spot_img
Home Blog Page 5571

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା: ପ୍ରେମିକକୁ ବାହା ହେବାକୁ ବିବାହିତା ପ୍ରେମିକାର ଜିଦ୍

ଭୁବନେଶ୍ୱର: ରାଜଧାନୀରେ ପ୍ରେମୀ ଯୁଗଳଙ୍କ ପ୍ରେମ ପାଲା । ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବା ପ୍ରେମିକକୁ କୌଶଳ କ୍ରମେ ଧରିବା ପରେ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଛି ହାଇଡ୍ରାମା । ଧୋକ୍କା ଦେଇ ଭୂଆଁ ବୁଲାଉଥିବା ପ୍ରେମିକକୁ ଯୁବତୀ ଜଣକ ଅନ୍ୟ ଏକ ନମ୍ବରରୁ ନାମ ବଦଳାଇ କଥା ହେବାରୁ ଦେଖା କରିଥିଲେ । ସେତେବେଳେ ଯୁବତୀ ଜଣକ ରଙ୍ଗେ ହାତ ଧରିଥଲେ । କ୍ୟାପିଟାଲ ଥାନା ପୋଲିସ ଦୁଇ ଜଣକୁ ନେଇ ପଚାର ଉଚରା କରିଛି।

ଲକଡାଉନରେ ପ୍ରେମୀଯୁଗଳଙ୍କ ଠିଆ ପାଲା । ସିନ୍ଦୁରର ଅଧିକାର ପାଇଁ ୩୦ ମିନିଟର  ହାଇଡ୍ରାମା। ହାତଗଣ୍ଠି  ପାଇଁ ହାତାହତି। ପ୍ରେମ ପାଇଁ ମହାଭାରତ। ଟିକେ ଭଲ କରି ଭିଡିଓକୁ ଦେଖନ୍ତୁ। କିଭଳି  ଉଭୟଙ୍କ ମଧ୍ୟରେ ଚାଲିଛି ଯୁକ୍ତି ତର୍କ। ଯୁବତୀ ଜଣକ କାନ୍ଦି କାନ୍ଦି କହୁଛନ୍ତି। ଏ କୌଣସି ଫିଲ୍ମ ସୁଟିଂ ସେଟର ଦୃଶ୍ୟ ନୁହେଁ।  ଏଭଳି ଘଟଣା ରାଜଧାନୀରେ ସତ ସତିକା ଘଟିଛି। ଦୁଇ ପ୍ରେମୀଯୁଗଳ ପରସ୍ପରକୁ ଗଲା ଅକ୍ଟୋବର ମାସରୁ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ଏବଂ ଲିଭ ଇନ ରିଲେସନସିପରେ ଭୁବନେଶ୍ୱର ରହୁଥିଲେ | ପ୍ରେମିକ ଜଣକ ରାଉରକେଲାର ରଞ୍ଜିତ ନାୟକ ଏବଂ ପ୍ରେମିକା ହେଉଛି ଭୁବନେଶ୍ୱର। ରଞ୍ଜିତ ଯୁବତୀ ଜଣକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଧରା ଛୁଆଁ ଦେଇ ନଥିଲେ | ପ୍ରେମିକା ପ୍ରେମିକଙ୍କ ଘରକୁ ବାରମ୍ବାର ଯାଇ ହତାଶ ହୋଇ ଫେରିଥିଲେ | ପ୍ରେମିକ ଫୋନ ନ ଉଠାଇବା ସହ ଘର ଲୋକ ତାଙ୍କ ସହ ବିବାହ କରାଇବାକୁ ଚାହୁଁ ନାହାନ୍ତି ବୋଲି କହୁଥିଲା | ତେବେ ଏହି ଲକଡାଉନ ସମୟରେ ପ୍ରେମିକା ଜଣକ ପ୍ରେମିକ ଘର ରାଉରକେଲା ପହଞ୍ଚିଥିଲେ । ଗତକାଲି ଉଭୟ ଦୁଇ ଜଣ ଭୁବନେଶ୍ୱର ଆସିଥିଲେ, ଆଜି ଆଇଜି ପାର୍କ ନିକଟରେ ପ୍ରେମିକା ବିବାହ କରିବା ପାଇଁ ଜିଦ ଧରି ବସିଲେ କିନ୍ତୁ ପ୍ରେମିକ ଜଣକ ରାଜି ନଥିବାରୁ ଖସି ପଳାଇବାକୁ ବସିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କ ପେଣ୍ଟ ପକେଟକୁ ଜାବୁଡି ଧରିଥିଲେ।  ଏପରିକି ଏହି ସମୟରେ ଦୁଇ ଜଣକ ମଧ୍ୟରେ ଯୁକ୍ତି ତର୍କ ସହ ହାତାହତି ପର୍ଯ୍ୟନ୍ତ ଯାଇଥିଲା |

ଉଭୟ ପ୍ରେମୀ  ଯୁଗଳଙ୍କ ପାଲା ଦେଖି ଲୋକ ଭିଡ଼ ହୋଇଥିଲେ। କାହିଁକି ବାହା ହେବନି ବୋଲ ପ୍ରଶ୍ନ କରିବାରୁ  ଯୁବକ ଜଣକ କହିଥିଲେ ସେ ଆଗ ଛାଡ଼ପତ୍ର ଦେଉ  ତା’ପରେ ବାହା ହେବି। ଯୁବତୀ ଜଣକ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଝିଅ ଟିଏ ଥିବା ଜଣା ପଡ଼ିଛି। ପ୍ରେମୀ ଯୁଗଳ ହାଇଡ୍ରାମା ଦେଖିବା ପାଇଁ ଜମିଥିଲା ଲୋକଙ୍କ ଭିଡ଼ । ଶେଷରେ ପୋଲିସ ନିକଟରେ ଏହି ଖବର ପହଞ୍ଚିବା ପରେ ଘଟଣାସ୍ଥଳରେ କ୍ୟାପିଟାଲ ଥାଲା ପୋଲିସ ପହଞ୍ଚି ଦୁଇ ଜଣକୁ ଥାନାକୁ ନେଇ ପଚରା ଉଚରା କରୁଛି  ।

ଏବେ ଲ୍ୟାବରେ ପ୍ରସ୍ତୁତ ହେବ ମା’ କ୍ଷୀର

  ନବଜାତ ଶିଶୁ ପାଇଁ ଖୁବ୍‌ଜରୁରୀ ମା କ୍ଷୀର । କିନ୍ତୁ କେବେ କେବେ କୌଣସି ସମସ୍ୟା ଯୋଗୁଁ ଶିଶୁକୁ ମା’ କ୍ଷୀର ମିଳିବାରେ ସମସ୍ୟା ଦେଖାଦିଏ । ଯାହା ଏକ ମୁଣ୍ଡବ୍ୟଥାର କାରଣ ପାଲଟିଯାଏ । ଏଭଳି ସମସ୍ୟାରୁ ଖୁବଶୀଘ୍ର ମୁକ୍ତି ମିଳିବାକୁ ଯାଉଛି । କାରଣ ଜ୍ଞାନ କୌଶଳ ଆଜି ଏଭଳି ସ୍ଥାନରେ ପହଞ୍ଚିଛି ଯାହାକୁ ବ୍ୟବହାର କରି ଲ୍ୟାବରେ କ୍ଷୀର ପ୍ରସ୍ତୁତ କରାଯିବ । ମା’ କ୍ଷୀର ଭଳି ଏହି କ୍ଷୀରରେ ମଧ୍ୟ ସମାନ ପୋଷକ ତତ୍ତ୍ୱ ମିଳିବ ।

ଆମେରିକାର ଜଣେ ମହିଳା ବୈଜ୍ଞାନିକ ଏହି ଜ୍ଞାନ କୌଶଳ ଉପରେ ଗବେଷଣା କରୁଛନ୍ତି । ବୈଜ୍ଞାନିକ ଏହାର ନାଁ ଦେଇଛନ୍ତି ‘ବାୟୋମିଲ୍କ’ । ବୈଜ୍ଞାନିକ ଏହାକୁ ନେଇ ପରୀକ୍ଷଣ ମଧ୍ୟ କରି ସାରିଛନ୍ତି । ଖାଲି ସେତିକି ନୁହେଁ ବରଂ ଏହା ମଧ୍ୟ କୁହାଯାଉଛି ମା କ୍ଷୀର ଅପେକ୍ଷା ଲ୍ୟାବରେ ପ୍ରସ୍ତୁତ କ୍ଷୀର ଅଧିକ ପୋଷକଯୁକ୍ତ ।

ବାୟୋମିଲ୍କ ପ୍ରସ୍ତୁତ କରିଥିବା କମ୍ପାନୀର ସହ ସଂସ୍ଥାପକ ଲାଲା ଷ୍ଟିକଲ୍ୟାଣ୍ଡଙ୍କ କହିବା ହେଉଛି ବାୟୋମିଲ୍କର ନ୍ୟୁଟ୍ରିଶନାଲ ଏବଂ କମ୍ପୋଜିସନ ଅନ୍ୟ କୌଣସି ପ୍ରଡକ୍ଟ ତୁଳନାରେ ଯଥେଷ୍ଟ ଅଧିକ । ଖାସ୍‌କଥା ହେଉଛି ମହିଳା ବୈଜ୍ଞାନିକଙ୍କ ସହିତ ସେହିଭଳି କିଛି ସମସ୍ୟା ଦେଖା ଦେଇଥିଲା । ଯାହା ତାଙ୍କୁ ଏଭଳି ଏକ ଗବେଷଣା କରିବା ପାଇଁ ବାଧ୍ୟ କରିଥିଲା । ୨୦୧୩ ପରଠାରୁ ସେ ଏହା ଉପରେ ଗବେଷଣା କରିବା ଆରମ୍ଭ କରିଥିଲେ । ତେବେ ତିନି ବର୍ଷ ମଧ୍ୟରେ ଏହା ବଜାରରେ ଉପଲବ୍ଧ ହେବ ।

ଯୋଡ଼ା ମାଛ ଦୂର କରେ ଦୁର୍ଭାଗ୍ୟ!

ରାଶିରେ ଯଦି ଗ୍ରହ ଦୋଷ ଥାଏ ତେବେ ଘର ସହିତ କାର୍ଯ୍ୟସ୍ଥଳରେ ମଧ୍ୟ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହିତ ସବୁ କାମ ଉପରେ ଏହାର ଖରାପ ପ୍ରଭାବ ପଡିବାକୁ ଲାଗିଥାଏ । ନକରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଯଦି ଉପାୟ ପାଉନାହାଁନ୍ତି ତେବେ ଘରେ ମାଛ ଯୋଡାକୁ ରଖନ୍ତୁ । ଘର ଏବଂ କାର୍ଯ୍ୟାଳୟରେ ମାଛ ଯୋଡା ରଖିବା ଫଳରେ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ବାସ୍ତୁଶାସ୍ତ୍ର ଏବଂ ଫେଙ୍ଗଶୁଇ ଅନୁସାରେ ମାଛ ଯୋଡା ଘର ଏବଂ କାର୍ଯ୍ୟାଳୟର ନକରାତ୍ମକ ଶକ୍ତିକୁ ସକରାତ୍ମକ ଶକ୍ତିରେ ପରିଣତ କରିଥାଏ । ଫଳସ୍ୱରୂପ ବ୍ୟକ୍ତିର ନିର୍ଣ୍ଣୟ ନେବାର କ୍ଷମତା ଓ ମାନସିକ ଶକ୍ତି ବୃଦ୍ଧି ପାଇଥାଏ ।

ମାଛର ପ୍ରତିରୂପ ଆକାଶର ତାରା ମାଧ୍ୟମରେ ମୀନ ରାଶି ରୂପେ ପ୍ରଦର୍ଶିତ ହୋଇଥାଏ । ଏହାର ଆକୃତି ଦୁଇ ମାଛର ଯୋଡିକୁ ଦର୍ଶାଇଥାଏ । ଜ୍ୟୋତିଷଶାସ୍ତ୍ରରେ ଏହାକୁ ମୀନ ରାଶି ସଂଜ୍ଞା ଦିଆଯାଇଛି । ଏବଂ ମୀନ ରାଶିର ନିୟନ୍ତ୍ରଣ ଦେବତାଙ୍କର ଗୁରୁ ବୃହସ୍ପତିଙ୍କ ପାଖରେ ରହିଥାଏ । ଦେବ ଗୁରୁ ବୃହସ୍ପତିଙ୍କୁ ଶୁଭ ଗ୍ରହ ଭାବେ ଗ୍ରହଣ କରାଯାଇଛି ଯାହାର ପ୍ରଭାବରେ ବ୍ୟକ୍ତି ଜ୍ଞାନବାନ ହୋଇ ସୁଖ-ସମୃଦ୍ଧି, ମାନ-ସମ୍ମାନ, ସମାଜରେ ପ୍ରତିଷ୍ଠା ଅର୍ଜନ କରିଥାଏ । ମାଛ ଯୋଡା ଚିତ୍ରକୁ ବୃହସ୍ପତିବାର ଦିନ ଘରେ କିମ୍ବା କାର୍ଯ୍ୟାଳୟରେ ଲଗାଇଲେ କିମ୍ବା ରଖିଲେ ଏହା ଶୁଭ ପରିଣାମ ଦେଇଥାଏ ।

 

ସଠିକ ଦିଗରେ ଝୁଲାନ୍ତୁ ମାଛ ଯୋଡା-
ବାସ୍ତୁଶାସ୍ତ୍ର ଅନୁସାରେ ମାଛ ଯୋଡା ଚିତ୍ରକୁ ସଠିକ ଦିଗରେ ଝୁଲାଇବା ଫଳରେ ସକରାତ୍ମକ ପ୍ରଭାବ ଶୀଘ୍ର ପ୍ରାପ୍ତ ହୋଇଥାଏ । ପୂର୍ବ ଦିଗ ଅଥବା ଉତ୍ତର ଦିଗ ଅଥବା ପୂର୍ବ-ଉତ୍ତର ଦିଗରେ କିମ୍ବା ଐଶାନ୍ୟ କୋଣରେ ମାଛ ଯୋଡା ଝୁଲାଇବା ଫଳରେ ଘରର ସଦସ୍ୟଙ୍କର ଭାଗ୍ୟୋଦୟ ହୋଇଥାଏ । ଏହାକୁ ଦୋକାନରେ ଝୁଲାଇବା ଦ୍ୱାରା ଆୟ ବୃଦ୍ଧି ହୋଇଥାଏ । ଏହା ସହିତ କାର୍ଯ୍ୟାଳୟରେ ମଧ୍ୟ ଉନ୍ନତି ହୋଇଥାଏ ।

ପ୍ରେମ ଏବଂ ସମ୍ପନ୍ନତାର ପ୍ରତୀକ ଗୋଲ୍ଡ ଫିସ-
ଫେଙ୍ଗଶୁଇ ଅନୁସାରେ ଗୋଲ୍ଡ ଫିସ ସବୁଠାରୁ ଅଧିକ ପବିତ୍ର ଏବଂ ସମ୍ପନ୍ନତା ଦେଇଥାଏ । ଯଦି ଘରେ ବଡ ଆକ୍ୱାରିୟମ ରଖିବା ପାଇଁ ସ୍ଥାନ ନଥାଏ ତେବେ ଏକ ଛୋଟ ଆକ୍ୱାରିୟମରେ ଆପଣ ଗୋଲ୍ଡ ଫିସ ଯୋଡା ରଖିପାରିବେ । ଏହାକୁ ପ୍ରେମର ପ୍ରତୀକ ରୂପେ ଗ୍ରହଣ କରାଯାଇଥାଏ । ଏହା ସହିତ ଆପଣ କ୍ରିଷ୍ଟଲ ମାଛ ଯୋଡା ମଧ୍ୟ ରଖିପାରିବେ ।

ଧନ ପ୍ରାପ୍ତି ହେବ –
ଜଳ ବହିବା ଭଳି ଟଙ୍କା ମଧ୍ୟ ସରିଯାଏ । ଶାସ୍ତ୍ରରେ ଲକ୍ଷ୍ମୀଙ୍କୁ ଚଂଚଳା କୁହାଯାଇଛି । ମାଛର ଜଳ ସହିତ ସମ୍ପର୍କ ଥିବାରୁ ଏବଂ ଭଗବାନ ବିଷ୍ଣୁଙ୍କର ମତ୍ସ୍ୟ ଅବତାର କାରଣରୁ ଧନ ସମ୍ପତ୍ତିକୁ ଶୀଘ୍ର ଆକର୍ଷିତ କରିଥାଏ । ମାଛ ଯୋଡା ରଖିବା ଫଳରେ ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହୋଇଥାଏ । ହିନ୍ଦୁଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ । ଧନର ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ହୋଇଥିବାରୁ ମାଛଙ୍କ ସେବା ବା ମାଛ ସହିତ ସଂବନ୍ଧିତ ଉପାୟ କରିବା ଫଳରେ ଧନ ପାପ୍ତି ହୋଇଥାଏ ।

କର୍ଣ୍ଣାଟକରେ କ୍ଷୀର ଓ ମାଂସ ଅପେକ୍ଷା ମଦ ବିକ୍ରି ବେଶୀ

ବାଙ୍ଗାଲୋର: ଲକଡାଉନ ବେଳେ କର୍ଣ୍ଣାଟକରେ କ୍ଷୀର ଓ ମାଂସ ବିକ୍ରି କମିଛି । ହେଲେ ଏହି ସମୟରେ ମଦ ବିକ୍ରି ଢେର ଅଧିକା ରହିଛି। ମେ ମାସରେ ମଦ ବିକ୍ରି ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ ଓ ଜିଏସଟି ପୈଠକୁ ନେଇ ଏହି ତଥ୍ୟ ସାମ୍ନାକୁ ଆସିଛି  । ରାଜ୍ୟରେ ଲକଡାଉନ୍ ସମୟରେ ସମସ୍ତ ଜରୁରୀ ବ୍ୟବସ୍ଥାକୁ ସକାଳ ୬ରୁ ୧୦ ପର୍ଯ୍ୟନ୍ତ ଖୋଲା ରଖାଯାଇଛି । କିନ୍ତୁ ଏହି ସ୍ବଳ୍ପ ସମୟରେ ବି ମଦ ବିକ୍ରି ଅଧିକ ରହିଥିବା ସୂଚନା ରହିଛି ।

ତେବେ ଅତ୍ୟଧିକ ପରିମାଣରେ ମଦ ବିକ୍ରି ପାଇଁ ଏହି ସମୟରେ ଦୁଇ ହଜାର ୧୨୯ କୋଟିର ରାଜସ୍ବ ଆଦାୟ ହୋଇଛି  ।  ଯଦିଓ ଏହା  ୨୦୨୦ ତୁଳନାରେ ମାତ୍ର ୬ ପ୍ରତିଶତ କମ ବୋଲି ସୂଚନା ମିଳିଛି । ଗତ ୨୦୨୦ ମେ’ରେ ୩୩ ଦଶମିକ ୨୩ ଲକ୍ଷ ଟଙ୍କାର ବିଅର କେସ୍ ବିକ୍ରି ହୋଇଥିଲା  । ଗତ ମାସରେ କିନ୍ତୁ ୨୦ ଦଶମିକ ୧୯ ଲକ୍ଷ ଟଙ୍କାର ବିଅର କେସ୍ ବିକ୍ରି ହୋଇଛି  । ଯାହାକୁ ଦେଖିଲେ ଲକଡାଉନ୍ ପିରିୟଡରେ ଅଧିକ ମଦ ବିକ୍ରି ହୋଇଥିବ ଜଣା ପଡ଼ିଛି  । ଅନ୍ୟ ଏକ ତଥ୍ୟ ଅନୁଯାଇ ଲକଡାଉନ ବେଳେ ଲୋକେ ଘରେ ରହି ବୋର ହେବା ଅପେକ୍ଷା ମଦ୍ୟପାନକୁ ଅଧିକ ପସନ୍ଦ କରୁଥିବା ଜଣାପଡିଛି  ।

ଏସିଆର ସବୁଠୁ ବଡ଼ ବସ୍ତି ଏବେ କରୋନା ମୁକ୍ତ

ମୁମ୍ବାଇ: କରୋନା କାଳରେ ଅଶ୍ବସ୍ତିକର ଖବର । କରୋନାର ଦ୍ୱିତୀୟ ଲହରୀ ଦେଶର ମେରୁଦଣ୍ଡ ଭାଙ୍ଗି ଥିବା ବେଳେ ଏବେ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଲା ଭଳି ନଜର ଆସିଛି । ନିକଟରେ ଏକ କରୋନାର ହଟସ୍ପଟ ଭାବେ ଚିହ୍ନଟ ହେଉଥିବା ବେଳେ ଏବେ ସେ ସ୍ଥାନ ଏବେ କରୋନା ମୁକ୍ତ ହୋଇଛି ଏସିଆର ସବୁଠୁ ବଡ଼ ବସ୍ତି ଏବେ କରୋନା ମୁକ୍ତ ହୋଇଛି ମୁମ୍ବାଇରେ ଥିବା ଧରାଭି ବସ୍ତିରେ କରୋନା ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି। ଦିନେ କରୋନା ହଟସ୍ପଟ ଭାବେ ପରିଚିତ ଧରାଭିରେ ଗତ ଦିନରେ ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ସେହିପରି ଗତ ୨୪ ଘଣ୍ଟା ଭିତରେ ଏହି ବସ୍ତିରେ କେହି ନୂଆ ସଂକ୍ରମିତ ଚିହ୍ନଟ ହୋଇନଥିବା ଜଣାପଡିଛି ମୁମ୍ବାଇର ବସ୍ତିବାସିନ୍ଦା କରୋନାକୁ ମାତ୍ ଦେବାରେ ସମର୍ଥ ହୋଇଛନ୍ତି ସ୍ଥାନୀୟ ପ୍ରଶାସନର ପ୍ରୟାସ ବସ୍ତିର ଲୋକମାନଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ଧରାଭିରେ ମୋଟ୍ ସଂକ୍ରମଣ ମାମଲା ହଜାର ୮୨୯ ଥିବାବେଳେ ସେମାନଙ୍କ ଭିତରୁ ହଜାର ୪୫୧ ଜଣ ସୁସ୍ଥ ହୋଇଛନ୍ତି

ଚଳିତବର୍ଷ ଏପ୍ରିଲ ଆରମ୍ଭରୁ ଏଠାରେ କରେନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିଲା ସାଢ଼େ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ରହୁଥିବା ଏହି ବସ୍ତିରେ କରୋନା ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡ଼ିଥିଲା ମହାନଗର ନିଗମ ଏବେ ମହାରାଷ୍ଟ୍ରର ପ୍ରାୟ ସବୁ ଜିଲ୍ଲାରେ କରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ପାଇଛି ତା ସାଙ୍ଗକୁ ଧରାଭି ବସ୍ତିରେ ବି ସଂକ୍ରମଣ କମିବା ଆଶ୍ବସ୍ତି ଆଣିଛି

ସମୂଦ୍ରରେ ଦେଖିବାକୁ ମିଳିବ ମେଡ୍‌ ଇନ୍‌ ଇଣ୍ଡିଆର ଦମ୍‌, ୬ଟି ସବମରିନ୍‌ ପାଇଁ ୫୦ ହଜାର କୋଟି ଡିଫେନ୍ସ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ:  ଭାରତୀୟ ନୌସେନାର ଶକ୍ତି ବଢାଇବା ପାଇଁ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରୋଜେକ୍ଟ ୭୫-ଇଣ୍ଡିଆ ଦ୍ୱାରା ୬ଟି ସବମରିନ୍‌ନିର୍ମାଣ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଦୀର୍ଘଦିନ ଧରି ଅଟକି ରହିଥିବା ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ।

 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫୦ ହଜାର କୋଟିର ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରୋଜେକ୍ଟକୁ ସ୍ୱେଦେଶୀ କମ୍ପାନୀ ମଝଗାଓଁ ଡକ୍ସ ଲିମିଟେଡ୍‌ଏବଂ L & Tକୁ ଦାୟୀତ୍ୱଭାର ପ୍ରଦାନ କରାଯାଇଛି ।

ସମୂଦ୍ରରେ ନିଜର ଶକ୍ତି ବଢାଇବା ପାଇଁ ଭାରତୀୟ ନେଭି ଏହି ପ୍ରୋଜେକ୍ଟକୁ ଆରମ୍ଭ କରିଛି । ନିର୍ମାଣ ହେବାକୁ ଥିବା ୬ଟି ବଡ଼ ସବମରିନ୍‌ଡିଜେଲ ଏବଂ ଇଲକ୍ଟ୍ରିକ୍‌ପର୍ଯ୍ୟବେଷିତ । ଏହାର ଆକାର ବର୍ତ୍ତମାନର ସ୍କର୍ପିଅନ କ୍ଲାସ ସମମରିନର ୫୦ ଗୁଣା ଅଧିକ ହେବ ।

ଭାରତୀୟ ନେଭି ନିକଟରେ ପ୍ରାୟ ୧୪୦ଟି ସବମରିନ୍‌ଏବଂ ସରଫେସ ଓ୍ୱାରଶିପ୍‌ରହିଛି । ଅନ୍ୟପଟେ ଯଦି ପାକିସ୍ତାନୀ ନେଭି ସହିତ ତୁଳନା କରିବା ତେବେ ତାଙ୍କ ନିକଟରେ ମାତ୍ର ୨୦ଟି ରହିଛି । କିନ୍ତୁ ଭାରତର ମୁକାବିଲା କେବଳ ପାକିସ୍ତାନ ସହିତ ନୁହେଁ ବରହ ଚୀନ୍‌ସହିତ ମଧ୍ୟ, ଯିଏ ଭାରତ ମହାସାଗରରେ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରୁଛି ।

ବାତିଲ ହେଲା ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଭୁବେନେଶ୍ୱର: କରୋନା କାଳରେ ବାତିଲ ହେଲା ଯୁକ୍ତ ୨ ପରୀକ୍ଷା। ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାରା ଦେଶରେ କୋଭିଡ ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା। କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ୱରେ ରହିଛି ମଣିଷ ଜୀବନର ସୁରକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୀବନ ଆଗ, ଆଉସବୁ ପଛ। ଜୀବନ ସୁରକ୍ଷିତ ରହିଲେ ଆଗକୁ ସବୁକିଛି କରିହେବ। ତେବେ ଆମ ପିଲାମନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ୱପୂର୍ଣ୍ଣ। କରୋନା କାଳରେ ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷା ବାତିଲ ସଂକ୍ରାନ୍ତୀୟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ମୂଲ୍ୟାୟନ କେମିତି କରାଯିବ ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ। ବିଶେଷଜ୍ଞଙ୍କ ପରାମର୍ଶ ନେଇ ମୂଲ୍ୟାୟନ ସ୍ଥିର କରିବାକୁ CHSEକୁ ନିର୍ଦ୍ଦେଶ ଦିଆଯାଇଛି। ତା’ସହିତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେବ, ସେମାନଙ୍କ ପାଇଁ ବି ବିକଳ୍ପ ବ୍ୟବସ୍ଥା ରଖାଯାଇଛି। ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲେ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ, ତାହା CHSE ନିର୍ଣ୍ଣୟ କରିବ।

ସିବିଆଇ ଅଫିସରମାନେ ପିନ୍ଧିପାରିବେନି ଜିନ୍ସ, ଟି-ସାର୍ଟ କିମ୍ବା ସ୍ପୋର୍ଟ ଜୋତା

ନୂଆଦିଲ୍ଲୀ: ସିବିଆଇ ଅଧିକାରୀଙ୍କୁ ଆଉ କାଜୁଆଲ ପୋଷାକରେ ଦେଖିବାକୁ ମିଳିବ ନାହିଁ। କାଜୁଆଲ ପୋଷାକ ମାନେ ହେଉଛି ଜିନ୍ସ, ଟି ସାର୍ଟ କି ସ୍ପୋର୍ଟ ଜୋତାରେ। ସିବିଆଇ ଅଧିକାରୀ କିମ୍ବା କର୍ମଚାରୀ ପିନ୍ଧିପାରିବେନି ଜିନ୍ସ , ଟି–ସାର୍ଟ କିମ୍ବା ସ୍ପୋର୍ଟ ଜୋତା। ଏଥର କର୍ମଚାରୀମାନେ କେବେଳ ଫର୍ମାଲ ପୋଷାକରେ ହିଁ ନଜର ଆସିବେ। କାମରେ ଥିବା ସମୟରେ ପୂର୍ବ ଭଳି ଆଉ ପିନ୍ଧି ପାରିବେ ନାହିଁ କାଜୁଆଲ ପୋଷାକ।

ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ୍ ଦାୟିତ୍ୱ ଗ୍ରହଣ କରିବା ପରେ ଏମିତି ପଦକ୍ଷେପ ନେଇଛନ୍ତି । ସେ ଆସିବା ପରେ  ସର୍ବ ପ୍ରଥମେ ଅଧିକାରୀ ଏବଂ କର୍ମଚାରୀଙ୍କ ଡ୍ରେସ୍ କୋଡ୍ ସ୍ଥିର କରିଛନ୍ତି। ସିବିଆଇର ନୂଆ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏଜେନ୍ସିର ପ୍ରତ୍ୟେକ ଅଧିକାରୀ ବା କର୍ମଚାରୀମାନେ ଅଫିସରେ ଉପଯୁକ୍ତ ଆନୁଷ୍ଠାନିକ ବା ଫର୍ମାଲ ପୋଷାକ ପିନ୍ଧିବେ। ଏହାସହ ସେ ଅଫିସରେ ଜିନ୍ସ, ଟି–ସାର୍ଟ ଏବଂ ସ୍ପୋର୍ଟସ ଜୋତା ପିନ୍ଧିବାକୁ ବାରଣ କରିଛନ୍ତି ।

ପୁରୁଷ ଅଧିକାରୀଙ୍କ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ କେବଳ ଫର୍ମାଲ ସାର୍ଟ–ପ୍ୟାଣ୍ଟ ଏବଂ ସାଧା ଜୋତା ପିନ୍ଧିବେ। କେବଳ ଏତିକି ନୁହେଁ, ଅଧିକାରୀ କିମ୍ବା କର୍ମଚାରୀମାନେ ସେମାନଙ୍କ କେଶ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବେ। ଏହାସହ ମହିଳା ଅଧିକାରୀ କିମ୍ବା କର୍ମଚାରୀ ଡ୍ୟୁଟିରେ ଥିବାବେଳେ କେବଳ ଶାଢି, ସୁଟ୍ ଏବଂ ଫର୍ମାଲ୍ ସାର୍ଟ ପିନ୍ଧିବାକୁ କୁହାଯାଇଛି। ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲଙ୍କ ଅନୁମୋଦନ କ୍ରମେ ଉପ ନିର୍ଦ୍ଦେଶକ ଅନୁପ ଟି ମୈଥ୍ୟୁଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଏମିତି କୁହାଯାଇଛି।

ଏହି ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଅଫିସରେ ଜିନ୍ସ, ଟି–ସାର୍ଟ, ସ୍ପୋର୍ଟସ୍ ଜୋତା, ଚପଲ ପିନ୍ଧିବାକୁ ଅନୁମତି ନାହିଁ। ଏହି ନିର୍ଦ୍ଦେଶରେ ଦେଶର ସିବିଆଇର ସମସ୍ତ ଶାଖାର ମୁଖ୍ୟମାନଙ୍କୁ ଏହି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ମଧ୍ୟ କୁହାଯାଇଛି।

ଭୁବନେଶ୍ୱରରେ ପହଞ୍ଚିଲା ବିଜୟ ସାହୁଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ପାର୍ଥିବ ଶରୀର। ବିମାନ ବନ୍ଦରରୁ ବାରଙ୍ଗ ରେସିଡେନ୍ସିଆଲ ସ୍କୁଲ ଓ ପରେ ପଟିଆ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ନିଆଯିବ ମର ଶରୀର। ଏହାପରେ ଶାସ୍ତ୍ରୀ ନଗର ସ୍ଥିତ ବାସଭବନରେ ପରିବାର କରିବେ ଶେଷ ଦର୍ଶନ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର ଶ୍ମଶାନରେ ହେବ ଶେଷକୃତ୍ୟ। କୋଭିଡ ନିୟମ ଅନୁସାରେ ହେବ ଶେଷକୃତ୍ୟ। ଗତକାଲି ହାଇଦ୍ରାବାଦର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ଶେଷ ଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ସଚିବ ଉପସ୍ଥିତ ଅଛନ୍ତି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଉପସ୍ଥିତ ଅଛନ୍ତି।

ରାଜ୍ୟରେ କରୋନାର ତୃତୀୟ ଲହର ଅଧିକ କ୍ଷତି କରିବ ନାହିଁ: ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ସୁଧୁରୁଛି କରୋନା ସ୍ଥିତି। କରୋନା ସଂକ୍ରମଣ ହାର କମିବାକୁ ଲାଗିଛି। ସବୁଠାରୁ କମ୍‌ ପଜିଟିଭ ହାର ଆଜି ଚିହ୍ନଟ ହୋଇଛନ୍ତି। କରୋନାର ଦ୍ୱିତୀୟ ଲହର ମଝିରେ ଦୈନିକ ପଜିଟିଭ ହାର ୨୬ ପ୍ରତିଶତ ଥିଲା। ଏବେ ଏହା ଖସି ୧୧ ପ୍ରତିଶତରେ ପହଞ୍ଚିଛି। ଲକ୍‌ଡାଉନ୍‌ ଉଠିଲା ବେଳକୁ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଥିବ ସଂକ୍ରମଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି। ତେବେ ଯଦି ଆଗକୁ ଏମିତି ସ୍ଥିତି ରୁହେ ମାନେ କରୋନା ସଂକ୍ରମଣ କମିବାକୁ ଲାଗେ ତେବେ ଲକ୍‌ଡାଉନ୍‌ କୋହଳ ହୋଇପାରେ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଆଗକୁ ସେତେଟା ଘାତକ ହେବ ନାହିଁ କରୋନା। ତୃତୀୟ ଲହର ସେତେଟା ଘାତକ ହେବନି ବୋଲି ସେ କହିଛନ୍ତି। ତୃତୀୟ ଲହର ଦେଖି ରାଜ୍ୟ ସରକାର ବହୁତ ଆଗୁଆ ପଦକ୍ଷେପ ନେଇଛନ୍ତି, ଯାହା ଭଲ କଥା। ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ୪ପ୍ରତିଶତ ରହିବ। ଏହା ସହ ତୃତୀୟ ଲହର ବେଳକୁ ବହୁ ଲୋକ ଟିକା ନେଇସାରିଥିବେ ଏବଂ ଔଷଧବି କିଛି ଆସି ଯାଇଥିବ। ତେଣୁ ତାହା ଘାତକ ହେବ ନାହଁ। ଦ୍ୱିତୀୟ ଡୋଜ ଟିକା ପ୍ରକ୍ରିୟାରେ ୩ମାସ ବିଳମ୍ବ ହେଲେ କିଛି ଅସୁବିଧା ହେବ ନାହଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି।