ମୋଦିଙ୍କ ନୂଆ କ୍ୟାବିନେଟକୁ ନେଇ ନୂଆ ବିବାଦ, ୪୨% ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ନୂଆ ମନ୍ତ୍ରୀଙ୍କୁ ନେଇ ନୂଆ ନୂଆ ବିବାଦ ସାମ୍ନାକୁ ଆସୁଛି । ୭୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ଚାଲିଛି। କିଛି ମାମଲା ହତ୍ୟା ଭଳି ସଙ୍ଗୀନ ଅପରାଧ ରହିଛି। ଏଡିଆରର ରିପୋର୍ଟରୁ ସ୍ପଷ୍ଟ ହୋଇଛି ଏହି ତଥ୍ୟ। ବୁଧବାର ମୋଟ ୪୩ ଜଣ ମନ୍ତ୍ରୀ ଶପଥ ନେଇଥିବା ବେଳେ ୧୫ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ଅନ୍ୟ ୨୩ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। କେନ୍ଦ୍ରରେ ଥିବା ମନ୍ତ୍ରୀଙ୍କ ମଧ୍ୟରୁ ୨୪ରୁ ୩୦ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଡକାୟତି ଭଳି ମାମଲା ରହିଛି। କୁଛବେହାରରୁ ସାଂସଦ ଥିବା ନିତିଶ ପାରମାଣିକଙ୍କ ନାଁରେ ହତ୍ୟା ମାମଲା ରହିଛି। ତାଙ୍କ ବିରୋଧରେ ଧାରା ୩୦୨ରେ ମାମଲା ଚାଲିଛି । ତାଙ୍କୁ ଗୃହମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଅନ୍ୟ ତିନି ଜଣ ମନ୍ତ୍ରୀଙ୍କ ନାଁରେ ମଧ୍ୟ ସଙ୍ଗୀନ ମାମଲା ରହିଛି। ସେମାନେ ହେଲେ ଜନ୍‌ ବାର୍ଲା, ପଙ୍କଜ ଚୌଧୁରୀ ଏବଂ ଭି ମୁରଲୀ ଧରନ। ତେବେ ନୂଆ ମନ୍ତ୍ରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ମନ୍ତ୍ରୀ କୋଟିପତି। ସେମାନେ ଦାଖଲ କରିଥିବା ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ମିଳିଛି। ଅତିକମ୍‌ରେ ସମସ୍ତଙ୍କର ୧୭ କୋଟି ଟଙ୍କାର ସମ୍ପତ୍ତି ରହିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ପିୟୁଷ ଗୋଏଲ, ନାରାୟଣ ରାଣେ, ରାଜୀବ ଚନ୍ଦ୍ରଶେଖରଙ୍କର ୫୦ କୋଟି ଟଙ୍କାରୁ ଅଧିକ ମୁଲ୍ୟର ସମ୍ପତ୍ତି ରହିଛି।

Leave a Reply