spot_img
Home Blog Page 5594

ଆଜି ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିନ

ଭୁବନେଶ୍ୱର:  ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିନ । ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକଡାଉନ୍ ସହ ସଟଡାଉନ୍ ଫର୍ମୁଲା ଆପଣାଇଛନ୍ତି ରାଜ୍ୟ ସରକାର । ସଟଡାଉନ୍ ପ୍ରଭାବରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର । ଗାଡି ଚଳାଚଳ ବି ବନ୍ଦ ରହିଛି । ଟ୍ୱିନ୍‌ ସିଟିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ନିୟମ ମାନି ଲୋକେ ଚଳିବା ପାଇଁ ଅପିଲ୍ କରିଛନ୍ତି ସରକାର । କରୋନା ସଂକ୍ରମଣକୁ ଚେକ୍ ଦେବା ପାଇଁ ରାଜ୍ୟରେ ଲକଡାଉନ ସହ ପ୍ରତି ଶନିବାର ଓ ରବିବାର ସଟଡାଉନ ଜାରି ରହିଛି ।

ସାରା ଦେଶରେ କରୋନା ସଂକ୍ରମଣ ଏକ ପ୍ରକାରର ବଢୁଥିବା ବେଳେ ଏହି ସଂକ୍ରମଣ ଚେନ୍‌ରେ ବ୍ରେକ୍‌ ଦେବାପାଇଁ ବିଭିନ୍ନ ରାଜ୍ୟରେ ସରକାର ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଛନ୍ତି । ଏହାଦ୍ୱାରା ସଂକ୍ରମଣ ହାର କମ୍‌ ହୋଇପାରିବ । ବିଶ୍ୱବ୍ୟାପୀ ମହାମାରୀ ସମୟରେ ସରକାରଙ୍କ ଗାଇଡଲାଇନ ମାନିବା ହିଁ ଶ୍ରେୟ ହେବ ।

ଫେସବୁକରେ ଅପଲୋଡ କଲେ ହାତର କମାଲ, ଓଡିଶାର ଚିତ୍ରଶିଳ୍ପୀ ପାଇଲେ ଗିନିଜ ବିଶ୍ୱ ରେକର୍ଡ

ଭୁବନେଶ୍ୱର: Radart foundation (Indore, M. P) ର ନିର୍ଦ୍ଦେଶକ ମୟଙ୍କ ଭ୍ୟାସ ଏବଂ IARF (international Artists Radart foundation ) ର ମୁଖ୍ୟ ଡଃ ମହିମା ଗୁପ୍ତା (USA) ଙ୍କ ସହଭାଗିତା ରେ ଗତ 2021 ମଇ 2 ତାରିଖରେ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ଚିତ୍ରକଳା ଫେସବୁକରେ ଭାରତ ସମେତ ବିଭିନ୍ନ ଦେଶ ବିଦେଶର ଚିତ୍ରଶିଳ୍ପୀ ମାନେ ଅପଲୋଡ଼ କରି ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିବାର ଗୌରବ ଅର୍ଜନ କରିପାରିଛନ୍ତି। ଏହି ଅନଲାଇନ ପ୍ରତିଯୋଗିତାରେ ଆମ ଦେଶର 26 ରାଜ୍ୟର 184 ସହରରୁ 900 ଜଣ ଚିତ୍ରଶିଳ୍ପୀଙ୍କ ସମେତ 112 ବିଦେଶ ର 200 ଚିତ୍ରଶିଳ୍ପୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ 1149 ଟି ଅପଲୋଡ଼ କଳାକୃତି ମଧ୍ୟରୁ ମୋଟ 797 ଟି ଚିତ୍ରକଳା ବିଶ୍ୱ ରେକର୍ଡ ର ସହଭାଗିତା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଥିଲା।

ଏଥିରେ ପାରମ୍ପରିକ ଚିତ୍ରକଳା ସହ କାନଭାସ ରେ ଆକ୍ରିଲିକ ରଙ୍ଗ, ଜଳରଙ୍ଗ ଏବଂ ତୈଳ ରଙ୍ଗ ମାଧ୍ୟମରେ ବିଭିନ୍ନ ବିଷୟବସ୍ତୁକୁ ନେଇ ଅଙ୍କିତ ଚିତ୍ରକଳା କୁ ଦେଶ ବିଦେଶର ଖ୍ୟାତିସଂପନ୍ନ ଚିତ୍ରଶିଳ୍ପୀମାନେ ଅପଲୋଡ କରି ଏହି ବିରଳ ସଫଳତାର ମୁକୁଟ ପିନ୍ଧିବା ପାଇଁ ସହଭାଗିତା ହୋଇ ପାରିଥିଲେ। ପ୍ରକାଶ ଥାଉକି ଏହି ସଫଳତା ହାସଲ କରିବା ପାଇଁ ଓଡ଼ିଶାର ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀଙ୍କ ଭୂମିକା ମଧ୍ୟ କିଛି କମ୍ ନୁହେଁ। ଏହି ଅନଲାଇନ ପ୍ରତିଯୋଗିତାରେ ଓଡ଼ିଶା ର ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ତଥା କଳାଶିକ୍ଷକ  ରବୀନ୍ଦ୍ର କୁମାର ମହାରଣା ଙ୍କ ପଟ୍ଟଚିତ୍ର ଶୈଳୀରେ ନିର୍ମିତ କନ୍ଦର୍ପରଥ ସମେତ ଭୁବନେଶ୍ୱର ଆନ୍ତର୍ଜାତିକ ଚିତ୍ରଶିଳ୍ପୀ ଅଶୋକ ପଟ୍ଟନାୟକ ,ଡଃ ସୁଚରିତା ପ୍ରିୟଦର୍ଶୀନି ଓ ମହେନ୍ଦ୍ର ଅଗ୍ରୱାଲ , ଭଦ୍ରକରୁ କ୍ରିତିକୃଷ୍ଣ ପଣ୍ଡା ଓ ସ୍ନେହାଶିଷ ପଣ୍ଡା, ପୁରୀ ରୁ ନିର୍ମଳ ଜେନା ଓ ମାହାଲି ଦାସ, ସମ୍ବଲପୁର ରୁ ଅର୍ଣବ ଆଶୁତୋଷ ପ୍ରଧାନ, ବାରିପଦାରୁ ମହେନ୍ଦ୍ରନାଥ ଦଣ୍ଡପାଟ, କରଞ୍ଜିଆ ରୁ ମନୋଜ କୁମାର ପାତ୍ର ଏବଂ ରାଉରକେଲା ରୁ ଜୋସ୍ନାରାଣି ନନ୍ଦ ପ୍ରମୁଖ ଚିତ୍ରଶିଳ୍ପୀ ନିଜ ନିଜର କଳାକୃତି କୁ ଅପଲୋଡ଼ କରି ଭାରତ ତଥା ଓଡ଼ିଶାର କଳାଜଗତ ପାଇଁ ଗୌରବ ଆଣିଦେଇଛନ୍ତି।

ମନ୍ତ୍ରିପରିଷଦ ବୈଠକରେ ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା ନେଇ ସରକାରଙ୍କ ସଂକଳ୍ପ

ଭୁବନେଶ୍ୱର: ମନ୍ତ୍ରିପରିଷଦ ବୈଠକରେ ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା ନେଇ ସରକାର ସଂକଳ୍ପ ପାରିତ କରିଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଂପୃକ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । କୋଭିଡ-୧୯ ଆମ ସମସ୍ତଙ୍କ ପାଇଁ ଏକ ନୂଆ ବାସ୍ତବତା । ବାତ୍ୟା ଆସେ ଏବଂ ଯାଏ । କିନ୍ତୁ ଏହି ମହାମାରୀ ମାନବ ଜାତି ପାଇଁ ସଂକଟର ଦୁଇଟି ନୂଆ ଦିଗ ଆଣିଛି । ଗୋଟିଏ ଦିଗ ହେଉଛି, ଏହି ସଂକଟ କେତେବେଳେ ଆସିବ, କେତେବେଳେ ଯିବ, କେହି କହିପାରିବେ ନାହିଁ । ଦ୍ବିତୀୟଟି ହେଉଛି, ଏହି ସଂକଟଟି କେତେବେଳେ କି ପ୍ରକାର ରୂପ ନେବ, ତାହା ମଧ୍ୟ ଆକଳନ କରିବା ଅସମ୍ଭବ ।

ବର୍ତ୍ତମାନ ଆମ ପାଇଁ ସମୟ ଆସିଛି, ଆମକୁ ରାଜ୍ୟରେ ଜ୍ଞାନର ଏକ ବିସ୍ତୃତ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ, ଯାହାଦ୍ବାରା କି ଆମେ ସମସ୍ତେ ନିଜକୁ ଜଣେ ଜଣେ ଯୋଦ୍ଧା ଭାବରେ ଗଢିପାରିବା । ଅଜଣା ଅଶୁଣା ପରିସ୍ଥିତିର କିପରି ମୁକାବିଲା କରିବାକୁ ହେବ, ସେ ବିଷୟରେ ସବୁ ଲୋକଙ୍କୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ବର୍ତ୍ତମାନଠାରୁ ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପର୍ଯନ୍ତ ସବୁ ବିଷୟରେ ‌ଜ୍ଞାନ ଆହରଣ କରିବେ ଏବଂ ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ । ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାର ପରିଚାଳନା, ସରକାରୀ ଚାକିରି ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ହେବ । ବିପର୍ଯ୍ୟୟ ସମୟରେ ଆମର ନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ।

ତେଣୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧି ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ତାଲିମ ନେବେ । ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ମଧ୍ୟ ଏ ସଂପର୍କରେ ତାଲିମ ଦିଆଯିବ । ଏହି ଲକ୍ଷ୍ୟ ପୂରଣ ପାଇଁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ସଂକଳ୍ପ ପାରିତ କରୁଅଛି । ଏହା ଓଡିଶାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢିତୋଳିବ । ଏ ସଂପର୍କରେ ସରକାରଙ୍କ ଲକ୍ଷ୍ୟ ହେଉଛି ଯେକୌଣସି ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ଓଡିଶାର ଘରେ ଘରେ ଯୋଦ୍ଧା ସୃଷ୍ଟି କରିବା । ଏହି ମିଶନକୁ ଆଗେଇ ନେଇ ଓଡିଶାକୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପ୍ରତିରୋଧୀ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ । ଭବିଷ୍ୟତରେ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ଏହା ହେବ ଆମର ସର୍ବ ବୃହତ ପ୍ରସ୍ତୁତି ବୋଲି ସଂକଳ୍ପ ନିଆଯାଇଛି  ।

ମନ୍ତ୍ରୀ ପରିଷଦ ବୈଠକରେ ନବୀନଙ୍କ ଉଦବୋଧନ: ସ୍ୱାସ୍ଥ୍ୟସେବା ପରିଚାଳନାରେ ଓଡ଼ିଶା ସଫଳ, ତଥାପି ରହିଛି ଆହ୍ୱନ..

ଭୁବନେଶ୍ୱର: ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀ ପରିଷଦ ବୈଠକ । ବୈଠକରେ 3ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଛି । ବୈଠକରେ ମନ୍ତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, କୋଭିଡ ପରିଚାଳନା ନେଇ ଆଲୋଚନା ହୋଇଛି । ଏ ଅବସରରେ ଦୁଇ ବର୍ଷର ଉପଲବ୍ଧି ବଖାଣିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ବିପର୍ଯ୍ୟୟ ମୁକାବିଲା ନେଇ ତଥ୍ୟ ଦେଇଛନ୍ତି ଏସଆରସି । କହିଛନ୍ତି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ବର ଏକ ମଡେଲ । ତେବେ ଜଳବାୟୁ ପରିବର୍ତ୍ତନ ପାଲଟିଛି ବଡ଼ ଆହ୍ବାନ । ସେହିପରି ଆଗକୁ ଅଧିକ କରୋନା ଭ୍ୟାରିଆଣ୍ଟ ଆସିବ, ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ସ୍ବାସ୍ଥ୍ୟସେବା ପରିଚାଳନାରେ ମଧ୍ୟ ଓଡ଼ିଶା ସଫଳ ହୋଇଛି ।

ସଂକ୍ରମଣର ବ୍ୟାପିବା ଦ୍ବାରା ଅଧିକ ଚାପର ସମ୍ମୁଖୀନ ହୋଇନାହୁଁ । ବରଂ କରୋନା ମୁକାବିଲା ନେଇ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଅକ୍ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରାଯାଇଛି । ବାହାର ରାଜ୍ୟକୁ ମଧ୍ୟ ଅକ୍ସିଜେନ ଯୋଗାଉଛନ୍ତି ରାଜ୍ୟ ସରକାର । ସରକାର ଏବେ ଟିକାକରଣ ଉପରେ ଫୋକସ୍‌ କରିଛନ୍ତି । ନିଜ ସମ୍ବଳର ଉପଯୋଗ କରି ମାଗଣାରେ ଟିକାକରଣ ଚାଲିଛି । ଓଡ଼ିଶାବାସୀଙ୍କ ସହଯୋଗକୁ କୃତଜ୍ଞତା ଜଣାଇଛନ୍ତି ସରକାର । ପାଠ୍ୟକ୍ରମରେ ସ୍ଥାନ ପାଇବ ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା । ଏନେଇ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ପାରିତ ହୋଇଛି । ଛାତ୍ରଛାତ୍ରୀ, ନିର୍ବାଚିତ ପ୍ରତିନିଧି, ଅଫିସରଙ୍କୁ ଏନେଇ ତାଲିମ ଦିଆଯିବ । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ତାଲିମ ନେବେ ମିଶନ ଶକ୍ତି ସଦସ୍ୟ । 5-ଟି ସରକାରଙ୍କ ପଞ୍ଚମ ପାଳିର ମୁଖ୍ୟ ଫୋକସ୍‌ରେ ରହିଛି । ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପଦେକ୍ଷପ ନିଆଯାଉଛି । ଲୋକଙ୍କ ସହ ସିଧାସଳଖ ସମ୍ପର୍କରେ ଅଛନ୍ତି ସରକାର ।

`ମୋ ସରକାର’ ଫିଡବ୍ୟାକ୍‌ ଜରିଆରେ ନିଆଯାଉଛି ମତାମତ । ସ୍ବାସ୍ଥ୍ୟ ଭିତ୍ତିଭୂମିରେ 8,500 କୋଟି ପୁଞ୍ଜି ବିନିଯୋଗ ହୋଇଛି । ଏସସିବି ମେଡିକାଲ ପାଇଁ 3500 କୋଟି ଟଙ୍କା ବଜେଟ ଅଛି । ବର୍ଷକ ମଧ୍ୟରେ 786 ଡାକ୍ତର, 5137 ପାରାମେଡିକାଲ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପିଲାଙ୍କ ଦକ୍ଷତା ବିକାଶ ପାଇଁ ହଜାରେରୁ ଅଧିକ ସ୍କୁଲରେ କାର୍ଯ୍ୟକ୍ରମ ଚାଲିଛି । କ୍ରୀଡା ପାଇଁ ରାଉରକେଲା ବୃହତମ ହକି ଷ୍ଟାଡିୟମ ନିର୍ମାଣ ଚାଲିଛି । କାଳିଆ ଯୋଜନାରେ 6118 କୋଟି ଟଙ୍କା ଦିଆଯିବ । ମିଶନ ଶକ୍ତି ପାଇଁ ସୃଷ୍ଟି ହୋଇଛି ସ୍ବତନ୍ତ୍ର ବିଭାଗ । ସେହିପରି ପଞ୍ଚାୟତିରାଜକୁ ଶସକ୍ତ କରିବାକୁ 11287 କୋଟି ଟଙ୍କା ଅନୁଦାନ ପ୍ରଦା ନ କରାଯାଇଛି । ଲୋକଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏଣୁ ମହାମାରୀ ସତ୍ବେ ଓଡ଼ିଶା ବିଜୟୀ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଛି ।

ବଢିଲା ବିମାନ ଭଡା, ଏଣିକି ଗୋଟିଏ ଟିକେଟ୍ ପାଇଁ ୧୩ରୁ ୧୬ ପ୍ରତିଶତ ଅଧିକ ମୂଲ୍ୟ ଦେବେ ଯାତ୍ରୀ

ନୂଆଦିଲ୍ଲୀ: ବଢିଲା ବିମାନ ଭଡା । ଏଣିକି ଗୋଟିଏ ଟିକେଟ୍ ପାଇଁ ୧୩ରୁ ୧୬ ପ୍ରତିଶତ ଅଧିକ ମୂଲ୍ୟ ଦେବେ ଯାତ୍ରୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଭଡା ବଢାଇଥିବା ସୂଚନା ରହିଛି । ଜୁନ୍ ମାସ ପ୍ରଥମରୁ ଏହି ନୂଆ ରେଟ୍ ଲାଗୁ କରାଯିବ । ସର୍ବନିମ୍ନ ସୀମାର ଯାତ୍ରା ଉପରେ ୧୩ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି କରାଯାଇଛି । ଉଚ୍ଚ ସୀମାର ଯାତ୍ରା ଭଡ଼ା ଅପରିବର୍ତ୍ତିତ ରହିଛି ।

କରୋନାର ୨ୟ ଲହରରେ ବିମାନ କମ୍ପାନୀଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ସହାୟତା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଦେଶନାମା ଅନୁସାରେ, ୪୦ ମିନିଟର ବିମାନ ଯାତ୍ରା ପାଇଁ ସର୍ବନିମ୍ନ ସୀମାରେ ବିମାନ ଭଡ଼ା ୨୩୦୦ ଟଙ୍କାରୁ ୨୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହା ପୂର୍ବ ଭଡ଼ା ତୁଳନାରେ ୧୩ ପ୍ରତିଶତ ଅଧିକ । ସେହିପରି ୪୦ରୁ ୬୦ ମିନିଟର ଯାତ୍ରା ପାଇଁ ସର୍ବନିମ୍ନ ସୀମାରେ ବିମାନ ଭଡ଼ା ୨୯୦୦ ଟଙ୍କାରୁ ୩୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ପୁଅକୁ ଅଜଣା ରୋଗ, ଜମିବାଡ଼ି ବିକି ସହାୟତା ଆଶାରେ ଅସହାୟ ବାପା…

ବରଗଡ଼: ବରପାଲି ବ୍ଲକ କୁମ୍ଭାରୀ ଗ୍ରାମ ବନ୍ଦପଡା ଠାରେ ରହୁଥିବା 75ବର୍ଷୀୟ ଗୌରଚରଣ ସାହୁଙ୍କ ଦୁଇ ପୁଅ ଝିଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି । ପୁଅ ଝିଅଙ୍କ ଚିକତ୍ସା ବାବଦକୁ ଜମି ବାଡ଼ି, ସୁନା ରୁପା, ଏପରିକି ଘରର ବାସନ ମଧ୍ୟ ବିକ୍ରି କରିଦେଇ ଶେଷରେ ସରିଯାଇଛି । ଦୁଇ ଛୁଆଙ୍କ ଚିକତ୍ସା ନିମନ୍ତେ ସୁଦୂର ବେଙ୍ଗଲୋର ନିମହାନ୍ସ ହସ୍ପିଟାଲ, ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନେଇଯାଇଥିବା ବେଳେ କଟକ,ବୁର୍ଲା କଥା କିଏ ପଚାରେ । ଶେଷରେ ସବୁ ସରିଯିବା ପରେ ବାର ଘର ଶୁଣ୍ଢିପିଣ୍ଡା ସାଜି ଭାଗ୍ୟକୁ ଆଦରି ନିଜ ଅର୍ଧନିର୍ମିତ କୁଡ଼ିଆ ଘରେ ସହାୟତା ଅପେକ୍ଷାରେ ଚାହିଁ ରହିଛନ୍ତି ଅସହାୟ ପରିବାର ।

75ବର୍ଷୀୟ ଗୌରଚରଣ ସାହୁଙ୍କ ପରିବାର କହିଲେ ସ୍ତ୍ରୀ ଅମ୍ବିକା ସାହୁ ସମେତ ଦୁଇପୁଅ ଝିଅ ଯିଏକି ଦିନେ ଖେଳ କୂଦ କରି ଦୌଡୁ ଥିଲେ ଏବଂ ସ୍କୁଲରେ ପାଠ ମଧ୍ୟ ପଢ଼ୁଥିଲେ । ହେଲେ ହଠାତ ଏହି ହସଖୁସିର ପରିବାରକୁ ଗ୍ରହଣ ଲାଗିଯାଇଥିଲା ଏବଂ ଗୋଟେ ପରେ ଗୋଟେ ଉଭୟ ସନ୍ତାନ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇପଡିଥିଲେ।ଯେଉଁ ବୟସରେ ପୁଅ ଝିଅ ମା ବାପାଙ୍କ ସେବା କରିବା କଥା ସେ ବୟସରେ ବୃଦ୍ଧା ବାପା ମା ପୁଅ ଝିଅଙ୍କ ସେବା କରୁଛନ୍ତି ।ଏପରିକି ସାମନ୍ୟ ପରିସ୍ରା, ଶୌଚ କରିବା ପାଇଁ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟା ସ୍ଥାନକୁ ବୋହିକି ନେବା ଆଣିବା କରିବାକୁ ପଡୁଛି।

ସକାଳ ହେଲେ ଖାଦ୍ୟ ସଂଗ୍ରହ ପାଇଁ ଗରିବ ମାଁ ବାପାଙ୍କୁ ଘାରିଛି ବଡ଼ ଚିନ୍ତା । ସରକାରୀ ସ୍ତରରେ ମିଳୁଥିବା ୩୫କେଜି ଚାଉଳ ରେ କିଛି ଦିନ ଚଳିଯାଉଥିବା ବେଳେ ବାକି ଦିନମାନଙ୍କରେ ଭାତ ମୁଠାଏ ପାଇଁ ବେଶ ହଟ-ହଟା ହେବାକୁ ପଡୁଛି ବୃଦ୍ଧ ମା, ବାପାଙ୍କୁ । ସରକାରୀ ସ୍ତରରେ ମିଳୁଥିବା କିଛି ଭତା ପଇସା ଠୁ ଢେର ଅଧିକ ହେଉଛି ଔଷଧ ବାବଦକୁ ଖର୍ଚ୍ଛ । ବାକି ଦିନ ମାନଙ୍କରେ ଅନ୍ୟ ଘରେ କୂଳି, ମଜୁରୀ କରି କିଛି ଅର୍ଥ ଉପାର୍ଜନ ହୋଇଯାଇଥାଏ ହେଲେ ବର୍ତମାନ କୋରନା ସାଜିଛି କାଳ । ଏପରି ଅବସ୍ଥାରେ କେମିତି ଘରେ ଚୁଲି ଜଳିବ ଏହା ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ସାଜିଛି । କେମିତି ଏମାନେ ବଞ୍ଚିବେ ତାହା ସମୟ କହିବ ।ମାତ୍ର ଶୀଘ୍ର କିଛି ସରକାରୀ ସହାୟତା ଏମାନେ ପାଇ ନ ପାରିଲେ ଏକ ବଡ଼ ଧରଣର ଅଭାବନୀୟ ଦୁଃଖଦ ଦୃଶ୍ୟ ଆଶଙ୍କା କରାଯାଉଛି ।

IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱରୁ ହଟିବେ ଋଷବ ! ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ଆଇପିଏଲର ୧୪ତମ ସିଜନକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଏବେ ଏହି ସିଜନକୁ ପୁନର୍ବାର ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୪ତମ ସିଜନର  ବାକିଥିବା ଅବଶିଷ୍ଟ ୩୧ଟି ମ୍ୟାଚ୍ (ଆଇପିଏଲ୍ 2021) ବର୍ତ୍ତମାନ ୟୁଏଇରେ ଖେଳାଯିବ । ବିସିସିଆଇର ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଲିଗ୍ ଆୟୋଜନ ସେପ୍ଟେମ୍ବରରେ ଆରମ୍ଭ ହେବ । ଯଦିଓ ଏପର୍ଯ୍ୟନ୍ତ ସୁଦ୍ଧା ତାରିଖ ସ୍ଥିର ହୋଇନାହିଁ।

ଆଇପିଏଲ୍ (ଆଇପିଏଲ୍ 2021)ର ଦ୍ୱିତୀୟ ପର୍ଯ୍ୟାୟରେ, ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ଏହି ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀକୁ ପଏଣ୍ଟ ଟେବୁଲର ଶୀର୍ଷକୁ ନେଇଥିବା ଋଷବ ପନ୍ଥଙ୍କଠାରୁ କ୍ୟାପଟେନ ଦାୟିତ୍ୱରୁ ହଟାଇ ଦିଆଯାଇପାରେ ।

ସୂଚନା ଅନୁଯାୟୀ, ଯଦି ଶ୍ରେୟସ୍ ଆୟର ୟୁଏଇରେ ଆଇପିଏଲ୍ 2021 ଖେଳିବାକୁ ଫିଟ୍, ତେବେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେବେ। ଆପଣଙ୍କୁ କହି ରଖୁଛୁ ଯେ, ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଆହତ ହୋଇଥିଲେ। ଫିଲ୍ଡିଂ ବେଳେ ଆଇୟର କାନ୍ଧରେ ଆଘାତ ଲାଗିଥିଲା । ଫଳରେ ସେ ଆଇପିଏଲର ପ୍ରଥମ ସିଜନ ଖେଳିପାରିନଥିଲେ । କିନ୍ତୁ ଏବେ ଶ୍ରେୟସ ଆୟର ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । ଏବଂ ସେ ଖେଳିବାକୁ ଏବେ ଫିଟ୍ ମଧ୍ୟ ଅଛନ୍ତି ।

ଅନ୍ୟପଟେ ଋଷବ ପନ୍ଥ ଆଇପିଏଲରେ ଧୋନୀଙ୍କ ଦଳ (ଚେନ୍ନାଇ) ବିରୋଧରେ ପ୍ରଥମ ମ୍ୟାଚରେ ବିଜୟ ହୋଇ ନିଜକୁ ପ୍ରମାଣିତ କରିଛନ୍ତି । ପନ୍ଥ ଦିଲ୍ଲୀକୁ ୮ଟି ମ୍ୟାଚ ମଧ୍ୟରୁ ୬ଟି ମ୍ୟାଚ ଜିତାଇବା ସହ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ଏବଂ ଚେନ୍ନାଇ ସୁପର କିଙ୍ଗ୍ ଦିଲ୍ଲୀ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।

ମୋଦିଙ୍କ ବଡ଼ ଘୋଷଣା: କରୋନା ପାଇଁ ଅନାଥ ହୋଇଥିବା ପିଲାଙ୍କ ପାଇଁ ୧୦ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ ଧ୍ୱଂସର ଲୀଳା ଦେଖାଇଛି । କୋଭିଡ -19 କାରଣରୁ ଅନେକ ପରିବାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନେକ ପିଲା ଅନାଥ ହୋଇଯାଇଛନ୍ତି। ଏବଂ ଅନେକ ଏମତି ଅଛନ୍ତି ଯେଉଁମାନଙ୍କ ପରିବାରର ଯତ୍ନ ନେବାକୁ କୌଣସି ରୋଜଗାରିଆ ସଦସ୍ୟ ଜୀବିତ ନାହାଁନ୍ତି । ତେବେ ଏହି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ପଦକ୍ଷେପ ନେଇଛନ୍ତି ।

ପିଏମ କେୟାର ଫର ଚିଲ୍ଡ୍ରେନ ସ୍କିମ୍ ମାଧ୍ୟମରେ ପିଲାମାନଙ୍କୁ ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି । ଯେଉଁମାନେ କରୋନା ମହାମାରୀ କାରଣରୁ ଉଭୟ ପିତାମାତା କିମ୍ବା ଅଭିଭାବକଙ୍କୁ ହରାଇଛନ୍ତି ସେମାନଙ୍କୁ ସହାୟତା ଦିଆଯିବ । ଏହି ସ୍କିମ ମାଧ୍ୟମରେ ଏହା ମଧ୍ୟ କୁହାଯାଇଛି ଯେ, ଏପରି ପିଲାମାନଙ୍କୁ ୧୮ ବର୍ଷ ବୟସରେ ମାସିକ ସହାୟତା ରାଶି ଏବଂ ୨୩ ବର୍ଷ ବୟସରେ PM Cares ଠାରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ।

କେବଳ ସେତିକି ନୁହେଁ, ଏହି ପିଲାମାନଙ୍କ ପାଇଁ ମାଗଣାରେ ଶିକ୍ଷା ମଧ୍ୟ ପ୍ରଦାନ କରାଯିବାର ସୁବିଧା ରହିଛି । ଏହି ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଋଣ ଦିଆଯିବ ଏବଂ ଏଥିପାଇଁ ଯାହା ସୁଧ ଆସିବ ତାହା ପିଏମ କେୟାର ପାଣ୍ଠିରୁ ଦିଆଯିବ । ୧୮ ବର୍ଷ ବୟସ ପର୍ଯ୍ୟନ୍ତ କରୋନା କାରଣରୁ ଅନାଥ ପିଲାମାନଙ୍କୁ ମଧ୍ୟ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବା ନେଇ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ରହିଛି । ଏଥିପାଇଁ ପ୍ରିମିୟମ ଯାହା ବି ହେଉ ପିଏମ କେୟାର ଦ୍ୱାରା ପ୍ରଦାନ କରାଯିବ ।
ମୋଦି କହିଛନ୍ତି ଯେ, ପିଲାମାନେ ଦେଶର ଭବିଷ୍ୟତ। ତେଣୁ, ଆମେ ଏହି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁକିଛି କରିବୁ । ସେମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ କାର୍ଯ୍ୟ କରିବା ଆମର କର୍ତ୍ତବ୍ୟ । ସେହିପରି କେଜ୍ରିୱାଲ ସରକାର ମଧ୍ୟ କରୋନା କାରଣରୁ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି।

ଦଶମ ବୋର୍ଡ ପରୀକ୍ଷା ବାତିଲ କଲା ୟୁପି ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଆଜି ମେ ୨୯ ରେ ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି। ଦିର୍ଘ ବର୍ଷେ ଧରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ସନ୍ଦେହ ଲାଗି ରହିଥିଲା । ଏହି ସନ୍ଦେହରେ ଆଜି ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ୟୁପି ସରକାର । ରାଜ୍ୟର ଶିକ୍ଷା ମନ୍ତ୍ରୀ ପରୀକ୍ଷା ବାତିଲ କରିବାକୁ ଏବଂ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁସାରେ, ୟୁପିରେ ଦଶମ ବୋର୍ଡ ପରୀକ୍ଷା ପାଇଁ ପ୍ରାୟ ୨୯ ଲକ୍ଷ ଛାତ୍ର ପଞ୍ଜୀକୃତ ହୋଇଛନ୍ତି, ଯେଉଁମାନେ ବର୍ତ୍ତମାନ ପରବର୍ତ୍ତୀ ଶ୍ରେଣୀରେ ପଦୋନ୍ନତି ପାଇବେ। ଉତ୍ତରପ୍ରଦେଶ ମାଧ୍ୟାମିକ ଶିକ୍ଷା ପରିଷଦ (UPMSP) ଚଳିତ ମାସରେ ସମସ୍ତ ବିଦ୍ୟାଳୟକୁ ଅନଲାଇନ୍ ପୋର୍ଟାଲରେ ନବମ ଫାଇନାଲ୍ ପରୀକ୍ଷା ମାର୍କ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ମେ ୨୪ ପର୍ଯ୍ୟନ୍ତ ଏକ ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ଯେଉଁ ବିଦ୍ୟାଳୟଗୁଡ଼ିକରେ ଦଶମ ପ୍ରି-ବୋର୍ଡ ପରୀକ୍ଷା ହୋଇନାହିଁ ସେହି ବିଦ୍ୟାଳୟଗୁଡ଼ିକୁ ନଜରରେ ରଖି ନବମ ଫାଇନାଲ ପରୀକ୍ଷାର ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ତେବେ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ସିବିଏସ୍ଇ ବୋର୍ଡ ସମେତ ଅନେକ ରାଜ୍ୟ ସେମାନଙ୍କର ଦଶମ ବୋର୍ଡ ପରୀକ୍ଷା ବାତିଲ କରିସାରିଛନ୍ତି । ଏହି ଆଧାରରେ ୟୁପିରେ ଦଶମ ବୋର୍ଡର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ପରୀକ୍ଷା ବାତିଲ କରିବାକୁ ଦାବି କରିଆସୁଥିଲେ ।  ଏହାକୁ ନଜରରେ ରଖି ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ଏକାଦଶ ଶ୍ରେଣୀରେ ପଦୋନ୍ନତି ଦିଆଯିବା ନେଇ ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି  ।

ଏହାସହ ଶିକ୍ଷାମନ୍ତ୍ରୀ ଦ୍ୱାଦଶ ପରୀକ୍ଷା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ‘ଦ୍ୱାଦଶ ପରୀକ୍ଷା ଜୁଲାଇର ତୃତୀୟ ସପ୍ତାହରେ କରାଯାଇପାରେ। ପରୀକ୍ଷା ନୂଆ ପାର୍ଟନ ଉପରେ ଆଧାରିତ ହେବ। ଏବଂ ୩ ଘଣ୍ଟା ବଦଳରେ ଦେଢ ଘଣ୍ଟା (୯୦ ମିନିଟ୍) ପରୀକ୍ଷା ହେବ ଏହାସହ ଛାତ୍ରଛାତ୍ରୀମାନଙ୍କୁ ୧୦ ଟି ପ୍ରଶ୍ନ ମଧ୍ୟରୁ କେବଳ ୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ତେବେ ପରୀକ୍ଷାର ତାରିଖ ଶୀଘ୍ର ପ୍ରକାଶ ପାଇବ। ‘

ନବୀନଙ୍କ ମନ୍ତବ୍ୟ: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ, ରାଜ୍ୟବାସୀଙ୍କ ସହଯୋଗକୁ ଧନ୍ୟବାଦ

ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟ ମନ୍ତ୍ରୀପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତୀ ଅବସରରେ ବସିଥିବା ବୈଠକ ସରିଛି  ।  ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା । ଏପରିକି ଆମର ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମଇ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେହିଦିନ ଠାରୁ ଆରମ୍ଭ କରି ଗତ ଦୁଇ ବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍‌ନା କରିଆସୁଛୁ । ଏହା ହେଉଛି ଏକ ଅଭୂତପୂର୍ବ ସମସ୍ୟା ଏବଂ ଆମେ ଆମର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମର ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ । ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବରେ ସ୍ବୀକୃତ ଓଡିଶା ଏ କ୍ଷେତ୍ରରେ ତାର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ କରିଛି । ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି । ଓଡିଶାରେ ଆମେ ଅତ୍ୟନ୍ତ ଗୁରୁତର ପ୍ରଭାବ ସୃଷ୍ଟିକାରୀ ବାତ୍ୟାର ବର୍ଦ୍ଧିଷ୍ଣୁ ପ୍ରକ୍ରିୟାକୁ ଅନୁଭବ କରିଆସୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

୨୦୨୦ ମାର୍ଚ୍ଚ ପର ଠାରୁ କୋଭିଡ ମହାମାରୀ ଆମର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାରେ ଏକ ନୂଆ ସମସ୍ୟା ଭାବରେ ଦେଖାଦେଇଛି । ସାରା ବିଶ୍ବର ବିଭିନ୍ନ ଦେଶ ଏହି ମହାମାରୀର ବିଭିନ୍ନ ଲହର ଦ୍ବାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ତଥାପି, ସ୍ବାଭାବିକ ଅବସ୍ଥାକୁ ଫେରିବା ଆଜି ଏକ ଆହ୍ବାନ। କରୋନା ଭାଇରସ୍‌ ସଂକ୍ରମଣର ସଫଳ ନିୟନ୍ତ୍ରଣ ପୂର୍ବରୁ, ମାନବ ସମାଜକୁ ଏହି ମହାମାରୀର କେତେ ଲହର ଓ ଏହି ଭାଇରସ୍‌ର କେତେ ଅଧିକ variantର ସମ୍ମୁଖୀନ ହେବାକୁ ପଡିବ, ତାହା ବର୍ତ୍ତମାନ କେହି ସଠିକ ଭାବରେ କହିବା ସମ୍ଭବ ନୁହେଁ । ଏହା ହିଁ ହେଉଛି ବାସ୍ତବତା ଏବଂ ଆମ ସମସ୍ତଙ୍କୁ ଏହା ଗ୍ରହଣ କରିବାକୁ ହେବ ଓ ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ ।
ଏପର୍ଯ୍ୟନ୍ତ ଆମ ରାଜ୍ୟ କରୋନା ସଂକ୍ରମଣର ଦୁଇଟି ଲହର ଦ୍ବାରା ପ୍ରଭାବିତ ହୋଇସାରିଲାଣି । ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସଠିକ୍‌ ଭାବରେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପ୍ରସାର ଦ୍ବାରା ଆମର ବ୍ୟବସ୍ଥା ଏପର୍ଯ୍ୟନ୍ତ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି । ଯେତେବେଳେ ଅନ୍ୟ ରାଜ୍ୟମାନେ ଦୁର୍ଭାଗ୍ୟବଶତଃ ଅକ୍‌ସିଜେନ ସମସ୍ୟା ଭିତରେ ଛନ୍ଦି ହୋଇ ଯାଇଥିଲେ, ସେତେବେଳେ ଆମ ସରକାର ଆମ ଡାକ୍ତରଖାନା ମାନଙ୍କରେ ଅକ୍‌ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସହିତ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ଅକ୍‌ସିଜେନ ଯୋଗାଇବରେ ସଫଳ ହୋଇପାରିଛି । ବହୁ ମୂଲ୍ୟବାନ ଜୀବନ ବଞ୍ଚାଇ ପାରିଛି ।

ସେ ଯାହା ହେଉ ନା କାହିଁକି, କୋଭିଡ ପରିଚାଳନାରେ ଆମକୁ ଆଗକୁ ଆହୁରି ପଥ ଅତିକ୍ରାନ୍ତ କରିବାକୁ ଅଛି । ଆମେ ବର୍ତ୍ତମାନ ଟିକାକରଣ ଉପରେ ଫୋକସ କରିଛୁ । ଟିକାକରଣ ନିମନ୍ତେ ଆମର ସମ୍ବଳର ଉପଯୋଗ କରି ଆମର ଲୋକମାନଙ୍କୁ ଯେତେଶୀଘ୍ର ସମ୍ଭବ, ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛୁ । ସଂକଟ ସମୟରେ ଆମ ଲୋକଙ୍କର ସହଯୋଗ ତଥା ବିଭିନ୍ନ ସ୍ତରରେ ଗୋଷ୍ଠୀର ସଂପୃକ୍ତି ଆମର ସବୁଠାରୁ ବଡ ଶକ୍ତି ହୋଇ ରହିଆସିଅଛି । ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା ପାଇଁ ଓଡିଶାବାସୀଙ୍କର ନିରନ୍ତର ସହଯୋଗ ଏବଂ ସରକାରଙ୍କ ଉଦ୍ୟମରେ ନିଃସର୍ତ ସମର୍ଥନ ପାଇଁ ରାଜ୍ୟ ସରକାର ଓଡିଶାବାସୀଙ୍କ ନିକଟକରେ କୃତଜ୍ଞ। ମହାମାରୀ ଓ ବାତ୍ୟା ପରି ଦୁର୍ବିପାକ ସମୟରେ ପ୍ରଶାସନର ଭଲ କାମରେ ଲୋକମାନଙ୍କର ପ୍ରଶଂସା ସରକାର ପାଇଁ ବହୁତ ବଡ ପ୍ରେରଣା ହୋଇ ରହିଆସିଛି ।

ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ, ସେ ବିଷୟରେ ଆମକୁ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡିବ। ଏହା ହେଉଛି ଆମ ସମାଜର ସୁରକ୍ଷାର ବିଷୟ । ତେଣୁ ଏ ଦିଗରେ ଆମ ରାଜ୍ୟକୁ ଦକ୍ଷ ଓ ଦୃଢ କରିବା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବୁ । ଆଜି ଆମର ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତିକୁ ଏକ ବିଷୟ ଭାବରେ ଗ୍ରହଣ କରିବାକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ସଂକଳ୍ପ ପାରିତ କରିଛି। ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଏବଂ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ। ଏହା ହେଉଛି ଏକ ଐତିହାସିକ ପଦକ୍ଷେପ ଏବଂ ଭବିଷ୍ୟତରେ ପ୍ରକୃତିର ତାଣ୍ଡବ, ଏହା ଜୈବିକ ହେଉ ବା ଜଳବାୟୁ ଜନିତ, ତାର ସମ୍ମୁଖୀନ ହେବାକୁ ଆମର ଭବିଷ୍ୟତ ବଂଶଧର ମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ। ଏହି ପଦକ୍ଷେପ ଦ୍ବାରା ଓଡିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ। ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସଚେତନତା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହା ହେଉଛି ଆମର ଉପଲ୍‌ବଧି ।

ଯେତେବେଳେ ସରକାର ଗୋଟିଏ ପରେ ଗୋଟିଏ ସଂକଟର ମୁକାବିଲା କରିଚାଲିଛନ୍ତି, ସେତେବେଳେ କିନ୍ତୁ ଲୋକଙ୍କୁ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମେ ଭୁଲିଯାଇ ନାହୁଁ । ୫-ଟି, ଆମର ପଞ୍ଚମ ପାଳିର ମୁଖ୍ୟ ଫୋକସ ହୋଇ ରହିଆସିଛି । ସ୍ବଚ୍ଛତା, ବୈଷୟିକ କୌଶଳ, ସାମୁହିକ ଉଦ୍ୟମ, ସମୟ ଓ ପରିବର୍ତ୍ତନ । ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଜୀବନରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ପୂରଣ ଦିଗରେ ନିରନ୍ତର କାମ କରିଚାଲିଛନ୍ତି । ଲୋକଙ୍କ ସହିତ ସିଧାସଳଖ ସଂପର୍କ ରହିବା ପାଇଁ ଆମେ ମୋ ସରକାର Feedback ବ୍ୟବସ୍ଥା ଆରମ୍ଭ କରିଥିଲୁ । ସମୟକ୍ରମେ ପ୍ରତ୍ୟେକ ସ୍ତରରେ ଲୋକଙ୍କ ପ୍ରତି ସରକାରୀ କର୍ମଚାରୀ ମାନଙ୍କର ମନୋଭାବ ଏବଂ ବ୍ୟବହାରରେ ଦୃଶ୍ୟମାନ ପରିବର୍ତ୍ତନ ଆଣିବାରେ ଏହା ସଫଳ ହୋଇଛି । ପ୍ରଶାସନ ଏବଂ ସରକାରୀ ସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ ଓ ବୈଷୟିକ ଭିତ୍ତିକ କରି ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପରିବର୍ତ୍ତନ ଆଣିବାପାଇଁ ଆନ୍ତରିକ ପଦକ୍ଷେପ ନିଆଯାଇଛି ।
ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ଆମର ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି । ସାରା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆମେ ୮୫୦୦ କୋଟି ଟଙ୍କାର ବିପୁଳ ପୁଞ୍ଜି ବିନିଯୋଗ କରିଛୁ । ୩୫୦୦ କୋଟି ଟଙ୍କା ବ୍ୟୟରେ SCB Medical College & Hospital କୁ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରାଯିବ । ଗତ ବର୍ଷକ ମଧ୍ୟରେ ଆମେ ୭୮୬ ଜଣ ଡାକ୍ତର ଓ ୫୧୩୭ ଜଣ ପାରାମେଡିକ୍‌ସଙ୍କୁ ନିଯୁକ୍ତ କରିଛୁ ।

ଆମର ପିଲାମାନଙ୍କର ଭିତରେ ଥିବା ଦକ୍ଷତାର ପୂର୍ଣ୍ଣ ବିକାଶ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ହାଇସ୍କୁଲ ମାନଙ୍କର ରୂପାନ୍ତର ଆମର ମୁଖ୍ୟ କାର୍ଯ୍ୟକ୍ରମ । ଏଥିପାଇଁ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଆମେ ୧୦୦୦ରୁ ଅଧିକ ସ୍କୁଲର ରୂପାନ୍ତର ପାଇଁ ପଦକ୍ଷେପ ନେଉଛୁ । ଆମର ଯୁବ ସମାଜକୁ ବିଶ୍ବର ନିଯୁକ୍ତି ବଜାରର ଚାହିଦା ମୁତାବକ ପ୍ରସ୍ତୁତ କରିବା ପାଇଁ ଆମର Skilled in Odisha କାର୍ଯ୍ୟକ୍ରମର ଅଂଶସ୍ବରୂପ ବିଶ୍ବ ଦକ୍ଷତା କେନ୍ଦ୍ର ଆରମ୍ଭ କରାଯାଇଛି । ଆମର ଯୁବସମାଜ ଯେପରି ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କ ସହ ଦକ୍ଷତାର ସହିତ ପ୍ରତିଦ୍ବନ୍ଦିତା କରିପାରିବେ, ସେଥିପାଇଁ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁଣାତ୍ମକ ଦକ୍ଷତା ତାଲିମ ଦିଆଯିବ। ଓଡିଶା ଆଜି ପୁଞ୍ଜି ବିନିଯୋଗର ଆକର୍ଷଣୀୟ କେନ୍ଦ୍ର ହୋଇ ରହିଛି । କୋଭିଡ ମହାମାରୀ ପରିସ୍ଥିତି ସତ୍ତ୍ବେ ଦେଶର କେତେକ ବଡ ବଡ ପୁଞ୍ଜିନିବେଶକୁ ଆକର୍ଷିତ କରିବାରେ ସଫଳ ହୋଇପାରିଛୁ । କ୍ରୀଡାର ବିକାଶ ଦିଗରେ ଆମର ନିରନ୍ତର ପ୍ରୟାସ ଜାରି ରହିଛି । ରାଉରକେଲାରେ ଦେଶର ବୃହତ୍ତମ ହକି ଷ୍ଟାଡିଅମ ସମେତ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିମନ୍ତେ ୧୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି।

କୃଷି ଓ କୃଷକର ଉନ୍ନତି ହେଉଛି ଆମ ରାଜ୍ୟର ବିକାଶର ଆଧାରଶୀଳା। ଗତ ଏକ ବର୍ଷ ମଧ୍ୟରେ କାଳିଆ ଯୋଜନାରେ ଆମ ରାଜ୍ୟର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୬୧୧୮ କୋଟିରୁ ଅଧିକ ଟଙ୍କା ଜମା କରି ଆମେ ଆମର ପ୍ରତିଶ୍ରୁତି ରକ୍ଷା କରିପାରିଛୁ । ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ଠିକ୍‌ ସମୟରେ ଶେଷ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଅପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଓ ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ ଚାଷୀଙ୍କ ସେବାରେ ଉତ୍ସର୍ଗ କରାଯାଇଛି ।
ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମଜବୁତ କରାଯାଇଛି । ଏକ ଉଦାହରଣୀୟ ପଦକ୍ଷେପ ଭାବରେ ମିଶନ ଶକ୍ତି ପାଇଁ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଯାଇଛି । ମିଶନ ଶକ୍ତି ମା’ ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ୫ ବର୍ଷରେ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ । ଆମର ମହାନ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ସାରା ରାଜ୍ୟରେ ପୁରୀ, କୋଣାର୍କ, ସମଲେଶ୍ବରୀ, ହରଶଂକର – ନୃସିଂହନାଥ ମନ୍ଦିରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଅଛି ।

ଆମର ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥା ଗୁଡିକୁ ମଜବୁତ କରିବା ପାଇଁ ଅର୍ଥ କମିଶନଙ୍କ ଅନୁଦାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ୧୧,୨୮୭ କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି । ଓଡିଶାର ଜନସାଧାରଣ ପଞ୍ଚମ ଥର ପାଇଁ ଆମକୁ ଆଶୀର୍ବାଦ କରି ସେବାର ସୁଯୋଗ ଦେଇଛନ୍ତି । ଲୋକଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ । ଏହି ମହାମାରୀ ଏକ ଅନନ୍ୟ ପରିସ୍ଥିତି ସୃଷ୍ଟି କରିଛି, ଯାହାଦ୍ବାରାକି ଲୋକମାନଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି । ଏସବୁ ଆହ୍ବାନ ସତ୍ତ୍ବେ ଆମର ଦୃଢ ବିଶ୍ବାସ ଯେ ଓଡିଶାର ଜନସାଧାରଣଙ୍କ ସହଯୋଗରେ ଏହି ସଂକଟର ମୁକାବିଲାରେ ଆମେ ବିଜୟୀ ହେବୁ ତଥା ଓଡିଶାର ରୂପାନ୍ତର ନିମନ୍ତେ ଆମର ଭଲ କାମକୁ ଜାରି ରଖିବୁ ବୋଲି ମତ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ  ।