ତାଲିବାନୀଙ୍କ ବର୍ବରତା: ସାମ୍ୱାଦିକଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

କାବୁଲ: ତାଲିବାନ ଟାର୍ଗେଟରେ ସାମ୍ବାଦିକ । ଆଫଗାନିସ୍ତାନରେ କାର୍ଯ୍ୟରତ ଜର୍ମାନୀର ଜଣେ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାଲିବାନ । କିଛି ସାମ୍ବାଦିକଙ୍କ ଘରେ ବି ସର୍ଚ୍ଚ ଅପରେସନ କରିଛନ୍ତି ଆତଙ୍କବାଦୀ । ସେପଟେ ସରକାରୀ ଟିଭି ଚାନେଲରେ କାର୍ଯ୍ୟରତ ଲେଡି ଆଙ୍କରଙ୍କ ଉପରେ ତାଲିବାନର ନାଲିଆଖି । ଏହା ସହ ଖବର ପ୍ରସାରଣ ଉପରେ ବି କଟକଣା । କର୍ମକ୍ଷେତ୍ରକୁ ଯାଉଥିବା ସାମ୍ବାଦିକଙ୍କ ଉପରେ କଡ଼ା ନଜର । ଦେଶରେ ସାମ୍ବାଦିକଙ୍କ ଜୀବନ ପାଲଟିଛି ବିପଦପୂର୍ଣ୍ଣ । ଦେଶରେ ମହିଳା ସାମ୍ବାଦିକ ଓ ଆଙ୍କରମାନଙ୍କ ସ୍ଥିତି ସବୁଠାରୁ ସଙ୍କଟଜନକ ହୋଇଛି ।

ସରକାରଙ୍କ ନିୟନ୍ତ୍ରଣରେ ଥିବା ସମସ୍ତ ଟିଭି ଚାନେଲରୁ ମହିଳା ଆଙ୍କରମାନଙ୍କୁ ହଟାଇବା ଲାଗି ତାଲିବାନ ପଦକ୍ଷେପ ନେଇଛି । ରାଷ୍ଟ୍ରୀୟ ମାଲିକାନାରେ ଥିବା ଆରଟିଏ ପସ୍ତୋ ଚ୍ୟାନେଲରେ ଆଙ୍କର ଥିବା ଶବନମ ଦାଓ୍ୱରନ୍ ତାଲିବାନର ଟାର୍ଗେଟ ହୋଇଛନ୍ତି । ତାଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି । ସବନମ କହିଛନ୍ତି ତାଙ୍କୁ ଅଫିସ ନ ଆସିବାକୁ ତାଲିବାନ ଚେତାବନୀ ଦେଇଛି । ଏହାର କାରଣ ସେ ପଚାରିବାରୁ ତାଲିବାନର ଜଣେ କର୍ମୀ କହିଥିଲା ବର୍ତ୍ତମାନ ନିୟମ ବଦଳିଛି । ମହିଳାମାନେ କାମ କରିବାକୁ ଆସିବା ମନା । ଆରଟିଏ ଅଫିସକୁ ଯିବାକୁ ଯେତେ ନିବେଦନ କଲେ ବି ସବୁ ବ୍ୟର୍ଥ ହୋଇଥିଲା । ବାଧ୍ୟ ହୋଇ ସେ ଘରକୁ ଫେରିଥିଲେ । ତେବେ ତାଙ୍କ ସହ ଥିବା ଜଣେ ପୁରୁଷ ସାମ୍ବାଦିକଙ୍କୁ ତାଲିବାନ ଅଫିସକୁ ଛାଡିଥିଲା ବୋଲି ସେ କହିଛନ୍ତି । ସେପଟେ ରାଷ୍ଟ୍ରୀୟ ଟିଭି ଚାନେଲରେ ଆଙ୍କର ଥିବା ଖାଦିଜା ଅମିନଙ୍କୁ ବି ତାଲିବାନ ବହିଷ୍କୃତ କରିଛି । ତାଙ୍କ ସ୍ଥାନରେ ଜଣେ ପୁରୁଷ ଆଙ୍କରଙ୍କୁ ଅବସ୍ଥାପିତ କରାଯାଇଛି । କାବୁଲରେ ମଧ୍ୟ ଜଣେ ମହିଳା ସାମ୍ବାଦିକ ଓ ତାଙ୍କର କ୍ୟାମେରାପର୍ସନଙ୍କୁ ଆକ୍ରମଣ କରିଛନ୍ତି ତାଲିବାନ ।

ଉକ୍ତ ମହିଳା ସାମ୍ବାଦିକ କଳା ହାଜିବ ପିନ୍ଧି ନଥିବାରୁ ତାଲିବାନ କର୍ମୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଆକ୍ରମଣ କରିଥିଲେ । ଏପରିକି ଆଙ୍କର, କ୍ୟାମେରାପର୍ସନ ଓ ପ୍ରଡ୍ୟୁସରଙ୍କ ଉପରକୁ ତାଲିବାନ ରାଇଫଲ ମୁହାଁଇଥିଲା । ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ତାଲିବାନୀ କିଛି ଶୁଣି ନଥିଲେ । ରିପୋର୍ଟିଂ ଲାଗି ସେମାନଙ୍କୁ ଅନୁମତି ଦିଆଯାଇ ନଥିଲା । ଗତ ଦୁଇ ସପ୍ତାହ ତଳେ ଆଫଗାନିସ୍ତାନ ମିଡିଆ ଆଣ୍ଡ ଇନଫର୍ମେସନ ସେଣ୍ଟରର ମୁଖ୍ୟ ଦାଓ୍ୱା ଖାଁ ମୈନାପାଲଙ୍କୁ ତାଲିବାନ କର୍ମୀ ହତ୍ୟା କରିଥିଲେ । ସେ ତାଲିବାନର ଘୋର ବିରୋଧୀ ଥିଲେ । ଗତ ଜୁଲାଇ ୧୬ତାରିଖରେ କାନ୍ଦାହାର ସ୍ପିନ ବୁଲଦାକରେ ରିପୋର୍ଟିଂ କରୁଥିବାବେଳେ ପୁଲିଜର ବିଜେତା ଭାରତୀୟ ସାମ୍ବାଦିକ ଡାନିସ ସିଦ୍ଦିକଙ୍କୁ ତାଲିବାନ ବୀଭତ୍ସ ହତ୍ୟା କରିଥିଲା । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ସାମ୍ବାଦିକ ତାଲିବାନ ଓ ଅନ୍ୟ ଆତଙ୍କବାଦୀ ଶକ୍ତିଙ୍କ ଆକ୍ରମଣରେ ମୃତାହତ ହେଲେଣି ।

ଏଥିସହିତ ପଢ଼ନ୍ତୁ: ପଦାରେ ପଡ଼ିଲା ସରକାରଙ୍କ ଅପାରଗତା: ଦେଶରେ ଟିକାକରଣରେ ମାନ୍ଦାଗତି ଲାଗି ଜିଡିପି ଅଭିବୃଦ୍ଧି ବାଧାପ୍ରାପ୍ତ

Leave a Reply