ବିପଦରେ ଫ୍ଲାଟ ବାସିନ୍ଦା: ହାଇଟେକ୍ ବିରୁଦ୍ଧରେ ହେବ ଗାନ୍ଧିଗିରି

ଭୁବନେଶ୍ୱର: ହାଇଟେକ୍ ବିଲ୍ଡର୍ସ ଆଣ୍ଡ ପ୍ରମୋଟର ସଂସ୍ଥାର ନିରନ୍ତର ଅବହେଳା, ଖାମ ଖିଆଲ ନୀତି ଏବଂ ଗ୍ରାହକ ଶୋଷଣ ବିରୁଦ୍ଧରେ ଆରମ୍ଭ ହେବାକୁ ଯାଉଛି ଗାନ୍ଧିଗିରି। ସୁନ୍ଦରପଦା ଅଞ୍ଚଳର କୁହା ସ୍ଥିତ କଲ୍ୟାଣ ପ୍ଲାଜା ଆନେକ୍ସର ଫ୍ଲାଟ ମାଲିକମାନେ ଏହି ନିଷ୍ପତ୍ତି ନେଇଛନ୍ତି। ହାଇଟେକ୍ ସଂସ୍ଥା ପକ୍ଷରୁ ଏଠାରେ ଅନ୍ତେବାସୀଙ୍କ ସୁରକ୍ଷା ଲାଗି ମୁତୟନ କରାଯାଇଥିବା ସୁରକ୍ଷା କର୍ମୀମାନେ ସେମାନଙ୍କ ପ୍ରତି ବିପଦର କାରଣ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ସୁରକ୍ଷାକର୍ମୀମାନେ ଅନେକ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ ମଧ୍ୟ ହାଇଟେକ୍ କର୍ତ୍ତୃପକ୍ଷ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଏପରିକି ତାଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହେୁଥିବା ଅଭିଯୋଗ ହୋଇଛି।

ଏ ସମ୍ବନ୍ଧରେ ଗୃହ ମାଲିକ ସଂଘ (କେପିଏଓଡବ୍ଲୁଏ) ପକ୍ଷରୁ ବିଲ୍ଡରଙ୍କ ନିକଟକୁ ଏକ ପତ୍ର ଲେଖାଯାଇଛି। ଏହି ପତ୍ରରେ କମ୍ପାନୀର ଦୁଇ ନିର୍ଦେଶକ ତିରୁପତି ଚୌଧରୀ ଏବଂ ମଧୁସୂଦନ ପାଣିଗ୍ରାହୀଙ୍କୁ କୁହାଯାଇଛି ଯେ, ବାରମ୍ବାର ପ୍ରମାଣ ଭିତ୍ତିକ ଅଭିଯୋଗ ଦାଖଲ ପରେ ମଧ୍ୟ ହାଇଟେକ୍ କର୍ତ୍ତୃପକ୍ଷଙ୍କ ନୀରବତା ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। କେବଳ ସିକ୍ୟୁରିଟି କର୍ମଚାରୀ ନୁହଁନ୍ତି, ଏଠାର ମେଣ୍ଟେନାନ୍ସ କର୍ମଚାରୀ ମଧ୍ୟ ଏଠାରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ବିଭିନ୍ନ ସମୟରେ ରେକର୍ଡ଼ କରାଯାଇଥିବା ସିସିଟିଭି ଫୁଟେଜ୍ରୁ ଏହା ସ୍ପଷ୍ଟ ହୋଇଛି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସିକ୍ୟୁରିଟି ଦାୟିତ୍ବରେ ରଖାଯିବା ହେତୁ ସେମାନେ ଅନ୍ତେବାସୀଙ୍କୁ ବିଭିନ୍ନ ସମୟରେ ଧମକାଉଥିବା ଅଭିଯୋଗ ହୋଇଛି।

ଯଦି ଏ ସମସ୍ୟାର ସମାଧାନ ପାଇଁ କୌଣସି ବ୍ୟବସ୍ଥା କରା ନଯାଏ ତେବେ ବିଲ୍ଡର ଅଫିସ୍ ସମ୍ମୁଖରେ ସେମାନେ ଗାନ୍ଧିଗିରି ପାଳନ କରିବେ ବୋଲି ସୋସାଇଟିର ସଭାପତି ରବୀନ୍ଦ୍ର ନାଥ ରଥ ଏବଂ ସମ୍ପାଦକ ସୁଦର୍ଶନ ମଣ୍ଡଳ ଜଣାଇଛନ୍ତି। ଏହା ପୂର୍ବରୁ ବିଭିନ୍ନ ଅଭିଯୋଗ ନେଇ ଘର ମାଲିକମାନେ ବିଲ୍ଡର ଅଫିସ ସମ୍ମୁଖରେ ଦୁଇଥର ଧାରଣାରେ ବସିଥିଲେ। ଏଥର ଲକଡାଉନ ଖୋଲିବା ମାତ୍ରେ ଅନୁରୂପ ଭାବେ ପ୍ରତିବାଦ କରାଯିବ ବୋଲି ସେମାନେ ଜଣାଇଛନ୍ତି।

Leave a Reply