spot_img
Home Blog Page 5449

ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଜାଣନ୍ତୁ କିଏ ଗଲେ କିଏ ଆସିଲେ

ନୂଆଦିଲ୍ଲୀ: ବୁଧବାର ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି ।  ଏଥିରେ ୧୦ଜଣଙ୍କୁ ପ୍ରମୋଶନ ମିଳିଥିବା ବେଳେ ୩୩ ନୂଆ ମୁହଁ ସାମିଲ ହୋଇଛନ୍ତି । ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ନାରାୟଣ ତାତୁ ରାଣେ ପ୍ରଥମେ କ୍ୟାବିନେଟ୍ ମନ୍ତ୍ରି ଭାବେ ଶପଥ ଗ୍ରହଣ କରିଥିଲେ । ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପଛକୁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ପରେ ଡ. ବିରେନ୍ଦ୍ର କୁମାର, କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ମଧ୍ୟପ୍ରଦେଶ ରାଜନେତା ଜ୍ୟୋତିରାଦିତ୍ୟା ମାଧବରାଓ ସିନ୍ଧିଆ, ଜେଡିୟୁ ସାଂସଦ ରାମଚନ୍ଦ୍ର ପ୍ରତାପ ସିଂ, ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବ, ବିହାର ଏଲ୍‌ଜେପି ନେତା ପଶୁପତି କୁମାର ପାରସ୍ , କିରନ୍ ରିଜିଜୁ, ପୂର୍ବତନ ପ୍ରଶାସକ ରାଜ୍ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ଲକ୍ଷ୍ମୀଭାଇ ମାଣ୍ଡଭିଆ, ରାଜସ୍ଥାନରୁ ରାଜ୍ୟସଭା ସାଂସଦ ହୋଇଥିବା ଭୂପେନ୍ଦ୍ର ଯାଦବ, ରାଜ୍ୟସଭା ସଦସ୍ୟ ପୁରୁଷୋତ୍ତମ ରୂପାଲା, ସିକନ୍ଦରାବାଦରୁ ବିଜେପି ସାଂସଦ ହୋଇଥିବା ଗଙ୍ଗାପୁରମ୍ କ୍ରିଷନ୍ ରେଡ୍ଡୀ, ଅନୁରାଗ ଠାକୁର, ଉତ୍ତରପ୍ରଦେଶରୁ ବିଜେପି ସାଂସଦ ହୋଇଥିବା ପଙ୍କଜ ଚୌଧୁରୀ, ଉତ୍ତରପ୍ରଦେଶ ସାଂସଦ ଅନୁପ୍ରିୟା ପଟେଲ, ପ୍ରଫେସର ସତ୍ୟପାଲ ସିଂହ ବାଘେଲ, ରାଜୀବ ଚନ୍ଦ୍ର ଶେଖର, ଉତ୍ତରପ୍ରଦେଶ ସାଂସଦ ଭାନୁପ୍ରତାପ ସିଂହ ବର୍ମା, ସୁରଟରୁ ସାଂସଦ ହୋଇଥିବା ଦର୍ଶନା ବିକ୍ରମ ଜରଦୋଶ, ନୂଆଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖି, ଝାଡ଼ଖଣ୍ଡ ଲୋକସଭା ସାଂସଦ ଅନ୍ନପୂର୍ଣ୍ଣା ବେଦୀ, କର୍ଣ୍ଣାଟକ ଚନ୍ଦ୍ରଗୁନା ସାଂସଦ ଏ. ନାରାୟଣସ୍ୱାମୀ, ଉତ୍ତରାଖଣ୍ଡ ବିଜେପି ଅଧ୍ୟକ୍ଷ ଅଜୟ ଭଟ୍ଟ, ଉତ୍ତରପ୍ରଦେଶ ରାଜ୍ୟସଭା ସାଂସଦ ବି.ଏଲ୍ ବର୍ମା, ଭଗବନ୍ତ ଖୁବା, କପିଲ ପାଟିଲ, ତ୍ରିପୁରାର ପ୍ରତିମା ଭୌମିକ, ଡ. ସୁବାଷ ସରକାର, ମହାରାଷ୍ଟ୍ରର ପରିଚିତ ଡାକ୍ତର ଭାଗଓ୍ୱତ, ମଣିପୁର ସାଂସଦ ରାଜକୁମାର, ମହାରାଷ୍ଟ୍ର ସାଂସଦ ଡ.ଭାରତ ପ୍ରବୀଣ ପ୍ରଭାର, ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ସାନ୍ତନୁ ଠାକୁର, ଗୁଜୁରାଟ ସାଂସଦ ଡ. ମୁଞ୍ଜପାରା ମହେନ୍ଦ୍ର ଭାଇ, ପଶ୍ଚିମବଙ୍ଗ ବିଜେପି ସାଂସଦ ଜନ୍ ବାର୍ଲା, ତାମିଲନାଡୁର ଡ. ଏଲ୍‌ ମୁର୍ଗନ, ନୀତିଶ ପାରମାଣିକ,    ଶପଥ ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

’ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ ରହିଛି: ଶିଶୁଙ୍କ ପାଇଁ ୩ ହଜାର ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା’

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବଂ ଏହାର ମୁକାବିଲା ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି,  ବର୍ତ୍ତମାନ ରାଜ୍ୟରେ ୨୮ ହଜାର ୧୫ ମାମଲା ସକ୍ରିୟ ରହିଛି । ଯେଉଁଥିରୁ ୮୦ ପ୍ରତିଶତ ସଂକ୍ରମିତ ସଂଘରୋଧ ହୋଇରହିଛନ୍ତି  । ବର୍ତ୍ତମାନ ୩.୪୯ ପ୍ରତିଶତ ପଜିଟିଭିଟି ରିପୋର୍ଟ ରହିଛି । ପୂର୍ବରୁ ୧୫.୪୭ ପ୍ରତିଶତ ପଜିଟିଭିଟି ହାର ରହୁଥିଲା ତାହା ଏବେ କମିବାରେ ଲାଗିଛି । ୩୦ ଜିଲ୍ଲାରୁ ୧୦ ଜିଲ୍ଲାରେ କୋଭିଡ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ ରହିଛି । ପାଖାପାଖି ୨୪ ଜିଲ୍ଲାରେ ପଜିଟିିଭିଟି ହାର ୫ ପ୍ରତିଶତ ତଳେ ରହିଥିବା ବେଳେ ଆଉ ୬ଟି ଜିଲ୍ଲାରେ ପଜିଟିଭିଟି ହାର ୫ପ୍ରତିଶତରୁ ସାମାନ୍ୟ ଉପରେ ରହିଛି । ସ୍ଥିତି ଆଗକୁ ଆହୁରି ସୁଧୁରିଯିବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।

ଅପରପକ୍ଷରେ ରାଜ୍ୟରେ କରୋନା ରୋଗୀଙ୍କ ନିମନ୍ତେ ଉପଲବ୍ଧ ବେଡ୍ ସଂଖ୍ୟା ନେଇ ସେ କହିଛନ୍ତି ଯେ, ରାଜ୍ୟରେ ପାଖାପାଖି ୯୦ ପ୍ରତିଶତ ବେଡ୍‌ ଖାଲି ରହିଛି । ଜେନେରାଲ୍ ବେଡ୍‌ରେ ୧୩ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୬୦ ପ୍ରତିଶତ କ୍ରିଟିକାଲ  ବେଡ୍  ଖାଲି ରହିଛି । ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ବହୁତ କମ୍ ରହଛି । ତେବେ ଏହା ସତ୍ତ୍ୱେ ଆମେ ତୃତୀୟ ପ୍ରବାହ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ସମ୍ପ୍ରତ ରାଜ୍ୟରେ ୧୪୦ ବ୍ଳାକ୍ ଫଙ୍ଗସ୍ ରୋଗୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେଣି । ଏ ଲାଗି ମଧ୍ୟ ସବୁ ଜିଲ୍ଲା ହସ୍ପିଟାଲ, ବଡ଼ ବଡ଼ ମେଡିକାଲ କଲେଜ ହସ୍ପିଟାଲ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ୧୫ଶହରୁ ୧୬ଶହ ଭାଏଲ ରହିଛ ।  ଏଥିସହିତ ଶିଶୁମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ପ୍ରାୟ ୩ହଜାର ସ୍ୱତନ୍ତ୍ର ବେଡର ବନ୍ଦୋବସ୍ତ କରାଯାଇଛି । ସେଥିରୁ ୬ଶହ ଆଇସିୟୁ ବେଡ୍ ରହିଛି ।

ଏଥିସହିତ ପଢ଼ନ୍ତୁ: ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ୧୦ଙ୍କୁ ପ୍ରମୋଶନ, ୩୩ ନୂଆ ମୁହଁ

ମୋଦି କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ରବିଶଙ୍କର, ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ: ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣର ମାତ୍ର କିଛି ସମୟ ପୂର୍ବରୁ ଆସିଛି ବଡ଼ ଖବର । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ଇସ୍ତଫା ଦେଇଥିବା ଅନ୍ୟ ବରିଷ୍ଠ ମନ୍ତ୍ରୀ ହେଉଛନ୍ତି ପ୍ରକାଶ ଜାଭଡେକର । କୁହାଯାଉଛି ଯେ, ୨୦୨୪ ସାଧାରଣ ନିର୍ବାଚନ ଓ ଆଗାମୀ ବର୍ଷ ହେବାକୁ ଯାଉଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଦଳ ଏହି ଦୁଇ ନେତାଙ୍କ ସେବ ଚାହୁଁଛି । ତେବେ ସେମାନଙ୍କ ଇସ୍ତଫାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
ସୂଚନାଯୋଗ୍ୟ ଯେ, ଆଜି ଦିନ ସାର ରାଜନୈତିକ ଗତିବିଧି ତୀବ୍ର ଥିଲା । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖବର ଭିତରେ କିଛି ମନ୍ତ୍ରୀଙ୍କ ଇସ୍ତଫା ଖବର ମଧ୍ୟ ଆସିବାରେ ଲାଗିଥିଲା । ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଷଡ଼ଙ୍ଗୀଙ୍କ ବ୍ୟତିତ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍,କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ବାବୁଲ ସୁପ୍ରିଓ ।
ବାବୁଲ ସୁପ୍ରିଓ ଇସ୍ତଫା ଦେବା ପରେ ଫେସବୁକରେ ଏବାବଦରେ ଘୋଷଣା କରିଥିଲେ । ଫେସବୁକ ପୋଷ୍ଟରୁ ଜଣା ପଡୁଛି ଯେ, ବାବୁଲ ସୁପ୍ରିୟୋ ଇସ୍ତଫାକୁ ନେଇ ଖୁସି ନାହାନ୍ତି । ସେ ନିଜ ପୋଷ୍ଟରେ ଲେଖିଥିଲେ ଯେ, ମୋତେ ଇସ୍ତଫା ଦେବା ପାଇଁ କୁହାଯାଇଥିଲା ଓ ମୁଁ ଦେଲି । ବିନା ନିଆଁରେ ଧୂଆଁ ଉଠେ ନାହଁ । ମୋ ଇସ୍ତଫା ଖବର ବାବଦରେ ଜାଣିବା ପାଇଁ ଅନେକ ସାମ୍ବାଦିକ ବନ୍ଧୁ ମୋତେ କଲ କରୁଥିଲେ । ସେମାନଙ୍କୁ ମୁଁ ଏହି ପୋଷ୍ଟ୍ ଦ୍ୱାରା ସୂଚନା ଦେଉଛି । ସୂଚନାଯୋଗ୍ୟ ଯେ, ମୋଦିଙ୍କ ମନ୍ତ୍ରିମଣ୍ଡଳରେ  ୩୩ ନୂଆ ମୁହଁ ସାମିଲ ହେବାକୁ ଯାଉଛନ୍ତି । ଅନ୍ୟପକ୍ଷରେ ୧୦ ଜଣ ମନ୍ତ୍ରୀଙ୍କର ପ୍ରମୋଶନ ହୋଇଛି ।

ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ୧୦ଙ୍କୁ ପ୍ରମୋଶନ, ୩୩ ନୂଆ ମୁହଁ

ନୂଆଦିଲ୍ଲୀ: ସନ୍ଧ୍ୟା ୬ଟାରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ସମ୍ପ୍ରସାରଣ ହେବାକୁ ଯାଉଛି । ଏହାକୁ ନେଇ ଆଜି ଦିନ ତମାମ ଅନୁମାନର ବଜାର ଗରମ ଥିଲା ଯେ, କିଏ ରହିବେ କିଏ ଯିବେ । ପୁଣି ନୂଆ ମୁହଁ ସବୁ କିଏ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ । ଓଡ଼ିଶାରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହା ଭିତରେ ଅନ୍ତିମ ତାଲିକା ମଧ୍ୟ ଆସି ସାରିଛି । ତାଲିକା ଅନୁସାରେ ୧୦ ଜଣ ମନ୍ତ୍ରୀ ପ୍ରମୋଶନ ପାଇଥିବା ବେଳେ ୩୩ ଜଣ ନୂଆ ମୁହଁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ।
ତାଲିକାର ପ୍ରଥମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରୟାଣ ରାଣେଙ୍କ ନାମ ରହିଛି । ତାଙ୍କ ପରେ ଅଛି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ନାମ । ଡକ୍ଟର ବିରେନ୍ଦ୍ର କୁମାରଙ୍କ ନାମ ତୃତୀୟରେ ଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ୪ ନମ୍ବରରେ ରହିଛି । ଆପନା ଦଳର ଅନୁପ୍ରିୟା ପଟେଲଙ୍କ ନାମ ତାଲିକାରେ ୧୭ ନମ୍ବରରେ ରହିଛି । ଟେକ୍ନୋକ୍ରାଟ୍ ରାଜିବ ଚନ୍ଦ୍ରଶେଖରଙ୍କ ନାମ ତାଲିକାରେ ୧୯ ନମ୍ବରରେ ଅଛି ।
ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବଙ୍କ ନାମ ତାଲିକାରେ ୬ ନମ୍ବରରେ ଥିବା ବେଳେ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ତାଲିକାର ୩୮ତମ ସ୍ଥାନରେ ରହିଛି । ସେହିଭଳି ଲୋକ ଜନଶକ୍ତି ପାର୍ଟି ନେତା ପଶୁପତି କୁମାର ପାରସଙ୍କ ନାମ ତାଲିକାରେ ସପ୍ତମ ସ୍ଥାନରେ ରହିଛି । ମନ୍ତ୍ରୀ ମଣ୍ଡଳରେ ମିନାକ୍ଷୀ ଲେଖି ମଧ୍ୟ ସ୍ଥାନ ପାଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ୧୧ ଜଣ ମହିଳା, ୧୨ ଜଣ ଅନୁସୂଚିତ, ୮ ଜଣ ଅନୁସୂଚିତ ଜନଜାତି ଏବଂ ୨୭ ଜଣ ଅନ୍ୟ ପଛୁଆ ବର୍ଗରୁ ଆସିଛନ୍ତି ।

କୋଭିଡ୍ ଦ୍ୱିତୀୟ ପ୍ରବାହ ପାଇଁ ଗଲା କି ହର୍ଷବର୍ଦ୍ଧନଙ୍କ ମନ୍ତ୍ରୀ ପଦ ?

ନୂଆଦିଲ୍ଲୀ: ମୋଦିଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୋଖରିଆଲ୍, ବାବୁଲ ସୁପ୍ରିୟୋ, ପ୍ରତାପ ଷଡ଼ଙ୍ଗୀ, ଦେବୋଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଛନ୍ତି ।

Harshvardhan Resigns From Central Health Minister Post

କୋଭିଡର ଦ୍ୱିତୀୟ ପ୍ରବାହ ବେଳେ ଦେଶରେ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା । ହସ୍ପିଟାଲରେ ବେଡ୍ ଠାରୁ ନେଇ ଅକ୍ସିଜେନ୍ ଓ ଔଷଧ ସବୁକିଛିର ଅଭାବ ପରିଲକ୍ଷିତ ହୋଇଥିଲା । ଏଥିପାଇଁ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ନୂଆଦିଲ୍ଲୀ: ମୋଦିଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଅନେକ ମନ୍ତ୍ରୀ ଇସ୍ତଫା ଦେଉଛନ୍ତି । ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ଯାଇ ମନ୍ତ୍ରୀ ହୋଇଥିବା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଇସ୍ତଫା ଦେଇଛନ୍ତି । ପ୍ରତାପ ଷଡ଼ଙ୍ଗୀ ଲୋକସଭାକୁ ନିର୍ବାଚିତ ହେବା ପରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଏଣ୍ଟରପ୍ରାଇଜର୍ସ ମିନିଷ୍ଟ୍ରୀ ସହ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ହୋଇଥିଲେ ।

Modi Cabinet Expansion, Pratap Chandra Sarangi Resigns From Minister

ଅନ୍ୟପଟେ ଓଡ଼ିଶାରୁ ଆଉ ୨ ଜଣ ମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଛି । ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ଆଇଏଏସ୍ ଅଶ୍ୱନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶେଶ୍ୱ ଟୁଡୁ ମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଛି । ଉଭୟ କିଛି ସମୟ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଥିବା ଜଣାପଡ଼ିଛି । ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ହେବ ।

ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା, ମାମଲା ଶୁଣାଣିରୁ ନିଜକୁ ଅଲଗା କଲେ ହାଇକୋର୍ଟ ବିଚାରପତି

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କୋଲକତା ହାଇକୋର୍ଟ ୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି । ଏହା ସହିତ ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣି କରୁଥିବା ବିଚାରପତି ନିଜକୁ ଏହି ଶୁଣାଣିରୁ ଅଲଗା କରିଛନ୍ତି । ମାମଲା ଶୁଣାଣିରୁ ନିଜକୁ ଅଲଗା କରି ଜଷ୍ଟିସ କୌଶିକ ଚନ୍ଦ୍ର ନ୍ୟାୟପାଳିକା ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିବା କାରଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କ ଜରିମାନା ଲାଗୁ କରିଛନ୍ତି ।

ସୂଚନାଯୋଗ୍ୟ ନନ୍ଦିଗ୍ରାମ ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ମମତା ହାଇକୋର୍ଟରେ ମାମଲା ଦାଏର କରିଥିଲେ । ଏହାର ଶୁଣାଣି କୌଶିକ ଚନ୍ଦ୍ର କରୁଥିଲେ । ତେବେ ନିକଟରେ ମମତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖି କୌଶିକ ଚନ୍ଦ୍ରଙ୍କ ନିରପେକ୍ଷତା ଉପରେ ସନ୍ଦେହ ପ୍ରକଟ କରିଥିଲେ । ଜଷ୍ଟିସ୍ ଚନ୍ଦ୍ରଙ୍କର ବିଜେପି ସହିତ ସମ୍ପର୍କ ରହିଛି ଓ ତାଙ୍କଠାରୁ ନିରପେକ୍ଷ ନ୍ୟାୟ ମିଳିବା ନେଇ ମମତା ଆଶଙ୍କା ବ୍ୟକ୍ତ କରିଥିଲେ ।

ଆଜି ଏହି ମାମଲାର ଶୁଣାଣି କାଳରେ ଜଷ୍ଟିସ୍ ଚନ୍ଦ୍ର କହିଥିଲେ ଯେ, ଯେଉଁଭଳି ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ତାହା ବିଚାରପତିଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ଏକ ସୁଚିନ୍ତିତ ଚାଲ । ତେଣୁ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଫାଇନ ଲଗାଇବାର ଆବଶ୍ୟକତା ରହିଛି । ଫାଇନ ବାବଦରେ ମିଳିବାକୁ ଥିବା ଅର୍ଥକୁ କରୋନା ପ୍ରଭାବିତ ଓକିଲଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବା ପାଇଁ ସେ କହିଛନ୍ତି ।

ଏହା ସହିତ ଜଷ୍ଟିସ ଚନ୍ଦ୍ର ନିଜକୁ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଠାରୁ ଅଲଗା କରିଛନ୍ତି । ଆଗରୁ ଜଷ୍ଟିସ୍ ଚନ୍ଦ୍ର ନିଜେ ହିଁ ମମତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ତେବେ ଏବେ ବ୍ୟକ୍ତିଗତ କାରଣରୁ ସେ ଏହି ମାମଲା ଶୁଣାଣିରୁ ନିଜକୁ ଦୁରେଇ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ ।

ମୋଦି କ୍ୟାବିନେଟ୍ ବିସ୍ତାର ପୂର୍ବରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ, ଶ୍ରମମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ହେବ ବଡ଼ ପରିବର୍ତ୍ତନ । ଏହା ପୂର୍ବରୁ ଦିଲ୍ଲୀରେ ରାଜନୀତିକ ହଲଚଲ୍ ଜାରି ରହିଛି । ମନ୍ତ୍ରିମଣ୍ଡଳରେ କିଛି ନୂଆ ନାଁ ଯୋଡ଼ି ହେବା ପୂର୍ବରୁ କିଛି ପୁରୁଣା ବିଦାୟ ନେଉଛନ୍ତି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

 Modi Cabinet Expansion Ramesh Pokhriyal Nishank Remove From Ministers List

ସୂଚନା ଅନୁସାରେ, ରମେଶ ପୋଖରିୟାଲ ଖରାପ ସ୍ୱାସ୍ଥ୍ୟ କାରଣରୁ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗରୁ ସାଂସଦ ଥିବା ଦେବୋଶ୍ରୀ ଚୌଧୁରୀ ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଗହଳି, ଓଡ଼ିଶାରୁ ବିଶ୍ୱେଶ୍ୱର ଟୁଡୁ ହୋଇ ପାରନ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ସନ୍ଧ୍ୟାରେ ହେବାକୁ ଯାଉଛି । ଏହାରି ଭିତରେ ଆଜି ସକାଳୁ ସକାଳୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏନଡିଏର ବରିଷ୍ଠ ନେତା ପହଞ୍ଚିଥିଲେ । ବରିଷ୍ଠ ନେତାଙ୍କ ମଧ୍ୟରେ ଅମିତ ଶାହ ଓ ସୀତାରମଣ ଓ ରବିଶଙ୍କର ଥିଲେ । ଅନ୍ୟପକ୍ଷରେ ସମ୍ଭାବ୍ୟ ମନ୍ତ୍ରୀ ଭାବେ ଯେଉଁମାନଙ୍କ ନାମ ଆଗକୁ ଆସୁଛି ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଓ ନାରାୟଣ ରାଣେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ।

Modi Cabinet Expansion, Focus On Bishweswar Tudu Mayurbhanj

ଓଡ଼ିଶାରୁ ଟୁଡୁଙ୍କ ନାମ
ଏଣେ ଓଡ଼ିଶାରୁ ମୋଦି ସରକାରଙ୍କ ଦ୍ୱିତୀୟ ସମ୍ପ୍ରସାରଣରେ କିଏ ସ୍ଥାନ ପାଇବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଆଗକୁ ଆସିଛି । ବିଶ୍ୱେଶ୍ୱର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ଟୁଡୁଙ୍କୁ ଯଦି ମନ୍ତ୍ରୀ କରାଯାଏ ତେବେ ଉତ୍ତର ଓଡ଼ିଶାରୁ ମୋଦି କ୍ୟାବିନେଟରେ ଦୁଇ ଜଣ ମନ୍ତ୍ରୀ ରହିବେ । କିନ୍ତୁ ପ୍ରଶ୍ନ ହେଉଛି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ବଜାୟ ରଖିଛନ୍ତି କି ନାହିଁ ? ଷଡ଼ଙ୍ଗୀଙ୍କ ଉପରେ ମୋଦିଙ୍କ ବିଶ୍ୱାସ ଉପେର ହିଁ ତାଙ୍କ ରହିବା ନରହିବା ନିର୍ଭର କରୁଛି । ତେବେ ଟୁଡୁଙ୍କ ନାମ ସାମ୍ନାକୁ ଆସିବା ପରେ ଷଡ଼ଙ୍ଗୀଙ୍କ ପଦ ଯାଇପାରେ ବୋଲି ଆଶଙ୍କ କରାଯାଉଛି ।

ଏବେ ଅଛନ୍ତି ୫୩ ମନ୍ତ୍ରୀ, ଆଉ ୨୮ଙ୍କ ପାଇଁ ଅଛି ସ୍ଥାନ
ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟରେ ୫୩ ଜଣ ମନ୍ତ୍ରୀ ରହିଛନ୍ତି । କେନ୍ଦ୍ର କ୍ୟାବିନେଟରେ ମୋଟ ୮୧ ଜଣ ମନ୍ତ୍ରୀ ସ୍ଥାନ ପାଇ ପାରିବେ । ତେଣୁ ଏହି ହିସାବରେ ଆହୁରି ୨୮ ଜଣଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିଜ ସହଯୋଗୀ ଭାବେ ନେଇ ପାରିବେ ।

ଥଇଥାନ, ପୁରସ୍କାର
ମୋଦି କ୍ୟାବିନେଟର ଦ୍ୱିତୀୟ ସମ୍ପ୍ରସାରଣରେ କିଛି ନେତାଙ୍କୁ ଥଇଥାନ ସହିତ କିଛିଙ୍କୁ ସେମାନଙ୍କ କାମ ପାଇଁ ପୁରସ୍କୃତ କରାଯିବ । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରମୋସନର ସମ୍ଭାବନା ରହିଛି । ସେହିଭଳି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ତାଙ୍କ କାମ ପାଇଁ ପୁରସ୍କାର ସ୍ୱରୂପ ମନ୍ତ୍ରୀ ପଦ ମିଳିବା ପ୍ରାୟତଃ ପକା । ଅନ୍ୟପକ୍ଷରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେଇ ଆସାମ ରାଜନୀତିରୁ ତାଙ୍କୁ ଦୂରେଇ ରଖିବାକୁ ବିଜେପି ହାଇକମାଣ୍ଡ ଉଦ୍ୟମ କରି ପାରନ୍ତି । ସୂଚନାଯୋଗ୍ୟ ଯେ, ସର୍ବାନନ୍ଦଙ୍କ ସ୍ଥାନରେ ବିଜେପି କଂଗ୍ରସରୁ ଆସିଥିବା ହିମନ୍ତ ବିଶ୍ୱଶର୍ମାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ କରିଥିଲା । ସେହିଭଳି ଲୋକ ଜନଶକ୍ତି ପାର୍ଟିର ପାରଶ ପାଶ୍ୱାନ ମଧ୍ୟ ମନ୍ତ୍ରୀ ହୋଇପାରନ୍ତି । ଗତକାଲି (ମଙ୍ଗଳବାର) ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଫୋନ୍ ଯାଇଥିବା ଶୁଣିବାକୁ ମିଳୁଛି ।

ବିଜେପି ନେତାଙ୍କ ଯୌନ କେଳେଙ୍କାରୀ, ବ୍ଲାକମେଲିଂ ସହ ୨ ବର୍ଷରେ ଲୁଟିନେଲେ ୭ ଲକ୍ଷ

ଦିଗପହଣ୍ଡି: ନିଶା ଦେଇ ଶାରୀରିକ ସମ୍ପର୍କ ଆଉ ୭ ଲକ୍ଷ ଲୁଟ୍ । ୨ ବର୍ଷର ବ୍ଲାକମେଲିଂ ପରେ ଗିରଫ ବିଜେପିର ଯୁବ ନେତା ପ୍ରିୟରଞ୍ଜନ । ପାତ୍ରପୁର ଅଞ୍ଚଳରେ ଜଣେ ବିବାହିତାଙ୍କୁ ନିଶା ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲେ ପ୍ରିୟରଞ୍ଜନ । ଆଉ ସେହି ଭିଡିଓକୁ ନେଇ ବାରମ୍ବାର ବ୍ଲାକମେଲିଂ କରୁଥିଲେ, ଟଙ୍କା  ମାଗୁଥିଲେ । ଏମିତି ମହିଳାଙ୍କ ଠାରୁ ୭ ଲକ୍ଷ ଟଙ୍କା ଲୁଟି ନେବାପରେ ସୋସିଆଲ୍ ମିଡିଆରେ ଭାଇରାଲ୍ କରି ଦେଇଥିଲେ ଭିଡିଓ ।

ମହିଳାଙ୍କ ଏତଲା କ୍ରମେ ଜରଡ଼ା ପୋଲିସ ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଉପ ସଭାପତି ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କରିଛି । ପ୍ରାୟ ୨ ବର୍ଷ ପୂର୍ବେ ପାତ୍ରପୁର ବ୍ଲକର ଜଣେ ମହିଳା ନିଜ ଗାଡ଼ି ଖରାପ ହେବା ଯୋଗୁଁ ବିଜେପି ନେତା ପ୍ରିୟରଞ୍ଜନ ବେହେରାଙ୍କୁ ଲିଫ୍ଟ ମାଗିଥିଲେ । ଗୋଟିଏ ଗାଡ଼ିରେ ଯିବା ସମୟରେ ବିଜେପି ନେତା ମହିଳାଙ୍କ ସହ ତାଙ୍କର ଏକ ଫଟୋ ଉଠାଇ ଥିଲେ । ପରେ କିଛିଦିନ ପରେ ସେ ମହିଳା ଜଣଙ୍କୁ ୧୦ ହଜାର ଟଙ୍କା ମାଗିଲେ ଏବଂ ନଦେଲେ ଫଟୋ ସ୍ୱାମୀଙ୍କୁ ପଠାଇବେ ବୋଲି ଡରାଇଥିଲେ । ଆଉ ମହିଳା ଜଣଙ୍କୁ ନିଜ ଘରକୁ ଆସିବା ପାଇଁ ବାଧ୍ୟ କରିଥିଲେ ।

Youth BJP Vice President Of Ganjam Arrested For Viral Video

ମହିଳା ଜଣକ ଭୟରେ ତାଙ୍କ ଘରକୁ ଯିବା ପରେ ବିଜେପି ନେତା ତାଙ୍କୁ ମୃଦୁ ପାନୀୟରେ କିଛି ନିଶା ମିଶାଇ ଦେଇ ଦୁଷ୍କର୍ମ କରିଥିଲେ । ଆଉ ସେହି ସମୟର ଭିଡିଓ କରିଥିବା ନେଇ ମହିଳା ଜଣଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ସେହି ଭିଡିଓକୁ ଆଳ କରି ବିଜେପି ନେତା ଜଣଙ୍କ ମହିଳାଙ୍କୁ ବ୍ଲାକ ମେଲିଂ କରିଥିଲେ । ବିଭିନ୍ନ ସମୟରେ ପ୍ରାୟ ୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ମହିଳା ଜଣଙ୍କ ଆଉ ଟଙ୍କା ଦେବାକୁ ଅସମର୍ଥ ହେବାରୁ ବିଜେପି ନେତା ଉକ୍ତ ଭିଡିଓକୁ ଭାଇରାଲ୍ କରି ଦେଇଥିଲେ ।

ଏବେ ମହିଳାଙ୍କ ଏତଲା କ୍ରମେ ଜରଡ଼ା ପୋଲିସ କେସ୍ ରୁଜୁ କରିବା ସହ ବିଜେପି ନେତା ଅଭିଯୁକ୍ତ ପ୍ରିୟରଞ୍ଜନ ବେହେରାଙ୍କୁ ଗିରଫ କରିଛି । ଗୋଳନ୍ଥରା ଥାନା ସୁରଳ ପଞ୍ଚାୟତ କଇଠ ଗାଁରୁ ପ୍ରିୟରଞ୍ଜନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬, ୨୯୨, ୩୫୪ ସି ଓ ୩୫୪ଡି, ୩୮୪, ୪୨୦, ୪୬୫, ୪୬୯, ୫୦୬ ଓ ୫୦୯ ଧାରା ଲାଗିଛି ।