spot_img
Home Blog Page 5683

କରୋନା ସମୟରେ ଏହି ଔଷଧର ବ୍ୟବହାର ହୋଇପାରେ କ୍ଷତିକାରକ

ନୂଆଦିଲ୍ଲୀ: କରୋନା ଭୂତାଣୁର ଦ୍ୱିତୀୟ ପର୍ଯ୍ୟାୟ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଅକ୍ସିଜେନ୍ ଅଭାବରୁ ଚାଲିଯାଉଛି ଅନେକ କରୋନା ରୋଗୀଙ୍କ ଜୀବନ । ଡାକ୍ତରଖାନାରେ ଆଇସିୟୁ, ଶଯ୍ୟା, ଅମ୍ଳଜାନ ଏବଂ ଔଷଧର ଅଭାବ ଯୋଗୁଁ  ମୃତ୍ୟୁର ତାଣ୍ଡବ ଥମିବାର ନାଁ ନେଉନାହିଁ । ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ସେଲ୍ଫ ଆଇସୋଲେସନରେ ରହି ଚିକିତ୍ସା କରିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ କିଛି ଲୋକେ ଶୀଘ୍ର ସୁସ୍ଥ ହେବା ପାଇଁ ଔଷଧ କିମ୍ବା ଷ୍ଟେରଏଡର ଓଭରଡୋଜ୍ ନେଉଛନ୍ତି । ଏହା କିନ୍ତୁ ରୋଗୀଙ୍କ ପାଇଁ ହୋଇପାରେ ବିପଦଜନକ।

ଦିଲ୍ଲୀ AIIMSର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ କହିବା ଅନୁସାରେ, ସିଷ୍ଟମେଟିକ୍ ଷ୍ଟେରଏଡର ଓଭରଡୋଜ୍ ରୋଗୀମାନଙ୍କ ପାଇଁ ହୋଇପାରେ କ୍ଷତିକାରକ। ବିଶେଷକରି ଯେତେବେଳେ ଏହା ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟବହାର କରାଯାଏ ସେତେବେଳେ ଏହା ଫୁସଫୁସ ଉପରେ ଖରାପ ପ୍ରଭାବ ପକାଇଥାଏ । କରୋନା ସଂକ୍ରମଣ ସମୟରେ ଔଷଧର ଅପବ୍ୟବହାର ନେଇ ଚେତାବନୀ ଦେଇଛନ୍ତି ଡାକ୍ତର ଗୁଲେରିଆ । ଔକ୍ଷଧ ବାବଦରେ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ବୋଲି ସେ ଜଣାଇଛନ୍ତି ।

କୋଭିଡ୍ ର ଦୁଇଟି ଷ୍ଟେଜ୍ ରହିଛି । ପ୍ରଥମେ, ଯେତେବେଳେ ଶରୀରରେ ଭୂତାଣୁ ଯୋଗୁଁ ଜ୍ୱର କିମ୍ବା ସଂକ୍ରମଣ ଜନିତ ସମସ୍ୟା ଦେଖାଯାଏ। ଅନେକ ଥର ଯେତେବେଳେ ଫୁସଫୁସରେ ଭୂତାଣୁ ବିସ୍ତାର ହେବା ଆରମ୍ଭ କରେ ଏବଂ ହଠାତ୍ ଅମ୍ଳଜାନ ସ୍ତର କମିଯାଏ, ସେତେବେଳେ ଆଣ୍ଟି-ଭାଇରାଲ୍ ଔଷଧ ଦିଆଯାଏ । ଅପରପକ୍ଷରେ ସଂକ୍ରମିତଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବାରୁ ଇନଫ୍ଲାମେଟୋରି ରିଆକ୍ସନ ବଢିବାରେ ଲାଗେ ।

ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ କରୋନା ସଂକ୍ରମିତ ହେବା ପରେ ଲୋକମାନେ ତୁରନ୍ତ ସିଟି ସ୍କାନ୍ କରାଉଛନ୍ତି। ତେବେ ଏନେଇ ଡକ୍ଟର ଗୁଲେରିଆ କହିଛନ୍ତି ଯେ, କୋଭିଡ ଆରମ୍ଭରେ ସିଟି ସ୍କାନ କରିବାର କୌଣସି ଆବଶ୍ୟକତା ନାହିଁ। ଗୋଟିଏ ସିଟି ସ୍କାନରେ ୩୦୦ ଏକ୍ସ-ରେ ଭଳି ରେଡିଏସନ୍ ହୋଇଥାଏ । ଏହା ଦ୍ୱାରା କର୍କଟ ରୋଗର ଆଶଙ୍କା ବଢିଥାଏ । ବାୟୋ ମାର୍କର ତଥା ରକ୍ତ ପରୀକ୍ଷା ମଧ୍ୟ ନିଜ ମନ ମୁତାବକ କରିବା ଅନୁଚିତ୍ ।

ଅନେକ ଲୋକ ପ୍ରତି ତିନିମାସରେ ଥରେ ସିଟି ସ୍କାନ କରୁଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଶିଶୁ ଏବଂ ୧୮ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ କରୋନାର ଦ୍ରୁତ ଗତିରେ ବଢୁଛି। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ ମ୍ୟାନେଜମେଣ୍ଟ ଉପରେ ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାରେ ରୋକ୍ ଲଗାଇବା ଜରୁରୀ। ଭାଇରସର ଚେନ୍ ଭାଙ୍ଗିବା ପାଇଁ ହେଲେ କରୋନା ସତର୍କତା ଓ ସଚେତନତା ଅବଲମ୍ୱନ କରିବା ଜରୁରୀ । ଏନେଇ ଡାକ୍ତରମାନଙ୍କୁ ମଧ୍ୟ ସ୍ପେଶାଲ ଟ୍ରେନିଂ ଦିଆଯିବା ଜରୁରୀ ।

କରୋନା କବଳରେ ସିଂହ: ଦେଶରେ ପ୍ରଥମ ଥର ପାଇଁ ସଂକ୍ରମିତ ଚିହ୍ନଟ ହେଲେ

ହାଇଦ୍ରାବାଦ: ମହାମାରୀ କବଳରେ ଜଙ୍ଗଲର ମହାରାଜ । ମଣିଷଙ୍କ ପରେ ଏବେ ପଶୁଙ୍କୁ କବଳିତ କରିଛି ଏହି ଭୟଙ୍କର ଭୂତାଣୁ । ଦେଶରେ ପ୍ରଥମ ପାଇଁ କରୋନା ସଂକ୍ରମିତ ହୋଇଛନ୍ତି ୮ ସିଂହ । ହାଇଦ୍ରାବାଦ  ସ୍ଥିତ ନେହେରୁ ପ୍ରାଣୀ ଉଦ୍ୟାନର ୮ ସିଂହ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

             ମଣିଷ ତ ମଣିଷ ଏବେ ପଶୁ ବର୍ତ୍ତିଲେନି । ସମଗ୍ର ମାନବ ଜାତି ପାଇଁ ବିପଦ ସାଜିଥିବା ଏହି ଭୟଙ୍କର ଭୂତାଣୁ ପଶୁମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି । ଦେଶରେ ପ୍ରଥମ ଥର ଲାଗି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୮ ସିଂହ । ଗତ ଏପ୍ରିଲ ୨୯ ତାରିଖରେ ସେଣ୍ଟର ଫର୍ ସେଲୁଲାର ଆଣ୍ଡ ମଲିକୁଲାର ବାୟୋଲୋଜି (ସିସିଏମ୍‌ବି) ମୌଖିକ ଭାବେ ନେହେରୁ ପ୍ରାଣୀ ଉଦ୍ୟନର କର୍ତ୍ତୃପକ୍ଷଙ୍କୁ ସିଂହମାନେ ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଥିଲେ । ଏହି ଘଟଣାକୁ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକ ଡ. ସିଦ୍ଦାନନ୍ଦ କୁର୍କେତ୍ତି ଘଟଣାକୁ ଅସ୍ୱୀକାର  କର ନଥିଲେ ମଧ୍ୟ ଠିକ୍ ବୋଲି ମଧ୍ୟ କହିନଥିଲେ ।  ସେ କହିଛନ୍ତି ଯେ, ସିଂହମାନଙ୍କ ଠାରେ କରୋନା ସଂକ୍ରମଣ ଦେଖିବାକୁ ମିଳିବା କଥା ସତ । କିନ୍ତୁ ଆରଟିପିସିଆର ରିପୋର୍ଟ ନ ମିଳିବା ଯାଏଁ ଏହା ଉପରେ ପ୍ରତିକ୍ରିୟା ରଖିବା ଉଚିତ୍ ନୁହେଁ । ତେବେ ବର୍ତ୍ତମାନ ସିଂହମାନେ ସୁସ୍ଥ ଥିବା ନିର୍ଦ୍ଦେଶକ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ୪୦ ପ୍ରତିଶତ ଲୋକ କାହିଁକି ଟିକା ନେବାକୁ ଚାହୁଁନାହାଁନ୍ତି?

ଖେଳାଳି ସଂକ୍ରମିତ ଚିହ୍ନଟ ପରେ ଆଇପିଏଲ୍-୨୦୨୧କୁ ବାତିଲ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧କୁ ବାତିଲ କଲା ବିସିସିଆଇ । କିଛି ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ । କିଛି ଖେଳାଳି ସଂକ୍ରମିତ ଚିହ୍ନଟ ପରେ ୩୦ତମ ମ୍ୟାଚ୍କୁ ବାତିଲ କରିଥିଲା ବିସିସିଆଇ । ଏଣୁ ଗତକାଲିର କେକେଆର-ଆରସିବି ମ୍ୟାଚ୍ ବାତିଲ ହୋଇଥିଲା ।

KKRର ୨ ଜଣ ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।  ଚେନ୍ନାଇ ସୁପରକିଙ୍ଗସ୍‌ର ସୋପର୍ଟ ଷ୍ଟାଫ୍‌ଙ୍କ ଭିତରୁ ୩ଜଣ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଟିମ୍‌ର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ୨ମେ’ରେ ହୋଇଥିବା ଟେଷ୍ଟିଂ ପରେ ଏହା ଜଣାପଡ଼ିଥିଲା ।  ଚେନ୍ନାଇ ଟିମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) କାଶୀ ବିଶ୍ବନାଥନ୍‌, ବୋଲିଂ କୋଚ୍‌ ଏଲ୍‌ ବାଲାଜୀ ଏବଂ ବସ୍‌ର କ୍ଲିନର କରୋନା ସଂକ୍ରମିତ ହୋଇଛନ୍ତି । ଏଥିସହିତ କେକେଆରର ୨ ଖେଳାଳି ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦର ମଧ୍ୟ କିଛି ଖେଳାଳି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଋଦ୍ଧିମାନ ଶାହା ଏବଂ ଅମିତ ମିଶ୍ରା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା । ତେବେ ଟି-୨୦ ବିଶ୍ୱକପ୍ ପରେ ଆଇପିଏଲ୍ ଆୟୋଜନ ହୋଇପାରେ ।

ଏଥିସହିତ ପଢ଼ନ୍ତୁ: କୋଲକତା ନାଇଟ ରାଇଡରର୍ସ ପରେ ଚେନ୍ନାଇ ସୁପରକିଙ୍ଗସ୍‌ର ୩ଜଣଙ୍କୁ କରୋନା

ରୋଗୀଙ୍କ ହାର୍ଟକୁ କେମିତି ଆଟାକ୍ କରେ କରୋନା?

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ଯୁବ ପିଢିଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଛି । କରୋନା ବେଳେ ଅନେକ ସମୟରେ ସଂକ୍ରମିତ ଲୋକଙ୍କଠାରେ ହୃଦଘାତ ଏବଂ ବ୍ଲଡ୍ କ୍ଲଟିଂ ସମସ୍ୟା ଦେଖାଯାଇଛି। ଖାଲି ଏତିକି ନୁହେଁ ଅକ୍ସିଜେନ୍ ଓ ମେଡିସିନ୍ ଅଭାବ ସ୍ଥିତିକୁ ଆହୁରି ଖରାପ କରୁଛି । କରୋନା କୌଣସି ବୟସର ଲୋକମାନଙ୍କୁ ସଂକ୍ରମିତ କରିପାରେ । ନିକଟରେ ପ୍ରସିଦ୍ଧ ଟିଭି ଆଙ୍କର ରୋହିତ ସରଦାନାଙ୍କର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା । ହେଲେ ସେ ମଧ୍ୟ ହୃଦଘାତର ଶିକାର ହୋଇଥିଲେ । କରୋନାରୁ ଧିରେ ଧିରେ ସୁସ୍ଥ ହୋଇଆସୁଥିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।

Triple Mutant Coronavirus B1618 Reported In India

କରୋନା କାହିଁକି ଯୁବପିଢିଙ୍କୁ ନିଜର ଶିକାର କରୁଛି?

ଫୋର୍ଟିସ୍ ହସ୍ପିଟାଲର ଅଧ୍ୟକ୍ଷ ଡ଼. ଅଶୋକ ସେଠ କହିଛନ୍ତି, ‘ଗତଥର ଅପେକ୍ଷା ଏହି ମ୍ୟୁଟାଣ୍ଟ ଭାଇରସ୍ ୫୦ ପ୍ରତିଶତ ଅଧିକ ସଂକ୍ରାମକ । ଦ୍ୱିତୀୟରେ ଅଧିକାଂଶ ଯୁବକ ଚାକିରି କିମ୍ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ଲାଗି ବାହାରକୁ ବାହାରୁଛନ୍ତି । ଫଳରେ ସେମାନେ ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ବଢୁଛି । ତେଣୁ, ଏଥର ସଂକ୍ରମିତ ଯୁବକମାନଙ୍କ ସଂଖ୍ୟା ଅଧିକ।

ଡକ୍ଟର ସେଠ ଆହୁରି କହିଛନ୍ତି, ବିଡମ୍ବନାର କଥା ଯେ, ଏହି ଭାଇରସ୍ ହାର୍ଟରେ ବ୍ଲଡ୍ କ୍ଲଟିଂ ସମସ୍ୟା ସୃଷ୍ଟି କରୁଛି । ଫଳରେ ଏହି ରକ୍ତ ଜମାଟ ଫୁସଫୁସ ଏବଂ ଧମନୀ ଉପରେ ପ୍ରଭାବ ପକାଇଥାଏ । ଏଭଳି ସ୍ଥଳେ ରୋଗୀଙ୍କ ଠାରେ ହୃଦଘାତର ଆଶଙ୍କା ବଢିଯାଇଥାଏ । ହାର୍ଟର ମାଂସପେଶୀ ଦୁର୍ବଳ ହେବା କାରଣରୁ ହାର୍ଟ ଫେଲୁଅର୍, ରକ୍ତ ଚାପ ଓ ହୃତ୍ ସ୍ପଦନ ବଢିବା କିମ୍ବା କମିବା ଭଳି ସମସ୍ୟା ଦେଖାଦେଇଥାଏ ।

କେତେ ଦିନ ଭିତରେ ବ୍ଲଡ୍ କ୍ଲଟିଂ ହୋଇଥାଏ?

ଡକ୍ଟର ସେଠ୍ କହିଛନ୍ତି ଯେ, କରୋନା ସଂକ୍ରମଣର ପଞ୍ଚମ ଦିନରେ ବ୍ଲଡ୍ କ୍ଲଟିଂ ସମ୍ଭାବନା ସବୁଠୁ ଅଧିକ। ଏହା ପୂର୍ବରୁ କାଶ, ଜ୍ୱର ଭଳି କିଛିଟା ସାମାନ୍ୟ ଲକ୍ଷଣ ଦେଖାଯାଇଥାଏ । ଏହାର ସିଧା ପ୍ରଭାବ ପଡୁନଥିବା ବେଳେ ଏହା ଏକ ଇନଫ୍ଲେମେଟରି ଓ ଇମ୍ୟୁନୋଲୋଜିକାଲ୍ ରିଆକ୍ସନ ।

ପ୍ରଥମ ଚାରି ଦିନ ଚିନ୍ତାର ବିଷୟ ହୋଇନଥିବା ବେଳେ ୫ ରୁ ୧୨ଦିନ ମଧ୍ୟରେ ସ୍ଥିତି ଅଧିକ ଖରାପ ହୋଇଥାଏ । ସଂକ୍ରମଣ ପର୍ଯ୍ୟାୟର ପଞ୍ଚମ ଦିନରେ ରୋଗୀଙ୍କୁ ବ୍ଲଡ୍ ଥିନରର ଇଞ୍ଜେକ୍ସନ ଦିଆଯାଏ। ଚିକିତ୍ସା ଶେଷ ହେବାର କିଛି ସମୟ ଯାଏଁ ମେଡିସିନ୍ ଜାରି ରହିଥାଏ । ରୋଗୀର ଇନଫ୍ଲେମେଟରି ରିଆକ୍ସନ ସ୍ତର ଯାଞ୍ଚ କରିବା ପରେ ଯାଇ ରୋଗୀଙ୍କୁ ବ୍ଲଡ୍ ଥିନର ଦିଆଯାଇପାରେ ।

ଲଗାତାର ପାଞ୍ଚ ଦିନ ଯାଏଁ ଇନଫ୍ଲେମେଟରି ରିଆକ୍ସନ ରହିଲେ ଅକ୍ସିଜେନ୍ କମିବାର ଆଶଙ୍କା ରହିଥାଏ । ଭାଇରସ୍ ଇନଫେକ୍ସନ ସିଧାସଳଖ ଫୁସଫୁସ ଉପରେ ପ୍ରଭାବ ପକାଇନଥାଏ । ମାତ୍ର ଇନଫ୍ଲେମେସନ୍ ବଢିବା ଯୋଗୁଁ ଶ୍ୱାସ କ୍ରିୟା ଉପରେ ପ୍ରଭାବ ପଡ଼ିଥାଏ ବୋଲି କହିଛନ୍ତି ଡା. ସେଠ୍।

ଏନେଇ ମେଦାନ୍ତର ଚେୟାରମ୍ୟାନ୍ ଡକ୍ଟର ନରେଶ ଟ୍ରେହାନ କହିଛନ୍ତି, କରୋନାର ଦ୍ୱିତୀୟ ପ୍ରବାହରେ କମ୍ ବୟସର ଯୁବ ପିଢି ଅଧିକ ସଂକ୍ରମିତ ହୋଇଛନ୍ତି । ଡ. ଟ୍ରେହାନ କହିଛନ୍ତି ଯେ ଗତଥର ୧୦-୧୫ ପ୍ରତିଶତ ପୋଷ୍ଟ କୋଭିଡ-୧୯ ରୋଗୀଙ୍କ ମଧ୍ୟରେ ହାର୍ଟ ଇମଫ୍ଲେସନ୍ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିଥିଲା । କିନ୍ତୁ ଏଥର ଏହି ଇନଫ୍ଲେମେଟରି ରିଆକ୍ସନ ଅଧିକ ମାରାତ୍ମକ ବୋଲି ପ୍ରମାଣିତ ହେଉଛି । ଏଥିରେ ଅନେକ ରୋଗୀଙ୍କ ହାର୍ଟ ପମ୍ପିଂ ରେଟ୍ ୨୦-୧୫ ପ୍ରତିଶତ ଯାଏ ଚାଲୁଛି । ସିଟି ସ୍କାନକୁ ଆଧାର କରି ଡ. ଟ୍ରେହାନ କହିଛନ୍ତି ଯେ ଏହି ଭାଇରସ୍ ଏଥର ଲୋକଙ୍କ ଫୁସଫୁସକୁ ଅଧିକ କ୍ଷତି ପହଞ୍ଚାଉଛି।

ପୁଣି ବଲାଙ୍ଗୀର ବଜାରରେ ଅସମ୍ଭାଳ ଭିଡ଼

ବଲାଙ୍ଗୀର: ଲକ୍‌ଡାଉନ୍ ପାଇଁ ସଜବାଜ । ଗୋଟିଏ ପଟେ ସରକାର ଲକ୍‌ଡାଉନ୍ କାର୍ଯ୍ୟକାରୀ କରିବା ନେଇ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ସାଧାରଣ ଜନତା ମଧ୍ୟ ଏ ନେଇ ପ୍ରସ୍ତୁତି ଚଳାଇଛନ୍ତି । ସରକାର ସଂକ୍ରମଣରୁ ରୋକିବା ନେଇ ପ୍ରସ୍ତୁତ ହେଉଥିବା ବେଳେ ସାଧାରଣ ଲୋକଙ୍କ ପ୍ରସ୍ତୁତି ସଂକ୍ରମଣ ସାଉଁଟୁଥିବା ଭଳି ମନେ ହେଉଛି । ମଙ୍ଗଳବାର ବଲାଙ୍ଗୀର ବଜାରର ଦୃଶ୍ୟ ଦେଖିଲେ କିଛି ଏଭଳି ମନେ ହେଉଛି  । ଦେଖିଲେ ଲାଗୁଛି ନା ଅଛି ଭୂତାଣୁର ଭୟ, ନା ସାମାଜିକ ଦୂରତ୍ୱ ରକ୍ଷା ନେଇ ସତର୍କତା । ବଜାରରେ ଦେଖିବାକୁ ମିଳିଛି ହାଜର ହଜାର ଲୋକଙ୍କ ଗହଳି । ଲକଡାଉନ ପାଇଁ ମାର୍କେଟ ବନ୍ଦ ହୋଇଯିବା ନେଇ ନେଇ ଯିଏ ଯାହାର କିଣିବା ପାଇଁ ଆଜି ବାହାରି ପଡିଛନ୍ତି । ସହରର ମୁଖ୍ୟ ବଜାର, ଡେଲି ମାର୍କେଟ ସମେତ ପ୍ରତ୍ୟେକ ଛକରେ ଓ ରାସ୍ତାରେ ଭିଡ଼ ଯୋଗୁ ହଜାର ହଜାର ଯାନବାହନ ଅଟକି ରହିଛି । ଭିଡ଼ ଯୋଗୁ ଆମ୍ବୁଲାନ୍ସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ସଂକ୍ରମଣକୁ ଭୟ ନ କରି ଲୋକେ କିଣାକିଣି କରିବାରେ ବ୍ୟସ୍ତ ରହିଛନ୍ତି । ସଉଦା ବଜାର, ତେଜରାଜି ଦୋକାନ, କପଡା ଦୋକାନରେ ନାହିଁନଥିବା ଭିଡ଼ ଦେଖାଦେଇଛି । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ ପୋଲିସ ଫେଲ ମାରିଛି । ସକାଳ ୬ଟାରୁ ଭିଡ଼ ଦେଖାଦେଇଛି ଯାହା ଫଳରେ ପୋଲିସକୁ ନକେଦମ ହେବାକୁ ପଡିଛି ।

ଏଥିସହିତ ପଢ଼ନ୍ତୁ: ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର, ବନ୍ଦ ହେବନି ଆଇଆଇଟି, ଆଇଆଇଏମଏସ ହଷ୍ଟଲ

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର: ଛାତ୍ରଛାତ୍ରୀ ଅଭାବରୁ ବିଭିନ୍ନ ସ୍କୁଲ ମିଶ୍ରଣ ପ୍ରସଂଗ । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ହାଇକୋର୍ଟରେ ଏନେଇ ଆପତ୍ତି କରିଥିଲେ ଅଭିଭାବକ । ସୂଚନା ଅନୁସାରେ ୨୦ରୁ କମ୍ ପିଲା ଥିବା ସ୍କୁଲ ନିକଟ ବିଦ୍ୟାଳୟ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଥିଲେ ସରକାର । ୨୦୨୦ ମାର୍ଚ୍ଚ ମାସରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ବିରୋଧ କରି ହାଇକୋର୍ଟରେ ଆପତ୍ତି ଉଠାଇଥିଲେ ଅଭିଭାବକ । ମାନ୍ୟବର କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ୍‌ରେ କମ୍ ସଂଖ୍ୟକ ଛାତ୍ର ପଢ଼ିବା ନେଇ ରାଜ୍ୟ ସରକାରଙ୍କ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଦାୟୀ । ସ୍କୁଲଗୁଡ଼ିକୁ ଯଥେଷ୍ଟ ଭିତ୍ତିଭୂମି ଯାେଗାଇ ନଦେଇ ରାଜ୍ୟ ସରକାରଙ୍କ ପିଲା କମ୍ ଦୃଷ୍ଟିରୁ ଅନ୍ୟ ସ୍କୁଲ ସହ ମିଶାଇ ଦେବା ପ୍ରସ୍ତାବ ଏକ ବେଆଇନ୍ ପ୍ରସ୍ତାବ ବୋଲି କହିଛନ୍ତି ମାନ୍ୟବର କୋର୍ଟ । ତେବେ ଏହାରି ମଧ୍ୟରେ କିଛି ସ୍କୁଲର ମିଶ୍ରଣ ହୋଇସାରିଥିବା ବେଳେ ଅନ୍ୟ କିଛି ସ୍ଥାନରେ ମିଶ୍ରଣ ହେବାର ବାକି ଅଛି । କିନ୍ତୁ ଏହାକୁ ବିରୋଧ କରି କିଛି ଅଭିଭାବକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ମାନ୍ୟବର କୋର୍ଟ ଅଭିଭାବକଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ପରେ ମଧ୍ୟପ୍ରଦେଶରେ ଜର୍ଣ୍ଣାଲିଷ୍ଟ ଯୋଦ୍ଧା

କରୋନା ନିୟମର ଖୋଲା ଉଲ୍ଲଂଘନ: ବାହାରେ ତାଲା ଭିତରେ ଚାଲିଥିଲା ପାଠ ପଢ଼ା

ଭୁବନେଶ୍ୱର: କରୋନା ନିୟମର ଖୋଲା ଉଲ୍ଲଂଘନ ଅଭିଯୋଗ । କୋଭିଡ କଟକଣାକୁ ଖାତିର ନକରି ସ୍କୁଲରେ ଚାଲିଛି ପାଠପଢ଼ା । ଆଉ କେଉଁଠି ନୁହେଁ  ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଭୁବନେଶ୍ବରର ବଡ଼ଗଡ଼ ଓମ୍ ଗୁରୁକୁଳ ସ୍କୁଲରେ ବେଆଇନ ଭାବେ ଚାଲିଥିଲା ପଠପଢ଼ା । ୩୦ରୁ ଅଧିକ ପିଲାଙ୍କୁ ନେଇ ପାଠ ପଢ଼ାଯାଉଥିବା ଦେଖିବାକୁ ମିଳିଛି । ଖବର ପାଇ ବିଏମସି ସ୍କ୍ବାଡ ସମେତ କମିଶନରେଟ୍ ପୋଲିସ ପହଞ୍ଚି ଯାଞ୍ଚ କରୁଛି । ତେବେ ସେଠାରେ ଥିବା ପିଲାମାନେ ସେମାନଙ୍କ ସମ୍ପର୍କୀୟଙ୍କ ପିଲା । ସେମାନେ ସ୍ଥାୟୀ ଭାବେ ଏଠାରେ ରହୁଛନ୍ତି ବୋଲି ସଫେଇ ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।  ସମ୍ପ୍ରତି ଦେଶ ଓ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି ସରକାର । ଏଥିସହିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ, ସରକାର ଲକ୍‌ଡାଉନ୍ ଲାଗୁ କରିବାକୁ ମଧ୍ୟ ବାଧ୍ୟ ହୋଇଛନ୍ତି । ଏଣୁ ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଲକ୍‌ଡାଉନ୍ । ଏଭଳି ପରିସ୍ଥିତିରେ ରାଜଧାନୀରେ ଘରୋଇ ସ୍କୁଲରେ ଶିକ୍ଷାଦାନ ନିୟମର ଖୋଲା ଉଲ୍ଲଂଘନ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୮୨୧୬ କରୋନା ସଂକ୍ରମିତ ଚିହ୍ନଟ

୩୦ ହଜାରଙ୍କୁ ମାଗଣା ଟିକା ଦେବ ୟଶରାଜ ପ୍ରଡକ୍ସନ୍

ମୁମ୍ବାଇ: ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି କରୋନାର ଦ୍ୱିତୀୟ ପର୍ଯ୍ୟାୟ । ଗୋଟିଏ ପଟେ ଦେଶରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ଜାରି ରହିଥିବା ବେଳେ ଦିନକୁ ଦିନ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ମୁଣ୍ଡବ୍ୟଥାର କାରଣ ସାଜିଛି । ଏଭଳି ସ୍ଥିତିରେ କୋଭିଡ ଶଯ୍ୟା ଅଭାବ ଏବଂ ଅକ୍ସିଜେନର ଘୋର ଅଭାବ ଲୋକଙ୍କ ନିଦ ହଜେଇ ଦେଇଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତା, ରାଜନେତା ଓ ବଲିଉଡ ସେଲିବ୍ରିଟି କେହି ମଧ୍ୟ ଏଥିରୁ ବାଦ୍ ପଡ଼ିନାହାଁନ୍ତି । ଏଭଳି ସ୍ଥିତିରେ କେବଳ ସଚେତନତା ହିଁ ଏକମାତ୍ର ଚାବିକାଠି । ଦେଶରେ ,ଏଭଳି ଦୁର୍ଦ୍ଦିନକୁ ନଜରରେ ରଖି ଅନେକ ଲୋକ ନିଜ ସକ୍ଷମ ଅନୁସାରେ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି । ନିକଟରେ କରୋନା ସ୍ଥିତିକୁ ନଜରରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛି ୟଶରାଜ ଫିଲ୍ମ ପ୍ରଡକ୍ସନ । ୟଶରାଜ ପ୍ରଡକ୍ସନ ହାଉସ ୩୦ ହଜାର ସିନେ କର୍ମଚାରୀଙ୍କୁ ମାଗଣାରେ ଟୀକାକରଣ କରାଇବାକୁ ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ, ଏହି ଟୀକାକରଣର ସମ୍ପୂର୍ଣ୍ଣ ଖର୍ଚ୍ଚ ୟଶରାଜ ପ୍ରଡକ୍ସନ୍ ହାଉସ୍ ବହନ କରିବ । FWICE ସଭାପତି ବି. ଏନ.ତିୱାରୀ  ୟଶରାଜର ଏଭଳି ନିଷ୍ପତ୍ତିକୁ ସ୍ୱାଗତଯୋଗ୍ୟ କହିଛନ୍ତି ।  ନେଇ ଗଣମାଧ୍ୟମ ସହ ବିଶେଷ ଆଲୋଚନା କରିଛନ୍ତି  ବି. ଏନ ତିୱାରୀ । ତିୱାରୀଙ୍କ କହିବା ଅନୁସାରେ, ‘ଗତ କିଛି ଦିନ ହେବ ପ୍ରଡକ୍ସନ ହାଉସ ସହିତ ସିନେ କର୍ମଚାରୀଙ୍କୁ ସାହାଯ୍ୟ କରିବା ନେଇ ଆଲୋଚନା ହେଉଥିଲା । ତେବେ ତାଙ୍କ ଫେଡେରେସନକୁ ୟଶ ରାଜ ଫିଲ୍ମସ ପକ୍ଷରୁ ଏକ ଚିଠି ଆସିଛି । ଯେଉଁଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମତି ନିଆଯାଇଛି ଉଲ୍ଲେଖ ଅଛି। ଚିଠି ଅନୁଯାୟୀ, ୩୦ ହଜାର ସିନେ କର୍ମଚାରୀଙ୍କୁ ମାଗଣାରେ ଟିକା ଦିଆଯିବ। ୟଶରାଜ ଚଳଚ୍ଚିତ୍ର ଏହାର ଆୟୋଜନ ଏବଂ ସଚେତନତା ଅଭିଯାନ ପରି ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବହନ କରିବ ।

ଏହି ବିଷୟରେ ଅଧିକ ଆଲୋଚନା କରୁଥିବାବେଳେ, ବି ଏନ ତିୱାରୀ କହିଛନ୍ତି, ତାଙ୍କ ଫେଡେରେସନ୍, FWICE କୁ ମଧ୍ୟ ୟଶରାଜ ବ୍ୟାନର ଆଦିତ୍ୟ ଚୋପ୍ରା, ସିଇଓ ଋଷଭ ଚୋପ୍ରାଙ୍କ ପକ୍ଷରୁ ଏକ ଚିଠି ପଠାଯାଇଛି । ଏହା ମାଧ୍ୟମରେ ଜଣାଯାଇଛି ଯେ ୟଶ ରାଜ ଫିଲ୍ମସ୍, ୩୦ ହଜାର କର୍ମଚାରୀଙ୍କୁ ଟିକା ଦେବା ପାଇଁ ମହାରାଷ୍ଟ୍ର ସରକାରଙ୍କଠୁ ଅନୁମତି ମାଗିଛନ୍ତି। ଅନ୍ୟ ବଡ଼ ଏବଂ ସମ୍ମାନିତ ପ୍ରଡକ୍ସନ ହାଉସ ଗୁଡ଼ିକ ମଧ୍ୟ ସହଯୋଗର ହାତ ବଢାଇବେ। ତାଙ୍କ ଫେଡେରେସନ୍ ୟଶ ରାଜଙ୍କ ଏହି ସହଯୋଗକୁ ପ୍ରଶଂସା କରିଛି ।

ସାମ୍ୱାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେଲେ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତିକୁ ସ୍ୱାଗତ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ମହାମହିମ ରାଜ୍ୟପାଳ ପ୍ରଫେଶର ଗଣେଶୀଲାଲ । ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଘୋଷଣାକୁ ସମ୍ମାନ ଜଣାଇଲେ ଗଣେଶୀ ଲାଲ । ଜନସାଧାରଣଙ୍କୁ ସଚେତନ କରିବାରେ ସାମ୍ବାଦିକଙ୍କ ଭୂମିକା ଖୁବ ରହିଛି । ଏପରି କୋଭିଡ ସମୟରେ ଲୋକଙ୍କ ପାଖରେ ସଠିକ ଖବର ପହଞ୍ଚାଉଛନ୍ତି ସାମ୍ବାଦିକମାନେ । ତେଣୁ ରାଜ୍ୟସରକାରଙ୍କ ଏ ନିଷ୍ପତ୍ତି ଖୁବ ସ୍ବାଗତଯୋଗ୍ୟ ବୋଲି ଟ୍ବିଟ୍ କରି ପ୍ରଶଂସା କରିଛନ୍ତି ରାଜ୍ୟପାଳ ।

ଗତ କିଛି ଦିନ ପୂର୍ବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ମାନ୍ୟତା ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବା ସହ କହିଛନ୍ତି- ସାମ୍ବାଦିକମାନେ ନିରବଚ୍ଛିନ୍ନ ଭାବେ ଖବର ପ୍ରସାରଣ କରି ଲୋକଙ୍କୁ ସଚେତନ କରୁଛନ୍ତି । ମହାମାରୀ କୋଭିଡ୍ ସମୟରେ ଲୋକଙ୍କ ନିକଟରେ ପ୍ରତିଟି ଖବର ସମୟରେ ପହଞ୍ଚାଉଛନ୍ତି ସାମ୍ବାଦିକ । କୋଭିଡ୍ ବିରୋଧୀ ଯୁଦ୍ଧରେ ସାମ୍ବାଦିକ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଏହାର ଲାଭ ପାଇବେ । ଏହି ଯୋଜନାରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି ।

କୋଭିଡ୍ ସମୟରେ କାର୍ଯ୍ୟରତ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସ୍ୱାଗତ କରିଛନ୍ତି । ଏହା ସାମ୍ବାଦିକମାନଙ୍କୁ ବିଶେଷ ଭାବେ ସହାୟକ ହେବ । ସାମ୍ବାଦିକମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓ ଦୃଢ଼ ସହଯୋଗ ଥିବା ଟ୍ୱିଟ୍ କରିଛନ୍ତି ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟର ସାମ୍ବାଦିକମାନେ ମଧ୍ୟ ସ୍ୱାଗତ କରିଛନ୍ତି ।