spot_img
Home Blog Page 5454

ଇସାରା ଇସାରାରେ ହେଇଗଲା ପ୍ରେମ, ବାହାହେଲେ ଦୁଇ ମୁକ

ଜଳେଶ୍ୱର: କେବଳ ଓଠ ପ୍ରେମର ଭାଷା କହେନି । ଆଖି ବି କହିପାରେ ଅନକେ କିଛି । ବ୍ୟକ୍ତ କରିପାରେ ହୃଦୟର ଭାବନା, ମନକୁ ଆସୁଥିବା ଉନ୍ମାଦନା । ଆଉ ସେଇ ଆଖିର ଇସାରାରେ ଏକାଠି ହୋଇଛନ୍ତି ୨ଜଣ ପ୍ରେମପକ୍ଷୀ । ଉଭୟ ପିଲାଟି ଦିନରୁ ମୁକ । କିଛି ସିନା କହି ପାରନ୍ତି ନାହିଁ କିନ୍ତୁ ଠାରରେ ଠାରରେ ସବୁ ବଖାଣିପାରନ୍ତି । ଆଉ ସେହି ଠାରର ଭଲ ପାଇବା ପାଇଛି ବିବାହ ସ୍ୱୀକୃତି । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

Two Dumb Married In Jaleswar

ବାଲେଶ୍ୱର ଜିଲ୍ଲା ଭୋଗରାଇ ବଟ ଗାଁର ଗୌତମ ଦାସ ଭୁବନେଶ୍ୱର ଜଟଣୀ ମୁକ ବଧିର ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ଆଉ ସେଠାରେ ରହି ପାଠ ପଢୁଥିବା ବୌଦ୍ଧ ଜିଲ୍ଲାର ବଡ଼ା ଗାଁର ଗୀତାଞ୍ଜଳିଙ୍କ ସହ ଗୌତମଙ୍କ ଦେଖା । ଆଉ ସେଇଠୁ ଆରମ୍ଭ ହୁଏ ଉଭୟଙ୍କ ମଧ୍ୟରେ ଭଲ ପାଇବା । ଠରା ଠରିର ପ୍ରେମ ଏବେ ସ୍ୱାମୀ, ସ୍ତ୍ରୀର ସମ୍ପର୍କରେ ପରିଣତ ହୋଇଛି ।

Two Dumb Married In Jaleswar

ବନ୍ଧୁ ବାନ୍ଧବଙ୍କ ଗହଳିରେ ଗୀତାଞ୍ଜଳିଙ୍କୁ ବାହା ହୋଇଛନ୍ତି ଗୌତମ । ସାତ ଜନମର ସାଥୀ ହେବା ନେଇ ଦେଇଛନ୍ତି ପ୍ରତିଶ୍ରୁତି । ଜଣେ ଦିବ୍ୟାଙ୍ଗଙ୍କ ମଥାରେ ଆଉ ଜଣେ ଦିବ୍ୟାଙ୍ଗ ପିନ୍ଧାଇଛନ୍ତି ସିନ୍ଦୂର । ଉଭୟଙ୍କ ବିବାହକୁ ନେଇ ପରିବାରର ସଦସ୍ୟ ବି ଖୁସିବ୍ୟକ୍ତ କରିଛନ୍ତି । ଉଭୟ ନୂଆ ଜୀବନ ଆରମ୍ଭ କରିଥିବା ବେଳେ ସମସ୍ତେ ପ୍ରଶଂସା କରୁଛନ୍ତି । କୁହାଯାଏ ମନ ଯୋଡ଼ି ହୋଇଗଲେ ସଂସାର ସୁନ୍ଦର ଦେଖା ଯାଏ । ଏଠି ମନ ସହ ମନ ମିଶିଯିବା ପରେ ସବୁକିଛି ବେଶ୍ ସୁନ୍ଦର ଦେଖାଯାଉଛି ।

୧୧୧ ଦିନ ପରେ ସବୁଠୁ କମ୍ ୩୪ ହଜାର ୭୦୩ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ ମାମଲା । ବିଗତ ୨୪ ଘଣ୍ଟାରେ ଦେଶରେ ୩୪ ହଜାର ୭୦୩ ନୂଆ ସଂକ୍ରମଣ ମାମଲା ଆସିଛି । ଦେଶରେ ୧୧୧ ଦିନ ପରେ କମ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସକ୍ରିୟ ସଂକ୍ରମଣ ମାମଲା ୪ ଲକ୍ଷ ୬୪ ହଜାର ୩୫୭କୁ ହ୍ରାସ୍ ପାଇଛି । ଏବେ ସୁସ୍ଥତା ହାର୍ ୯୭.୧୭ ପ୍ରତିଶତ ରହିଛି । ଲଗାତାର ଅଷ୍ଟମ ଦିନରେ କରୋନାର ମାମଲା ୫୦ ହଜାର ତଳେ ରହିଛି । ସଂକ୍ରମିତଙ୍କ ସଂଖ୍ୟା କମିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ୍ ପାଇଛି ।

ରାଜଧାନୀ ଦିଲ୍ଲୀ ସହ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଞ୍ଜାବ, ଗୋଆ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟ ସମେତ ଦେଶର ୧୦ ବଡ଼ ରାଜ୍ୟରେ ଏବେ କରୋନା ସଂକ୍ରମଣ ମାମଲା କମିଛି । ତେବେ ମହାରାଷ୍ଟ୍ରରେ କର୍ଣ୍ଣାଟକ, ଆସାମ, ପଶ୍ଚିମବଙ୍ଗ, ମିଜୋରାମ, ତେଲଙ୍ଗାନା, ଜାମ୍ମୁ-କାଶ୍ମୀର ଓ ଝାଡ଼ଖଣ୍ଡରେ ଏବେ ମଧ୍ୟ ସଂକ୍ରମଣ ମାମଲା ଅଧିକ ରହିଛି ।

Corona: ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବ ବିଶେଷଜ୍ଞ ଦଳ

ଭୁବନେଶ୍ୱର: କରୋନା ସ୍ଥିତି, ଭିତ୍ତିଭୂମି, ଭବିଷ୍ୟତ ଯୋଜନା ସମ୍ପର୍କରେ ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । ଗତକାଲି ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରି ପ୍ରାଥମିକ ତଥ୍ୟ ହାସଲ କରିଥିଲେ ଟିମ୍ । ଆଜି ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବ ବିଶେଷଜ୍ଞ ଦଳ । କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରିବା ପରେ ଦ୍ୱିତୀୟ ଲହରର ଚେନକୁ ରୋକିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଓଡ଼ିଶା ।

Central Team To Review Corona Situation Puri And Jagatsinghpur Today

ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ ସହ ଟିକାକରଣକୁ ଫୋକସ୍ କରି କରୋନା ଚେନକୁ ରୋକିବାରେ ସଫଳତା ପାଇଛି ରାଜ୍ୟ । ବର୍ତ୍ତମାନ କରୋନା ସ୍ଥିତି, ଭିତ୍ତିଭୂମି, ଭବିଷ୍ୟତ ଯୋଜନା ଓ ଟିକାକରଣ କିପରି ଚାଲିଛି, ତାହା ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଛି କେନ୍ଦ୍ରୀୟ ଟିମ୍କେ । ନ୍ଦ୍ରୀୟ ଟିମର ମୁଖ୍ୟ ଶିବାନୀ ଦତ୍ତ ଓ ପ୍ରଶାନ୍ତ ରାଘବ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗ ସହ ପ୍ରାଥମିକ ଆଲୋଚନା କରିଛନ୍ତି ।

Central Team To Review Corona Situation Puri And Jagatsinghpur Today

ଯେଉଁସବୁ ଜିଲ୍ଲାରେ କରୋନା ସଂକ୍ରମଣ କମୁନାହିଁ, ସେସବୁ ଜିଲ୍ଲାର ସ୍ଥିତି ସମ୍ପର୍କରେ ବି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ କେନ୍ଦ୍ରୀୟ ଟିମ୍ ଗତକାଲି ଆଲୋଚନା କରିଥିଲେ ।  ଓଡ଼ିଶାରେ ୭ ଦିନ ରହିବା ସହ ବିଭିନ୍ନ ଜିଲ୍ଲା ବୁଲି ଅନୁଧ୍ୟାନ କରିବେ ଟିମ୍ ସଦସ୍ୟ ।  ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସରକାରଙ୍କ ସହ ବୈଠକ କରି ରିପୋର୍ଟ ଦେବେ ।

ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ, ୨୪ ଘଣ୍ଟାରେ ୨୪୮୭ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୨୫ଶହରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୨୪୮୭ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୪୨୮ଟି ମାମଲା ଆସିଥିବା ବେଳେ ୧୦୫୯ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । କଟକରୁ ସର୍ବାଧିକ ୪୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୦୭ଟି ପଜିଟିଭ୍ କେସ୍ ଆସିଛି ।

ଅନୁଗୁଳରୁ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୭, ବରଗଡ଼ରୁ ୨୨, ଭଦ୍ରକରୁ ୧୧୩, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୧୨, ଦେବଗଡ଼ରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୨୦୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦୁଝରରୁ ୬୮, କୋରାପୁଟରୁ ୫୨, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୧୦୩, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୮୦, ନୂଆପଡ଼ାରୁ ୫, ପୁରୀରୁ ୧୫୪, ରାୟଗଡ଼ାରୁ ୨୬, ସମ୍ବଲପୁରରୁ ୨୬, ସୋନପୁରରୁ ୨୬, ସୁନ୍ଦରଗଡ଼ରୁ ୨୮ ଓ ଷ୍ଟେଟପୁଲରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬କୁ ବୃଦ୍ଧି ପାଇଛି । ୨୮ ହଜାର ୭୩୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୯୪ ହଜାର ୧୦୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ନୂଆ ୫୧ଟି ମୃତ୍ୟୁ ମାମଲାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୪ ହଜାର ୨୯୯କୁ ବୃଦ୍ଧି ପାଇଛି ।

ବିବାହ ପରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଶ୍ୱଶୁରଙ୍କୁ ବାହା ହେଲା ବୋହୂ

ଲକ୍ଷ୍ନୌ: ୟୁପିରୁ ଆସିଛି ଆଶ୍ଚର୍ଯ୍ୟଜନକ, ଅଜବ ଖବର । ଏଠି ସ୍ତ୍ରୀ, ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ଶ୍ୱଶୁରକୁ ବାହା ହୋଇଯାଇଛି । ଶୁଣିବାକୁ ଅଜବ ଲାଗୁଥିଲେ ବି ଏମିତି ଘଟିଛି ଉତ୍ତରପ୍ରଦେଶର ବଦାୟୁଁରେ । ଏନେଇ ପୂର୍ବ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଧରିଥିଲା । ଆଉ ବିବାହ ଆଇନ୍ ସମ୍ମତ ହୋଇଥିବା ଦେଖିବା ପରେ ଛାଡ଼ି ଦେଇଥିଲା ।

ବିବାହ ବେଳେ ନାବାଳକ ଥିଲା ସ୍ୱାମୀ

ପ୍ରକୃତରେ ବିବାହ ବେଳେ ସ୍ୱାମୀ ନାବାଳକ ଥିଲେ । ସେ ନିଜ ଇଚ୍ଛାରେ ଶ୍ୱଶୁରଙ୍କ ସହ ବିବାହ କରିଥିଲେ । ପରେ କୋର୍ଟ ମ୍ୟାରେଜ୍ ମଧ୍ୟ କରିଥିଲେ । ପୂର୍ବପତି ବୈଶାଲି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ବିବାହ ୨୦୧୬ରେ ବଜିରଗଞ୍ଜର ଜଣେ ଯୁବତୀଙ୍କ ସହ ହୋଇଥିଲା । ସେମାନେ ବର୍ଷେ ଯାଏଁ ଏକାଠି ରହିଥିଲେ । ପରେ ତାଙ୍କ ସ୍ତ୍ରୀ, ତାଙ୍କ ବାପାଙ୍କ ସହ କେଉଁ ଆଡ଼େ ପଳାଇ ଯାଇଛନ୍ତି । ସେବେଠୁ ଦୁଇଜଣଙ୍କୁ ଖୋଜାଖୋଜି ଚାଲିଥିଲା । ତା’ପରେ ଜଣାପଡ଼ିଥିଲା ଉଭୟ ଚନ୍ଦୌସିରେ ରହୁଛନ୍ତି ।

ପୋଲିସ ସୂଚନା ଅନୁସାରେ, ସୁମିତ ଜୁଆ ଖେଳ ସହ ମଦ୍ୟପାନ କରୁଥିଲା । ଯାହା ଫଳରେ ପତ୍ନୀ ତା’ଠାରୁ ଦୂରେଇ ଯାଇଥିଲା । ଉଭୟ ଅଲଗା ଅଲଗା ରହିଲେ । ପରେ ସ୍ତ୍ରୀ ସୁମିତଙ୍କୁ ଛାଡ଼ପତ୍ର ଦେଇଥିଲେ । ଆଉ ସ୍ତ୍ରୀଙ୍କ ସହ ତାଙ୍କ ବାପାଙ୍କ ବାହାଘର ନେଇ ସୁମିତ ଜାଣିଥିଲା ।

ଖବର ଅନୁସାରେ, ୪୫ ବର୍ଷିଅ ଦେବାନନ୍ଦଙ୍କ ପତ୍ନୀଙ୍କ ଦେହାନ୍ତ ୨୦୧୫ ମସିହାରେ ହୋଇଥିଲା । ସେତେବେଳେ ତାଙ୍କ ବୟସ ୩୯ ଥିଲା । ପରିବାର ବିବାହ କଥା ଚିନ୍ତା କରି ୧୫ ବର୍ଷର ପୁଅ ସୁମିତର ବିବାହ ୨୦୧୬ରେ କରାଇଥିଲେ । ବିବାହର କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଯାହାର ସୁଯୋଗ ନେଇ ବୋହୂର ନିକଟତର ହୋଇଥିଲେ ଶ୍ୱଶୁର ।

ଶ୍ରୀମନ୍ଦିର ସକାଳ ଧୂପ ଓ ଭୋଗମଣ୍ଡପ ପରେ ହେବ ରାଜପ୍ରସାଦ ବିଜେ ନୀତି

ପୁରୀ: ଆଜି ପବିତ୍ର ଦ୍ୱାଦଶୀ ତିଥି । ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ହେବ । ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ନେଇ ରାଜ ନହରକୁ ଶ୍ରୀ ଅଙ୍ଗ ଲାଗି ପ୍ରସାଦ ବିଜେ କରାଇବେ ସେବାୟତ । ଶ୍ରୀବିଗ୍ରହ ମାନଙ୍କ ସୁସ୍ଥ ହେବାର ଖବର ଗଜପତିଙ୍କୁ ଜଣାଇବା ସହ ପ୍ରଥମ ଆଦ୍ୟ ସେବକଙ୍କୁ ମହାପ୍ରଭୁଙ୍କ ଅଣବସରର ସ୍ୱତନ୍ତ୍ର ପ୍ରସାଦ ପ୍ରଥମ କରି ଭେଟି ଦିଆଯିବ ।

Puri Rajprasad Bije Niti Update

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପୀଡିତ ଥିଲେ ମହାବାହୁ । ଶ୍ରୀବୈଦ୍ୟଙ୍କ ଦ୍ୱାରା ପ୍ରଦତ୍ତ ଦଶମୂଳ ଔଷଧ ଲାଗି ପରେ ମହାପ୍ରଭୁ ଜ୍ୱରରୁ ସୁସ୍ଥ ହେବେ । ଦଶମୀରେ ଚକାବିଜେ କରିବା ପରେ ଏକାଦଶୀରେ ଖଳିଲାଗି ହୋଇଥିଲା ।

ସେପଟେ ପୁରୀ ବଡ଼ଦାଣ୍ଡରେ ଦଣ୍ଡାୟମାନ ସମ୍ପୂର୍ଣ୍ଣପ୍ରାୟ ତିନିରଥ । ଉତ୍କଳୀୟ ପରମ୍ପରା, କଳା ଓ ଭାସ୍କର୍ଯ୍ୟର ନମୁନା ବହନ କରୁଥିବା ତିନି ରଥ ବେଶ୍‌ ଆକର୍ଷଣୀୟ । ତିନି ରଥରେ ପାର୍ଶ୍ୱ ଦେବଦେବୀ ଓ କଳସ ଖଞ୍ଜା ଯାଇଛି । ନିର୍ମାଣ ଚାଲିଛି ବେଦୀ ଓ ସିଂହାସନ । ୧୨ ତାରିଖରେ ରଥରେ ଚଢି ପତିତ ଉଦ୍ଧାର ପାଇଁ ଘୋଷଯାତ୍ରାରେ ଯିବେ ଚତୁର୍ଦ୍ଧା ମୂର୍ତ୍ତି ।

Unlock Odisha: ୪୩ଟି ରୁଟରେ ଆଜିଠୁ ରାଜ୍ୟରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଗଡ଼ିବ ସରକାରୀ ବସ୍ । ୪୩ଟି ରୁଟରେ ଚାଲିବ ଓଏସଆରଟିସି ବସ୍ । ଏଥିପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହି ବସ୍ ଗୁଡ଼ିକ ରାଷ୍ଟ୍ରାୟତ ନିଗମର ୧୬ଟି ଡିପୋରୁ ଯାତାୟତ କରିବ । ବସରେ ଯାତ୍ରା ସମୟରେ ଯାତ୍ରୀ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କାଟେଗୋରୀ ଏ ଜିଲ୍ଲା ଗୁଡ଼ିକରେ ଆନ୍ତଃ ଜିଲ୍ଲା ସାଧାରଣ ପରିବହନ ହୋଇପାରିବ ।

 Unlock Odisha Bus Service To Resume In Odisha From Today

ବସରେ ଯେତିକି ସିଟ୍ ଥିବ ସେତିକି ଯାତ୍ରୀଙ୍କୁ ଅନୁମତି ମିଳିବ । କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ । ପ୍ରତିଦିନ ବସକୁ ସାନିଟାଇଜ୍ କରାଯିବ । ଏହା ସହିତ ଯାତ୍ରୀମାନେ କରୋନା ନିୟମକୁ ମାନିବାକୁ ଅନୁରୋଧ କରିଛନ୍ତି ଓଏସଆରଟିସି ଅଧ୍ୟକ୍ଷ । ସମସ୍ତେ ସାମାଜିକ ଦୂରତା ମାନିବା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ସେ ଜନସାଧାରଣଙ୍କୁ କହିଛନ୍ତି ।

ଜନସଂଖ୍ୟାର ୬୪ ପ୍ରତିଶତ ଟିକା ନେବା ପରେ ମାସ୍କ ମୁକ୍ତ ହେବାକୁ ଯାଉଛି ବ୍ରିଟେନ୍

ଲଣ୍ଡନ: କରୋନା ଓ ଟିକାକରଣକୁ ନେଇ ବ୍ରିଟେନରୁ ଏକ ଭଲ ଖବର ଆସିଛି । ବ୍ରିଟେନରେ କରୋନା କଟକଣାକୁ ପୂରା ଉଠାଇ ଦିଆଯିବ । ଏଣିକି ଲୋକ ବିନା ମାସ୍କ ଓ ସାମାଜିକ ଦୂରତା ବିନା ବୁଲି ପାରିବେ । ଟିକାକରଣ ସହ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ବ୍ରିଟେନ୍ ମାସ୍କ ମୁକ୍ତ ଦେଶ ହେବାକୁ ଯାଉଛି । ବ୍ରିଟିଶ୍ ସରକାର ଏହି ଦିନକୁ ସ୍ୱାଧୀନତାର ଦିନ ଭାବେ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ।

Freedom Day After Vaccination Of 64 Of The Population Britain Mask Free

ବୋରିଶ ଜନସନ କହିଛନ୍ତି, ‘ଆମେ ସାମାଜିକ ଦୂରତା, ମୁହଁରେ ମାସ୍କ ଆଦି ନିୟମକୁ ଶେଷ କରିବାକୁ ଯାଉଛୁ । ଯଦି ଆପଣ ଏହି ନିୟମକୁ ମାନିବାକୁ ଚାହୁଁଛନ୍ତି ତ ଆମେ ରୋକିବୁ ନାହିଁ । ଜୁଲାଇ ୧୯ରୁ କଟକଣା ହଟାଇବା ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ୧୨ ଜୁଲାଇରେ ନିଆଯିବ ।’

ଚତୁର୍ଥ ପର୍ଯ୍ୟାୟରେ କେବଳ ମାସ୍କ କି ସାମାଜିକ ଦୂରତା ନୁହେଁ ଅନ୍ୟ କେତକ କଟକଣାକୁ ସରକାର ଉଠାଇ ନେବେ । ନାଇଟ୍ କ୍ଲବ୍, ମ୍ୟୁଜିକ୍ କନସର୍ଟ, ବିବାହ ଉତ୍ସବ, ସିନେମା ହଲ୍ ଓ ସମସ୍ତ ବାଣିଜ୍ୟିକ ଅନୁଷ୍ଠାନ ପୁଣି ଥରେ ଖୋଲିବାକୁ ଅନୁମତି ମିଳିବ ।

Freedom Day After Vaccination Of 64 Of The Population Britain Mask Free

ବ୍ରିଟେନ୍ ଜନସଂଖ୍ୟାର ୬୪ ପ୍ରତିଶତ ଲୋକ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ସରକାର ଟିକାକରଣ ଶକ୍ତିରେ କଟକଣା ଉଠାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ଇସ୍ରାଏଲ୍, ଭୁଟାନ, ଆମେରିକା, ନ୍ୟୁଜିଲାଣ୍ଡ ଓ ଚୀନ୍ ଆଦି ଦେଶ ମାସ୍କ ମୁକ୍ତ ହୋଇ ସାରିଛନ୍ତି ।

୮୪ ବର୍ଷ ବୟସ୍କ ସ୍ତାନ ସ୍ୱାମୀଙ୍କ ପରଲୋକ, ମାଓବାଦୀ ମାମଲାରେ ହୋଇଥିଲେ ଗିରଫ

ମୁମ୍ବାଇ: ଆତଙ୍କବାଦ ନିରୋଧ ଆଇନ ଅନୁସାରେ ଗିରଫ ହୋଇ ଜେଲରେ ଥିବା ସାମାଜିକ କର୍ମୀ ଫାଦର ସ୍ତାନ ସ୍ବାମୀଙ୍କ ପରଲୋକ ଘଟିଛି । ୮୪ ବର୍ଷ ବୟସ୍କ ସ୍ତାନ ବହୁଚର୍ଚ୍ଚିତ ଏଲଗାର ପରିଷଦ ମାମଲାରେ ଗିରଫ ହୋଇଥିଲେ । ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଛି । ଗତ ବର୍ଷ ଅକ୍ଟୋବରରୁ ଜେଲରେ ଥିବା ସ୍ତାନ ଶେଷ ପର୍ଯ୍ୟନ୍ତ ମୁକୁଳିବା ଲାଗି ଆଇନଗତ ଲଢେଇ ଜାରି ରଖିଥିଲେ । ସେ ଜଣେ ମାଓବାଦୀ ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ଲାଗି ସେ ଉଦ୍ୟମ କରିଥିଲେ ବୋଲି ହୋଇଥିବା ଅଭିଯୋଗ କ୍ରମେ ସେ ଗିରଫ ହୋଇଥିଲେ ।

ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବା ୟୁଏପିଏ ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା । ବହୁଚର୍ଚ୍ଚିତ ଏଲଗାର ପରିଷଦ ମାମଲାରେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରଫେସର ହାନି ବାବୁଙ୍କ ସମେତ ୧୮ ଜଣଙ୍କୁ ଗିରଫ କରାଗଲାଣି । ଗତ ୨୦୧୮ ଜାନୁଆରୀ ୧ରେ ପୁଣେରେ ଐତିହାସିକ ଭୀମା କୋରେଗାଁ ଯୁଦ୍ଧର ୨୦୦ ତମ ବାର୍ଷିକୀ ପାଳନ କରିବା ଲାଗି ଲକ୍ଷାଧିକ ଦଳିତ ଏକତ୍ରିତ ହୋଇଥିଲେ । ସଭା ଚାଲିଥିବାବେଳେ ହିଂସା ଘଟିଥିଲା  ।

ଅନେକ ଯାନବାହନ ପୋଡିଦିଆଯାଇଥିଲା । ପ୍ରଥମେ ପୋଲିସ ପକ୍ଷରୁ ମାମଲା ଦାଏର ହୋଇଥିବାବେଳେ ପରେ ଏହାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଥିଲା । ଷ୍ଟାନଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ହ୍ୟୁମାନ ରାଇଟସ ଡିଫେଣ୍ଡର୍ସ ଲାଗି ନିୟୋଜିତ ଜାତିସଂଘର ସ୍ବତନ୍ତ୍ର ରାପୋର୍ଟିୟର ମ୍ୟାରି ଲୟଲର । କହିଛନ୍ତି ଷ୍ଟାନଙ୍କ ମୃତ୍ୟୁ ଏକ ହୃଦୟ ବିଦାରକ ଘଟଣା । ସେହିପରି ମାନବାଧିକାର ସକାଶେ ୟୁରୋପିଆନର ସ୍ବତନ୍ତ୍ର ପ୍ରତିନିଧି ଏମନ ଗିଲମୋର ବି ଦୁଃଖ ପ୍ରକାଶ କରିଛନ୍ତି ।

ଆଇନ ରଦ୍ଦ ପରେ ବି ବିଭିନ୍ନ ଥାନାରେ ମାମଲା, ଅସନ୍ତୋଷ ବ୍ୟକ୍ତ କଲେ SC

ନୂଆଦିଲ୍ଲୀ: ଧାରା ସମ୍ପର୍କରେ ଅବଗତ ନାହାନ୍ତି କେନ୍ଦ୍ର ସରକାର । ଧାରା ଉଠିଯାଇଛି, ହେଲେ ଏବେ ବି ସେହି ଧାରାରେ ରୁଜୁ ହେଉଛି ହଜାର ହଜାର ମାମଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଗଭୀର ଚିନ୍ତାପ୍ରକଟ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ୨୦୧୫ରୁ ଆଇଟି ଆକ୍ଟ ୬୬Aକୁ ରଦ୍ଦ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ହେଲେ ଏହାପରେ ବି ୬୬Aଆକ୍ଟ ଆଧାରରେ ସାରାଦେଶରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ମୁଖ୍ୟତଃ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ନେଇ ୟୁଜର୍ସଙ୍କ ବିରୋଧରେ ଏହି ଆକ୍ଟ ଆଧାରରେ ମାମଲା ରୁଜୁ ହେଉଛି । ଏହାକୁ ନେଇ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଷ୍ଟିସ ଆର ଏଫ୍ ନରିମନ, କେଏମ୍ ଜୋସେଫ୍ ଏବଂ ବିଆର ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି ତୁରନ୍ତ ଜବାବ ରଖିବାକୁ କହିଛନ୍ତି ।

ମାନବାଧିକାର ଉପରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା PUCL ବା ପିପୁଲ ୟୁନିଅନ ଫର ସିଭିଲ ଲିବର୍ଟିଜ ଏ ନେଇ ଦାଏର କରିଥିବା ପିଟିସନର ବିଚାର ବେଳେ କୋର୍ଟ କେନ୍ଦ୍ରକୁ ନୋଟିସ୍ କରିଛନ୍ତି । ୧୧ଟି ରାଜ୍ୟରେ ଏବେ ବି ୬୬A ଧାରା ଆଧାରରେ ୭୪୫ଟି ମାମଲାର ଶୁଣାଣି କୋର୍ଟରେ ଚାଲିଛି ବୋଲି PUCL ପିଟିସନରେ ଦର୍ଶାଯାଇଛି । ୨୦୧୫ରେ ଧାରା ରଦ୍ଦ ହେବା ପରେ ଏହି ଆକ୍ଟରେ ୧୩ଶହ ୫ଟି କେସ୍ ଦାଏର ହୋଇଛି ।ମହାରାଷ୍ଟ୍ରରେ ସବୁଠୁ ଅଧିକ ୩୮୧ଟି ମାମଲା ରୁଜୁ କରାଯାଇଛି । ସେହିପରି ଝାରଖଣ୍ଡରେ ୨୯୫ଟି କେସ୍ ଓ ୟୁପିରେ ୨୪୫ଟି କେସ୍ ରୁଜୁ ହୋଇଛି ।

ତେବେ କୋର୍ଟରେ ଏହି ପିଟିସନର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ କେ ଭେଣୁଗୋପାଳ କହିଛନ୍ତି, ଆଇନ ବହିରେ ଏ ବାବଦରେ ଉଲ୍ଲେଖ କରାଯାଇନାହିଁ । ୨୦୧୫ରେ ସୁପ୍ରିମକୋର୍ଟ ଏହି ଆଇନକୁ ଅସମ୍ବିଧାନିକ ଦର୍ଶାଇ ରଦ୍ଦ କରିଥିଲେ । ଏ ନେଇ ଆଇନର ମୂଳଧାରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇନାହିଁ । ତେଣୁ ପୋଲିସ ଧାରା ୬୬Aକୁ ବ୍ୟବହାର କରୁଛି ବୋଲି ଆଟର୍ଣ୍ଣି ଜେନେରାଲ କହିଛନ୍ତି । ଆଟର୍ଣ୍ଣି ଜେନେରାଲଙ୍କ ଉତ୍ତରେ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ ପଠାଇଛନ୍ତି ଖଣ୍ଡପୀଠ ।