ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ ସେଠାରେ କ’ଣ କରୁଥିଲେ ଡିଏଫ୍‌ଓ: ବଢ଼ିଲା ରହସ୍ୟ

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହେଲାବେଳେ ପାରଳାଖେମୁଣ୍ଡି ଡିପିଏଫ୍‌ଓ ଉପସ୍ଥିତ ଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମୃତ୍ୟୁକାଳୀନ ଜମାନବନ୍ଦୀ ବେଳେ ପରିବାର ସଦସ୍ୟ ପୋଲିସ ଏବଂ ମାଜିଷ୍ଟ୍ରେଟ୍ ରହିବା କଥା । ଏଠାରେ ଡିଏଫ୍‌ଓ  କ’ଣ କରୁଥିଲେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ସୌମ୍ୟଙ୍କ ମୃତ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏହି ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେଉ ବୋଲି ଦାବି ହୋଇଛି । ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତଭାର ନେବା ପରଠୁ କ୍ରାଇମବ୍ରାଞ୍ଚ ଅଦ୍ୟାବଧି ୧୩ ଜଣଙ୍କୁ ଜେରା କରିସାରିଲାଣି । ପରବର୍ତ୍ତୀ ସମୟରେ ଡିଏଫ୍‌ଓ ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା କରିବ । ଆଜି କ୍ରାଇମବ୍ରାଞ୍ଚ ଆଇଆଇସି ମମତା ପଣ୍ଡାଙ୍କୁ ଜେରା କରିଛି । ବିଦ୍ୟାଭରତୀ ଓ ମମତା ପଣ୍ଡାଙ୍କ ମଧ୍ୟରେ ପୁରୁଣା ସମ୍ପର୍କ ରହିଛି । ତେଣୁ ସୌମ୍ୟଙ୍କ ଆମ୍ୱୁଲାନ୍ସକୁ ସେ ଅଧିକ ସମୟ ଅଟକାଇଥିଲେ ଏବଂ ମାମଲାକୁ ରଫାଦଫା କରିବା ପାଇଁ  ଉଦ୍ୟମ କରିଥିଲେ ବୋଲି ସୌମ୍ୟଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲେ ।

ଉଲ୍ଲେଖ ଥାଉ କି, ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପୋଲିସ ଡିଏଫ୍‌ଓଙ୍କୁ ଜେରା କରିଥିଲା । ତେବେ ମାମଲାରେ ଡିଏଫ୍‌ଓଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି । ଜେରା ବେଳେ ଡିଏଫ୍‌ଓ ବିଦ୍ୟାଭାରତୀଙ୍କୁ ଜାଣିନଥିବା କହିଥିଲେ । ପୂର୍ବରୁ ସେ କେବେ ଦିଦ୍ୟାଭାରତୀଙ୍କୁ ଭେଟିନଥିଲେ। ଘଟଣା ଦିନ ହିଁ ସେ ପ୍ରଥମ କରି ବିଦ୍ୟାଙ୍କୁ ଦେଖିଥିବା କହିଥିଲେ। ଏଥିସହ ତାଙ୍କ ସହ ସଂପର୍କକୁ ଅସ୍ୱୀକାର କରିଥିଲେ ଡିଏଫଓ। ଅନ୍ୟ ପକ୍ଷରେ ଏହି ମାମଲାରେ ଡିଏଫ୍‌ଓଙ୍କୁ କ୍ଳିନ୍ ଚିଟ୍ ଦେଇଥିଲା ପୋଲିସ ।

ଏଥିସହିତ ପଢ଼ନ୍ତୁ: ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଡିଏଫ୍‌ଓଙ୍କୁ କ୍ଲିନ୍‌ ଚିଟ୍‌

Leave a Reply