁ ୧୬୦, ସୋନପୁରରୁ ୧୩୧, ଗଞ୍ଜାମରୁ ୧୨୮, ନୟାଗଡ଼ ଓ ଗଜପତିରୁ ୧୨୧ଜଣ ଲେଖାଏଁ, ଜଗତସିଂହପୁରରୁ ୧୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୯୭, ଭଦ୍ରକରୁ ୯୧, କେନ୍ଦ୍ରାପଡାରୁ ୭୭, ଦେଓଗଡ଼ରୁ ୭୪, ବୌଦ୍ଧରୁ ୬୫, କୋରାପୁଟରୁ ୫୭, କନ୍ଧମାଳରୁ ୪୫, ମାଲକାନଗିରିରୁ ୩୦, ଢେଙ୍କାନାଳରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୩୫ ହଜାର ୫୧୩ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୭୫ହଜାର ୭୨୧। କୋଭିଡ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଛି । ମୋଟ୍ ଆକ୍ଟିଭ କେସ୍ ୫୭ହଜାର ୭୧୦ ରହିଛି।

ପଶ୍ଚିମବଙ୍ଗରେ ଜାରି ରହିଛି ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ

କୋଲକାତା: ଆଜି ପଶ୍ଚିମବଙ୍ଗରେ ହେଉଛି ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ଅନ୍ତିମ ପର୍ଯ୍ୟାୟରେ ୩୫ଟି ଆସନ ପାଇଁ ମତଦାନ ହେଉଛି। ୧୧ ହଜାର ୮୬୦ଟି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି ମତଦାତା। ମୈଦାନରେ ୨୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର ।

ଅଷ୍ଟମ ପର୍ଯ୍ୟାୟରେ ମୋଟ ୮୪ ଲକ୍ଷ ୭୭ ହଜାର ୭୨୮ ଜଣ ଭୋଟର ଥିବାବେଳେ ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୪୩ ଲକ୍ଷ ୫୫ ହଜାର ୮୩୫ ରହିଛି । ଏହାବ୍ୟତୀତ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୪୧ ଲକ୍ଷ ୨୧ ହଜାର ୭୩୫ ଅଛନ୍ତି । ଶେଷ ପର୍ଯ୍ୟାୟରେ ଅନେକ ହେଭିୱେଟ୍ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା ହେଉଛି । ମତଦାନ ବେଳେ ଯେଭଳି କୌଣସି ହିଂସା ପରିସ୍ଥିତି ସୃଷ୍ଟି ନ ହୁଏ, ସେଥି ପାଇଁ ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କରୋନା କଟକଣା ମଧ୍ୟରେ ମତଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଭୋଟ୍ ଗଣତି ସମୟରେ ପ୍ରାର୍ଥୀ ଏବଂ ଏଜେଣ୍ଟମାନଙ୍କ RT-PCR ଟେଷ୍ଟ କିମ୍ବା ଟିକାର ଦୁଇଟି ଡୋଜ୍ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ୨ ତାରିଖରେ ଆସିବ ନିର୍ବାଚନର ଫଳାଫଳ ବାହାରିବ। ତେବେ ଚଳିତ ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହେଉଥିବାବେଳେ କଂଗ୍ରେସ ଓ ବାମଦଳ ଏକ ହୋଇ ନିର୍ବାଚନ ଲଢୁଛନ୍ତି ।

ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ ଓ ଔପନ୍ୟାସିକ ତଥା ସ୍ତମ୍ଭକାର ମନୋଜ ଦାସଙ୍କୁ ପୁଡୁଚେରୀ ଠାରେ ତାଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଏଥିସହିତ ଓଡିଶା ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଜ୍ୟୋତି।

ସୂଚନା ଅନୁଯାୟୀ,  ଆଜି ମନୋଜ ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଥିଲା । ଦୀର୍ଘ ଦିନ ହେବ ପଣ୍ଡିଚେରୀ ସ୍ଥିତ ଆଶ୍ରମ ହସପିଟାଲରେ ଚିକିତ୍ସାଧୀନ ଥିଲେ ମନୋଜ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏକାଧିକ ରଚନା କରିଛନ୍ତି ମନୋଜ । ଜୀବନବ୍ୟାପି ସାଧନା ବେଳେ ସେ ଅନେକ ମର୍ମଭେଦୀ ଓ ହୃଦୟସ୍ପର୍ଶୀ ପୁସ୍ତକର ରଚନା କରିଛନ୍ତି।

ଏହାପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ମନୋଜ ଦାସଙ୍କ ପରିବାର ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ସେ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ମଧ୍ୟ ଜଣାଇଥିଲେ।

ଅଧିକ ପଢନ୍ତୁ- ସ୍ୱର୍ଗତ ମନୋଜ ଦାସଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ