spot_img
Home Blog Page 5684

ପିକ୍‌ରେ କରୋନା ସଂକ୍ରମଣ: ୩ଲକ୍ଷ ୫୭ ହଜାର ୨୨୯ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପିକ୍‌ରେ କରୋନା ସଂକ୍ରମଣ । ଭୟଙ୍କର ଗତିରେ ମାଡ଼ିଚାଲିଛି ସଂକ୍ରମଣର ଦ୍ବିତୀୟ ଲହରୀ । ଦେଶରେ ୨କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୩ଲକ୍ଷ ୫୭ହଜାର ୨୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ହଜାର ୪୪୯ଜଣଙ୍କ ଜୀବନ ନେଇଛି କିଲର କରୋନା । ୩ଲକ୍ଷ ୨୦ହଜାର ୨୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୨ଲକ୍ଷ ୮୨ହଜାର ୮୩୩ରେ ପହଞ୍ଚିଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି କୋଟିଏ ୬୬ଲକ୍ଷ ୧୩ ହଜାର ୨୯୨ଜଣ । ମୋଟ୍ ମୃତ୍ୟୁସଂଖ୍ୟା ୨ଲକ୍ଷ ୨୨ହଜାର ୪୦୮ଥିବା ବେଲେ ଆକ୍ଟିଭ କେସ୍ ରହିଛି ୩୪ଲକ୍ଷ ୪୭ହଜାର ୧୩୩ । ଉତ୍ତର ପ୍ରଦେଶ, କର୍ଣ୍ଣାଟକ, କେରଳ, ଗୁଜରାଟ, ପଶ୍ଚିମବଙ୍ଗ ଓ ପଞ୍ଜାବରେ ସ୍ଥିତି ଜଟିଳ ରହିଛି । ବା ବେଳେ ମହାରାଷ୍ଟ୍ର ସହ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ଦିଲ୍ଲୀରେ ମଧ୍ୟ କରୋନା ଗ୍ରାଫ୍ କମିଛି । କରୋନାର ମୁକାବିଲା କରିବା ପାଇଁ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି । ଯେଭଳି ସଂକ୍ରମଣ ଆଗକୁ ନ ବ୍ୟାପେ ସେଥି ପ୍ରତି ଦୃଷ୍ଟି ଦେଉଛନ୍ତି ପ୍ରଭାବିତ ରାଜ୍ୟ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୮୨୧୬ କରୋନା ସଂକ୍ରମିତ ଚିହ୍ନଟ

ପଣସ ଭିତରେ ଗଞ୍ଜେଇ: ଜଳାପୁଟ ଅଞ୍ଚଳରୁ ଜବତ କଲା କୋରାପୁଟ ପୋଲିସ

ଲମତାପୁଟ: ପୋଲିସ ହାତରେ ଲାଗିଲା ୧ କୋଟି ଟଙ୍କାର ଗଞ୍ଜେଇ । ଅଭିନବ ଉପାୟରେ ଚାଲାଣ ବେଳେ ୧ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି କୋରାପୁଟ ପୋଲିସ । କୋରାପୁଟ ଜଳାପୁଟ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରକୁ ପଣସ ବୋଝେଇ ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ । ତେବେ କୌଣସି ସୂତ୍ରରୁ ଖବର ପାଇଥିଲେ କୋରାପୁଟ ଏସପି । ଏସପିଙ୍କ ନିର୍ଦ୍ଦେଶ ପରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୋଲିସ ୩ ଜଣିଆ ଟିମ ଗଠନ କରି ଟିକାପୁଟ ଛକରେ ଗାଡ଼ି ଯାଞ୍ଚ କରିଥିଲେ । ଏହି ସମୟରେ ପଣସ ବୋଝେଇ ଟ୍ରକକୁ ଅଟକାଇଥିଲା ପୋଲିସ । ଗାଡିକୁ ଯାଞ୍ଚ କରିବା ପରେ ଜବତ ହୋଇଥିଲା ବିପୁଳ ପରିମାଣର ଗଞ୍ଜେଇ । ମାଛକୁଣ୍ଡ ପୋଲିସ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିବା ସହ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଅଞ୍ଚଳର ୩ ଜଣଙ୍କୁ ଗିରଫ କରିଛି । ଟ୍ରକରୁ ୧ ହଜାର ୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ନନ୍ଦପୁର SDPO ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଭି. ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ ନାରାୟଣ । ସେମାନଙ୍କ ନିକଟରୁ ୪ଟି ମୋବାଇଲ ଓ ୩୫୦୦ ଟଙ୍କା ଜବତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଲକଡାଉନ୍ ବେଳେ ବି କରିହେବ ଅଭିଯୋଗ, ହାଇକୋର୍ଟ ପକ୍ଷରୁ ହ୍ୱାଟସଅପ ନମ୍ବର ଜାରି

କରୋନାରୁ ସୁସ୍ଥ ହେବା ପରେ ଗୋଟିଏ ଡୋଜ୍ ଯଥେଷ୍ଟ…

ନୂଆଦିଲ୍ଲୀ:  କରୋନାର ଦ୍ୱିତୀୟ ପର୍ଯ୍ୟାୟ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଟିକାକୁ ନେଇ ଚାଲିଛି ଏକାଧିକ ଗବେଷଣା । ତେବେ ଗବେଷଣା ଦ୍ୱାରା ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ରିପୋର୍ଟ କହୁଛି, କରୋନା ବିରୋଧରେ ଆଣ୍ଟିବଡି ତିଆରି କରିବା ପାଇଁ ଟିକାର ଦୁଇଟି ଡୋଜ୍ ଆବଶ୍ୟକ। କିନ୍ତୁ ଏବେ ଏହି ଟିକାକୁ ନେଇ ଆସିଛି ଏକ ନୂଆ ତଥ୍ୟ । ଟିକାର ଦୁଇଟି ଡୋଜ୍ ବାଧ୍ୟତାମୂଳକ ହୋଇଥିବା ବେଳେ ନିକଟରେ ଏକ ଅଧ୍ୟୟନରେ ଏହାକୁ ନେଇ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଅଧ୍ୟୟନ ଅନୁସାରେ କରୋନା ସଂକ୍ରମିତଙ୍କ ପାଇଁ ଦୁଇଟି ନୁହେଁ ବରଂ ଗୋଟିଏ ଡୋଜ୍ ହିଁ ଯଥେଷ୍ଟ । ତାହା ଶରୀରକୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାରେ ପ୍ରଭାବଶାଳୀ ହେବ ।

ଲଣ୍ଡନର ଇମ୍ପେରିୟାଲ କଲେଜ, କ୍ୱିନ୍ ମ୍ୟାରି ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକମାନଙ୍କ ଦ୍ୱାରା ଅଧ୍ୟୟନ ଅନୁସାରେ, କରୋନା ସଂକ୍ରମିତଙ୍କ ପାଇଁ ଗୋଟିଏ ମାତ୍ର ଟିକା ପର୍ଯ୍ୟାପ୍ତ ପରିମାଣର ଆଣ୍ଟିବଡି ଉତ୍ପାଦନ କରେ । ନିକଟ ଅତୀତରେ  ଦକ୍ଷିଣ ଆଫ୍ରିକାରେ କରୋନାର ଭ୍ୟାରିଏଣ୍ଟକୁ ନେଇ ଗବେଷଣା କରିଥିଲେ ବୈଜ୍ଞାନିକ । ଯେଉଁଥିରେ ବ୍ରାଜିଲ ଏବଂ ଭାରତର ଭ୍ୟାରିଏଣ୍ଟ ସାମିଲ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ଭ୍ୟାରିଏଣ୍ଟ ଭାରତ ଏବଂ ବ୍ରାଜିଲ ଭ୍ୟାରିଏଣ୍ଟ ଠାରୁ ପ୍ରଭାବଶାଳୀ ହୋଇପାରେ ବୋଲି ବୈଜ୍ଞାନିକ ଦାବି କରିଛନ୍ତି । ତେବେ ଅଧ୍ୟନୟନରେ ବୈଜ୍ଞାନିକ Phizer ଏବଂ Bio N.techର ଟିକା ବ୍ୟବହାର କରିଥିଲେ ।

ଗବେଷଣାରୁ ତଥ୍ୟ ସାମ୍ନାକୁ ଆସିଲା ଯେ, ପ୍ରଥମେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତି ଏବଂ ସାମାନ୍ୟ ଲକ୍ଷଣ ଦେଖା ଦେଇଥିବା ବ୍ୟକ୍ତିଙ୍କ ନିକଟରେ ଟିକାର ଗୋଟିଏ ଡୋଜ୍ ହିଁ ଯଥେଷ୍ଟ । କେବଳ ସେତିକି ନୁହେଁ ବରଂ ଦକ୍ଷିଣ ଆଫ୍ରିକା ଭ୍ୟାରିଏଣ୍ଟ ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି । ଅନ୍ୟପଟେ କୋଭିଡ ସଂକ୍ରମିତ ହୋଇନଥିବା ବ୍ୟକ୍ତି ପ୍ରଥମ ଡୋଜ୍ ନେବାପରେ ସେମାନଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥିଲା, ଅର୍ଥାତ୍ ଭୂତାଣୁ ସଂକ୍ରମଣର ଆଶଙ୍କା ରହିଥିଲା ।

ଇମ୍ପେରିଆଲ୍ କଲେଜର ପ୍ରଫେସର ରୋଜେମର୍ ବୟଣ୍ଟନ କହିଛନ୍ତି ଯେ, ଯେଉଁମାନେ ପ୍ରଥମ ଜୋଜ୍ ନେଇଛନ୍ତି ଏବଂ ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇନାହାନ୍ତି ସେମାନଙ୍କର କରୋନାର ନୂଆ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଛି। ସେଥିପାଇଁ ଲୋକମାନେ ଟୀକାକରଣର ଦ୍ୱିତୀୟ ଡୋଜ୍ ନେବା ଜରୁରୀ ବୋଲି ସେ କହିଛନ୍ତି । “କରୋନାର ନୂଆ ନୂଆ ଷ୍ଟ୍ରେନ୍ ଏବେ ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ଲୋକ ଭ୍ୟାକ୍ସିନ୍ ନେବା ଆବଶ୍ୟକ । ତେବେ ଯେଉଁମାନେ ଥରେ କରୋନା ସଂକ୍ରମିତ ହୋଇସାରିଛନ୍ତି, ସେମାନେ ଗୋଟିଏ ଟିକା ନେଲେ ମଧ୍ୟ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ ।”

ଆଇଟିଆଇ ଛାତ୍ର ନିର୍ମାଣ କଲେ ଡ୍ରୋନ୍: ଜଙ୍ଗଲରେ କରିବ ପାଟ୍ରୋଲିଂ

କଟକ: ଏବେ ଡ୍ରୋନ କରିବ ଖଣି ମ୍ୟାପିଂ ସର୍ଭେ । ସୀମାରେ ପାଟ୍ରୋଲିଂ ସହ ପ୍ରାକୃତିକ ବିପର୍ଯ୍ୟୟର ସର୍ଭେ କରିବ ଡ୍ରୋନ । ସ୍କିଲ ଓଡ଼ିଶାର ସହାୟତାରେ କଟକ ଖପୁରିଆ ଆଟିଆଇ ଛାତ୍ରଙ୍କ ଦ୍ଵାରା ଏପରି ଏକ ଡ୍ରୋନ ପ୍ରସ୍ତୁତ କରାଯାଇଛି । ଡ୍ରୋନ ଏବଂ ଖପୁରିଆ ଆଟିଆଇ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର ହୋଇଛି ।

ସୀମା ଜଗିବ ଡ୍ରୋନ । ଜଙ୍ଗଲରେ କରିବ ପାଟ୍ରୋଲିଂ । ସୁରକ୍ଷାବଳଙ୍କୁ ସହଯୋଗ କରିବ ଡେଲଟା ୪୦୦ ସିରିଜର ଡ୍ରୋନ୍ । ଏହାକୁ ପ୍ରସ୍ତୁତ କରିଛନ୍ତି କଟକ ଖପୁରିଆ ଆଇଟିଆଇ ଛାତ୍ର । ସ୍କିଲ ଓଡିଶା ସହାୟତାରେ ପ୍ରସ୍ତୁତ କରାଯାଉଥିବା ଏହି ଡ୍ରୋନ ଅନେକ କାର୍ଯ୍ୟରେ ଲାଗି ପାରିବ । ଖଣି ମ୍ୟାପିଂ, ଶିଳ୍ପ, ସେତୁ ଯାଞ୍ଚ, ସୀମା ସୁରକ୍ଷା, ଜଙ୍ଗଲରେ ନିଆଁ ଲାଗିବା ଓ ବନ୍ୟା ସମୟରେ ଅନେକ କାମରେ ଆସିବ । ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଜ୍ଞାନକୌଶଳକୁ ବ୍ୟବହାର କରି ଛାତ୍ର ଏବଂ ଶିକ୍ଷକମାନେ ଏହାକୁ ନିର୍ମାଣ କରିଛନ୍ତି । ଏଥିପାଇଁ ଡ୍ରୋନ୍ ଏବଂ ଖପୁରିଆ ଆଟିଆଇ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଖଣି ସର୍ବେକ୍ଷଣ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ । ଏଥିରେ ବିଭିନ୍ନ ପ୍ରକାର ସେନ୍ସନର ସହ ହାଇ ରିଜୋଲ୍ୟୁସନ ଆରଜିବି କ୍ୟାମେରା ଖଞ୍ଜା ଯାଇଛି । ଏହି ସେନ୍ସର ମାଧ୍ୟମରେ ମାଟି ଉପରେ ସ୍ଥିତି ରହିଛି ତାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ । ଫଳରେ ସର୍ବେକ୍ଷଣ କ୍ଷେତ୍ରରେ ସଠିକ ତଥ୍ୟ ମିଳିବା ସହ ଚୂଡାନ୍ତ ନିଷ୍ପତି ନିଆ ଯାଇପାରିବ । ଏହି ଡ୍ରୋନକୁ ସେଟଲାଇଟ ସହିତ ଯୋଗାଯୋଗ କରାଯିବ ଏବଂ ସେଟଲାଇଟ୍ ଦ୍ଵାରା ପରିଚାଳିତ ହେବ ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସିଏମସିକୁ ୧୦ କୋଟି , ପରିପୃଷ୍ଟ ହେବ କୋଭିଡ ପରିଚାଳନା

ମୋଦି-ଜନସନ୍ ଆଲୋଚନା : ରୋଡ୍‌ମ୍ୟାପ୍ ୨୦୩୦ ଲଞ୍ଚ୍ କରିବେ ଦୁଇ ନେତା

ନୂଆଦିଲ୍ଲୀ: ଆଜି ମୋଦି-ଜନସନ୍ ଆଲୋଚନା । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲ ବୈଠକରେ ଉଭୟ ନେତା ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହି ଅବସରରେ ରୋଡମ୍ୟାପ୍ – ୨୦୩୦ ଲଞ୍ଚ କରିବେ ଦୁଇ ନେତା । ରୋଡମ୍ୟାପ ଆଗାମୀ ଏକ ଦଶନ୍ଧି ମଧ୍ୟରେ ଭାରତ-ବ୍ରିଟେନ ସହଯୋଗକୁ ଆହୁରି ସୁଦୃଢ କରିବ । ଏଥିପାଇଁ ଆଜିର ବୈଠକ ବେଶ ଗୁରୁତ୍ବ ବହନ କରୁଛି । କରୋନାର ମୁକାବିଲା ନେଇ ବିଶ୍ବସ୍ତରରେ କିପରି ଉଦ୍ୟମ କରିହେବ ସେନେଇ ବୈଠକରେ ଆଲୋଚନା ହେବ । ଏହାସହ ବହୁମୁଖୀ ଯୋଜନା ସମ୍ବନ୍ଧୀୟ ରାଜିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଭାରତରେ କରୋନା ସଂକ୍ରମଣ ବଢୁଥିବା ବେଳେ ବ୍ରିଟେନ୍ ସରକାର ଏକ ହଜାର ଭେଣ୍ଟିଲେଟର ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବୋରିସ୍ ଜନସନ୍ ଏପ୍ରିଲ୍ ୨୫ରେ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ କରୋନା ପାଇଁ ଏହାକୁ ବାତିଲ୍ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: କାଠଗଡାରେ ନିର୍ବାଚନ ଆୟୋଗ; ରାୟ ସଂରକ୍ଷିତ ରଖିଲେ ଅଦାଲତ

ରାଜ୍ୟରେ ଆଉ ୮୨୧୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୮୨୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪୬୮୪, ଲୋକାଲ କେସ୍ ୩୫୩୨ ଚିହ୍ନଟ ହୋଇଛନ୍ତି । କରୋନାରେ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାୟଗଡାରୁ ୩, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ, କଟକ, ପୁରୀ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୩୬, କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫, ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡାରୁ ୩୧୬, ବଲାଙ୍ଗୀରରୁ ୩୦୫, ବାଲେଶ୍ବରରୁ ୩୦୨, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୨୬୧, ନୟାଗଡ଼ରୁ ୨୫୦, ସୋନପୁରରୁ ୨୪୮, କଳାହାଣ୍ଡି ଓ ଷ୍ଟେଟପୁଲରୁ ୨୩୮ଜଣ ଲେଖାଏଁ, ରାୟଗଡ଼ାରୁ ୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟବରଭ଼୍ଜରୁ ୧୯୦, କୋରାପୁଟରୁ ୧୩୩, କେନ୍ଦୁଝରରୁ ୧୨୯, ଗଜପତିରୁ ୧୨୧,ଜଗତସିଂହପୁରରୁ ୧୦୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ଓ ଦେଓଗଡ଼ରୁ ୯୮ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୮୭, କନ୍ଧମାଳରୁ ୭୭, ଗଞ୍ଜାମରୁ ୬୯, ଭଦ୍ରକରୁ ୬୩, ଢେଙ୍କାନାଳରୁ ୪୭, ମାଲକାନଗିରିରୁ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୭୯ହଜାର ୭୫୨ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୨୦୮୮ରେ ପହଞ୍ଚିଛି । ସୁସ୍ଥ ହେଲେଣି ୪ଲକ୍ଷ ୪ହଜାର ୬୩ । ଆକ୍ଟିଭ କେସ୍ ରହିଛି ୭୩ହଜାର ୫୪୮ ।

ଏଥିସହିତ ପଢ଼ନ୍ତୁ: ଲକଡାଉନ୍ ବେଳେ ବି କରିହେବ ଅଭିଯୋଗ, ହାଇକୋର୍ଟ ପକ୍ଷରୁ ହ୍ୱାଟସଅପ ନମ୍ବର ଜାରି

ଲକଡାଉନ୍ ବେଳେ ବି କରିହେବ ଅଭିଯୋଗ, ହାଇକୋର୍ଟ ପକ୍ଷରୁ ହ୍ୱାଟସଅପ ନମ୍ବର ଜାରି

ଭୁବନେଶ୍ୱର: ଲକଡାଉନ୍ ବେଳେ ହାଇକୋର୍ଟରେ ମାମଲା ରୁଜୁ ପାଇଁ ହେଲେ ପାଳନ କରିବାକୁ ପଡିବ ନୂଆ ଏସଓପି । ଆସନ୍ତା 5 ତାରିଖ ରୁ 14 ଦିନ ପର୍ଯ୍ୟନ୍ତ ହେଉଥିବା ଲକ ଡାଉନକୁ ନଜରରେ ରଖି ଏସଓପି ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଏହି ସମୟରେ ଉଭୟ ଅନଲାଇନରେ ଓ ହ୍ବାଟସଅପ ଜରିଆରେ ଆବେଦନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋର୍ଟ ।

ଏନେଇ ହାଇକୋର୍ଟଙ୍କ ପକ୍ଷରୁ ହ୍ବାଟସଅପ ନମ୍ବର ଜାରି କରାଯାଇଛି । ହ୍ବାଟସଅପ ନମ୍ବର 8895300958 ଜାରି କରାଯାଇଛି। ଆବେଦନକାରୀ ନିଜର ଆଡଭୋକେଟଙ୍କ ଜରିଆରେ ଏକ ପିଡିଏଫ ଫାଇଲ ମାଧ୍ୟମରେ ଏଥିରେ ମାମଲା ରୁଜୁ କରି ପାରିବେ । ଏଥି ସହିତ ଅନ ଲାଇନରେ ଅଦାଲତ ଫି ଦାଖଲ କରିବାକୁ ଏସଓପିରେ ଉଲ୍ଲେଖ ରହିଛି ।

ଓଡ଼ିଶା ପରେ ମଧ୍ୟପ୍ରଦେଶରେ ଜର୍ଣ୍ଣାଲିଷ୍ଟ ଯୋଦ୍ଧା

ଭୋପାଳ: ନବୀନଙ୍କ ରାସ୍ତାରେ ଶିବରାଜ । ଓଡ଼ିଶା ପରେ ମଧ୍ୟପ୍ରଦେଶରେ ଜର୍ଣ୍ଣାଲିଷ୍ଟ ଯୋଦ୍ଧା । ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିଛନ୍ତି ଏମ୍‌ପି ସରକାର । କରୋନା ସଂକଟରେ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ଖବର ପହଞ୍ଚାଇବାକୁ ସାମ୍ବାଦିକମାନେ କାମ କରୁଛନ୍ତି । ତେଣୁ ରାଜ୍ୟର ସମସ୍ତ ସ୍ବୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରାଯାଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ।

ରାଜ୍ୟରେ ୪ହଜାରରୁ ଅଧିକ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ଅଛନ୍ତି। ସେମାନଙ୍କୁ ଅନ୍ୟ କୋଭିଡ୍ ସମ୍ମୁଖ ଯୋଦ୍ଧାଙ୍କ ଭଳି ସବୁ ସରକାରୀ ସହାୟତା ଦିଆଯିବ। ଓଡ଼ିଶା ସରକାର ପୂର୍ବରୁ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ହେଲେ କେନ୍ଦ୍ର ଜବାବ ନଦେବାରୁ ରାଜ୍ୟ ସରକାର ଗତକାଲି ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିଥିଲେ । ଜାତୀୟସ୍ତରର ଗଣମାଧ୍ୟମ ପ୍ରତିନିଧି ଏହାକୁ ସ୍ବାଗତ କରିବା ସହ ନବୀନଙ୍କୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଅନୁସରଣ କରିବା ପାଇଁ ଟ୍ବିଟ୍ କରିଥିଲେ ।

ଏହାପରେ ଆଜି ମଧ୍ୟପ୍ରଦେଶ ସରକାର ସାମ୍ବାଦିକଙ୍କୁ କୋଭିଡ୍ ସମ୍ମୁଖ ଯୋଦ୍ଧା ଘୋଷଣା କରିଛନ୍ତି । ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣାକୁ ସ୍ବାଗତ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଅନ୍ୟ ରାଜ୍ୟ ଅନୁସରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ନୂଆ ପଥ ଦେଖାଉଛନ୍ତି ନବୀନ ପଟ୍ଟନାୟକ । ଅନ୍ୟ ରାଜ୍ୟମାନେ ଆମ ମୁଖ୍ୟମନ୍ତ୍ରୀଙ୍କୁ ଫଲୋ କରୁଥିବାରୁ ଗର୍ବିତ ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ।