ଦିନକ ପରେ ଟାହିଆ ଦୋହଲାଇ ବଡ଼ଦାଣ୍ଡକୁ ଛୁଟିଆସିବେ ଚତୁର୍ଦ୍ଧା ମୁରତି, ହେଲେ ଖାଁଖାଁ ଶ୍ରୀକ୍ଷେତ୍ର

ପୁରୀ: ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା। ବଡ଼ଦାଣ୍ଡକୁ ଟାହିଆ ଦୋହଲାଇ ଛୁଟି ଆସିବେ ଚତୁର୍ଦ୍ଧା ମୁରତି। ଆଉ ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ ବିନା ଖାଁ ଖାଁ ବଡ ଦାଣ୍ଡ। ଭକ୍ତ ଓ ଭଗବାନଙ୍କ ମିଳନରେ ପ୍ରତିବନ୍ଧକ ସାଜିଛି କରୋନା ସଂକ୍ରମଣ। କଟକଣାରେ ଗଡ଼ିବ ମହାବାହୁଙ୍କ ରଥ। ବିନା ଭକ୍ତରେ ମାଉସୀଙ୍କ ଘରକୁ ଯିବେ ତିନି ବିଗ୍ରହ। ସେପଟେ ଆଜି ହେଉଛି ଶ୍ରୀଜିଉଙ୍କ ଉଭାଯାତ୍ରା। ରଥଯାତ୍ରା ପୂର୍ବୁରୁ ଆଜି ସରିବ ରଥକନା ମଣ୍ଡଣି। ଅନବସରର ୧୫ଦିନ ଗୁପ୍ତନୀତି ପରେ ଗତକାଲି ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାବାହୁ।

କୋଭିଡ୍ କଟକଣା ଯୋଗୁ ଭକ୍ତ ନବଯୌବନ ବେଶର ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ତେବେ ଦୀର୍ଘ ପନ୍ଦର ଦିନ ପରେ ଭକ୍ତମାନେ ବଡ଼ଦାଣ୍ଡରୁ ପତିତପାବନଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇପଡିଥିଲେ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ସମୀକ୍ଷା କରିବେ ବରିଷ୍ଠ ପୋଲିସ ଅଧିକାରୀ। ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା, କେନ୍ଦ୍ରଞ୍ଚଳ ଆଇଜି, ଏସପି ଓ ୨୦୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ଏହି ବୈଠକରେ ସାମିଲ ହେବେ। ଭକ୍ତ ଶୂନ୍ୟ ରଥ ଯାତ୍ରା କିଭଳି ପାଳନ ହେବ ଓ ରଥଟଣା କାର୍ଯ୍ୟ କିଭଳି ଶେଷ ହେବ ହେବ ସେନେଇ ବୈଠକରେ ଆଲୋଚନା ହେବ। କଟକଣା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି  ରାତି ୮ରୁ ୧୩ତାରିଖ ରାତି ୮ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ।

Leave a Reply