ସରପଞ୍ଚ ବାବୁ ଲୁଟୁଥିଲେ ସରକାରୀ ଅର୍ଥ, ଏବେ ବିଦା ହେଲେ

1 min read

ସୁନ୍ଦରଗଡ: ମହଙ୍ଗା ପଡିଲା ସରକାରୀ ଅର୍ଥ ହରିଲୁଟ । ନିଲମ୍ବିତ ହେଲେ ସରପଞ୍ଚ । ସୁନ୍ଦରଗଡ ଜିଲ୍ଲା ଲାଇଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ନରସିଂହ ମିଞ୍ଜଙ୍କୁ ନିଲମ୍ବିତ କରାଯାଇଛି । ୨୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ନସରିଂହ । ନିଲମ୍ବନ ନେଇ ପଞ୍ଚାୟତରାଜ ବିଭାଗର ସ୍ବତନ୍ତ୍ର ସଚିବ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ସରପଞ୍ଚଙ୍କ ବିରୋଧରେ । ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଯାହାଫଳରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପୂର୍ବରୁ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଥିଲା । ଲାଇଙ୍ଗ ଗ୍ରାମପଞ୍ଚାୟତରେ ସେଣ୍ଟ୍ରାଲ ଫାଇନାନସ ଯୋଜନାରେ ୨୦୧୮- ୨୦୧୯ ମସିହାରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ବ୍ୟାଙ୍କରୁ ୯ ଲକ୍ଷ ୭୧ ହଜାର ୭୪୨ ଟଙ୍କା ଓ ଫାଇନାନସ ଯୋଜନାରେ ୨୦୧୮- ୨୦୧୯ ମସିହାରେ ୧୩ ଲକ୍ଷ ୧୯ ହଜାର ୭ ଶହ ଟଙ୍କା ଉଠାଇଥିଲେ ମଧ୍ୟ କୌଣସି କାମ କରିନଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ରାଉରକେଲା ଭିଜିଲାନସ ବିଭାଗ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଲୋକ କୁମାର ନାୟକ ଓ ସରପଞ୍ଚ ନରସିଂହ ମିଞ୍ଜଙ୍କ ନାମରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଭିଜିଲାନସ ରିପୋର୍ଟ ଆଧାରରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଆଲୋକ କୁମାର ନାୟକଙ୍କୁ ସୁନ୍ଦରଗଡ ଜିଲ୍ଲାପାଳ ପୁର୍ବରୁ ନିଲମ୍ବିତ କରିଥିଲେ । ସରପଞ୍ଚ ନରସିଂହ ମିଞ୍ଜ ଗତ ବିଧାନସଭା ନିର୍ବାଚନରେ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ନରସିଂହ ସୁନ୍ଦରଗଡ଼ ଜିଲ୍ଲାରେ ଵିଜେପିର ଜଣେ ବରିଷ୍ଠ ନେତା ଭାବେ ଜଣାଶୁଣା । ଏଭଳିସ୍ଥଳେ ଜଣେ ବିଜେପି ନେତାଙ୍କ ଦୁର୍ନୀତିଖୋର ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave a Reply